Smruti Sephali Meher

Others

3.8  

Smruti Sephali Meher

Others

ଫଗୁଣ ଫେରା ସ୍ମୃତି

ଫଗୁଣ ଫେରା ସ୍ମୃତି

4 mins
786


ଫଗୁଣ ଫେରା ସ୍ମୃତି

~~~~~~~~~

କିନ୍ଚିତ୍ ଅନିଚ୍ଛା ସତ୍ତ୍ବେ ମଧ୍ୟ ବେଳେ ବେଳେ ଫେରିବାକୁ ହୁଏ ଲିଭି ଲିଭି ଯାଉଥିବା ଜୀବନର ପୃଷ୍ଠା କୁ । ସେହି ପୃଷ୍ଠା କେତେବେଳେ ନିଜ ହାତ ସ୍ପର୍ଶରେ ହାେଇଯାଇପାରେ ଜୀବନ୍ତ ମୂର୍ତ୍ତୀ ସଦୃଶ । ଅସରାଏ ବର୍ଷା ଛିଟାରେ ବଦଳିପାରେ ସ୍ମୃତିର ବରାଂଗନା ରୂପ । ହୁଏ କେବେ ପଲାସି ଜ୍ୟାେସ୍ନା ତ କେବେ ପୁଣି ବଉଳି ଗୀତ ।

ଜ୍ୟାେସ୍ନା ! କୁଆଁରୀ ରାତିର ସୁପ୍ତ ନିରବତା । ପ୍ରତ୍ୟୁଷ ସବିତା ର ପ୍ରଣୟୀ କିରଣ । ଭସା ଭସା ବାଦଲ ଭିତରେ ଝଲସି ଉଠୁଥିବା ତାରା । ଏ ସବୁ ର ସଂଗମରେ ହୁଏ ଜ୍ୟାେସ୍ନା ର ଆବିର୍ଭାବ । ଶଶାଂକ ର ପ୍ରେୟସୀ ସିଏ । କେଉଁ ଏକ ମୂହୁର୍ତ୍ତ ରେ ଦୁହେଁ ମନ ଦିଆ ନିଆ ହେଇଥିଲେ । ଆଖିରେ ଆଖି ମିଶିଥିଲା । ଦୁହେଁ ହେଲେ ନିକଟରୁ ନିକଟ ତର ।

ପ୍ରତି ବର୍ଷ ଜ୍ୟାେସ୍ନାର ଜନ୍ମଦିନରେ ଶଶାଂକ ମନ୍ଦିର ଯାଇ ଜ୍ୟାେସ୍ନାର ଉତ୍ତରତ୍ତାେର ଉନ୍ନତି ପାଇଁ କାମନା କରି ଆସେ । ଆଜି ମଧ୍ୟ ସେଇ ଦିନ ଫଗୁଣ ପୂର୍ଣ୍ଣିମା । ଚାରିଆଡେ ହାେଲି ପାଇଁ ସାଜସଜ୍ଜା । ଚତୁଃଦିଗ ରଂଗୀନ ଆଭାରେ ଝଲସି ଉଠୁଛି । ସବୁ ବର୍ଷଠୁ ଏହି ବର୍ଷ ହାେଲି ଟା ଶଶାଂକ ପାଇଁ ନୂଆଁ ଲାଗୁଥାଏ ;କାରଣ ବହୁବର୍ଷ ବାହାରେ ରହିଲା ପରେ ସେ ଫେରିଛି ନିଜ ଜନ୍ମ ମାଟିକୁ , ନିଜ ପ୍ରେମିକା ପାଖକୁ । ବହୁତ୍ ଖୁସି ଥାଏ ସିଏ ଛାେଟ ବେଳର ସେଇ କୁନି ଜ୍ୟାେସ୍ନାକୁ ଦେଖିବ । ତାକୁ ଜନ୍ମ ଦିନର ଅଭିନନ୍ଦନ ଜଣାଇ କିଛି ସ୍ମୃତି କୁ ସେ ଏକାଠି ତାେଳିଦେବ । ଶଶାଂକ ଜ୍ୟାେସ୍ନା କୁ ନେଇ ମନେ ମନେ ଅନେକ କଥା ଭାବୁଥାଏ । ଦିବା ସ୍ବପ୍ନ ଗୁଡିକ ଯେପରି ଋତୁଚକ୍ର ପରି ବଦଳି ବଦଳି ଯାଉଛନ୍ତି ତା' ମନରେ । ଜ୍ୟାେସ୍ନାର ଘର ଆଡକୁ ସେ ଯେତିକି ନିକଟତର ହାେଇ ଆସୁଛି ତା'ର ହୃଦୟ ସ୍ପନ୍ଦନ ଶ୍ରାବଣର ବର୍ଷା ପରି ବଢି ବଢି ଯାଉଛି । ଏମିତି ଭୟ ଓ ଆନନ୍ଦର ଭାବନାରେ ଛିଡା ହେଲା ଆସି ଜ୍ୟାେସ୍ନା ର ଘର ସାମ୍ନାରେ ।

