ନୀରବତାର ସ୍ଵର
ନୀରବତାର ସ୍ଵର
ଅଷ୍ଟ୍ରେଲିଆ ନିବାସୀ ନରେନ୍ଦ୍ର ମିଶ୍ର ଦୀର୍ଘ କୋଡିଏ ବର୍ଷ ପରେ ଜନ୍ମ ମାଟିରେ ମାନେ ଗାଆଁରେ ପଦାର୍ପଣ କରିଛନ୍ତି । ସାଥିରେ ଅଛନ୍ତି ବିଦେଶୀ ପତ୍ନୀ ମାରିଆ ( ପରିବର୍ତ୍ତିତ ନାମ ମୀରା ) ଓ ପୁଅ ଆଶିଷ ।
ପିତା ବନବିହାରୀ ମିଶ୍ର ଓ ମାତା କନକଲତାଙ୍କ ତୃତୀୟ ପୁତ୍ର ନରେନ୍ଦ୍ର । ଗାଆଁର ଜମିଦାର ପରିବାର ଥିଲା ତାଙ୍କର । ପିତା ମାତା, ଚାରି ଭାଇ ଏବଂ ଏକମାତ୍ର ଭଗିନୀ ସୁଶୀଳାକୁ ନେଇ ହସି ଉଠୁଥିଲା ଅଗଣା ।
ବିରାଟ ଘର.... ମଝିରେ ବଡ ଅଗଣା.... ଦାଣ୍ଡ ପଟେ ବଡ଼ ହତା ଓ ବାଡି ପଟେ ଏକର ଏକର ନଡ଼ିଆ, ଆମ୍ବ, ପଣସ, ପିଜୁଳି, ଜାମୁକୋଳିର ବାଡ଼ି ଓ ସେ ବାଡ଼ି ମଝିରେ ଗଡିଆଟିଏ.... ଯୋଉଠି ମାଛ ଚାଷ ହୁଏ । ସେ ଗଡିଆରେ ଗାଆଁ ମାଇପେ ବାସନ ମାଜନ୍ତି, ଗାଧାନ୍ତି ଓ ସେଇ ପାଣି ନେଇ ରୋଷେଇ କରନ୍ତି ।
ପିଲା ମାନେ ବଡ଼ ହେଉଥାନ୍ତି ଓ ବନବିହାରୀ ବୁଢା । ସେ ତୋଳିଥିବା ବସାକୁ ଛାଡି ଉଡିବାକୁ ତୟାର ହେଉଥାନ୍ତି ପିଲାଏ । କନକଲତାଙ୍କ ମନ କଷ୍ଟ ହେଉଥାଏ । କିନ୍ତୁ ବନବିହାରୀ ବୁଝେଇ ଦେଇଥାନ୍ତି ଏଇ ତ ପ୍ରକୃତିର ନିୟମ । ପର ଲାଗିବ, ପକ୍ଷୀ ଉଡିବ । ନା ତାକୁ ରୋକି ହେବ ନା ରୋକିବା ଉଚିତ ।
ବଡ଼ ପୁଅ ମହେନ୍ଦ୍ର ଆଇ ଏ ଏସ୍ ପାଇ ଚାକିରୀ ପାଇଁ ସବୁବେଳେ ଭାରତର ଭ୍ରମଣରେ । ବର୍ଷରେ ଥରେ ନନା ବୋଉକୁ ଭେଟିବାକୁ ଆସନ୍ତି ଛୁଟି ନେଇ ଅତି ବେଶୀରେ ସପ୍ତାହେ ।
ଦ୍ୱିତୀୟ ପୁଅ ଜିତେନ୍ଦ୍ର ଆମେରିକାରେ କମ୍ପାନୀରେ ଉଚ୍ଚ ପଦବୀ ମଣ୍ଡିତ । ସେ ବି ଦୁଇ ବର୍ଷରେ ପନ୍ଦର ଦିନ ପାଇଁ ଆସନ୍ତି ।
