Seetaram Dash

Others

3  

Seetaram Dash

Others

କାଳି

କାଳି

4 mins
445


ବିବାହର ଅନେକ ଦିନ ବିତିଗଲା ପରେ ବି ମୁଁ କାଳିକୁ ଭୁଲି ପାରିନି। ବେଳେ ବେଳେ ତାର ସ୍ବାଭିମାନ, ତାର ଭଲ ପାଇବା ଓ ତାର ସେଇ ନିରୀହ ଆଖି ମୋ ମାନସ ପଟରେ ପୁନେଇର ଜହ୍ନ ପରି ଉଙ୍କି ମାରେ। କଣ ପାଇଁ କେଜାଣି କିଛି ଭଲ ଲାଗେନି?

ବାହାଘରର ଦିନେ କି ଦୁଇ ଦିନ ପର କଥା। ମିତା ନିଜ ଘରୁ ଫୋନ ଆଣିନଥାଏ। ତାଙ୍କ ଘର ଏବଂ ବନ୍ଧୁବାନ୍ଧବଙ୍କ ଫୋନ ମୋ ପାଖକୁ ଆସେ। କିଛି ଜଣା ଆଉ କିଛି ଅଜଣା, ହେଲେ ମୁଁ ଭାରି ବିରକ୍ତ ହୁଏ। ପ୍ରଥମେ ଭୋଜି ପାଇଁ ବ୍ୟସ୍ତତା ଏବଂ ଦ୍ଵିତୀୟରେ ବରଯାତ୍ରୀଙ୍କ ନାଚକୁ ନେଇ ହୋଇ ଥିବା ବିବାଦ(ବିବାଦ କେବଳ ଗାଁ ଲୋକଙ୍କ ଯୋଗୁ ହୋଇଥିଲା)। ମିତାକୁ ଦେଖେଇ ଦେଖେଇ କେତେ ଥର କହି ବି ଦେଇଛି "ଏମିତି ଭଲ ପାଆନ୍ତି ନା ଲୋକଙ୍କୁ ଦେଖାଇବା ପାଇଁ ଗୋଟେ ନାଟ" ହେଲେ ଆଜି ଜାଣୁଛି ମୋ ଝିଅ ଟିକିଏ ବିଳମ୍ବରେ ସ୍କୁଲରୁ ଆସିଲେ ମନ କେତେ ବ୍ୟସ୍ତ ହୁଏ। ମିତା ଘର ଲୋକଙ୍କ ସହ କଥା ହେବା ସମୟରେ ପ୍ରାୟ "କାଳି" କଥା ପଚାରେ। ଶଶୁର ଘରେ କାଳି ନାମକ କେହି ଥିବାର ମୁଁ ଜାଣିବାରେ ନାହାଁନ୍ତି। କିଏ ହୋଇଥିବ? ମୁଁ ବି ଏତେ ଗୁରୁତ୍ୱ ଦିଏନି। ଭୋଜି ଭାତ ବି ସରିଗଲା। ବନ୍ଧୁବାନ୍ଧବ ବି ଧୀରେ ଧୀରେ ଚାଲିଗଲେ।

ସପ୍ତମଙ୍ଗଳା ପରେ ପରେ ଶଶୁର ଘର ବୁଲିବାକୁ ବାହାରିଲୁ। ଯେହେତୁ ଏଇଟା ମୋର ପ୍ରଥମ ଥର ତେଣୁ ପ୍ରସ୍ତୁତି ବି ସେଇ ଅନୁସାରେ ହୋଇଥାଏ। ଯେହେତୁ ମୁଁ ବିଖ୍ୟାତ କଟକ ରୁ ଅଖ୍ୟାତ ପଲ୍ଲୀ ମୋ ଶଶୁର ଘର କୁ ଯାଉଥାଏ ମୋ ମନରେ ବି ଖୁବ ଆତ୍ମସନ୍ତୋଷ ଓ ଅହଙ୍କାର ଥାଏ। ଯିବା ବାଟରେ ଦୁଇ ତିନି ଥର ମିତାକୁ ପଚାରି ସାରିଥାଏ ବାଟ ସୁବିଧା ତ,ଗାଡି ଯାଇ ପାରିବ। ବାଟ ତ ମୁଁ ଜାଣିଥାଏ ତଥାପି ନିଜର ଚିରାଚରିତ ସ୍ଵଭାଵ ର କୁପ୍ରଭାଵ। ମିତା "ହଁ ଯାଇ ହେବ ବାଟ ଏତେ ଖରାପ ନୁହେଁ" କହି ଟିକେ ହସି ଦେଲା ମତେ ଲାଗିଲା ଯେମିତି ମୋ ମନ କଥା କୁ ଭଲ ଭାବେ ଜାଣି ନେଇଛି। ବାଟରୁ କିଛି ମିଠା ମିଠି ନେଇ ପହଞ୍ଚିଲୁ।

