ମୋହିନୀଭିଲାର ଚକ୍ରବର୍ତ୍ତି କାକୁ
ମୋହିନୀଭିଲାର ଚକ୍ରବର୍ତ୍ତି କାକୁ
ମଣିଷ ବଞ୍ଚିବ କେତେଦିନ ସେଟା ତା ହାତରେ ନାହିଁ । କିନ୍ତୁ କେମିତି ବଞ୍ଚିବ ସେଟା ତା ହାତରେ ଅଛି। ଆଜି ଅଛେ କାଲି କି ନଥିବା କିନ୍ତୁ ଏ ଦୁନିଆ ଚାଲିଥିବ ନିରନ୍ତର ସୁଖ ଓ ଦୁଃଖ ରେ। ଆଉ ଆମେ ମଲା ପରେ ଯଦି ଜୀବନ୍ତ ରହିବା , ସେ ହେଉଛି ଲୋକ ମାନଙ୍କ ମନରେ ସବୁଦିନ ପାଇଁ , ଆମେ କରିଯାଇଥିବା କର୍ମ ପାଇଁ ।
ମୁଁ ଆଜି କହିବି ମୋହିନୀଭିଲା ର ଚକ୍ରବର୍ତ୍ତି କାକୁଙ୍କ ବିଷୟରେ। ବୟସ ତାଙ୍କର 60 ଉପରେ। ଏଇ କିଛିଦିନ ହବ ଚାକିରିରୁ ଅବସର ନେଇଥିଲେ। ଦେଖିବାକୁ ଶ୍ୟାମଳ ବର୍ଣ୍ଣ । ପିନ୍ଧନ୍ତି ସବୁବେଳେ ପଞ୍ଜାବି । ତାଙ୍କର ଗୋଟେ ପୁଅ ଆଉ ଗୋଟେ ଝିଅ ଅଛନ୍ତି। ଦୁଇଜଣ ଯାକ ପୁଅ ଝିଅ ବାହାହେଇକି ସେଟେଲ୍ ହେଇଯାଇଛନ୍ତି। କାକୁ ଆଉ କାକିମା ଏଠି ଏକା ରୁହନ୍ତି। ପୁଅ ଅଛି ଏଇ କଲିକତାରେ, ତାଙ୍କ ଅଫିସ୍ ପାଖରେ ଘର ନେଇକି ସ୍ତ୍ରୀ ଛୁଆମାନଙ୍କ ସହ । ରବିବାର ଛୁଟି ହେଲେ କାକୁ ଆଉ କାକିମା ଯାନ୍ତି ତାଙ୍କ ପୁଅ ଘରକୁ। ନାତିନାତୁଣୀଙ୍କ ସହ କିଛି ଖୁସିର ମୁହୂର୍ତ୍ତ ବିତେଇକି ପୁଣି ଚାଲିଆସନ୍ତି ତାଙ୍କ ନିଜ ଫ୍ଲାଟ୍ କୁ । ପୁଅ ବି ଆସେ ତା ପରିବାର ସହ ଏଠି ରୁହେ କିଛିଦିନ ପୁଣି ପଳାଏ। ଝିଅ ବି ଆସେ ମଝିରେ ମଝିରେ ତା ପରିବାର ସହ କାକୁଙ୍କ ଘରକୁ, କିଛିଦିନ ରହି ବୁଲିକି ପୁଣି ପଳାନ୍ତି। ଏମିତି କହିବାକୁ ଗଲେ କାକୁ ଆଉ କାକିମା ଦୁଇଜଣ ଦୁଇଜଣଙ୍କ ଦୁନିଆ।
