STORYMIRROR

Madhumita Mishra

Others

2  

Madhumita Mishra

Others

ଲୁହ ଖୋଲିଦେଲା ଆଖିର ମୋହ

ଲୁହ ଖୋଲିଦେଲା ଆଖିର ମୋହ

2 mins
471



    ପିଲାଟି ବେଳୁ ତାଙ୍କ ନାମ ଶୁଣି ଆସିଥିଲି। ଘରେ ସମସ୍ତେ ତାଙ୍କୁ ଭକ୍ତି କରିବା ବି ଦେଖି ଆସିଥିଲି।କିନ୍ତୁ କାହିଁକି କେଜାଣି ନାସ୍ତିକତା ତ ନୁହେଁ ଅବମାନନା ବି ନୁହେଁ କହିପାରିବା ଅନୁସନ୍ଧିତ୍ସୁ ମନ ନେଇ ମୁଁ ତାଙ୍କୁ ସବୁବେଳେ ଚାହୁଁ ଥିଲି।ସେ ଏପରି କାହିଁକି କଲେ ଏ ପ୍ରଶ୍ନ ସବୁବେଳେ ମୋ ମନକୁ ଆନ୍ଦୋଳିତ କରି ଚାଲିଥିଲା କିନ୍ତୁ ଉତ୍ତର ମିଳିବାର କୌଣସି ଉପାୟ ନ ଥିଲା ।


   ମନ ଜିଜ୍ଞାସା ଶାନ୍ତ କରିବା ପାଇଁ ଅନେକ ପୁସ୍ତକ ପଢିଲି । ବଡ଼ ମାନଙ୍କୁ ମଧ୍ୟ ପଚାରିଲି ସମୟ ସୁବିଧା ଦେଖି କିଛି ସାଧକ ଓ ସିଦ୍ଧ ବ୍ୟକ୍ତିଙ୍କୁ ମଧ୍ୟ ଏ ସମ୍ପର୍କରେ ପ୍ରଶ୍ନ କଲି ।ସେମାନେ ଯଥା ସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ କିନ୍ତୁ..।


   ସମୟ ଏପରି ଆସି ପହଁଚିଲା ଦ୍ୱାରକା ଯାଇ ମଧ୍ୟ ତାଙ୍କୁ ଦର୍ଶନ କରି ମଧ୍ୟ ଶାନ୍ତି ପାଇ ନଥିଲି ।ସେଇ ପ୍ରଶ୍ନ ସେ ଏମିତି କାହିଁକି କଲେ ?କାହିଁକି..?


   ମା ର ମମତା,ବାପାଙ୍କ ସ୍ନେହ ତ୍ୟାଗୀ ଅନୁରାଗିଣୀ ର ଅଭିମାନ ପାଦରେ ଏଡାଇ ଦେଇ ଏପରି କଣ ଉଦାହରଣ ଦେଇଗଲେ ମୁଁ ବୁଝି ପାରୁନଥାଏ ହଁ ଧର୍ମ ସଂସ୍ଥାପନା ଆବଶ୍ୟକ ଥିଲା।କିନ୍ତୁ ଏ ଅଧର୍ମ ମାର୍ଗ ଆପଣେଇବାକୁ କଣ ସେ ପୁରା ବାଧ୍ୟ ଥିଲେ ? ସେ ଚାହିଁ ଥିଲେ ତ ଆଉ କିଛି ରାସ୍ତା ବାହାର କରି ପାରିଥାନ୍ତେ ନା ସେ ତ ସର୍ବଶକ୍ତିମାନ ତେବେ ଏତେ ମନକୁ ଦୁଃଖ ସାଗରରେ ଭସାଇ ଦେଇ ଏତେ ହୃଦୟକୁ କନ୍ଦାଇ ଦେଇ କିପରି କୀର୍ତ୍ତି ବାନା ଉଡେଇଲେ ?


   ଧୀରେ ଧୀରେ ମୋ ଅନୁସନ୍ଧାନ ସନ୍ଦେହରେ ପରିଣତ ହୋଇ ଆସୁଥିଲା ?ଅସ୍ତବ୍ୟସ୍ତ ଲାଗୁଥାଏ..କୃଷ୍ଣ ଏକ ଅବତାର ହୋଇ କାହିଁକି ଏପରି ପଦକ୍ଷେପ ନେଲେ ଯାହା କେବଳ ଭୁଲ୍ ହିଁ ଥିଲା ?


