ଖଦ୍ୟୋତ ଠାରୁ ଶିକ୍ଷା
ଖଦ୍ୟୋତ ଠାରୁ ଶିକ୍ଷା
କାର୍ତ୍ତିକ ମାସ ସଂଧ୍ୟା ସମୟ ।ହାଲକା ହାଲକା ଶୀତ ପଡ଼ିଲାଣି ।ସମସ୍ତେ ଅଗଣାରେ ଶୀତବସ୍ତ୍ର ଘୋଡ଼ି ହୋଇ ଚା ବିସ୍କୁଟର ମଜା ନେଉଥାନ୍ତି ।କୁନୁ ଆଉ ମୁନୁ ଦୁଇ ଯାଆଁଳା ଝିଅ ।ଉଭୟ ପଞ୍ଚମ ଶ୍ରେଣୀର ଛାତ୍ରୀ ।ବାରଣ୍ଡାରେ ବସି ପାଠ ପଢୁଥାନ୍ତି ।ଏହି ସମୟରେ ଖାଦ୍ୟୋତ ବା ଜୁଳୁଜୁଳିଆ ପୋକଟିଏ ବୁଲୁଥିବାର ଦେଖି ଜେଜି ମାଆ ଖୁବ ବିରକ୍ତ ହୋଇଗଲେ ।ଏ ଜୁଳୁଜୁଳିଆ ପୋକ ଟା କାହିଁକି ବା ଦେଖାଦେଲା ।ରାତି ଅଧରେ ମଣିଷକୁ ଝାଡା ଯିବାକୁ ପଡ଼ିବ ।ଏ କଥା ଶୁଣି କୁନୁ ମୁନୁ ଠୋ ଠୋ ହୋଇ ହସି ଉଠିଲେ ।
ଏ ଜୁଳୁଜୁଳିଆ ପୋକ ଦେଖିଲେ କେମିତି ମଣିଷ ଝାଡା ଯିବ !ଜେଜି ମାଆ ଏକଥା କାହିଁକି କହୁଛନ୍ତି ? ପିଲାଙ୍କ ହସ ଦେଖି ଜେଜି ମାଆ ସାମାନ୍ୟ ରାଗିଗରି କହିଲେ ,ହସୁଛ କାହିଁକି ରେ ପିଲେ ? ତୁମେ ମାନେ ଜାଣିନ ।ଏକଥା ସତ ।
ମାଆଙ୍କ ପାଟିରୁ କଥା ନ ସରୁଣୁ ବିକାଶ ବାବୁ କହିଉଠିଲେ ମାଆ ! ଏସବୁ ଅନ୍ଧବିଶ୍ୱାସ ।ଏମିତି କିଛି ବି ନାହିଁ ।ବରଂ ଏ ଜୁଳୁଜୁଳିଆ ପୋକ ଯାହାର ସାହିତ୍ୟିକ ନାମ ଖଦ୍ୟୋତ ଆମକୁ ଅନେକ ଶିକ୍ଷା ଦେଇଥାଏ ।କୁନୁ ମୁନୁ ଖୁବ ଆଶ୍ଚର୍ଯ୍ୟ ହୋଇ ବାବାଙ୍କୁ ଚାହିଁଲେ ।କୁନୁ ପଚାରିଲା ,ବାବା ! ଏ ଖଦ୍ୟୋତ ଖୁବ ଛୋଟିଆ ଜୀଵ ଟେ ।ସେ ପୁଣି ଆମକୁ କଣ ଶିଖାଉଛି ?
