STORYMIRROR

Sunanda Mohanty

Children Stories Tragedy Thriller

3  

Sunanda Mohanty

Children Stories Tragedy Thriller

କଫି କପ

କଫି କପ

3 mins
151

ଆଜି ସମୁଦ୍ରକୁଳର ଶେଷ ଭାଗ ରାସ୍ତାରେ ଗଢିଉଠିଥିବା ତାଜ ହୋଟେଲରେ କଣ ସବୁ ହେଉଥିଲା. ମାଆର ଦାଇତ୍ୱ ଥିଲା ବାତାବରଣକୁ ଥରକୁ ଥର ପରିଷ୍କାର କରିବା. ମୁନି ବି ବହୁ ନେହୁରା ହୋଇ ଯାଇଥିଲା ମାଆ ସହ ସେଠିକୁ. ବାପୋ,କେତେ ବଡ଼ ବଡ଼ ବାବୁ ବାବୁଆଣୀଙ୍କ ସହ କେତେ ପରୀ ଭଳି ଝିଅପିଲା ସବୁ ସେଠି.ଠିକ ତା ଦିଦି ବୟସର ହେବେ ହେଲେ ଦିଦିଟା ବାହା ହେଲା ପରେ ମଧ୍ୟ ତାଙ୍କ ଘରେ ଆସି ତା ଛୋଟ ପୁଅ ସହ ରହୁଛି. ହେଲେ ଏ ପରୀସବୁ କେତେ ସୁନ୍ଦର ସୁନ୍ଦର ଡ୍ରେସରେ ସଜେଇ ହୋଇ କାନରେ ଝୁମୁକା ପିନ୍ଧି, କେତେ ପ୍ରକାର ଫୋଟୋ ଉଠାଇ ଥରକୁ ଥର ୱାସରୁମ ଭିତରକୁ ଯାଇ କଣ ଏତେ କରୁଛନ୍ତି କେଜାଣି ମାଆ ଡକରା ହୋଇ ଥରକୁ ଥର ଯାଉଛି. ରାଇଜର ରାଜ୍ୟପାଳ ଆସିଛନ୍ତି ତାଙ୍କ ସଙ୍ଗେ ପୁଣି ପୁରୀ ସହରର ବଡ଼ ବଡ଼, ନେତା ମେୟର ଲୋକ. ସେମାନେ ଗଲାପରେ ତସଲିମା ନସରିନ ନାମକ ଜଣେ ମହିଳାଙ୍କୁ ଇଂରାଜିରେ କଣ ସବୁ ପଚାରୁଥିଲେ ଷ୍ଟେଜରେ ଭାଇ ଜଣେ ଯେ ଲୋକେ କେତେ ଟୁପୁରୁ ଟାପୁରୁ ହେଉଥିଲେ ତାଙ୍କ ବିଷୟରେ. ସେ କୁଆଡେ ଏଣୁତେଣୁ ଲେଖି ଦେଶରୁ ତଡା ଖାଇ ଅନ୍ୟ ଦେଶରେ ରହୁଛନ୍ତି. ତା ଦିଦି ମଧ୍ୟ ତା ଶାଶୁଘରୁ ତଡା ଖାଇଛି କାରଣ ତା ଶଶୁର କଫି କପ ଭାଙ୍ଗିଦେବାରୁ ତା ବର କହିଥିଲେ ସେ କପଟା କୁଆଡେ ତାଙ୍କର ସ୍ମୃତି ଥିଲା. ବପାଙ୍କୁ ବୟସ ହେଲାଣି ସେଥିରେ ନଦେଇ ଅନ୍ୟ ଷ୍ଟିଲ ଜାଗାରେ ଦେବାର ଥିଲା ଦିଦିର,ସକାଳ ଉଷୁମ ପାଣି. ଏଇ କଥା ବଢି ବଢି