Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Biswanath Nayak

Others

3  

Biswanath Nayak

Others

ବିଶ୍ୱାସ

ବିଶ୍ୱାସ

7 mins
372


ରାତି ପ୍ରାୟ ସାଢେ ଦଶଟା ହେବ। ଡ୍ରଇଂରୁମରେ ବସି ଟିଭି ଦେଖୁଥାଏ। ହଠାତ୍ କିଏ ଦାଣ୍ଡ କବାଟ ଠକ୍ ଠକ୍ କଲା। ଏତେ ରାତିରେ କିଏ ଡାକୁଛି?କବାଟ ଖୋଲିବାକୁ ଯିବା ପୂର୍ବରୁ ବୋଉ କଥା ଭାବି ଅଟକିଗଲି। ଯଦି କେହି ଛୋଟ ପିଲାକୁ ବୋଉ ପାଖରେ ଝଡେଇବାକୁ ଆଣିଥିବ ତାହେଲେ ତ କଥା ସରିଲା। ବୋଉ ଉପରେ ଠାକୁର ଓ ଗୁରୁଙ୍କର ଆଶୀର୍ବାଦ ଥିଲା।ଯଦି କୌଣସି କୁଦୃଷ୍ଟି ଯୋଗୁଁ ଛୋଟ ପିଲା କାନ୍ଦୁଥିବ ଠାକୁରଙ୍କ ନାମରେ ବୋଉ ଟିକେ ଝାଡିଦେଲେ ପିଲାମାନେ ଚୁପ୍ ହୋଇଯାଆନ୍ତି।ଏହା ମୋର ଅଙ୍ଗେ ଲିଭେଇବା କଥା।ଯେବେ ଝାଡିଦେବା ପରେ ପିଲା ଚୁପ୍ ନହୁଏ ତାହେଲେ ପିଲାକୁ ଡାକ୍ତର ପାଖକୁ ନେବାକୁ ବୋଉ ପରାମର୍ଶ ଦିଏ।ଗାଁ ଲୋକମାନଙ୍କର ବୋଉ ଉପରେ ଏହି ଦୃଢବିଶ୍ଵାସ ଥିବାରୁ ସକାଳୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଆମ ଘରକୁ ଲୋକମାନଙ୍କର ଯିବା ଆସିବା ଲାଗି ରହିଥାଏ। 


ଦିନେ ଦିନେ ସକାଳୁ ଉଠି ଦାଣ୍ଡ କବାଟ ଖୋଲିଲା ବେଳକୁ ଜଣେ ଦି'ଜଣ ଲୋକ ଦାଣ୍ଡପିଣ୍ଢାରେ ଅପେକ୍ଷା କରିଥିବେ। କହିବେ,ଆଜ୍ଞା! ମା'ଙ୍କୁ ଟିକେ ଡାକି ଦିଅନ୍ତୁ। ପିଲାଟା କାଲି ରାତିସାରା କାନ୍ଦୁଛି। ଜମା ଶୋଇନି।ମୁଁ କହେ, ଡାକ୍ତର ପାଖକୁ ନେଲନାହିଁ।ସେମାନେ କହନ୍ତି ମା' ଝାଡିଦେବା ପରେ ଯଦି ନ କମିବ ତାହେଲେ ଡାକ୍ତର ପାଖକୁ ନେଇଯିବୁ। ତାଙ୍କର ଏହି ଦୃଢ ବିଶ୍ୱାସ ଆଗରେ ମୋତେ ହାର ମାନିବାକୁ ପଡେ। କଥାରେ ଅଛି, ବିଶ୍ଵାସେ ମିଳଇ ବିଷ୍ଣୁ ତର୍କେ ବହୁଦୂର।ତେଣୁ ସେମାନଙ୍କ ଦୃଢବିଶ୍ଵାସ ଯୋଗୁଁ ହେଉ ଅଥବା ଇଶ୍ଵରଙ୍କର ଆଶୀର୍ବାଦରୁ ହେଉ ବହୁତ ଜୋରରେ କାନ୍ଦୁଥିବା ପିଲା ବୋଉ ଝାଡିଦେବା ପରେ ହଠାତ୍ ଚୁପ୍ ହୋଇଯାଏ। ପିଲାର ବାପ ମା' ଯେତେବେଳେ ବୋଉକୁ ପ୍ରଣାମ ଜଣାନ୍ତି, ବୋଉ ନମ୍ରତାର ସହ କହେ, ଆରେ,ମୋ ହାତରେ କିଛି ନାହିଁ। ଯାହା କିଛି ହେଉଛି ସବୁ ସେହି ପ୍ରଭୁର ଇଚ୍ଛା।