ତୃତୀୟ ନରେନ୍ଦ୍ର... ଦିଲ୍ଲୀରେ ବଡ ଡାକ୍ତର... ସମୟର ଅଭାବ ଭିତରେ ବି ଭୁବନେଶ୍ୱର ଆସିଲେ... ଗାଆଁକୁ ଆସି ଦିନେ ରହି ନନା ବୋଉ ସହ ସମୟ କାଟି ଫେରନ୍ତି ।
ଚତୁର୍ଥ ନମ୍ବର ଝିଅ ସୁଶୀଳା .... ଜଣେ ବଡ଼ ଇଣ୍ଡଷ୍ଟ୍ରିଆଲିଷ୍ଟ ତଥା ରାଜନେତାଙ୍କ ଧର୍ମପତ୍ନୀ । ଝିଅ ବର୍ଷରେ ଚାରି ଛଅ ଥର ଆସେ କିନ୍ତୁ ରହିବା ପ୍ରାୟ ନାହିଁ । ଆସିବ... ଚାରି ଛଅ ଘଣ୍ଟା ରହି ଫେରିଯାଏ ।
ସବା ସାନ ... ସୁରେନ୍ଦ୍ର । ଅକ୍ସଫୋର୍ଡ ୟୁନିଭରସିଟିରେ ପ୍ରଫେସର । ସବୁବେଳେ ଏକ୍ସପେରିମେଣ୍ଟରେ ବିଜି । ବର୍ଷରେ ଥରେ ନନା ବୋଉଙ୍କ ପାଖକୁ ଫ୍ଲାଇଟ୍ ଟିକେଟ ପଠାଇ ନିଜ ପାଖକୁ ନେଇ ଯାଏ ।
ଧୀରେ ଧୀରେ ସଭିଙ୍କ ପରିବାର ବଢିଲା... କାର୍ଯ୍ୟ ବ୍ୟସ୍ତତା ବଢିଲା... ଗାଆଁକୁ ଆସିବା କମିଲା । ଯିଏ ଯାହା ଚାକିରି ସ୍ଥାନରେ ନିଜ ଦୁନିଆ ବସେଇ ନେଲେ । ନରେନ୍ଦ୍ର ଦିଲ୍ଲୀରୁ ଅଷ୍ଟ୍ରେଲିଆ ଗଲା ପରେ ସେଠି ମାରିଆ ପ୍ରେମରେ ପଡିଗଲେ । ଖ୍ରୀଷ୍ଟିଆନ ଝିଅ ତାଙ୍କ ଘର ବୋହୂ ହୋଇନପାରେ ବୋଲି ବନବିହାରୀ ଜଣାଇ ଦେଲେ... କିନ୍ତୁ କନକଲତାଙ୍କ ବୁଝାସୁଝା ପରେ ଗାଆଁକୁ ଆସି ମାରିଆ ମୀରା ହେଇ ନରେନ୍ଦ୍ର ସହ ବିବାହ ହେଲା ।
ନନା ବୋଉ ଏ ଗାଆଁ ମାଟି ଛାଡି କୁଆଡେ ଗଲେନି । ବୋଉ ଆଖି ମୁଜିବା ପରେ ନନାଙ୍କୁ ଯେତେ ବୁଝେଇଲେ ବି ପୁଅମାନଙ୍କ ପାଖକୁ ଗଲେନି । ସେହି ଘରେ କନକଲତାଙ୍କ ସ୍ମୃତି ସହ ରହିଲେ । ଅବଶ୍ୟ ଚାକର ପୂଜାରୀ ସବୁ ଥିଲେ । କିନ୍ତୁ ପୁଅ ଝିଅ, ନାତି ନାତୁଣୀଙ୍କୁ ଦେଖିଲେ ହସି ଉଠୁଥିଲେ ।
