ରଜଦୋଳି
ରଜଦୋଳି
ଆଜି ସଜବାଜ। କାଲି ପହିଲି ରଜ। କି ଉତ୍ସାହ,ଉଦ୍ଦିପନା!ଦଶ ଦିନ ହେଲାଣି ବାପା,ସାନବାପାଙ୍କ ପଛରେ ବାରିଆଡ ଆମ୍ବଗଛର ଡାଳରେ ପଟା ଦୋଳି ଲଗେଇବାକୁ କହି କହି ବହୁକଷ୍ଟରେ ସଫଳ ହୋଇଥିଲା ବିନୀ। ଆଜି ସକାଳୁ ସାନବାପା ହାଟରୁ ଆଣିଥିବା ନୂଆ ରଶିରେ ପଟା ଦୋଳି ଲଗେଇ ଦେଇଛନ୍ତି। ବିନୀ ମନ କୁଣ୍ଢେମୋଟ।ସାନ ଭଉଣୀ ସୁନୀ ଓ ପଡିଶା ଘରେ ଥିବା ତା'ର ବଉଳ ସାଙ୍ଗରେ ସାରାଦିନ ଦୋଳିପାଖରେ।ବୋଉ ଗାଜୁରୁ ଗାଜୁରୁ ହୋଉଛି। କିନ୍ତୁ ସେସବୁକୁ ତା'ର ନିଘା ନାହିଁ।
ବାପା ତାଙ୍କ ଦି ଭଉଣୀଙ୍କ ପାଇଁ ଭଲ ଚକମକିଆ ପୋଷାକ ଆଣିଦେଇଛନ୍ତି। ଭାରି ପସନ୍ଦ ହେଇଛି ତା'ର।ଏଥରକ ମନଭରି ରଜ ପର୍ବଟିକୁ ପାଳିବ ସେ।କିଛି ଦିନ ଉତ୍ତାରୁ ତାର ବାହାଘର ହେଇଯିବ। କିଏ ଜାଣିଛି ରଜମଉଜ କରିବାକୁ ଶାଶୁଘର ଲୋକେ ତାକୁ ଆଉ ଘରକୁ ଛାଡିବେକି ନାହିଁ। ଶାଶୁଘର କଥା ଭାବିଦେଲା କ୍ଷଣି ତା'ର ମନଟା ଆଉଟୁ ପାଉଟୁ ହେଇଗଲା। କାହିଁକି କେଜାଣି ମନଟା ଭାରି ହେଇଗଲା।ଘର ଭିତରକୁ ଦୌଡିକି ଚାଲିଗଲା ବିନୀ।
ବୋଉ....ଏ ବୋଉ.....ବୋଉଲୋ ...ବିରି ଚାଉଳ ତକ ଦେ ମୁଁ ବାଟିଦିଏଁ। ସନିଆ ଜେଜେଙ୍କ ଘରୁ ଗୁଆ ଖୋଳପା ଆଣିବାକୁ ଯିବି।ମୋ ପାଇଁ ଓ ସୁନୀ ପାଇଁ ଗୁଆ ଖୋଳପାରେ ପାଦର ମାପନେଇ ଚପଲ ବନେଇବାକୁ ପଡିବ ପରା।
ମୁଁ ବାଟି ସାରିଛି। ଯା ତୁ ଯା ।ମନଭରିକି ଦୋଳି ଖେଳିଦେ। ଆରମାସ ଏଇ ଦିନକୁ ଶାଶୁଘରେ ବୋହୁ ହୋଇ ବସିଥିବୁ। କହୁକହୁ ବୋଉ ଲୁଗାକାନିରେ ଆଖିରୁ ଲୁହ ପୋଛିବାକୁ ଲାଗିଲା। କାହିଁକି କେଜାଣି ବିନୀ ଆଖିରେ ବି ଲୁହ ଭରିଗଲା। ବୋଉକୁ ନ ଦେଖେଇବା ପାଇଁ ବାରିଆଡେ ଚାଲିଗଲା।
ବିନୀ ଦେଖିଲା ବୋଉ ତା'ର କେତେ ଯତନରେ ନଡିଆ ପୁର,ଛେନା ପୁର,ଖସା ପୁର ସବୁ ଅଲଗା ଅଲଗା କରି ରଖିଛି। ମଣ୍ଡାପିଠାରେ ଏସବୁ ପୁର ଦେଇ କରିବ।ପୋଡପିଠା ପାଇଁ ସବୁ ସରଞ୍ଜାମ ସଜାଡିକି ରଖିଛି।ଏକୁଟିଆ ଆଜି ସବୁ କାମ କେତେ ଫୁର୍ତ୍ତିରେ କରିଚାଲିଛି।ଅନ୍ୟ ଦିନ ହେଇଥିଲେ କ'ଣ ଟିକେ କହିଥାନ୍ତା।ହେଲେ ଆଜି କାହିଁକି କିଛି କହୁନି।ତା'ର କିଛି ନକହିବାଟା ହିଁ ବେଶୀ ବାଧୁଛି।
