ନିର୍ବାଚନ
ନିର୍ବାଚନ
ଗାଁଟିର ନାମ ଲଖିମପୁର। ଏଇ ଗାଆଁଟି ଏକ ପାହାଡର ପାଦଦେଶରେ ଗଢି ଉଠିଥିଲା ।ଲଖିମପୁର ଗାଁକୁ ନୂଆ ବୋହୂ ହୋଇ ମୀରା ଆସିଥିଲା । ସେ ଥିଲା ଏଇ ଗାଁର ଏକମାତ୍ର ଶିକ୍ଷିତା ବୋହୂ ।ଏଇ ଗାଁଟିକୁ ନାହିଁ ନାହିଁର ଗାଁ କହିଲେ ଅତ୍ୟୁକ୍ତି ହେବ ନାହିଁ ।ପାଖ ଗାଁରେ କିଛି କିଛି ସୁବିଧା ସୁଯୋଗ ଥିବାବେଳେ ଏଇ ଗାଁର ଲୋକମାନେ ସମସ୍ତ ସୁବିଧା ସୁଯୋଗରୁ ବଂଚିତ ଥିଲେ । ଗାଁରେ ବିଦ୍ୟୁତ ଯୋଗାଣ ନଥିଲା । ସଂଧ୍ୟା ହେଲେ ଗାଁରେ ତାଟି କବାଟ ପଡି ଯାଉଥିଲା ।ଗାଁରେ ସ୍କୁଲ ଥିଲେ ମଧ୍ୟ ପିଲାମାନେ ସ୍କୁଲ ଦୁଆରମୁହଁ ମାଡୁ ନଥିଲେ । ଗାଁ ଝିଅ ବୋହୂ ଖୋଲା ପଡିଆରେ ମଳତ୍ୟାଗ କରୁଥିଲେ । ଘରର ମଇଳା ପାଣିରେ ଗାଁ ଦାଣ୍ଡ ଭାସୁଥିଲା । କିଛି ଲୋକ ନିଜ ଘରର ମଇଳା ପାଣି ଗାଁ ପୋଖରୀକୁ ଛାଡିବା ଯୋଗୁଁ ପୋଖରୀ ଦୁଷିତ ହେଉଥିଲା ।
ଗାଁର କିଛି ରାସ୍ତା ଢଳେଇ ହୋଇଥିଲେ ବି ଡ୍ରେନ୍ ବ୍ୟବସ୍ଥା ନଥିବାରୁ ଉକ୍ତ ରାସ୍ତାରେ ପାଣି ଜମା ହୋଇ ଶିଉଳି ପଡି ଯାଇଥିଲା । ଗାଁର ଅଧିକାଂଶ ରାସ୍ତାକୁ କିଛି ମୁଷ୍ଟିମେୟ ଲୋକ ମାଡି ବସିଥିଲେ ଯାହାଫଳରେ ରାସ୍ତାସବୁ ଅଣ ଓସାରିଆ ହୋଇ ଯାଇଥିଲା ।ଗାଁକୁ ଯିବା ପାଇଁ ରାସ୍ତାଟି କଚ୍ଚା ସଡକ ଥିଲା । ଗାଁରେ ହାଟ ନଥିବାରୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟସବୁ କମ ଦାମରେ ଗାଁରେ ବିକ୍ରି ହେଉଥିବାରୁ ଚାଷୀମାନଙ୍କୁ ବହୁତ କ୍ଷତି ସହିବାକୁ ପଡୁଥିଲା ।ଗାଁରେ କୁଶଳୀ ମିସ୍ତ୍ରୀ ଓ କାରିଗର ନଥିବାରୁ ଅଣକୁଶଳୀ କାରିଗରମାନେ କମ ମଜୁରୀ ପାଉଥିଲେ । ଏମାନଙ୍କ ଦ୍ବାରା ନିର୍ମିତ ରାସ୍ତାଘାଟ ଘରଦ୍ବାରସବୁ ଫାଟି ଆଁ ମେଲା ହୋଇ ଯାଇଥିଲା ।
ମୀରା ଏସବୁ ବିଷୟରେ ନିଜ ସ୍ବାମୀଙ୍କସହ କଥା ହେଲା ।ସ୍ବାମୀ କହିଲେ-'ଏସବୁ ସମସ୍ୟା ଆମର ନୁହେଁ ' ।ଏ ବିଷୟରେ କେହି କିଛି କହୁ ନାହାନ୍ତି ।ତୁମେ ଚୁପ ହୋଇ ବସ ।