ମୁଁ ଗଛ କହୁଛି
ମୁଁ ଗଛ କହୁଛି
ସ୍କୁଲ ସବୁ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଛୁଟି ହୋଇ ଯାଇ ଥିଲା । ବିଦ୍ୟାଳୟରେ ଗୁରୁମା ମାନେ ପିଲାମାନଙ୍କୁ ଗୃହକର୍ମ( ହୋମ୍ ୱର୍କ) ସବୁ ଛୁଟି ସମୟରେ କରିବାକୁ ଦେଇ ଥିଲେ ।ପ୍ରବଳ ଖରାବେଳ ସମୟ । ଘରେ ରିମାର ଭଉଣୀ ନିଘୋଡ଼ ନିଦରେ ଶୋଇ ପଡ଼ିଥାଏ । ଭୂଗୋଳ ବହିର "ପ୍ରାକୃତିକ ଉଦ୍ଭିଦ" ଅଧ୍ୟାୟ ପଢୁ ପଢୁ ରିମାକୁ ନିଦ ହୋଇ ଯାଇଛି ।
ଗଛ ଭାଇ ! ଏ ଗଛ ଭାଇ । ମୋ କଥା ଟିକେ ଶୁଣ । ଗଛ ସେମିତି ତାର ତା'ର ଚରାଚରିତ ଢଙ୍ଗରେ କହିଲା-ତୁମେ କିଏ ! କ'ଣ କହୁଛ । ଦେଖି ପାରୁନ କି ମୁଁ ବର୍ତ୍ତମାନ କାମରେ ବ୍ୟସ୍ତ ଅଛି । ଭାଇ ! ମୁଁ ମଣିଷ କହୁଛି । ଗଛ ଟିକେ ଚମକି ପଡ଼ି କହିଲା- ପୁଣି କ'ଣ ଦରକାର ପଡିଲା ଭାଇ ! ଏଇ ବାଟ ଦେଇ ରାସ୍ତା ହବ କି ! ବିନା ବିଚାରରେ ମୁଁ ପୁଣି ହଣା ଖାଇବି । ତୁମେ ମଣିଷ ମାନେ ବିନା ସ୍ୱାର୍ଥରେ କାହା ପାଖ ମାଡନ୍ତି ନି । ତୁ ପୁଣି କଣ ପାଇଁ ମୋ ପାଖକୁ ଆସିଛୁ ।ଏଥର ମଣିଷ ଟିକେ ରାଗି ଯାଇ ବଡ ପାଟିରେ କହିଲା- କ'ଣ କହିଲୁ ! ମୁଁ ସ୍ଵାର୍ଥପର ! ଉତ୍ତରରେ ଟିକେ ରହି ଯାଇ ଗଛ କହିଲା- ଆରେ ମୁଁ କ'ଣ ଏକା କହୁଛି । ସାରା ମୁଲକରେ ଏକଥା ହୁରି ପଡ଼ିଛି । ଦଳେ ବିଦେଶୀ ପକ୍ଷୀ ମୋ ଉପର ଦେଇ ଗଲାବେଳେ କହୁଥିଲେ- ସୁଇଜରଲ୍ୟାଣ୍ଡର ଏକ ଚିଡ଼ିଆଖାନାର ଖୁଆଡରେ ଏକ ବିରାଟ ଦର୍ପଣ ଥୁଆ ହୋଇଛି । ତା ତଳେ କୁଆଡେ ଲେଖା ହୋଇଛି "ପୃଥିବୀର ଶ୍ରେଷ୍ଠ ସ୍ଵାର୍ଥପର ଜୀବ "Iଏତିକିରେ ତୁ ବୁଝୁ ଥିବୁ । ଆଗକୁ ମୁଁ ଆଉ କ'ଣ କହିବି ।
