Krushnapriya Mohapatra

Others

3  

Krushnapriya Mohapatra

Others

ଶିବ ମହିମା

ଶିବ ମହିମା

4 mins
155


  ଏମିତି ଜୀବନରେ ଅନେକ ସ୍ମୃତି ଅଛି ଯାହା ସ୍ମରଣ ହେବା ମାତ୍ରେ ହୃଦୟରେ ଏକ ମୃଦୁ କମ୍ପନ ହୁଏ, ରୋମ ଟାଙ୍କୁରି ଯାଏ। ଏ ଘଟଣାକୁ ଅନେକ ବର୍ଷ ହେଲାଣି ସେ ସ୍ଥାନରେ ବହୁତ କିଛି ପରିବର୍ତ୍ତନ ହେଇ ସାରିଲାଣି କିନ୍ତୁ ମନରୁ ସେ ଦୃଶ୍ୟ ଆଉ ସ୍ମୃତି କେବେ ବି ହଟେଇ ହେଉନି।

       ସେଦିନ ଥାଏ ଜାନୁଆରୀ ୨୬ ତାରିଖ, ଆମ ଘର ଠାରୁ ଚାଳିଶ କିଲୋମିଟର ଦୂରରେ ଥିବା ପ୍ରସିଦ୍ଧ ଶିବ ମନ୍ଦିରରେ ଆମ ଘର ତରଫରୁ ପ୍ରସାଦ ସେବନ କରିବା ବ୍ୟବସ୍ଥା କରାଯାଇଥାଏ। ଘରର ସମସ୍ତ ସଦସ୍ୟ ସେଠାକୁ ଯାଇ ସାରିଥିଲେ। ମୁଁ ମୋ ଝିଅ ଓ ସ୍ୱାମୀଙ୍କ ସହିତ ନିଜର ମୋଟର ସାଇକେଲରେ ଯିବାକୁ ବାହାରିଲୁ। ଅନ୍ୟ ମାନେ ଯେହେତୁ ପୂର୍ବରୁ ଯାଇ ସାରିଥିଲେ ଏବଂ ସେ ସ୍ଥାନକୁ ଆଗରୁ ଥରେ ଦି ଥର ଯାଇଥିଲେ ରାସ୍ତା ସେମାନଙ୍କୁ ଜଣା ଥିଲା କିନ୍ତୁ ଆମେ କେବେ ଯାଇ ନ ଥିଲୁ। ପରିସ୍ଥିତିରେ ପଡି ଆମେ ସମସ୍ତଙ୍କ ସହିତ ଯିବା ସମ୍ଭବ ହେଲାନାହିଁ।ତେଣୁ ଆମେ ଏକୁଟିଆ ବାହାରିଗଲୁ। ସମୟ ସେତେବେଳେ ସକାଳ ଦଶଟା କି ଏଗାରଟା ଭିତରେ ହେବ।

-"କଥାରେ ଅଛି ପଚାରି ପଚାରି ଲୋକ ଲଙ୍କା ଯାଇ ହୁଏ। ଆମେ ସେଇ ଜୋସରେ ପଳେଇଲୁ। """

-"ହଁ ମ ଏତେ ପ୍ରସିଦ୍ଧ ସ୍ଥାନ ଲୋକ ଜାଣିଥିବେ ଆମେ ପଚାରି ପଚାରି ପଳେଇବା"। ସେତେବେଳେ ନୂଆ ନୂଆ ମୋବାଇଲ ଆସିଥିଲା କିନ୍ତୁ ସ୍ମାର୍ଟ ଫୋନ ନ ଥିଲା। 

   ସହର ଛାଡି ଆମେ ମନ୍ଦିର ଥିବା ରାସ୍ତା ଧରିଲୁ।ୟା ଭିତରେ ଜଣଙ୍କୁ ପଚାରି ଆମେ ଆଗେଇ ଚାଲିଲୁ।

କିଛି ବାଟ ଗଲାପରେ ବିଲ (ଚାଷ ଜମି) ଭିତରେ ଗୋଟିଏ ସରୁ ରାସ୍ତା ବହୁ ଦୂର ପର୍ଯ୍ୟନ୍ତ ଦିଶିଲା।ସେହି ସ୍ଥାନରେ ଘର ଦ୍ୱାର କିଛି ନଦେଖି ମନରେ ଟିକେ ଦ୍ଵନ୍ଦ୍ୱ ଆସିଲା ଯେ ଆମେ ଠିକ ରାସ୍ତାରେ ଆସିଛେ ତ!!!!

