Srimani Priyadarsini

Others

2  

Srimani Priyadarsini

Others

ମାଆ ର ଦୁଇଟି ଚିଠି

ମାଆ ର ଦୁଇଟି ଚିଠି

5 mins
8



ସ୍ନେହର ଚିନୁ,

କେମିତି ଅଛୁରେ, ତୋର ବିବାହକୁ ଦୁଇ ବର୍ଷ ପୁରିବାକୁ ବସିଲାଣି ଚିଠି ପାଇଁ ବିଳମ୍ବ କରିଦେଲି ତେଣୁରାଗିବୁନି, ଜାଣିଛି ମୋ ବିଳମ୍ବ ପରିଣାମରେ ତୋ ଅଭିମାନ ତ ନିଶ୍ଚୟ ଥିବ । କାର୍ଯ୍ୟ ବ୍ୟସ୍ତତା ହେତୁ ତୁ ମୋତେ ଦୁଇ ବର୍ଷ ହେବ ଫୋନ ଟିଏ ବି କରିପାରିନୁ, ତୋ ସହ କଥା ହେବା ପାଇଁ ଏଇ ଚିଠି ହିଁ ମୋର ଏକ ମାତ୍ର ସାହାରା ହେଲେ ତୋ ଚିଠି କାହିଁ କେବେ ବି ଆସେନି ? କ'ଣ ମୋ ଉପରେ ଏତେ ଅଭିମାନ ? ହେଲେ ତୋ ଭାଇ ଥିଲେ..! ଆମେ ଦୁହେଁ ତୋତେ ଦେଖି ଆସନ୍ତୁରେ ଚିନୁ । ତୋ ଶାଶୁଘର ଯିବା ପରେ ମୁଁ ତ ଏଇ ଘରେ ଏକା ହିଁ ପଡିଛି । ହେଲେ ତୋ ଭାଇ ଥିଲେ..! ମୋ ଏକେଲାପଣ ଦୂରେଇ ଯାଆନ୍ତା । ଆଜି ଗାଁର ଜଣେ ଅପା ପୁଅ କୁ ଦେଖିଲି,ହେଲେ ତୋ ଭାଇ ଥିଲେ...! ଆଜି ତା ଭଳି ହୋଇଥାନ୍ତା, କାରଣ ସେ ଦୁହିଁଙ୍କ ଜନ୍ମ ଏକା ସମୟରେ । କେତେ ଚାହିଁଛି ତୋତେ ମୋ ଅନ୍ତରର କଥା ଜଣାଇବାକୁ, ହେଲେ ଛୋଟ ଛୁଆଟି ତୁ ତୋ ପାଠ ପଢାରେ ଅବହେଳା ହେଉ ମୁଁ ନ ଚାହିଁ ଅପେକ୍ଷା କରି କରି ତୋତେ ଏଡ଼ିକି ଟିଏରୁ ଏଡୁଟେ କରିଲି, ହେଲେ ମୋ ମନ କଥା କାହିଁ ଜଣାଇବାକୁ ଜମା ଇଚ୍ଛା ହୁଏନିରେ ଚିନୁ...!


ଆଜି ମୋ ଅନ୍ତରାତ୍ମା କହୁଛି ଏହି ଦେହରୁ ଆତ୍ମା ଟି ବାହାରି ପଞ୍ଚଭୂତରେ ବିଲୀନ ହେବା ପୂର୍ବରୁ ତୋତେ ମୋ ଜୀବନ କାହାଣୀ ଜଣାଇ ଦେବାକୁ । ଚିନୁରେ ତୁ ମନ ଦୁଃଖ କରିବୁନି, ତୋ ଭାଇ ଥିଲେ.! ଆଜି ମୋର ସବୁ ଦୁଃଖକଷ୍ଟ ସହିଯାଆନ୍ତା । କାରଣ ତୁ ଦୂରରେ ଥାଇ ବି ମନେ ପକାଉ ନାହିଁ ଏହି ନିରୀହ ମାଆ ଟିକୁ । ଏଇ ଦୁଇ ବର୍ଷ ଭିତରେ ନା ଚିଠି ନା ଫୋନ ? ତଥାପି ମୁଁ ପ୍ରତିଦିନ ଚିଠି ଲେଖୁଛି ତୋ ପାଖକୁ, କାଳେ ତାର ପ୍ରତିଉତ୍ତର ଆସିଯାଇପାରେ ହେଲେ ନା, ତୁ ଆଉ ଅଭିମାନ କରିବୁ ନାହିଁ ମୋ ଉପରେ ମୋ ସୁନା ଝିଅ ଟା ପରା..! ଖାଲି ତୋ ଭାଇ ଥିଲେ ଭାଇ ଥିଲେ ହେଉଛି ବୋଲି, ତୁ ମୋ ଝିଅ ନୁହଁ ଲୋ ମା ତୁ ମୋର ବି ଗୋଟେ ପୁଅ । କାରଣ ଗୋଟେ ନିରୀହ ମାଆର ସ୍ବପ୍ନ ତୁ ସାକାର କରିଛୁ..! ହେଲେ ଜାଣିଛୁ ତୁ ଏତେ ବଡ଼ ଉଚ୍ଚ ପଦବୀରେ ଅଛୁ, ତୋ ଭାଇ ଥିଲେ..! ଆଜି ଏସବୁ ଶୁଣି ଗର୍ବ ଅନୁଭବ କରିଥାନ୍ତା ।