ବାବା କହିଲେ ତୁମେ ମାନେ ଜାଣିନାହଁ ।ଆମେମାନେ ପଢିବା ସମୟରେ ଷଷ୍ଠ ଶ୍ରେଣୀ ବହିରେ ସାହିତ୍ୟ ବିଷୟରେ ଗୋଟିଏ ପ୍ରସଙ୍ଗ ଥିଲା ।ଯାହାର ଶୀର୍ଷକ ଥିଲା " ଖଦ୍ୟୋତ " ।ସେହି କବିତାରେ ଏଇ ଜୁଳୁଜୁଳିଆ ପୋକର ଜୀବନ ଦୁଃଖ ବିଷୟରେ ବର୍ଣ୍ଣନା କରାଯାଇଥିଲା ।ସେହି ପାଠ ପଢ଼ାଇବା ସମୟରେ ଆମର ସାହିତ୍ୟ ଶିକ୍ଷକ ଶ୍ରୀଯୁକ୍ତ ଗୋବର୍ଦ୍ଧନ ମହାନ୍ତି ସାର୍ ଏଇ ଜୁଳୁଜୁଳିଆ ପୋକଠାରୁ ଆମେ କଣ ଶିଖିବାକୁ ପାଉଛୁ କହିଥିଲେ ।
ମୁନୁ ସଙ୍ଗେ ସଙ୍ଗେ କହିଲା ,ବାବା ସେ ଗୀତଟି ତୁମର ମନେ ଅଛି କି ? ଆମକୁ ଟିକିଏ ଶୁଣାଓ ।ବାବା କହିଲେ ମୁଁ ତୁମ ବୟସଠାରୁ ବର୍ଷେ ବଡ଼ ଥିଲି ଏ ବିଷୟ ପଢ଼ିଥିଲି ।ତଥାପି ତାହାର କିଛି ଅଂଶ ମୋର ମନେ ଅଛି ।ମୁଁ ତୁମ ଦୁହିଁଙ୍କୁ ଶୁଣାଉଛି ।
ଖେଦେ କହେ ଖଦ୍ୟୋତ ମୁଁ
ଅତି କ୍ଷୁଦ୍ର ଜୀଵ
କି ବିଚାରି ପକ୍ଷ ମୋତେ
ଦେଇଛି ଦଇବ ।।
ରଜନୀରେ ଉଡେ ଲୁଚି
ଉପହାସ ଡରେ
ଅବା ଦୂରେ ବସିଥାଏ
ପାଦପ ପତରେ ।
ଅଙ୍ଗେ ମୋର ଜ୍ୟୋତି ଥିବା
ନାହିଁ ମୋତେ ଜଣା
ନ ଚାହେଁ ମୁଁ ଜ୍ୟୋତିଷ୍କରେ
ହେବା ପାଇଁ ଗଣା ।।
ତଥାପି ମାନବେ ମୋତେ
ଉପହାସ କରି
ବୋଲନ୍ତି ଖଦ୍ୟୋତ କାହିଁ
ହେବ ଚନ୍ଦ୍ର ସରି ।
କାହିଁ ଚନ୍ଦ୍ର ମିଳେ ତାଙ୍କୁ
ଦିବାକର କର
ମୋ ଜ୍ୟୋତି କଣିକା ନିଜ
କ୍ଷୁଦ୍ର ଜୀବନର ।
କରି ନ ଜାଣଇ ପର
ଧନେ ଅଭିମାନ
କେମନ୍ତେ ପାରିବି ହୋଇ
ଚନ୍ଦ୍ରମା ସମାନ ?
ନ କର ମାନବେ କ୍ଷୁଦ୍ର
ଜୀବେ ଉପହାସ
ନିଜର ଜୀବନ ଜ୍ୟୋତି
କର ପରକାଶ ।।
ବାବା କହିଲେ ପିଲାମାନେ ଗୀତଟି ଅଧିକ ମନେ ନାହିଁ ।କିନ୍ତୁ ମୋ ଶିକ୍ଷକ ବତାଇଥିବା କଥା ଗୁଡିକ ମୋର ସମ୍ପୂର୍ଣ୍ଣ ମନେ ଅଛି ।ତୁମେ ମାନେ ଖଦ୍ୟୋତ ଠାରୁ କଣ ଶିକ୍ଷା ମିଳୁଛି ଜାଣିବାକୁ ଆଗ୍ରହୀ କି ?
