ମୁଁ ବାଜି ରାଉତ ପରି ହେବି
ମୁଁ ବାଜି ରାଉତ ପରି ହେବି
ସମୟ ପ୍ରାୟ ରାତ୍ର ଚାରିଟା। ରୋହିତ ଓ ତାର ମାଆ ଶୋଇଥାନ୍ତି ଖଟ ଉପରେ।ରୋହିତାକୁ ବୟସ ଏଗାର କି ବାର ହେବ।ବାପା ଗତ ବର୍ଷ କୋରନାରେ ଚାଲି ଯାଇଛନ୍ତି।ମାଆ ବହୁତ କଷ୍ଟରେ ଇଟା ଭାଟିରେ କାମ କରି ଉଭୟଙ୍କ ଗୁଜୁରାଣ ମେଣ୍ଟାଉଛନ୍ତି।
ହଠାତ ରୋହିତ ସ୍ୱପ୍ନରେ ବାଉଳା ହୋଇ -
" ଦେହ ସିନା ଗଡିଯିବ ମୋର ମୁଣ୍ଡ ନୂଆଇଁବି ନାହିଁ,
ଗୋରା କୁକୁର ଓ ଚେଲା ଛାମୁଣ୍ଡାଙ୍କୁ ଡଙ୍ଗା ମୁଁ ଛାଡ଼ିବି ନାହିଁ ।
ଡଙ୍ଗା ମୁଁ ଛାଡ଼ିବି ନାହିଁ।"
ଜୟ ପ୍ରଜାମଣ୍ଡଳ ! ଜୟ ଓଡ଼ିଶା ! ଭାରତ ମାତା କି ଜୟ !
ମା.!(କହି କହି ଖଟରୁ ଗଡି ପଡିଲା। ଦେହ ସାରା ଝାଳ। ରକ୍ତ ପୁରା ତାତିକି ଥାଏ।)
ମା ଚିତ୍କାର ଶୁଣି ଉଠି ପଡି ତା ପିଠିକୁ ଆଉଁଶି ତାକୁ କୋଳରେ ନେଇ ନିଜ ପଣତରେ ତା ଝାଳ ପୋଛିଦେଲେ ଓ ତାକୁ ଶାନ୍ତ କଲେ। ତା ମୁଣ୍ଡରେ ହାତ ବୁଲେଇ ବୁଲେଇ ପଚାରିଲେ -
" ଖରାପ ସ୍ବପ୍ନ ଦେଖିଲୁ କିରେ ବାପା।"
ରୋହିତ - "ନାହିଁ ମା' । କିନ୍ତୁ ଯେଉଁ ସ୍ବପ୍ନ ଦେଖିଲି ତାହା ମୋର
ପ୍ରତିଟି ରକ୍ତ ବୁନ୍ଦାକୁ ଆନ୍ଦୋଳିତ କରିଦେଇଥିଲା।"
ମା - "କି ସ୍ୱପ୍ନରେ ପାଗଳା ?"
ରୋହିତ - ମା ଶୁଣ
ମୁଁ ଦେଖିଲି
ମୁଁ ପୁରୁଣା କାଳିଆ ପାରମ୍ପାରିକ ଧୋତିଟିଏ ପିନ୍ଧି ନିଳକଣ୍ଠପୁର ଗ୍ରାମରେ ଥିବା ବ୍ରାହ୍ମଣୀ ନଦୀରେ ଗୀତ ଗାଇ ଗାଇ ଡଙ୍ଗା ଚଲାଉଛି। ଆଉ ଘରକୁ ଫେରି ତୋ ହାତରୁ ବିନା ଲୁଣର ପଖାଳ ଖାଉଛି। ମୁଁ ତୋ ଠୁ ହିଁ ଜାଣିବାକୁ ପାଇଲି ଯେ ଗୋରା ସରକାର ଲୁଣ ଉପରେ ବି କର ଲଦି ଦେଇଛି। ମୋ ଅନ୍ତର ପୁରା ଜଳି ଉଠୁଥାଏ। କିନ୍ତୁ ମୋ ଭିତରେ ଥିବା ବିଦ୍ରୋହୀ ଟା ସେହି ଦିନ ତାର ପୂର୍ଣ୍ଣ ରୂପ ନେଲା ଯେଉଁ ଦିନ ଗୋଟିଏ ସିପାହୀ ତୋତେ ବେଠି କଲା ବେଳେ ମାଡ଼ ମାରିଲା। ମୁଁ ତାହାର ପ୍ରତିଶୋଧ ନେବା ପାଇଁ ସ୍ଥିର କଲି ଓ ସେଇଥିପାଇଁ ମୁଁ ଯୋଗ ଦେଲି ପ୍ରଜାମଣ୍ଡଳର ବାନର ସେନାରେ।ସେଠାରେ ଆମକୁ ଲାଠି ଚାଳନା,ଦେଶ ପ୍ରେମ,ନିର୍ଭୀକତା ଓ ଗୁଇନ୍ଦାଗିରି ଭଳି ଅନେକ ଜିନିଷ ଶିଖା ଗଲା। ତା ପରେ ମୁଁ ପ୍ରଜାମଣ୍ଡଳର ବହୁ ସଭା ସମିତିରେ ମଧ୍ୟ ଯୋଗ ଦେଲି। ପ୍ରଜାମଣ୍ଡଳର ବରିଷ୍ଠ ନେତା ବୈଷ୍ଣବ ପଟ୍ଟନାୟକଙ୍କ ମୋ ଉପରେ ଖୁସି ହୋଇ ମୋତେ ଏକ ବଡ ଦାୟିତ୍ବ ଦେଲେ।
ମା - (ଉତ୍ସାହିତ ଭାବେ) "କି ଦାୟିତ୍ୱ ବାବା ?
ରୋହିତ - "ଆମ ଗାଁ ଦେଇ ଗୋର ସିପାହୀମାନେ ଯେପରି ଭୁବନ ଯାଇ ପାରିବେ ନାହିଁ ସେଇଥି ପାଇଁ ସାରା ରାତି ମୁଁ ଘାଟ ଜଗିବି। ମୁଁ ବି ଏହି ଆଦେଶ ସାଦରେ ଗ୍ରହଣ କଲି। ଜାଣିଛୁ ମା ତା ପରେ କଣ ହେଲା ?"
ମା -" କଣ ହେଲା ?"
ରୋହିତ - "ଦିନକର କଥା ସେ ଦିନ ତୁ ମତେ ମନା କଲୁକି ଆଜି ରାତିରେ ତୁ ଘାଟକୁ ଯାଆନା। ସେଦିନ ଝିପି ଝିପି ବର୍ଷା ବି ହେଉଥିଲା।ସମୟେ ସମୟେ ବିଜୁଳି ଓ ଘଡଘଡି ବି ମାରୁଥିଲା। ମା ବ୍ରାହ୍ମଣୀ ମଧ୍ୟ ଅଶାନ୍ତ ରୂପ ଧରି ମୋତେ କିଛି କହିବାକୁ ଚେଷ୍ଟା କରିଥିଲେ।କିନ୍ତୁ ମୁଁ ରହିଲି ନାହିଁ ବାହାରି ପଡ଼ିଲି ମୁଣ୍ଡରେ ଲାଲ ଟୀକାଟିଏ କାଟିଦେଇ ମୋ କର୍ମସ୍ଥଳୀକୁ।"
" ହଠାତ ଲେଫ୍ଟ ରାଇଟ କରି କରି ଦଶ ବାରଟା ଗୋରା ମୋ ପାଖକୁ ଆସି କହିଲେ -
"ଏ ବୟ ହାମକୁ ନଈ ପାର କରାହି ଦେ।"
ମୁଁ ଜମା ଶୁଣିଲି ନାହିଁ।
ସେମାନେ ପୁଣି କହିଲେ -
"ହାବେ ଟୋକା ଯଦି ଥୁ ଆମଖୁ ନଈ ପାର କରେହି ଦେବୁ ଆମେ ତୋଥେ ଦୁହିଟି ଗୋଲଡ଼ କଏନ ଦେବୁ।
ମୁଁ ହସି ହସି କହିଲି -
"ବୈଷ୍ଣବ ଦା କହିଛନ୍ତି
" ପଛେ ଫାଶିରେ ହୋଇଯିବି ଟଙ୍ଗା,
ଗୋରାକୁ ଦେବୁ ନାହିଁ ଡଙ୍ଗା।"
