Jyotiranjan Sahu

Others

4.8  

Jyotiranjan Sahu

Others

ମୂଲ୍ୟ

ମୂଲ୍ୟ

5 mins
491



ସେଦିନ ଟ୍ରେନରେ ମୋର ଜଣେ ଚିହ୍ନାପରିଚିତ ଙ୍କ ସହ ଦେଖା ହୋଇଗଲା । ମଜାରେ ମଜାରେ ସେ କହିଲେ " କଣ ସାହୁ ବାବୁ ! ଆପଣଙ୍କ ଲେଖାକୁ ମୁଁ କିନ୍ତୁ ବହୁତ ମିସ୍ କରୁଛି । କିଛି ଲେଖନ୍ତୁନା । ଆପଣ ଯାହା ଲେଖିଲେବି ମୋତେ କାହିଁକି ଭାରି ଭଲ ଲାଗେ "। ଟିକିଏ ହସିଦେଇ ମୁଁ କହିଲି " କଣ ଏମିତି ଲେଖେ ମୁଁ ଯେ ଆପଣଙ୍କୁ ଏତେ ଭଲ ଲାଗେ ! ଖାଲି ଟିକେ ଅତୀତର କିଛି ସ୍ମୃତିକୁ ନେଇ ବଞ୍ଚିବାକୁ ଚେଷ୍ଟାକରେ ବାସ୍ । ଆଉ କିଛି ନୁହେଁ "। ସେ ପରିଚିତ ଜଣକ ପଚାରିଲେ " ଆପଣଙ୍କୁ ବହୁତ ଦିନ ହେଲା ଆଉ ମୁଁ ଅନ ଲାଇନ୍ ପାଉନାହିଁ ! କଣ ହୋଇଛି ଆପଣଙ୍କର "? ମୁଁ ସ୍ମିତ ହସଟେ ହସିଦେଇ କହିଲି " ନା କିଛି ନୁହେଁ । ଚାଲନ୍ତୁ ସିଟ୍ ମିଳିଚି । ଆଗ ବସିଯିବା "। କିଛି ସମୟ କଥାବାର୍ତ୍ତା ହେଉହେଉ ହଠାତ୍ ତାଙ୍କର ଫୋନ ଆସିଲା । କାହାରିକୁ ଟଙ୍କା ପଇସା ପାଇଁ କିଛି ପାଟିତୁଣ୍ଡ କଲେ ଫୋନରେ । କଥା ସରିଲାପରେ ମୁଁ ପଚାରିଲି " କଣ ହୋଇଛି ? ଏତେ ଗରମ ମିଜାଜରେ କାହା ସହ କଥାହେଉଥିଲେ "? ଟିକିଏ ସେ ଲୋକପ୍ରତି ବିରକ୍ତି ପ୍ରକାଶ କରି ସେ ପରିଚିତ ଜଣକ କହିଲେ " ନା ମ ! ଏଇ ଆଜିକାଲି ର ସମ୍ପର୍କ ଗୁଡାକ କେମିତି ସ୍ବାର୍ଥ୍ୟ ବାଦୀ ହୋଇପଡୁଛନ୍ତି ଦେଖୁନାହାନ୍ତି ! ମୋର ସାନ ଭାଇ ଏଇ ମାସ ଏଇଟା ମିଶାଈ ଚାରିଥର ଟଙ୍କା ମାଗିସାରିଲାଣି ବାପାଙ୍କର ଟ୍ରିଟମମେଣ୍ଟ ନାଁରେ । ବାପା ମୋ ପାଖରେ ଥିଲେ ଭଲରେ ଥିଲେ । ଯେବେଠାରୁ ସାନ ଭାଇ ପାଖକୁ ଯାଇଛନ୍ତି ସେବେଠାରୁ ଖାଲି ଦେହ ଖରାପ୍ । ଆଉ ସେଇ ବାହାନାରେ ମୋ ସାନ ଭାଇଟାର ବି ଖାଲି ଟଙ୍କା ଦରକାର । ଆଉ ଦେଇପାରିବିନି ବୋଲି କହିଦେଲି । ଆରେ ସେ ବି ତ ଚାକେରି କରିଛି । ବହୁତ ଦେଲିଣି ଆଉ ନୁହେଁ "। ତାଙ୍କ କଥା ଶୁଣି ମୁଁ ପଚାରିଲି " କଣ ବାପାଙ୍କୁ ଭାଗ କରିଦେଲେ ନା କଣ "? ମୋ ପ୍ରଶ୍ନରେ ଟିକିଏ ଅପ୍ରସ୍ତୁତ ହୋଇଯାଇ କହିଲେ " ନା ନା ! ଚାରି ଚାରି ମାସ ଆମେ ତିନି ଭାଇ ରଖିବୁ । ଜଣେ କେତେ ଖର୍ଚ୍ଚ କରିବ । ଆଉ ଖର୍ଚ୍ଚ କଥା ଉଠିଲେ କେହି ଧରାଛୁଆଁ ଦେବେନି । ମୋ ପାଇଁ ଜୀବନ ସାରା ଯେତିକି ଖର୍ଚ୍ଚ କରିନଥିବେ ତାର ଦୁଇଗୁଣ ଖର୍ଚ୍ଚ ମୁଁ ଏକୁଟିଆ କଲିଣି । ଆଉ ପାରିବିନି । ମୋ ପାଇଁ ବାପା ଯେତିକି ଖର୍ଚ୍ଚ କରିନଥିବେ ସାନ ଦୁଇ ଭାଇ ପାଇଁ ତାଠାରୁ ବହୁତ ଅଧିକ ଖର୍ଚ୍ଚ କରିଛନ୍ତି । ସେମାନେ ବି ଖର୍ଚ୍ଚ କରନ୍ତୁ । ତେବେ ଯାଇ ଟଙ୍କାର ମୂଲ୍ୟଟା ଜାଣିବେ । ଜାଣିପାରିବେ କେମିତି କେତେ ଖର୍ଚ୍ଚ ହେଉଛି ବାପାଙ୍କ ପଛରେ "। ତାଙ୍କ ମୁହଁରୁ ଏଇ ମୂଲ୍ୟ ଶବ୍ଦଟି ଶୁଣି କିଛି ସମୟ ପାଇଁ ନୀରବ ରହିଗଲି ମୁଁ । ଟ୍ରେନରୁ ଝରକା ଦେଇ ବାହାରକୁ ଦେଖୁଦେଖୁ ଭାବୁଥିଲି ଏଇ କିଛିଦିନ ତଳର ଘଟଣାଟା । 


