Seetaram Dash

Others

3  

Seetaram Dash

Others

ଶେଷ ସନ୍ତକ

ଶେଷ ସନ୍ତକ

4 mins
1.4K


ଭୁବନେଶ୍ୱର ରେଳ ଷ୍ଟେସନ ରୁ ହୀରାଖଣ୍ଡ ଏକ୍ସପ୍ରେସ ପଞ୍ଜାବ ଅଭିମୁଖେ ଚାଲିଥାଏ। ରିନା ସଂଶୟ, ସଙ୍କଟ ଏବଂ ସଙ୍କୋଚ ମନରେ ବସିଥାଏ। ପାଖରେ ଥାନ୍ତି ବୃଦ୍ଧ ଶଶୁର। ଏକ ଅଜଣା ରାଇଜରେ କୁଆଡେ ଯିବେ କଣ ହେବ ଏମିତି ଅନେକ ଚିନ୍ତା ତାଙ୍କ ମନକୁ ଭାରାକ୍ରାନ୍ତ କରିଦେଉଥାଏ।

ରିନା ଥିଲା ଚାରି ଭାଈ ତିନି ଭଉଣୀ ମଧ୍ୟରେ ସବା ସାନ, ଖୁବ ଅଲିଅଳି। ପିଲା ଦିନୁ ବାପା ଆରପରିକୁ ଚାଲିଯାଇଥିଲେ ମଧ୍ୟ୍ୟ ଅଭାବ କଣ ପିଲାଦିନୁ ଜାଣି ନ ଥିଲେ। ସମୟକ୍ରମେ ଭାଇମାନେ ଓ ବିଧବା ମା ରିନାର ବିବାହ ବେଶ ଧୁମଧାମରେ କରିଥିଲେ ଏକ ସରକାରୀ କର୍ମଚାରୀଙ୍କ ସହ। ବିଡମ୍ବନାର ବିଷୟ କିଛିଦିନ ପରେ ରିନା ଜାଣିବାକୁ ପାଇଲା ତାର ସ୍ୱାମୀ ଜଣେ ବେକାର ଯୁବକ। ପ୍ରଥମେ ପ୍ରଥମେ ବହୁତ କଷ୍ଟ ଅନୁଭବ କରୁଥିଲା ଏ ବିଶ୍ୱାସଘଟକତା ପାଇଁ କିନ୍ତୁ ପରେ ସ୍ୱାମୀଙ୍କ ସ୍ନେହ ଓ ଭଲପାଇବା ଆଗରେ ଭୁଲି ଯାଇଥିଲା ସବୁ ଦୁଃଖ,ଦୁର୍ଦ୍ଦଶା ଓ ଦାରିଦ୍ର୍ୟତାକୁ।

ରିନାର ଦୁଃଖ ତା ପଛ ଛାଡୁ ନ ଥାଏ। ଘରେ ସ୍ୱାମୀ ସ୍ତ୍ରୀ ଓ ଶାଶୁ ଶଶୁର ଚାରି ପ୍ରାଣୀ। ବିଭାଘର ର ଅନେକ କରଜ ମୁଣ୍ଡ ଉପରେ, ନୂଆ ନୂଆ ବିବାହ ଅନେକ ଖର୍ଚ୍ଚ। ଶେଷରେ ଉପାୟଶୂନ୍ୟ ହୋଇ ରିନାର ସ୍ୱାମୀ ରମେଶ ଗାଁର କିଛି ଯୁବକ ଙ୍କ ସହିତ ଚାଲିଯାଏ ପଞ୍ଜାବ। ଛାତିରେ ପଥର ଲଦି ରହିଯାଏ ରିନା। ଯାହାକୁ ଦିନେ ବିଶ୍ୱାସଘାତକର ଉପାଧି ଦେଉଥିଲା ସେ ଆଜି ନିଜ ପ୍ରାଣ ଠୁଁ ବି ଅଧିକ ନିଜର। ରମେଶ ବିନା ରିନା ହୋଇଯାଏ ସମ୍ପୁର୍ଣ୍ଣ ଏକୁଟିଆ। ତଥାପି ନିରୁପାୟ। କେବଳ ନିଜ ଭାଗ୍ୟକୁ ନିନ୍ଦା କରିବା ଛଡା କିଛି ବି ନଥାଏ।