ମୀରା ଏ ବିଷୟରେ ସରପଞ୍ଚଙ୍କ ପାଖକୁ ଗଲା । ଗାଁର ସମସ୍ୟାର ଚିଠା ତାଙ୍କୁ ଧରାଇ ଦେଇ ଏ ବିଷୟରେ ତାଙ୍କସହ ଆଲୋଚନା କଲା । ହେଲେ ସରପଞ୍ଚ ତା କଥାକୁ ବିଶେଷ ଧ୍ୟାନ ଦେଲେ ନାହିଁ । ବାଧ୍ୟ ହୋଇ ସେ ବ୍ଲକରେ ଗାଁର ଅସୁବିଧା ନେଇ ବିଡିଓଙ୍କ ସହ ଆଲୋଚନା କରିବାସହ ଉକ୍ତ ସମସ୍ୟାର ସ୍ଥିତି ନେଇ ସୂଚନା ଅଧିକାର ଆଇନ ବଳରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଆବେଦନ କଲା ।ଜିଲ୍ଲା ଅଧିକାରିଙ୍କ ଅଫିସରୁ ତାକୁ ଡାକ ମାଧ୍ୟମରେ ଜଣାଇଦିଆ ଗଲାକି ଗାଁରେ ସମସ୍ତଙ୍କ ଘରେ ପାଇଖାନାର ସୁବିଧା ଅଛି ।ଗାଁରେ ଡ୍ରେନେଜର ବ୍ୟବସ୍ଥା କରାଯାଇଛି ।ଏସବୁ ପଢି ମୀରାର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ।ସେ ସିଧାସଳଖ ଅଧିକାରୀଙ୍କ ସହ ଫୋନରେ କଥା ହେଲା ଓ ଏ ବିଷୟରେ ଉପଯୁକ୍ତ ଯାଞ୍ଚ କରିବା ପାଇଁ ପୁଣି ସୂଚନା ଅଧିକାର ବଳରେ ଆବେଦନ କଲା ।
ଠିକ ସମୟରେ ଯାଞ୍ଚ ହେଲା । ଯାଞ୍ଚରୁ ଜଣାପଡିଲା କି ସ୍ଥାନୀୟ ସରପଞ୍ଚ ଓ ଜନ ପ୍ରତିନିଧୀ ମିଛ ବିଲ କରି ଏ ବାବଦ ଆସିଥିବା ଟଙ୍କା ଚଳୁ କରିଛନ୍ତି । ଶେଷରେ ଏମାନେ ମୀରାର ଶରଣ ପଶିଲେ ଓ ଲାଞ୍ଚ ଦେଇ ମାମଲା ରଫାଦଫା କରିବା ପାଇଁ ମୀରାକୁ ଅନୁରୋଧ କଲେ ।ସରପଞ୍ଚ କହିଲେ ମୁଁ ୧୫ ଲକ୍ଷ ଟଙ୍କା ଖର୍ଚ କରି ଲୋକଙ୍କୁ ଭୋଟ ପାଇଁ ନୋଟ ବାଣ୍ଟି ଥିଲି । ମୀରା ଏ ବିଷୟରେ କିଛି ଶୁଣିଲା ନାହିଁ ।
ଶେଷରେ ଦୋଷୀମାନେ ଦଣ୍ଡ ପାଇଲେ ।ମୀରା ନିଜେ ମହିଳା ଓ ପୁଋଷମାନଙ୍କ ଏକ ଗୋଷ୍ଠୀ ଗଢି ଏ ବିଷୟରେ ସଚେତନ କଲା ,ଗାରୁଁ ଅନ୍ଧବିଶ୍ବାସ ଦୂର କରିବା ପାଇଁ ଶିକ୍ଷାର ଆବଶ୍ୟକତା ରହିଛି ବୋଲି ସମସ୍ତେ ସଚେତନ ହେଲେ । ସମସ୍ତେ ହୃଦୟଙ୍ଗମ କଲେ କ୍ଷମତା, ସେବା କରିବାର ଏକ ଉତ୍ତମ ବ୍ୟବସ୍ଥା ଅଟେ । ଗଣତାନ୍ତ୍ରିକ ପଦ୍ଧତିରେ ସାଧାରଣ ଜନତା ପ୍ରତିନିଧୀ ବାଛନ୍ତି ।ଜନ ପ୍ରତିନିଧୀ ସେମାନଙ୍କ ସେବାରେ ନିୟୋଜିତ ହୋଇଥା'ନ୍ତି ।
ପରବର୍ତି ନିର୍ବାଚନରେ ମୀରାକୁ ଗାଁର ଲୋକେ ସରପଞ୍ଚ ପ୍ରାର୍ଥିନୀ ଋପେ ଠିଆ କଲେ ଓ ଜୟଯୁକ୍ତ ହୋଇ ନିଜ ଗାଁସହ ଆଖପାଖ ଗାଁରେ ବିକାଶର ସ୍ବପ୍ନକୁ ବାସ୍ତବରେ ପରିଣତ କଲେ ।