      ପ୍ରକୃତରେ କଥା କଣ କି କିଛିଦିନ ପୂର୍ବରୁ ଦିନେ ରାତିରେ ହଠାତ୍ ମୋର ଶରୀର ଅସୁସ୍ଥ ହୋଇପଡିଲା । ପେଟ ବଥା ଅସହ୍ୟ ହୋଇଉଠିଲା । ଡାକ୍ତରଙ୍କୁ ଦେଖାଇବାରୁ ସେ ଓଲଟ୍ରାସାଉଣ୍ଡ କରିବାକୁ କହିଲେ । ମୁଁ ବ୍ୟସ୍ତ ହୋଇ ପଚାରିଲି " ସାର୍ ! କଣ କିଛି ପ୍ରୋବଲେମ ଅଛି କି "? ସେ କହିଲେ " ମେ ବି ଷ୍ଟୋନ କିମ୍ବା ଆପାନଡିସାଇଟ୍ ହୋଇଥାଇପାରେ । ଗୋଟିଏ ଭଲ ଲ୍ୟାବରୁ ରିପୋର୍ଟ ଆଣି ମୋତେ ଦେଖାଅ ।" ତାଙ୍କ କଥା ଶୁଣି ମୁଁ ବିବ୍ରତ ହୋଇପଡିଲି । ବହୁତ କିଛି ଭାବିଗଲି । ମନରେ ମୋର ଉଙ୍କି ମାରିଚାଲିଲା ଭୟ ଆଉ ଆଶଙ୍କା । ମୋର ଡାକ୍ତର ଆଉ ଡାକ୍ତର ଖାନା କହିଲେ କାହିଁକି କେଜାଣି ଅନେକ ଭୟ । ସେହିଦିନ ଠାରୁ ମୋର ରାତିର ନିଦ ହଜିଗଲା । କଣ କରିବି ମୁଁ ? ଯନ୍ତ୍ରଣା ଅପରେସନ ଅନେକ କଥା ମୋ ମୁଣ୍ଡ ଭିତରେ ବୁଲୁଥିଲା । ମୋର ଅସ୍ଥିର ମନ ସାଙ୍ଗକୁ ବାହାରେ ଅନବରତ ଝିପିଝିପି ବର୍ଷା । ଲାଗୁଥିଲା ଯେମିତି ମୋ ମନର ଯନ୍ତ୍ରଣାକୁ ସେଦିନ ସେ ବର୍ଷାଟା ବି ବୁଝିପାରୁଥିଲା । ମୋର ବିରସ ମୁହଁକୁ ଦେଖି ଘର ଲୋକଙ୍କ ମନରେ ବି ଖୁସି ନଥିଲା । ତାଙ୍କର ମୋତେ ବୁଝାଇବାର ସମସ୍ତ ପ୍ରୟାସ ବ୍ୟର୍ଥ୍ୟ ଯାଉଥିଲା। ବୁଝାବୁଝି ପରେ ଜଣାପଡିଲା ୬୦ କିମି. ଦୂରରେ ଗୋଟିଏ ଭଲ ଲ୍ୟାବ ଅଛି । ସିଦ୍ଧାନ୍ତ ନିଆଗଲା ସେହିଠାରେ ଓଲଟ୍ରାସାଉଣ୍ଡ କରାଯିବ । ତା ଆଗ ରାତିରେ ମୋତେ ଆଉ ନିଦ ନଥିଲା । କଣ ବାହାରିବ କାଲି ରିପୋର୍ଟରେ ସେ ଚିନ୍ତାରେ ମନ ମୋର ବିଚଳିତ ହୋଇଉଠୁଥିଲା । ସେଦିନ ରାତିସାରା ବର୍ଷା । ମୁଁ ମନେ ମନେ ଭାବୁଥିଲି ସତରେ ଏ ବର୍ଷାଟା ମୋ ମନ କଥା ଠିକ୍ ବୁଝିପାରୁଛି । ରାତି ପାହି ସକାଳ ହେଲା । ବାହରେ ସେମିତି ବର୍ଷା । କୋହଲା ପବନ ସାଙ୍ଗକୁ ଆକାଶରେ କଳା ମେଘ । ପରିବେଶକୁ କରିଦେଉଥାଏ ଆହୁରି ଗମ୍ଭୀର । ମୁଁ ସକାଳୁ ବାହାରିପଡିଲି ବାଇକ୍ ଧରି । ଦେହରେ ରେନକୋଟ ଆଉ ହେଲମେଟ୍ ପିନ୍ଧି ଗାଡିକୁ ଷ୍ଟାର୍ଟ କଲି । ପିଣ୍ଢାରେ ଛିଡାହୋଇଥାନ୍ତି ମୋର ପରିବାର । ଗାଡିଚକ ଗଡିବା ପୂର୍ବରୁ କାହିଁକି କେଜାଣି ମୋ ଅଜାଣତରେ ମୁଁ ଚାହିଁଦେଲି ମୋ ଚାରି ବର୍ଷର ପୁଅ ମୁହଁକୁ । ତା ପରେ ଗାଡି ଆଗକୁ ବଢାଇଲି । କିନ୍ତୁ ଲାଗିଲା କେହିଯେପରି ଗାଡିଟିକୁ ପଛରୁ ଧରିଛି । ମୁଁ ବୁଲିଚାହିଁଲି । ଦେଖିଲି ବାପା ମୋର ଗାଡିକୁ ପଛରୁ ଧରି ରଖି କହୁଛନ୍ତି " ରହ ରହ । ମୁଁ ଏଇ ବାହାରୁଛି । ଏକା ସାଙ୍ଗରେ ଯିବା । ତୁ ଯେମିତି ନର୍ଭସ୍ ହେଉଛୁ ନା... "। ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି " ଏ ବର୍ଷାଟାରେ କଣ ପାଇଁ ଯିବ । ତା ପରେ ଆଉ ତରେନ କୋର୍ଟ ବି ନାହିଁ । କେମିତି ଯିବ ତୁମେ "? ବାପା ମୋର କହିଲେ " ଆରେ ତୁ ବ୍ୟସ୍ତ ହୋନା । ମୁଣ୍ଡଟା ନଭିଜିଲେ ଗଲା "। ଏତିକି କହି ସଙ୍ଗେ ସଙ୍ଗେ ଘର ଭିତରୁ ପ୍ୟାଣ୍ଟ ସାର୍ଟ ପିନ୍ଧି ବାହାରି ଆସି ଗାଡି ପଛରେ ବସୁବସୁ କହିଲେ " ମୋତେ ଖାଲି ହେଲମେଟ୍ ଟା ଦେ "। କହିବାକୁ ମୋ ପାଖରେ କିଛି ଉତ୍ତର ନଥିଲା । ଚୁପ୍ ଚାପ୍ ହେଲମେଟ୍ ଟା ବାପାଙ୍କ ହାତକୁ ବଢେଇ ଦେଲି । ପଛକୁ ବୁଲି ଚାହିଁଲି । ମୋ ପତ୍ନୀଙ୍କ ଆଖିଟା କାହିଁକି ଟିକେ ଓଦା ଓଦା ଲାଗୁଥିଲା । ମା କହୁଥାନ୍ତି " ତୁ ବ୍ୟସ୍ତ ହୋନା । ବାପା ଯାଉଛନ୍ତି । ସବୁଠିକ୍ ହେବ "। ମୁଁ ବାପାଙ୍କୁ ବୁଲି ଚାହିଁଲି । ପଛ ସିଟ୍ ରୁ ବର୍ଷାରେ ଭିଜିଭିଜି ସେହି ହେଲମେଟ୍ ଭିତରୁ ବାପା କହିଲେ " ଚାଲ୍ ଚାଲ୍ । ଶୀଘ୍ର ଚାଲ୍ । କେତେ ସମୟ ଖାଲି ପେଟରେ ରହିବୁ "! ମୁଁ ବି ଯନ୍ତ୍ରବତ୍ ଗାଡିକୁ ଆଗେଇନେଲି । ରାସ୍ତାରେ ଯାଉଯାଉ ଭାବୁଥାଏ ଏ ଭଳି ପିତୃଋଣକୁ କେମିତି କିଏ ଭୁଲିପାରିବ ? ଏହାର କି ମୁଲ୍ୟ ମୁଁ ଲଗେଇବି "। ଏକଥା ଭାବୁ ଭାବୁ ମୁଁ ଅନୁଭବ କଲି ମୁହଁରେ ମୋର ଶୀତଳ ଜଳବିନ୍ଦୁ ଭିତରେ କିଛି ଉଷ୍ମତାର ସ୍ପର୍ଶ । 


