Seetaram Dash

Others

2.5  

Seetaram Dash

Others

ପଖାଳ

ପଖାଳ

3 mins
643


ସେ ବୃଦ୍ଧ, ଆଗଭଳି ଆଉ କାମ କରି ପାରୁ ନାହାଁନ୍ତି। ଶରୀରରେ ଆଉ ଆଗଭଳି ଶକ୍ତି ନାହିଁ କିନ୍ତୁ ଅନେକ ଅନୁଭୂତି ଓ ଅନୁଭବର ଅଧିକାରୀ ସେ। ଘର ପାଇଁ ସବୁ କରିଛନ୍ତି। ପେଟକୁ ମାରି ଘର ଦୁଇ ବଖରା କରିବା ସହିତ ପୁଅକୁ ବଢ଼େଇ କୁଢେଇ ଶିକ୍ଷିତ କରିଛନ୍ତି। ହେଲେ ଆଜି ଘରେ ତାଙ୍କର ଅଧିକାର ଅଛି ନା ଆଦର ଅଛି ନା ଅଛି ଆବଶ୍ୟକତା। ପିନ୍ଧିଥିବା ପଞ୍ଜାବୀ ବସିବା ଜାଗାରୁ ଚିହ୍ନ ହୋଇ ଗଲାଣି। ବ୍ୟବହାର କରୁଥିବା ଶଯ୍ୟା, ପୋଷାକ ପତ୍ର ଅନେକ ଦିନ ହେବ ସଫା ନ ହୋଇ ଏକ ପ୍ରକାର ଗନ୍ଧ ବାହାରିଲାଣି। କିଛି ଦିନ ହେବ କଫ କାଶ ଲାଗି ରହୁଛି। ଟିକେ ଥଣ୍ଡା ହେଲେ ଆଖି ନେନ୍ଦେରାରେ ବନ୍ଦ ହୋଇ ଯାଉଛି। ଏଥି ପ୍ରତି ପୁଅ ବୋହୂଙ୍କର ଚିନ୍ତା ନାହିଁ।କୌଣସି କଥାରେ ମୁଣ୍ଡ ନ ପୁରେଇ ବାକୁ ପୁଅ ବୋହୂ ସବୁବେଳେ ତାଗିଦ କରୁଛନ୍ତି। ବାରିପଟ ଛୋଟ ଘରେ ତାଙ୍କର ସମୟ ସବୁବେଳେ କଟୁଛି।

ଦିନ ୨ଟା ବେଳକୁ ବୋହୁ ପଖାଳ କଂସେ ଭଜା ଭାଜି ଆଣି ଦେଲା ଖାଇବା ପାଇଁ। ବୃଦ୍ଧ କହିଲେ "ମା କଣ ରୋଷେଇ କରିନୁ କି? ବୋହୁ କହିଲେ, "ଆଜି ପରା ପଖାଳ ଦିବସ, ଘରେ ସମସ୍ତେ ପଖାଳ ଖାଇବେ। ଜଣକ ପାଇଁ କଣ ରୋଷେଇ କରିବି, ଦିନଟାଏ ତ ଖାଇ ଦିଅ"। ଏତକ ଶୁଣି ତାଙ୍କର ପେଟ ପୁରି ଗଲା ଆଉ ଖାଇବେ କଣ। ମନେ ପକାଉ ଥିଲେ ଅତୀତକୁ...

ପିଲାଦିନେ ପଖାଳ ଥିଲା ତାଙ୍କର ଅତି ପ୍ରିୟ। ବୋଉ ଜହ୍ନି ହେଉ, ଭେଣ୍ଡି ହେଉ କି ବାଇଗଣ ଟିଏ ପୋଡି ଦେଲେ, ଦୁଇ କଂସା ପଖାଳ ଖାଇ ଦେଉଥିଲେ ସେ ଦୁଇ ବେଳା। ଦେହ ମୁଣ୍ଡ ହେଲେ ବୋଉ କଥାକୁ କାଟି ଦେଇ ଜିଦ କରୁଥିଲେ ପଖାଳ ଖାଇବାକୁ। ବୋଉ କେତେ ନେହୁରା ହୋଇ ବୁଝାଉ ଥିଲା, ଧନଟା ପରା, ଦେହଟା ଟିକେ ଭଲ ହୋଇ ଯାଉ କିନ୍ତୁ ପଖାଳ ଗଣ୍ଡେ ନ ଖାଇଲେ ଶାନ୍ତି ମିଳୁ ନ ଥିଲା ତାଙ୍କୁ ସେ ସମୟରେ। ବର୍ଷା ଦିନେ ବୋଉ ଛତୁ, ପୋଇ ପତ୍ର ଆଉ ବେସର ବଟାକୁ ପତ୍ରପୋଡ଼ା କରିଦେଲେ ଦୁଇ ତିନି କଂସା ପଖାଳ ଖାଇ ଦେଉ ଥିଲେ ଯୁବକ ଅବସ୍ଥାରେ। ହେଲେ ସେ କାଳ ପଖାଳ ନାହିଁ, ସେ ଦିନ ସବୁ ନାହିଁ ଆଉ ବୋଉ ପରି ଖୁଆଇବାର ଆନ୍ତରିକତା ପୁଅ ବୋହୂଙ୍କର ନାହିଁ। ପଖାଳ ଗଣ୍ଡେ ଖାଇଲେ ଦେହ ହାତ ଚଳୁନି। ଆଜି ବୃଦ୍ଧଙ୍କୁ ବୋଉର ମୁହଁଟା ଦେଖାଯାଉଥିଲା ଚାରିଆଡେ। ଫେରି ଆସନ୍ତା ନି ସେ ଦିନ ସବୁ?

