ଖୁସି
ଖୁସି
କର୍ମମୟ ଜୀବନ ଜଞ୍ଜିର ଏତେ ଶକ୍ତ ଯେ ସେଥିରୁ ମୁକୁଳିବା ଅବଶ୍ଯ ଏତେ ସହଜ ନୁହେଁ। ପ୍ରତିଦିନ ଘର, ଛୁଆ, ଅଫିସ୍ ସବୁକାମ ବୁଝି ମଣିଷ କୁ ସମୟ ମିଳେନାହିଁ ସାଙ୍ଗ ମାନଙ୍କ ସହ ଟିକିଏ ଦୁଃଖ ସୁଖ ବାଣ୍ଟିବା ପାଇଁ। ଗୋଟିଏ ସହରରେ ଥାଇ ମଧ୍ଯ ସାଙ୍ଗ ରୂପା ସହ ଭେଟ ହେଇ ପାରୁନି ତା' ପୁଣି କେବଳ ଏଇ ସମୟ ପାଇଁ। କେତେ ଥର ଅନୁରୋଧ କଲାଣି ତା' ଘରକୁ ଯିବାକୁ। ତା'ର ୮ ବର୍ଷର ଝିଅ ସାମି ଦେଖିବାକୁ ଭାରି ସୁନ୍ଦର, ଦେଖିବାକୁ ଗଲେ ସୁନ୍ଦର କଣ୍ଢେଇ ଭଳି। ସବୁବେଳେ କୁହେ ମାଉସୀ ଆସ ବୁଲିବାକୁ। ତୁମେ ଆସିଲେ ତୁମ ଗାଡିରେ ପ୍ଲେ ଷ୍ଟେସନ ଯାଇ ଗୋଟେ ଖେଳନା ଆଣିବି। ବୁଝିଲ ମାଉସୀ ମୁଁ ସଂଚୟ କରି ଘଡି ରେ ପଇସା ରଖିଛି। ପ୍ଲିଜ୍ ପ୍ଲିଜ୍ ଏତେ କଲା ଯେ ମୁଁ ଗୋଟିଏ ରବିବାର ମାଆ ପାଖେ ପୁଅକୁ ଛାଡି ସେମାନଙ୍କ ଘରକୁ ବୁଲିଗଲି।
ମୋତେ ଦେଖି ତା' ଖୁସି କହିଲେ ନସରେ।ଆମେ ଦୁଇ ସାଙ୍ଗ ଖାଇବା ଖାଇ ବସି ଗପୁଥାଉ। ସିଏ ଦଉଡ଼ି ଯାଇ ତା' ଘଡି ଆଣି ଭାଙ୍ଗିଲା, ତା' ପରେ ବସି ପଇସା ଗଣି ମନଦୁଃଖ ରେ କହିଲା ମାତ୍ର ୩୦୦ ଟଙ୍କା। ହେଲେ ମାଉସୀ ସେ ଖେଳନା ତ ୫୦୦ ଟଙ୍କା। ଏବେ ମୁଁ ଖେଳନା କିଣିବି କେମିତି? ମୁଁ କହିଲି ବ୍ୟସ୍ତ ହଅନା, ମୁଁ କିଣେଇଦେବି। ସିଏ କହିଲା ନାଁ ମାଉସୀ, ମୋ ମାମା କହିଥିଲା ନିଜ ସଞ୍ଚିତ ପଇସାରେ କିଣିଲେ କୁଆଡେ ସେସବୁର ଖୁସି ବହୁଗୁଣିତ ହୁଏ। ତା' କଥା ଶୁଣି ମୁଁ କହିଲି ice cream ଖାଇବୁ? ସିଏ କହିଲା ହଁ ମାଉସୀ। ମୁଁ କହିଲି ଚାଲେ ସେ ଓମଫେଡ୍ କୁ ଯିବା। ଆମେ ଦୁଇ ଜଣ ଚାଲିଚାଲି ସେଠାକୁ ଗଲୁ।
