ସୁନା ଜହ୍ନ ମୁନା
ସୁନା ଜହ୍ନ ମୁନା
ଆଜିକାଲି ଛାଡ଼ଖାଇ ଛୁଟି ନାହିଁ ସ୍କୁଲରେ ତ ମୁନା ଯେବେ ଗାଁରେ ସ୍କୁଲ ଯିବାକୁ ବାହାରିଲା ତା ବୋଉ ତାକୁ ନଯିବାକୁ କହୁଥିଲେ. ମୁନା କହିଲା ଆଜି ସିନା ସରକାରୀ ଛୁଟି ନାହିଁ କିନ୍ତୁ ଅନେକ ଗୁରୁଜୀ ଓ ଗୁରୁମା ଇଛାଧୀନ ଛୁଟି ନେଇଥିବାରୁ ଆମ ବିଜ୍ଞାନ ସାର କହିଛନ୍ତି ଆମେ ସବୁ ଆଜି ଗାଁ ଭିତରେ ଥିବା ଜଙ୍ଗଲକୁ ଯାଇ ଜାତି ଜାତି ପକ୍ଷୀ ଓ ପଶୁଙ୍କର ବିଲୁପ୍ତର କାରଣ ଖୋଜିବୁ. ବୋଉ ପଚାରିଲା ସେସବୁ ଜାଣି ତୁମଭଳି ପିଲାମାନଙ୍କର କି ଲାଭ ହେବ!ଲାଭ ଅଛି ବୋଉ.ଖାଲି ବହିରେ ଥିବା ପାଠ ମନେରଖି ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନ ଉତ୍ତର ଠିକ ଠିକ ଲେଖି ନମ୍ବର ରଖି ଭବିଷ୍ୟତରେ କିଛି ଗୋଟେ ଚାକିରୀ ପାଇବା ତ ସାଧାରଣ କଥା କିନ୍ତୁ ପ୍ରକୃତିରେ ଥିବା କିଛି ପ୍ରକୃତି ବନ୍ଧୁ ଯେଉଁମାନେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ମଣିଷର ବନ୍ଧୁ ସେମାନଙ୍କ ବିଲୋପ ହେଲେ ଭଗବାନଙ୍କ ସୃଷ୍ଟି କେମିତି ତିଷ୍ଠି ରହିବ କହିଲୁ ବୋଉ?ମୁନାର ଏଡ଼େ ଏଡ଼େ କଥା ବୋଉ ମୁଣ୍ଡରେ କିଛି ପଶୁଥିଲା ତ କିଛି ପଶୁନଥିଲା. ତେବେ ବୋଉ ଏତିକି ବୁଝି ସାରିଥିଲା ଗଛ ଯେମିତି ଆମକୁ ଫୁଲ, ଫଳ, ଛାଇ, ଜାଳ ପାଇଁ ଡାହି, ଆସବାସ ପାଇଁ ନିଜ ଡ଼ାଳ ଓ ଗଣ୍ଡି ମଧ୍ୟ ଦେବାକୁ ନପଛାଇ ଅଦିନରେ ପୁଣି ବହୁଳ ମାତ୍ରାରେ ହଣା ହେଉଥିବାରୁ ମାଟି, ପାଣି, ପବନରେ କ୍ଷୟ ହେଉଛି ସେମିତି ନିଶ୍ଚୟ ପକ୍ଷୀ ଓ ପଶୁ ମାନଙ୍କର ବିଲୁପ୍ତ ହେବାରେ ମଣିଷର ଅହିତ ହେଉଛି. ପୁଣି ବୋଉ ମୁଣ୍ଡରେ ପଶୁ ନଥିଲା ଜଙ୍ଗଲୀ ପଶୁ ଓ ପକ୍ଷୀ କମିଗଲେ କ୍ଷତି କଣ!ପୁଅ ତାଙ୍କର ଖୁବ ବୁଝିବାର ଓ ସମଝଦାର ହୋଇଗଲାଣି.ମୁନା ସ୍କୁଲରୁ ଆସିଲେ ତାକୁ ପଚାରି ବୁଝିନେବେ ବୋଲି ବୋଉ ଭାବିଲା ବେଳକୁ ମୁନା ବାପା ଗାଁର ସୁରବାବୁଙ୍କ ସଙ୍ଗେ ଆସି ଗୁହାଳରେ ପଶିଲେ. ଦରଦାମ ଛିଡେଇ ମାଆ ଛେଳିଟାକୁ ସାଙ୍ଗରେ ନେଇଗଲେ କାରଣ ଆଜି ଛାଡ଼ଖାଇ ପରା ଦିନରେ ମାଉଁସ ଟିକିଏ ନହେଲେ ବାବୁଙ୍କୁ ଓ ବାବୁଘର କାହାକୁ ଭାତ ରୁଚିବ ନାହିଁ. ଛେଳି ମାଆ ଚାଲିଯିବା ପରେ ତା ଛୁଆ ତିନୋଟି ଖୁବ ରଡି ଛଡ଼ୁଥିଲେ ତ ମୁନା ବୋଉ ତାଙ୍କୁ କଅଁଳିଆ ଘାସ ଓ ପତ୍ର ଦେଇ ଯେତେ ବୋଧ କରିବାକୁ ଚାହିଁଲେ ମଧ୍ୟ ପାରୁନଥିଲେ.