ବୋଉ ଯିବାର ପାଞ୍ଚ ବର୍ଷ ପରେ ନନା ଗଲେ । ଆଉ ତା ପରଠାରୁ ଗାଆଁ ଘର ଶୂନ୍ୟ... ପ୍ରାୟ କେହି ଗାଆଁକୁ ଆସନ୍ତି ନାହିଁ । ରଇତ ମାନେ ଧାନ ଜମି ଚଷି, ବାଡ଼ି କଥା ବୁଝି ଚଳିଲେ । କେବେ କିଏ ଆସିଲେ ଗାଆଁ ବାଡ଼ି ପଇଡ଼ ପିଇ ଖୁସି ହେଇ ଯାଆନ୍ତି ।
ରକ୍ଷଣାବେକ୍ଷଣ ଅଭାବରୁ ଘର ଆସ୍ତେ ଆସ୍ତେ ଭୁଷୁଡି ପଡିବା ଅବସ୍ଥାରେ ।
ପୁଅ ଆଶିଷ ଏବେ ଭିଲେଜ୍ କଲଚର୍ ଉପରେ ଥେସିସ୍ ଲେଖୁଛି । ନିଜ ଗାଆଁ ଠାରୁ ଅଧିକ ଆଉ କୋଉଠି ମିଳିବ । ତେଣୁ ପୁଅକୁ ନେଇ କୋଡିଏ ବର୍ଷ ପରେ ଗାଆଁକୁ ଆସିଛନ୍ତି ।
ସନ୍ଧ୍ୟା ହେଇ ଆସିବାରୁ ମୀରା ଓ ଆଶିଷକୁ ଭୁବନେଶ୍ୱର ହୋଟେଲରେ ରହିବାକୁ ପଠାଇ ଦେଲେ । ନିଜେ ରହିଲେ ଗାଆଁର ସେ ପରିତ୍ୟକ୍ତ ଘରେ ।
ଦିକଦିକ୍ ଜଳୁଥିଲା ବିଜୁଳି । ରଇତ ଗଦା ତା ଘରୁ ଷ୍ଟାଣ୍ଡ ଫ୍ୟାନଟେ ଆଣି ଲଗେଇ ଦେଲା । ଗାଆଁ ମନ୍ଦିର ମଣ୍ଡପ ଆଡୁ ଘେରେ ବୁଲି ପିଲାଦିନର ସାଙ୍ଗମାନଙ୍କ ସହ ଗପି ନଅଟା ରାତିରେ ଘରକୁ ଫେରିଲେ । ପଡିଶା ଘର ନୀରୁ ଖୁଡିଙ୍କ ବୋହୂ ସୁଷମା ଭାଉଜ ସରୁ ଚକୁଳି, ମଟର ତରକାରୀ, ଛେନାପୋଡ ଓ କ୍ଷୀର ଗିଲାସେ ଆଣି ଦେଲେ ।
ଆଃ କି ତୃପ୍ତି... ଗାଆଁ ଲୋକଙ୍କ ଆତ୍ମୀୟତା ଓ ହାତରନ୍ଧା ସ୍ଵାଦ ଆଗରେ ସବୁ କିଛି ଫିକା ।
ରାତି ବଢୁଥାଏ । ଗାଆଁରେ ସଭିଏଁ ଶୋଇ ପଡିଲେଣି । ଚାରିଆଡ଼େ ନିରବତାର ରାଜୁତି । ନିରବତା ଭଙ୍ଗ କରୁଥାଏ ଷ୍ଟାଣ୍ଡ ଫ୍ୟାନର ଘଡ଼ଘଡ଼ ଶବ୍ଦ । ଏସି ରୁମରେ ବି ଦିନେ ଅଚିନ୍ତାରେ ଶାନ୍ତିରେ ଶୋଇ ନଥିଲେ । ହେଲେ ଆଜି ଗରମରେ ଘଡ଼ଘଡ଼ ଶବ୍ଦରେ ବି ନିଶ୍ଚିନ୍ତରେ ଶୋଇ ଯାଇଛନ୍ତି ।
