*ମଧ୍ୟାନ୍ତର*
*ମଧ୍ୟାନ୍ତର*
ଆକର୍ଷଣର କାରଣ ସନ୍ଧାନ କରିବାରେ ସମୟ ନଷ୍ଟ କରିଦେବା ମଣିଷ ଜୀଵନର ଗୋଟେ ବିରାଟ ଭୁଲ। ସେଠି ଥାଏ ଗୋଟେ ସମ୍ଭାବନା ଠିକଣା.....
- "ସମୟ କେତେ ହେଲାଣି ଟିକେ କୁହନ୍ତୁ ପ୍ଲିଜ।"
ଜିତା ପିଲାଟିକୁ ଅନେଇଲା ବଡ଼ ବଡ଼ ଆଖିରେ । ଚିତ୍ରିତ ସାର୍ଟ ଆଉ ବ୍ଲୁ ଜିନ୍ସ , 'ରେ ବ୍ୟାନ୍ ' ଚଷମା, ଆପଲ ଘଡି ପିନ୍ଧା ପିଲାଟା ହାତରେ ଡ୍ରାଗନ୍ ଟାଟୁ। ଏକଦମ ଫିଲ୍ମି ଚେହେରା ।
ଏତେ ବଡ଼ ଘଡି ପିନ୍ଧି ସମୟ ପଚାରୁଛି , ଅଭଦ୍ର। ମନେ ମନେ କହିଲା ଜିତା।
ପିଲାଟା କିନ୍ତୁ ପ୍ରଶ୍ନ ର ପୁନରାବୃତ୍ତି କଲା ,ଜିତା କୁ ବିରକ୍ତ କରି। ଖୁବ୍ ସାବଲୀଳ ଭାବେ କହିଲା" ସରି ମ୍ୟାମ୍ , ଟିକେ ମୋବାଇଲ ଦେଖି କୁହନ୍ତୁ ନା ମୋର ଗୋଟେ ସୋ' ଅଛି କାଳେ ଡେରି ହେଇଯିବ"?
ଜିତା ପିଲାର ନିର୍ଲଜପଣ ଦେଖି ସତରେ ରାଗିଗଲା। କି ସାହସ !କଥା ହେବାକୁ କିଛି ବି ବାହାନା !!
ଜିତା ସେଠି ଆଉ ଠିଆ ହେଲାନି ସିଟି ବସ୍ ଅପେକ୍ଷା ରେ, ଟେମ୍ପୁଟେ ନେଇ ପଳେଇଲା।
ପର ଦିନ ସେଇ ପିଲାଟି ପୁଣି ଥିଲା ବସ୍ ଷ୍ଟାଣ୍ଡ ରେ।ଆଜି ପିନ୍ଧି ଥିଲା ବ୍ଲାକ ସାର୍ଟ ଆଉ ଗୋଟେ ବଢ଼ିଆ ଫେଡେଡ୍ ଜିନ୍ସ । ଫାଷ୍ଟ ଟ୍ରାକ୍ ର ମର୍କ୍ୟୁରୀ ପ୍ଲେଟେଡ୍ ସନ୍ ଗ୍ଲାସ୍ ରେ ଲାଗୁଥିଲା ଚମତ୍କାର । ଆଜି କିନ୍ତୁ ପିଲାଟି ଥିଲା ନିରବ। ସେ ଥିଲା ନିଜ ଭିତରେ ମଗ୍ନ।
ପିଲାଟି ସେଇ ବସ୍ ଷ୍ଟାଣ୍ଡରେ ଦିଶୁ ଥିଲା ପ୍ରତିଦିନ ବିଭିନ୍ନ ରୂପରେ । ଜିତା ପିଲାଟି ସହ କଥା ହେବାର ଖିଅଟେ ଖୋଜୁଥିଲା ମନେ ମନେ କିନ୍ତୁ କହୁନଥିଲା କିଛି । କେଵଳ ଦେଖୁଥିଲା ତାକୁ ଟିକେ ତ୍ରିଜକ୍ ଚାହାଣୀରେ।
*******
ଜିତା ର ଥିଲା ଗୋଟେ ବିକ୍ଷୀପ୍ତ ଅତୀତ। ତା ଅତୀତର ଠିକଣା ଥିଲା ସରୋଜ। ସରୋଜ କୁ ନେଇ
ଖୁବ୍ ଆବେଗିକ ସମ୍ପର୍କ ଗଢିଥିଲା ଦେଇ ସର୍ବସ୍ବ। କିନ୍ତୁ ସମ୍ଭାବନା ମାନେ ଥିଲେ ବିମୁଖ । ସରୋଜ ନଥଲେ ତା ପାଇଁ ଯୋଗ୍ୟ ।
ଯାବତୀୟ କଦର୍ଯ୍ୟ ପ୍ରକୃତି ଥିଲା ସରୋଜ ର। ସେ ଥିଲା ଦୁଶ୍ଚରିତ୍ର, ସନ୍ଦେହି , ମଦ୍ୟପ। ଜିତା ଉପରେ କରୁଥିଲା ଅତ୍ୟାଚାର। ରଖିଲାନି ସେ ସମ୍ପର୍କର ମାନ। ତାର ରୁଦ୍ଧ ପୃଥିବୀରେ ନଥିଲା ଜିତା ପାଇଁ ଗୋଟେ ସମ୍ପନ୍ନ ଜୀବନ।
ଜିତା ନିଜର ରୁଗ୍ଣ ସମ୍ପର୍କକୁ ବଞ୍ଚେଇବାର ସମସ୍ତ ପ୍ରୟାସ କରିଥିଲା। କିନ୍ତୁ ସବୁ ଥିଲା ନିଷ୍ଫଳ। ସେ ବାଧ୍ୟ ହେଇଥିଲା ଛାଡି ବାକୁ ସରୋଜ କୁ।.....