 

   ବୋଉର ସ୍ଵାସ୍ଥ୍ୟ ଭଲ ଥିବା ପର୍ଯ୍ୟନ୍ତ ସବୁ ଠିକ୍ ଠାକ ଚାଲିଥିଲା।ବୟସ ଅଧିକ ହେବାପରେ ଏହିକାମ କରିବାପାଇଁ ବୋଉକୁ ଟିକେ କଷ୍ଟ ହେଲା। ତେଣୁ ନିଜର ଖରାପ ସ୍ଵାସ୍ଥ୍ୟ ଦୃଷ୍ଟିରୁ ଅନେକ ସମୟରେ ପିଲାଙ୍କୁ ଝାଡିଦେବା ପାଇଁ ସେ ଟିକେ ପ୍ରଥମେ ଅନିଚ୍ଛା ପ୍ରକାଶ କରେ। ଅବଶ୍ୟ କାନ୍ଦିବା ପିଲାଟିର କଷ୍ଟ ସହି ନପାରି ପୁଣି ଆସି ପିଲାକୁ ଝାଡିଦିଏ। କିନ୍ତୁ ରାତିରେ ବୋଉ ଶୋଇଯିବା ପରେ ଯଦି କେହି ଆସିଲା ତାହେଲେ କଥା ସରିଲା। ଏପଟେ ପିଲାର ବାପା ମା' କାନ୍ଦୁଥିବା ପିଲାଟିକୁ କୋଳରେ ଧରି ବୋଉକୁ ଡାକି ଦେବାପାଇଁ ଅନୁରୋଧ କରୁଥିବେ। ଯେତେ ମନା କଲେବି ଯାଉ ନଥିବେ। ସେପଟେ ଥରେ ଶୋଇଗଲା ପରେ ବୋଉକୁ ଡାକିବା ସମସ୍ୟା। ସେଇଥିପାଇଁ ରାତିରେ କିଏ କବାଟ ଠକ୍ ଠକ୍ କଲା ଭାବି ମୁଁ ଟିକେ ଦୋଦୁଲ୍ୟମାନ ପରିସ୍ଥିତିରେ ପଡି ଯାଇଥିଲି।

 