ଖୁବ ଭିଡର ଆସର ଆମ ଚାରିପଟ। ଗହଳି ଚହଲି ଆଦୌ ଭଲ ଲାଗୁନଥିଲା ମତେ। ମିତାର ସାନ ଭଉଣୀ ଘରକୁ ଆସୁ ଆସୁ କହିଲା "ନାନୀ ତୁ ଗଲା ଦିନୁ କାଳି ବି କୁଆଡେ ଚାଲି ଯାଇଥିଲା। ଆଜି ଆସିଛି, କେମିତି ଜାଣିଲା କେଜାଣି ତୁ ଆସିଛୁ ବୋଲି"। ତା କଥା ଶୁଣି ମିତା ବି କହିଲା ମୁଁ ଆସିବା ସମୟରୁ ଦେଖିଲାଣି, ଆଉ ତାକୁ ଖାଇବାକୁ ବି ଦେଇ ସାରିଲାଣି। ତା ପରେ ଜାଣିବାକୁ ପାଇଲି କାଳି ହେଉଛି ଗୋଟେ ବୁଲା କୁକୁର। କେବେ ଠୁ ଆସି ଅଛି, ଏ ଘରେ। କେହି ଜଣେ ବାଡେଇ ଗୋଡ଼ ଭାଙ୍ଗି ଦେଇଥିଲା। ବାରିପଟେ ଗୋଟେ ଜାଗାରେ ଶୋଇ ରୁହେ। ସମସ୍ତଙ୍କ ଅନିଚ୍ଛା ସତ୍ତ୍ୱେ ମଧ୍ୟ ମିତା ଖାଇବା ପିଇବା ଦିଏ ଗୋଟେ ଛେଲୁଆରେ(ମାଟି ହାଣ୍ଡିର ଭଙ୍ଗା ଅଂଶ)। କୁକୁର ଟି ବି ଧୀରେ ଧୀରେ ପାଲଟି ଯାଇଛି ମିତାର ଅତି ଆପଣାର। ବାରି ପଟେ ଜଗିରହେ ସଦା ସର୍ବଦା ଖାଉ ନ ଖାଉ, ହେଲେ ଗାଁ ରେ କାହା ଘରେ ପଶେନି ଖାଇବାକୁ। ଭଙ୍ଗା ଗୋଡ଼ ବି ଠିକ ହୋଇଥିଲା ଧୀରେ ଧୀରେ। ଏମିତି କି ଖାଇବା ବାସନରେ ଦେଲେ ବି କେବେ ମୁହଁ ମାରିବନି। ଏବେ ସମସ୍ତଙ୍କ ପ୍ରିୟ କାଳି, ଘରେ ଆଉ ବାହାରେ।

ମୁଁ କହିଲି "ଖାଇବାକୁ ଦେଇ ନ ଥିବ ଆଉ କଣ ମରିଥାନ୍ତା ଏଠି ରହି" ତେଣୁ ଚାଲିଗଲା। ମିତା ହସିଦେଇ କହିଲା "ମୋ କାଳି ଭାରି ସ୍ୱାଭିମାନି"। ଆଉ ମଣିଷ ମାନଙ୍କ ପରି ସ୍ୱାର୍ଥପର ନୁହେଁ। ମୁଁ କଥାଟା ହଜମ କରିପାରିଲିନି। ହଉ ଦେଖିବା କହି ହାତରେ ଦୁଇଟି ରସଗୋଲା ନେଇ ବଡ଼ ସରଧାରେ ରେ କଳିକୁ ଡାକି ଡାକି ବାହାରକୁ ଆସିଲି। କାଳି ମତେ ଦେଖୁ ଦେଖୁ ଭୋକି ଭୋକି ଟିକେ ଦୂରକୁ ଚାଲିଗଲା ଯେମିତି ବାହାରେ ଥାଇ ସବୁ ଶୁଣିଛି ସେ। ମୁଁ ଖଣ୍ଡେ ପତ୍ରରେ ରସଗୋଲା କୁ ରଖିଦେଇ ଆସିଲି ହେଲେ କାଳି ସେମିତି ଭୋକୁଥାଏ। ମୋ ମନଟା ଟିକେ ପିତା ହୋଇଗଲା। ମିତା ବି ଟିକେ ହସିଦେଲା ସବୁ ଜାଣିଲା ପରି। ମୋ ପାରିବା ପାଣିଆଟା ହାରି ଯାଇଥିଲା କାଳି ପାଖରେ। ଫେରିବା ପୂର୍ବରୁ ସମସ୍ତଙ୍କ ଅଲକ୍ଷ୍ୟରେ ସେଇ ରସଗୋଲା ଟିକୁ ଦେଖିନେଲି କାଳି ଖାଇଛି ନା ନାହିଁ। ହେଲେ ବହୁତ ଗୁଡ଼ାଏ ପିମ୍ପୁଡ଼ି ଲାଗି ଯାଇଥିଲେ ସେଥିରେ।