 ସେଇ ଦ୍ଵନ୍ଦ୍ୱରୁ ମୁକୁଳିବା ପାଇଁ ଆମେ ଏଣେ ତେଣେ ଚାହୁଁ ଚାହୁଁ ଜଣେ ବ୍ୟକ୍ତିଙ୍କୁ ଦେଖିଲୁ। ସେ ବ୍ୟକ୍ତି ଜଣକ ନିକଟସ୍ଥ ଗ୍ରାମର ହୋଇଥିବାର ଅନୁମାନ କରି ତାଙ୍କୁ ସଠିକ ରାସ୍ତା ପଚାରିବା ପାଇଁ ମୋ ସ୍ୱାମୀ ସେ ବ୍ୟକ୍ତିଙ୍କ ଆଡକୁ ଚାହିଁଲେ। କିନ୍ତୁ ମୋଟର ସାଇକେଲଟି ଚଳନ୍ତା ଅବସ୍ଥାରେ ଥାଏ। ଦୁର୍ଯୋଗକୁ ସେଇଠାରେ ଟିକେ ମୋଡ଼ ଥିଲା।ଅନ୍ୟମନସ୍କ ହେବା ଯୋଗୁଁ ମୋଟର ସାଇକେଲଟି ଜୋରରେ ଗଡି ଚାଲିଲା।କିଛି ମୁହୂର୍ତ୍ତ ଭିତରେ ଆମେ ସମସ୍ତେ କଲଭର୍ଟ ପାର୍ଶ୍ଵରେ ଥିବା ଦୁଇଟି ଗଛ ମଝିଦେଇ କୋଡିଏ ଫୁଟ ତଳେ ଥିବା ଖାଇରେ ପଡ଼ିଲୁ। 

କିଛି ସମୟ ଆମେ ସ୍ତବ୍ଧ ହୋଇ ରହିଗଲୁ !!!

"କଣ ଘଟିଗଲା ଭାବିଲା ବେଳକୁ ମୁଣ୍ଡ ଘୁରେଇଦେଲା।ମୁଁ କଲବଲରେ ଝିଅକୁ ଖୋଜିବା ବେଳକୁ ସେ କିଛି ଦୂରରେ ପଡିଥାଏ ତାକୁ ଟେକି ଉଠେଇଲି ତା' ପରେ ଦେଖିଲି ମୋଟର ସାଇକେଲରେ ଗୋଟିଏ ଗୋଡ଼ ଚିପି ହୋଇ ସେ ପଡିଛନ୍ତି ।ମୁଁ ତାଙ୍କୁ କେମିତି ଉଠେଇବି ଭାବି ପାରୁ ନ ଥାଏ। ମୁଁ ଛାଟି ହୋଇ ପଡିଯାଇଥିବାରୁ ମୋ ଅଣ୍ଟାରେ ଗୋଟିଏ ଗଛର ଥୁଣ୍ଟା ଡାଳ ଗଳି ରକ୍ତ ବାହାରୁଥାଏ । ସେ ଚେଷ୍ଟା କରୁଥାଆନ୍ତି ନିଜେ ଉଠିବା ପାଇଁ। 

 ସେ ଜନ ମାନବ ଶୂନ୍ୟ ବିଲ ଭିତରେ କେହି ଆମକୁ ସାହାଯ୍ୟ କରିବ ଏ କଥା ଆମ କଳ୍ପନାର ବାହାରେ ଥିଲା।ଯେଉଁ ବ୍ୟକ୍ତିଙ୍କୁ ଆମେ ରାସ୍ତା ପଚାରୁଥିଲୁ ସେ ଜଣେ ବୟସ୍କ ଓ ଦୁର୍ବଳ ଶରୀର ବ୍ୟକ୍ତି।ଏଇ ସମୟରେ ପ୍ରଭୂଙ୍କ ଅଶେଷ କୃପାରୁ ଜଣେ ହୃଷ୍ଟପୃଷ୍ଟ ଯୁବକ ଆସି ଉପସ୍ଥିତ ହେଲେ।ସେ ସଙ୍ଗେ ସଙ୍ଗେ କଲଭର୍ଟ ତଳକୁ ଓହ୍ଲାଇ ମୋଟର ସାଇକେଲ ଟିକୁ ଟେକିଲେ ଓ ମୋ ସ୍ୱାମୀଙ୍କୁ ଉଠାଇ ଧରିଧରି ଉପରକୁ ଆଣିଲେ।ମୁଁ ଝିଅକୁ ଧରି କୌଣସି ମତେ ଉପରକୁ ଆସିଲି।ସେ ଯୁବକ ଜଣକ ମୋଟର ସାଇକେଲଟିକୁ ରାସ୍ତା ଉପରକୁ ଉଠାଇଆଣିଲେ।ଯେଉଁ ସ୍ଥାନରେ ଆମେ ପଡିଥିଲୁ ସେ ଜାଗାରେ ହିଁ କିଛି ଯାଗା ବାଲି ଆଉ ବାକି ଆଗପଟକୁ ଇଟା ପଥର ପୁଣି କଲଭର୍ଟ ତଳକୁ ବହୁତ ପାଣି କାରଣ ସେଇଟା ପୁରା ଖାଲୁଆ ଜାଗା ।ବୋଧହୁଏ ସେଇ ପଟ ଦେଇ କେନାଲ ଯାଇଥାଏ।ତେଣୁ ଏତେ ବିପଦ ପୂର୍ଣ୍ଣ ସ୍ଥାନରେ ଆମେ ପଡି ପୁଣି ସୁସ୍ଥ ଶରୀରରେ ବଞ୍ଚିକି ଆସିଛୁ ବୋଲି ସେଠାରେ ଥିବା ପ୍ରଥମ ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟର ବିଷୟ ବୋଲି କହୁଥାଆନ୍ତି ।ତାଙ୍କ ମତରେ ଏଠାରେ ଅନେକ ଥର ଦୁର୍ଘଟଣା ଘଟି ଲୋକ ମୃତାହତ ହୋଇଥିବା ବେଳେ ଆପଣଙ୍କର କୌଣସି କ୍ଷତି ହୋଇନି। 

 ସେ ଖାଇରୁ ମୋଟର ସାଇକେଲ ଉଠେଇ ଆଣିଥିବା ଯୁବକ ତାଙ୍କ ପାଖରେ ରଖିଥିବା ଟୁଲବକ୍ସରୁ କିଛି ଯନ୍ତ୍ରପାତି କାଢି ଗାଡିଟି ଚାଲିବା ବ୍ୟବସ୍ଥା କରିଦେଲେ। 

କହିଲେ ""କିଛି ବାଟ ଗଲେ ଗୋଟିଏ ଗ୍ୟାରେଜ ପଡିବ ସେଠାରେ ମୋଟର ସାଇକେଲଟିକୁ ମରାମତି କରିଦେବେ।" 

ପ୍ରଥମେ ମୋ ସ୍ୱାମୀ ଭାବୁଥିଲେ ସେ ବୋଧହୁଏ ଆଉ ଗାଡି ଚଲେଇ ମନ୍ଦିର ପର୍ଯ୍ୟନ୍ତ ଯାଇ ପାରିବେନି କିନ୍ତୁ ସେ ଯୁବକ ଜଣକ ତାଙ୍କ କାନ୍ଧରେ ହାତ ରଖି କହିଲେ ମୁଁ ଷ୍ଟାର୍ଟ କରି ଦଉଛି ଆପଣ ଚେଷ୍ଟା କରନ୍ତୁ।ତାଙ୍କ ଠାରୁ ସାହସ ଓ ଆଶ୍ୱାସନା ପାଇଁ ସେ ମୋଟର ସାଇକେଲକୁ ଚଲାଇ ପାରିଲେ। 

