ଗାଁ ସ୍କୁଲ
ଗାଁ ସ୍କୁଲ
ଗାଁଟିର ନାଁ ସଅରପଡ଼ା। ଗାଁର ପଶ୍ଚିମ ଦିଗରେ ଅଙ୍କା ବଙ୍କା ପଥ ଦେଇ ନଈଟିଏ ବହି ଯାଇଛି। ଗାଁର ଅଧିକାଂଶ ଲୋକ ଧୀବର ଶ୍ରେଣୀର ଥିଲେ ।ସେମାନେ ନଦୀରୁ ମାଛ ଧରି ପାଖ ଗାଁ ହାଟରେ ବିକି ସେମାନଙ୍କ ପରିବାର ଚଳାଉଥିଲେ।ଏହି ଗାଁର କିଛି ବାସିନ୍ଦା ଗୋପାଳନ କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ।ଗାଁର ଅଧିକାଂଶ ଲୋକ ନିରକ୍ଷର ଓ ଗରିବ ଶ୍ରେଣୀର ଥିଲେ।ଗାଁରେ ଏକ ସରକାରୀ ବିଦ୍ୟାଳୟ ଥିଲା ।ବିଦ୍ୟାଳୟରେ ତାଲିମପ୍ରାପ୍ତ ଶିକ୍ଷକମାନେ ଥିଲେ।କିନ୍ତୁ ଗାଁର କିଛି ଲୋକଙ୍କ ବ୍ୟତିତ ଅନ୍ୟ ପରିବାର ସେମାନଙ୍କ ପିଲାମାନଙ୍କୁ ସରକାରୀ ସ୍କୁଲରେ ନାମ ଲେଖାଉ ନଥିଲେ।
ଗାଁର ଯେଉଁ ପରିବାରରେ ସାକ୍ଷର ଓ ପଢୁଆ ଥିଲେ, ସେମାନେ ନିଜ ପିଲାମାନଙ୍କୁ ସଂଧ୍ୟା ସମୟରେ ପାଠ ପଢାରେ ସାହାଯ୍ୟ କରୁଥିଲେ।ଯେଉଁ ପରିବାରରେ ନିରକ୍ଷର ଥିଲେ ,ସେମାନେ ସର୍ବଦା ସରକାରି ସ୍କୁଲର ସାର ଗୁରୁମାମାନଙ୍କୁ ଦୋଷ ଦେଇ କହୁଥିଲେ -ଗାଁ ସରକାରୀ ସ୍କୁଲରେ ପାଠପଢା ହେଉନି। ସେମାନେ ସାର୍ ଓ ମିଶ୍ ମାନଙ୍କୁ ଏମିତି ଦୋଷ ଓ ନିନ୍ଦା କରିବା ସହ ସେ ଗାଁ ସ୍କୁଲକୁ ସେମାନଙ୍କ ପିଲାଙ୍କୁ ପଠେଇଲେ ନାହିଁ । କ୍ରମେ ପିଲା ସଂଖ୍ୟା କମ ହେବାରୁ କିଛି ଦିନ ପରେ ସେ ସ୍କୁଲଟି ବନ୍ଦ ହୋଇଗଲା ।
ଏଥର ଗାଁର କିଛି ଧନିକ ଶ୍ରେଣୀର ଲୋକେ ସେମାନଙ୍କ ପିଲାମାନଙ୍କୁ ପାଖ ବେସରକାରି ସ୍କୁଲକୁ ପଠଉଥିଲେ ।ବେସରକାରି ସ୍କୁଲ କର୍ତୁପକ୍ଷ ସ୍କୁଲ ୟୁନିଫର୍ମ,ସ୍କୁଲ ବହିପତ୍ର ଆଦିର ଆଳ ଦେଖାଇ ସ୍କୁଲରେ ନାମଲେଖା ଫି ବଢାଇ ଦେଲେ ।ଯାହାଫଳରେ ସେ ଗାଁର ଗରିବ ଲୋକମାନେ ସେମାନଙ୍କ ପିଲାମାନଙ୍କୁ ଉକ୍ତ ସ୍କୁଲରେ ନାମ ଲେଖାଇ ପାରିଲେ ନାହିଁ।ଯେଉଁ ଗରିବ ପରିବାର ନାମ ଲେଖାଇ ଥିଲେ, ନିରକ୍ଷର ଥିବାରୁ ସେମାନଙ୍କ ପିଲାମାନଙ୍କୁ ସଂଧ୍ୟାରେ ପାଠରେ ସାହାଯ୍ୟ କରି ପାରିଲେ ନାହିଁ।ସେମାନେ ପିଲାମାନଙ୍କୁ ଟିଉସନ ପଠେଇ ତାଙ୍କ କର୍ତବ୍ୟ ଶେଷ ହେଲା ବୋଲି ଭାବିବାକୁ ଲାଗିଥିଲେ।ଏପଟେ ଟିଉସନ ସାରମାନେ ପିଲାଙ୍କୁ ଘରକୁ ଯେଉଁ ପାଠ ଦେଉଥିଲେ,ଘର ଲୋକ , ପିଲାମାନଙ୍କୁ ସେ ପାଠରେ ସାହାଯ୍ୟ କରି ପାରିଲେ ନାହିଁ।ଯାହାଫଳରେ ସେ ଗାଁର ଅଧିକାଂଶ ପିଲା ମାଟ୍ରିକ ପରୀକ୍ଷାରେ ଭଲ କରି ପାରିଲେ ନାହିଁ ।
ଏବେ ଗାଁ ଲୋକଙ୍କ ଚେତା ପଶିଲା ।ସେମାନେ ସରକାରୀ ସ୍କୁଲ ଶିକ୍ଷକଙ୍କ କଥା ମନେ ପକାଉଥିଲେ ।ହେଲେ କ'ଣ ହେବ ଗାଁ ସ୍କୁଲଟି ସମ୍ପୁର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଗାଁରେ ପୁଣି ସରକାରୀ ସ୍କୁଲ ଖୋଲିବା ପାଇଁ ଗାଁ ଲୋକେ ବ୍ଲକରୁ ଜିଲ୍ଲା ଓ ଜିଲ୍ଲାରୁ ବ୍ଲକ ଦୌଡି ଦୌଡି ନୟାନ୍ତ ହୋଇ ଯାଇଥିଲେ ।