ଅଲକ୍ଷଣୀର ଆଖ୍ୟା ପାଇବା ପାଇଁ ମୋର ଜନ୍ମ ଲୋ ଚିନୁ । ଏଇ ଘରେ ମୋ ପାଦ ପଡ଼ିବା ମାତ୍ରେ ସମସ୍ତେ ମୃତ୍ୟୁବରଣ କରିବେ, ଏଇ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲି । ଶଶୁରଙ୍କ ଥିଲା ଗୋଟେ ପୁରୁଣା ବେମାରି । ଇଶ୍ଵର କାହାକୁ କେତେବେଳେ ତାଙ୍କ ପାଖକୁ ନେଇଯିବେ ଏକଥା କିଏ ବା ଜାଣିବ ? ବିବାହର ଗୋଟେ ଦିନ ପରେ ଶଶୁରଙ୍କ ମୃତ୍ୟୁ ପରେ ମୁଁ ପାଲଟି ଗଲି ଅଲକ୍ଷଣୀ, ତୁ କହ ମା କଣ ମୁଁ ଏଥିରେ ଦାୟୀ ଥିଲି ? ସେଇଦିନ ଠୁ ହିଁ ମୋ ଉପରେ ଆରମ୍ଭ ହୋଇଯାଏ ନିର୍ଯାତନା । ଶଶୁରଙ୍କ ମୃତ୍ୟୁ କୁ ଦୁଇ ମାସ ପୁରିନି ଶାଶୁ ଙ୍କ ମଧ୍ୟ ମୃତ୍ୟୁ । ସେଇଦିନ ହିଁ ଚିହ୍ନିଗଲି ତୋ ବାପା ଙ୍କୁ, କେତେ ସହିବି ଲୋ ତାଙ୍କ ମାଡ଼ ଗାଳି..! ତୋ ବାପାଙ୍କ ଦୁଇଟିରୂପ କହିଲେ ଚଳେ, କେତେବଳେ ଦେବତା ତ କେତେବେଳେ ଦାନବ । ଆଉ ମୋ ଉପରେ କେବେ ପ୍ରେମ ତ କେବେ ଯନ୍ତ୍ରଣା, ଭାଗ୍ୟ କୁ ଆଦରି ହିଁ ମୁଁ ବଞ୍ଚିଥାଏ । ବର୍ଷଟିଏ ପରେ ଖୁସିର ଦିନ ଆସେ ଯେତେବେଳେ ତୋ ଭାଇ ଆମ ଘରକୁ ନୂଆ ଅତିଥି ହୋଇ ଆସେ । ଭାବୁଥିଲି ସେ ଆସିବା ପରେ କାଳେ ତୋ ବାପାଙ୍କ ମନ କିଛି ଟା ବଦଳି ଯିବ, କିନ୍ତୁ ନା କିଛି ବି ହେଲାନି ଚାଲୁରହିଲା ତାଙ୍କ ସେଇ ଦୁଇଟିରୂପ । ଧୀରେ ଧୀରେ ତୋ ଭାଇ ବଡ଼ ହେଉଥାଏ, ତାକୁ ଦଶ ବର୍ଷ ଚାଲୁଥାଏ । ତୁ ମୋ ଗର୍ଭରେ ଥାଉ । ସେତେବେଳେ ତୋ ବାପା ଚାଲିଗଲେ ସ୍ବର୍ଗ କୁ, ପୁଣି ସାଜିଗଲି ଅଲକ୍ଷଣୀ । କହରେ ଚିନୁ, ନିଜ ପରିବାରରେ କଣ କେହି ମରିଗଲେ ସେଇ ଘରର ବୋହୂ ଟି ଅଲକ୍ଷଣୀ ପାଲଟି ଯାଏ ? କଣ ପାଇଁ ଏଇ ସମାଜ ଏମିତି ଭିନ୍ନ ଦୃଷ୍ଟିରେ ଦେଖେ ? ତଥାପି ମୁଁ ସେଇ ଅଲକ୍ଷଣୀ ଶବ୍ଦ ଟିକୁ ନ ଶୁଣି ବଞ୍ଚିଲି ତୋ ଭାଇ କୁ ଧରି । ହେଲେ ସେଇ ଖୁସିରେ ପୁଣି ଗ୍ରହଣ ଲାଗିଗଲା, ତୋର ଜନ୍ମ ହେବାକୁ ଗୋଟିଏ ମାସ ଥିଲା । ତୋ ଭାଇ ମଧ୍ୟ ଏ ଦୁନିଆରୁ ସବୁଦିନ ପାଇଁ ଚାଲିଗଲା । ବାସ, ସେଇ ଦିନରୁ ସମାଜ ମୋତେ କଳଙ୍କିନି ଆଖ୍ୟା ଦେଇଛି, ଅଲକ୍ଷଣୀ ଆଖ୍ୟା ବି ଦେଇଛି । ମୋ ଛାଇ କାହା ଦୁଆରେ ପଡ଼ିଲେ କୁଆଡେ ଅଶୁଭ ।