 ପୂର୍ବ ଦିନ ରାତି କଥା। ବୋଉର ହୋମିଓପ୍ୟାଥିକ ଔଷଧ ସରି ଯାଇଥାଏ। ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଗୋଟିଏ ହୋମିଓପ୍ୟାଥିକ ଡାକ୍ତରଙ୍କ ପାଖରୁ ବୋଉର ଔଷଧ ଆସିବା କଥା। ଜଗତସିଂହପୁରରୁ ଔଷଧ ଆଣିଲେ ବୋଉର ମନ ବୁଝେ ନାହିଁ। ଭୂବନେଶ୍ୱର ଡାକ୍ତରଙ୍କ ପାଖରୁ ଔଷଧ ଆଣିଲେ ତାର ଦେହ ସୁସ୍ଥ ହୋଇଯାଏ ବୋଲି ତାର ଦୃଢବିଶ୍ୱାସ। ଅବଶ୍ୟ ଅନେକ ସମୟରେ ଔଷଧ ଅପେକ୍ଷା ରୋଗୀର ଡାକ୍ତର ଉପରେ ଥିବା ବିଶ୍ୱାସ ତାର ଆତ୍ମବଳକୁ ଦୃଢୀଭୂତ କରିଥାଏ ଯାହାକି ତାକୁ ଶୀଘ୍ର ଆରୋଗ୍ୟ ଲାଭ କରିବାରେ ସହାୟକ ହୋଇଥାଏ। କେତେଥର ଜଗତସିଂହପୁରରୁ ଔଷଧ ଆଣି ବୋଉକୁ ଦେଲାପରେ ମୁଁ ନିଜେ ଏହା ଉପଲବ୍ଧି କରିଛି। ସେ ଯାହା ହେଉନା କାହିଁକି ପରଦିନ ସକାଳେ ଭୂବନେଶ୍ୱର ଯାଇ ବୋଉ ପାଇଁ ଔଷଧ ଆଣିବାକୁ ସ୍ଥିର କଲି। ଭୂବନେଶ୍ୱର ଯିବା କଥା ମନକୁ ଆସିବାରୁ ହଠାତ୍ କାହିଁକି କେଜାଣି ପୁରୀ ଯାଇ ଅବଢ଼ା ଖାଇବା କଥା ମନକୁ ଆସିଲା। ଭାବିଲି, ସକାଳୁ ସକାଳୁ ବାଇକରେ ଗଲେ ଠିକ୍ ନ'ଟା ବେଳେ ମାଷ୍ଟରକ୍ୟାଣ୍ଟିନ ପାଖରୁ ଔଷଧ ନେଇ ପୁରୀ ଚାଲିଯିବି। ସେଠି ଠାକୁର ଦର୍ଶନ ସାରିଲା ପରେ ଦୁଇଟା ବେଳେ ଅବଢ଼ା ଖାଇ ଘରକୁ ଫେରି ଆସିବି। ମନକଥା ମନରେ ରଖି ଶୋଇବାକୁ ଗଲି। ପୁରୀ ଯିବାକଥା କାହାରିକୁ କିଛି ନକହି ମନ ଭିତରେ ରଖିଥାଏ। 


  କଥାରେ ଅଛି ପ୍ରଭୁ ଜଗନ୍ନାଥଙ୍କ ଡୋରି ନ ଲାଗିଲେ ଯେତେ ଚେଷ୍ଟା କଲେବି ପୁରୀ ଯାଇ ତାଙ୍କୁ ଦର୍ଶନ କରି ହୁଏନାହିଁ। କାଳନିଦ୍ରା ଘୋଟିଲା ପରି ରାତିରେ ମୋତେ ଏତେ ଗାଢ ନିଦ ହେଲା ଯେ ସକାଳୁ ପତ୍ନୀଙ୍କ ଡାକରେ ମୋ ନିଦ ଭାଙ୍ଗିଲା। ସେ ମୋତେ କହିଲେ , ସାତଟା ବାଜିଲାଣି। ତୁମେ ଔଷଧ ଆଣିବାକୁ ଭୂବନେଶ୍ୱର ଯିବ ପରା। ମୁଁ ତରବର ହୋଇ ଉଠି ପଡିଲି।କାନ୍ଥ ଘଣ୍ଟାକୁ ଦେଖିଲି। ସାତଟା ବାଜି ସାରିଥିଲା।ନିତ୍ୟକର୍ମ ସାରି ବାହାରିଲା ବେଳକୁ ଅତି କମରେ ଘଣ୍ଟାଟାଏ ଲାଗିବ। ଯେତେ ଚେଷ୍ଟା କଲେ ଦଶଟା ପୂର୍ବରୁ ଭୂବନେଶ୍ୱରରେ ପହଞ୍ଚି ହେବନାହିଁ। ଦଶଟା ବେଳେ ଡାକ୍ତର ପାଖରେ ନମ୍ବର କଲେ ଔଷଧ ଆଣିବା ବେଳକୁ ସାଢେ ବାରଟାରୁ ଗୋଟାଏ ବାଜିବ। ଆଉ ପୁରୀ ଯିବି କେତେବେଳେ?


