STORYMIRROR

Hemanta Sahu

Children Stories Tragedy Inspirational

4  

Hemanta Sahu

Children Stories Tragedy Inspirational

କୁହୁକ କାନ୍ଥ

କୁହୁକ କାନ୍ଥ

5 mins
363

କୁହୁକ କାନ୍ଥ

-------------


ସମୟ ରାତି ଦଶଟା ପ୍ରାୟ । ବୟସ ନ‌ଅ ହେଲେ ବି ବିନୋଦର ଆଖିରେ ନିଦ ନାହିଁ । ବିନୋଦକୁ ତିନି ବର୍ଷ ହୋଇଥିଲା, ସେଇ ସମୟରେ ହିଁ ତା'ର ମାଆ ଆକାଶର ତାରା ହୋଇଗଲେ । ବିନୋଦ, ତା' ବାପା ବିଜୟର ସ୍ନେହରେ ହିଁ ଖୋଜିପାଏ ମାଆର ମମତା । ବିଜୟ ଗାଁ ପାଖ ପ୍ରାଇମେରୀ ସ୍କୁଲ୍‌ରେ ଶିକ୍ଷକତା କରନ୍ତି । ସେ ଦେଖିଲେ, ବିନୋଦ ଏ ପର୍ଯ୍ୟନ୍ତ ଶୋଇନାହିଁ । ତା' ଦୁଇ ଆଖିରୁ ବୋହିଚାଲିଛି ଧାର ଧାର ଲୁହ । ଛାତି ଉପରେ ଜାକି ଧରିଛି ତା' ମାଆର ଫଟୋ ।

ନିଜ କୋହକୁ ଛାତି ଭିତରେ ଚାପି ଦେଲେ ବିଜୟ । ବିନୋଦର ମନ ଭୁଲାଇବା ପାଇଁ ତାକୁ ଆହୁରି ପାଖକୁ ଟାଣିନେଇ କହିଲେ 'ଚାଲ୍, ଆଜି ତତେ ସୁନ୍ଦର ଗପଟେ କହୁଛି । ତା'ପରେ ସେ ଗପ କହିବା ଆରମ୍ଭ କଲେ ।


ସ୍ବପ୍ନପୁର ଗାଁରେ ମନିଷ ନାମରେ ଦଶବର୍ଷର ପୁଅଟେ ରହୁଥିଲା । ତା' ପରିବାର କହିଲେ ତା'ର ବିଧବା ମାଆ,ଗୋଟେ ସାନ ଭ‌ଉଣୀ ଓ ସେ ନିଜେ । ଠିକ୍ ପାଞ୍ଚବର୍ଷ ତଳେ ହୃଦ୍‌ଘାତରେ ତା' ବାପାଙ୍କର ମୃତ୍ୟୁ ହୋଇଥିବା ଯୋଗୁଁ ପରିବାର ପ୍ରତି ଆର୍ଥିକ ଅନଟନ ସବୁବେଳେ ଲାଗିରହିଥାଏ । ଘର ଚଳାଇବା ପାଇଁ ମନିଷର ମାଆ ଘର ଘର ଯାଇ କାମ କରନ୍ତି । ଏକଥା ମନିଷ ଆଦୌ ସହିପାରେନି ।


ଗୋଟେ ଦିନର କଥା । ମନିଷ ଖୁବ୍ ମନଦୁଃଖରେ କାନ୍ଦି କାନ୍ଦି ଘରକୁ ଫେରୁଥାଏ । ହଠାତ୍ ଦେଖିଲା ସେ ନିତିଦିନ ଯା' ଆସ କରୁଥିବା ରାସ୍ତା ପାର୍ଶ୍ବର ସେଇ ପୁରୁଣା ମନ୍ଦିରକୁ । ଭାବିଲା ଭଗବାନଙ୍କୁ ମୋ ଦୁଃଖ ଜଣେଇବି । ସେ ନିଶ୍ଚୟ ମୋ ଦୁଃଖ ଶୁଣିବେ । ମନ୍ଦିରର କାନ୍ଥ ପାଖକୁ ଯାଇ ଏକ ଧଳା ଚକ୍ ସାହାଯ୍ୟରେ ଲେଖିଲା