ତଥାପି ଚିନୁ ମୁଁ ହାରିଲି ନାହିଁ, ଏଇ ଗାଁରୁ ଚାଲି ଆସିଲି କଟକ ସହରକୁ । ପର ଘରେ ବାସନ ମାଜି, ତୋତେ ପାଠ ପଢ଼ାଇ ମୁଁ ଏତେ ଉଚ୍ଚ ଯାଏ ନେଇ ପାରିଲି ଆଉ ତୁ ଓଡ଼ିଶାରେ ପ୍ରତିଷ୍ଠିତ ମହିଳା ହୋଇଗଲୁ । ନେତା ଙ୍କ ବୋହୂ ହୋଇ, ତୋ ବିବାହ ପରେ ଚାଲିଗଲୁ ସୁଦୂର ମୁମ୍ବାଇ । ସେବେଠାରୁ ମୋତେ ନା ଚିଠିଟିଏ ଦେଇଛୁ ନା ମୋତେ କେବେ ଫୋନ୍ ଟିଏ କରିଛୁ ? କିଛି ଠିକଣା ନାହିଁ ତୋର ମୋ ପାଖେ । ଜାଣିଛୁ ଚିନୁ ଆଜିରାକ୍ଷୀ ପୂର୍ଣ୍ଣିମା, ତୋ ଭାଇ ଥିଲେ..! କେତେ ସରାଗରେ ଆଜି ତୋ ହାତରୁରାକ୍ଷୀ ପିନ୍ଧି ଥାଆନ୍ତା । ମୋତେ ଆଜି ସମାଜ କେଉଁ ଦୃଷ୍ଟିରେ ଦେଖୁଛି ମୁଁ ଚାହେଁନି । ହେଲେ ମୁଁ ସେଇ ବାର ଘର ପାଇଟି କରି ଶାନ୍ତିରେରହିଯାଉଛି । କେହି ଟାହିଟାପରା କଲେ ମୁଁ ଜମା ସେ କଥା ଶୁଣେନି । ମୋର ଆଶା ଅଛି ତୁ ଦିନେ ଓଡ଼ିଶା ଆସିକି ମୋତେ ତୋ ପାଖକୁ ନେଇଯିବୁ । କାରଣ ଏକୁଟିଆ ବଞ୍ଚିବା ମୋ ପାଖେ....! ନାହିଁ ମା ମୁଁ ଖୁବ୍ ଭଲରେ ଅଛି, ଚିଠି ପାଇ ଚିଠି ଦେବୁ ଆଗ ଭଳି ଅଭିମାନ କରିବୁ ନାହିଁ, ତୁ ଜାଣିଛୁ ମୁଁ ତୋ ଚିଠିର କେତେ ଅପେକ୍ଷାରେ ଅଛି...!