ଦୁଇ ଗୁଣ୍ଡା ଖାଇ ଉଠିଲେ ବୃଦ୍ଧ। ତାଙ୍କ ଅଲକ୍ଷ୍ୟରେ ଫଟ ଟିଏ ଉଠାଇ ଥିଲେ ବୋହୁ, ଫେସବୁକରେ ପୋଷ୍ଟ ପାଇଁ। ଫଟଟି ପୋଷ୍ଟ କରିବା ସହିତ ଲେଖିଥିଲେ, "ପଖାଳ ଆଗରେ ହାର ମାନିଛି ବୟସ। ଶଶୁରଙ୍କ ସହ ପଖାଳ ଦିବସର ଏକ ସୁନ୍ଦର ମୁହୁର୍ତ୍ତ"।

ସନ୍ଦ୍ୟା ସୁଦ୍ଧା ତାଙ୍କ ପୋଷ୍ଟରେ ନ ଶହ ନବେ ଲାଇକି ଆସିଥିଲା ଆଉ ତା ସହିତ ଅନେକ ମତାମତ। ବହୁତ ଖୁସିରେ ମତାମତ ଫେରେଉ ଥିଲେ ବୋହୁ ମା। ଆଉ ବାରିଆଡ଼େ ବୃଦ୍ଧଙ୍କ କାଶର ଲହରୀ ଶୁଭୁଥିଲା ବହୁ ଜୋରରେ।

*****

ହରି କକା ସକାଳଟାରୁ ଅଣଉଡିଆ ଧାନ ସବୁ ନେଇ ବିଲ ମଝିରେ ଉଡ଼ଉଛନ୍ତି ହାତରେ କୁଲା ଖଣ୍ଡେ ଧରି।ଦିନ ଏଗାରଟା ହେଲାଣି, ସାନ ଝିଅ ଚିକି ଆସି ଡାକିଲା "ବାପା ଆସ ଖାଇ ଦେଇ ଆସିବ"। ହରି କକା କହିଲେ ମା "ଏ ଗଣ୍ଡାକ ଛାଡିକି ଯିବି, ପବନକୁ କି ଭରସା।ତୁ ଯା କଣ ଟିକେ ନେଇ ଆ, ମୁଁ ଏଇଠି ଖାଇଦେବି"। ଝିଅ ଖାଇବା ଆଣିକି ଆସିଲା। ପଖାଳ ଭାତ, ତାମ୍ପେଡା ଶୁଖୁଆ ଭଜା, ବାଇଗଣ ଟମାଟୋ ପୋଡା, ବଡି ଚୁରା ଆଉ ଟିକେ ଆଚାର ତା ସାଙ୍ଗକୁ ଲଙ୍କା ଲୁଣ ପିଆଜ। ହରି କକା ବିରକ୍ତ ହେଲେ, "କହିଲେ ଏତେ ସବୁ କାଇଁ ଆଣିଛୁ"। ଚିକି ଆଗ୍ରହରେ କହିଲା "ବାପା ଆଜି ପରା ପଖାଳ ଦିବସ, ଜାଣିନ କି???

ବାପା ଟିକେ ହସି ଦେଇ କହିଲେ "ମା ବର୍ଷକ ବାର ମାସ ପଖାଳ ଖାଉଥିବା ଲୋକମାନଙ୍କ ପାଇଁ ପୁଣି ପଖାଳ ଦିବସ କଣ??

******

ନଟିଆ ନବମରେ ତିନିଥର ଫେଲ ହେବା ପରେ କାମ କରିବାକୁ କେରଳ ଚାଲିଗଲା। ବାର ଘଣ୍ଟା ପରିଶ୍ରମ ଏବଂ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ସବୁବେଳେ ତାର ଦେହ ଖରାପ। ଏବେ କିଛିଦିନ ହେବ ହଳଦିଆ କାହାଳ(ହେପାଟାଇଟ ବି) ହୋଇଛି। ତେଣୁ ବାଧ୍ୟ ହୋଇ ଘରକୁ ବାହାରିଲା ଆସିବ ପାଇଁ। ଗାଁ କୁ ଆସିବା ଖବର ଶୁଣି ଠିକାଦାର ଦରମା ତ ଦେଲାନି ଓଲଟା ମାଡ଼ ଗାଳି ଦେଇ ବିଦା କଲା। ଯାହା ହେଉ ଦୁଃଖେ କଷ୍ଟେ ଗାଁ କୁ ଆସିଲା ନଟିଆ।

ଏ ରୋଗକୁ ସମସ୍ତେ କହିଲେ ଥଣ୍ଡା ଚିକିତ୍ସା ଦରକାର।ସକାଳୁ ସକାଳୁ ବୋଉ ବେଳାଏ ପଖାଳ ବାଢ଼ିଦେଇ ଡାକିଲେ ନଟିଆ କୁ ଖାଇବାକୁ। ନଟିଆ ପଖାଳ ଦେଖି କହିଲା "ପାନି କା ଭାତ ନେହିଁ ଖାଉଙ୍ଗା" ବୋଉ କହିଲେ "ରାଇଜଳା ଏଇ ପେଜ ରୋରାଣୀରେ ଏଡିକିରୁ ଏଡ଼େ ହେଉଛୁ, ପାଞ୍ଚ ମାସ କୁଆଡେ ଗଲୁ ଯେ ପାଞ୍ଚ ଟଙ୍କା ଘରକୁ ଆଣିନୁ, କହିଲା କଣ ନା ପାଣି ଭାତ ଖାଇବି ନି"।


Rate this content
Log in