ଉର୍ମି ଭଳି ସାଗର ପାରି କରି ଆସୁଥିବା ଜ୍ୟାେସ୍ନା ଧକ୍କା ହେଲା ଶଶାଂକ ସହିତ । କିଛି କ୍ଷଣ ପାଇଁ ନିଶବ୍ଦ ପୃଥିବୀ । ସାତସୁର ର ପୂରବୀ ଛାନ୍ଦ ମୃଦୁ ମୃଦୁ ଭାସୁଥିଲା ଦୁଇଟି ହୃଦୟର ସଗଂମରେ । ସେଇ ଚୁଲବୁଲି ମନ ,ମୃଗାକ୍ଷୀ ନୟନା ,କୁନ୍ଚିତ କେଶୀ ; କିଛି ମଧ୍ୟ ବଦଳିନି । ଶଶାଂକ ତା'ର ଅମାନିଆ ଆଖିକୁ ରାେକି ପାରିଲାନି । ବାରମ୍ବାର ମିଶୁଥିଲା ଆଖିରେ ଆଖି । କିଛି ମୂହୁର୍ତ୍ତରେ ଆସି ଛିଡା ହେଲେ ଜ୍ୟାେସ୍ନା ର ମାଆ ; ଶଶାଂକ ! ତୁ କେତେବେଳେ ? ବିଚ୍ଛେଦ ହେଲା ଚାରାେଟି ଆଖି । ଶଶାଂକ ମାଉସିଂକ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଲା । ମାଉସୀଂକ କଥାର ଉତ୍ତର ଅଧାରେ ରଖି ପୁଣି ଆଖି ଚାଲିଯାଉଥାଏ ଜ୍ୟାେସ୍ନା ଆଡକୁ । ଜ୍ୟାେସ୍ନା ର ମାଆ ଦୁଇଜଣଂକ ମନକୁ ବୁଝି କାମ ବାହାନାରେ ଚାଲି ଆସିଲେ ବାହାରକୁ । ଖୁସିର ବନ୍ୟା ବାେହୁଥାଏ ଶଶାଂକର ହୃଦୟରେ । ସେ ବହୁ ବର୍ଷ ଧରି ଅପେକ୍ଷା କରିଥିବା ପ୍ରେୟସୀକୁ ଆଜି ନିଜ ସାମ୍ନାରେ ପାଇଛି । ଜ୍ୟାେସ୍ନା ମୁଖରୁ କିଛି କଥା ଶୁଣିବା ପାଇଁ ମନ ବ୍ୟାକୁଳ ହେଉଥାଏ ତା'ର । ଜ୍ୟାେସ୍ନାକୁ ଜନ୍ମ ଦିନର ଅଭିନନ୍ଦନ ଜଣାଇ ପ୍ରତ୍ୟୁତ୍ତର ପାଇଁ ଅପେକ୍ଷା କରିଲା । ଜ୍ୟାେସ୍ନା ଚୁପ୍ ରହିଲା ; କିଛି ସମୟ ସେମିତି ଚାଲିଗଲା ତାପରେ ସିଏ କହିଲା ତୁମେ ଆଜି ମଧ୍ୟ କ'ଣ ମାେ ଜନ୍ମଦିନ ମନେ ରଖିଛ ? ଶଶାଂକ ଟିକିଏ ହସିଦେଇ କହିଲା ଯେଉଁ ଝିଅକୁ ଏତେଦିନ ବାହାରେ ରହିଲା ପରେ ମଧ୍ୟ ଭୁଲି ପାରିନାହିଁ ; ତା'ର ଜନ୍ମଦିନ କିପରି ଭୁଲିବି । ଶଶାଂକ ମୁଖରୁ ଏପରି କଥା ଶୁଣି ଜ୍ୟାେସ୍ନାର ହୃଦୟ ବହୁତ୍ ଜାେର୍ ରେ ସ୍ପନ୍ଦିତ ହେବାକୁ ଲାଗିଲା । ଶଶାଂକ ଧିରେ ଧିରେ ଜ୍ୟାେସ୍ନା ର ହାତରେ ହାତ ମିଶାଇ ହଜେଇଦିଏ କେଉଁ ଏକ ସ୍ବର୍ଗୀୟ ସ୍ବପ୍ନରେ । ଯେଉଁଠି