ଝିଟିପିଟି
ଝିଟିପିଟି
ପ୍ରତିଦିନ ସନ୍ଧ୍ୟାବେଳେ ଲାଇଟ୍ ଲଗାଇ ଭାଗବତ ପଢ଼ିବା ଆରମ୍ଭ କରିବାକୁ ଗଲା ବେଳକୁ ସେ ବୁଢ଼ା ଝିଟିପିଟିଟା କେଉଁଠି ଥାଏ କେଜାଣି ଜଳୁଥିବା ବିଜୁଳି ବଲବ୍ ଟା ପାଖକୁ ତରତର ହୋଇ ଧାଇଁ ଆସେ ଓ ବଲବ୍ ପାଖରେ ଉଡୁଥିବା ଛୋଟ ଛୋଟ ପୋକ ମାନଙ୍କୁ ଖାଇବା ଉଦ୍ଦେଶ୍ୟରେ ବାଘ ତା ଶିକାରକୁ ଅପେକ୍ଷା କଲା ପରି ଅତି ସତର୍କତାର ସହିତ ସେମାନଙ୍କର ଗତିବିଧିକୁ ଲକ୍ଷ୍ୟ କରେ।ବହି ପଢା ସାରି ଲାଇଟ୍ ଲିଭେଇବା ପର୍ଯ୍ୟନ୍ତ ସେ ତା ଖାଦ୍ୟ ଗ୍ରହଣ କାର୍ଯ୍ୟରେ ବ୍ୟସ୍ତ ରହେ ଓ ଲାଇଟ୍ ଲିଭିଗଲା ପରେ ସେଠାରୁ ସେ ଧୀରେ ଧୀରେ ଚାଲିଯାଏ। ଅନ୍ୟ ସମୟରେ ସେ ଆମ ଘରେ କେଉଁଠି ରୁହେ ସେ ବିଷୟରେ ମୁଁ କେବେ ବି ଚିନ୍ତା କରିନି। କିନ୍ତୁ କୋୖଣସି ଦିନ ସେହି ବୁଢ଼ା ଝିଟିପିଟିଟା ବ୍ୟତୀତ ଅନ୍ୟ କୌଣସି ଝିଟିପିଟି ସେଠାକୁ ଆସିବା ମୋ ନଜରରେ ପଡ଼ିନାହିଁ।ଥରେ ଥରେ ଉଡୁଥିବା ସବୁ ପୋକ ମାନଙ୍କୁ ଗର୍ଭସ୍ଥ କରି ସାରିବା ପରେ ମଧ୍ୟ ସେ ସେଠାରୁ ଚାଲି ଯାଏ ନାହିଁ ବରଂ ଜଣେ ଶ୍ରୋତା ଭାଗବତ ଶୁଣିଲା ପରି ଚୁପଚାପ୍ ସେହିଠାରେ ବସିରହେ। ତଳ ମହଲାରେ ଘରର ଅନ୍ୟ ସଦସ୍ୟମାନେ ଟିଭି ଦେଖିବା ଠାରୁ ମୋବାଇଲ ଟିପିବା ପର୍ଯ୍ୟନ୍ତ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଲେ ମଧ୍ୟ ଭାଗବତ ଶୁଣିବାକୁ ଆଗ୍ରହ ପ୍ରକାଶ କରି କେହି କେବେ ସେ ସମୟରେ ଠାକୁର ଘରକୁ ଆସନ୍ତି ନାହିଁ। କାହିଁକି କେଜାଣି ଆଜିକାଲି ଅଧିକାଂଶ ଲୋକଙ୍କ ମନରେ ଗୋଟିଏ ବଦ୍ଧମୂଳ ଧାରଣା ବସା ବାନ୍ଧି ରହିଛି ଯେ ଗୀତା ଓ ଭାଗବତ ପଢ଼ିବା ହେଉଛି ବୟସ୍କ ଲୋକ ମାନଙ୍କର କାମ। ମୃତ୍ୟୁ ସମୟ ପାଖେଇ ଆସୁଥିବାରୁ ସେମାନେ ମୋକ୍ଷ ଲାଭ କରିବା ପାଇଁ ଏହିସବୁ ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଉଚିତ। କିନ୍ତୁ ଏକଥା କହିବା ବେଳେ ମଣିଷ ଭୁଲିଯାଏ ଯେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ସେ ମୃତ୍ୟୁର ଦ୍ଵାର ଦେଶରେ ଦଣ୍ଡାୟମାନ ଅଛି ଏବଂ ଯେ କୌଣସି ମୁହୂର୍ତ୍ତରେ ସେ ଦ୍ଵାର ତା ପାଇଁ ଖୋଲି ଯାଇପାରେ। ମହାମାରୀ କରୋନାର ଭୟାବହତାକୁ ଦେଖି ସାରିବା ପରେ ଏହି ସତ୍ୟକୁ ଯଦି ମଣିଷ ଅନୁଭବ ନକରେ ତେବେ ଏହା ତାର ଅଜ୍ଞାନତା ନୁହେଁ ତ ଆଉ କ'ଣ? ତେଣୁ ଆମ ଘରର ଅନ୍ୟ କେହି ସଦସ୍ୟ ଭାଗବତ ଶୁଣିବାକୁ ନ ଆସନ୍ତୁ ପଛକେ ଯେ କୌଣସି ଉଦ୍ଦେଶ୍ୟରେ ହେଉନା କାହିଁକି ସେହି ଝିଟିପିଟିଟା ସେହି ନିର୍ଦ୍ଧିଷ୍ଟ ସମୟରେ ନିୟମିତ ଭାବରେ ଆସୁଥିବାରୁ ବହି ପଢ଼ିବା ସମୟରେ ମୁଁ ସେଠାରେ କେହି ଜଣେ ଉପସ୍ଥିତ ଥିଲା ଭଳି ଅନୁଭବ କରେ। ତେବେ ସେ ଯାହା ହେଉନା କାହିଁକି ସବୁଦିନିଆ ଏହି ଦେଖାଚାହାଁ ଯୋଗୁ ତା ପ୍ରତି ମୋ ମନ ଭିତରେ କେମିତି ଗୋଟାଏ ଆତ୍ମୀୟତା ଭାବ ଆସି ଯାଇଥାଏ କାରଣ ଯେଉଁଦିନ ତା'ର ଟିକେ ଆସିବା ଡେରି ହୁଏ ମୋ ଅଜାଣତରେ ମୋ ଆଖି ଦିଟା କାନ୍ଥ ଉପରେ ସେ ବସୁଥିବା ସ୍ଥାନଟା ଉପରେ ଟିକେ ବୁଲିଆସେ।