କାକୁ ଆଉ କାକିମା ଦୁଇଜଣ ଯୋଡି। କାକୁ ରିଟାର୍ଡ ହବା ପରେ ପ୍ରାୟ ସମୟ ଘରେ ରୁହନ୍ତି। ସନ୍ଧ୍ୟା ହେଲାମାନେ ଦୁଇଜଣ ଯାକ ଏକାସହ ତାଙ୍କ ଦୁଇତାଲାରେ ଥିବା ଘରୁ ତଳକୁ ଓହ୍ଲାନ୍ତି। ଆମ ସୋସାଇଟି ତଳେ ଗୋଟେ ଛୋଟ ପାର୍କ ଅଛି। ସନ୍ଧ୍ୟା ହେଲାମାନେ ଛୁଆମାନଙ୍କର ଭିଡ ତଳେ ପାର୍କରେ। କାକୁ ଆଉ କାକିମା ସେଥିପାଇଁ ଆସନ୍ତି ପାର୍କକୁ ଛୋଟଛୋଟ ଛୁଆ ମାନଙ୍କୁ ଦେଖିବେ ଆଉ ଖେଳିବେ ତାଙ୍କ ସହ ବୋଲି। କାକୁ ତାଙ୍କ ସହ ସବୁବେଳେ ଇକ୍ଲେର୍ସ ଚକ୍ଲେଟ୍ ନେଇକି ଆସନ୍ତି । ମୁଁ ଦେଖିଛି ନିଜେ ବହୁତ ଥର, କାକୁଙ୍କୁ ଦେଖିଲାମାନେ ଛୁଆମାନେ ଦୌଡିଯାନ୍ତି ତାଙ୍କ ପାଖକୁ। ପାର୍କରେ ଥିବା ସବୁ ଛୁଆଙ୍କୁ ସେ ଚକ୍ଲେଟ୍ ଦିଅନ୍ତି। ଆଉ ବସନ୍ତି ଘଣ୍ଟେ ଦୁଇଘଣ୍ଟା କାକିମାଙ୍କ ସହ ପାର୍କରେ ଥିବା ବେଞ୍ଚରେ। ତାଙ୍କ ଜୀବନର ଅପରାହ୍ନରେ ସେ ଦେଖନ୍ତି ଏଇ ନୂଆ ଜୀବନ ଗୁଡିକୁ ଖେଳୁଥିବାର। ବହୁତ ଖୁସି ହୁଅନ୍ତି କାକୁ, ଛୁଆମାନଙ୍କ ସହ ସମୟ ବିତେଇକି। ଛୁଆ ପାର୍କରୁ ଖାଲି ହେଲାପରେ ସେ ବି ପଳାନ୍ତି କାକିମାଙ୍କ ସହ ଘରକୁ।
ଆମ ସୋସାଇଟିରେ ସାଧାରଣତନ୍ତ୍ର ଦିବସ କି ସ୍ୱାଧୀନତା ଦିବସ ପାଳନ ହେଲେ ଚକ୍ରବର୍ତ୍ତି କାକୁ ପତକା ଉତ୍ତୋଳନ କରନ୍ତି। ଛୁଆମାନଙ୍କୁ ବହୁତ ଭଲ ଭଲ କଥା ଶିଖାନ୍ତି। ଡ୍ରଇଁଙ୍ଗ୍ କମ୍ପିଟିସନ୍ ହେଲେ ସେ ବିଚାରକ ହୁଅନ୍ତି। କୁନି କୁନି ପ୍ରତିଭା ମାନଙ୍କର ଭାବନା ରାଇଜର ଡ୍ରଇଁଙ୍ଗ୍ ଦେଖିକି ବହୁତ ଉତ୍ସାହିତ କରନ୍ତି ସେମାନଙ୍କୁ । ଜି.କେ କମ୍ପିଟିସନ୍ ରେ ସେ ଛୁଆମାନଙ୍କୁ ପ୍ରଶ୍ନ ପଚାରନ୍ତି । ଆମ ସୋସାଇଟି ର ମିଟିଙ୍ଗ ହେଲେ ସେ ସବୁବେଳେ ଉପସ୍ଥିତ ଥାନ୍ତି ଜଣେ ସୋସାଇଟିର ସଚେତନ ସଦସ୍ୟ ହିସାବରେ । ଦୂର୍ଗାପୂଜା ହେଲେ ସେ ସାଂସ୍କୃତିକ କାର୍ଯ୍ୟକ୍ରମ କେମିତି ହବ ସବୁ ଦାୟିତ୍ୱ ନିଅନ୍ତି।
ସେ ଆମ ସୋସାଇଟିରେ ସମସ୍ତଙ୍କର ପ୍ରିୟ (ସ୍ପେସିଆଲି ଛୁଆମାନଙ୍କର ପ୍ରିୟ) ଚକ୍ରବର୍ତ୍ତି କାକୁ ।............