ବାବାଙ୍କ ପ୍ରଶ୍ନ ନ ସରୁଣୁ କୁନୁ ଓ ମୁନୁ ଏକ ସଙ୍ଗରେ କହିଉଠିଲେ ବାବା ଆମେ ଖଦ୍ୟୋତ ଠାରୁ କି ଶିକ୍ଷା ମିଳୁଛି ଜାଣିବାକୁ ଚାହୁଁଛୁ ।
ବାବା ପିଲାମାନଙ୍କର ଆଗ୍ରହ ଦେଖି ଖୁସି ହୋଇଗଲେ ।ଏବଂ ଖଦ୍ୟୋତର ଶିକ୍ଷା ଆରମ୍ଭ କଲେ ।
ଖଦ୍ୟୋତ ଅତି କ୍ଷୁଦ୍ର ଜୀବଟିଏ ।ଅତି କ୍ଷୁଦ୍ର ବୋଲି ଲୋକମାନେ ତାହାକୁ ଉପହାସ କରନ୍ତି ।ସେ ରାତିରେ ହିଁ ଘୁରି ବୁଲେ ।ତଥାପି ଈଶ୍ୱରଙ୍କ ସୃଷ୍ଟି ପାଇଁ ନିଜର କ୍ଷୁଦ୍ର ଆକାର ପାଇଁ ଈଶ୍ୱରଙ୍କ ଉପରେ ଅଭିମାନ କରେ ନାହିଁ ।ବରଂ ନିଜ ଜୀବନରେ ଖାପଖୁଆଇ ଚଳିବା ଆଦରି ନେଇଥାଏ ।ଏ ସୃଷ୍ଟିର ସତ୍ତାଧାର ଈଶ୍ୱର ।ଈଶ୍ୱରଙ୍କ ସୃଷ୍ଟି କୁ ସମ୍ମାନ ଦେଇ ନିଜ ଜୀବନକୁ ଜୀଇଁବା ଶିଖିବା ପାଇଁ ଖଦ୍ୟୋତ ଶିକ୍ଷା ଦେଇଥାଏ ।ଏ ସୃଷ୍ଟିରେ ସମସ୍ତେ ସ୍ୱତନ୍ତ୍ର ।ସମସ୍ତେ ସମସ୍ତଙ୍କ ଠାରୁ ଭିନ୍ନ ।ନିଜର କ୍ଷୁଦ୍ର ଆକାର ପାଇଁ ଦୁଃଖୀ ନ ହୋଇ ଅବଶୋଷ ନ କରି ଖଦ୍ୟୋତ ନିଜ ଜୀବନରେ ସୁଖ ଅନ୍ୱେଷଣ କରିଥାଏ ।ସେହିପରି ଆମକୁ ଈଶ୍ୱର ଯେମିତି ବି ଗଢିଛନ୍ତି ସବୁଠାରୁ ଶ୍ରେଷ୍ଠ ଜନ୍ମ ଦେଇଛନ୍ତି ବୋଲି ବିଚାର କରି ଜୀବନ ଜୀଇଁବା ଉଚିତ ।ଏ ମହାନ ଶିକ୍ଷା ହିଁ ଖଦ୍ୟୋତ ଠାରୁ ମିଳିଥାଏ ।
ଖଦ୍ୟୋତ ଆକାର ଛୋଟ ହୋଇଥାଇପାରେ ।କିନ୍ତୁ ତାହା ଦେହରେ ଭଗବାନ ପକ୍ଷ ବା ପର ଦେଇଛନ୍ତି ।ଯେଉଁଥିପାଇଁ ଖଦ୍ୟୋତ ଖୁବ ସହଜରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଉଡିପାରେ ।ଏବେ ତୁମେ ମାନେ କହିପାରିବ କି ଏଥିରୁ କଣ ବୁଝିଲ ?