ଅବଶ୍ୟ ଝିଟିପିଟି ମାନଙ୍କ ପ୍ରତି ମୋ ମନରେ ଏକ ନିର୍ଦ୍ଦିଷ୍ଟ କାରଣରୁ ଏକ ସ୍ଵତନ୍ତ୍ର ସ୍ଥାନ ଅନେକ ଆଗରୁ ରହି ଆସିଛି। ସେତେବେଳେ ମୁଁ ପିଜି କରିସାରି ଚାକିରି ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗୀତା ମୂଳକ ପରୀକ୍ଷା ଦେଉଥାଏ। ଗଣିତରେ ଦୁର୍ବଳତା ହେତୁ ଅନେକ ପରୀକ୍ଷାରେ ଅକୃତକାର୍ଯ୍ୟ ହେଲାପରେ ଚାକିରି ପାଇବା ନେଇ ମୋ ମନରେ ଆଶଙ୍କା ଏବଂ ଅନିଶ୍ଚିତତା ସୃଷ୍ଟି ହୋଇଥାଏ। ଗୋଟିଏ ମଧ୍ୟବିତ୍ତ ପରିବାରର ପିଲାଟିଏ ପାଠ ପଢ଼ି ସାରିବା ପରେ ଚାକିରିଟିଏ ତା ପାଇଁ ତଥା ତା ପରିବାର ଲୋକଙ୍କ ପାଇଁ ଯେ କେତେ ଜରୁରୀ ସେକଥା ଯିଏ ଅଙ୍ଗେ ନିଭେଇଛି ସିଏ ଜାଣିଛି। ପ୍ରାୟତଃ ବାପ ମା ମାନେ ପିଲାମାନଙ୍କୁ ପାଠ ପଢେଇବା ଦିନ ଠାରୁ ସେମାନଙ୍କ ପାଇଁ ଏକ ବଡ଼ ଚାକିରିର ସ୍ଵପ୍ନ ଦେଖିବା ଆରମ୍ଭ କରି ଦେଇଥାନ୍ତି। ମୋ ବାପା ବୋଉ ବା ସେଥିରୁ ବାଦ୍ ଯାଇଥାନ୍ତେ କିପରି ? ମୋ ଚାକିରି ପାଇବା ଯେତେ ଡେରି ହେଉଥାଏ ସେମାନଙ୍କ ଦେଖିଥିବା ସ୍ଵପ୍ନକୁ ପୁରଣ କରି ପାରୁ ନଥିବାରୁ ମୋର ମାନସିକ ଦୁଶ୍ଚିନ୍ତା ଦିନକୁ ଦିନ ବଢି ଚାଲିଥାଏ। ଏକଥା ବାପା ବୋଉଙ୍କ ଆଖିରୁ ବା ଲୁଚି ରହିଥାନ୍ତା କିପରି ? ସେମାନେ ମୋ ଚାକିରି ପାଇଁ ଯେତିକି ଚିନ୍ତିତ ନଥିଲେ ତା ଠାରୁ ଅଧିକ ଚିନ୍ତିତ ଥିଲେ ମୋର ମାନସିକ ଦୁଶ୍ଚିନ୍ତା ପାଇଁ। ମୋର ଆତ୍ମ ବିଶ୍ବାସ ବଢେଇବା ପାଇଁ 'ଚାକିରି ନିଶ୍ଚୟ ହେବ' ବୋଲି କହି ସେମାନେ ମୋତେ ବାରମ୍ବାର ଧୈର୍ଯ୍ୟ ଓ ସାହାସ ଦେବାକୁ ଚେଷ୍ଟା କରୁଥିଲେ। ବାପ ମା ସବୁ ଦୁଃଖ ସହିଯିବେ ସିନା କିନ୍ତୁ ପିଲା ମାନଙ୍କ ଦୁଃଖ ସହି ପାରିବେ ନାହିଁ। ୟାକୁ ହିଁ କହନ୍ତି ଅନାବିଳ ସ୍ନେହ ଓ ଭଲପାଇବା। ସେମାନେ ଯେତେ ବୁଝାଇଲେ ମଧ୍ୟ ମୋ ମନ ବୁଝୁ ନଥିଲା କାରଣ ଘରର ଆର୍ଥିକ ଦୁରାବସ୍ଥା ମୋ ଆଖିକୁ ଜଳଜଳ ହୋଇ ଦେଖା ଯାଉଥିଲା। ପରିବାରର ସବୁ ସମସ୍ୟା ଆକୁଳ ନୟନରେ ମୋ ଆଡ଼କୁ ଅନେକ ଆଶା ଓ ଭରସାରେ ଚାହିଁ ରହିଥିଲେ।ଯେତେ ଚେଷ୍ଟା କଲେବି ସେସବୁ ଆଡ଼ୁ ମୁଁ ମୁହଁ ଫେରାଇ ପାରୁ ନଥିଲି।
ରାଶିଫଳ ଉପରେ ବିଶ୍ଵାସ ରଖୁ ଥିବାରୁ ଅନେକ ସମୟରେ ପାଞ୍ଜି ଦେଖି କେବେ ନିଯୁକ୍ତିର ସୁଯୋଗ ରହିଛି ସେ ବିଷୟରେ ମୁଁ ଜାଣିବାକୁ ଚେଷ୍ଟା କରିଥାଏ। ଏହି ସମୟରେ ପାଞ୍ଜିରେ ଦିଆ ଯାଇଥିବା ଶରୀରର ବିଭିନ୍ନ ଅଙ୍ଗରେ ଝିଟିପିଟି ପଡିବାର ଫଳ ବିଷୟଟି ମୋ ଆଖିରୁ ବାଦ୍ ପଡି ନଥାଏ। ଝିଟିପିଟି ମଥା ଉପରେ ପଡ଼ିଲେ ରାଜ୍ୟପ୍ରାପ୍ତି ଭଳି ସୁଯୋଗ ମିଳିଥାଏ ବୋଲି ଜାଣିବା ପରେ ଅନେକ ସମୟରେ ଘରର ଛାତରେ ବୁଲୁଥିବା ଝିଟିପିଟିକୁ ଦେଖି ମୁଁ ମନେ ମନେ ଭାବେ ଏ ଝିଟିପିଟିଟା ମୋ ମୁଣ୍ଡ ଉପରେ ଯଦି ପଡ଼ି ଯାଆନ୍ତା ତାହେଲେ ଜଣା ପଡନ୍ତା ଏ କଥାର ସତ୍ୟାସତ୍ୟ କେତେ ? ଏହିଭଳି ଆଶା ରଖି ଛାତରେ ଚାଲୁଥିବା ଝିଟିପିଟି ଆଡ଼କୁ ଯେତେ ଚାହିଁଲେ ବି ସେ କେବେ ମୋ ମଥା ଉପରେ ପଡୁ ନଥିଲା।