ସବୁଦିନ ପରି ଚକ୍ରବର୍ତ୍ତି କାକୁ ସେଦିନ ବି ପାର୍କ କୁ ଆସିଥିଲେ କାକିମାଙ୍କ ସହ। ଛୁଆମାନଙ୍କୁ ଇକ୍ଲେର୍ସ୍ ଚକ୍ଲେଟ୍ ଦେଲେ। ଛୁଆମାନଙ୍କ ସହ ଖେଳିଲେ କିଛି ଡେରି। ତାପରେ କାକୁ ଆଉ କାକିମା ପାର୍କରେ ଥିବା ବେଞ୍ଚ୍ ରେ ବସିଲେ ପ୍ରାୟ ଦୁଇଘଣ୍ଟା। ଛୁଆମାନଙ୍କୁ ଦେଖି ବହୁତ ଖୁସି ହଉଥାନ୍ତି। ଛୁଆମାନେ ଯେମିତି ପାର୍କରୁ ଖାଲିହେଲେ, ସେ ବି ପଳେଇଲେ କାକିମାଙ୍କ ସହ ଘରକୁ।
ମୁଁ ତା ପରଦିନ ସକାଳ ନଅଟା ରେ ତଳକୁ ଓହ୍ଲେଇଥିଲି, ଦୋକାନରୁ କିଛି ସଉଦା ଆଣିବାକୁ। ମୁଁ ଦୋକାନକୁ ଗଲାବେଳେ ମତେ ସିକ୍ୟୁରିଟି ଗାର୍ଡ କହିଲା,“ଭାବି(ଭାଉଜ) ଚକ୍ରବର୍ତ୍ତି କାକୁ ହସ୍ପିଟାଲ୍ ରେ ଆଡ୍ମିଟ୍ ହେଇଛନ୍ତି ଜାଣିଛ ତମେ ?" ମୁଁ କହିଲି, “ନା ତ ମୁଁ ଜାଣିନି, ମୁଁ ତ ତାଙ୍କୁ କାଲି ପାର୍କରେ ଦେଖିଥିଲି । ସେ ଭଲ ଥିଲେ ତ ପୁରା ସୁସ୍ଥ ଦେଖାଯାଉଥିଲେ।" ଗାର୍ଡ କହିଲା,“କାଲି ରାତି ଚାରିଟାରେ ତାଙ୍କୁ ନିଶ୍ୱାସ ନବାରେ ଅସୁବିଧା ହେଲା। ହାର୍ଟ୍ ଆଟାକ୍ ହୋଇଥିଲା ବୋଧେ। ତାଙ୍କ ଘର ସାମ୍ନାରେ ଯୋଉ ପଡୋଶୀ ରହୁଛନ୍ତି, ସେ ଆମ୍ବୁଲାନ୍ସ ଡାକିକି ତାଙ୍କୁ ହସ୍ପିଟାଲ୍ ରେ ନେଇକି ଭର୍ତି କରିଛନ୍ତି। ଆମ୍ବୁଲାନ୍ସ ଆସିଥିଲା ଭୋର 5ଟାରେ। ଆଉ ଏବେ ସେ ଆଇସିୟୁ ରେ ଅଛନ୍ତି। ତାଙ୍କ ଅବସ୍ତା ସଙ୍କଟାପନ୍ନ ଅଛି।" ଏଇ କଥା ଶୁଣିକି ମୋ ମନ ବହୁତ ଦୁଃଖ ହେଇଗଲା। ମନେ ମନେ ଭାବୁଥିଲି, କାଲିତ ଦେଖିଥିଲି ଭଲ ଥିଲେ। ଏମିତି ହଠାତ୍ କରିକି ଦେହ ଖରାପ ହେଇଗଲା ତାଙ୍କର। ଭଗବାନଙ୍କୁ ଡାକୁଥିଲି କେମିତି ଜଲଦି ସେ ଭଲ ହେଇକି ପଳେଇ ଆସନ୍ତୁ।
ଠିକ୍ ସେଇଦିନ ଦିହିପର ଦୁଇଟାରେ ଖବର ଆସିଲା କି," ଚକ୍ରବର୍ତ୍ତି କାକୁ ଏ ଦୁନିଆରେ ଆଉ ନାହାନ୍ତି"। ଏଇ ଖରାପ ଖବର ଶୁଣି ଖାଲି ମୋର ନୁହେଁ , ଆମ ସୋସାଇଟିରେ ସମସ୍ତିଙ୍କ ମନ ବହୁତ ଦୁଃଖ ହେଇଗଲା। ସମସ୍ତେ ତଳେ ଅପେକ୍ଷା କରିଥିଲୁ, ତାଙ୍କୁ କେତେବେଳେ ନେଇକି ଆସିବେ ଆଉ ଆମେ ଶେଷଥର ଦେଖିବୁ ବୋଲି। ଆମ୍ବୁଲାନ୍ସରେ ତାଙ୍କର ମର ଶରୀର ଆସିଲା। ତାଙ୍କ ଶରୀର କୁ ତାଙ୍କ ଘରକୁ ନେଇକି ଗଲେ। ମୁଁ ତାଙ୍କୁ ଦେଖିପାରୁ ନଥିଲି ଗହଳି ଭିତରେ। ମୋର ସାହସ ନଥିଲା ତାଙ୍କ ଘରକୁ ଯିବାକୁ। ସେତିକିବେଳେ ମୋର ଆଉ ଜଣେ ପଡୋଶୀ ସିଲା ଭାବି କହିଲେ , “ ଆମ ଘର ବାଲକୁନିରୁ ଦେଖାଯିବ କାକୁଙ୍କ ଘର । ଆସ ଶେଷଥର ପାଇଁ ସେଇଠୁ ଦେଖିନବ।" ମୁଁ କହିଲି ଭାବି, “ହଉ ଚାଲ।" ମୁଁ ତାଙ୍କ ବାଲକୁନିରୁ ଦେଖୁଥାଏ କାକୁଙ୍କ ଘରକୁ। ସିଲା ଭାବିଙ୍କ ବାଲକୁନିରୁ କାକୁଙ୍କ ବାଲକୁନି ଆଉ ତାଙ୍କ ବାଲକୁନିକୁ ଲାଗିଥିବା ତାଙ୍କ ଶୋଇବା ଘର ଦେଖାଯାଉଥିଲା। କାକୁଙ୍କ ମର ଶରୀର ପଡିଥିଲା ସେଦିନ ନୀରବ ନିଶ୍ଚଳ ହେଇ ତାଙ୍କ ଶୋଇବା ଖଟରେ। କାକିମା ବସିଥିଲେ ତାଙ୍କ ପାଖରେ। କାକିମା ଗୋଟେ ନୂଆ ଧଳା ଧୋତି ରେ ତାଙ୍କୁ ଘୋଡେଇଦେଲେ। ମୋ ହୃଦୟ କୋହରେ ଭରିଯାଉଥିଲା। ମୁଁ ହୋଇଯାଉଥିଲି ନିସ୍ତବ୍ଧ। ସେଇ କାକୁ ଏତେ ଯେ ପିଲାମାନଙ୍କୁ ଭଲପାଉଥିଲେ, ଆଜି ନଥିଲେ ଆମମାନଙ୍କ ଗହଣରେ। ତାଙ୍କ ଦୁନିଆ ଆଉ ଜୀବନ ସେଇଠି ଶେଷ ହୋଇଯାଇଥିଲା ତାଙ୍କପାଇଁ, କିନ୍ତୁ ସେ ଜୀବନ୍ତ ଥିଲେ ଆମମାନଙ୍କ ମନରେ , ଛୁଆମାନଙ୍କ ମନରେ ସବୁଦିନ ପାଇଁ।
ଆମେସବୁ ସୋସାଇଟିର ଯେତେ ଲୋକ ତଳେ ଗଦା ହୋଇଥିଲୁ। ଛୁଆମାନେ କିଛି ବୁଝିପାରୁ ନଥିଲେ, କ'ଣ ହେଇଛି ବୋଲି ଖାଲି ପଚାରୁଥିଲେ। କହୁଥିଲେ,“ ଚକ୍ରବର୍ତ୍ତି କାକୁଙ୍କର କଣ ହେଇଛି ? ସେ କାଇଁ ଶୋଇଛନ୍ତି ? ଆମ୍ବୁଲାନ୍ସ କାଇଁ ତାଙ୍କୁ ନେଇକି ଆସିଛି ?" ମୋ ପାଖରେ ଉତ୍ତର ନଥିଲା, ସେମାନଙ୍କ ପ୍ରଶ୍ନର। ମୁଁ ଥିଲି ନିରୁତ୍ତର ସେଦିନ।
ଛୁଆମାନେ ଯେତେବେଳେ ପାର୍କକୁ ଖେଳିବାକୁ ଆସୁଛନ୍ତି, ତାଙ୍କ ଆଖି ଖୋଜୁଛି ଚକ୍ରବର୍ତ୍ତି କାକୁଙ୍କୁ। କିନ୍ତୁ ସେମାନେ ଆଉ ପାଉନାହାନ୍ତି ତାଙ୍କୁ ଖୋଜିକି। କିନ୍ତୁ ଆଜିବି ସେ ଜୀବନ୍ତ ଅଛନ୍ତି ଛୁଆମାନଙ୍କ ମନ ଭିତରେ ଆଉ ଆମ ମାନଙ୍କ ମନ ଭିତରେ ସବୁଦିନ ପାଇଁ, ଆମର ସମସ୍ତିଙ୍କର ପ୍ରିୟ "ଚକ୍ରବର୍ତ୍ତି କାକୁ"।
