କାଞ୍ଜି ଅଅଁଳା ଓଷା
କାଞ୍ଜି ଅଅଁଳା ଓଷା
ଦୀର୍ଘ ବାର ତେର ବର୍ଷ ପରେ କୀର୍ତ୍ତନ ମଉସା ଓ ଉମା ମାଉସୀ ଙ୍କ ସହ ଦେଖା । ଦେଖା ହେବା ପରେ ମାଉସୀ ମୋତେ ଏମିତି ଭାବରେ କୋଳାଇ ନେଲେ ସତେ ଯେମିତି ବହୁତ ଦିନ ରୁ ହଜି ଯାଇଥିବା ନିଜର ଅମୂଲ୍ୟ ରତ୍ନ ଟିଏ ଖୋଜି ପାଇଛନ୍ତି । ମଉସା ମୋତେ ଦେଖୁ ଦେଖୁ କହିଲେ, ତୁ ଟିକେ ଏପଟେ ଆସିଲୁ ତୋତେ ଟିକେ ଦେଖେ । ମଉସାଙ୍କ ପାଖରୁ ଏଇ କଥା ପଦକ ଶୁଣି ମୋତେ ଲାଗିଲା ଦୀର୍ଘ ଦିନ ପୂର୍ବରୁ ଇହଧ୍ୟାମ ତ୍ୟାଗ କରିଥିବା ମୋ ବାପା ଯେମିତି ମୋ ସାମ୍ନାରେ ଛିଡ଼ା ହୋଇଛନ୍ତି । ଉମା ମାଉସୀ ଓ କୀର୍ତ୍ତନ ମଉସା ହେଉଛନ୍ତି ମୋ ସାଙ୍ଗ ଭାରତୀର ବାପାମାଆ । ହେଲେ ଦୁଇ ଜଣ ସାରା ମୋତେ ନିଜ ଝିଅ ଠାରୁ ଅଧିକ ସ୍ନେହ କରନ୍ତି ।
ତାଙ୍କ ଘର କେନ୍ଦୁଝର ଜିଲ୍ଲାର ଭାଟସିରା ଗାଁ ରେ । ରେଭେନ୍ସା କଲେଜରେ ପି . ଜି . କରୁଥିବା ସମୟରେ ଛୁଟି ସମୟରେ ମୁଁ ବେଳେ ବେଳେ ଭାରତୀ ସହ ତାଙ୍କ ଘରକୁ ଯାଏ । କାରଣ ଖାଲି ଭାରତୀ ଘର ଲୋକ ନୁହଁନ୍ତି ତାଙ୍କ ଗାଁ ସାରା ଲୋକ ମୋତେ ଭାରୀ ସ୍ନେହ କରନ୍ତି । ଯେହେତୁ ମଉସା ମାଉସୀ ଙ୍କ ସହ ଅନେକ ଦିନ ପରେ ଦେଖା ହୋଇଥିଲା ମୁଁ ତାଙ୍କୁ ଗାଁର ସମସ୍ତ ଙ୍କ ବିଷୟରେ ପଚାରିଲି । ଶେଷରେ ପଚାରିଲି ମାଉସୀ ତୁମ ଗାଁ ରେ ଆଉ କାଞ୍ଜି ଅଅଁଳା ଓଷା ପାଳନ କରୁଛ ନାଁ ନାହିଁ? ମୋତେ ତୁମ ଗାଁ ର ସେଇ ପର୍ବ ଟା ଭାରୀ ଭଲ ଲାଗେ ।
ଥରେ ପ୍ରଥମାଷ୍ଟମୀ ରେ ମୁଁ ଭାରତୀ ସହ ତାଙ୍କ ଗାଁ କୁ ଯାଇଥାଏ । ତା ପର ଦିନ ଘରକୁ ଫେରିବା ପାଇଁ ବାହାରିବା ରୁ ମାଉସୀ ମୋତେ କହିଲେ ଆଜି ରହିଯାଆ ସନ୍ଧ୍ୟା ବେଳେ ଆମ ଗାଁ ରେ କାଞ୍ଜି ଅଅଁଳା ଓଷା ପାଳନ କରାଯିବ ଦେଖିବୁ । ଆମ ଗାଁ ରେ ଏଇ ଓଷା ପାଳନ କରାଯିବା ତ ଦୂରର