Jyotiranjan Sahu

Others

5.0  

Jyotiranjan Sahu

Others

ସାର୍ ଜନ୍ ଙ୍କ ନୂଆ ସାଥୀ ଡିକ୍

ସାର୍ ଜନ୍ ଙ୍କ ନୂଆ ସାଥୀ ଡିକ୍

5 mins
630


॥ ସାର୍ ଜନ୍ ଙ୍କ ନୂଆ ସାଥୀ ଡିକ୍ ॥

' କଣ ଆଜ୍ଞା ! କିଛି ମନେପଡିଲା ! ଏଇ ଟାଇଟେଲଟା କଥାମ । ଟିକିଏ ଜଣାଶୁଣା ଲାଗୁଥିବ ! ଯେତେଥର ଏଇ ଟାଇଟେଲଟା ଆଖିରେ ପଡୁଥିବ ; ସେତେଥର ସ୍ମୃତିର ପ୍ରଚ୍ଛଦପଟ୍ଟରେ କିଛି ଗୋଟିଏ ହଲ୍ଚଲ୍ ହେଉଥିବ ନିଶ୍ଚୟ । ଆବଶ୍ୟ ଏ ହଲ୍ଚଲ୍ଟା ସମସ୍ତଙ୍କ କ୍ଷେତ୍ରରେ ହେଉନଥିବ ।ହେଉଥିବ ସେହିମାନଙ୍କ ସ୍ମୃତିରେ ଯେଉଁମାନେ ନବେ ଦଶକରେ ଓଡିଶା ସରକାରଙ୍କର ସରକାରୀ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢୁଥିଲେ । କଣ ଆଜ୍ଞା ! ମନେପଡିଲା ବିଷୟଟି । ବିଷୟଟି ଥିଲା ' ସାର୍ ଜନ୍ ଙ୍କ ପ୍ରିୟସାଥୀ ଡିକ୍ ' । ହଁ ! ଏବେବି ଡିକ୍ ବଞ୍ଚିଛି ଆମପରି କିଛି ଲୋକଙ୍କର ସ୍ମୃତିରେ । ଯୁଗ ବଦଳିଲା ବହି ବଦଳିଲା ଆଉ ବଦଳିଗଲେ ବିଦ୍ୟାର୍ଥୀ । ହେଲେ ମୋ ସ୍ମୃତିର କଳାପଟାରେ ଆଜିବି ସାର୍ ଜନ୍ ଆଉ ଡିକ୍ ଙ୍କର କଥାଟା ଝାପ୍ସା ଝାପ୍ସା ଦିଶୁଛି । ଦେଖାଯାଉଛି ଅନ୍ଧ ସାର୍ ଜନ୍ ଓ ଡିକ୍ ର ସେ ଚିଠି କାମୁଡା ଚିତ୍ର । ସେଦିନରୁ ଆଜି ପର୍ଯ୍ୟନ୍ତ ଯେବେଯେବେ ମୁଁ କୁକୁର ଧାରୀ ବ୍ୟକ୍ତିକୁଂ ଦେଖେ ମୋ ମନରେ ନାଚିଯାଆନ୍ତି ସାର୍ ଜନ୍ ଆଉ ତାଙ୍କ ପ୍ରିୟସାଥୀ ଡିକ୍ । ହେଲେ ମୋ କାହାଣୀର ଚରିତ୍ର ସାର୍ ଜନ୍ ହେଲେ ପଶ୍ଚିମ ଓଡିଶାର ଏକ ଅନାମଧେୟ ଗାଁ ପଣସପଡାର ବାସିନ୍ଦା । ପୁରା ନାଁ ସାର୍ ଜନ୍ ଡୁଂଡୁଂ । ଗାଁରେ କନ୍ଭଟେଡ୍ ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ସତୁରୀ ପ୍ରତିଶତରୁ ଅଧିକ । ସାଦ୍ରି ଆଉ କୋଶଲୀ ଭାଷାରେ ଅଭ୍ୟସ୍ତ ଜନ୍ ବାବୁ ଚାକିରି କରିଛନ୍ତି ରେଳବାଇରେ । ରାଜଧାନୀରେ ରହି ରହି ଭାଷାଟା ତାଙ୍କର ହୋଇଯାଇଛି ଖାଣ୍ଟି ଓଡିଆ । ସାରକାରୀ କ୍ବାଟରରେ ଏକା ଏକା ବିତେଇଦେଲେଣି ଜୀବନର ପନ୍ଦରଟି ବର୍ଷ । ଦେହକୁ ଛୁଇଁଗଲାଣି ଚାଳିଶଟି ବସନ୍ତ । ଖୁବ୍ ମେଳାପି ସ୍ବଚ୍ଛ ଆଉ ଦରଦୀ ହୃଦୟର ଲୋକଟିଏ ହେଉଛନ୍ତି ଜନ୍ ବାବୁ । ଜନ୍ ବାବୁ କାହାରି ହୃଦୟରେ କଷ୍ଟଦେବା କେହିକେବେ ଜାଣିନାହାନ୍ତି । ସାହାଯ୍ୟ ପାଇଁ ତାଙ୍କର ହୃଦୟ ପରି ଘର ଦ୍ବାରଟା ମଧ୍ୟ ସବୁବେଳେ ମୁକୁଳା । ତାଙ୍କର ଏହି ସ୍ବଭାବ ତାଙ୍କୁ ଲୋକଙ୍କ ମଧ୍ୟରେ ଆଣିଦେଇଛି ଆଦୃତି ।