ଖାଲି ସେଇ ଦୁଇଜଣଂକ ବ୍ୟତୀତ ଆଉ କେହି ନାହାନ୍ତି । ଶଶାଂକ ପୁଣି ବାସ୍ତବ ଦୁନିଆଁକୁ ଫେରି ଆସି ଜ୍ୟାେସ୍ନା କୁ ଜନ୍ମଦିନ ଅବସରେ ବୁଲିଯିବାକୁ ଅନୁରାେଧ କଲା । ଜ୍ୟାେସ୍ନା ମଧ୍ୟ ଅନୁରାେଧକୁ ଏଡାଇପାରିଲା ନାହିଁ । କିଛି ନ ବିଚାରି ହାତରେ ହାତ ମିଶାଇ ପାଦ ରେ ପାଦ ମିଶାଇ ଚାଲିଲା ଶଶାଂକ ସହିତ ।

ସାଗର ଗର୍ଭରେ ହଜିଯାଉଥିବା ଶାମୁକାର ମାେତି ପରି ଶଶାଂକ ଜ୍ୟାେସ୍ନା ର ହାତ ସ୍ପର୍ଶ ପାଇ ନିଜକୁ ହଜାଇଥାଏ ନିଜ ଦୁନିଆଁରେ । ସତେ ଯେପରି କେଉଁ କାରିଗର ର ଅଧା ଗଢା ମୂର୍ତ୍ତୀ କୁ ସେ ନିଜ ହାତରେ ସୃଷ୍ଟି କରିପାରିଛି । ଜୀବନରେ ସାଥିଟିଏ ଥିଲେ କଣ୍ଟକିତ ପଥ କେବେ ଗାେଲାପର ସେଜ ହୁଏ ତାହା କେବଳ ଶଶାଂକ ମନେ ମନେ ଭାବିପାରୁଥାଏ ।

ଫଗୁଣ ରସେ ପଲାସ ଫୁଲ ଫୁଟି ଚାରିଆଡେ ତା'ର ରୂପକୁ ସଜଉଥାଏ । କେତେବେଳେ କାେକିଳର କଣ୍ଠୁ ଭାସି ଆସୁଥାଏ ଗୀତର ଲହରୀ । ଆଉ କେତେବେଳେ ଶୁଭୁଥାଏ ବଉଳି ପବନର ସାଇଁ ସାଇଁ ସୁର । ଶଶାଂକ ଜ୍ୟାେସ୍ନା କୁ ନିକଟତର ଟାଣି ଆଣି ପଦ୍ମ ପାଖୁଡା ଅଧରରେ ଆଂକି ଦେବାକୁ ଚାହେଁ ପ୍ରୀତି ଚୁମ୍ବନ । ନିଜର କରିନେବ ଜନ୍ମ ଜନ୍ମାନ୍ତର ପାଇଁ । ସମସ୍ତ ଖୁସିକୁ ଆବିଷ୍କାର କରିନେବ ଏକା ନିଶ୍ବାସରେ ।

ହେଲେ ଜଗତର କର୍ତ୍ତା ଈଶ୍ବରଂକ ଇଚ୍ଛା କିଛି ଅଲଗା ଥିଲା । ଶଶାଂକର ସ୍ବପ୍ନ ହେଲା ଭଂଗ । ଅମାନିଆ ଲୁହ ଗୁଡାକ ବାେହିଚାଲୁଥାଏ ଶଶାଂକଂର ଦୁଇ ଆଖିରୁ । ଜ୍ୟାେସ୍ନା ଆଜି କାନ୍ଥରେ ଟଂଗା ହାେଇଥିବା ଗାେଟିଏ ନିର୍ଜୀବ ଚିତ୍ର ମାତ୍ର । ଉଇଁ ଅସିଥିଲା କେଉଁ ଏକ ପବିତ୍ର ଦିନରେ । ପୁଣି ଫେରିଗଲା ସେଇ ଅପହନ୍ଚ ଇଲାକାକୁ । ଭସା ଭସା ବାଦଲ ପରସ୍ପର ସହ ବାଡେଇ ହୋଇ ବର୍ଷା ହାେଇ ଝରିଗଲା । ଶଶାଂକ କେବଳ ଚାହିଁ ରହିଥିଲା କାନ୍ଥର ପଟ୍ଟଚିତ୍ରକୁ । ସେ ଦିନ ଲାଗୁଥିଲା ଯେମିତି ଫଗୁଣ ଫେରିଛି ଦୁଃଖର ସ୍ମୃତିକୁ ନେଇ । ଫଗୁଣ ଫେରା ସ୍ମୃତି ହାେଇ ।

~~ଶେଫାଳି~~

~~~~୦~~~~


Rate this content
Log in