କଥା ତା ନାଁ ମଧ୍ୟ ମୁଁ ଶୁଣି ନଥିଲି(ଏବେ ବି ଆମ ଗାଁ ର ଅନେକ ଲୋକ ଏ ଓଷା ର ନାଁ ଶୁଣି ନାହାଁନ୍ତି) । ତେଣୁ ମନ ମଧ୍ୟରେ ଉତ୍କଣ୍ଠା ଜାଗ୍ରତ ହେଲା ଏଇ ପର୍ବ କେମିତି ପାଳନ କରାଯାଏ ଦେଖିବା ପାଇଁ । ତେଣୁ ମାଉସୀ ଙ୍କ କଥା ଅନୁଯାୟୀ ସେ ଦିନ ତାଙ୍କ ଗାଁ ରେ ରହିଲି ।
ଏହି ଓଷାର ବିଶେଷତ୍ୱ ହେଉଛି ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା ଉଦ୍ଦେଶ୍ୟରେ ଓ ନିଃସନ୍ତାନ ନାରୀମାନେ ସନ୍ତାନ ପ୍ରାପ୍ତି ପାଇଁ ମା’ ଷଠୀଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି । ଷଠୀଦେବୀ ହେଉଛନ୍ତି ଭଗବାନଙ୍କ ଏକ ଅନନ୍ୟ ସ୍ୱରୂପ ଯିଏକି ସନ୍ତାନସନ୍ତତିଙ୍କ ଭାଗ୍ୟ ନିର୍ଦ୍ଧାରଣ କରନ୍ତି । ଓଷାର ପରମ୍ପରା ଅନୁସାରେ ଗାଁ ର ସ୍ତ୍ରୀ ଲୋକ ମାନେ ଦିନ ସାରା ଉପବାସ କରିଥାନ୍ତି । ସନ୍ଧ୍ୟା ବେଳେ ଗାଁ ମଝିରେ ଥିବା ତୁଳସୀ
ଚଉରା ମୂଳରେ ପୋଖରୀ ପରି ଗୋଟିଏ ଛୋଟ ଚାରିକୋଣିଆ ଗାତ ଖୋଳି ତହିଁରେ ପାଣି ଭରିଲେ । ପୋଖରୀରୁ ଛୋଟ ଛୋଟ ମାଛ ଆଣି ଏଥିରେ ଛାଡ଼ିଲେ । ଏହି ଗାତ ଚାରିପଟେ ବାଳୁଙ୍ଗା ଧାନ ପୋତିଲେ । ପୋଖରୀ ମଝିରେ ସାରୁ ଗଛ ଟିଏ ପୋତି ତା'ରି ମୂଳରେ ପିଢ଼ାଟିଏ ମଧ୍ୟ ଥୋଇଲେ । ସାତଟି ପିତା ଶୁଖୁଆ ଆଣି ସେଗୁଡ଼ିକୁ ହଳଦୀ ପାଣିରେ ଧୋଇ ହଳଦିଆ କନାରେ ଗୁଡ଼ାଇ ବୋହୁପରି ବେଶ କରି କଜ୍ଜ୍ୱଳ, ସିନ୍ଦୂର ଲଗାଇ ପିଢ଼ା ଉପରେ ବସାଇଲେ । ଗୋଟେ ନୂଆ ଶିଳପୁଆ ଆଣି ତାକୁ ଧଳା ଲୁଗାରେ ଗୁଡ଼ାଇ ଷଠୀ ଠାକୁରାଣୀ କଲେ । ଶୁଖୁଆ ଗୁଡିକୁ ଠାକୁରାଣୀଙ୍କ ଆଗରେ ଏମିତି ଭାବରେ ରଖିଲେ ସତରେ ଯେମିତି ସାତଟି ବୋହୂ ଠାକୁରାଣୀଙ୍କ ବନ୍ଦାପନା କରୁଛନ୍ତି । ପ୍ରତିଟି ଶୁଖୁଆ ପାଖରେ ଗୋଟିଏ ଲେଖାଏ ପୋଇ ଖାଡ଼ି ରଖିଲେ ।