ସମୟକ୍ରମେ ରିନା ହୁଏ, ଏକ ପୁତ୍ର ସନ୍ତାନର ମା। ରମେଶ ହୋଇଯାଏ ପଞ୍ଜାବ ରେ ପାଣି ପାଇପି ମିସ୍ତ୍ରି। ସୁଖେ ଦୁଃଖେ ଦିନ କଟୁଥାଏ। ଏକ ସରଳ, ନିଷ୍କପଟ, ସ୍ନେହି ସ୍ୱାମୀ ପାଇ ସବୁ ଅଭାବ ଅସୁବିଧାକୁ ରିନା ଭୁଲି ଯାଇଥାଏ। ପୁଅଟି ବି ଶଶୀକଳା ପରି ବଢୁଥାଏ। ଦିନେ ରିନାର ଜୀବନ ଆକାଶରେ କଳା ମେଘ ଘୋଟି ଆସିଲା, ସତେ ଯେମିତି ସୁଖ ଥିଲା ତା ପାଇଁ ସାତ ସପନ। ସୁଖ ନାମକ ଶୁକପକ୍ଷୀ ଉଡିଯାଇଥିଲା ଦୂର ଦିଗବଳୟର କେଉଁ ଅଜଣା ରାଇଜକୁ। ରମେଶ କର୍ମ କ୍ଷେତ୍ରରେ ଖସିପଡିଥିଲା ବହୁତଳ ପ୍ରସାଦରୁ। ଲିଭିଯାଇଥିଲା ରିନା ସୀମାନ୍ତରୁ ସିନ୍ଦୂର ଆଉ ହାତରୁ ଶଙ୍ଖା। ନିର୍ମମ ଦୁଃଖକୁ ହଜମ କରିପାରୁ ନ ଥିଲା ରିନାର ନାରୀ ଦୃଦୟ। ବାଷ୍ପରୁଦ୍ଧ କଣ୍ଠ, ଲୁହଭରା ଚକ୍ଷୁରେ ସବୁବେଳେ ଚାହିଁ ରହୁଥାଏ ଦୂର ଦିଗବଳୟକୁ। ସାହି ପଡ଼ିଶା ଲୋକେ ଅନେକ ଦିନ ଯାଏ ଶୁଣୁଥିଲେ ରିନାର ମୁଣ୍ଡ ବାଡେଇ କାନ୍ଦିବାର ଶବ୍ଦ।

ପଞ୍ଜାବରେ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଲକ୍ଷ ଟଙ୍କା ଆଦାୟ କରିଥିଲେ ଘର ମାଲିକ ଏବଂ ଠିକାଦାରଙ୍କ ପାଖରୁ କ୍ଷତିପୂରଣ ବାବଦକୁ। ରମେଶ ଘରକୁ ଖବର ବି ଦେଇଥିଲେ ତୁରନ୍ତ ଟଙ୍କା ଆସିନେବା ପାଇଁ। କାହିଁ ଓଡିଶା କାହିଁ ପଞ୍ଜାବ। ଏକ ବିଧବା ନାରୀ ଏବଂ ବୁଢା ଶଶୁରଙ୍କ ପାଇଁ ଏହା ଥିଲା ବହୁତ କଷ୍ଟକର। ପଞ୍ଜାବରୁ ଆଖ ପାଖ ଗାଁର କେହି ଲୋକ ଆସିଲେ ନେହୁରା ହୋଇ କୁହନ୍ତି "ଯିବା ସମୟରେ ଜଣାଇବେ।ଟିକେଟ ଏବଂ ସମସ୍ତ ଖର୍ଚ୍ଚ ଆମେ କରିନେବୁ ଖାଲି ବାଟ ଘାଟ ଟିକେ ଜାଣିନୁ"। କିନ୍ତୁ ସ୍ୱାର୍ଥପର ଦୁନିଆରେ ସମସ୍ତେ ନିରାଶ କରନ୍ତି।