ଏବର୍ଷ ପ୍ରୋମଶନ ମିଳୁମିଳୁ ଜନ୍ ବାବୁ ଇଚ୍ଛା କରିଛନ୍ତି ଚାରିଚକିଆଟେ କିଣିବେ । ତେବେ ତାପୂର୍ବରୁ ଗାଡିଚଲାଟାତ ଶିଖିବାକୁପଡିବନା । ସେଥିପାଇଁ ଯାଇ ଏଡ୍ମିଶନ୍ ହେଲେ ଗୋଟିଏ ନାମୀ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ । ପାଞ୍ଚ ହଜାର ଟଙ୍କା ଗଣିଦେଲେ ଡ୍ରାଇଭିଂ ଶିଖିବାପାଇଁ । ଡ୍ରାଇଭିଂ ଶିଖିଲା ବେଳେ ସବୁବେଳେ ବାଧକ ସୃଷ୍ଟିକଲା ଜନ୍ ବାବୁଙ୍କର ଅନ୍ତରର ଭୟଟା । ଟ୍ରେନିଂ ମାଷ୍ଟର ସବୁବେଳେ ନର୍ଭସ ନହେବାକୁ କହୁଥାଏ ଜନ୍ ବାବୁକୁଂ । ତେବେ ବାରମ୍ବାର ସେହି ଭୁଲ୍ କରିଚାଲିଥାଆନ୍ତି ଜନ୍ ବାବୁ । ସେଦିନ ଜନ୍ ବାବୁ ଗାଡି ଚଲାଉ ଚଲାଉ କଣ୍ଟ୍ରୋଲ କରିପାରିଲେ ନାହିଁ ଗାଡିଟିକୁ । ସେତିକିବେଳେ ମାଈ କୁକୁରଟିଏ ତାର ଦୁଇଟି ଛୁଆଙ୍କୁ ଧରି ରାସ୍ତା ପାରି ହେଉଥିଲା । ମା ଆଉ ଗୋଟିଏ ଛୁଆ ରାସ୍ତା ପାରିକରିସାରିଥିଲେ । କିନ୍ତୁ ଆଉ ଗୋଟିଏ ଛୁଆ ହଠାତ୍ ଡରିଯାଇ ମଝିରାସ୍ତାରେ ରହିଗଲା । ବୋଧହୁଏ ବିପଦ ଜାଣି ମା କୁକୁରଟି ଦୌଡିଆସିଲା ସେହି ରାସ୍ତା ଉପରକୁ ତା ଛୁଆଟି ପାଖକୁ । କିନ୍ତୁ ନିଷ୍ଠୁର ନିୟତିର କଟୁ ସତ୍ୟଟା ଥିଲା ଦୁର୍ବିସହ । ଉଭୟ ମା ଆଉ ଛୁଆଙ୍କର ନିଷ୍ପ୍ରାଣ ଶରୀର ଯୋଡିଏ ପଡିଥିଲା ଜନ୍ ବାବୁ ଚଲାଉ ଥିବା କାରଟିର ଆଗ ଦୁଇ ଚକତଳେ । ଗୋଟିଏ ଚକତଳେ ମା ଅନ୍ୟ ଚକତଳେ ଛୁଆ । ତୁରନ୍ତ ମାଷ୍ଟର କାର୍ ଟିକୁ ଟିକିଏ ସାଇଡ୍ କରି ରାସ୍ତା ଉପରେ ରଖିଲା । ଦ୍ରୁତ ବେଗରେ କାର୍ ମଧ୍ୟରୁ ଓହ୍ଲାଇ ଦୌଡିଗଲେ ଜନ୍ ବାବୁ ଘଟଣାସ୍ଥଳ ଆଡକୁ । ଉଭୟେ ଦେଖିଲେ ସେହି ବିଭତ୍ସ ଦୃଶ୍ୟ । ଆଉ ଟିକିଏ ପୂର୍ବରୁ ଖେଳୁଥିବା ଦୁଇଟା ଜୀବନ ହଠାତ୍ ବାଟକାଟି ଚାଳିଗଲେ କାର୍ ଚକତଳେ । ଶିହରୀ ଉଠିଲା ଜନ୍ ବାବୁ ଙ୍କର ଶରୀର । ବଞ୍ଚିଥିବା ଛୁଆଟି ତା ମା ଚାରିପାଖେ ଘୂରିବୁଲୁଥାଏ ଆଉ ଶୁଂଘି ଯାଉଥାଏ ତା ମା'ର ନିଷ୍ପ୍ରାଣ ଶରୀରଟିକୁ । ବୋଧହୁଏ ତାର ବାଳୁତ ମନ ବୁଝିନାହିଁ ମୃତ୍ୟୁର ପରିଭାଷା । ଇତଃସ୍ତତ ଦୌଡିଯାଇ ପୁଣି ଚାଲିଆସି ଘୂରିବୁଲୁଥାଏ ତା ମା ଚାରିପାଖେ । କିଛିସମୟ ପାଇଁ ପୁଣି ଦୌଡିଯାଇ ଶୁଂଘି ଯାଉଥାଏ ତା ଭଉଣୀର ରକ୍ତ ମାଂସର ପିଣ୍ଡୁଳା ହୋଇଯାଇଥିବା ଦେହଟାକୁ । ରାସ୍ତା କଡରୁ ହାଡଟିଏ କାମୁଡିଆଣି ଘସିଦେଉଥାଏ ତା ମା'ର ଖୋଲାଥିବା ରକ୍ତଭିଜା ମୁହଁ ପାଖରେ । ଲାଗୁଥାଏ ଯେପରି ତା ମା କାନପାଖରେ ସିଏ କହିବାକୁ ଚେଷ୍ଟାକରୁଛି " ମା'ଲୋ ! ଜଲଦି ଉଠ । ରାସ୍ତାରେ ବହୁତ ଗାଡି । ତୁ ନଉଠିଲେ ମୁଁ ଯିବି କେମିତିଯେ । ଦେଖ ସେପଟେ ଅଳିଆଗଦାରେ ଗତକାଲି ଭୋଜିର ଅଇଁଠା ଭାତ ପଡିଛି । ତୁ ନଗଲେ ମୁଁ କେମିତି ଖାଇବିଯେ! ମୋତେ ଏ କଳାମୁଣ୍ଡିଆ ମଣିଷ ଗୁଡାକୁ ଭାରି ଭୟ ଲାଗୁଛି । ଏ ମା' ଉଠନା । ନାନୀକୁ କହ ସେବି ଜଲ୍ଦି ଉଠିପଡି ରାସ୍ତା ପାରିହେଇଯାଉ " । ବୋଧହୁଏ ସେଦିନ ତା କଥା ମା ତାର ଆଉ ଶୁଣିପାରୁନଥିଲା କି ବୁଝିପାରୁନଥିଲା । ଏସବୁ ଦେଖିଲାପରେ ଅନୁତାପର ସ୍ପଷ୍ଟ ଚିହ୍ନ ବାରିହୋଇପଡୁଥିଲା ଜନ୍ ବାବୁକଂର ମୁଖମଣ୍ଡଳରେ । ତାଙ୍କୁ ନର୍ଭସ୍ ହେବାର ଦେଖି ମାଷ୍ଟର କହିଲା " ସାର୍ ! ଆପଣ କଣ ପାଇଁ ନର୍ଭସ୍ ହେଉଛନ୍ତି ! ଏହାର ପାଞ୍ଚଟା ଛୁଆ ଏଇ ହାଇୱେ ଉପରେ ଟ୍ରକ୍ ଚପାରେ ମରିଛନ୍ତି । ଆଜି ଆମ ଚକତଳେ ଆଉ ଗୋଟିଏର ଯିବାରଥିଲା । ଚାଲିଗଲା ଆଉଉଉ...। ବୁଝିଲେ ସାର୍ ଗାଡି ଚଲାଇବାବେଳେ ଗୋଟିଏ କଥା ମନେରଖିଥିବେ । ଏଇ କୁକୁର ଛେଳି ମେଣ୍ଢା କୁକୁଡା ବତକ ଏଗୁଡା ଏଦୁନିଆଁରେ ବହୁତ ଅଛନ୍ତି । ଏମାନେ ଚକତଳେ ପଡିଗଲେ କିଛି ଯାଏ ଆସେନାହିଁ । ନିଜ ସେଫ୍ଟି ଆଗ ଦେଖି..." । ଡ୍ରାଇଭିଂ ମାଷ୍ଟର କଥା ନସରୁଣୁ ଶକ୍ତ ଚାପୁଡାଟିଏ ବସାଇଦେଲେ ଜନ୍ ବାବୁ ମାଷ୍ଟର ଗାଲରେ । ଆଉ ନମ୍ର ଭାବେ କହିଲେ " ବୁଝିଲେ ଆଜ୍ଞା ! ଏଇଟା ପରେ କୁକୁର ଆଗ ଗୋଟିଏ ମା' । ତୁମେ ଏବେ ଆସିପାର " । କିଛି ସମୟପରେ ମାଷ୍ଟର ରାଗରେ ଗାଡିଧରି ସେଠାରୁ ଚାଲିଗଲା ।

