ପାହାଡ଼ି ଗାଁ ପାର୍ବତୀପୁର
ପାହାଡ଼ି ଗାଁ ପାର୍ବତୀପୁର
ପାର୍ବତୀପୁର ଥିଲା ପାହାଡ଼ର ପାଦ ଦେଶରେ ଗଢି ଉଠି ଥିବା ବଣ ପର୍ବତ ଘେରା ଏକ ଗାଁ । ଏଇ ଗାଁକୁ କୁନି ବୋହୂ ହୋଇ ଆସିଥିଲା । ଏଇ ଗାଁରେ ନଳକୂପ ବା ପାଇପ୍ ଦ୍ୱାରା ଜଳ ଯୋଗାଣର କୌଣସି ବ୍ୟବସ୍ଥା ନଥିଲା ।ପାହାଡ଼ର ଶିଖରରେ ଥିବା କିଛି ପ୍ରାକୃତିକ କୂପ ବା ଖାଲ ସ୍ଥାନରେ ଜମା ହୋଇ ରହୁଥିବା ଜଳକୁ ଗ୍ରାମବାସୀ ପାନୀୟ ଜଳ ଭାବରେ ବ୍ୟବହାର କରୁଥିଲେ ।ଘରର ବୋହୂ ଓ ଝିଅମାନେ ବାଲଟି ଓ ଗରାରେ ପାଣି ଆଣିବାକୁ ପାହାଡ଼ ଉପରକୁ ଯାଉଥଲେ ।ଅସାବଧାନତାର ସହ ଗରା ବାଲାଟି ନେଇ ପାହାଡ଼ରୁ ଓହ୍ଲାଇବା ସମୟରେ ସେମାନେ ବେଳେ ବେଳେ ଦୁର୍ଘଟଣାର ଶିକାର କାର ହେଉଥିଲେ ।
କୁନିର ବାପଘର ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳ ଥିଲା। ତା'ର ପିଲାବେଳ ସମୁଦ୍ର , ନଦନଦୀ ,ଗାଁ ପୋଖରୀ ସବୁ ଦେଖି ଦେଖି କଟିଥିଲା। ଜଳାଭାବ କ'ଣ ସେ ଜାଣି ନଥିଲା ।
ପାର୍ବତୀପୁର ଗାଁରେ
ରୋଜଗାରର କୌଣସି ସୁଯୋଗ ନ ଥିବାରୁ ଯୁବକମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ ।ପାର୍ବତୀପୁର ଗାଁ ସହ ଆଖପାଖ ସାତଟି ଗାଁର ଏହି ସବୁ ସମସ୍ୟା ସହ ପାନୀୟ ଜଳ ସମସ୍ୟା ନେଇ କୁନି ଚିନ୍ତିତ ରହୁଥିଲା । ସେ ଏ ବିଷୟରେ ଆଲୋଚନା ପାଇଁ ଗାଁର ମହିଳାମାନଙ୍କୁ ଏକାଠି କଲା । ମହିଳାମାନଙ୍କୁ ନେଇ ଏକ ସଂଗଠନ ଗଢିଲା । ସଂଗଠନ ମାଧ୍ୟମରେ ଗାଁର ସମସ୍ୟା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କୁ ଜଣାଇଲା । ତା"ର ପ୍ରସ୍ତାବ ଅନୁସାରେ ପାହାଡ଼ର ଶିଖରରେ ଥିବା ଛୋଟ ଛୋଟ ପ୍ରାକୃତିକ ଖାଲ ବା କୂପ ଗୁଡ଼ିକର ସର୍ଭେ କରାଗଲା । ଜଳର ଛୋଟ ଛୋଟ ଉତ୍ସକୁ ଏକାଠି କରି ପାର୍ବତୀପୁର ପାହାଡ଼ରେ ଜଳର ସନ୍ଧାନ କୌଣସି ଗ୍ରହ ବା ଉପଗ୍ରହରେ ଜଳର ସନ୍ଧାନ ଠୁ କମ ନଥିଲା |ଏହି କୂପଗୁଡ଼ିକୁ ପରଷ୍ପର ସହ ପାଇପ୍ ରେ ଯୋଡି ସାତଟି ଗାଁ ପାଇଁ ୭ଟି ବଡ଼ ପାଣି ଟାଙ୍କି ପ୍ରତିଷ୍ଠା କରାଗଲା ।
ଯାହାଫଳରେ ଜଳର ଉପଯୁକ୍ତ ବ୍ୟବହାର ସହ ଜଳର ସଂରକ୍ଷଣ ମଧ୍ୟ ସମ୍ଭବ ହେଲା । ଏହି ସବୁ ପାହାଡ଼ି ଗାଁରେ ଗ୍ରୀଷ୍ମ ଦିନରେ ଜଳାଭାବ ସମସ୍ୟା ମଧ୍ୟ ଦୂର ହେଲା । ବଳକା ଜଳକୁ ବ୍ୟବହାର କରି ପାହାଡର ପାଦଦେଶରେ ଫଳ ଚାଷ ଓ ପନି ପରିବା ଚାଷ କରି ଗ୍ରାମର ମହିଳାମାନେ ରୋଜଗାର ପାଇଲେ । ଏହି ପାହାଡ଼ି ଫଳ ଗୁଡ଼ିକର ସ୍ଵାଦ ସ୍ଵତନ୍ତ୍ର ଥିଲା । ଗାଁର ଯୁବକମାନେ ଆଉ ଦାଦନ ଖଟିବାକୁ ବାହାରକୁ ଗଲେ ନାହିଁ । ଗାଁ ଗୁଡ଼ିକରେ ଏହି ସବୁ ପରିବର୍ତ୍ତନ କୁନି ଯୋଗୁଁ ସମ୍ଭବ ହୋଇଥିଲା । ସମସ୍ତେ ତାର ପ୍ରସଂଶା କରୁଥିଲେ । ସେ ଆଖ ପାଖ ଗ୍ରାମର ଏକ ମାତ୍ର ଶିକ୍ଷିତା ବୋହୂ ଥିଲା । ସେ କହୁଥିଲା - ଉପଯୁକ୍ତ ଶିକ୍ଷା ଦ୍ଵାରା ଏସବୁ ପରିବର୍ତ୍ତନ ସମ୍ଭବ ହୋଇଛି । ସଂଗଠନ ମାଧ୍ୟମରେ ସରକାର ପାର୍ବତପୁର ଗାଁର ମହିଳାମାନଙ୍କ କଥା ଶୁଣିଥିଲେ । ସରକାରୀ ଉଦ୍ୟମରେ ପାର୍ବତୀପୁର ଗାଁରେ ଡାକ୍ତରଖାନା, ବିଦ୍ୟାଳୟ , ଜଳ ବିଶୋଧନଗାରା , ସୋଲାର ବିଦ୍ୟୁତ ଉତ୍ପାଦନ ଷ୍ଟେସନ ଓ ନର୍ସରୀ ଚାରା ଗଛ ଉଦ୍ଯାନ କେନ୍ଦ୍ର ଖୋଲା ହେଲା । ପାର୍ବତୀପୁର ସହ ସାତଟି ପାହାଡି ଗାଁକୁ ଯୋଡି ସରକାର "ପାର୍ବତୀପୁର ଗ୍ରାମ ପଞ୍ଚାୟତ "ନାମରେ ଏକ ନୂଆ ପଞ୍ଚାୟତ ଗଠନ କଲେ ।ନିର୍ବାଚନ ପରେ କୁନି ହୋଇଥିଲା ଏଇ ପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ ।
