କୁଜା ମାଠିଆ ଜଳ ଦେହକୁ ବଳ
କୁଜା ମାଠିଆ ଜଳ ଦେହକୁ ବଳ
2 mins
248
ଖରା ଦିନ. ଥଣ୍ଡା ପାଣି ଟୋପେ ପିଇଦେଲେ କି ଶାନ୍ତି ସତରେ!ଫ୍ରିଜ଼ ପାଣି ଥଣ୍ଡା ଲାଗିଲେ ମଧ୍ୟ ସବୁବେଳେ ଫ୍ରିଜ଼ରୁ ପାଣିପିଇବା କି ଥଣ୍ଡା ପାନୀୟ ପିଇବା ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ଭାବି ମୁନା କୁମ୍ଭାର ଘରକୁ ମାଠିଆଟିଏ ଆଣିବାକୁ ଗଲା. କୁମ୍ଭାର କହିଲେ କାଳବୈଶାଖି ବର୍ଷା ହୋଇ ସବୁ ମାଠିଆ ନଷ୍ଟ ହୋଇଯାଇଛି ମାତ୍ର ଗୋଟିଏ ମାଠିଆ ଅଛି କିନ୍ତୁ ସେଇଟି କୁଜା ମାଠିଆ. ତୁମେ ଯଦି ଚାହିଁବ ଅଳ୍ପ ପଇସାରେ ନେଇ ଯାଇପାର. ମୁନା ମାଠିଆଟିକୁ ଦେଖି ଖୁବ ଖୁସି ହେଲା ଓ କୁମ୍ଭାର ମଉସାଙ୍କୁ ପୁରା ଦାମ ଦେଇ ଘରକୁ ଆସିଲା.
କୁଜା ମାଠିଆ ଦେଖି ଜେଜେମା କହିଲେ କୁଜା ମାଠିଆ କାହିଁକି ଆଣିଲୁ ମୁନା? ମୁନା କହିଲା ଜେଜେବାପା ବୁଢ଼ା ବୟସ ଯୋଗୁଁ କୁଜା ହୋଇଯାଇଥିଲେ ମଧ୍ୟ ସେ ଯେପରି ଗାଈ ବଳଦଙ୍କ ଯତ୍ନ ନିଅନ୍ତି ଜଣେ ଭଲ ଲୋକ ମଧ୍ୟ ନେଇପାରିବନି. ଆମ ଘରକୁ ଆସୁଥିବା କୁଜା ଅନାମ ଯେପରି ଚାରିତାଲା ଉପରକୁ ଇଟା, ବାଲି, ଗୋଡି ଓ ସିମେଣ୍ଟ ବସ୍ତା ବୁହେ ତାହା ଜଣେ ଭଲମଣିଷ ମଧ୍ୟ କରିପାରିବନି ବୋଲି ଅନାମକୁ ବାପା ଖୋଜି ଖୋଜି ଆଣନ୍ତି ନା ନାହିଁ?
ଟିକେ ଦୂରରେ ଠିଆ ହୋଇ ବାପା ଏସବୁ କଥା ଶୁଣୁଥିଲେ ତ ପାଖକୁ ଆସି ମୁନାକୁ ପ୍ରଶଂସା କରି କହିଲେ ତୁ ଯାହା ଭାବୁଛୁ ଠିକ ପୁଅ.ଭଗବାନ ତାଙ୍କ ସୃଷ୍ଟିରେ ମଣିଷ ଗଢୁ ଗଢୁ କେବେ କେଵେ ଅନ୍ଧ ଛୋଟା, କାଲା ପରି ଦିବ୍ୟାଙ୍ଗ ମଣିଷ ଗଢି ତାଙ୍କୁ ବହୁ ପ୍ରକାର ସୃଜନୀର ଅଧିକାରୀ କରିଥାନ୍ତି. ବର୍ଷା ଯୋଗୁଁ କୁମ୍ଭାର ଭାଇଙ୍କ ମାଠିଆ ସବୁ ନଷ୍ଟ ହୋଇଗଲା ପରେ ଏଇ କୁଜା ମାଠିଆ ନିଶ୍ଚୟ ଅଧିକ ଶୀତଳ ଜଳ ପ୍ରଦାନ କରିବ. ତୁ ସେଥିଲାଗି କୁମ୍ଭାର ମଉସାଙ୍କୁ ଉଚିତ ମୂଲ୍ୟ ଦେଇ ଖୁବ ଭଲ କାମ କରିଛୁ. ବାପାଙ୍କ କଥା ନସରୁଣୁ ମାଆ କୁଜା ମାଠିଆ ପରିଷ୍କାର କରି ପାଣି ଭରୁଥିଲେ ଆଉ ଜେଜେମା ପ୍ରତିଦିନ ସକାଳୁ ସମସ୍ତଙ୍କୁ ମାଟି ମାଠିଆ ଜଳ ପିଇବାକୁ ଦେଇ ନିଜେ ପିଇବାକୁ ଭୁଲି ନଥିଲା ବରଂ କହୁଥିଲା କି ଶାନ୍ତି ସତରେ. ମୁନା ହସୁଥିଲା.