କୁନୁ ମୁନୁ ଦୁହେଁ ପରସ୍ପର ମୁହଁକୁ ଚାହିଁଲେ ।ବାବା ସେମାନଙ୍କ ମନର ଅବସ୍ଥାକୁ ବୁଝିପାରି କହିଲେ ।ମୁଁ ବୁଝାଇ ଦେଉଛି ।ଖଦ୍ୟୋତ ଆକାର ସାନ ବୋଲି ଭଗବାନ ତା ଦେହରେ ପର ଖଞ୍ଜି ଦେଇଛନ୍ତି ।ସେହିପରି ସମସ୍ତ ମଣିଷକୁ ଭଗବାନ ନିଶ୍ଚୟ ସ୍ୱତନ୍ତ୍ର ଦକ୍ଷତା ଦେଇଛନ୍ତି ।ତେଣୁ କୌଣସି ଗୋଟିଏ ଅଭାବ ପାଇଁ ଅଭିମାନ ନ କରି ଈଶ୍ୱର ଦତ୍ତ ଅନ୍ୟ ଆଶୀର୍ବାଦ କୁ ଚିହ୍ନି କାମରେ ଲଗାଇବା ଉଚିତ ।ମୁଁ ତୁମକୁ ଗୋଟିଏ ଛୋଟିଆ ଉଦାହରଣ ଦେଉଛି ।ଓଡ଼ିଶାର ସୁପୁତ୍ର ପ୍ରମୋଦ ଭଗତ ।ଭଗବାନ ତାଙ୍କୁ ଦିବ୍ୟାଙ୍ଗ କରି ଗଢିଛନ୍ତି ।ଭଗବାନ ତାଙ୍କୁ ସୃଷ୍ଟି କରିବା ସମୟରେ ହୁଏ ତ ଅବହେଳା କରିଛନ୍ତି କିନ୍ତୁ କିଛି କ୍ରୀଡା ପାଇଁ ସ୍ୱତନ୍ତ୍ର ଦକ୍ଷତା ତାଙ୍କ ମଧ୍ୟରେ ଦେଇଛନ୍ତି ।ସେଥିପାଇଁ ତ ସେ ପାରା ଅଲମ୍ପିକ ରେ ସ୍ୱର୍ଣ୍ଣ ପଦକ ଜିତି ସମଗ୍ର ଭାରତ ପାଇଁ ଗୌରବ ଅର୍ଜନ କରିଛନ୍ତି ।ସେହିପରି ଈଶ୍ୱର ପ୍ରତ୍ୟେକ ମଣିଷ ପାଖରେ କିଛି ନା କିଛି ଦକ୍ଷତା ଦେଇଛନ୍ତି ।ନିଜର ଆକାର,ରୂପକୁ ନେଇ ଦୁଃଖୀ ନ ହୋଇ ବରଂ ନିଜ ଭିତରେ ଥିବା ଦକ୍ଷତାକୁ ଚିହ୍ନି ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଉଚିତ ।ନିଜ ଜୀବନକୁ ସାର୍ଥକ କରିବା ଉଚିତ ।
ଖଦ୍ୟୋତ ଅତି କ୍ଷୁଦ୍ର ଜୀବଟିଏ ।ତଥାପି ତାହା ଦେହରେ ଆଲୋକ ଖଞ୍ଜି ଦେଇଛନ୍ତି ଈଶ୍ୱର ।ସେହି ଆଲୁଅ ହୁଏ ତ ବିରାଟ ଅନ୍ଧକାରକୁ ଦୂର କରିନପାରେ କିନ୍ତୁ କିଛି ମାତ୍ରାରେ ଅନ୍ଧକାରକୁ ହଟାଇ ପାରେ ।ତେଣୁ କ୍ଷୁଦ୍ର ମଧ୍ୟରେ ମଧ୍ୟ ମହାନ ଗୁଣ ଭରି ରହିଛି ।କୌଣସି ଜିନିଷକୁ ସାନ ବୋଲି ନ ମଣି ତାହାର ମହାନତାକୁ ଉପଲବ୍ଧି କରି ସମ୍ମାନ ଦେବା ଉଚିତ ବୋଲି ଖଦ୍ୟୋତ ଶିଖାଇଥାଏ ।
