ପରିବେଶ ଅଧ୍ୟୟନ
ପରିବେଶ ଅଧ୍ୟୟନ
ନୂତନ ଶିକ୍ଷାବର୍ଷର ପ୍ରଥମ କ୍ଲାସ ନେହା ପାଇଁ ସ୍ବତନ୍ତ୍ର ଥିଲା।ସେ ସ୍କୁଲ ଶିକ୍ଷା ସମାପନ କରି କଲେଜରେ ପାଦ ଥାପି ଥିଲା।
କଲେଜର ହଲ୍ ନଂ ୩ ରେ ତା'ର ପ୍ରଥମ କ୍ଲାସ୍ ରେ 'ପରିବେଶ ଅଧ୍ୟୟନ' ବିଷୟ ଅଧ୍ୟାପିକା ଡଃ ମହାପାତ୍ର ପଢାଉଥିଲେ।ଏହି କ୍ଲାସକୁ ନେଇ ନେହା ଦ୍ବନ୍ଦ୍ବରେ ଥିଲା।ସେ ତା ବଡ ଭଉଣୀଠୁ ଶୁଣିଥିଲା କଲେଜରେ କଳା,ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ 'ପରିବେଶ ଅଧ୍ୟୟନ' ବିଷୟ ରହିଥିଲେ ମଧ୍ୟ ଏହାର କେବେ କ୍ଲାସ୍ ଓ ପରୀକ୍ଷା ହୁଏ ନାହିଁ।
ନେହା ପରିବେଶ ପ୍ରେମୀ ଝିଅ ଥିଲା।ପିଲାବେଳୁ ସେ ପରିବେଶ ବିଜ୍ଞାନରେ ତା'ର ବିଶେଷ ଋଚି ଥିଲା।ହାଇସ୍କୁଲ ଦିନ ଗୁଡିକରେ ତା'ର ପରିବେଶ ସମ୍ବନ୍ଧୀୟ ପ୍ରକାଶିତ ଅନେକ ଲେଖା ବିଭିନ୍ନ ପତ୍ରପତ୍ରିକାର ସମ୍ପାଦକ ମଣ୍ଡଳୀ ଓ ପାଠକ ପାଠିକା ମାନଙ୍କ ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲା।
ଏବେ କଲେଜ୍ ର ଏହି 'ପରିବେଶ ଅଧ୍ୟୟନ' କ୍ଲାସଟି ତାକୁ ବହୁତ ଭଲ ଲାଗୁଥିଲା।ଏଇ ସମୟରେ ପ୍ରଫେସର ମାଡାମ୍ ନେହାକୁ ପରିବେଶ ଉପରେ କିଛି କହିବା ପାଇଁ ଡାଇସ୍ କୁ ଡାକିଥିଲେ।
ମାଡାମଙ୍କ ଆମନ୍ତ୍ରଣରେ ନେହା ବେଶ ଉତ୍ସାହିତ ହୋଇ ସାମନାରେ ବସିଥିବା ତା'ର ସମସ୍ତ ସହପାଠୀମାନଙ୍କୁ ଉଦବୋଧନ ଦେଇ କହୁଥିଲା- ବନ୍ଧୁଗଣ ! 'ପ୍ରକୃତି ବନାମ ମଣିଷ' ବିଷୟଟି ସାମ୍ପ୍ରତିକ ପରିସ୍ଥିତିରେ ଏକ ଗୁରୁତ୍ବପୁର୍ଣ ପ୍ରସଙ୍ଗ ପାଲଟିଛି।ସତରେ ଆପଣମାନେ କୁହନ୍ତୁ ତ ଏ ପ୍ରକୃତି ପାଇଁ ଆମେ ଲୋଡା ! ନା ଆମ ପାଇଁ ପ୍ରକୃତି ଲୋଡା ।