ମଣିଷ ଟିକେ ଲଜ୍ଜିତ ହୋଇ ଗଛ କଥାକୁ ନ ଶୁଣିବା ଭଳି କହିଲା- ହଁ ତୁ କଣ କହୁଥିଲୁ ! କାମରେ ବ୍ୟସ୍ତ ଅଛୁ। ଏଇ ଖରା ବେଳଟାରେ କି କାମ କରୁଛୁ ମ ! ଟିକେ ଶୁଣେ । ଗଛ କହିଲା -ମୁଁ ପ୍ରକୃତି ଓ ପରିବେଶକୁ ଅନେକ କିଛି ଉପହାର ସ୍ଵରୂପ ଦେଇଥାଏ ।
ମୁଁ ଏବେ ଫଟୋସିନ୍ଥେସିସ ପ୍ରକିୟାରେ ପଶୁ ଓ ଜୀବଜନ୍ତୁଙ୍କ ବ୍ୟତିତ ତୁମ ମଣିଷ ଜାତି ପାଇଁ ଜୀବନଦାୟୀ ଅମ୍ଳଜାନ ଉତ୍ପାଦନ କରୁଛି। ଆଉ ଟିକେ ପୂର୍ବରୁ ମୁଁ ପରିବେଶରୁ ଅଙ୍ଗାରକାମ୍ଳ ଗ୍ୟାସ ଶୋଷି ନେଉଥିଲି । ଯାହାଫଳରେ ବାୟୁମଣ୍ଡଳରେ ଗ୍ରୀନ ହାଉସ ଗ୍ୟାସ ହ୍ରାସ ପାଉଛି।
ଗଛର ଏକଥା ଶୁଣି ମଣିଷ କହିଲା- କଥା କ'ଣ କି ଗଛ ଭାଇ ! ତୋତେ ମୋ ଜେଜେ ବାପା ଲଗେଇ ଥିଲେ । ତୁ କ'ଣ ତାଙ୍କ ଋଣ ଶୁଝିବୁନୁ କି ! ମଣିଷ ପାଟିରୁ କଥା ନ ସରୁଣୁ ଗଛ କହିଲା- ମୁଁ ତାଙ୍କ ଋଣ ଶୁଝି ଦେଇଛି । ତୁମ ଜେଜେ ଉର୍ବର ମୂର୍ତ୍ତିକାରେ ଚାଷ କରି ସେ ସମୟର ବିଶିଷ୍ଟ ଚାଷୀର ମାନ୍ୟତା ପାଇଥିଲେ । ତୁ ଏକଥା ପାଠ୍ୟପୁସ୍ତକରେ ପଢିଛୁ କି ମୁଁ "ମୃତ୍ତିକା କ୍ଷୟ" ରୋକିଥାଏ । ମୋର ଚେର ସବୁ ମାଟିକୁ ଜାବୁଡ଼ି ଧରିଥାଏ । ଯାହାଫଳରେ ଭୁସ୍ଖଳନ ହୁଏ ନାହିଁ। ମୋର ଏପରି କରିବା ଦ୍ଵାରା ମାଟି ତା'ର ଗୁଣାବଳୀକୁ ବଜାୟ ରଖିଥାଏ।ଗଛ କଥାଟିକୁ ଆଉ ଟିକେ ଅଧିକ ସ୍ପଷ୍ଟ କରିବାକୁ ଯାଇ କହିଲା -ମୁଁ ମୃତ୍ତିକା ଗୁଡ଼ିକୁ ସମୃଦ୍ଧ କରିବାରେ ସହାୟକ ହୋଇଥାଏ । ମୋ ଚେର ସବୁ ମାଟିକୁ ଜାବୁଡିବା ଦ୍ଵାରା ମୃତ୍ତିକା ଜୈବିକ ପଦାର୍ଥ ସଂସ୍ପର୍ଶରେ ଆସି ଏହାର ଉର୍ବରତା ବୃଦ୍ଧି କରିଥାଏ । ଏହି ମାଟିରେ ଅନ୍ୟ ଉଦ୍ଭିଦ ସବୁ ମଧ୍ୟ ବୄଦ୍ଧି ପାଇଥାନ୍ତି। ତୋ ଜେଜେଙ୍କ ସମୟର ଆମ୍ବ ବଗିଚା ସହ ଅନ୍ୟାନ୍ୟ ଫଳ ବଗିଚା ଏହାର ମୂକସାକ୍ଷୀ ଅଟନ୍ତି ।
