STORYMIRROR

TASNEEM SULTANA LADLEE

Children Stories

4  

TASNEEM SULTANA LADLEE

Children Stories

ସାହାଯ୍ୟର ହାତ

ସାହାଯ୍ୟର ହାତ

3 mins
7


ମୀରା ବାପା ଶିକ୍ଷକତା କରନ୍ତି ।ସେଦିନ ଶନିବାର ଥାଏ । ତା ବାପା ସ୍କୁଲରୁ ଫେରି ନଥାନ୍ତି। ମୀରା ଘର କଲିଂ ବେଲ୍ ବାଜି ଉଠିଲା । ମୀରା ଗେଟ୍ ଖୋଲି ଦେଖେ ତ ରାଜୁ ଦାଦା ବାପାଙ୍କୁ ଖୋଜୁ ଥିଲେ । ବାପା ସ୍କୁଲରୁ ଫେରି ନାହାନ୍ତି ବୋଲି ମୀରା କହିବା ସହ ତାଙ୍କୁ ଘରକୁ ଡାକିଲା । ବାପା ଘରକୁ ଆସିଲେ ମୁଁ ଆସିବି କହି ରାଜୁ ଦାଦା ଫେରିଗଲେ । ରାଜୁ ଦାଦାଙ୍କ ଶ୍ୱଶୁର ଘର  ପାଖରେ ମୀରା ବାପା ପରିବାର ସହ ଭଡ଼ା ଘରେ ରହୁଥିଲେ । 


ମୀରା ଭାବନା ରାଇଜରେ ବୁଡ଼ି ଯାଇଥିଲା । ସେ ଅଧିକାଂଶ ସମୟ ରାଜୁ ଦାଦାଙ୍କୁ ଶ୍ୱଶୁର ଘରେ ରହୁଥିବାର ଦେଖୁଥିଲା। ସେ କୌଣସି କାମଧନ୍ଦା କରୁ ନଥିଲେ ।ମୀନା ଖୁଡ଼ି ବାପା ମାଆଙ୍କ ଏକମାତ୍ର ଅଲିଅଳି ଝିଅ ଥିଲେ । ପିଲାଦିନୁ ସେ ବହୁ ଗେହ୍ଲାରେ ବଢ଼ିଥିଲେ । ଶ୍ୱଶୁରଙ୍କ ପେନସନ ରେ ରାଜୁ ଦାଦା ଚଳି ଯାଉଥିଲେ । 


ଏଇ ସମୟରେ କଲିଂ ବେଲ୍ ବାଜି ଉଠିଲା । ମୀରା ଗେଟ୍ ଖୋଲି ତା ବାପାଙ୍କୁ ଗିଲାସେ ପାଣି ଆଣି ଦେଲା । ବାପାଙ୍କ ପଛେ ପଛେ ରାଜୁ ଦାଦା ଆସି ପହଞ୍ଚିଥିଲେ।ସେ ବାପାଙ୍କଠୁ ଦୁଇ ହଜାର ଧାର ନେଇ ସପ୍ତାହକ ମଧ୍ୟରେ ଫେରେଇ ଦେବେ ବୋଲି ବାପାଙ୍କୁ କହିଥିଲେ ।ସପ୍ତାହକ ପରେ ମୀରା ବାପାଙ୍କୁ କମ୍ପୁଟର କ୍ଲାସ ଫି ମାଗିବାରୁ ତା ବାପା ଆର ମାସରେ ଦେବାକୁ କହିଥିଲେ । ମୀରା ,ରାଜୁ ଦାଦାଙ୍କଠୁ ଆଣି ଦେବାକୁ କହିବାରୁ ତା ବାପା ତା ଉପରେ ଅସନ୍ତୁଷ୍ଟ ହେଲେ ।ମୀରା ବାପା, ମାଆକୁ କହୁଥିଲେ - ରାଜୁ ନିଅଣ୍ଟିଆ ଲୋକ । ତା ଶ୍ଵଶୁରଙ୍କ ମୃତ୍ୟୁ ପରେ ଶାଶୁଙ୍କ ଏପର୍ଯ୍ୟନ୍ତ ପେନସନ ପାଇଁ ଅଫିସ୍ କାଗଜପତ୍ର ହୋଇନି । ରାଜୁ ପଇସା କଉଠୁ ଆଣିକି ଦେବ ?ମୀରା ବାପାଙ୍କ କଥାରେ ମାଆ ବିରକ୍ତ ହୋଇ କହୁଥିଲା - ତା ବୋଲି କ'ଣ ସେ ଧାର କରଜ କରି ଚଳିବ !ବାପା ମାଆଙ୍କ କଥା ମୀରା ଶୁଣୁଥିଲା । ରାଜୁ ଦାଦାଙ୍କ ପାଇଁ ସେ ଚିନ୍ତିତ ମଧ୍ୟ ଥିଲା । 


ରାଜୁ ଦାଦାଙ୍କ ସମ୍ମାନର ବଂଚିବା ପାଇଁ ସେ ମନେ ମନେ ଯୋଜନା କରିଥିଲା ।ଯୋଜନା ଅନୁସାରେ ସେ ଆର ଦିନ ରାଜୁ ଦାଦାଙ୍କୁ ବ୍ୟାଙ୍କକୁ ନେଇଥିଲା । ବ୍ୟାଙ୍କ ମ୍ୟାନେଜରଙ୍କୁ କହି ଆଳୁ ବ୍ୟବସାୟ ପାଇଁ ଦଶ ହଜାର ଟଙ୍କାର ଋଣ  ବ୍ୟବସ୍ଥା କରିଥିଲା ।

