STORYMIRROR

TASNEEM SULTANA LADLEE

Children Stories

4  

TASNEEM SULTANA LADLEE

Children Stories

ପୋଷଣ ଦିବସ

ପୋଷଣ ଦିବସ

3 mins
5


ଗାଁଟିର ନାମ ଧନିପୁର ଥିଲା । ସେ ଗାଁରେ ଧନୀ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକମାନେ ବସବାସ କରୁଥିଲେ । ସେଇ ଗାଁରେ ହୀରା ଓ ମାଣିକ ନାମରେ ଦୁଇ ଜଣ ପିଲାଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ଥିଲା । ଥରେ ଗାଁ ପଡ଼ିଆରେ ହୀରା ଦୀର୍ଘ ସମୟ ପର୍ଯ୍ୟନ୍ତ ଖେଳି ପାରିଲା ନାହିଁ। ସେ କ୍ଲାନ୍ତ ଓ ଦୁର୍ବଳ ଅନୁଭବ କରୁଥିଲା । ଆଉ ଅଧିକ ଖେଳିବା ପାଇଁ ତା ପାଖରେ ଆଉ ଶକ୍ତି ନଥିଲା । ହୀରା ଏକଥା ଗାଁ ଖେଳ ପଡ଼ିଆରେ ତା ସାଙ୍ଗ ମାଣିକକୁ କହୁଥିଲା ।


ଆର ଦିନ ବିଦ୍ୟାଳୟରେ 'ପୋଷଣ ଦିବସ' ପାଳନ ହେଉଥିଲା।ଏକ ଡାକ୍ତରୀ ଦଳ ଶିଶୁମାନଙ୍କ ଡାକ୍ତରୀ ଯାଞ୍ଚ କରୁଥିଲେ । ଯାଞ୍ଚ ସରିଲା ପରେ ଡାକ୍ତରବାବୁ ସଭାରେ କହୁଥିଲେ- ଏ ବିଦ୍ୟାଳୟ କିଛି ପିଲାଙ୍କ କେଶ କହରା ରହିଥିବା ବେଳେ କେତେକ ପିଲାଙ୍କ ମୂଖରେ ଶୁଷ୍କତା ଓ ଦାଗ ରହିଛି । ପ୍ରଧାନଶିକ୍ଷକ ପିଲାଙ୍କ ସ୍ୱାସ୍ଥ୍ୟକର୍ଡ ଦେଖାଇବାରୁ ଜଣାପଡିଛି ଗତ ଛଅ ମାସ ମଧ୍ୟରେ କିଛି ପିଲାଙ୍କ ଓଜନ ହ୍ରାସ ହୋଇଛି।ଏସେବୁ ହେଉଛି ପୃଷ୍ଟିହୀନତାର ଲକ୍ଷଣ । ଅଂଶୁ ଡାକ୍ତରବାବୁଙ୍କୁ ପଚାରିଲା- ପୃଷ୍ଟିହୀନତା କ'ଣ ! ଡାକ୍ତରବାବୁ କହିଲେ-ଆଜିର ସଭା ତ ସେଇଥି ପାଇଁ ଡକା ହୋଇଛି । ଏଥିରେ ତୁମ୍ଭମାନଙ୍କ ପିତାମାତା ମଧ୍ୟ ଯୋଗ ନେଇଛନ୍ତି । ସମସ୍ତଙ୍କ ସବୁ ପ୍ରଶ୍ନର ଉତ୍ତର ଦିଆଯିବ । ହଁ ଶୁଣ ,ପୃଷ୍ଟିହୀନତାର ଅନ୍ୟ ଲକ୍ଷଣ ସବୁ ହେଲା- ପିଲାମାନଙ୍କୁ ଥକ୍କା ଲାଗିବା , ଭୋକ ନ ହେବା , ସେମାନଙ୍କ କେଶ ଝଡ଼ିବା । କେତେକଙ୍କ କ୍ଷେତ୍ରରେ କେଶ ଭାଙ୍ଗିଯିବା ।କେତେକ ପିଲା ବାରମ୍ଵାର ରୋଗରେ ପଡ଼ନ୍ତି । ଅର୍ଥାତ ବାରମ୍ଵାର ସେମାନଙ୍କୁ ରୋଗ ସଂକ୍ରମଣ ହୋଇଥାଏ ।