ଏଇ ସମୟରେ ଆକାଶରେ କଳା ମେଘ ଘୋଟି ଆସିଲା । ପକ୍ଷୀମାନେ ଆଶ୍ରୟ ନେବା ପାଇଁ ଏଇ ଗଛରେ ଥିବା ନିଜ ନିଜ ବସାକୁ ଉଡି ଆସୁଥିଲେ ।ମଣିଷ ଏ ସବୁ ଦୃଶ୍ୟ ଦେଖି କହିଲା- ହଉ ଗଛ ଭାଇ ! ଏବେ ମୁଁ ଯାଉଛି । ମୋ ଆସିବାର ଅଭିପ୍ରାୟ ତୋତେ ପରେ କହିବି । ଗଛ କହିଲା - ମୋ ତଳେ କିଛି ସମୟ ବିଶ୍ରାମ କର । ବର୍ଷା ଛାଡି ଗଲେ ଘରକୁ ଯିବୁ । ଦେଖେ-ଏଇ ପକ୍ଷୀମାନଙ୍କୁ ।ମୁଁ ମଣିଷ ସହ ଅସଂଖ୍ୟ ପ୍ରାଣୀ, କୀଟ ପତଙ୍ଗ ଓ ଅଣୁଜୀବଙ୍କ ପାଇଁ ଖାଦ୍ୟ ,ଆଶ୍ରୟ ଏବଂ ବାସସ୍ଥାନ ଯୋଗାଇଥାଏ । ତୁ ଏଇ ଯଉ ବର୍ଷା ଦେଖୁଛୁ । ଏହା "ଜଳଚକ୍ର" ଯୋଗୁଁ ସମ୍ଭବ ହୋଇଥାଏ ।
"ଜଳଚକ୍ର"ରେ ମୋର ଗୁରୁତ୍ଵପୂର୍ଣ୍ଣ ଭୁମିକା ରହିଛି । ମୁଁ ଜଳୀୟ ବାଷ୍ପକୁ ବାୟୁରେ ଛାଡ଼ିଥାଏ । ଯାହାଫଳରେ ଆକାଶରେ ମେଘ ଓ ବୃଷ୍ଟିପାତ ସମ୍ଭବ ହୋଇଥାଏ । ଖାଲି ସେତିକି ନୁହେଁ ମଣିଷ ଭାଇ ! ତୁ ଯେଉଁ ବିଶୁଦ୍ଧ ବାୟୁ ଗ୍ରହଣ କରୁଛୁ । ତୁ ଜାଣିବା ଦରକାର ମୋ ଯୋଗୁଁ ସମସ୍ତ ବିଶୁଦ୍ଧ ବାୟୁ ମିଳିଥାଏ। କାରଣ ମୁଁ ବାୟୁମଣ୍ଡଳରୁ ପ୍ରଦ୍ୟୁଷକ ପଦାର୍ଥ ଓ କଣିକା ଗ୍ରହଣ କରି ନେଇଥାଏ । ଗଛ ଟିକେ ରହିଯାଇ ପୁଣି କହିବା ଆରମ୍ଭ କଲା । ମୁଁ ଜଳବାୟୁ ନିୟନ୍ତ୍ରକ ଭାବେ ମଧ୍ୟ କାର୍ଯ୍ୟ କରିଥାଏ । ମୁଁ ସମସ୍ତଙ୍କୁ ଛାଇ ପ୍ରଦାନ କରିଥାଏ । ମୁଁ ବାଷ୍ପୀକରଣ ମାଧ୍ୟମରେ ବାୟୁକୁ ଥଣ୍ଡା ରଖେ । ମୁଁ ପବନକୁ ଅଟକାଇ ଥାଏ ଯାହାଫଳରେ ତୋ କ୍ଷେତର ଫସଲ ସବୁ ନଷ୍ଟ ନ ହୋଇ ସୁରକ୍ଷିତ ରହିଥାଏ । ମଣିଷ ଭାଇ ,ତୁ ଜାଣିଛୁ ଆଜିକାଲି ସହରରେ "ଶବ୍ଦ ପ୍ରଦୂଷଣ " ଏକ ସମସ୍ୟା ଭାବେ ଉଭା ହୋଇଛି । ସହରରେ ବୃକ୍ଷରୋପଣ ଆରମ୍ଭ ହେଲାଣି। ସହରବାସୀ ଜାଣି ସାରିଛନ୍ତି ମୁଁ "ଶବ୍ଦ ପ୍ରଦୂଷଣ " ହ୍ରାସ କରିଥାଏ । ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ମୁଁ "ପ୍ରାକୃତିକ ଧ୍ଵନି ପ୍ରତିବନ୍ଧକ " ଭାବେ କାର୍ଯ୍ୟ କରିଥାଏ । ତୁ ଜାଣିଛ୍ନ ସହର ଗାଁ ସବୁଠି ଆମ୍ଭମାନଙ୍କ ଯୋଗୁଁ ପ୍ରାକୃତିକ ଦୃଶ୍ୟପଟରେ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ । ଏହା କବି, ଲେଖକ ଓ ବୁଦ୍ଧିଜିବୀଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇଥାଏ ।
ବୃକ୍ଷର ଜୀବଜଗତ ପ୍ରତି ଏତେ ସବୁ ଉପକାର ଶୁଣି ମଣିଷ ,ଗଛ ଆଡ଼କୁ ଚାହିଁ କହିଲା- ମୋତେ କ୍ଷମା କରି ଦେ ଗଛ ଭାଇ ! ମୁଁ ମୋ ନକରାତ୍ମକ ଚିନ୍ତାଧାରା ପାଇଁ ପ୍ରକୃତରେ ବହୁତ ଅନୁତପ୍ତ । ମୁଁ ନିଜ ସ୍ୱାର୍ଥରେ ଅନ୍ଧ ହୋଇ ତୋର ଶୀର ଛେଦନ କରିବାକୁ ଚାହୁଁଥିଲି । ଆଜି ମୁଁ ନିଜର ଭୁଲ ବୁଝି ପାରିଛି । ମଣିଷର ଏତେ ସବୁ କଥା ଶୁଣି ଗଛ କହିଲା - ଯା, ମଣିଷ ଭାଇ , ଯା !ମୋର ଏହି ବାର୍ତା ସବୁ ତୋ ମଣିଷ ସମାଜକୁ ଦବୁ । ତେବେ ଯାଇ ମୁଁ ବୁଝିବି ତୁ ପ୍ରକୃତରେ ଅନୁତପ୍ତ ।ଏତିକି ବେଳେ ରିମାର ନିଦ ଚାଉଁକିନା ଭାଙ୍ଗିଗଲା । ତା ପାଖରେ ଭୂଗୋଳ ବହିର ପୃଷ୍ଠାସବୁ ଝରକାର ଦଳକାଏ ପବନରେ ଓଲଟି ଯାଇଥିଲା ।
ସେ ଦେଖି ଥିବା ସ୍ୱପ୍ନକୁ ତା ବୋଉକୁ କହିଲା । ରିମା ବୋଉ ତାକୁ କୋଳରେ ଧରି କହୁଥିଲେ-ଆମ ଘର ପଛପଟ ବାଡିରେ ଅଧିକ ଗଛ ଲଗେଇବାକୁ ତୁ ସବୁବେଳେ କହୁଥିଲୁ। ତୋତେ ଭୂଗୋଳ ବହିର ଏଇ ଅଧାୟଟି ଏଥିରେ ସାହାଯ୍ୟ କଲା । ତୋର ସ୍ଵପ୍ନଟି ତୋ ଅବଚେତନ ମନର ପ୍ରତିଫଳନ ଥିଲା । ଆସେ ଆମେ ମିଳିମିଶି ଏହି ସ୍ବପ୍ନକୁ ବାସ୍ତବତାର ରୁପ ଦେବା । ତୁ ସ୍ଵପ୍ନଟିର କଥା ତୋର ସମସ୍ତ ସାଙ୍ଗମାନଙ୍କୁ ନିଶ୍ଚିତ କହିବୁ । ଦେଖିବୁ , ଦିନେ ଏଇ ଧରଣୀ ରାଣୀ ପୁଣି ହସି ଉଠିବ ।