 ଏ ଭିତରେ ଆମର ଡେରି ହେବାରୁ ଘର ଲୋକ ଫୋନ କଲେ, ମୁଁ ସେମାନଙ୍କୁ ଏ ବିଷୟରେ ଜଣାଇବା ପରେ ମୋ ଭାଇ ଅତି ଶୀଘ୍ର ଆମ ପାଖକୁ ଆସିଲା ଏବଂ ଆମେ ଆଶ୍ୱସ୍ତ ହୋଇ ମନ୍ଦିର ନିକଟରେ ପହଞ୍ଚିଲୁ। ଆଶ୍ଚର୍ଯ୍ୟ ଲାଗୁଥିଲା ଯେ ଆମେ ଏତେ ଉଚ୍ଚସ୍ଥାନରୁ ଗୋଟିଏ ନିର୍ଜନ ସ୍ଥାନରେ ପଡିବା ପରେ କିଛି ସେମିତି ଅସୁବିଧା ହୋଇନଥିଲା।ଏ ନିଶ୍ଚୟ ସେଇ ପ୍ରଭୁଙ୍କ କରୁଣା।ବହୁତ ଦିନ ଯାଏ ଆମେ ଏ ଦୃଶ୍ୟକୁ ଭୁଲି ପାରି ନ ଥିଲୁ।ମୋ ସ୍ୱାମୀଙ୍କୁ ତ ପ୍ରାୟ ପନ୍ଦର ଦିନ ଧରି ନିଦ ହୋଇ ନ ଥିଲା।ଯେତେବେଳେ ତାଙ୍କର ମନେପଡେ ଭୟରେ ନିଦ ଭାଙ୍ଗିଯାଏ। ସବୁବେଳେ କହିବେ କେତେ ବଡ଼ ବିପଦରୁ ଆମେ ଉଦ୍ଧାର ହେଲେ।ଝିଅର ଯଦି କିଛି ଅସୁବିଧା ହୋଇଥାନ୍ତା ଆମେ କଣ କରିଥାଆନ୍ତେ।

ଝିଅକୁ ସେତେବେଳେ ସାତ ବର୍ଷ ଖଣ୍ଡେ ହୋଇଥାଏ।ଝିଅ ଛାତି ମାଡି ପଡିଯାଇଥିବାରୁ କେତେ ଦିନ ତାର ଦେହ ଟିକେ ଦରଜ ହୋଇଥିଲା।ସବୁବେଳେ ମୁଁ ତାଙ୍କୁ ବୁଝାଏ, ଯାହା ଘଟିବାକୁ ଥିବ ନିଶ୍ଚୟ ଘଟିବ କିନ୍ତୁ ସେଇ ମହାଦେବ ଆମକୁ ସେ ଅଚିହ୍ନା ବ୍ୟକ୍ତିଙ୍କ ରୂପରେ ଆସି ସେ ଠାରୁ ଉଦ୍ଧାର କଲେ ନ ହେଲେ ସେ ଯାଗାରେ ଆମକୁ କିଏ ଚିହ୍ନିଥିଲା ।ଗାଡି ଏତେ ଉପରୁ ପଡି ମଧ୍ୟ କିଛି ସେମିତି ଖରାପ ହୋଇ ନ ଥିଲା।କିନ୍ତୁ ୟାଙ୍କ ଡାହାଣଗୋଡ଼ରେ ଗାଡି ପଡିଯିବା ଯୋଗୁଁ ପୁରା ଜଙ୍ଘ ସାରା ପଚା ପଡି ନାଲି ଦିଶୁଥାଏ।କିନ୍ତୁ ଆଶ୍ଚର୍ଯ୍ୟର ବିଷୟ କୌଣସି ଯାଗା ସାମାନ୍ୟ ରାଞ୍ଚୁଡି ହେବା ବା ରକ୍ତ ବାହାରି ନ ଥାଏ।ସେ ଅଜଣା ବ୍ୟକ୍ତି ନିଜ ପାଖରୁ ଯନ୍ତ୍ରପାତି କାଢି ଗାଡିକୁ ସଜାଡି ଦେଲେ।

   ସବୁ ସେଇ ପ୍ରଭୁଙ୍କ ଇଚ୍ଛା।ଆମେ ତ ନିମିତ୍ତ ମାତ୍ର।ଯାହା ହେଉଛି ସବୁ ତାଙ୍କରୀ ଲୀଳା। ଆମେ ଏତେ ବଡ ବିପଦରୁ ରକ୍ଷା ପାଇଥିବାରୁ ବୋଉ ପୁଣି ଥରେ ସେଇ ମନ୍ଦିରରେ ପୂଜା କରି ପ୍ରଭୁଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲା। 

      ** ସମାପ୍ତ**

  



Rate this content
Log in