ଦିଦିକୁ ତା ବର ମାନେ ତା ଭିଣୋଇ ସଣ୍ଠଣା ଶିଖାଇନ କହି ଛାଡ଼ିଦେଇ ଗଲେ ମାଆ ପାଖରେ . ଦିଦି ପରି ଏଡ଼େ ସୁନ୍ଦର ଦିଶୁଥିବା ଏହି ବାଙ୍ଗୀୟ ମହିଳା କଣ ଏମିତି କାହା ନାଁରେ ଲେଖିଲେ କେଜାଣି, ମୁନି ମୁଣ୍ଡରେ ପଶୁନଥିଲା କିନ୍ତୁ ଏବେବି ସେ ତାଙ୍କ ରାଇଜ ଭାଷାକୁ ଭଲ ପାଆନ୍ତି କହିଲା ବେଳେ ମୁନିର ତା ଦିଦି କଥା ମନେପଡ଼ିଲା. ସେ ବି ତା ବର ଓ ଶାଶୁଘରକୁ ଭଲପାଏ. ଏଠି ବାପା ନଥିବା ଘରେ ମାଆର କିଞ୍ଚିତ ଦରମାରେ ତା ଦିଦିର ପାଟିର ଅରୁଚି ଛାଡ଼ୁନି କି କୁନି ପୁଅର ଆବଶ୍ୟକତା ପୂରଣ ହୋଇପାରୁନି. କବାଟ ଫାଙ୍କରୁ ମୁନି ପୁଣି ଦେଖୁଥିଲା ଓ ଇଂରାଜି ବୁଝିପାରୁନଥିଲେ ମଧ୍ୟ ବଡ଼ ବଡ଼ ଏନଜିଓ ଓ କମ୍ପାନୀରୁ ଆସିଥିବା ଅଫିସରମାନେ,ଯୁବକ ଗୋଷ୍ଠୀଙ୍କୁ ଜ଼ିରୋରୁ ହିରୋ ହୋଇପାରିବା କ୍ଷମତା ଆପଣେଇବାକୁ ପ୍ରଥମେ ନିଜ ଘରକୁ ଆସୁଥିବା କାମବାଲୀ ମାଉସୀ, କ୍ଷୀରବାଲା ଭାଇନାଙ୍କୁ ନିଶ୍ୱାର୍ଥପର ଭାବେ ସହଜ ଉପାୟରେ କିପରି ରୋଜଗାର କରିହେବ ସେକଥା ଆଡକୁ ନଜର ଦେଇ ଆମ ରାଇଜରେ କଣ ସବୁ ପ୍ରକଳ୍ପ ଅଛି ବୁଝେଇବାକୁ ପଡିବ ବୋଲି କହୁଥିଲେ ତ ଦର୍ଶକ ମଣ୍ଡଳୀରେ ବସିଥିବା ଲୋକେ କଣ ସବୁ ବଢିଆ ବଢିଆ କୁହାକୁହି ହେଉଥିଲେ ଯେ ପ୍ରକଳ୍ପ ଓ ବିକଳ୍ପ ପରି ଶବ୍ଦ ଗୁଡା ମୁନି ବୁଝିପାରୁନଥିଲା ଜମା .
    ଦ୍ୱିତୀୟ ରାଉଣ୍ଡ ଆଲୋଚନା ପର୍ଯ୍ୟାଲୋଚନା ପୂର୍ବରୁ କେଡେ ସୁନ୍ଦର ସୁନ୍ଦର ପ୍ଲେଟ, କପ, ଗିନା ସବୁରେ ନିଜେ ନିଜେ ମନପସନ୍ଦ ଅନୁଯାଇ ଖାଦ୍ୟ ପରଷିନେଇ ଖାଇବା ଆରମ୍ଭ କାରିଥିଲେ ସମସ୍ତେ. ସେ ଭିଡରେ ପଶି ତୁ ଖାଇନେ ବୋଲି ମାଆ ଯେତେ ଠାରିଲେ ମଧ୍ୟ ମୁନି ତା ନିଜ ପୁରୁଣିଆ ମସିଆ ଡ୍ରେସରେ ସେ ଗହଳିରେ ନପଶି ମାଆ ସହ ଖାଇବ ଭାବୁ ଭାବୁ ଦେଖୁଥିଲା ପ୍ଲେଟରେ କେତେ କେତେ ଖାଦ୍ୟ ସବୁ ଛାଡି ଯାଉଛନ୍ତି ଲୋକେ. ତା ଦିଦି କୁଆଡେ ଏମିତି ସବୁ ଖାଇବା ଖାଏ କାରଣ ତା ବର ହୋଟେଲ ବୟ ନା! ମାଆ ପାଖେ ରହିବା ପରଠୁ ତା ପାଟିରେ ଏସବୁ ବାଜିନି. ସହଜେ ଦାମୀ କପ ତା ଭୁଲରୁ ଭାଙ୍ଗିଛି କହିଲେ ସେ ନିଜ ସପକ୍ଷରେ ସଫେଇ ଦେଇନପାରି ଭାରି ଗୋଳେଇ ଘାଣ୍ଟି ହେଉଛି ଠିକ ସେହି ତସଲିମା ନସରିନଙ୍କ ଭଳି. ତାଙ୍କୁ ମଧ୍ୟ କୁଆଡେ ଜେହାଦୀମାନେ ମାରିଦେଇ ପାରନ୍ତି. ହେଲେ ଜେହାଦୀ କିଏ, ସେମାନେ କାହିଁକି ତା ମାଆ ବୟସରୁ ଅଧିକ ବଡ଼ କିନ୍ତୁ ଏଡ଼େ ସୁନ୍ଦର ମହିଳାଙ୍କୁ ମାରିବେ? 
   ଏ ଲୋକେ ଭାରି ମିଛୁଆ ଭାବୁ ଭାବୁ ତା ଦୃଷ୍ଟିରେ ଖାଦ୍ୟ ନୁହେଁ ବା ଖାଦ୍ୟ ସବୁକୁ ଏକାଠି କରି ପଲିଥିନରେ ସଜାଡି ରଖିଥିବା ନାରୁ ମାଉସୀ କି କଲି ମାଉସୀ କି ଫୁଲ ମାଉସୀ ସଜାଡି ରଖିଥିବା ଖାଦ୍ୟ ଆଡକୁ ତାର ନଜର ନଥିଲା ବରଂ ଥିଲା ସେଇ ସୁନ୍ଦର ସୁନ୍ଦର ଚାଇନା ପ୍ଲେଟ କପ ଓ କଫି କପ ଉପରେ.ତ ଥିଲା ଥିଲା ମୁନି ଗୋଟେ କପ ଧରି ଏକାମୁହାଁ ଦୌଡ଼ିଲା. ଏଇଟା ଦିଦି ପାଇଲେ ଖୁସି ହେବ. ଭିଣୋଇଙ୍କି ଦେଇ ଶାଶୁଘର ଫେରିଯିବ. ହେଇ ହେ ଇତ୍ୟାଦି ଶବ୍ଦ କରି ପୋଲିସ ଗାର୍ଡ ପଡ଼ିଥିଲେ ମୁନି ପଛରେ ତ କପଟିକୁ ଧରି ଦୌଡୁ ଦୌଡୁ ମୁନି ଉପରେ ଚଢିଯାଇଥିଲା କାରଟିଏ . ସବୁ ଆଶା ସ୍ବପ୍ନ ସେଇଠି ଭାଙ୍ଗି ଯାଇଥିଲେ ବି କପଟି ଅକ୍ଷୁର୍ଣ୍ଣ ଥିଲା. କପ ନନେଇ ଗାର୍ଡ ସବୁ ଫେରିଗଲେ ସିନା ମୁନିର ମାଆ ସେହିଦିନୁ ଫେରିପାଉନଥିଲା ନିଜ ସ୍ମୃତିକୁ.କଣ ଖାଉଥିଲା କି ନଖାଉଥିଲା କିଏ ଜାଣେ!ଲୋକେ କିନ୍ତୁ କହୁଥିଲେ ବା୍ୟାଣୀ ହୋଇଗଲା ବିଚରା ମୁନିର ମାଆଟି.


Rate this content
Log in