Biswanath Nayak

Others

3  

Biswanath Nayak

Others

ଭୋକ

ଭୋକ

20 mins
179



' ଭୋକ ' ଏକ ଛୋଟିଆ ଶବ୍ଦ ସିନା ହେଲେ ତାର ଅର୍ଥ ଯେ କେତେ ବ୍ୟାପକ ଓ ଗଭୀର ସେକଥା କେବଳ ଜଣେ ଅନୁଭବି ହିଁ କହିପାରିବ। ସେହି ଶବ୍ଦର ଅର୍ଥକୁ ଅଭିଧାନ ପଢ଼ି ଯେତେ ବୁଝିବାକୁ ଚେଷ୍ଟା କଲେବି ଯିଏ ତାକୁ ଅନୁଭବ ନ କରିଛି ମଣିଷ ଜୀବନରେ ତାର ମହତ୍ତ୍ଵ କଣ ସେ ସହଜରେ ହୃଦୟଙ୍ଗମ କରି ପାରିବ ନାହିଁ। ଶିଶୁଟିଏ ଭୂମିଷ୍ଠ ହେଲାପରେ ସର୍ବପ୍ରଥମେ ତାକୁ ଭୋକ ହିଁ ଅନୁଭୂତ ହୋଇଥାଏ ଯେଉଁଥିପାଇଁ ସୃଷ୍ଟିକର୍ତ୍ତା ଶିଶୁର ସେହି ଆବଶ୍ୟକତାକୁ ପୂରଣ କରିବା ପାଇଁ ମଣିଷକୁ ଏହି ସଂସାରରେ ଜନ୍ମ ଦେବା ସହିତ ତା ମାଆର ବକ୍ଷରେ ତା ପାଇଁ ଦିବ୍ୟ ଅମୃତର ଝର ସୃଷ୍ଟି କରିଥାନ୍ତି ଯେଉଁଥିରୁ କି ସନ୍ତାନର ତା ମାଆ ସହିତ ପ୍ରଥମ ପରିଚୟ ହୋଇଥାଏ। ଯେତେବେଳେ ସଭ୍ୟତାର ବିକାଶ ହୋଇନଥିଲା ଆଦିମ ମାନବ ବସ୍ତ୍ର ପରିଧାନ ନକରି ବସ୍ତ୍ର ବିନା ରହି ଯାଉଥିଲା , ବାସଗୃହ ବିନା ଗଛ ଡାଳରେ କିମ୍ବା ପାହାଡ଼ ଗୁମ୍ଫାରେ ରହି ଯାଉଥିଲା , କିନ୍ତୁ ପେଟର ଭୋକକୁ ସେ ସହ୍ୟ କରି ରହି ପାରୁ ନଥିଲା। ଗଛର ଫଳ ହେଉ ବା ପଶୁପକ୍ଷୀଙ୍କ ମାଂସ ହେଉ ତାହା ସଂଗ୍ରହ କରି ସର୍ବପ୍ରଥମେ ସେ ନିଜର ଭୋକ ମେଣ୍ଟାଉଥିଲା। ଇତିହାସର ପୃଷ୍ଠା ଉନ୍ମୋଚନ କଲେ ସିନ୍ଧୁସଭ୍ୟତା ଭଳି ଯେତେ ସଭ୍ୟତା ସବୁ ଗଢ଼ି ଉଠିଥିଲା ସେ ସମସ୍ତ ସଭ୍ୟତା ବିଭିନ୍ନ ନଦୀ ସଂଲଗ୍ନ ଉର୍ବର ଚାଷ ଉପଯୋଗୀ ଭୂମି ନିକଟରେ ହିଁ ଗଢ଼ି ଉଠିଥିଲା ଯାହାର ମୂଖ୍ୟ ପୃଷ୍ଠଭୂମି ଥିଲା ମଣିଷ ନିକଟରେ ପେଟର 'ଭୋକ' ପାଇଁ ପ୍ରାଥମିକତା। ତେଣୁ ମଣିଷ ଜୀବନରେ ଏହି ଭୋକର ଜ୍ଵାଳା ହିଁ ସବୁଠାରୁ ଯନ୍ତ୍ରଣାଦାୟକ। ତେଣୁ ଯେ କୌଣସି ନିଷ୍ପତ୍ତି ନେବା ସମୟରେ ମଣିଷ ସର୍ବ ପ୍ରଥମେ ଏହି ପେଟ ଚାଖଣ୍ଡକ କଥା ହିଁ ଚିନ୍ତା କରିଥାଏ। ଏହି 'ଭୋକ' ଅଭିଧାନର ଅନ୍ୟ ଶବ୍ଦ ଭଳି ଖାଲି ଏକ ଛୋଟିଆ ଶବ୍ଦଟିଏ ନୁହେଁ ବାସ୍ତବରେ ଏହା ଏକ ଅନୁଭବ ଅଟେ। ଅନୁଭବ ବିନା ଏହାର ଅର୍ଥକୁ ହୃଦୟଙ୍ଗମ କରା ଯାଇପାରେନା। ଗୋଟିଏ ରାତିର ସେହି ଭୋକର ଅନୁଭବକୁ ଏଠାରେ ଉପସ୍ଥାପନ କରିବା ପାଇଁ ଆଜିର ଏହି ଉପକ୍ରମଣିକା।  