ଗାଆଁ କଥା । ଅଚାନକ ଲାଇଟ୍ କଟି ଗଲା । ଫ୍ୟାନର ଘଡ଼ଘଡ଼ ବନ୍ଦ । ଏବେ ନିରବତା । ନିଦ ଭାଙ୍ଗିଗଲା । ଆଖି ଖୋଲି ଦେଖନ୍ତି ତ ଝରକା ଦେଇ ଜହ୍ନ ଆଲୋକ ଘରକୁ ଉଜ୍ଵଳ କରୁଛି । ନିଶବ୍ଦ । ସେଇ ନିରବତା ଭିତରେ ଏକ ଶବ୍ଦ କାନରେ ବାଜୁଥାଏ । ତାହା ଥିଲା ନିରବତାର ସ୍ଵର । କେତେବେଳେ ନନାଙ୍କ କଣ୍ଠସ୍ଵରରେ ଡାକୁଥିଲା... ନରି... ତ କେତେବେଳେ ବୋଉର ଚୁଡିର ରୁଣୁଝୁଣୁ ସହ ତା ଡାକ ବାପାରେ.... ଶୋଇ ପଡୁନୁ ।
ଆଖି ବୁଜି ପଡି ରହିଲେ । ଅତୀତ ଆଖି ଆଗରେ ନାଚି ଯାଉଥାଏ । ନନାଙ୍କ ଛାଟ, ବୋଉର ପୂଜା, ଭାଈମାନଙ୍କ ଗୋଡାଗୋଡି, ସୁଶୀଳାର ମୁହଁ ଫୁଲା .... ଗାଆଁର ବାଣଯାତ, ରାମଲୀଳା ରାତି, ଦୋଳରେ ଶଗଡ଼ ଉପରେ ସଖି କୁଣ୍ଢେଇ, ଲିଙ୍ଗା ଓ ବୈଦା ଭାଇନାଙ୍କ କଳି, ଦଶହରା, ହୋଲି, ଦିପାବଳୀ.... ସବୁ ଦିଶିଗଲା । ଅଧଘଣ୍ଟା ମଧ୍ୟରେ ଗାଆଁରେ କାଟିଥିବା ଜୀବନର ପ୍ରଥମ କୋଡିଏ ବର୍ଷକୁ ମନେ ପକାଇ ଆତ୍ମହରା ହେଲେ ।
କେତେବେଳେ ଲାଇଟ୍ ଆସିଛି... କେତେବେଳେ ନିଦ ଲାଗିଛି ଜାଣି ନାହାନ୍ତି । ଉଷା ଭାଉଜଙ୍କ ନରି କେତେ ଦିନ ପରେ ଆସିଲ.... ଡାକରେ ନିଦ ଭାଙ୍ଗିଲା । ସୂର୍ଯ୍ୟ କିରଣରେ ଘରଟା ଦାଉଦାଉ ଦିଶୁଥାଏ ।
ଉଷା ଭାଉଜ ଗପିବାରେ ବ୍ୟସ୍ତ । ନରେନ୍ଦ୍ର ରାତିରେ ଘରେ ଶୁଣିଥିବା ନିରବତାର ସ୍ଵର ବିଷୟରେ ଭାବୁଥାନ୍ତି । ଅଚାନକ ମୁଖ ମଣ୍ଡଳ ସତେଜ ଦିଶିଲା । ଆଖିରେ ଚମକ, ଓଠରେ ହସ ... ଯେମିତି ସେ ପାଇ ସାରିଥିଲେ ଅମୂଲ୍ୟ ସମ୍ପଦ ଜୀବନର ବାକି ଦିନ ବଞ୍ଚିବାର ନୂତନ ରାହା ଓ ନିଜର ନୂଆ ଠିକଣା ।।
