ପରୋପକାର
ପରୋପକାର
ପ୍ରାକୃତିକ ଶୋଭାର ଅକଳନ ଭଣ୍ଡାରରେ ପରିପୂର୍ଣ୍ଣ ଜଙ୍ଗଲ ଟିଏ l ତାର ଶୋଭା ବର୍ଦ୍ଧନ କରୁଥିଲା ଗିରିମୁଖ ପର୍ବତ l ଦେହରେ ତାର କଳ କଳ ନାଦ କରି ବହିଯାଉଥାଏ ସୁମୁଖୀ ଝରଣା l ପାଦ ଦେଶ ରେ ସୁଦୀର୍ଘ ଚରା ଭୂମି, ତାକୁଘେରି ରହିଛି ଉଚ୍ଚ ଉଚ୍ଚ ବୃକ୍ଷ ରାଜି l ସମ୍ପୂର୍ଣ୍ଣ ଜଙ୍ଗଲ ର ପଶୁପକ୍ଷୀ ନିଜର ତୃଷ୍ଣା ନିବାରଣ ନିମନ୍ତେ ନିର୍ଭର କରନ୍ତି ତା ଉପରେ l
ପକ୍ଷୀ ମାନଙ୍କ କାକଳୀ ରେ ମୁଖରିତ ପ୍ରଭାତ l ଚରାଭୂମି ରେ ନିଜର କ୍ଷୁଧା ନିବାରଣ କରୁଥିଲା ହରିଣ ଟିଏ l ଛନ ଛନିଆ ଘାସକୁ ଦେଖି ଖାଇବାରେ ମଜ୍ଜି ଯାଇଥିଲା ସେ l କୁଆଡ଼କୁ ତାର ଲକ୍ଷ୍ୟ ନାହିଁ l ବିରାଟ ଗଛ ମୂଳ ରେ ବୁଦା ଉହାଡ଼ରେ ଏକ ବ୍ୟାଧ ଲୁଚି ରହି ଲକ୍ଷ୍ୟ ସାଧୁ ଥିଲା ହରିଣ ଟିକୁ l ବୃକ୍ଷ ଟି ଥିଲା ଜାତି ଜାତି ପକ୍ଷୀଙ୍କ ବାସସ୍ଥଳୀ l ଏଇ ଘଟଣା ଟି ଆଖିରେ ପଡିଲା ଏକ କାଠହଣା ଚଢ଼େଇ ର l
ନିଜ କଥା ନ ଭାବି ଝାମ୍ପ ମାରିଲା ଶିକାରୀର ହାତ ଉପରକୁ ଏବଂ ତାକୁ ଖୁମ୍ପି ଖୁମ୍ପି କ୍ଷତାକ୍ତ କରିଦେଲା l ସେ ମଧ୍ୟ ଖଣ୍ଡିଆ ଖାବେରା ହେଲା l ଧନୁତୀର ଛାଡି ଚିତ୍କାର କରି କଷ୍ଟରେ ଦୌଡ଼ି ବାକୁ ଲାଗିଲା l ଶବ୍ଦ ଶୁଣି ମୁଣ୍ଡ ଟେକି ଚାହିଁଲା ହରିଣ ଟି l ଧନୁତୀର, ରକ୍ତ ଛିଟା ଦେଖି ଘଟଣା ଟି ପୁରା ନ ବୁଝିଲେ ମଧ୍ୟ ତା ପ୍ରାଣ ପ୍ରତି ବିପଦ ଥିଲା ଭାବି ଧାଇଁ ବାକୁ ଲାଗିଲା l ସେତେବେଳେ ସେ ଭାବୁଥାଏ ଯାହା ଲାଗି ଆଜି ସେ ନବ ଜୀବନ ପାଇଲା ତାକୁ ସତ ଧନ୍ୟବାଦ l
କିଛି ଦିନ ପରେ........ ଏବେ ସେ ଚାରିଆଡକୁ ନଜର ରଖି ଚଳପ୍ରଚଳ କରୁଥାଏ l ଓଃ... ଓଃ କି କଷ୍ଟ , କାନରେ ପଡିଲା ହରିଣ ର l ଚାରିଆଡେ କୁ ଚାହିଁଲା ଦେଖିଲା ତଳେ ଏକ କୁନି କାଠ ହଣା ଚଢେଇ ଟି କଣ୍ଟା ଆଘାତରେ ଛଟପଟ ହେଉଛି l ତାକୁ ଅଣଦେଖା କରି ପାଦ ଆଗକୁ ବଢ଼ାଇଲା ବେଳେ ବିବେକ ବାଧା ଦେଲା ତାକୁ l ଅଜ୍ଞାତାରେ ସେଦିନ କାହା ଉପକାର ଯୋଗୁଁ ବିପଦ ଟଳି ଯାଇଥିଲା ତା ଉପରୁ l ତେଣୁ ସଙ୍ଗେ ସଙ୍ଗେ ପକ୍ଷୀ ଟିକୁ ପାଖକୁ ଆଣି ତାର କଣ୍ଟା ସବୁ ବାହାର କରିଦେଲା l ସେଥିରେ କିଛି ଜଡିବୁଟି ଲଗାଇ ତାକୁ କିଛି ଖାଇ ବାକୁ ଦେଲା l ଝରଣାର ପାଣି ଆଣି ପିଇବାକୁ ଦେଲା l ଧୀରେ ଧୀରେ ପକ୍ଷୀଟି ସୁସ୍ଥ ହୋଇ ହରିଣକୁ କୃତଜ୍ଞତା ଜଣାଇ ଉଡିବାକୁ ଲାଗିଲା ନିଜ ସଦନ ଆଡେ l ତାର ଉଡିବା ବାଟକୁ ଚାହିଁ ହରିଣ ଟି ଅନୁଭବ କରୁଥିଲା ଅବର୍ଣ୍ଣନୀୟ ପୁଲକ l ସେଇ ଛୁଆଟି ଥିଲା ଉପକାରୀ କାଠ ହଣା ଚଢେଇଟିର l
ନିଜ ଛୁଆକୁ ନ ପାଇ ବ୍ୟଗ୍ର ହୋଉଥିଲା ମା କାଠ ହଣା l ବସାକୁ ଫେରି ଛୁଆକୁ ସକୁଶଳ ଦେଖି ଆନନ୍ଦିତ ହେଲା l ତା ଠାରୁ ସବୁକଥା ଶୁଣିଲା ଏବଂ ହୃଦୟରୁ ହରିଣ କୁ ଧନ୍ୟବାଦ ଜ୍ଞାପନ କରି ଚିନ୍ତନ କଲା....ପରୋପକାର, ସ୍ନେହ, ଶ୍ରଦ୍ଧା, ଉପକାରିତା ହେଉଛି ଜୀବର ଅଳଙ୍କାର l ଯାର ବିତରଣ ରେ ଏହା ପରିସ୍ପୁଟିତ ହୋଇଥାଏ l ତାର ମହକରେ କୋଟି ଜନ ମନ ମୋହିଥାଏ l