"ହେ ଭଗବାନ, ମୋର ନମସ୍କାର ଗ୍ରହଣ କରିବ । ତମେ ତ ଜାଣିଛ ପ୍ରଭୁ ଆମେ ଗରିବ ଲୋକ । ମୋ ମାଆ ପର ଘରେ କାମ କଲେ ଆମ ଚୁଲି ଜଳେ । ଆମ ସ୍କୁଲରେ ନୂଆବର୍ଷର ବଣଭୋଜି ବାବଦକୁ ମୁଣ୍ଡପିଛା ଦୁଇଶହ ଟଙ୍କା ଲେଖାଏଁ ଚାନ୍ଦା କରାଯାଇଛି । ପ୍ରାୟ ସମସ୍ତେ ଦେଇସାରିଲେଣି । ଆସନ୍ତାକାଲି ଚାନ୍ଦା ଦେବାର ଶେଷ ଦିନ । ଠିକ୍ ତିନିଦିନ ପରେ ବଣଭୋଜି । ମୋ ସାଙ୍ଗ ଦାମ,ସୁଧୀର,ଗିରିଜା,ବାପି ସମସ୍ତେ ଯାଉଛନ୍ତି । ବଣଭୋଜିରେ ମିଶିବାକୁ ମୋର ମଧ୍ୟ ବହୁତ ଇଚ୍ଛା । କେଉଁ ମୁହଁରେ ମା'କୁ ଏକଥା କହିବି । ଘରେ ପ‌ଇସା ନାଇଁ ବୋଲି ତ ସେ ଚିରାଫଟା ପିନ୍ଧୁଛି । ବରଂ ଏକଥା ଜାଣିଲେ ମା'ର ମନଦୁଃଖ ହେବ । ଶୀଘ୍ର କିଛି ଗୋଟେ ଉପାୟ କର ପ୍ରଭୁ । କାନ୍ଥରେ ଏତକ ଲେଖିଲା ପରେ ଦୌଡ଼ି ଦୌଡ଼ି ମନିଷ ଘରମୁହାଁ ହେଲା ।


              ସକାଳ ନ‌ଅଟା ବାଜି ତିରିଶ ମିନିଟ୍ । ସବୁଦିନ ଭଳି ମନିଷ ସ୍କୁଲ୍‌କୁ ଯାଉଥାଏ । ବାଟରେ ସେଇ ପୁରୁଣା ମନ୍ଦିରର କାନ୍ଥକୁ ବାରମ୍ବାର ଓଲଟି ଓଲଟି ଚାହୁଁଥାଏ । ମନିଷ ନିଶ୍ଚିତ ହୋଇଗଲା ଯେ ସେ ଆଉ ଏଥର ବଣଭୋଜି ରେ ମିଶିପାରିବ ନାହିଁ । ଏ କଥା ଭାବି ଭାବି ମନିଷର ମୁହଁ ଶୁଖିଯାଇଥାଏ । ପ୍ରାର୍ଥନା ସରିଲା । ଛାତ୍ରଛାତ୍ରୀ ସମସ୍ତେ ନିଜ ନିଜ ଶ୍ରେଣୀକକ୍ଷକୁ ଗଲେ । ମନିଷ ମଧ୍ୟ ଗଲା । ଶ୍ରେଣୀ ଭିତରେ ଛାତ୍ରଛାତ୍ରୀମାନେ ପରସ୍ପର ଭିତରେ କଥା ହେଉଥାନ୍ତି ବଣଭୋଜି ଦିନ କିଏ କେଉଁ ରଙ୍ଗର ପୋଷାକ ପିନ୍ଧିବେ । କିଏ କହୁଥାଏ କ୍ରିକେଟ୍ ଖେଳିବା, ଆଉ କିଏ କହୁଥାଏ ବଣରେ ବୁଲି ବୁଲି ବହୁତ ମଜା କରିବା । କାଳେ କିଏ ଦେଖିଦେବ ଭାବି ମନିଷ ସମସ୍ତଙ୍କ ଅଜାଣତେ ନିଜ ଆଖିର ଲୁହ ପୋଛୁଥାଏ । ମଧ୍ୟାହ୍ନ ଭୋଜନ ପରେ ପରେ ମନିଷ ପାଠ ପଢ଼ିବା ପାଇଁଁ ନିଜ ବ୍ୟାଗ୍ ଭିତରୁ ବିଜ୍ଞାନ ବହି ବାହାର କଲା । ହଠାତ୍ ଦେଖିଲା ବହି ଭିତରେ ଦୁଇଶହ ଟଙ୍କା । ନିଜ ଆଖିକୁ ବିଶ୍ବାସ କରିପାରିଲା ନାହିଁ । ତାକୁ ଲାଗିଲା ସତେକି ସେ ଆଜି ଦୁନିଆର ମୂଲ୍ୟବାନ ଦରବ ପାଇ ଯାଇଛି । ସିଧା ଦୌଡ଼ିଗଲା ପ୍ରଧାନ ଶିକ୍ଷକଙ୍କ ପାଖକୁ ଓ କହିଲା 'ଆଜ୍ଞା ମୁଁ ମଧ୍ୟ ବଣଭୋଜିକୁ ଯିବି' । ସ୍କୁଲ୍‌ରୁ ଫେରୁଥିବା ସମୟରେ ମନ୍ଦିରର କାନ୍ଥ ପାଖରେ ମନିଷ କିଛି ସମୟ ଅଟକିଲା ଓ ଆଖି ବନ୍ଦ କରି ଭଗବାନଙ୍କୁ ବାରମ୍ବାର ଧନ୍ୟବାଦ ଦେଉଥିଲା ।