ପିଲା ଦୁହେଁ ଖୁସିରେ ତାଳି ମାରିଲେ ।ଯାହା କି ବାବାଙ୍କୁ ଆଶ୍ୱାସନା ଦେଲା ଯେ ପିଲାମାନେ ତାଙ୍କ କଥାର ମହତ୍ତ୍ୱ ବୁଝିପାରିଛନ୍ତି ।
ପୁଣି ବାବା ଆରମ୍ଭ କଲେ ।
ମଣିଷ ମାନେ ଖଦ୍ୟୋତକୁ ଉପହାସ କରନ୍ତି ।ସାମାନ୍ୟ ଜୁଳୁଜୁଳିଆ କଣ ଚନ୍ଦ୍ରମା ସମାନ ହୋଇ ପାରିବ ବୋଲି ହେୟ ମନେ କରନ୍ତି ।ତଥାପି କାହାର ଉପହାସକୁ ଖଦ୍ୟୋତ ଗୁରୁତ୍ୱ ଦିଏ ନାହିଁ ।ମନରେ ଦୁଃଖ ଆସିଲେ ମଧ୍ୟ ନିଜକୁ ଶକ୍ତ କରି ମନକୁ ବୁଝାଇ ଜୀବନରେ ଜୀଇଁବାକୁ ଚେଷ୍ଟା କରିଥାଏ ।ସେହିପରି ଆମ ଜୀବନରେ ଅନେକ ଲୋକ ଅନେକ ନିନ୍ଦା,ଉପହାସ କରି କଥା କହିବେ ।ସେସବୁକୁ ଖାତିର ନ କରି ,ସେସବୁ କଥାରେ ଧୈର୍ଯ୍ୟ ନ ହରାଇ ନିଜର କର୍ମ କରି ଚାଲିବା ପାଇଁ ଖଦ୍ୟୋତ ହିଁ ଶିକ୍ଷା ଦିଏ ।ସମାଜରେ ନିଜର ପ୍ରାଧାନ୍ୟ ବିସ୍ତାର କରିବା ପାଇଁ କେବଳ ରୂପ,ଧନ ସମ୍ପଦ କିମ୍ବା ପ୍ରତିଷ୍ଠା ଜରୁରୀ ନୁହେଁ ।ଜରୁରୀ ହେଉଛି ନିଜର ନିଷ୍ଠା,ଏକାଗ୍ରତା,ଧୈର୍ଯ୍ୟ,ସାହସ ଏବଂ ସୁକର୍ମ କରିବା ପାଇଁ ହୃଦୟରୁ ପ୍ରେରଣା ।ପିଲାମାନେ ମୋର ଗୋଟିଏ କଥା ସବୁବେଳେ ମନେ ରଖିବ ।ସମାଜରେ ସୁକର୍ମ ପଥରେ ଆଗେଇ ନିଜର ଉନ୍ନତି କରିବା ପାଇଁ ଚେଷ୍ଟା କରିବ ।
କୁନୁ ମୁନୁ ପିଲାଳିଆମୀ ବୁଦ୍ଧିରେ କହିଉଠିଲେ ବାବା ଆମେ ଭଲ ପାଠ ପଢି ଭଲ ମଣିଷ ହେବୁ ।ତୁମ ନାଁ ନିଶ୍ଚୟ ରଖିବୁ ।ଘରେ ସମସ୍ତେ ଗୁରୁଜନ ଖୁସି ହେଲେ ।
ମୁନୁ ପଚାରିଲା ,ବାବା ! ଖଦ୍ୟୋତଠାରୁ ଆଉ କଣ ଶିକ୍ଷା ମିଳେ ? ଟିକିଏ ବୁଝାଇ କୁହ ?