ପ୍ରଜାମଣ୍ଡଳର ଆଦେଶ ନାହିଁ। ଆଉ ତମେ କଣ ଭାବିଛ ମୁଁ ବି ତୁମ ପରି ସାମନ୍ୟ କେଇଟା ଟଙ୍କା ଲୋଭରେ ମୋର ସ୍ୱାଭିମାନ ଓ ମୋ ଜାତିର ସମ୍ମାନକୁ ବିକିଦେବି। ନାଁ! କେବେ ନୁହଁ।
ସେମାନେ କହିଲେ -
" ହାବେ ତୋ ଲାଇଫ ଖଣ ତୋଥେ ପିଥା ଲାଗୁଛି। "
ମୁଁ କହି ଚାଲିଲି -
" ଦେହ ସିନା ଗଡିଯିବ ମୋର ମୁଣ୍ଡ ନୂଆଇଁବି ନାହିଁ,
ଗୋରା କୁକୁର ଓ ଚେଲା ଛାମୁଣ୍ଡାଙ୍କୁ ଡଙ୍ଗା ମୁଁ ଛାଡ଼ିବି ନାହିଁ ।
.ଡଙ୍ଗା ମୁଁ ଛାଡ଼ିବି ନାହିଁ।"
ଜୟ ପ୍ରଜାମଣ୍ଡଳ ! ଜୟ ଓଡ଼ିଶା ! ଭାରତ ମାତା କି ଜୟ !
ତା ପରେ ଗୋଟିଏ ଠାଏ ଶବ୍ଦ।ଆଉ ମୁଁ ଟଳି ପଡିଲି।ଆଉ ସବୁ ଶେଷ ହୋଇଗଲା। (ବହୁ ଜୋରରେ କାନ୍ଦି କାନ୍ଦି)"
ମା - " (ପୁଅର ଲୁହ କୁ ପୋଛି ଦେଇ )ନା ରେ ବାବୁ ସେଦିନ କିଛି ଶେଷ ହୋଇନଥିଲା।ସେଦିନ ତ ଆରମ୍ଭ ହୋଇଥିଲା ମହାନ ଓଡ଼ିଆ ଜାତୀୟତବାଦର। ବାରବର୍ଷର ସେଇ ଛୋଟିଆ ପିଲାଟି ନିଜ ରକ୍ତରେ ଓଡ଼ିଆ ପ୍ରଜାମଣ୍ଡଳ ଆନ୍ଦୋଳନ ବହ୍ନି ପ୍ରତିଟି ଓଡ଼ିଆ ପ୍ରାଣରେ ଜାଳି ଦେଇଯାଇଥିଲା। ସେଇଥି ପାଇଁ ତ ସଚ୍ଚି ରାଉତରାୟ କହିଥିଲେ-
ଉଭୟେ - "ନୁହେଁ ବନ୍ଧୁ ନୁହେଁ ଏହା ଚିତା
ଏ ଦେଶର ତିମିରି ତଳେ ଏ ଅଲିଭା ମୁକତି ସଳିତା।
ନୁହେଁ ବନ୍ଧୁ ଏହା ଜଳିଯିବା ପାଇଁ
ଏହାର ଜନମ ଏଥି ଜାଳିପୋଡ଼ି ଦେବାକୁ ଧସାଇ।"
ମା - " ଆଜି ସାର ବଧେ ସ୍କୁଲରେ ବାଜି ରାଉତଙ୍କ ବିଷୟରେ ପଢେଇଛନ୍ତି।"
ରୋହିତ - "ହଁ ମା।"
ମା - " ତୁ ବି ମତେ କଥା ଦେ ତୁ ବି ତୋ ଦେଶ ଓ ଜାତି ପାଇଁ ସବୁବେଳେ କାମ କରିବୁ।କେବେ ତୋ ଜାତି ତଥା ଦେଶର ମୁଣ୍ଡ ନୂଆଇବାକୁ ଦେବୁନାହିଁ। ତୁ ବି ବାଜି ରାଉତ ପରି ହେବୁ।
ରୋହିତ - " ହଁ ମା। ମୁଁ ବି ବାଜି ରାଉତ ପରି ହେବି।
ମୁଁ ବି ବାଜି ରାଉତ ପରି ହେବି।
ମୁଁ ବି ବାଜି ରାଉତ ପରି ହେବି।