ଗାଁ ପୋଖରୀରୁ ମାଛ ଧରା ହୋଇ ଘରେ ଘରେ ବଣ୍ଟା ହୋଇଥିଲା ତ ମୁନା ବୋଉ ଭଲ କରି ମାଛ ଭାଜି ମସଲା ବାଟି ତରକାରୀ କରି ମୁନାର ସ୍କୁଲରୁ ଫେରିବା ବାଟକୁ ଅନେଇ ବସିଥାଆନ୍ତି. ମୁନା ଶୀଘ୍ର ଫେରିବ କଣ ଆଜି ଚାରିଟା ପରେ ଫେରି ବୋଉ ଶୀଘ୍ର ବାଢେ ବହୁତ ଭୋକ ହେଉଛି କହିଥିଲା ତ ବୋଉ ମାଛତରକାରୀ ଓ ଭାତ ବାଢି ଆଜି ଏତେ ଡେରିହେଲା ଯେ ପୁଅ ପଚାରିବାରୁ ମୁନା କହିଥିଲା ଆଜି ସ୍କୁଲରେ ମୀଟିଙ୍ଗ ହୋଇଥିଲା. ଆମ ଗାଁର ସବୁଠୁ ଶିକ୍ଷିତ ଵ୍ୟକ୍ତି ସୁରବାବୁ ସଭାପତିତ୍ୱ କରି ଅହିଂସା ପରମ ତପ ବୋଲି କହି ଜୀବ ହତ୍ୟା ନକରିବାକୁ କହିଥିଲେ. ଅନେକ ଉଡାହାରଣ ସହ ଜୀବକୁ ପରୋକ୍ଷରେ ଅବା ପ୍ରତ୍ୟେକ୍ଷରେ ହତ୍ୟା କରି ଖାଇବା ଦ୍ୱାରା ପ୍ରକୃତିରେ ଅସନ୍ତୁଳନ ସହ ନିରୀହ ଜୀବର ଭୟ ଜନିତ ମାଂସ ବିଷରେ ପରିଣତ ହୋଇ ଖାଦ୍ୟ ରୂପେ ଆମ ଦେହକୁ ଯାଇ ରୋଗ ସୃଷ୍ଟି କରେ ବୋଲି କହିଲେ. ତା ଛଡା ଜୀବେ ଦୟା ମହାପୂଣ୍ୟ ପୁଣି ମାନବିକତା ଦୃଷ୍ଟିରୁ ପାଳି ପୋଷି ଘରେ ରଖି ତାର ଆଦର ଯତ୍ନ କଲାବେଳେ ଆମେ ସେମାନଙ୍କୁ ଖୁବ ସ୍ନେହ କରିଥାଉ ସନ୍ତାନ ପରି ତେଣୁ ଆଜି ଛାଡ଼ଖାଇରେ ତାଙ୍କ ଘରେ ମାଉଁସ ପଶିନି କହୁଥିଲେ. ବୋଉଙ୍କ ପାଟିରୁ ବାହାରି ପଡିଲା ସୁରବାବୁ ନିଜେ ଆସି ଆମ ଛେଳି ଝୁମୁରିକୁ ପରା କିଣିନେଲେ ଆଜି. ମୁନା ଖାଇବ କଣ ଉଠି ଦୌଡ଼ିଲା. ବୋଉ ଭାବୁଥିଲେ ଏତିକି ବେଳେ ପିଲାଟାକୁ ସତ କହି କୋଉ ଭଲ କାମଟେ କଲେ ଯେ ମୋ ପୁଅ କୁଆଡେ ଧାଇଁଗଲା. ମୁନା ବାପା ଓ ବୋଉ ସନ୍ଧ୍ୟା ଗାଡିଯିବା ପରେ ମଧ୍ୟ ମୁନା ଘରକୁ ଫେରି ନଥିବାରୁ ଗାଁ ସାରା ଖୋଜିଲା ବେଳେ ସନିଆଁ କହିଥିଲା ସୁରବାବୁଙ୍କୁ ମିଛୁଆ କହି ତାଙ୍କ ଘର ଓ ତାଙ୍କ ଉପରକୁ ଟେକା ଫିଙ୍ଗି ତୁମ ପୁଅ ଜେଲରେ. ବାପା ମାଆ ଦିଟା ସୁର ବାବୁଙ୍କ ଗୋଡ଼ ଧରି କାନ୍ଦୁଥିଲେ ତ ପିଲାଟାକୁ ଏଇଦିନୁ ସନ୍ତ୍ରାସବାଦୀ ହେବା ଦେଖି ତାକୁ ବାଟକୁ ଆଣିବାକୁ ଯାଇ ଜେଲରେ ଠୁଙ୍କିଛି. ତୁମେ ଦୁହେଁ ଘରକୁ ଯାଅ ମୁଁ ପୋଲିସ ଗାଡିରେ ପୁଅକୁ ତୁମର ଥାନାରୁ ମୁକୁଳାଇ ପଠାଉଛି. ହଁ ପୁଅକୁ ଠିକ ସଂସ୍କାର ଦେଇ ବଢାଅ ଓ ଆସନ୍ତା ଇଲେକ୍ସନରେ ମତେ ଭୋଟ ଦେବାକୁ ଯେମିତି ଭୁଲିନଯାଅ. ମୁଁ ଭୋଟ ପାଇଲେ ତୁମ ପୁଅର ଚାକିରୀ ନିଶ୍ଚୟ କରାଇ ଦେବି. ବାପାମାଆ ଦିଟା ଏଣିକି ମୁନାକୁ ଆକଟ କରୁଥିଲେ ତ ମୁନା କହୁଥିଲା ଚାକିରୀ କରି ଗୋଲାମ ହେବା ଅପେକ୍ଷା ମୁଁ ପରିବେଶବିତ ହେବାକୁ ଚାହେଁ ବୋଉ. ବୋଉ କହୁଥିଲା ଅବୁଝା ହୁଅନା ଧନ ତୁ ପରା ଆମ ଜହ୍ନ.