। । ଇତି । ।


                             ତୋର ମାଆ 

ସ୍ନେହର ବିନୁ,

    ମୋର କଲ୍ୟାଣ ନେବୁ । ଆଶାକରେ ତୁ ସେଠାରେ ଭଲରେ ଥିବୁ । ମାଆ କଥା ତୋର ମନେ ପଡୁନି ବୋଧେ । ତୋ ଭଉଣୀ ଚିଠି ପଠାଉ ନାହିଁ ବୋଲି ତୁ କଣ ଚିଠି ପଠାଇବୁନି ? ତୋର କେତେ ଯେ ଇଚ୍ଛା ଥିଲା ତୋର ଭଉଣୀ ହେବ , ତୋ ହାତରେରାକ୍ଷୀ ବାନ୍ଧିବ । ଆଜି ତ ସେଇରାକ୍ଷୀ ପୂର୍ଣ୍ଣିମା, ହେଲେ ତୁମେ ଦୁହେଁ ଗଲ କୁଆଡେ ? ଆଜି ମୋ ଘର ଟି କେତେ ହସ ଖୁସିରେ ପୁରିଯାଇଥନ୍ତା ତୁମେ ଦୁହେଁ ଥିଲେ । ତୁ କଣ ପିନ୍ଧିବୁ ନାହିଁ ତୋ ଭଉଣୀ ହାତରୁରାକ୍ଷୀ ? ଏତେ ଜଲଦି ମୋତେ ଛାଡିକି ଯିବା କଣ ଦରକାର ଥିଲା ? ତୁ ସେଠାରେ ଭାବିଛୁ, ଏଇ ନିରୀହ ମାଆ ଟି ତୋର କେମିତି ବଞ୍ଚିଛି ? ତୁ ମଧ୍ୟ ମୋ ଉପରେ ଆଉ ଅଭିମାନ କରନା, ଫେରିଆରେ ଆଜି ଘରକୁ ତୋ ଭଉଣୀ ହାତରୁରାକ୍ଷୀ ପିନ୍ଧିବୁ ନାହିଁ କି ? ମୋର କେତେ ଆଶା ଥିଲା ତୋତେ ପାଠ ପଢ଼ାଇ ଭଲ ମଣିଷ ଟିଏ କରିବାକୁ ହେଲେ ତୁ, ଅଧା ବାଟରେ ମୋ କୋଳ ଛାଡି କୁଆଡେ ଗଲୁ ? ମୋ ଆୟୁଷ ବି ତୋତେ ଲଗିଯାଇଥାନ୍ତା..! ମୋତେ କାହିଁ ଲାଗୁଛି ମୁଁ ଆଉ ଏଇ ଦୁନିଆରେରହିବିନି । ଯେତେ ଜଲଦି ହଉଛି ମୋତେ ତୋ ପାଖକୁ ନେଇଯା ପୁଅ...! ତୋ ଚିଠି ତ କେବେ ଆସିବ ନାହିଁ ମୁଁ ଜାଣିଛି ତଥାପି ତୋ ଚିଠିର ଅପେକ୍ଷାରେ....!

                              । । ଇତି । ।


                            ତୋର ମାଆ


    ଦୁଇଟି ଯାକ ଚିଠି କୁ ଧରି ଚାଲିଲା ସେ ପୋଷ୍ଟ୍ ଅଫିସ୍ । ଗୋଟିଏ ପୋଷ୍ଟ ବକ୍ସରେ ପକେଇଦେଇ ଚାଲିଲା ସେ ମଶାଣି ଆଡକୁ, ସେଠାରେ ଚିଠି ଟି ଥୋଇଦେଇ ରାସ୍ତାରେ ଯାଉଥିଲା ବେଳେ ହଠାତ୍ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଟ୍ରକ୍ ଚକ ତଳେ ଚାପି ହୋଇ ମୃତ୍ୟୁ ବରଣ କରେ । ଲୋକମାନେ କୁହା କୁହି ହେଉଥିଲେ, ଏ ଟା ଗୋଟେ ପାଗଳି ନିଜ ପୁଅ ଝିଅ ଙ୍କ ମୃତ୍ୟୁ କୁ ଅତି ସହଜରେ ବିଶ୍ୱାସ କରିପାରୁନି, ପ୍ରତିଦିନର ଘଟଣା ତକ ଚିଠିରେ ଲେଖି ଦେଇ ଏଇ ପୋଷ୍ଟ ବକ୍ସରେ ଗୋଟେ ତ ଆଉ ଗୋଟେ ତା ପୁଅର ସମାଧି ପାଖେ ଥୋଇ ଦେଇ ଯାଏ । ତା ପୁଅ ଟି ଦଶ ବର୍ଷରେ ମରି ଯାଇଥିଲା, ଆଉ ଝିଅ ବିବାହ ପରେ ଶାଶୁ ଘରର ନିର୍ଯାତନା ସହି ନପାରି ମଲା । ନେତା ଲୋକ ହୋଇଥିବାରୁ ଘଟଣା କୁ ଚପାଇ ଦିଆଯାଇଥିଲା । ତା ମାଆ ଏସବୁ ଜାଣିଥିଲା ହେଲେ ବୁଝିବାକୁ ନାରାଜ । ପୋଷ୍ଟ ବକ୍ସରେ ଥିବା ଚିଠି ଗୁଡ଼ିକ ସେମିତି ପଡିରହିଥାଏ ଆଉ ସମାଧି ପାଖେ ଥିବା ଚିଠି ଟି ପବନରେ କେଉଁଆଡେ ଉଡିଯାଏ । ଯେତେ ବୁଝେଇଲା ପରେ ବି ସେ ପ୍ରତିଦିନ ଚିଠି ଲେଖୁଥିବ ତାର ପୁଅ ଝିଅଙ୍କୁ, କେମିତି ବୁଝିବ ସେ ? ମାଆର ମନ ତ....!


  



Rate this content
Log in