ମନଟା ଭାରି ଖରାପ ହୋଇଗଲା।ବୋଧହୁଏ ପ୍ରଭୁଙ୍କ ଡୋରି ଲାଗିନି। କିନ୍ତୁ ମନକୁ ଯେତେ ବୁଝେଇଲେବି ମନ ଭିତରେ ଥିବା ଅବଢ଼ା ଖାଇବାର ଇଚ୍ଛା କୌଣସି ମତେ ପ୍ରଶମିତ ହେଉ ନଥାଏ। ବରଂ ବେଳକୁ ବେଳ ସେ ଇଚ୍ଛା ଦୃଢୀଭୂତ ହେବାରେ ଲାଗିଥାଏ। ତେଣୁ ନିରାଶ ନହୋଇ ତରତରରେ ସବୁ ନିତ୍ୟକର୍ମ ସାରିବାରେ ଲାଗିଲି। ଭାବିଲି ଯଦି ଆଜି ଡାକ୍ତରଙ୍କ ପାଖରେ କମ ଲୋକ ଥିବେ ମୋ ନମ୍ବର ହୁଏତ ଶୀଘ୍ର ପଡିଯାଇ ପାରେ।

  

ନିତ୍ୟକର୍ମ ସାରି ବାଇକ ବାହାର କରିବାକୁ ଗଲାବେଳକୁ ପୁଣି ଗୋଟିଏ ଜରୁରୀ କାମ ଆସି ପହଞ୍ଚିଲା ଯାହାକୁ ନ ତୁଟେଇ ବାହାରିବା ମୋ ପକ୍ଷେ ସମ୍ଭବ ନଥିଲା। ସେତିକିବେଳେ ଉତ୍କଳମଣି ଗୋପବନ୍ଧୁଙ୍କର ଗୋଟିଏ ପଦ ମନକୁ ଆସିଲା। 

ରହିଣ ଜଞ୍ଜାଳ ବିଷମ ଜଗତେ

ସଂସାରୀ ସୋଦର ବାନ୍ଧବ ସଙ୍ଗତେ

ଇଚ୍ଛାମତେ କାହୁଁ ଚଳିବ ବା ଜନ

ସଂସାରେ ନିଜର ନୁହେଁ ନିଜ ମନ। 

ବିରକ୍ତିରେ ହେଉପଛେ ସେ କାମକୁ ତରବରରେ ସାରି ବାଇକ ଧରି ଭୂବନେଶ୍ୱର ବାହାରିଲି।ବାହାରିବା ଡେରି ହେଲେବି ଅବଢ଼ା ଖାଇବା ଆଶା ମନରୁ ଯାଇନଥାଏ।

   

ଆଗରୁ ଅନେକଥର ପୁରୀ ଯାଇଛି। ଆନନ୍ଦ ବଜାରରେ ଅବଢା ମଧ୍ୟ ଖାଇଛି। କିନ୍ତୁ ୟା ପୂର୍ବରୁ ଜୀବନରେ ଆଉ କୌଣସି ଦିନ ଅବଢା ଖାଇବା ପାଇଁ ଏଭଳି ଆଗ୍ରହ ମନ ଭିତରେ ଆସି ନଥିଲା। ଫୁଲନଖରା ବାଟ ଦେଇ ଗଲେ ଶୀଘ୍ର ପହଞ୍ଚି ହେବ ଭାବି ବାଟରେ ଆଉ କେଉଁଠି ନ ଅଟକି ଦ୍ରୁତ ଗତିରେ ବାଇକ ଚଳେଇଲି।

   