    ଆଜିକୁ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ତଳର କଥା। ସେତେବେଳେ ଏକ ବେସରକାରୀ ମହାବିଦ୍ୟାଳୟରେ ମୁଁ ଅର୍ଥନୀତିର ଅଧ୍ୟାପକ ଭାବରେ ଯୋଗ ଦେଇଥାଏ। ସେଠାରେ ରହଣି ସମୟରେ ଖୁବ୍ ଅଳ୍ପଦିନ ଭିତରେ ଜଣେ ଅଧ୍ୟାପକ ବନ୍ଧୁ ମୋର ଖୁବ୍ ନିକଟତର ହୋଇଗଲେ। ଅତି ଶୀଘ୍ର ଆମ ଭିତରେ ଘନିଷ୍ଠତା ଖୁବ୍ ବଢିଗଲା। ମୋ ଠାରୁ ବୟସରେ ବଡ଼ ଥିବାରୁ ସେ ମୋତେ ସାନଭାଇ ଭଳି ସ୍ନେହ କରୁଥିଲେ ଓ ଜଣେ ସହକର୍ମୀ ଭଳି ମୋ ସହିତ ଔପଚାରିକ ବ୍ୟବହାର ନକରି ମୋ ସହିତ ଜଣେ ସାନଭାଇ ଭଳି ବ୍ୟବହାର କରୁଥିଲେ। ସାଧାରଣତଃ କଲେଜରେ ସହକର୍ମୀମାନେ ପରସ୍ପରକୁ ନାମ ପଛରେ ବାବୁ ଲଗାଇ ସମ୍ବୋଧନ କରୁଥିବା ବେଳେ ସେ ଅତି ସ୍ନେହରେ ମୋତେ ମୋ ନାଁ ଧରି ଡାକୁଥିଲେ। ତାଙ୍କର ସେହି ଡାକରେ ଏତେ ଆନ୍ତରିକତା ଥିଲା ଯେ ତାଙ୍କ ଡ଼ାକ ମୋତେ ଖୁବ୍ ଭଲ ଲାଗୁଥିଲା ଓ ସେ ମୋତେ ଅତି ଆପଣାର ଲାଗୁଥିଲେ। ମୁଁ ତାଙ୍କୁ ଜଣେ ବଡ଼ଭାଇ ଭଳି ଶ୍ରଦ୍ଧା ଓ ସମ୍ମାନ କରୁଥିଲି । ସେ ମଧ୍ୟ ମୋ କଥାକୁ ସବୁବେଳେ ଖୁବ୍ ଗୁରୁତ୍ଵର ସହ ନେଉଥିଲେ। ସେ ଖୁବ୍ ଖୋଲା ଓ ଖୁସି ମିଜାସର ଲୋକ ଥିଲେ। କଲେଜରେ କ୍ଲାସ ନଥିବା ସମୟରେ ଆମେ ଦୁଇବନ୍ଧୁ ଯେତେବେଳେ କମନରୁମରେ ବସିଥାଉ ସେ ତାଙ୍କ ଗାଁ ଓ ପରିବାର ବିଷୟରେ ମୋ ଆଗରେ ଅନେକ କଥା ଗପନ୍ତି। ସେହି କଥା ସବୁକୁ ସେ ଏତେ ମଜାଳିଆ ଢ଼ଙ୍ଗରେ ଗପନ୍ତି ଯେ ଜଣେ ସେକଥା ନଶୁଣି ରହି ପାରିବ ନାହିଁ। ଦିନକର କଥା। ସେତେବେଳକୁ ଦୋଳ ପୂର୍ଣ୍ଣିମା ଆଉ ଅଳ୍ପଦିନ ଥାଏ। ସେ ମୋତେ କହିଲେ , ଦୋଳ ପୂର୍ଣ୍ଣିମାକୁ କଲେଜ୍ ତ ଛୁଟି