ସେଦିନ ଥାଏ ଶନିବାର। ସକାଳୁ ଉଠି ଗାଧୁଆଘର ଭିତରକୁ ଗଲାବେଳକୁ ମୁଣ୍ଡ ଉପରେ କଣ ଗୋଟେ ପଡ଼ିଲା ଭଳି ଲାଗିଲା। ଦେଖିଲି ଝିଟିପିଟିଟାଏ। ସେ ମୋ ମୁଣ୍ଡ ଉପରେ ପଡ଼ି ଡେଇଁ ଚାଲିଗଲା ସତ କିନ୍ତୁ ଯେଉଁ ଘଟଣାର ସତ୍ୟାସତ୍ୟ ପରୀକ୍ଷା କରିବା ପାଇଁ ମୁଁ ଅନେକ ଦିନ ହେଲା ଅପେକ୍ଷା କରିଥିଲି ସେହି ଘଟଣାଟି ଆଜି ଘଟି ଯିବାରୁ ମୋ ମନ ଭିତରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଲା ? ସତରେ କଣ ପାଞ୍ଜିରେ ଲେଖା ଯାଇଥିବା କଥା ସତ ହେବ ? ସତରେ କଣ ରାଜ୍ୟ ପ୍ରାପ୍ତି ଭଳି କିଛି ଶୁଭ ଖବର ମିଳିବ ? ପାଠ ପଢ଼ିସାରି ଚାକିରି ଅପେକ୍ଷାରେ ଥିବା ଏକ ମଧ୍ୟବିତ୍ତ ପରିବାରର ଗୋଟିଏ ବେକାର ପିଲା ପାଇଁ ନିଯୁକ୍ତି ମିଳିବା ଖବର ରାଜ୍ୟ ପ୍ରାପ୍ତି ଖବର ଠାରୁ ବି କୋୖଣସି ଗୁଣରେ କମ ନୁହେଁ। ତେଣୁ ଚାକିରୀ ପାଇଁ ଦେଇଥିବା ଅନେକ ପରୀକ୍ଷା ଭିତରୁ କେଉଁ ଗୋଟିଏ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଖବର ଆସି ଯିବନି ତ? ଏମିତି ଅନେକ ଆଶା ଓ ଆଶଙ୍କା ଭିତରେ ଗାଧେଇବା ଓ ଖାଇବା କାମ ସରିଗଲା।ଏକଥା ଶୁଣି କାଳେ କିଏ ଉପହାସ କରିବେ ବୋଲି ଭାବି ଘରର ଅନ୍ୟ କାହାକୁ ମଧ୍ୟ ମୁଁ ଏକଥା ଭରସା କରି ପଚାରି ପାରୁ ନଥାଏ। ଏମିତି ଏକ ମାନସିକ ବ୍ୟସ୍ତତା ଭିତରେ କିଛି ସମୟ କଟି ଯିବାପରେ ଏହାକୁ ଏକ ଅନ୍ଧବିଶ୍ୱାସ ବୋଲି ଭାବି ଆଗକୁ ଥିବା ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ନିମନ୍ତେ ପଢ଼ା ଟେବୁଲ୍ ପାଖକୁ ଗଲି।
ଯେତେ ମନ ଲଗାଇ ପଢିବାକୁ ଚେଷ୍ଟା କଲେ ମଧ୍ୟ ଝିଟିପିଟି ମୁଣ୍ଡ ଉପରେ ପଡ଼ିବା କଥାଟା ବାରମ୍ବାର ମୋ ମନ ଭିତରକୁ ଆସି ମୋର ପଢିବାର ମାନସିକତାକୁ ଭଙ୍ଗ କରୁଥାଏ। ଅନ୍ଧବିଶ୍ୱାସର ଆଖ୍ୟା ଦେଇ କଥାଟାକୁ ମନ ଭିତରୁ କାଢ଼ିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ନଡ଼ିଆ ଗଛରୁ ବାହୁଙ୍ଗା ଖସିଗଲା ପରେ ମଧ୍ୟ ତାର ଦାଗ ନ ଲିଭିଲା ପରି ସେକଥାର ଛାପ ମୋ ମନ ଭିତରୁ ସମ୍ପୂର୍ଣ୍ଣ ଭାବରେ ଲିଭି ପାରୁ ନଥାଏ। ଏହି ଅନ୍ୟମନସ୍କତା ଭିତରୁ ବାହାରକୁ ଆସିବା ପାଇଁ ଭାବିଲି କିଛି ସମୟ ବାହାରୁ ଯାଇ ବୁଲି ଆସିଲେ ଭଲ ଲାଗିବ। ଖୋଲିଥିବା ବହିଟାକୁ ବନ୍ଦ କରି ବାହାରକୁ ଯିବା ପାଇଁ ବାହାରିଛି ବାହାରେ ପୋଷ୍ଟମ୍ୟାନର ପାଟି ଶୁଭିଲା। ଚିଠି। ଚିଠି।