    ଦିନେ ଦ୍ବିପହରରେ ଶୂନ୍ୟ ମନରେ କିଛି କ୍ଷଣ ନିରୋଳା ରେ ବସିଥିଲି କିଛି ଭାବନା ନ ଥିଲା,କିଛି ସନ୍ଧାନ ନ ଥିଲା, ଅବଶ୍ୟ ଏପରି ଶୂନ୍ୟ ହୋଇ ମୁଁ କ୍ଵଚିତ ବସେ ଆଉ ସବୁ ସମୟ ପରି ଆମ ଘରେ ଭଜନ ଲାଗିଥିଲା ଚିରାଚରିତ ଢଙ୍ଗରେ ।


    ଏକ ଭଜନ ଆରମ୍ଭ ହେଲା.."ଗୋପରୁ କହ୍ନେଇ ଦିନେ ଗଲା ଲୋ ଗଲା ଫେରିଲା ନାହିଁ..ଦେହରୁ ଜୀବନ ଦିନେ ଯିବ ଲୋ ଯିବ ଫେରିବ ନାହିଁ.."


  ଆଉ ବିଶ୍ୱାସ କରି ପାରିଲିନି ନିଜକୁ ଭଜନର ପ୍ରତିଟି ଶବ୍ଦ ବୋଧେ ମୋ ପାଇଁ ହିଁ ଉଦ୍ଦିଷ୍ଟ ଥିଲା ।


  କୃଷ୍ଣ ଗୋପରୁ ଚାଲି ଯାଇଥିଲେ କେବଳ ଏତିକି ପ୍ରମାଣ କରିବା ପାଇଁ ଯେ ଜୀବନ ଏ ଶରୀର ତ୍ୟାଗ କରି ଚାଲିଯିବ ଆଉ ଫେରି ଆସିବ ନାହିଁ।ନନ୍ଦ ,ଯଶୋଦା, ରାଧା ପରି ସମସ୍ତେ କାନ୍ଦିବେ ହେଲେ ଏ ଜୀବ ଅଣ ଲେଉଟା ରୁକୁଣା ରଥ ,ନନ୍ଦିଘୋଷ ନୁହେଁ ଯାହା ନଅ ଦିନ ଯାତ୍ରା ସାରି ଫେରି ଆସିପାରେ..?ଯେଉଁ ଛ ଖଣ୍ଡ ବାଡିର ସବାରୀରେ ମଣିଷ ଯାଏ ତାହା ଅଫେରନ୍ତା ଠିକ୍ ଯେପରି ଏତେ ସ୍ନେହ ଆଦର ଏତେ ଭଲ ପାଇବା ଏତେ ଆପନାପଣ ନେଇ ବଢ଼ିଥିବା କାହ୍ନୁ ଗୋପପୁର ବାସୀ ଙ୍କୁ ନିର୍ଜୀବ କରିଦେଇ କର୍ତ୍ତବ୍ୟ ସମ୍ପାଦନା ପାଇଁ ଛାଡ଼ି ଗଲେ ।ସେମିତି ଏ ଘଟ ତ୍ୟାଗ କରି ଆତ୍ମା ଚାଲିଯାଏ ଅନ୍ୟ ଏକ ଶରୀର ମଧ୍ୟକୁ କର୍ତ୍ତବ୍ୟ ସମ୍ପାଦନ କରିବା ଉଦ୍ଦେଶ୍ୟରେ ।ତାକୁ ସେତେବେଳେ କୌଣସି ସ୍ନେହ ବନ୍ଧନ, ଆତ୍ମା କ୍ରନ୍ଦନ ରୋକି ପାରି ନ ଥାଏ।


    ଆଖିରୁ ଝରି ଚାଲିଥିଲା ଅବିରତ ଭକ୍ତି ପ୍ରେମ ଓ ସମର୍ପଣର ଆନନ୍ଦାଶ୍ରୁ । ଏହି ସତ୍ୟ ଦେଖେଇବା ପାଇଁ ପ୍ରଭୁ ତୁମେ ଏ ଗୋପଲୀଳା କରିଥିଲ ? ମୁଁ ଅଧମ ଆଜିଯାଏଁ ଏହା ବୁଝି ନ ପାରି..।


   ଭଜନ ପୁନଃ ପୁନଃ ଶୁଣିଥିଲି ଆଉ ଏକ ଅପୂର୍ବ ଶିହରଣ ଖେଳି ଯାଉଥିଲା ସର୍ବାଙ୍ଗରେ..ଅବର୍ଣ୍ଣନୀୟ...


     

    


Rate this content
Log in