ଏହି କଥାକୁ ଭଲ ଭାବରେ ବୁଝାଇବା ପାଇଁ ନେହା କହୁଥିଲା- ମିଲିୟନ ମିଲିୟନ ବର୍ଷ ପୁର୍ବରୁ ପ୍ରକୃତିରେ ଅନ୍ୟ ଜୀବ ଜନ୍ତୁ ରହିଥିଲେ।କିନ୍ତୁ ମଣିଷର ସତ୍ତା ନଥିଲା।ଯେବେଠୁ ମଣିଷ ଆବିର୍ଭାବ ହେଲା,ସେ ନିଜର ଆବଶ୍ୟକତା ପୁରଣ କରିବା ପାଇଁ ଗଛଗୁଡିକୁ କାଟିବା ଆରମ୍ଭ କରି ଥିଲା।
ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରକୃତ୍ର କୋଳରେ ଜନ୍ମ ନେଇ ଥିବା ଏକମାତ୍ର ଏହି ପ୍ରାଣୀଟି ପୃଥିବୀର ସବୁଠାରୁ ସ୍ବାର୍ଥପର ପ୍ରାଣୀର ଆଖ୍ୟା ଅର୍ଜନ କରିଛି। ଦୁଇରୁ ତିନି ମିଲିୟନ ବର୍ଷରୁ ମଣିଷ ସୃଷ୍ଟି ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ସେ ଗଛ କାଟିବା ଜାରି ରଖିଛି।ତଥାପି ତା'ର ଆବଶ୍ୟକତା ପୁରଣ ହୋଇ ପାରୁନି।
ନେହା କଥାରେ ମିନା କହୁଥିଲା-ନେହା ! ତୁମେ ଭୁଲି ଯାଉଛ ,ପୃଥିବୀର ଶ୍ରେଷ୍ଠ ସାମାଜିକ ପ୍ରାଣୀ ହେଉଛି ଏ ମଣିଷ।ଏ ସଭ୍ୟତାର ଉନ୍ନତି ମଣିଷମାନଙ୍କ ଯୋଗୁଁ ସମ୍ଭବ ହୋଇଛି।ମୀନା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନେହା କହୁଥିଲା-ସାଙ୍ଗ!ମାନବ ସଭ୍ୟତାର ଯାହା ବି ଉନ୍ନତି ଘଟିଛି,ସେସବୁ ଆମେ ଗ୍ରହଣ କରିବା।କିନ୍ତୁ ଅବିଚାରିତ ଭାବରେ ହଜାର ହଜାର ଏକର ଜଙ୍ଗଲ ଧ୍ବଂସ କରି ଏହି ଉନ୍ନତି କରିବାରେ କି ଲାଭ ?ଆଜି ଏହାର କୁପରିଣାମ ଆମ ସହ ଅନ୍ୟ ଜୀବଜନ୍ତୁମାନଙ୍କୁ ମଧ୍ୟ ଭୋଗିବାକୁ ପଡୁଛି।
ବନ୍ୟା ,ବାତ୍ୟା ,ମରୁଡି,ପ୍ରଦୂଷଣ ,ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଅଂଶୁଘାତ ଭଳି ପରିସ୍ଥିତି ସୃଷ୍ଟି ପାଇଁ ଦାୟୀ କିଏ ! ! !ଏକଥା ଆମେ କାହାକୁ କହିବା ! ଶୁଣିବ କିଏ !