ମାଷ୍ଟରକ୍ୟାଣ୍ଟିନରେ ପହଞ୍ଚି ଡାକ୍ତରଙ୍କ ପାଖରେ ନମ୍ବର କଲାବେଳକୁ ଦେଖିଲି ସେଠାରେ ପ୍ରବଳ ଭିଡ। ମୋ ନମ୍ବର ଯେ କେତେବେଳେ ଆସିବ ଭାବିଲା ବେଳକୁ ମୋର ପୁରୀ ଯିବା ଆଶା ପୁରା ମଉଳି ଯାଇଥିଲା। ଆଜି ବୋଧହୁଏ ପ୍ରଭୁଙ୍କ ଡୋରି ଲାଗିନି ଭାବି ନମ୍ବରଟି ଧରି ସାମନାରେ ପଡିଥିବା ବେଞ୍ଚ୍ ଉପରେ ବସି ମୋ ପାଳି ଆସିବାକୁ ଅପେକ୍ଷା କଲି।

 

  ମୋ ଆଗରୁ ନମ୍ବର କରିଥିବା ଅନେକ ଲୋକ ଡାକ୍ତରଙ୍କୁ ଦେଖା କରିବା ପାଇଁ ଅପେକ୍ଷା କରିଥାନ୍ତି। ସେମାନଙ୍କ ସହିତ ଆସିଥିବା ଛୋଟ ଛୋଟ ପିଲାମାନେ ଅପେକ୍ଷା କରି କରି ବ୍ୟସ୍ତ ହୋଇପଡିଥିବାରୁ ତାଙ୍କ ମା' ମାନେ ତାଙ୍କୁ ବିଭିନ୍ନ କଥା କହି ଭୁଲେଇବାକୁ ଚେଷ୍ଟା କରୁଥାନ୍ତି। କିନ୍ତୁ ସେମାନଙ୍କର କୌଣସି କଥା ମୋ କାନରେ ପଡୁନଥାଏ। ମୋର କେବଳ ଗୋଟିଏ ଲକ୍ଷ୍ୟ, ମୋ ପାଳି କେତେବେଳେ ଆସିବ? ମୁଁ ପୁରୀ ଯାଇ ଫେରି ଆସି ପାରିବି କି ନାହିଁ? ପ୍ରତି ଦଶ ମିନିଟରେ ଥରେ ମୁଁ ଘଣ୍ଟାକୁ ଦେଖୁଥାଏ ଓ ପୁରୀ ଯିବା ଆସିବା ସମୟ ହିସାବ କରୁଥାଏ। 

   

ଶେଷରେ ମୋ ପାଳି ଆସିଲା। ସେତେବେଳକୁ ସମୟ ବୋଧହୁଏ ସାଢେ ବାରଟା ପାଖାପାଖି ହେବ।ଡାକ୍ତରଙ୍କ ପାଖକୁ ଗଲି। ମୋ ପୂର୍ବରୁ ଯାହାଙ୍କର ନମ୍ବର ଥିଲା ସେ ଡାକ୍ତରଙ୍କ ପାଖରୁ ଆସୁ ଆସୁ ପୁଣି କଣ ପଚାରିବା ପାଇଁ ଅଟକିଗଲେ। ସେଠି ବି ପୁଣି ଅପେକ୍ଷା। ମୁଁ ଖୁବ୍ ବ୍ୟସ୍ତ ହୋଇ ପଡିଥିଲି। କିନ୍ତୁ ମୋ ବ୍ୟସ୍ତତାକୁ ଡାକ୍ତରଙ୍କ ପାଖରେ ଜାହିର କରିବାର କୌଣସି ଆବଶ୍ୟକତା ଓ ସୁଯୋଗ ମୋ ପାଖରେ ନଥିଲା। ସେ ଭଦ୍ରମହିଳାଙ୍କୁ ସବୁ ଧୀରସ୍ଥିର ଭାବରେ ବୁଝେଇ ସାରିଲା ପରେ ଡାକ୍ତରବାବୁ ମୋତେ ତାଙ୍କ ସାମନାରେ ପଡିଥିବା ଚେୟାରରେ ବସିବାକୁ ଇଙ୍ଗିତ କଲେ। 