ନିଜକୁ ସ୍ୱାବଲମ୍ବୀ କରିବାର ପ୍ରଚେଷ୍ଟା ରେ ସେ ନେଇଥିଲା ଗୋଟେ ନିଯୁକ୍ତି ର ସାହାରା।
ଲଢ଼ୁଥିଲା ନିଜ ସହ ଆଉ ପରିସ୍ଥିତି ସହ ଅବିଶ୍ରାନ୍ତ ଭାବେ।
ସବୁ କିଛି ଥିଲେ ବି ଏକାକୀ ଜୀଵନର ଶୁନ୍ୟତା ମଣିଷ କୁ ଦିଏ ଖୁବ୍ ଯନ୍ତ୍ରଣା। ବଞ୍ଚିବା ପାଇଁ ସମ୍ଭାବନାର କୋଳାହଳ ଲୋଡ଼ା ।
ପାଖ ପଡୋଶୀ ମାନଙ୍କ ର ପରିପୂର୍ଣ୍ଣ ପୃଥିବୀ, ଛୋଟ ପିଲାଙ୍କ ମେଳରେ ଉଲ୍ଲାସମୟ ଜୀବନ ତାକୁ ବ୍ୟସ୍ତ କରୁଥିଲା। ଗୋଟେ ସରୋଜର ଅନୁପସ୍ଥିତି ତାକୁ ଦଂଶୁ ଥିଲା ।
*******
ଦିନେ ହଠାତ୍ ପିଲାଟି ଆସିଲା ନାହିଁ। ଜିତାର ଦୃଷ୍ଟି ଖୋଜୁଥିଲା ତାକୁ। ତାର ଅନୁପସ୍ଥିତି କରୁଥିଲା ପ୍ରଭାବିତ।
ତା ପରଦିନ ବି ଥିଲା ସେ ଅଦୃଶ୍ୟ । ଜିତାକୁ ଏବେ ଗୋଟେ ଅଜଵ ହତାଶା ଘାରିବାକୁ ଆରମ୍ଭ କରିଥିଲା। ସେ ଆଉ ରହିବାକୁ ଚାହୁଁ ନଥିଲା ଆଶଙ୍କା ଭିତରେ। ପିଲାଟି ବିଷୟରେ ଜାଣିବାର ବ୍ୟସ୍ତତା ତାକୁ ବାଧ୍ୟ କଲା ପାଖ ପାନ ଦୋକାନରେ ପଚାରିବାକୁ ଜାଣିଚି କି କିଛି ସେ ପିଲାଟି ବିଷୟରେ?
ପାନ ଦୋକାନୀଟି ଜଣେଇଲା ଦୁଇ ଦିନ ପୂର୍ବେ ସେଇ ବସ୍ ଷ୍ଟାଣ୍ଡ ରେ ବସ୍ ଚଢ଼ିବା ସମୟରେ ଦୁର୍ଘଟଣା ଘଟିଛି ପିଲାଟି ସହ। ହସ୍ପିଟାଲରେ ଅଛି ପିଲାଟି।
ଜିତା ଧାଇଁଲା ହସ୍ପିଟାଲ। ଗୋଟେ ଅସମ୍ଭବ ଯନ୍ତ୍ରଣା ହେଉଥିଲା ।କେହି ଜଣେ ଖୁବ୍ ଆପଣାର ପରି ବ୍ୟସ୍ତତା ଥିଲା ମନରେ। କାନ୍ଦୁଥିଲା ଜିତା ଗୋଟେ ଅବ୍ୟକ୍ତ ଯନ୍ତ୍ରଣା ରେ।.....
*ସୌମ୍ୟା*