ମଣିଷଠୁ ଭଲ ବାଘ
ମଣିଷଠୁ ଭଲ ବାଘ
ବଣ ଜଙ୍ଗଲ ଘେରା ଗାଁଟିଏ । ଜଙ୍ଗଳରୁ ବହୁ ସମୟରେ ହିଂସ୍ର ଜୀବ ଜନ୍ତୁ ଆସି ଯାଇଥାନ୍ତି । ସେମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀ ବହୁ ସତର୍କରେ ରହନ୍ତି । ସେହି ଗ୍ରାମରେ ଉଚ୍ଚ ପ୍ରାଥୀମିକ ବିଦ୍ୟାଳୟଟିଏ ଅବସ୍ଥିତ । ବିଦ୍ୟାଳୟରେ ଗ୍ରାମର ପିଲାମାନେ ପାଠ ପଢୁଥିଲେ । ସେମାନଙ୍କ ଭିତରୁ ସୀମା ଓ ରହିମ ଦୁଇ ଜଣ ପିଲା ଘନିଷ୍ଠ ସାଙ୍ଗ ଥିଲେ । ଦିନେ ବିଦ୍ୟାଳୟ ସାମନାରେ ବହୁତ ଲୋକ ରୁଣ୍ଡ ହୋଇଥିବାର ସେ ଦୁହେଁ ଦେଖିଲେ । ସେହି ସ୍ଥାନକୁ ଯାଇ ବୁଝିବାରୁ ଜଣାଗଲା ଗାଁ ଭିତତକୁ ଏକ ବାଘ ପଶିଆସିଥିଲା । ଗାଁ ଭିତରେ ବାଘ ପୂର୍ବରୁ ମଧ୍ୟ କେତେଥର ଆସି ମଣିଷ ଓ ପଶୁ ପକ୍ଷୀ ଖାଇ ଯାଇଥିବାର ଶୁଣାଯାଏ । ତେଣୁ ଗ୍ରାମର କିଛି ଲୋକ ସାହସ ଜୁଟାଇ ତେଙ୍ଗା ବାଡ଼ି ଧରି ବାଘାଟିକୁ ବାଡେଇ ଚାଲିଛନ୍ତି । ବାଘଟି ନିରୀହ ଭଳି ଚାହିଁ ରହିଛି । ତା ଦେହର ବିଭିନ୍ନ ସ୍ଥାନରୁ ରକ୍ତ ବୋହୁଛି । ଏହି କଥା ସୀମା ଓ ରହିମ ଦେଖି ସହି ପାରିଲେ ନାହିଁ । ସେମାନେ ପାଠ ବହିରେ ପଢ଼ିଛନ୍ତି ଯେ କିପରି ଜୀବ ଜନ୍ତୁ ମାନେ ମଣିଷର କାମରେ ଆସନ୍ତି । ଜୀବେ ଦୟା ର ଆବଶ୍ୟକତା ରହିଛି । ସେମାନେ ପରିବେଶର ସୁରକ୍ଷା କରୁଛନ୍ତି, ଇତ୍ୟାଦି । ତେଣୁ ଛୋଟ ଛୁଆ ହେଲେବି ସେ ଗହଳି ଭିତରେ ପଶି ଦୁହେଁ ଲୋକ ମାନଙ୍କୁ ବୁଝେଇବାକୁ ଲାଗିଲେ ଯେ ବାଘଟି ପଶୁ ହେଲେବି ତାର ଜୀବନ ଅଛି, ଆମକୁ ଆଘାତ ଲାଗିଲେ ଯେମିତି କଷ୍ଟ ହୁଏ ତାକୁ ବି ସେମିତି କଷ୍ଟ ହେଉଛି । ଆମେ ଦୁନିଆର ଶ୍ରେଷ୍ଠ ଜୀବ ବୋଲି କଥା କହି ପାରୁଛନ୍ତି । ସେ ପଶୁ ହୋଇଥିବାରୁ ତାର ପାଟି ଫିଟେ ନାହିଁ ଓ କଥା କହିପାରେ ନାହିଁ । ତେଣୁ ତାକୁ ବାଡାନ୍ତୁ ନାହିଁ, ଛାଡି ଦିଅନ୍ତୁ । ପିଲା ଦୁହିଁଙ୍କ କଥା କୁ ଲୋକମାନଙ୍କ ମନକୁ ପାଇଲା ଓ ବାଘାଟିକୁ ଛାଡିଦେଲେ । ଯେମିତି ବାଘଟିକୁ ଛାଡିଦେଲେ ସେ ଦୌଡ଼ି ଜଙ୍ଗଲ ଭିତରକୁ ଚାଲିଗଲା ।
ଦିନେ ଜଙ୍ଗଲ ରାସ୍ତା ଦେଇ ଗାଁ ର ଝିଅଟିଏ ଯାଉଥିଲା । ସେହି ଝିଅକୁ ଚୋରଟିଏ ଅପହରଣ କରି ନେଇଗଲା । ଜଙ୍ଗଲରେ ବାଘ ଏହା ଦେଖିଲା । ସେହି ଚୋରର ବାଟ ଆଗୁଳିଲା । ଚୋର ବାଘକୁ ଦେଖି ପ୍ରାଣ ବିକଳରେ ସେ ଝିଅକୁ ଜଙ୍ଗଲରେ ଛାଡି ଦୌଡ଼ି ଚାଲିଗଲା । ସେ ଭାବିଲା ଝିଅଟିକୁ ବାଘ ଖାଉ ।
ଏତିକି ବେଳେ ଝିଅଟି ଚୋର ହାବୁଡ଼ରୁ ରକ୍ଷା ପାଈ ଗାଁ କୁ ଦୌଡ଼ି ଆସିଲା । ଛାନିଆ ହୋଇ ଗାଁ କୁ ଦୌଡି ଆସିଥିବା ଝିଅକୁ ଗାଁ ଲୋକ ପଚାରିଲେ । ସେ ସବୁକଥା କହିଲା । ତାକୁ କିପରି ବାଘ ରକ୍ଷା କଲା । ନଚେତ ତାକୁ ଚୋରଟି ନେଇ ଚାଲିଯାଇଥାନ୍ତା । ବାଘ ହିଂସ୍ର ହେଲେ ମଧ୍ୟ, ଆଜି ସେ ଆମ କାମରେ ଆସିଲା । ସେଦିନ ସୀମା ଓ ରହିମ ଠିକ କଥା କହୁଥିଲେ ବୋଲି ଗାଁ ଲୋକ ହୃଦୟଙ୍ଗମ କଲେ । ବାଘ ପଶୁ ହେଲେବି ମଣିଷଠାରୁ ବହୁ ଗୁଣରେ ଭଲ ।