ଡାକବାଲାର ପାଟି ଶୁଣି ମୋର ମଉଳି ଆସୁଥିବା ଆଶାଟା ପୁଣି ଚେଇଁ ଉଠିଲା।ମୋର ନିଯୁକ୍ତି ଖବର ନୁହେଁ ତ ?ତରବର ହୋଇ ଡାକବାଲା ପାଖକୁ ଯାଇ ଦେଖେ ତ ମୋ ନାମରେ ଗୋଟିଏ ରେଜିଷ୍ଟ୍ରି ଚିଠି। ଦସ୍ତଖତ କରି ତା ଠାରୁ ଚିଠିଟାକୁ ଆଣି ସାଙ୍ଗେ ସାଙ୍ଗେ ଲଫାପାଟିକୁ ଚିରି ଦେଇ ଦେଖିଲି ମୋର ନିଯୁକ୍ତି ପତ୍ର।ମୋ ମୁହଁରେ ଫୁଟି ଉଠୁଥିବା ହସକୁ ଦେଖି ଡାକବାଲା ପଚାରିଲା, କଣ , ଚାକିରି ହୋଇଗଲା କି ? ମୁଣ୍ଡ ହଲେଇ ସମ୍ମତି ଜଣେଇଲି।' ହଉ, ମୋ ମିଠା ବାକି ରହିଲା ' କହି ଡାକବାଲା ଅନ୍ୟତ୍ର ଚିଠି ବାଣ୍ଟିବାକୁ ଚାଲି ଯାଉଥିଲା।
ନିଯୁକ୍ତି ଅପେକ୍ଷାରେ ଥିବା ଜଣେ ଶିକ୍ଷିତ ବେକାର ଯୁବକ ନିଯୁକ୍ତି ପତ୍ର ପାଇଯିବା ପରେ କେତେ ଯେ ଆନନ୍ଦିତ ହୁଏ ସେକଥା କେବଳ ଜଣେ ଅନୁଭବି ହିଁ କହି ପାରିବ।ଚାକିରି ପାଇବା କଥା ଶୁଣି ଘରେ ସମସ୍ତେ ଖୁବ୍ ଖୁସି ହୋଇ ଯାଇଥିଲେ। ସଂଯୋଗ ବଶତଃ ହେଉ ବା କାକତାଳୀୟ ନ୍ୟାୟରେ ହେଉ ଝିଟିପିଟି ମଥା ଉପରେ ପଡ଼ିବା ଦିନ ମୋର ନିଯୁକ୍ତି ପତ୍ର ଆସିଥିବାରୁ ଝିଟିପିଟି ମଥା ଉପରେ ପଡ଼ିଲେ ଯେ ରାଜ୍ୟପ୍ରାପ୍ତି ଭଳି ଘଟଣା ଘଟେ ଏକଥାକୁ ମୁଁ ଶତ ପ୍ରତିଶତ ଅସ୍ବୀକାର କରି ପାରୁ ନଥିଲି କିମ୍ବା ଏହାର କୋୖଣସି ବିଜ୍ଞାନ ସମ୍ମତ କାରଣ ନଥିବା ଯୋଗୁ ଏହାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ ମଧ୍ୟ କରି ପାରୁ ନଥିଲି। କିନ୍ତୁ ସଂଯୋଗ ବଶତଃ ହେଉ ପଛେ ଗୋଟିଏ ଦିନରେ ଝିଟିପିଟି ମଥା ଉପରେ ପଡ଼ିବା ପରେ ଚାକିରି ପାଇବାର ଆନନ୍ଦଟା ମିଳି ଥିବାରୁ ଏହି ନିରୀହ ପ୍ରାଣୀ ଝିଟିପିଟି ପ୍ରତି ମୋ ମନ ଭିତରେ ଏକ ସ୍ଵତନ୍ତ୍ର ସ୍ଥାନ ରହିଥାଏ।
ଥରେ ଥରେ ବହି ପଢା ସରିବାପରେ ମୁଁ ସେହି ବୁଢ଼ା ଝିଟିପିଟିଟାର ଗତି ବିଧିକୁ ଲକ୍ଷ୍ୟ କରେ। ମୋତେ ଲାଗେ ଯେମିତି ସେହି ପେଟ ଚାଖଣ୍ଡକ ଚିନ୍ତା ବ୍ୟତୀତ ତାର ଆଉ ଅନ୍ୟ କୋୖଣସି ଚିନ୍ତା ନାହିଁ। ମୁଁ ଭାବେ ଶରୀର ଧାରଣ ପାଇଁ ଖାଦ୍ୟର ଆବଶ୍ୟକତା ପୂରଣ ହେବା ପରେ ତା'ର ବା ଆଉ କି ଚିନ୍ତା ଥାଇପାରେ ? ମଣିଷ ସିନା ସ୍ରଷ୍ଟାଙ୍କ ସୃଷ୍ଟିର ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ବୋଲି ତା ମୁଣ୍ଡରେ ବିଭିନ୍ନ ପ୍ରକାର ଯୋଜନା , ଆଗାମୀ ଭବିଷ୍ୟତ ପାଇଁ ଅନେକ ଚିନ୍ତା। ଯେତେ ପାଇଲେ ବି ଆହୁରି ଅଧିକ ପାଇବାକୁ କାମନା। ତା'ର ଏହି କାମନାର ପାହାଡ଼ ଏତେ ଉଚ୍ଚା ହୋଇଗଲାଣି ଯେ ତା ଉପରେ ଠିଆ ହେଲେ ତାର ଚାରିପାଖରେ ବୁଲୁଥିବା ଚିହ୍ନା ମଣିଷ ମାନଙ୍କର ମୁହଁ ମଧ୍ୟ ତାକୁ ଅଚିହ୍ନା ଅଚିହ୍ନା ଲାଗୁଛି। କିନ୍ତୁ ଏ ଝିଟିପିଟିଟା ତ ବିଚରା ନିରୀହ ପ୍ରାଣୀଟାଏ। ତା ମନରେ କଣ ମଣିଷ ଭଳି ଅସୁମାରୀ ଇଚ୍ଛା ଓ କାମନା ଥିବା ? ସେ କଣ ଏ ମଣିଷ ଭଳି ଯେତେ ପାଇଲେ ମଧ୍ୟ ଆହୁରି ଅଧିକ ପାଇବା ପାଇଁ ଆଶା କରି ଅଶାନ୍ତି ଓ ଅସନ୍ତୋଷରେ କାଳାତିପାତ କରୁଥିବ ?