     ଏକଥା ଭାବୁଭାବୁ ଟ୍ରେନ ଭିତରେ ମୁଁ ଟିକିଏ ଭାବ ବିହ୍ବଳ ହୋଇପଡିଲି । ଏତିକିବେଳେ ପାଞ୍ଚ ଛ ବର୍ଷର ପିଲାଟିଏ ଆସି କହୁଲା " ବାବୁ ଭୋକ ଲାଗୁଛି "। ମୁଁ ତା ହାତକୁ ୫ ଟଙ୍କା ଟା ବଢାଇ ଦେଇ ମୋର ସେ ପରିଚିତଙ୍କୁ କହିଲି " ଯାହେଉ ଆପଣଙ୍କ ବାପା ଏମିତି ଅବସ୍ଥା ଆପଣଙ୍କର କରିନାହାନ୍ତି "। ମୋ ମୁହଁରୁ ଏକଥା ଶୁଣି ସେ କିଛି ସମୟପରେ ବାହାନା କରି ଅନ୍ୟଗୋଟିଏ ସିଟ୍ ରେ ଯାଇବସିଲେ । ମୁଁ ମଧ୍ୟ କିଛି କହିଲି ନାହିଁ । ଭାବୁଥିଲି ' କଣ ମୂଲ୍ୟ ବୁଝିବେ ଏମାନେ ସମ୍ପର୍କର ? ଯିଏ ପରିବାରରେ ସମ୍ପର୍କର ମୂଲ୍ୟ ବୁଝେନା ସେମାନଙ୍କ ଠାରୁ କଣ ଆଶା କରିବା । ଖାଲି ଦୁର୍ନୀତି ଆଉ ସ୍ବାର୍ଥ୍ୟବାଦୀତା । ସେଥିପାଇଁ ବୋଧେ ଦେଶରୁ ଦୁର୍ନୀତିର ଚେରକୁ ମୂଳଉତ୍ପାଟନ କରାଯାଇପାରୁନାହିଁ '। ଏକଥା ଭାବୁଭାବୁ ମୋତେ ଘୃଣାଲାଗିଲା ସେ ପରିଚିତଙ୍କ ମୁହଁରୁ ନିଜର ମୂଲ୍ୟ ରୂପକ ପ୍ରଶଂସା ପାଇ ।



Rate this content
Log in