                 ସନ୍ଧ୍ୟାରେ ମନିଷ ତା' ମାଆକୁ ସବୁକଥା ଗୋଟି ଗୋଟି କହିଲା । ସେଇ ପୁରୁଣା ମନ୍ଦିର କାନ୍ଥରେ ନିଜ ମନକଥା ଲେଖିଲା ପରେ ଭଗବାନ କିପରି ତାକୁ ସାହାଯ୍ୟ କଲେ, ମନିଷ ପାଖରୁ ଏସବୁ ଶୁଣିଲା ପରେ ସେ ଗୋଟାପଣେ ଅବାକ୍ । ମନିଷର ମାଆ ରାତିରେ ଶୋଇଲା ବେଳେ ମନେ ମନେ ଭାବୁଥିଲେ "ମନିଷ କହିବା ଅନୁସାରେ ମନ୍ଦିରର କାନ୍ଥରେ ଯାହା ଲେଖିଲେ ତାହା ପୂରଣ ହୋଇ ଯାଉଛି । ସେଇଟା କୁହୁକ କାନ୍ଥ ନୁହେଁ ତ ? ଭାବି ଭାବି ମନିଷର ମାଆ ଶୋଇପଡ଼ିଲେ ।

        

              କିଛିଦିନ ପରେ ମନିଷର ମାଆକୁ ପ୍ରବଳ ଜ୍ବର ହେଲା । ପାଞ୍ଚ ଛଅଦିନ ପର୍ଯ୍ୟନ୍ତ ସେ ଖଟରୁ ମୋଟେ ଉଠି ପାରିଲେ ନାହିଁ କି କାହା ଘରକୁ କାମ କରିବାକୁ ଯାଇପାରିଲେ ନାହଁ । ଘରେ ଚାଉଳ ତ ଚାଉଳ ଖାଇବାକୁ ଖୁଦଟିଏ ବି ନଥିଲା । ସେଦିନ ମନିଷ ଭୋକରେ ସ୍କୁଲ୍‌କୁ ଗଲା । ବାଟରେ ଯାଉଥିବା ସମୟରେ ସେଇ ପୁରୁଣା ମନ୍ଦିର କାନ୍ଥ ଉପରେ ତା'ର ଆଖି ପଡ଼ିଲା । ଭାବିଲା ସେଦିନ ଭଳି ଆଜିବି ଭଗବାନଙ୍କୁ ମୋ ଦୁଃଖ ଜଣେଇବି ଓ ଆମ ଭଳି ଗରିବ ଲୋକକୁ ସେ ନିଶ୍ଚୟ ସାହାଯ୍ୟ କରିବେ । ପୂର୍ବଥର ଭଳି ସେ ଧଳା ଚକ୍‌ରେ କାନ୍ଥ ଉପରେ ଲେଖିଲା " ହେ ଭଗବାନ, ଭାବୁଛି ଭଲରେ ଥିବ । ମୋ ମାଆ କିନ୍ତୁ ଆଦୌ ଭଲରେ ନାହିଁ ପ୍ରଭୁ । ତାକୁ ଶୀଘ୍ର ଭଲ କରିଦିଅ । ଘରେ ଖାଇବାକୁ ଖୁଦଦାନାଟିଏ ବି ନାହିଁ । ମନିଷ ଭଗବାନଙ୍କୁ ମୁଣ୍ଡିଆ ମାରି ସ୍କୁଲ୍‌ମୁହାଁ ହେଲା ।

ମଧ୍ୟାହ୍ନ ଭୋଜନ ପରେ ମନିଷ ତା'ର ବ୍ୟାଗ୍ ଭିତରେ ଦେଖିଲା ଏକ କଳାରଙ୍ଗର ବଡ଼ ପଲିଥିନ୍ । ସେଇ ପଲିଥିନ୍ ଭିତରେ ପାଞ୍ଚକିଲୋ ପାଖାପାଖି ଚାଉଳ । ମନିଷ ଖୁସି ମନରେ ସେଇ ଚାଉଳତକ ଧରି ଘରକୁ ଗଲା ଓ ଖୁବ୍ ଶୀଘ୍ର ମନିଷର ମାଆ ମଧ୍ୟ ସୁସ୍ଥ ହୋଇଗଲେ । ପୁଣିଥରେ ମନିଷ ପାଖରୁ ଏସବୁ କଥା ଶୁଣି ସାରିଲା ପରେ ଏଥର ମନିଷର ମାଆ ସଂପୂର୍ଣ୍ଣ ଭାବେ ବିଶ୍ବାସ କଲେ ଯେ ତାହା ପ୍ରକୃତରେ ଏକ କୁହୁକ କାନ୍ଥ । ତା'ପରେ ଆଖିବନ୍ଦ କରି ଭଗବାନଙ୍କୁ ଧନ୍ୟବାଦ ଦେଲେ ।