ସେଠି ୬ବର୍ଷର ଝିଅ ଖାଲି ଆଡେସାଡେ ବିକଳିଆ ହେଇ ଚାହୁଁଥାଏ। ଚିରା ଫ୍ରକ୍ ରେ ଝିଅ ଟିର ଆଣ୍ଠୁ ଲୁଚୁନଥାଏ। କେଶ ବିନା ତେଲରେ ଫୁରୁଫୁରୁ ଉଡୁଥାଏ।ଦେହ ସାରା କାଦୁଅ ଭର୍ତ୍ତି। ସାମି କ'ଣ ଭାବିଲା କେଜାଣି ସେ ଝିଅ ପାଖକୁ ଧାଇଁ ଗଲା ଆଉ ତାକୁ ପଚାରିଲା କ'ଣ କିଛି କହିବକି ସିଏ? ଝିଅଟା କ'ଣ କହିଲା କେଜାଣି ସାମି ତାକୁ ଗାଡି କିଣା ପଇସା ରୁ ୫୦ ଟଙ୍କା ତା' ହାତରେ ଧରେଇଦେଲା। ସେ ଝିଅ ର ଆଖି ରେ ଖୁସି ଆଉ ତା' ର ହସ ଦେଖି ଏମିତି ଲାଗୁଥିଲା ଯେମିତି ଖୁସି ର ଭଉଁରୀ ଖେଳୁଛି ତା' ମନ ରେ। ସେ ପଇସା ନେଇ ଦଉଡ଼ି ଯାଇ ଓମଫେଡ୍ ରୁ ଗୋଟିଏ ପାଉଁରୁଟି ପ୍ୟାକେଟ୍ ଏବଂ କ୍ଷୀର ପ୍ୟାକେଟ୍ ଧରି ତା' ମାଆ ଥିବା ଯାଗାକୁ ଗଲା।
ମୁଁ ଜାଣିଜାଣି ସାମି କୁ ପଚାରିଲି ଯେ ତୋ ପଇସା ତ ସେମିତି ରେ ବି କମ୍ ଅଛି। ତେବେ ସେ ଗାଡି କିଣିବା ପଇସା କୁ ପାଖରେ ନରଖି ତାକୁ ଦେଲୁ କ'ଣ ପାଇଁ? ସାମି କହିଲା ସେ ୫୦ ଟଙ୍କା ରହିଥିଲେ ବି ମୁଁ ମୋ ଖେଳନା କିଣିପାରିନଥା'ନ୍ତି। ହେଲେ ସେ ଝିଅ କୁ ଦେଖିଲ ନା ମାଉସୀ ୫୦ ଟଂକା କୁ ନେଇ ସେ କେତେ ଖୁସି ଥିଲା। ମୁଁ କହିଲି ହଁ ସତ କଥା।
ବାଟରେ ଆସିବା ବେଳେ ଜାଣିବାକୁ ପାଇଲି ସେ ଝିଅ ର ମାଆ କୁ ଭୀଷଣ ଜ୍ୱର। ସେଇ ପଇସାରେ ଖାଇବା କିଣି ନେଇ ତା' ମାଆ କୁ ବସି ମନ ଖୁସି ରେ ଖୁଆଉଥାଏ। ସାମି କହିଲା ମାଉସୀ ଦେଖ ତାକୁ ଆଉ କୁହ ମୁଁ ଠିକ୍ କରିଛି ନା ଭୁଲ୍ କରିଛି ପଇସା ଦେଇ। ମୁଁ କହିଲା ତୁ ଏକଦମ୍ ଠିକ୍ କାମ ଟିଏ କରିଛୁ।
ମୁଁ ବାଟସାରା ଖାଲି ଭାବୁଥିଲି, ସାମି କେତେ ଛୋଟ ଛୁଆ ହେଲେ ବି ସେ ଅନ୍ୟ ର ଖୁସି ରେ ଖୁସି ହେଉଛି। ସତରେ ଆମ ପାଖରେ କିଛି ଜିନିଷ ଥାଏ, ଯାହା ଆମକୁ ଖୁସି ଦେଇପାରେନା ହେଲେ ସେସବୁ ଅନ୍ୟ କୁ ଖୁସି ରେ ଭସେଇ ଦିଏ। ଏଣୁ ଭଲପାଇବା ବାଣ୍ଟି ଅନ୍ୟମାନଙ୍କ ଖୁସି ରେ ଖୁସି ହେବା ଉଚିତ୍। ସତରେ ଖୁସି ବାଣ୍ଟିଲେ ବଢେ ଆଉ ସେ ସାଉଁଟା ଖୁସି ରେ ମଣିଷ ବଞ୍ଚିବାର ପଥ ଖୋଜିବୁଲେ।