ବାବା କହିଲେ ,ହଁ ହଁ ବ୍ୟସ୍ତ ହୁଅନା ।କହୁଛି ତୁମେ ମନ ଦେଇ ଶୁଣ ।
ଖଦ୍ୟୋତକୁ ଦେଖି ମଣିଷ ତାକୁ ଉପହାସ କରେ ।ଚନ୍ଦ୍ରମା ସହିତ ତୁଳନା କରିଥାଏ ।ଚନ୍ଦ୍ରମାର ଆଲୋକ ସହ ତାହାର ଆଲୋକ ସମାନ ନୁହେଁ ବୋଲି କଟାକ୍ଷ କରେ ।ମାତ୍ର ଖଦ୍ୟୋତ କେବେ ବି ନିଜକୁ ଚନ୍ଦ୍ରମା ସହିତ ତୁଳନା କରେ ନାହିଁ ।ନିଜ ଜୀବନର ମହତ୍ତ୍ୱ ଯିଏ ହୃଦୟଙ୍ଗମ କରିଥାଏ ।କେବେ ହେଲେ ନିଜକୁ ଅନ୍ୟ ସହିତ ତୁଳନା କରିନଥାଏ ।ମଣିଷ ନିଜକୁ କାହା ସହିତ ତୁଳନା ନ କରି ଜୀବନରେ ନିଜର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ ଖଦ୍ୟୋତ ଠାରୁ ହିଁ ଶିକ୍ଷା ମିଳିଥାଏ ।
ଚନ୍ଦ୍ରମା ସୂର୍ଯ୍ୟଙ୍କର କିରଣ ରେ ଆଲୋକିତ ହୋଇଥାଏ ।ମାତ୍ର ଖଦ୍ୟୋତ କ୍ଷୀଣ ହେଲେ ମଧ୍ୟ ନିଜର ଆଲୋକକୁ ପ୍ରକାଶ କରିଥାଏ।ପରଧନରେ ଚନ୍ଦ୍ରମା ହୁଏ ତ ସଂସାରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥାଏ କିନ୍ତୁ ଖଦ୍ୟୋତ ନିଜ ପାଖରେ ଥିବା କ୍ଷୀଣ ଆଲୋକ ବା ଅଳ୍ପ ଧନରେ ନିଜକୁ ଭାଗ୍ୟବାନ ମଣେ ।ଏଥିପାଇଁ ତା ମନରେ ତିଳେ ହେ ଚନ୍ଦ୍ରମା ପାଇଁ ଈର୍ଷା କିମ୍ବା ଅଭିମାନ କରେ ନାହିଁ ।ତେଣୁ ସବୁବେଳେ ଅନ୍ୟର ଧନ ପ୍ରତି ଈର୍ଷା ନ କରି,ଅଭିମାନ ନ କରି ନିଜ ଜୀବନ ପଥରେ ଆଗେଇ ଯିବାକୁ ପ୍ରକାରାନ୍ତରେ ଶିକ୍ଷା ଦେଇଥାଏ ।ଜୀବନରେ ଅନ୍ୟର ଧନ ପ୍ରତି ଈର୍ଷା କରିବା ଦ୍ୱାରା କେବଳ ନିଜର ସୁଖ ନଷ୍ଟ ହୋଇଥାଏ ।
ଖଦ୍ୟୋତ କେବଳ ଏତିକି ଶିକ୍ଷା ଦେଇନଥାଏ ।ଖଦ୍ୟୋତଠାରୁ ଏକ ମହାନ ଶିକ୍ଷା ମିଳିଥାଏ ।ଖଦ୍ୟୋତ ଦେହରେ ଜ୍ୟୋତି ବା ଆଲୋକ ଥାଇ ମଧ୍ୟ ସେ କେବେ ନିଜକୁ ଜ୍ୟୋତିଷ୍କରେ ଗଣା ହେବା ପାଇଁ ଚାହେଁନାହିଁ ।ଜୀବନରେ କେବଳ ଅସମ୍ଭବ ପରିକଳ୍ପନା କରି ବସ୍ତାଵତାଠାରୁ ଦୂରେଇ ଯିବା ଉଚିତ ନୁହେଁ ବୋଲି ଖଦ୍ୟୋତ ହିଁ ଶିକ୍ଷା ଦିଏ ।