               ମନିଷର ବିଦ୍ୟାଳୟ । ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ । ନିଜ ଆସନରେ ବସିଥାନ୍ତି ପ୍ରଧାନ ଶିକ୍ଷକ ଓ ତାଙ୍କ ସମ୍ମୁଖ ଭାଗରେ ଠିଆ ହୋଇଥାଏ

ପିଅନ୍ ରାଧୁ । ପ୍ରଧାନ ଶିକ୍ଷକ ଗମ୍ଭୀର ସ୍ବରରେ କହିଲେ ରାଧୁ ମୁଁ ନିଜ ଆଖିରେ ଯାହା ଦେଖିଛି ତାହା କ'ଣ ସତ ? ରାଧୁ କହିଲା ହଁ ଆଜ୍ଞା ସଂପୂର୍ଣ୍ଣ ସତ । କିନ୍ତୁ ସେଥିରେ ମୋର କୌଣସି ସ୍ବାର୍ଥ ନାହିଁ । ପୁଣି ରାଧୁ କହିଲା ଆପଣ ଜାଣନ୍ତି ଆଜ୍ଞା ମନିଷ ଜଣେ ମେଧାବୀ ଛାତ୍ର । ମୁଁ ଦିନେ ସ୍କୁଲ୍‌କୁ ଆସୁଥିବା ସମୟରେ ଦେଖିଲି ସେଇ ପୁରୁଣା ମନ୍ଦିର କାନ୍ଥରେ ମନିଷ ତା'ର ଦୁଃଖ ଓ ଅସୁବିଧା ସବୁକୁ ଲେଖି ଭଗବାନଙ୍କୁ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି, ମୁଁ ସେତେବେଳେ ନିଜକୁ ଆଉ ସମ୍ଭାଳି ପାରିଲିନି ଆଜ୍ଞା । ପୁଣି ଭାବିଲି ଭଗବାନଙ୍କ ଉପରୁ ତା'ର ଆସ୍ଥା ଓ ବିଶ୍ବାସଟିକକ ଯେମିତି ତୁଟି ନଯାଉ । ସେଥିପାଇଁ ସୁଯୋଗ ଉଣ୍ଡି ମୁଁ ହିଁ ତା' ବିଜ୍ଞାନ ବହି ଭିତରେ ଦୁଇଶହ ଟଙ୍କା ରଖି ଦେଇଥିଲି, ମୁଁ ହିଁ ତା'ର ବ୍ୟାଗ୍ ଭିତରେ ଚାଉଳ ରଖିଥିଲି । ମୋ ଦ୍ବାରା ଯଦି କିଛି ଭୁଲ୍ ହୋଇଛି ମୋତେ କ୍ଷମା କରନ୍ତୁ ଆଜ୍ଞା, ହାତଯୋଡି କହିଲା ରାଧୁ । ପିନ୍ଧିଥିବା ଚଷମାକୁ ଟେବୁଲ୍ ଉପରେ ଥୋଇ ପ୍ରଧାନ ଶିକ୍ଷକ ଠିଆ ହୋଇ କହିଲେ ତମେ ଜଣେ ପିଅନ୍ ହୋଇଥାଇପାର ରାଧୁ, କିନ୍ତୁ ମହାନ୍ ତୁମ ହୃଦୟ ମହାନ୍ ତୁମ ଚିନ୍ତା । କେଜାଣି କାହିଁକି ସମ୍ମାନ ଓ ଶ୍ରଦ୍ଧା୍ରେ ତୁମ ପାଖରେ ମୋ ମୁଣ୍ଡ ନ‌ଇଁ ଯାଉଛି ରାଧୁ । ତୁମ ସାମ୍ନାରେ ମୁଁ ସଂକୁଚିତ ହୋଇଯାଉଛି ।


ବିନୋଦକୁ ଛାତିରେ ଜାବୁଡ଼ି ଧରି ବିଜୟ କହିଲେ ଫୁଲ ଗଛଟି ମରିଲା, ମୋ ଗପଟି ସରିଲା । ବିନୋଦ ତା' ବାପାର ମୁହଁକୁ ଚାହିଁ କହିଲା ବାପା ସତରେ ଏଭଳି କୁହୁକ କାନ୍ଥ ଅଛି ? ବିଜୟ ସ୍ନେହଭରା କଣ୍ଠରେ କହିଲେ ରାଧୁ ପରି ପୃଥିବୀର ପ୍ରତ୍ୟେକ ମଣିଷ ଗୋଟେ ଗୋଟେ "କୁହୁକ କାନ୍ଥ" ।



Rate this content
Log in