ବୋଉ ବିଷୟରେ ସବୁ ଶୁଣି ସାରିଲାପରେ ଔଷଧ ଚିଠା ଲେଖି ଭିତରକୁ ପଠେଇଲେ ଏବଂ ଏକମାସ ପରେ ଆସି ଦେଖା କରିବାକୁ କହିଲେ। ତଥାପି ଅପେକ୍ଷାର ଅନ୍ତ ହୋଇନଥିଲା। ଔଷଧ ପାଇଁ ପୁଣି ଅପେକ୍ଷା। ଅବଶ୍ୟ ଯେଉଁମାନେ ଔଷଧ ଦେବା ଦାୟିତ୍ୱରେ ଥିଲେ ସେମାନେ ଶୀଘ୍ର ଶୀଘ୍ର ସେମାନଙ୍କ କାମ ସାରିବା ପାଇଁ ଯତପରୋନାସ୍ତି ଚେଷ୍ଟା କରୁଥିଲେ କିନ୍ତୁ ଲୋକମାନଙ୍କୁ ଔଷଧ ସେବନର ବିଧି ବୁଝେଇଲା ବେଳକୁ ଡେରି ହୋଇ ଯାଉଥିଲା। ଯାହାହେଉ ଔଷଧ ଆଣିବା ବେଳକୁ ଗୋଟାଏ ବାଜି ସାରିଥିଲା। ପୁରୀ ଯିବାର ସମୟ ବେଳକୁ ବେଳ ମୋ ହାତରୁ କମି ଯାଉଥିଲେ ମଧ୍ୟ ଅବଢା ଖାଇବାର ଅଦମ୍ୟ ଇଚ୍ଛା ମୋ ମନକୁ ବାରମ୍ବାର ଆନ୍ଦୋଳିତ କରି ଚାଲୁଥିଲା। 

  

ଔଷଧ ଆଣିସାରି ସାମନାରେ ପଡିଥିବା ବେଞ୍ଚ୍ ଉପରେ ବସି ଚିନ୍ତା କଲି, କଣ କରିବି? ଏବେ ଗଲେ ମୁଁ ପୁରୀରୁ ଫେରି ଜଗତସିଂହପୁରରେ ସନ୍ଧ୍ୟା ସୁଦ୍ଧା ପହଞ୍ଚି ପାରିବିତ ? ଏକେତ ମୁଣ୍ଡଫଟା ଖରା। ଦ୍ୱିତୀୟରେ ରାତି ହୋଇଗଲେ ପୁରୀ ଭୂବନେଶ୍ୱର ରାସ୍ତାରେ ଏକୁଟିଆ ବାଇକରେ ଆସି ନିରାପଦରେ ଘରେ ପହଞ୍ଚି ପାରିବିତ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜିବା ଭିତରେ ସମୟ ମୋ ହାତରୁ ଖସି ଯାଇଥିଲା। ଶେଷରେ ପ୍ରଭୁଙ୍କର ଏହାହିଁ ଇଚ୍ଛା ଭାବି ଅବଢ଼ା ଖାଇବାର ଅଦମ୍ୟ ଆଗ୍ରହକୁ ମନ ଭିତରେ ଚାପି ରଖି ଘରକୁ ଫେରିବା ପାଇଁ ବାଇକ ଷ୍ଟାର୍ଟ କଲି। 