ମୋତେ କାହିଁକି ସେମିତି ଲାଗେନା। ଅବଶ୍ୟ ଏମିତି ଭାବିବାର ଗୋଟିଏ କାରଣ ଅଛି। ଯେତେବେଳେ ପୋକ ମାନଙ୍କୁ ଖାଇସାରି ତା'ର ପେଟ ପୁରିଯାଏ ତା ନିକଟରେ ଆହୁରି ଅଧିକ ପୋକସବୁ ଉଡୁଥିଲେ ମଧ୍ୟ ସେ ସେମାନଙ୍କୁ ଆଉ ଖାଇବା ପାଇଁ ଚେଷ୍ଟା ନକରି ବରଂ ଧ୍ୟାନସ୍ଥ ଋଷିଟିଏ ପରି ତୃପ୍ତିର ସହ ସେଠାରେ ବସି ରହିଥାଏ। ଶରୀର ଧାରଣ ପାଇଁ ଯେତିକି ଆବଶ୍ୟକ ସେତିକିରେ ସନ୍ତୁଷ୍ଟ ହେବାର ତା'ର ଏହି ନୀତିଟା ମୋତେ କାହିଁକି ଖୁବ୍ ଭଲ ଲାଗେ।
ପୂର୍ବଜନ୍ମ ଓ ତାର କର୍ମଫଳ ବିଷୟରେ ଯେତେବେଳେ ମୋ ମନକୁ ଆସେ
ସେହି ଝିଟିପିଟିଟାକୁ ଦେଖି ମୁଁ ଭାବେ ଯଦି ଗଲା ଜନ୍ମର କର୍ମଫଳ ଭୋଗ କରିବାକୁ ଜୀବକୁ ବିଭିନ୍ନ ପ୍ରକାର ଶରୀର ଧାରଣ କରିବାକୁ ପଡୁଥାଏ ତାହେଲେ ଏ ଝିଟିପିଟିଟା ବିଚରା ପୂର୍ବ ଜନ୍ମରେ କି କର୍ମ କରିଥିଲା କେଜାଣି ଏ ଜନ୍ମରେ ତାକୁ ଝିଟିପିଟିର ଶରୀର ଧାରଣ କରିବାକୁ ପଡିଛି। କିନ୍ତୁ ଅନେକ ଜନ୍ମର ସଞ୍ଚିତ ପୂଣ୍ୟ ବଳରେ ପ୍ରାଣୀକୁ ଦୁର୍ଲ୍ଲଭ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଥାଏ ବୋଲି ମନକୁ ଆସିଲେ ମଣିଷ ଜନ୍ମ ପାଇଥିବାରୁ ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରିଥାଏ। କିନ୍ତୁ ପର ମୁହୂର୍ତ୍ତରେ ଯେତେବେଳେ ମୁଁ ମଣିଷର କର୍ମ ବିଷୟରେ ଭାବେ ମୋ ମନଟା କାହିଁକି ଆପେ ଆପେ ଦବିଯାଏ। କାରଣ ଏ ଝିଟିପିଟି ଠାରୁ ଉନ୍ନତ ଜନ୍ମ ପାଇ ମଣିଷ ଯଦି ତା ଠାରୁ ଅଧିକ କିଛି ଉନ୍ନତ କର୍ମ ନକରେ ତାହେଲେ ମଣିଷ ଭିତରେ କେଉଁ ଦିବ୍ୟଜ୍ଞାନ ଦେଖି ଭଗବାନ ସନ୍ତୁଷ୍ଟ ହେବେ ଏବଂ କାହା ଆଧାରରେ ମଣିଷ ନିଜକୁ ଝିଟିପିଟି ଠାରୁ ଉନ୍ନତ ପ୍ରାଣୀ ବୋଲି କହିବ ? ମଣିଷ ଯଦି ଏହି ଝିଟିପିଟି ଭଳି କେବଳ ଆହାର, ନିଦ୍ରା ଓ ମୈଥୁନରେ ମାତି ନିଜର ଜୀବନ ଅତିବାହିତ କରିବ ତାହେଲେ ସେ ଝିଟିପିଟି ଠାରୁ କେଉଁ ଗୁଣରେ ନିଜକୁ ବଡ଼ ବୋଲି ଦାବି କରିବ ଯେ ? ଖାଲି କଣ ଏହି ସୁନ୍ଦର ମଣିଷ ଶରୀରଟା ପାଇଁ ସେ ନିଜକୁ ବଡ଼ ବୋଲି ଦାବି କରିବ ନା କଣ ? ଏମିତିରେ ବି ଦେଖିବାକୁ ଗଲେ ମଣିଷର ଶରୀର ପୃଥ୍ବୀ, ଆପ, ତେଜ, ବାୟୁ ଓ ଆକାଶ ଆଦି ଯେଉଁ ପଞ୍ଚ ଭୂତକୁ ନେଇ ଗଠିତ ଝିଟିପିଟିର ଶରୀରଟା ମଧ୍ୟ ସେହି ପାଞ୍ଚଟି ତତ୍ତ୍ଵରେ ନିର୍ମିତ। ମୃତ୍ୟୁ ପରେ ଝିଟିପିଟିର ଶରୀର ପରି ମଣିଷ ଶରୀର ମଧ୍ୟ ସେହି ପଞ୍ଚ ଭୂତରେ ବିଲୀନ ହୋଇଯିବ। ତେଣୁ ଖାଲି ପଞ୍ଚଭୂତରେ ଗଢ଼ା ସେହି ଶରୀରକୁ ଆଧାର କରି ମଣିଷ ନିଜକୁ ଝିଟିପିଟି ଠାରୁ ଉନ୍ନତ ବୋଲି ଦାବି କରିବା କଥାଟା କାହିଁକି ମୋ ମନକୁ ଜମା ପାଏ ନାହିଁ। ଇନ୍ଦ୍ରିୟ ମାନଙ୍କ ଲାଳସା ପୁରଣ କରିବା ପାଇଁ କେବଳ ଆହାର , ନିଦ୍ରା ଓ ମୈଥୁନ ନିମନ୍ତେ ଜୀବନର ମୂଲ୍ୟବାନ ସମୟକୁ ବିନିଯୋଗ ନକରି ଯଦି ପରୋପକାର ଓ ସମାଜର ହିତ ସାଧନ ଭଳି ଉନ୍ନତ କର୍ମ କରି ସେହି ଆଧାରରେ ମଣିଷ ନିଜକୁ ଉନ୍ନତ ପ୍ରାଣୀ ବୋଲି କହେ ତାହେଲେ ଅବଶ୍ୟ କଥାଟା ଯୁକ୍ତିଯୁକ୍ତ ଲାଗିବ ଏବଂ ତା'ର ମଣିଷ ଜନ୍ମ ପାଇବା ମଧ୍ୟ ସଫଳ ହେଲା ବୋଲି ଜଣା ପଡିବ।ଏହି ସମୟରେ ଭାଗବତର ସେହି ଅମୃତ ବାଣୀ ପଦକ ମୋର ମନେ ପଡ଼ିଯାଏ।