ବୋଉ ପୋଡପିଠା ବସେଇ ସାରିଲାଣି ବୋଧେ।ମହମହ ବାସନାରେ ଫଟେଇଲାଣି ଘର। ବୋଉ ହାତରେ କି ଯାଦୁ ଅଛି କେଜାଣି କି ସୁଆଦିଆ ଜିନିଷ ସବୁ ବନାଏ ସେ।ତରକାରୀ ତ ଯାହା କରେ ହାତ ଚାଟିଚାଟି ଖାଇଥାଏ ସେ। ପହିଲି ରଜ ଭଲ ବାରରେ ପଡିଥିଲେ ବାପା ଖାସିମାଂସ ଆଣନ୍ତି।ବୋଉ ଯେମିତି ଜୀରା,ଧନିଆ,ତେଜପତ୍ର,ପୋସ୍ତ,ଶୁଖିଲା ଲଙ୍କା,ଡାଳଚିନି,ଗୁଜୁରାତି ସବୁକୁ ଶିଳରେ ବାଟି ମାଂସକୁ କଷେ ଆଉ ତରକାରୀ କରେ ତା'ର ବାସ୍ନା ତ ତରକାରୀ ଖାଇବାର ପାଞ୍ଚ ଛ' ଘଣ୍ଟା ପର୍ଯ୍ୟନ୍ତ ବି ହାତରେ ରହିଥାଏ।ବିନୀ ବାରମ୍ବାର ହାତକୁ ଶୁଙ୍ଘୁଥାଏ। ଗତ ଥର ପହିଲି ରଜରେ ସମସ୍ତଙ୍କ ଅଲକ୍ଷ୍ୟରେ ମାଂସ ତରକାରୀ ସରିଯିବା ପରେ ଖାଲି ପ୍ଲେଟ୍ ଚାଟୁଥିବା ସମୟରେ ବୋଉ ହାତରେ ଧରା ପଡିଥିଲା ସେ।ବୋଉ ବହୁତ ଗାଳି ଦେଇଥିଲା।ଗାଳି ସିନା ଦେଲା ହେଲେ ନିଜେ ଖାଇବା ସମୟରେ ତାକୁ ପାଖକୁ ଡାକି ନିଜ ଭାଗ ମାଂସରୁ ଦିଖଣ୍ଡ ଖୁଆଇ ଦେଇଥିଲା।ବୋଉ ସିନା ମନ ଜାଣେ ଶାଶୁଘରେ କିଏ ଆଉ ଏପରି ମନ ବୁଝିବ।ଏଇମିତି କେତେ କଥା ଭାବି ଭାବି କେତେବେଳେ ଆଖି ଲାଗିଯାଇଛି ସେ ଯାଣିନି।
ସକାଳୁ ସକାଳୁ ବୋଉ ଉଠେଇ ଦେଇଛି।ସଜବାଜ ହୋଇ ପିଠାପଣା ଖାଇ ଗାଁ ବୁଲି ଯିବାକୁ ହେବ। ଗାଁ ବୁଲା ,ବନ୍ଧୁ ବାନ୍ଧବଙ୍କ ଘରେ ପିଠାପଣା ଖିଆ,ରଜପାନ ଖିଲ ଜାକିକି ଓଠ ରଙ୍ଗ କରିବା ବିନୀକୁ ଭାରି ଭଲଲାଗେ। ଆଉ ଏସବୁ ଭାଗ୍ୟରେ ଜୁଟିବନି। ପଞ୍ଜୁରୀରେ ପକ୍ଷୀଟିକୁ ବନ୍ଦୀ କଲା ପରି ତାକୁ ମଧ୍ୟ ଚାରିକାନ୍ଥ ଭିତରେ ବନ୍ଦୀ ହୋଇ ରହିବାକୁ ପଡିବ ବାହାଘର ପରେ। ଭାବୁ ଭାବୁ ପୁଣି ଭାବପ୍ରବଣ ହୋଇ ଉଠିଲା ବିନୀ।