ଡାକ୍ତରବାବୁ ଅଂଶୁ ପ୍ରଶ୍ନର ଉତ୍ତରରେ କହିଥିଲେ- ପିଲାଏ ,

ପୃଷ୍ଟିହୀନତା ହେଉଛି ପିଲାଙ୍କ ଏପରି ଏକ ଅବସ୍ଥା ଯେତେବେଳେ ସେମାନଙ୍କ ଭୋଜନରେ ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ନଥାଏ । ସେମାନଙ୍କ ମଧ୍ୟରେ ଭିଟାମିନ ବା ଜୀବସାର ଓ ଖଣିଜ ଲବଣ ର ଅଭାବ ରହିଥାଏ ।


ମିନା ପଚାରିଲା -ଡାକ୍ତର ଅଙ୍କଲ ,ପୃଷ୍ଟିକର ଖାଦ୍ୟ କାହାକୁ କହନ୍ତି ? ଡାକ୍ତରବାବୁ କହିଲେ - ବଢିଆ ପ୍ରଶ୍ନଟିଏ ପଚାରିଛ ।ବିଭିନ୍ନ ଖାଦ୍ୟ ସହିତ ଏକ 'ସନ୍ତୁଳିତ ଖାଦ୍ୟ ' ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ସର୍ବୋତ୍ତମ ପୁଷ୍ଟିକର ଖାଦ୍ୟ ଅଟେ ।ଏହି କଥାଟିକୁ ଆହୁରି ବୁଝାଇବାକୁ ଯାଇ ଡାକ୍ତରବାବୁ କହିଲେ-ଖାଦ୍ୟ ଶରୀର ବୃଦ୍ଧିରେ ସାହାଯ୍ୟ କରିଥାଏ । ପ୍ରତ୍ୟେକ ଖାଦ୍ୟରେ କିଛି ନା କିଛି ରାସାୟନିକ ପଦାର୍ଥ ଥାଏ ଯାହାକୁ ' ପୋଷକ '(Nutrient ) କୁହାଯାଏ । ଖାଦ୍ୟରେ ଥିବା ମୁଖ୍ୟ ପୋଷକକୁ ଆଧାର କରି ଏହାକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି ଯଥା- ଶ୍ଵେତସାର, ସ୍ନେହସାର, ପୃଷ୍ଟିସାର , ଭିଟାମିନ୍‌ ବା ଜୀବସାର ଓ ଖଣିଜ ଲବଣ ।


ଶ୍ଵେତସାର ଜାତୀୟ ଖାଦ୍ୟ ଆମ ଶରୀରକୁ କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଇଥାଏ । ଏହି ଖାଦ୍ୟଗୁଡ଼ିକ ହେଲା- ଚାଉଳ , ଚିନି, ଗୁଡ଼, ଆଳୁ, ମାଣ୍ଡିଆ, ମକା, ସାରୁ, ଅଟା , କନ୍ଦମୂଳ ଇତ୍ୟାଦି। ସେହିପରି ପୃଷ୍ଟିସାର ଜାତୀୟ ଖାଦ୍ୟ ପିଲାମାନଙ୍କ ଶରୀର ବୃଦ୍ଧିରେ ସାହାଯ୍ୟ କରେ । ଏହି ଖାଦ୍ୟ ସବୁ ହେଲା- ଡାଲି, ସେୟାବିନ , ମାଛ , ମାଂସ, ଅଣ୍ଡା ଇତ୍ୟାଦି। ସେଲି କହିଲା- ଅଙ୍କଲ ମୋର ଚର୍ମ ଶୁଖିଲା ରହୁଛି । କାର୍ଯ୍ୟ କରିବା ପାଇଁ ମୁଁ ଶକ୍ତି କେଉଁଠୁ ପାଇବି ? ଡାକ୍ତରବାବୁ କହିଲେ- ଏହି ସମସ୍ୟାର ସମାଧାନ ସ୍ନେହସାରରେ ରହିଛି । ଏହି ଖାଦ୍ୟ ଗୁଡ଼ିକ ହେଲା- ତେଲ,ଘିଅ, ଲହୁଣି, ମାଛ, ମାଂସ ,କ୍ଷୀର , ଅଣ୍ଡା ଇତ୍ୟାଦି । ହଁ ସେଲି , ଶୁଖିଲା ଚର୍ମ ସମସ୍ୟା ପାଇଁ ପାଚିଲା ଅମୃତଭଣ୍ଡା, ପାଚିଲା ଆମ୍ବ,ଗାଜର, କ୍ଷୀର , ଗଜା ମୁଗ ,ଗଜା ବୁଟ, ରାଶି ତେଲ , ସୂର୍ଯ୍ୟାମୁଖୀ ତେଲର ବ୍ୟବହାର କରିବା ଭଲ ।