ସେଇ ଟଙ୍କାରୁ ରାଜୁ ଦାଦା ଡିଜିଟାଲ ଦଣ୍ଡି ଓ ଠେଲା ଗାଡି କିଣିଥିଲେ । ମୀରା ବାପାଙ୍କ ଜଣେ ବନ୍ଧୁ ଶଙ୍କର ମଉସାଙ୍କ ବଜାରରେ ଛୋଟ ପରିବା ଗୋଦାମ ଥିଲା । ମୀରା ତାଙ୍କଠୁ ଦୁଇ ବସ୍ତା ଆଳୁ ବାକିରେ ଉଠାଇ ରାଜୁ ଦାଦାଙ୍କୁ ଦେଲା । ରାଜୁ ଦାଦା ଏହି ଆଳୁ ସବୁ ଠେଲାଗାଡିରେ ବୁଲି ବୁଲି ବିକ୍ରି କରିବାକୁ ଲାଗିଲେ । ସେଥିରୁ ଯେଉଁ ଲାଭ ମିଳୁଥିଲା ଅନ୍ୟ ପନିପରିବା ଆଣି ସାପ୍ତାହିକ ଗାଁ ହାଟରେ ମଧ୍ୟ ସେ ବିକ୍ରି କରୁଥିଲେ । ଏଥର ତିନିମାସ ପରେ ମୀରା ପ୍ରତି ସପ୍ତାହରେ ରାଜୁ ଦାଦାଙ୍କ ପାଖରେ ହୀସାବ ଖାତା ଧରି ହାଟରେ ପହଞ୍ଚି ତାଙ୍କଠୁ କିଛି କିଛି ଟଙ୍କା ଆଣି ତା ବାପାଙ୍କ ବନ୍ଧୁ ଶଙ୍କର ଅଙ୍କଲଙ୍କ ବାକିରେ ଆଣିଥିବା ଆଳୁ ଟଙ୍କା ସୁଝିବା ସହ ବ୍ୟାଙ୍କ ଋଣ ମଧ୍ୟ ସୁଝୁଥିଲା ।


ବର୍ଷେ ନ ପୁରୁଣୁ ବ୍ୟାଙ୍କ ଋଣ ସୁଝି ଥିବାରୁ ବ୍ୟାଙ୍କ ମ୍ୟାନେଜର ରାଜୁ ଦାଦା ଉପରେ ବହୁତ ଖୁସି ଥିଲେ ।

ଆଜି ରାଜୁ ଦାଦା ଅଂଚଳର ଜଣେ ଜଣାଶୁଣା ପରିବା ବ୍ୟବସାୟୀ ।ବ୍ୟାଙ୍କର ପ୍ରତିଷ୍ଠା ଦିବସରେ ମ୍ୟାନେଜର ଉପସ୍ଥିତ ବ୍ୟାଙ୍କ ଉପଭୋକ୍ତାଙ୍କ ସମ୍ମୁଖରେ ରାଜୁ ଦାଦାଙ୍କ ସଫଳତା ପଛରେ ଝିଆରୀ ମୀରାର କାହାଣୀ ବଖାଣି ଥିଲେ । ଏଥିସହ ମୀରର ପ୍ରସ୍ତାବରେ ଗାଁରେ ସ୍ଥାୟୀ ପରିବା ଭେଣ୍ଡିଙ୍ଗ ଜୋନ୍‌(ପନିପରିବା କ୍ୟାବିନ) ଓ ଛୋଟ "ଶୀତଳ ଭଣ୍ଡାର " ପ୍ରତିଷ୍ଠା କରିବା ପାଇଁ ଏକ ମହିଳା ଗୋଷ୍ଠୀକୁ ଋଣ ପ୍ରଦାନ କରିଥିଲେ । ଯାହାଫଳରେ ଗାଁରେ ଚାଷ ହେଉଥିବା ପନିପରିବା ଆଉ ନଷ୍ଟ ନ ହୋଇ ଶୀତଳ ଭଣ୍ଡାରରେ ଅନେକ ଦିନ ପର୍ଯ୍ୟନ୍ତ ମହଜୁଦ ରହିପାରୁ ଥିଲା । ମୀରାର ପ୍ରଚେଷ୍ଟାରେ ରାଜୁ ଦାଦାଙ୍କ ସହ ଗାଁର ସାଧାରଣ ଚାଷୀ ଓ ମହିଳାମାନେ ବିଶେଷ ଉପକୃତ ହୋଇଥିବାରୁ ପଞ୍ଚାୟତ ତରଫରୁ ମୀରାକୁ ସମ୍ମାନିତ କରାଯାଇଥିଲା ।


ମୀରା କହୁଥିଲା - ଗାଁରେ ମାଛ ଗୋଦାମ,କୁକୁଡ଼ା ଫାର୍ମ , ଶୀତଳ ଭଣ୍ଡାର ଆଦି ସୁବିଧା ମିଳିଲେ ଗାଁ ଲୋକ ଆଉ ମହଙ୍ଗା ମାଡ଼ ସହିବେନି ।ସେମାନଙ୍କ ଦ୍ରବ୍ୟ ସହରରେ ମଧ୍ୟ ସହଜରେ ପଠେଇ ହେବ । ଆଉ ଆମକୁ ପଡୋଶୀ ରାଜ୍ୟକୁ ଅଣ୍ଡା ,ଆଳୁ କି ମାଛ ପାଇଁ ହାତ ପତେଇବାକୁ ପଡିବନି ।




Rate this content
Log in