'ଧନ୍ୟ ଜୀବନ ଏ ଜଗତେ। ଯେ ପ୍ରାଣ ଧରେ ପ୍ରାଣୀ ହିତେ'।
କେବଳ ସେତିକି ନୁହେଁ ଅନ୍ୟ ପ୍ରାଣୀ ମାନଙ୍କର ହିତ ସାଧନ କରି ଈଶ୍ଵରଙ୍କର ଏହି ସୁନ୍ଦର ସୃଷ୍ଟିକୁ ଆହୁରି ସୁନ୍ଦର କରିବାରେ ଯୋଗଦାନ କରିଥିବାରୁ ସୃଷ୍ଟିକର୍ତ୍ତା ଭଗବାନ ମଧ୍ୟ ମଣିଷ ଉପରେ ସନ୍ତୁଷ୍ଟ ହେବେ।ସେ ଯାହା ହେଉନା କାହିଁକି ପୁନର୍ଜନ୍ମ ଉପରେ ବିଶ୍ଵାସ ରଖୁଥିବା ହେତୁ ମୋତେ ଲାଗେ ଗଲା ଜନ୍ମର କର୍ମଫଳ ଅନୁସାରେ ବିଚରାକୁ ଏ ଜନ୍ମରେ ଝିଟିପିଟି ଶରୀର ମିଳିଛି। ଏ ଜନ୍ମରେ ମଣିଷ ଜନ୍ମ ପାଇଲେ କ'ଣ ହେଲା ଏ ଜନ୍ମର କର୍ମ ଅନୁସାରେ ମଣିଷକୁ ଯେ ଆସନ୍ତା ଜନ୍ମରେ କି ଶରୀର ମିଳିବ ସେ କଥା ବା କିଏ କହିବ ? ଏକଥା ଚିନ୍ତା କଲାବେଳକୁ ମୁଁ ମୋର କର୍ମ ପ୍ରତି ଅଧିକ ସଚେତନ ହୋଇଯାଏ। ପୁନର୍ଜନ୍ମ ଓ କର୍ମଫଳ ଉପରେ ବିଶ୍ଵାସ ରଖିଲେ ଆଉ ଯାହା ଲାଭ ହେଉ କି ନହେଉ ଅନ୍ତତଃ ନୀଚ କର୍ମ କଲେ ଯେ ନୀଚ ଯୋନି ମିଳିବ ଏହି ଧାରଣା ମଣିଷକୁ ଭଲ କର୍ମ କରିବା ପାଇଁ ସଚେତନ କରାଇ ଦେଇଥାଏ।
ସବୁଦିନେ ଜଣେ ଲୋକ ସହିତ ଦେଖା ହେଲେ ଯେମିତି ତା ପ୍ରତି ମନ ମଧ୍ୟରେ ଆତ୍ମୀୟତା ଭାବ ବଢ଼ି ବଢ଼ି ଯାଇଥାଏ ଠିକ୍ ସେମିତି ସବୁଦିନିଆ ଏହି ଦେଖା ଚାହାଁ ଯୋଗୁ ସେହି ଝିଟିପିଟି ପ୍ରତି ମୋ ମନରେ ଆତ୍ମୀୟତା ଭାବ ବଢ଼ି ଚାଲିଥିଲା। ସବୁଦିନେ ସନ୍ଧ୍ୟା ହୁଏ , ମୁଁ ଠାକୁର ଘରେ ଭାଗବତ ପଢିବାକୁ ଯାଏ ଏବଂ ଠିକ୍ ସେହି ସମୟରେ ସେ ତା ଖାଦ୍ୟ ଗ୍ରହଣ ଉଦ୍ଦେଶ୍ୟରେ ଲାଇଟ୍ ପାଖକୁ ଆସେ।ଏହା ଥିଲା ଏକ ନିତିଦିନିଆ ଘଟଣା। ଦିନକୁ ଦିନ ସେ ମୋତେ ବେଶୀ ବେଶୀ ଆପଣାର ଲାଗୁଥିଲା। ନା ସେ ମୋତେ କିଛି କହୁଥିଲା କି ମୁଁ ତାକୁ କିଛି କହୁଥିଲି। ନା ତାର ମୋ ଠାରୁ କିଛି ପାଇବାର ଥିଲା କି ମୋର ତା ଠାରୁ କିଛି ପାଇବାର ଆଶା ଥିଲା। କିନ୍ତୁ କେଜାଣି କାହିଁକି ତା ସହିତ ନିଃସ୍ୱାର୍ଥପରତାର ଏହି ନିରବ ଓ ମଧୁର ସମ୍ପର୍କ ମୋତେ ଭାରି ଭଲ ଲାଗୁଥିଲା।
ସେଦିନ ଥାଏ ରବିବାର। ମୁଁ କୌଣସି ଏକ କାମରେ ବାହାରକୁ ଯାଇଥାଏ। ଫେରୁ ଫେରୁ ଡେରି ହୋଇଗଲା। ସେତେବେଳକୁ ସଞ୍ଜ ଗଡ଼ି ଗଲାଣି। ତରତରରେ ହାତ ଗୋଡ଼ ଧୋଇ ଠାକୁର ଘରକୁ ଗଲି। ଲାଇଟ୍ ଲଗେଇ ବହି ପଢ଼ିବା ପାଇଁ ବସିଲି। ସବୁଦିନେ ବହିପଢା ଓ ପ୍ରାର୍ଥନା କାମ ସାରି ଲାଇଟ୍ ଲିଭେଇବାକୁ ଗଲା ବେଳକୁ ସେହି ଝିଟିପିଟି ଉପରେ ମୋର ଆଖି ପଡ଼ିଥାଏ। କିନ୍ତୁ ସେଦିନ ବହି ପଢ଼ିବା କାମ ସାରି ଲାଇଟ୍ ବନ୍ଦ କରିବାକୁ ଗଲା ବେଳକୁ ଲାଇଟ୍ ପାଖରେ କାହିଁକି ସେ ଝିଟିପିଟିକୁ ଦେଖି ପାରିଲି ନାହିଁ।କାହିଁକି କେଜାଣି ସେ ସେଦିନ ସେଠାରେ ନଥିଲା। ସବୁଦିନେ ନିୟମିତ ଭାବରେ ଆସୁଥିବା ଝିଟିପିଟିଟା ଆଜି କାହିଁକି ଆସିନି ? ଭାବିଲି ମୋର ଆଜି ବହି ପଢ଼ିବା ଡେରି ହେବାରୁ ଖାଦ୍ୟ ଗ୍ରହଣ ଉଦ୍ଦେଶ୍ୟରେ ସେ ହୁଏତ ଅନ୍ୟ କୁଆଡେ ଚାଲି ଯାଇଥିବ। ଏହି କଥା ଭାବି ଠାକୁର ଘର ବନ୍ଦ କରି ଲାଇଟ୍ ଲିଭେଇ ତଳ ଘରକୁ ଗଲି।