  ମୁଁ ସିନା ଘରକୁ ଫେରୁଥାଏ। କିନ୍ତୁ ଅବଢା ଖାଇବାର ଆଗ୍ରହ ମୋ ପିଛା ଛାଡୁନଥାଏ। ବାଇକ ଚଲେଇବା ଭିତରେ ମୁଁ ନିଜକୁ ନିଜେ ଦୋଷ ଦେଇ ଚାଲିଥାଏ। ଡେରି ହେଉ ପଛେ ଚାଲି ଯାଇଥିଲେ କଣ ହୋଇଥାନ୍ତା! ରାତି ହୋଇ ଯାଇଥିଲେ କଣ ଅସୁବିଧା ହୋଇ ଯାଇଥାନ୍ତା? ଯଦିଓ ରାତିରେ ଆଖିରେ ଲାଇଟ ପଡିଲେ ବାଇକ ଚଲେଇବାକୁ ଅସୁବିଧା ହୋଇଥାନ୍ତା ଧୀରେ ଧୀରେ କଣ ଗାଡି ଚଲେଇ ଆସି ହୋଇନଥାନ୍ତା? ଏମିତି ଅନେକ ପ୍ରଶ୍ନ ଯାହାରକି ଆଉ କୌଣସି ମୂଲ୍ୟ ନଥିଲା। ଚୋର ପଳାଇଲେ ବୁଦ୍ଧି ଦେଖାଯିବା ନ୍ୟାୟରେ ଏସବୁ ତର୍କର ମୋ ପାଇଁ କୌଣସି ଯଥାର୍ଥତା ନଥିଲା। କେବଳ ଅବଶୋଷ କରି କରି ବାଇକ ଚଲେଇବା ବ୍ୟତୀତ ମୋର ଅନ୍ୟ ଉପାୟ ବି ନଥିଲା।

 

   ଘରେ ପହଞ୍ଚିଲା ବେଳକୁ ଦିନ ସାଢେ ଦୁଇଟା ହେବ। ବୋଉ ହାତରେ ଔଷଧ ଧରେଇ ଦେଇ ମୁହଁ ହାତ ଧୋଇ ଖାଇ ବସିଲି। କାହିଁକି କେଜାଣି ଖାଇବାଟା କିଛି ଭଲ ଲାଗୁ ନଥିଲା। ସେହି ଅବଢା ଖାଇବା ପାଖରେ ମନଟା ଅଟକି ରହିଥିଲା। ଯେନ ତେନ ପ୍ରକାରେଣ କଣ ଦି'ଟା ଖାଇ ଟିକେ ଶୋଇ ପଡିବାକୁ ଚେଷ୍ଟା କଲି। ମନଟା ଭଲ ନଥିବାରୁ ଆଖିକୁ ନିଦ ବି ଆସୁ ନଥାଏ। 

   କଥାରେ ଅଛି, ଦୃଢେ ତରନ୍ତି, ମୂଢେ ତରନ୍ତି,

             ମଝି ମଝିକିଆ ବୁଡି ମରନ୍ତି। 

 ମନେ ମନେ ଭାବୁଥାଏ ବୋଧହୁଏ ପୁରୀ ଯିବାପାଇଁ ମୋ ମନରେ ଦୃଢତା ନଥିଲା। ତେଣୁ ବୋଧହୁଏ ଯାଇ ପାରିଲିନାହିଁ। ମନକୁ ଯେତେ ଯାହା କହି ବୁଝେଇବାକୁ ଚେଷ୍ଟା କଲେ ମଧ୍ୟ ଅବଢା ଖାଇବାର ଇଚ୍ଛାଟା ମନ ଭିତରୁ ଯାଉନଥିଲା। ମୋର ଦୃଢ ଇଚ୍ଛାଶକ୍ତି ଓ ପ୍ରଚେଷ୍ଟା ଅଭାବରୁ ମୁଁ ଆଜି ସେ ଇଚ୍ଛାଟା ପୂରଣ କରି ପାରିଲି ନାହିଁ ବୋଲି ମୋତେ ଲାଗୁଥିଲା।

 

 ସେହିଦିନ ରାତି ଦଶଟା ହେବ।କବାଟରେ ଠକଠକ ଶବ୍ଦ ଶୁଣି କବାଟ ଖୋଲିବା ପୂର୍ବରୁ ଟିକେ ଚିନ୍ତା କଲି। ବୋଉ ତ ଶୋଇ ପଡିଲାଣି। ବର୍ତ୍ତମାନ ନିଦରୁ ଉଠେଇଲେ ସେ ନିଶ୍ଚୟ ବିରକ୍ତ ହେବ। ଯଦି କିଏ ଛୋଟ ପିଲାଟାକୁ ଆଣି ଆସିଥିବ ସେ ବୋଉକୁ ନିଦରୁ ଉଠେଇବାକୁ ନିଶ୍ଚୟ ଅନୁରୋଧ କରିବ। କଣ କରିବି ?