ନେହାର ଏମିତି ଅନେକ ପ୍ରଶ୍ନବାଣରେ ହଲ୍ ଟି ସ୍ତବ୍ଧ ହୋଇ ଯାଇଥିଲା।ପ୍ରଫେସର ମାଡାମ କହୁଥିଲେ-ନେହା ର ସବୁ କଥା ଆମ୍ଭମାନଙ୍କ ପାଇଁ ଉଚିତ ଶିକ୍ଷା ହେଉ।ଆଧୁନିକତା ନାମରେ ବୃକ୍ଷ ଛେଦନ ଯଦି ଜରୁରୀ ତେବେ ତା ପାଇଁ ବି ବୃକ୍ଷରୋପଣ ଯୋଜନାର ଆବଶ୍ୟକତା ରହିଛି।ସମ ପରିମାଣର ବୃକ୍ଷରୋପଣର ମଧ୍ୟ କରାଯିବା ଏବେ ଜରୁରୀ ହୋଇ ପଡିଛି।ପିଲାଏ ମୁ ନିଜେ ନେହାର ପରିବେଶ ସମ୍ବନ୍ଧୀୟ ବହୁତ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପଢିଛି। ଆମ୍ଭେମାନେ ସମସ୍ତେ ଏଭଳି ଅନେକ ଲେଖା ପଢିବା ଉଚିତ।ଏହିସବୁ ଲେଖାକୁ ନେଇ ତୁମ୍ଭେମାନେ ପରିବେଶ ସମ୍ବନ୍ଧୀୟ ପ୍ରକଳ୍ପ ପ୍ରସ୍ତୁତ କିପରି ପ୍ରସ୍ତୁତ କରି ପାରିବ ।ସେ ବିଷୟରେ ଆମେ ଆଗାମୀ ଦିନରେ ଜାଣିବା
।ଏହି କ୍ଲାସ୍ ଟି କଳା ବାଣିଜ୍ୟ ଓ ବିଜ୍ଞାନ ବିଭାଗ ପିଲାମାନଙ୍କ ପାଇଁ ଏକ ଜଏଣ୍ଟ କ୍ଲାସ୍ ଅଟେ। ପୁର୍ବ ଭଳି ଆମ କଲେଜରେ ଆଉ 'ପରିବେଶ ଅଧ୍ୟୟନ' କ୍ଲାସକୁ ଅଣଦେଖା କରା ଯିବନି।ମଣିଷମାନଙ୍କ ଅଣଦେଖା ଯୋଗୁଁ ପରିବେଶ ଦିନକୁ ଦିନ ବିଗିଡାବାରେ ଲାଗିଛି।ପ୍ରକୃତିରାଣୀ ତା'ର ଦାଉ ସାଧୁଛି।
ଏହି ପ୍ରକଳ୍ପର ଅଂଶ ସ୍ବରପ ସମସ୍ତ ପିଲାମାନଙ୍କୁ ଏକ ପରିବେଶ ଆକାଉଣ୍ଟ ନମ୍ବର ଥିବା ଖାତା ଦିଆ ଯିବ।ସମସ୍ତ ପିଲା 'ପରିବେଶ ଯୋଦ୍ଧା' ସାଜି କେଉଁ ଅଂଚଳରେ କେତେ ବୃକ୍ଷରୋପଣ କଲେ।ଏହାର ଯତ୍ନ ନେବା ପାଇଁ କେଉଁ କେଉଁ ସଂଗଠନ ଓ ସ୍ବେଚ୍ଛାସେବୀମାନଙ୍କୁ ସାମିଲ କଲେ।ପ୍ରତି ଗଛକୁ ସ୍ବତନ୍ତ୍ର ସଂଖ୍ୟାଭିତ୍ତିକ କୋଡ ନମ୍ବର ଦିଆ ଯାଇ ସେସବୁ ଉକ୍ତ ଆକାଉଣ୍ଟ ନମ୍ବର ଥିବା ଖାତାରେ ଉଲ୍ଲେଖ କରାଯିବ।ବର୍ଷ ଶେଷରେ ଉକ୍ତ ଗଛ ଗୁଡିକର ପରିଦର୍ଶନ କରାଯାଇ ପିଲାମାନଙ୍କୁ ଶେଷ ନମ୍ବରର ପ୍ରତିଶତ ଅନୁଯାଇ ଗ୍ରେଡ୍ ପ୍ରଦାନ କରାଯିବ।ଏହି ଗ୍ରେଡ ସମସ୍ତ ପିଲାଙ୍କ ପ୍ରମାଣପତ୍ରରେ ଉଲ୍ଲେଖ ରହିବ ।
ମାଡାମଙ୍କ ପରିବେଶ ସମ୍ବନ୍ଧୀୟ ଏତେ ସବୁ ଯୋଜନା ଶୁଣି ପିଲାମାନେ ବେଶ ଖୁସି ଥିବା ଜଣା ପଡୁଥିଲେ।