ତା ପରଦିନ ସନ୍ଧ୍ୟା ହେଲା। ସବୁଦିନ ଭଳି ମୁଁ ଭାଗବତ ପଢ଼ିବା ପାଇଁ ଠାକୁର ଘରକୁ ଆସି ବହି ପଢ଼ିବା ପାଇଁ ଲାଇଟ୍ ଲଗେଇଲି।
କିନ୍ତୁ ସବୁଦିନ ଭଳି ସେଦିନ ମଧ୍ୟ ସେ ଝିଟିପିଟିଟା ଆସିଲା ନାହିଁ। ସବୁଦିନେ ଲାଇଟ୍ ଲାଗିବା କ୍ଷଣି ଖାଦ୍ୟ ଗ୍ରହଣ ଉଦ୍ଦେଶ୍ୟରେ ଧାଇଁ ଆସୁଥିବା ଝିଟିପିଟିଟା ଲଗାତାର ଦୁଇଦିନ ଧରି ନ ଆସିବାରୁ ମୋ ମନଟା କାହିଁକି କେଜାଣି ତାକୁ ଖୋଜି ବୁଲୁଥିଲା। ଦୈନନ୍ଦିନ ଜୀବନରେ କେତେ ଯେ ଜୀବଜନ୍ତୁ ଆମ ଆଖି ଆଗକୁ ଆସନ୍ତି ଓ ଯାଆନ୍ତି ତାର ହିସାବ ବା କିଏ ରଖୁଛି ? କିନ୍ତୁ ଏହି ନିରୀହ ଝିଟିପିଟିଟା ପ୍ରତି ମୋ ମନରେ ଆସି ଯାଇଥିବା ଆତ୍ମୀୟତା ଭାବ ଯୋଗୁ ସେ ନ ଆସିବାଟା ମୋତେ କାହିଁକି ଆଦୌ ଭଲ ଲାଗୁ ନଥିଲା। ଭଲ ନ ଲାଗିଲେବି ମୁଁ ବା କ'ଣ କରି ପାରିବି ? ସେ ତ କିଛି ମଣିଷ ହୋଇନି ଯେ ମୁଁ କେଉଁ ଏକ ନିର୍ଦ୍ଦିଷ୍ଟ ଠିକଣାରେ ତା'ର ଖୋଜ ଖବର ନେବି। ଭାବିଲି ହୁଏତ ସେ ଆମଘର ଛାଡ଼ି ଅନ୍ୟ କେଉଁ ଆଡେ ଚାଲି ଯାଇଥିବ।ସେ ଯାହା ହେଉନା କାହିଁକି ଜଣେ ଆପଣାର ଲୋକ ଦୂରକୁ ଚାଲି ଗଲେ ଯେମିତି କିଛି ହଜେଇଲା ପରି ଲାଗେ ମୋତେ କାହିଁକି ଠିକ୍ ସେମିତି ଲାଗୁଥିଲା।
ତା ପରଦିନ ସକାଳେ ଗାଧୁଆ ପାଧୁଆ କାମ ସାରି ଠାକୁର ଘରେ ମୁଣ୍ଡିଆ ମାରିବା ପାଇଁ ଗଲା ବେଳକୁ ଗୋଟିଏ ପଚା ଦୁର୍ଗନ୍ଧ ମୋ ନାକରେ ବାଜିଲା। ଗନ୍ଧଟା କେଉଁଠୁ ଆସୁଛି ବୋଲି ଚାରି ଆଡକୁ ଲକ୍ଷ୍ୟ କଲି। ଦେଖିଲି ଠାକୁର ଘର କବାଟ ଓ ଦୁଆର ବନ୍ଧ ଫାଙ୍କ ଭିତରେ ଚାପି ହୋଇ କଣ ଗୋଟେ ମରି ଯାଇଛି। ଗନ୍ଧଟା ସେଉଠୁ ଆସୁଥିଲା। ସେଠିକି ପିମ୍ପୁଡ଼ି ମାନଙ୍କର ଲମ୍ବା ଧାଡ଼ି ଲାଗିଥିଲା। ମରି ଯାଇଥିବା ଜୀବଟି ଦେହରେ ଏତେ ପିମ୍ପୁଡ଼ି ଲାଗିଥିଲେ ଯେ କଣଟାଏ ମରିଛି ବୋଲି ସହଜରେ ଜାଣି ହେଉ ନଥିଲା। ଗୋଟିଏ ସରୁ ବାଡ଼ି ସାହାଯ୍ୟରେ ତାକୁ କବାଟ ସନ୍ଧିରୁ ଖେଞ୍ଚି ବାହାର କଲି। ତଳକୁ ଖସି ପଡିବା ପରେ ତା ଦେହରୁ ପିମ୍ପୁଡ଼ି ସବୁ ଝଡି ଯିବାରୁ ଦେଖିଲି ବିଚରା ସେହି ବୁଢ଼ା ଝିଟିପିଟିଟା କବାଟ ଫାଙ୍କରେ ଚାପି ହୋଇ ମରି ଯାଇଛି।ସେ ଯେ ଦୁଇଦିନ ହେଲା କାହିଁକି ଆସୁନଥିଲା ଏବେ ମୁଁ ତାର କାରଣ ଜାଣି ପାରିଲି। ଆମ ଘର ଛାଡ଼ି ଅନ୍ୟ କୁଆଡେ ଚାଲି ଯାଇଥିବ ଭାବି ମୁଁ ମନ ଭିତରେ ଯେଉଁ ଧାରଣା କରିଥିଲି ମୋର ସେ ଧାରଣା ଭୁଲ ପ୍ରମାଣିତ ହୋଇଥିଲା ଏବଂ ଆଉ କୋୖଣସି ଦିନ ଯେ ସେ ଝିଟିପିଟିଟା ମୁଁ ଭାଗବତ ପଢ଼ିବା ବେଳେ ଖାଦ୍ୟ ଗ୍ରହଣ ଉଦ୍ଦେଶ୍ୟରେ ଆସିବ ନାହିଁ ସେ ବିଷୟରେ ମୁଁ ସ୍ଥିର ନିଶ୍ଚିତ ହୋଇ ଯାଇଥିଲି।ତା ସହିତ ଏତେଦିନ ଧରି ନିୟମିତ ଦେଖା ଚାହାଁ ଫଳରେ ତା ପ୍ରତି ମନ ମଧ୍ୟରେ ବଢ଼ି ଯାଇଥିବା ଆତ୍ମୀୟତା ଯୋଗୁ ତାର ମୃତ୍ୟୃରେ ମୋତେ ଯେମିତି ଜଣେ ଅତି ଆପଣାର ଲୋକକୁ ହରେଇବା ଭଳି ଲାଗୁଥିଲା।