ଏହା ଭିତରେ ବିତିଯାଏ ଚାରିମାସ । ମାଷ୍ଟରର ରାଗଟାବି ଶାନ୍ତ ପଡିଯାଇଥାଏ । ଦିନେ ସକାଳୁ ସକାଳୁ ଜନ୍ ବାବୁଙ୍କ ଘରେ ସିଏ ଆସି ପହଞ୍ଚି ଗଲା । ତାକୁ ଦେଖିଦେଇ ଅନୁତାପ ଭରା କଣ୍ଠରେ ଜନ୍ ବାବୁ କହିଲେ" ସେଦିନର ଘଟଣା ପାଇଁ ମୁଁ ଖୁବ୍ ଅନୁତପ୍ତ । ମୋର ତୁମ ଉପରକୁ ହାତ ଉଠାଇବା ଉଚିତ୍ ନଥିଲା ।ଗଡ୍ ମୋତେ କ୍ଷମାକରିବେନି । ଆପଣ ଯଦିପାରିବେ ମୋତେ କ୍ଷମା କରିଦେବେ " । ଜନ୍ ବାବୁଙ୍କ ମୁହଁରୁ ଏକଥା ଶୁଣି ମାଷ୍ଟର କହିଲା " ସାର୍ ! ମୋତେ ଆପଣ କ୍ଷମା କରିଦେବେ । ମୋର ସେଦିନ ସେପରିସ୍ଥିତିରେ ସେଭଳି କହିବା ଆଦୌ ଉଚିତ୍ ନଥିଲା । ଛାଡନ୍ତୁ ସେକଥା ସାର୍ । ଆପଣ ଡ୍ରଇଭିଂ ଶିଖିଲେଣି ! ପୁରା ଟଙ୍କା ଦେଇ ଆଉ ଶିଖିବାକୁ ଗଲେନି ଯେ ! ଆଉ କେଉଁଠି ଶିଖୁଛନ୍ତି କି " ? "ଆରେ ନା ନା ! ମୁଁ ବୁଝିଗଲି ମୋଦେଇ ଗାଡିଚଲେଇ ହେବନି । ଜାଣିଛ ସେଦିନର ସେ ଘଟଣାର କିଛିଦିନ ପୂର୍ବରୁ ଆମ ଷ୍ଟେସନରେ ମା' ଟିଏ ରେଳଧାରଣା ଉପରେ କଟିଯାଇ ମୃତ ଅବସ୍ଥାରେ ପଡିଥିଲା । ଆତ୍ମହତ୍ଯା ନା ଦୁର୍ଘଟଣା ମୁଁ କହିପାରିବିନି । କିନ୍ତୁ ବିଭତ୍ସ ଦୃଶ୍ୟ । ଆଉ ତାଠାରୁ ଅଧିକ କରୁଣ ଦୃଶ୍ୟଟା ଥିଲା ସେ ମୃତଦେହ ପାଖରେ ଗୁରୁଣ୍ଡୁଥିବା ଗୋଟିଏ ଦେଢ ଦୁଇ ବର୍ଷର ଶିଶୁ । କିଛି ବୁଝୁନଥିଲା ସିଏ । ଠିକ୍ ସେଦିନର ସେ କୁକୁର ଛୁଆଟିର ପରି । ଗୁରୁଣ୍ଡି ଗୁରୁଣ୍ଡି ଚେଷ୍ଟା କରୁଥାଏ ତା ମା ପାଖରୁ କ୍ଷୀର ଟିକିଏ ପିଇବ ବୋଲି । ମା ମା କହି ଖନେଇ ଖନେଇ ଡାକୁଥାଏ । ତା ଗାଲରେ କେତେ ଚୁମ ଖାଇଦେଉଥାଏ । ସେଦିନ ତାର ନିରୀହ ଆଖିର ଅବୁଝା ଯନ୍ତ୍ରଣାଟା ଯେଉଁ ଯନ୍ତ୍ରଣାକୁ ମୁଁ ପୁଣିଥରେ ଅନୁଭବ କଲି ସେ କୁକୁର ଛୁଆଟିର କରୁଣ ଚାହାଁଣିରେ । ସେହି ଚାହାଁଣିରେ ମୁଁ ପଢିପାରିଲି ମୋପାଇଁ ଅନେକ ପ୍ରଶ୍ନ । ଯେଉଁ ପ୍ରଶ୍ନଗୁଡିକର ଉତ୍ତର ଦେବାକୁ ମୁଁ ଥିଲି ଅସମର୍ଥ । ସେଇଥିପାଇଁ ଚିନ୍ତାକଲି ଆଉ ଗାଡିଚଲା ଶିଖିବିନି କି ମୋଦେଇ ସେହି ଗାଡିଚଲା କାମ ହେବନି । ଆରେ ହଁ ! ତୁମକୁ ଅନେକ ଅନେକ ଧନ୍ୟବାଦ । ସେଦିନର ଘଟଣା ପରଠାରୁ ମୋତେ ଗୋଟିଏ ନୂଆ ସାଙ୍ଗ ମିଳିଯାଇଛି । ତାସହ ଦେଖା କରିବନି " ! ଏତିକି କହି ଜନ୍ ବାବୁ ଡାକିଲେ " ଡିକ୍ ! ଡିକ୍ "। ଘର ଭିତରୁ ଦୌଡିଆସିଲା ଡିକ୍ । ତାକୁ ଦେଖି ମାଷ୍ଟର କହିଲା " ସାର୍ ! ଏଇଟା "? ଜନ୍ ବାବୁ କହିଲେ " ହଁ ଏଇଟା ସେହି କୁକୁର ଛୁଆ । ତାକୁ ଘରକୁ ନେଇଆସିଲି ସେଦିନ । ଆଉ ସେହିଦିନୁ ସେ ପାଲଟିଯାଇଛି ମୋର ନୂଆ ସାଙ୍ଗ । ସାର୍ ଜନ୍ ଙ୍କ ନୂଆ ସାଥୀ ' ଡିକ୍ ' ।

॥ ଜ୍ୟୋତିରଞନ ସାହୁ ॥

୮୮୯୫୧୫୬୩୫୫


Rate this content
Log in