ସମୟ ଚାରିଟା ହେଲାଣି। ଫେରିବାକୁ ହେବ। ଟିକେ କାନ୍ଦ କଟା ବି ହୋଇଗଲାଣି ମା ଓ ଖୁଡି ମାନଙ୍କର। ସବୁ ସ୍ନେହ ଶ୍ରଦ୍ଧା କୁ ଛାଡି ଆମେ ଲେଉଟିଲୁ। ଫେରିଲା ବେଳେ ମୁଁ ଘର ଚାବି ଛାଡି ଆସିଥିଲି ଟେବୁଲ ଉପରେ। ଗାଁ ମୁଣ୍ଡରେ ମନେପଡ଼ିଲା। ପୁଣି ଫେରିବାକୁ ମନା କରି ମିତା ଘରକୁ ଫୋନ କଲା ଚାବି ପାଇଁ। ମୁଁ ଗାଡି ରାସ୍ତା କଡରେ ରଖି ଅପେକ୍ଷା କଲି। ମିତା କାହାସହ କଥା ହେବା ଶୁଣି ପଛକୁ ଦେଖିଲା ବେଳକୁ କାଳି ଗାଡିର ଡୋର ପାଖରେ। ମିତା ତାକୁ କେତେ କଣ କହୁଛି। ମୁଁ ବିରକ୍ତ ହୋଇ କହିଲି ଲୋକ କଣ ଭାବିବେ। ବାଟରେ ଏମିତି କୁକୁର ସହିତ ଏତେବଡ଼ ପାଟିରେ କଥା ହେଉଛ। ମିତା ବି ବେଶ ସହଜରେ କହିଦେଲା ଏ ମୋ ବାପ ଘର ଗାଁ। ମୁଁ କଣ ଏ ଗାଁର ବୋହୁ କି ଲାଜ କରିବି? କାଳିର ଭଲପାଇବା ତମେ ବୁଝି ପାରିବନି। ମୁଁ ନିଜକୁ ନିରବ ରହିବାକୁ ଉଚିତ ମଣିଲି। ମୁଁ ବି ଗାଡିର କଳା କାଚ ଭିତରେ କାଳି ଆଖିର ଦୁଃଖ କୁ ଦେଖି ପାରିଲି। ଲୁହ ନ ଝରିଲେ ବି ଲୁହରେ ଭରି ଯାଇଥିଲା ତା ଆଖି ଦୁଇଟି। ସେଠି ବି ହାରିଗଲି କାଳି ପାଖରେ। ୟା ଭିତରେ ଚାବି ଆଣି ଦେଇଗଲା ମିତାର ସାନ ଭାଇ। ମୋ ମନର ଗର୍ବ ଅହଙ୍କାର ହଜିଯାଇଥାଏ କାଳି ପାଖରେ। କାଳି ପାଇଁ କିଛି ବିସ୍କୁଟ କିଣିନେବା ପାଇଁ କିଛି ଟଙ୍କା ଧରେଇ ଦେଲି ଶାଳକ ମହାଶୟ ଙ୍କୁ। ମନଟା ଟିକେ ଦବିଯାଇଥାଏ। ବାଟରେ ଖାଲି କାଳିର ସ୍ୱଭିମାନ, ତାର ଭଲପାଇବା ଓ ସେଇ ନିରୀହ ଆଖି ନାଚି ଉଠୁଥାଏ ମନରେ।

ଘରକୁ ଆସିବାର କିଛି ଦିନ ପରେ ଦିନେ ଫୋନ କରି ପଚାରିଲି "କାଳିକୁ ବିସ୍କୁଟ ଦଉଛ ନା ନାହିଁ। ସେପଟୁ ଶୁଣିବାକୁ ମିଳିଲା ବିସ୍କୁଟ ସବୁ ସେମିତି ଥୁଆ ହୋଇଛି। ନାନୀ ଯିବା ପରଠୁ କାଳି ଆଉ ଆସିନି। (ସୀତାରାମ)


Rate this content
Log in