  କବାଟ ଖୋଲିବାକୁ ଯିବା ପୂର୍ବରୁ ସେ ଲୋକ କବାଟ ବାଡେଇବା ବନ୍ଦ କରି ପୁଣି ଝରକା ଠକଠକ କଲା। ମୁଁ ଝରକା ଖୋଲି ବାହାରକୁ ଚାହିଁଲି। ବାହାରେ ଲାଗିଥିବା ଝାପ୍ସା ଲାଇଟରେ ଲୋକଟିକୁ ଭଲ ଭାବରେ ଚିହ୍ନି ହେଉ ନଥାଏ। ଝରକା ଭିତର ଦେଇ ସେ ଗୋଟିଏ ପଲିଥିନ ଜରି ଭିତରକୁ ବଢେଇଲା। ମୁଁ ଭାବିଲି ନିଶ୍ଚୟ କହିବ, ଏତେ ରାତିରେ ପିଲାଟାକୁ ଆଣି ପାରିଲି ନାହିଁ। ଟିକେ ମା'ଙ୍କ ପାଖରୁ ଲୁଣଟା ମନ୍ତ୍ରଣ କରି ଆଣ। ପୁଣି ସେହି ସମସ୍ୟା। ବୋଉକୁ ଡାକିବାକୁ ପଡିବ। 


  ପଲିଥିନ ଜରିଟାକୁ ଧରିବା ଆଗରୁ ପଚାରିଲି, ଇଏ କଣ?  ଏକ ପରିଚିତ କଣ୍ଠରୁ ଉତ୍ତର ମିଳିଲା- 'ଅବଢା' । ଦରିଦ୍ର କୋଟିନିଧି ପାଇଲା ପରି ପଲିଥିନ ଜରିଟିକୁ ଆଣି ମୁଣ୍ଡରେ ଲଗେଇ ଦେଲି। ଭଲକରି ବାହାରକୁ ଲକ୍ଷ୍ୟ କଲା ବେଳକୁ ଦେଖିଲି ଆମ ଗାଁର କଲୁଆ ନନା। ପୁରୀରେ ଆନନ୍ଦ ବଜାରରେ କାମ କରନ୍ତି। କହିଲେ, ଗୋଟିଏ ଜରୁରୀ କାମରେ ଘରକୁ ଆସିବାକୁ ହେଲାତ। ଭାବିଲି ଭାଇଙ୍କ ପାଇଁ ଟିକେ ଅବଢା ନେଇଯିବି। ମୋ ହାତକୁ ଅବଢା ଧରେଇ ଦେଇ କଲୁଆ ନନା ତାଙ୍କ ଘରକୁ ଚାଲି ଯାଉଥିଲେ। ମୋର ସାରା ଶରୀର ରୋମାଞ୍ଚିତ ହୋଇ ଉଠୁଥିଲା। ଜଗନ୍ନାଥଙ୍କ ଚକା ଚକା ଆଖି ଦୁଇଟା ମୋ ଆଖି ଆଗରେ ଭାସି ଉଠୁଥିଲା।ଜରିଟା ଖୋଲି ଦେଲାବେଳକୁ ସାରା ଘରଟା ଅବଢାର ମହମହ ବାସ୍ନାରେ ପୁରି ଉଠିଥିଲା। ମୁଁ ବଡ ପାଟିକରି କହୁଥିଲି- ବୋଉ! ଶୀଘ୍ର ଉଠିଆ, ପୁରୀରୁ ଅବଢା ଆସିଛି। 

******


Rate this content
Log in