ବୋଉ ଥାଳି ସଜେଇ ତିନି ପ୍ରକାର ମଣ୍ଡା,ଛେନା ପୁର ମଝିରେ ଦେଇ ପୋଡପିଠା,ଚକୁଳି,ଛୁଞ୍ଚିପତ୍ର ପିଠା ,ଅଟକାଳି ସବୁ ରଖିଦେଇ ଗଲାଣି। ଶୀଘ୍ର ଖାଇଦେଇ ଦୋଳି ଖେଳିବାକୁ ଯିବାକୁ ପଡିବ। ତିନିଦିନ ଯାକର ମଜା ସହିତ ଏକଥା ବି ମନେ ରଖିବାକୁ ହୁଏ ଯେ ରଜସ୍ବଳା ଧରଣୀ ମା ଉପରେ ଜୋରରେ ଚାଲିବା ମନା,ଭୂମିକର୍ଷଣ କୁ ମଧ୍ୟ ବାରଣ କରା ଯାଇଥାଏ। ସେଥିପାଇଁ କଦଳୀ ପଟୁକା ନଚେତ୍ ଗୁଆ ଖୋଳପାରେ ଚପଲ କରି ପିନ୍ଧିବାକୁ ପଡେ। ମନଭରି ଦୋଳି ଖେଳିବ ସିଏ।ପାହି ମାରିକି ସବୁଠାରୁ ବେଶୀ ଉପରକୁ ସେ ଦୋଳିକୁ ଉଠାଇ ପାରେ।ତା ସାଙ୍ଗରେ ଯଦି ଦୋଳିରେ ଆଉ କିଏ ଥାଏ ସେ ଡରିକି ହାଉଳିଖାଏ ବିନୀ ଦୁଷ୍ଟାମୀର ହସ ହସି ଦୋଳିକୁ ରୋକେ।ରଜ ସଂକ୍ରାନ୍ତି ରେ ଅରୁଆ ଭାତ,ଡାଲମା,ଶାଗଭଜା,ଖଟା ଏସବୁ ବୋଉ ଭାରି ଯତ୍ନରେ କରେ। ତାପର ଦିନ ଭୂଇଁ ଦହନ।ତାପରେ ବସୁମତୀ ଗାଧୁଆ।ସକାଳୁ ବୋଉ ଶିଳପୁଆକୁ ଧୋଇ ଦୁବ ,ବରକୋଳି ପତ୍ର ଦେଇ ପୂଜା କରେ।
ବିନୀର ବାହାଘରକୁ ଦଶ ବର୍ଷ ହେଇଗଲାଣି। ତାର ଶାଶୁଘର ଲୋକମାନେ ଏବେ ଆଉ ଗାଁ ରେ ରହୁ ନାହାଁନ୍ତି।ଭୂବନେଶ୍ୱର କୁ ଚାଲି ଆସିଛନ୍ତି ସମସ୍ତେ। ବିନୀ ଇତି ମଧ୍ୟରେ ଦୁଇଟି ସନ୍ତାନର ଜନନୀ ହୋଇ ସାରିଲାଣି।ପ୍ରତି ବର୍ଷ ରଜରେ ବିନୀର ଗାଁ କଥା ବହୁତ ମନେ ପଡେ।କେଉଁଠୁ କେଜାଣି ଭାସିଆସେ ସେଇ ରଜ ଗୀତ....ବନସ୍ତେ ଡାକିଲା ଗଜ,ବରଷକେ ଥରେ ଆସିଛି ରଜ,ଆସିଛି ରଜ ଗୋ ଘେନି ନୂଆ ସଜବାଜ। କିନ୍ତୁ ନାହିଁ ସେଇ ରଜ ଦୋଳି,ଦୋଳିରେ ପାହି ମାରିକି ଉପରକୁ ଉଠିବା,ନାହିଁ ସେଇ ବୋଉ ହାତର ସୁଆଦିଆ ପୋଡପିଠା ଓ ପୁଅ ମାନଙ୍କ ବାଗୁଡି ଖେଳ।
ଆଜି ବିନୀ ଭାରି ଖୁସି।ଆଜି ପହିଲି ରଜ।ହଠାତ ଦୂରଦର୍ଶନରେ ରଜ କାର୍ଯ୍ୟକ୍ରମ ଦେଖୁ ଦେଖୁ ତାକୁ ଖବର ମିଳିଲା ଯେ ସହରର ଦୁଇ ତିନି ଜାଗାରେ ରଜପାଳନ ହେଉଛି।ହଜିଯାଇଥିବା ପରମ୍ପରାକୁ ମନେପକାଇବା ପାଇଁ ସରକାରୀ କର୍ତ୍ତୃପକ୍ଷ ଖୁବ୍ ଯତ୍ନବାନ ହେବା ସଙ୍ଗେ ସଙ୍ଗେ ରଜପାଳନର ପ୍ରତ୍ୟେକ ଦିଗ ପ୍ରତି ଯତ୍ନବାନ ହୋଇଛନ୍ତି।ଅନେକ ଦୋଳି ଲଗା ହେଇଛି,ବିଭିନ୍ନ ପ୍ରକାର ପିଠାର ଷ୍ଟଲ ଲାଗିଛି ଓ ରଜ ପାଳନର ସମସ୍ତ ବନ୍ଦୋବସ୍ତ ହୋଇଛି। ବିନୀ ମନ ଖୁସିରେ ଉଛୁଳି ଉଠିଲା।ଗାଁ ର ପୁରୁଣା ପରମ୍ପରା ଓ ସଂସ୍କୃତି ଯେ ପୁଣି ଫେରିଆସିବ ଏ ଭାବନା ତା'ର ଦୃଢ ହେବାକୁ ଲାଗିଲା।