ଏହା ଭିତରେ ଦଶ ବର୍ଷ ବିତିଗଲାଣି। ଏବେ ଟଙ୍କା ପାଇଁ ଯିବାର ଉଦ୍ୟମ ଅଛି ନା ସାହସ। ଏବେ ପୁଅ ଟିକେ ବଡ଼ ହୋଇଗଲାଣି, ଘରେ ସବୁବେଳେ ଅଭାବ ଅନଟନ। ଦିନେ ଖାଇଲେ ଦିନେ ଉପାସ। ରହିବାକୁ ଘର ଖଣ୍ଡେ ନାହିଁ। ଘରେ ଖଣ୍ଡେ ପାଈଁ ସରପଞ୍ଚ ପାଖକୁ ଦୌଡ଼ି ଦୌଡ଼ି ଦଶବର୍ଷ ବିତିଗଲା। ଶେଷରେ ଅଙ୍ଗନବାଡି ପିଅନ ଚାକିରୀ ବି ହାତରୁ ଚାଲିଗଲା ଗାଁ ମୁରବୀଙ୍କ ହୀନ ରାଜନୀତି ପାଈଁ। ରିନା ପାଇଁ ଏବେ ଚାରିଦିଗ ଅନ୍ଧାର।

ଦୁଃଖ, ଯନ୍ତ୍ରଣାମୟ ଜୀବନରେ ଦିନେ ମାନସ ନାମକ ଜଣେ ବ୍ୟକ୍ତି ଦେଖା ହୋଇଥିଲେ ରିନା ସହିତ ବସରେ। ସାମାନ୍ୟ କଥାବାର୍ତ୍ତା ମଧ୍ୟରେ ଜାଣିବାକୁ ପାଇଲେ ମାନସ ବି ପଞ୍ଜାବରେ ରହୁଛନ୍ତି। ରିନାଙ୍କ ଠୁ ସବୁ ଶୁଣିସରିଲା ପରେ ଟଙ୍କା ଆଣିବାର ସମସ୍ତ ସାହାଯ୍ୟ ପାଇଁ ଦେଲେ ପ୍ରତିଶ୍ରୁତି । କିଛି ଦିନ ପରେ ମାନସ ବାବୁ ଦୁଇଟି ଟ୍ରେନ ଟିକେଟ ଦେଇ କହିଲେ "ମୁଁ ପଞ୍ଜାବ ଯାଉଛି, ତୁମେ ମୋ ସହିତ ଚାଲ ଟଙ୍କା ଆଣି ଆସିବ"। ଜଣେ ଅଜଣା ମଣିଷ, ନୂଆ ଜାଗା କଣ ହେବ କଣ ନାଇଁ। କିଛି ବୁଝିପାରୁ ନ ଥାଏ ରିନା। କଣ କରିବ କିଛି ନିଷ୍ପତ୍ତି ନେଇପାରୁ ନ ଥାଏ। ଚିହ୍ନା ଜଣା ଲୋକେ ବାରଣ କରୁଥାନ୍ତି। ଅନେକ ଶଙ୍କା ଆଶଙ୍କା ଭିତରେ ଶଶୁରଙ୍କୁ ସାଙ୍ଗରେ ନେଇ ରିନା ଯାତ୍ରା କଲେ ସୁଦୂର ପଞ୍ଜାବ।

ଦୀର୍ଘ ୩୨ ଘଣ୍ଟା ଯାତ୍ରା କଲାପରେ ସମସ୍ତେ ପହଁଚିଲେ ପଞ୍ଜାବର ଲୁଧିଆନା ସହରରେ। ରିନା ପାଇଁ ସମ୍ପୁର୍ଣ୍ଣ ଅଜଣା ସହର। ମନରେ ଅନେକ ଭୟ। ତା ସହିତ କିଛି ଅଘଟଣ ଘଟିବ ନାହିଁତ? ପ୍ରଥମ ରାତି ଭୟରେ କଟିଲା ରିନାର। ସକାଳୁ ସକାଳୁ ଆଠ ଦଶ ଜଣ ଲୋକ ଆସିଲେ ମାନସ ବାବୁଙ୍କ ଘରକୁ। ରିନାଙ୍କ ପାପ୍ୟ ଟଙ୍କା ବିଷୟରେ ଆଲୋଚନା ହେଲେ। ଏବେ ରିନା ଜାଣିବାକୁ ପାଇଲେ ମାନସ ବାବୁ ହେଉଛନ୍ତି ଶ୍ରମିକ ସଂଘଠନର ମୁଖ୍ୟ। ରିନାର ଆଖିରୁ ଝରିଗଲା ଆନନ୍ଦଅଶ୍ରୁ। ଅନେକ ଦିନର ଦୁଃଖ, ଯନ୍ତ୍ରଣା, କୋହ ଲୁହ ହୋଇ ଝରିଗଲା ଆଖିର ଏରୁଣ୍ଡି ଡେଇଁ।

