ସେଲି ବାପା
ସେଲି ବାପା
ଏଲିନା ଓ ସେଲି ପିଲାଦିନ ସାଙ୍ଗ । ଦୁହେଁ ଏକା ଶ୍ରେଣୀରେ ପଢ଼ନ୍ତି । ଆଜି ଏଲିନାର ଜନ୍ମଦିନ ଥିଲା । ସେ ସେଲିକୁ ଜନ୍ମଦିନ ପାଇଁ ସଂଧ୍ୟାରେ ନିମନ୍ତ୍ରଣ କରିଥିଲା ।ସେଲି ଏଲିନା ପାଇଁ ଏକ ସୁନ୍ଦର କଣ୍ଢେଇ ଆଣିଥିଲା । ସେମାନେ ଜନ୍ମଦିନରେ କେକ୍ ବଦଳରେ ବୃତ୍ତାକାର ଛେନାପୋଡ଼ କାଟି ଖୁବ ମଜା କରିଥିଲେ।ଏ ବିଷୟରେ ଏଲିନା ବାପା ପଚାରିବାରୁ ସେଲି କହିଲା - ଏହା ମୋ ବାପା ପସନ୍ଦ ଥିଲା । ମୋ ବାପାଙ୍କ ପସନ୍ଦକୁ ଆଜି ଏଲିନା ସମ୍ମାନର ଗ୍ରହଣ କରି ତା ଜନ୍ମଦିନରେ ଛେନାପୋଡ଼ କାଟି ଥିବାରୁ ମୁଁ ବହୁତ ଖୁସି।
ସେଲି କହିଲା ମୋ ବାପା କହୁଥିଲେ-ଛେନାପୋଡ଼ ଆମ ରାଜ୍ୟର ପାରମ୍ପାରିକ ସୁସ୍ୱାଦୁ ମିଠା ଅଟେ । ଏଥିରେ ପ୍ରୋଟିନ ଓ କ୍ୟାଲସିୟମ ଭରପୁର ମାତ୍ରାରେ ରହିଛି । ବିଶେଷ ଉତ୍ସବ ପାଇଁ ଏହାକୁ କେକ୍ ର ବିକଳ୍ପ ଭାବେ ବ୍ୟବହାର କରାଯିବା ଉଚିତ। ଏଲିନା ବାପା କହିଲେ - ଠିକ ଅଛି । ଜନ୍ମଦିନରେ କେକ୍ କାଟିବାରେ କ'ଣ ଅସୁବିଧା ରହିଛି ? ଏଲିନା କହିଲା- ବାପା କହୁଥିଲେ -କେକ୍ ଅଧିକ କ୍ୟାଲୋରୀ ଯୁକ୍ତ ମିଠା ଅଟେ । ଏଥିରେ ଶର୍କରା ପରିମାଣ ଅଧିକ ଥିବାରୁ ଏହା ପିଲାଙ୍କ ଓଜନ ବୃଦ୍ଧି କରିଥାଏ । ଏପରି ପିଲାଙ୍କ କମ ବୟସରେ ହୃଦଘାତର ସମ୍ଭାବନାକୁ ଏଡାଇ ଦେଇ ହବନି। ଏହା ବ୍ୟତିତ ପିଲାଙ୍କ ଦାନ୍ତର କ୍ଷୟ ହେବାର ସମ୍ଭାବନା ଅଧିକ ଥାଏ ।
ଏଲିନା ବାପା ସେଲି ବାପାଙ୍କ ପସନ୍ଦକୁ ଖୁବ ପ୍ରସଂଶା କରୁଥିଲେ।
ସେଲି , ଏଲିନା ଜନ୍ମଦିନରେ ଛେନାପୋଡ଼ ଆଣିଥିବାରୁ ସେଲି ଓ ଏଲିନାଙ୍କ ବନ୍ଧୁତାକୁ ମଧ୍ୟ ସେ ଖୁବ ତାରିଫ କରୁଥିଲେ।ସନ୍ଧ୍ୟାରେ କ୍ଷୀରି ପୁରି ଖାଇ ଏଲିନା ଓ ସେଲି ଛାତ ଉପରକୁ ଯାଇଥିଲେ । ଚାରି ବର୍ଷ ତଳେ ସେଲି ବାପାଙ୍କ ପରଲୋକ ଘଟିଥିଲା ।
ଏଲିନା , ସେଲି ବାପାଙ୍କ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିଲା।ସେଲି କହିଲା-ମୋର ଜନ୍ମ ମୋ ଆଈର ବାପା ଘର ଗାଁରେ ଥିବା ସରକାରୀ ଡାକ୍ତରଖାନାରେ ହୋଇଥିଲା । ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ତରଫରୁ କିଛି ଅର୍ଥରାଶି ମିଳିଥିଲା । ମୁଁ ଜନ୍ମ ହେବା ଖୁସିରେ ବାପା ସେ ସବୁ ଟଙ୍କା ବାଣ୍ଟି ଦେଇଥିଲେ। ଏଲିନା କହିଲା- ତୋ ସହ ତୋ ବାପା ଉଠେଇଥିବା ଫଟୋ ଅଛି ? ସେଲି କହିଲା-ମୋ ପିଲା ବେଳର ସମସ୍ତ ଫଟୋ ବାପା ଉଠାଇ ଥିଲେ କିନ୍ତୁ କୌଣସି ଫଟୋରେ ତାଙ୍କ ଫଟୋ ନ ଥିଲା ।ସେଲି ଲୁହ ଭିଜା ଆଖିରେ କହୁଥିଲା-ମୋତେ କଥା ଶିଖେଇବା ପାଇଁ ବାପା ଗୋଟିଏ ଶବ୍ଦକୁ ଶହ ଶହ ଥର ଉଚ୍ଚାରଣ କରୁଥିଲେ ବି କେବେ ମୋ ଉପରେ ବିରକ୍ତ ହେଉ ନଥିଲେ।ମାଆ କହୁଥିଲା ମୋ ପାଇଁ ଗୋଟିଏ ଗୋଟିଏ ବାକ୍ୟକୁ ଶହ ଶହ ଥର ଉଚ୍ଚାରଣ କରିବା ବେଳେ ସେ ଥକି ପଡ଼ୁଥିଲେ ବି କେବେ ମୋ ଉପରେ ରାଗୁ ନ ଥିଲେ ।
ସେଲି ତା ବାପାଙ୍କ ସହ ଅତି ପିଲାଦିନ କଥା ମନେ ପକାଇ କହୁଥିଲା-ମୋତେ ସାଇକେଲ ଶିଖେଇବା ପାଇଁ ସ୍କୁଲ ପଛପଟ ବଡ ପଡ଼ିଆକୁ ନେଇ ଯାଉଥିଲେ । ମୋ ସାଇକେଲ ପଛରେ ଦୌଡ଼ି ଦୌଡ଼ି ହାଲିଆ ହୋଇ ଝାଳନାଳ ହୋଇ ପଡ଼ୁଥିଲେ ବି ବିଶ୍ରାମ ନେବା ପାଇଁ ମୋତେ କେବେ କହୁ ନଥିଲେ । ମୋ ବାପା ମୋ ସ୍ୱାସ୍ଥ୍ୟର ସର୍ବଦା ଯତ୍ନ ନେଉଥିଲେ । ଠିକ ସମୟରେ ମୋତେ ବଟିକା ,ସିରପ ଖୁଆଇ ଦେଉଥିଲେ । ମୋତେ ଜ୍ଵର ହେଲେ ସେ ରାତି ସାରା ଉଜାଗର ରହୁଥିଲେ। ଜର କମିବା ପାଇଁ ମୋ ମଥାରେ ଓଦା ପଟ୍ଟି ପକାଉଥିଲେ । ଏଲିନା ସେଲି ବାପାଙ୍କ ଖାଇବା ପିଇବା ବିଷୟରେ ପଚାରିବାରୁ ସେଲି କହୁଥିଲା-ମୋତେ ପିତା ପରିବା ଖାଇବା ଶିଖେଇବା ପାଇଁ ନିଜେ ଖୁସିରେ କଲରା ଭଜା ହସି ହସି ଖାଉଥିଲେ । ଥରେ ବାପା ଅତ୍ୟଧିକ ପିତା ଖାଇ ତାଙ୍କ ଶର୍କରା ସ୍ତର ଅଧିକ କମି ଯିବାରୁ ଡାଇବେଟିସ ଯୋଗୁଁ ସେ ଅସୁସ୍ଥ ହୋଇ ପଡିଥିଲେ । ହଁ ,ମୋ ସାଇକେଲରେ ପ୍ରେସର ଦେବାକୁ କେବେ ଭୁଲୁ ନଥିଲେ ।ସେ ମୋତେ ହସେଇବା ପାଇଁ ଅନେକ ମିଛ କଥା କହୁଥିଲେ । ହେଲେ ସେ ମୋ ରାଣ କେବେ ବି ଖାଉ ନ ଥିଲେ ।ତେଣୁ ତାଙ୍କ ମିଛ ସବୁ ଧରା ପଡ଼ି ଯାଉ ଥିଲା ।ସେଲି କହୁଥିଲା-ଗାଁଲୋକ କହୁଥିଲେ ମୋ ବାପା କରଜ ନେଇ ଠିକ ସମୟରେ ଶୁଝିପାରୁ ନଥିଲେ । ସେ ଲୋକଙ୍କ ଟାହି ଟାପରା ଶୁଣି ସବୁ ସହି ଯାଉଥିଲେ । ମାଆ କହୁଥିଲା - ମୋ ଔଷଧ ପାଇଁ ସେ ଏପରି କରଜ ସବୁ କରିଥିଲେ । ପରେ ବ୍ୟାଙ୍କରୁ ଋଣ କରି ଏ କରଜ ସବୁ ଶୁଝିଥିଲେ।
ଏଲିନା ସେଲିକୁ କହୁଥିଲା- ପ୍ରକୃତରେ ତୋ ବାପା ସୁପର ହିରୋ ଥିଲେ ।
ଏତିକିବେଳେ ଏଲିନା ମାଆ ଛାତ ଉପରକୁ ଆସୁଥିବା ବେଳେ ଏଲିନାର କଥା ଶୁଣି କହୁଥିଲେ-ସବୁ ବାପା ସେମାନଙ୍କ ଛୁଆମାନଙ୍କ ବନ୍ଧୁ ,ଦାର୍ଶନିକ ଓ ପଥ ପ୍ରଦର୍ଶକ ଅଟନ୍ତି । ବାପା ଓ ଝିଅ ମଧ୍ୟରେ ଥିବା ବନ୍ଧନ ସ୍ଵତନ୍ତ୍ର ,ଯାହା ଝିଅମାନଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ସେଇଥିପାଇଁ କୁହା ଯାଇଥାଏ ଝୁଅମାନେ ହେଉଛନ୍ତି ବାପାଙ୍କ ପରୀ[ପାପା କି ପରୀ ]