ଏମିତି ଭାଵେ ସମସ୍ତ ବିଧି ବିଧାନ ସହ ଗାଁ ର ସମସ୍ତ ସ୍ତ୍ରୀ ଲୋକ ମିଶି ଷଠୀ ଠାକୁରାଣୀଙ୍କ ପୂଜା ସମାପ୍ତ କଲେ । ଭୋଗ ସରିଲା ପରେ ସେଇ ଭୋଗକୁ ତାଙ୍କ ପିଲା ମାନଙ୍କୁ ଖାଇବା ପାଇଁ ଦେଲେ ଓ ଅବଶିଷ୍ଠ ଭୋଗ ନଦୀରେ ଭସାଇ ଦେବା ପାଇଁ ରଖିଲେ । ପୂଜା ସମାପ୍ତ ହେଲା ପରେ ଗାଁ ର ସମସ୍ତ ସ୍ତ୍ରୀ ଲୋକ ନିଜ ଘରୁ ତିଆରି କରି ଆଣିଥିବା ନାନା ପ୍ରକାର ବ୍ୟଞ୍ଜନ କୁ ଗାଁ ଦାଣ୍ଡରେ ବସି ଏକତ୍ର ଭୋଜନ କଲେ । ଆମ ଗାଁ ର ସବୁ ସ୍ତ୍ରୀ ଲୋକଙ୍କୁ କୈାଣସି ବି ପର୍ବ ପର୍ବାଣୀ ରେ ଏମିତି ଏକାଠି ବସି ଖାଇବାର ମୁଁ ଦେଖି ନଥିଲି । ତେଣୁ ମୁଁ ମନେ ମନେ ଭାବୁଥିଲି ଆମ ଗାଁ ରେ ଏମିତି ପର୍ବ ଟେ ପାଳନ ହୁଅନ୍ତାନି ।
ତାପର ଦିନ ମୁଁ ଘରକୁ ଫେରିଆସିଲି ହେଲେ ତାଙ୍କ ଗାଁ ରେ ସେଦିନ ର ସେଇ ଓଷା ପାଳନ ଓ ସ୍ତ୍ରୀ ଲୋକ ମଧ୍ୟ ରେ ଥିବା ସ୍ନେହ ମମତାର ବନ୍ଧନ ଏ ପର୍ଯ୍ୟନ୍ତ ମୋ ମନରେ ଵସା ବାନ୍ଧି ରହିଥିଲା । ହେଲେ ମାଉସୀ ଙ୍କ ଉତ୍ତର ସେ ଦିନ ମୋତେ ଦୁଃଖି କରି ଦେଇଥିଲା । ମାଉସୀ କହିଲେ ଆଲୋ ମାଆ ସେଦିନର ସେଇ ଗାଁ, ଆଉ କଣ ସେଇ ଗାଁ ହୋଇ ରହିଛି? ନାଁ ଗାଁ ଲୋକଙ୍କ ଭିତରେ ଥିବା ସେଇ ସ୍ନେହ, ମମତା ଓ ଆନ୍ତରିକତା ଆଉ ତାଙ୍କ ଭିତରେ ଜୀବିତ ଅଛି? ସଵୁ କିଛି ବଦଳି ଗଲାଣି । ଗାଁ ଦାଣ୍ଡରେ ଆଉ କାଞ୍ଜି ଅଅଁଳା ଓଷା ପାଳନ ହେଉନି । ସାମାନ୍ୟ ସାମାନ୍ୟ କଥାରେ ପରସ୍ପର ଭିତରେ କଳି ଗୋଳ ଲାଗି ଓଷା ପାଳନ ପରା କେବେରୁ ବନ୍ଦ ହେଲାଣି ।
ମାଉସୀଙ୍କ କଥା ଶୁଣି ମୋତେ ଲାଗିଲା ସାମାନ୍ୟ ସାମାନ୍ୟ କଥାରେ କଳି ଗୋଳ ଲାଗି ଯଦି ଗାଁ ମାନଙ୍କରେ ଏମିତି ସୁନ୍ଦର ପର୍ବ ପାଳନ ସବୁ ବନ୍ଦ ହୋଇଯିବ ,ତେବେ ଆମର ପର୍ବପର୍ବାଣୀ ଓ ପରମ୍ପରା ସବୁ ଜୀବୀତ ରହିବ କେମିତି?