୨ ଲକ୍ଷ ଟଙ୍କା ଜମା ହୋଇଗଲା ରିନାର ବ୍ୟାଙ୍କ ଖାତାରେ। ସ୍ୱପ୍ନ ପରି ଲାଗୁଥାଏ ରିନାକୁ ଏ ସବୁ। ଦୁଇଦିନ ପରେ ପୁଣି ଫେରିବାକୁ ପ୍ରସ୍ତୁତ ହେଲେ ଶଶୁର ବୋହୂ। ମାନସ ବାବୁ କିଛି ଲୁଗାପଟା କିଣିଦେଲେ ରିନା ପାଇଁ। କାନ୍ଦି କାନ୍ଦି କୃତଜ୍ଞତା ଜଣାଇ ରିନା କହିଲେ "ମାନସ ବାବୁ ଆପଣଙ୍କ ଋଣ ଏ ଜନ୍ମରେ ମୁଁ ସୁଝି ପାରିବିନି"। ମାନସ ବାବୁ କହିଲେ "ଏ ଟଙ୍କାଟା ମୋ ପାଇଁ ଜଗନ୍ନାଥଙ୍କ ନିର୍ମାଲ୍ୟ ପରି, ତୁମେ ତୁମ ଟଙ୍କା ନେଇ ମୋତେ ପାପରୁ ମୁକ୍ତି କରିଦେଲ"। ରିନା ଚିନ୍ତା କରୁଥାଏ ସ୍ୱାର୍ଥପର ଦୁନିଆରେ ଏବେ ବି ଭଲ ଲୋକ ଅଛନ୍ତି। ଶେଷରେ ଶଶୁର ବୋହୂ ଘରକୁ ଫେରିଲେ କିନ୍ତୁ ରିନା ମନରେ ସେତେ ଖୁସି ନ ଥାଏ। ସବୁବେଳେ ମନ ଉଦାସ। ଦିନେ ବୃଦ୍ଧ ଶଶୁର ପଚାରିଲେ "ମା ରିନା, ତୁ ଖୁସି ହେବା ବଦଳରେ ଦୁଃଖ କଣ ପାଇଁ କରୁଛୁ? ରିନା ନୀରବ ରୁହେ। ଶଶୁର ଛାଡିବାର ଲୋକ ନ ଥିଲେ। ଶେଷରେ ରିନା କହିଲା "ଟଙ୍କା ଟା ଥିଲା ତାଙ୍କର ଶେଷ ସନ୍ତକ। ଟଙ୍କାଟା ଯେ ପର୍ଯ୍ୟନ୍ତ ଆସିନଥିଲା ଲାଗୁଥିଲା ସେ ଅଛନ୍ତି। ପ୍ରତି ମୁହୂର୍ତ୍ତରେ ତାଙ୍କୁ ମୁଁ ଅନୁଭବ କରୁ ଥିଲି ମୋର ଭିତରେ। କିନ୍ତୁ ଏବେ ଲାଗୁଛି, ତାଙ୍କର ଶେଷ କର୍ତବ୍ୟ କରି ସବୁଦିନ ପାଇଁ ଆଦୃଶ୍ୟ ହୋଇଗଲେ"।

ସୀତାରାମ,

ସାନମୂଳାଇ, କଟକ

ଯୋଗାଯୋଗ-୮୪୬୯୨୩୭୧୭୨


Rate this content
Log in