ଝିଟିପିଟିର ମୃତ ଶରୀରଟା ଘରର ଚଟାଣ ଉପରେ ପଡ଼ି ରହିଥାଏ। ଶ୍ମଶାନରେ ପଡ଼ିଥିବା ମୃତ ପିଣ୍ଡକୁ ଶ୍ଵାନ ଓ ଶୃଗାଳ ମାନେ ଝିଙ୍କି ଓଟାରି ଖାଇଲା ପରି ପିମ୍ପୁଡ଼ି ମାନେ ତାର ମୃତ ଶରୀରକୁ ନିର୍ଦ୍ଦୟ ଭାବେ କାମୁଡି ଖାଇ ଚାଲିଥାନ୍ତି। ମଣିଷର ମୃତଦେହ ମଶାଣିରେ ପଚିଗଲା ପରେ ସେଥିରୁ ଦୁର୍ଗନ୍ଧ ବାହାରିଲା ପରି ଝିଟିପିଟିର ମୃତ ଶରୀରରୁ ବାହାରୁଥିବା ପଚା ଦୁର୍ଗନ୍ଧରେ ଘର ଭିତରଟା ଫାଟି ପଡୁଥାଏ। ମରିଗଲା ପରେ ମଣିଷ ଓ ଝିଟିପିଟି ଏହି ଉଭୟ ପ୍ରାଣୀଙ୍କ ଶରୀର ଭିତରେ ଯେ କି ପ୍ରଭେଦ ଅଛି ମୁଁ କାହିଁକି କିଛି ଜାଣି ପାରୁ ନଥିଲି।ଶରୀରର ଅନିତ୍ୟତାକୁ ଲକ୍ଷ୍ୟ କରି ଭକ୍ତ ଚରଣ ଦାସ ତାଙ୍କ ମନବୋଧ ଚଉତିଶାରେ ଲେଖିଥିବା ଗୋଟିଏ ପଦ କାହିଁକି କେଜାଣି ମୋର ମନ ଭିତରକୁ ଆସି ଯାଉଥିଲା।
ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି।
ଖାଉଣ ଥିବେ ଶ୍ଵାନ ଶୃଗାଳ ବାଣ୍ଟି।
ଖଟ ପଲଙ୍କେ ମନ ଶେଯାଇ ଶୋଉ।
ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ।
ତେବେ ସେ ମଣିଷ ହେଉ କି ଝିଟିପିଟି ହେଉ ସମସ୍ତଙ୍କର ଶରୀର ଯେ ମୃତ୍ୟୁ ପରେ ଦିନେ ମାଟିରେ ମିଶିବ ଏଥିରେ କୋୖଣସି ସନ୍ଦେହ ନାହିଁ।
ତେବେ ସେ ଯାହା ହେଉନା କାହିଁକି ଭୀଷଣ ଦୁର୍ଗନ୍ଧ ହେଉଥିବା ହେତୁ ଘରଟାକୁ ପରିଷ୍କାର କରିବାକୁ ପଡ଼ିବ। ମୃତ ଝିଟିପିଟିକୁ ବାହାରକୁ ନନେବା ପର୍ଯ୍ୟନ୍ତ ପିମ୍ପୁଡ଼ି ମାନେ ମଧ୍ୟ ସେଠାରୁ ଯିବାର ନାଁ ଧରୁ ନଥିଲେ। ଗୋଟିଏ ଝାଡୁ ସାହାଯ୍ୟରେ ଝିଟିପିଟିର ମୃତ ଶରୀରରୁ ପିମ୍ପୁଡ଼ି ମାନଙ୍କୁ ଝାଡିଦେଲା ପରେ ଖଣ୍ଡେ ମୋଟା କାଗଜ ପଟା ଉପରେ ତାକୁ ରଖି ବାହାରକୁ ନେଇ ପକେଇବା ପାଇଁ ଗଲି। ବାହାରେ ତାକୁ ପକେଇବାକୁ ଗଲା ବେଳକୁ ଭାବିଲି ଏମିତି ଖୋଲାଖୋଲି ଭାବେ ଫିଙ୍ଗି ଦେଲେ ପିମ୍ପୁଡ଼ି ମାନେ ପୁଣି ଆସି ବିଚରା ନିରୀହ ପ୍ରାଣୀଟିର ମୃତ ଦେହଟାକୁ ଖିନଭିନ୍ କରି କାମୁଡ଼ିବେ। ତାପରେ ଦୁର୍ଗନ୍ଧଟା ମଧ୍ୟ ଘର ଭିତରକୁ ଆସିବ। ତେଣୁ ତାକୁ ଖୋଲାଖୋଲି ବାହାରେ ନ ଫୋପାଡି ଛୋଟ ଗାତଟିଏ ଖୋଳି ପୋତିଦେବା ଉଚିତ ମଣିଲି। ବର୍ତ୍ତମାନ ସମୟରେ ଯେ କୌଣସି କାରଣରୁ ଜଣେ ମଣିଷର ମୃତ୍ୟୁ ହେଉନା କାହିଁକି କରୋନା ଜନିତ ମୃତ୍ୟୁ ହୋଇଥିବ ବୋଲି ସନ୍ଦେହ କରି ମଣିଷ ଯେତେବେଳେ ମଣିଷର ଶବକୁ ଉଚିତ ସମ୍ମାନ ଦେଉନାହିଁ ସେ ସମୟରେ ନିରୀହ ଝିଟିପିଟିର ମୃତ ଶରୀରଟା ଉଚିତ ସମ୍ମାନ ପାଇବା ସେହି ଝିଟିପିଟିର ପୂର୍ବ ଜନ୍ମର ପୂଣ୍ୟଫଳ ନୁହେଁ ତ ଆଉ କଣ ?
ସମୟ କାହାରିକୁ ଅପେକ୍ଷା କରେନାହିଁ। ସବୁକିଛି ପୂର୍ବଭଳି ଗତାନୁଗତିକ ଧାରାରେ ଗଡିଚାଲେ। ଏବେବି ସନ୍ଧ୍ୟାବେଳେ ଭାଗବତ ପଢ଼ିବା ପାଇଁ ମୁଁ ଯେତେବେଳେ ଯାଇ ଲାଇଟ ଲଗାଏ ସବୁଦିନ ଭଳି ଛୋଟ ଛୋଟ ଅସଂଖ୍ୟ ପୋକମାନେ ସେହି ଲାଇଟ୍ ପାଖରେ ଆସି ଉଡ଼ି ବୁଲନ୍ତି। ମୋତେ ଯେମିତି ଲାଗେ ଏବେବି ସେହି ବୁଢ଼ା ଝିଟିପିଟିଟା ଉଡୁଥିବା ପୋକମାନଙ୍କୁ ଗର୍ଭସ୍ଥ କରିବା ପାଇଁ ଧୀରେ ଧୀରେ ସେମାନଙ୍କ ଆଡ଼କୁ ଆସୁଛି।