ରଜନିଶ୍ କହିଲା- ଅଙ୍କଲ , କାହିଁ ଖଣିଜ ଲବଣ ବିଷୟରେ କିଛି କହିଲେ ନି ତ !

ଡାକ୍ତରବାବୁ କହିଲେ-ଆମର ତିନି ପ୍ରକାର ଖଣିଜ ଲବଣ ହେଲା- କ୍ୟାଲସିୟମଯୁକ୍ତ ଲବଣ ଯାହା ଦାନ୍ତ ଓ ଅସ୍ଥି ଗଠନରେ ସାହାଯ୍ୟ କରେ। ଆମେ ଏସବୁ ଲବଣ ଚୂନା ମାଛ, ମାଛ କଣ୍ଟା, କ୍ଷୀର ଓ ଶାଗ ରୁ ପାଇ ପାରିବା । ଲୌହଯୁକ୍ତ ଲବଣ ରକ୍ତ ତିଆରିରେ ସାହାଯ୍ୟ କରେ।ଏସବୁ ଆମେ ସଜନା ଶାଗ, ପୋଇ, ଭେଣ୍ଡି,କଦଳୀ, ମାଣ୍ଡିଆ, ପାଳଙ୍ଗ ଆଦିରେ ପାଇ ପାରିବା । ଅୟୋଡିନ ଯୁକ୍ତ ଲବଣରେ ପିଲାମାନଙ୍କ ମାନସିକ ବିକାଶ ହୋଇଥାଏ । ଏହା ଥାଇରୟେଡ ଗ୍ରନ୍ଥିକୁ କାର୍ଯ୍ୟକ୍ଷମ କରିଥାଏ । ଏ ସବୁ ଆମେ ସଜନା ଛୁଇଁ,ସମୁଦ୍ର ମାଛ, ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ହେଉଥିବା ପରିବା ଓ ଫଳରୁ ପାଇ ପାରିବା ।


ଶେଷରେ ପ୍ରଧାନଶିକ୍ଷକ କହିଲେ- ପିଲାଏ , ଆମେ ଜାଣିଲେ ପ୍ରତ୍ୟେକ ଖାଦ୍ୟର ଉପାଦେୟତା ରହିଛି । ଆମେ ଗୋଟିଏ ପ୍ରକାର ଖାଦ୍ୟ ନ ଖାଇ ବିଭିନ୍ନ ପ୍ରକାର ଖାଦ୍ୟକୁ ମିଶାଇ ଖାଇଲେ ଆମ ଶରୀର ଆବଶ୍ୟକ ପୋଷକ (Nutrient) ପାଇ ପାରିବ । ନହେଲେ ଆମ ଶରୀର ଅସୁସ୍ଥ ହେବ । ଆମର ସ୍ୱାସ୍ଥ୍ୟ ହାନୀ ଘଟିବ ଓ ଆମେ ରୋଗଗ୍ରସ୍ତ ହେବା ।


ହୀରା କହିଲା- ଆମେ ବୁଝିଗଲୁ ସାର୍ ।ଆମ ଶରୀର ପାଇଁ ସୁଷମ ଖାଦ୍ୟର ଆବଶ୍ୟକତା ରହିଛି ।ପିଲାମାନେ 'ପୋଷଣ ଦିବସ' ପାଳନ ର ମହତ୍ଵ ବୁଝିଲେ । ପ୍ରଧାନଶିକ୍ଷକ, ଡାକ୍ତରବାବୁଙ୍କ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।




Rate this content
Log in