ରହିବ। ଚାଲୁନ , ଆମ ଗାଆଁକୁ ଯିବା। ଆମ ଗାଆଁରେ ଦୋଳମେଳଣ ଖୁବ୍ ଜାକ ଜମକରେ ହୁଏ। ବହୁତ ଦୋଳ ବିମାନ ଆସନ୍ତି। ଦୋଳ ମେଲଣ ଦେଖିବା। ଦୁଇ ତିନିଦିନ ରହି ଫେରି ଆସିବା। ଖୁବ୍ କମ୍ ଦିନ ଭିତରେ ତାଙ୍କ ସହିତ ମୋର ଘନିଷ୍ଠତା ଏତେ ବଢି ଯାଇଥିଲା ଯେ ମୁଁ ଆଉ ତାଙ୍କ ଗାଆଁକୁ ଯିବାପାଇଁ ମନା କରି ପାରିଲି ନାହିଁ। ତାଙ୍କର ଆନ୍ତରିକତା ଆଗରେ ମୁଁ ହଁ ନକରି ରହି ପାରିଲି ନାହିଁ। ହସି ହସି ସମ୍ମତି ଜଣାଇଲି। ମୁଁ ହଁ କରିବା ଦେଖି ସେ ଖୁବ୍ ଖୁସି ହୋଇଗଲେ। ଯେଉଁଦିନ ଦୋଳପୂର୍ଣ୍ଣିମା ପାଇଁ କଲେଜରେ ଛୁଟି ନୋଟିସ ବାହାରିଲା ତା ପରଦିନ ସକାଳୁ ଆମେ ଦୁଇ ବନ୍ଧୁ ଆମର ସକାଳର ନିତ୍ୟକର୍ମ ସାରି ତାଙ୍କ ଗାଁକୁ ଯିବାପାଇଁ ବାହାରି ପଡ଼ିଲୁ। ସେହିଦିନ ରାତିରେ ତାଙ୍କ ଗାଆଁରେ ଦୋଳ ମେଳଣ ଥାଏ। ତାଙ୍କ ଘରକୁ ଯିବାପାଇଁ ସିଧାସଳଖ ବସ୍ ସୁବିଧା ଥିଲେ ମଧ୍ୟ ଆମ ବାହାରିବାରେ ସାମାନ୍ୟ ବିଳମ୍ବ ହେବାରୁ ସେ ବସ୍ ଛାଡ଼ି ଦେଇଥିବ ବୋଲି ଆଶଙ୍କା କଲେ ଓ ସେଥିପାଇଁ ଆମେ ଟ୍ରେନରେ ଯାଇ ଅଧାବାଟରୁ ବସ୍ ଧରିବାକୁ ସ୍ଥିର କଲୁ କାରଣ ତା ପର ବସରେ ଗଲେ ତାଙ୍କ ଘରେ ପହଞ୍ଚିବାକୁ ବହୁତ ଡେରି ହୋଇଯିବ ଓ ମଧ୍ୟାହ୍ନ ଭୋଜନର ସମୟ ଗଡିଯିବ ବୋଲି ସେ କହିଲେ। ଟିକେଟ କାଟି ଟ୍ରେନରେ ବସିଗଲା ପରେ ସେ ଖୁବ୍ ଆନନ୍ଦରେ ତାଙ୍କ ପରିବାରର ସମସ୍ତ ସଦସ୍ୟମାନଙ୍କ ବିଷୟରେ ମୋ ଆଗରେ ବର୍ଣ୍ଣନା କରିବାକୁ ଲାଗିଲେ। ମୁଁ ତ ଆଗରୁ କହିଛି ଯେ ସ୍ବଭାବତଃ ଖୁବ୍ ଗପୁଡି ଓ ଖୁସି ମିଜାସର ଲୋକ। କଲେଜରେ କ୍ଲାସ ନଥିବା ସମୟରେ ସେ ଚୁପ୍ ହୋଇ ବସି ରହିବାର ମୁଁ ତାଙ୍କୁ କ୍ଵଚିତ ଦେଖିଛି। ତାଙ୍କ ଘରକୁ ପ୍ରଥମ ଥର ପାଇଁ ଯାଉଥିବାରୁ ତାଙ୍କ ଘରେ ପହଞ୍ଚିବା ପୂର୍ବରୁ ସେ ବୋଧହୁଏ ତାଙ୍କ ପରିବାରର ସମସ୍ତ ସଦସ୍ୟମାନଙ୍କ ବିଷୟରେ ମୋତେ ଜଣାଇ ଦେବାକୁ ଚାହୁଁଥିଲେ। ଟ୍ରେନର ଗୋଟିଏ ଝରକା ପାଖ ସିଟରେ ବସି ମୁଁ ତାଙ୍କ କଥା ଶୁଣିବା ଭିତରେ ମଝିରେ ମଝିରେ ରେଳ ଧାରଣାର ଅନତି ଦୂରରେ ଥିବା ବୃକ୍ଷରାଜି ବିମଣ୍ଡିତ ପାହାଡ଼ ଆଡ଼େ ଟିକେ ଆଖି ବୁଲେଇ ଆଣି ସେହି ସୁଦୃଶ୍ୟ ପର୍ବତର ଶୋଭାରାଶିକୁ ଉପଭୋଗ କରୁଥାଏ। ସ୍ଵଳ୍ପ ସମୟ ପାଇଁ ହେଲେ ମଧ୍ୟ ସାଥିରେ ଜଣେ ମେଳାପି ବନ୍ଧୁ ଥିବାରୁ ସେଦିନର ଟ୍ରେନ ଯାତ୍ରା ମୋତେ ଖୁବ୍ ଆନନ୍ଦଦାୟକ ବୋଧ ହେଉଥିଲା। କଥା ଗପିବା ଭିତରେ ସେ ମଝିରେ ମଝିରେ ଖଣ୍ଡେ ଖଣ୍ଡେ ପାନ ଖାଇବା ଅବସରରେ ମୋତେ ଲକ୍ଷ୍ୟ କରି କହୁଥାନ୍ତି , ବୁଝିଲ , ଏ ପାନ ଖାଇବାଟା ମୋର ଏମିତି ଗୋଟେ ଅଭ୍ୟାସରେ ପରିଣତ ହୋଇଯାଇଛି ଯେ ଯେତେ ଚେଷ୍ଟା କଲେ ବି ମୁଁ ତାକୁ ଛାଡି ପାରୁନାହିଁ। ତୁମ ଆଗରେ କଣ ଲୁଚେଇବି। ମଝିରେ ମଝିରେ ଖଣ୍ଡେ ଖଣ୍ଡେ ସିଗାରେଟ୍ ବି ଟାଣିଦିଏ। ଅବଶ୍ୟ ସେଇଟା ଏ ପାନଭଳି ଅଭ୍ୟାସରେ ପରିଣତ ହୋଇନି। ଏଗୁଡାକ ସବୁ ମୋର ଗୋଟିଏ ଗୋଟିଏ ବଦଭ୍ୟାସ ବୋଲି ଧରିନିଅ। ତୁମେ କିନ୍ତୁ ଭଲ କରିଛ। ତୁମର ଏହିସବୁ କିଛି ବଦଭ୍ୟାସ ନାହିଁ। ଏହା ଭିତରେ ବିଭିନ୍ନ ଷ୍ଟେସନ୍ ଦେଇ ଟ୍ରେନଟି ଆଗକୁ ମାଡ଼ି ଚାଲିଥାଏ। ପ୍ରତ୍ୟେକ ଷ୍ଟେସନରେ କିଛି ଲୋକ ଟ୍ରେନରୁ ଲହ୍ଲାଉଥାନ୍ତି ଓ ଆଉ କିଛି ଲୋକ ଟ୍ରେନରେ ଚଢୁଥାନ୍ତି। ସେ କିନ୍ତୁ ପାନ ଚୋବାଇ ଚୋବାଇ ଆନନ୍ଦରେ ମୋ ଆଗରେ ତାଙ୍କ ଗାଁ ଓ ପରିବାର କଥା ଗପିବାରେ ଏତେ ମସଗୁଲ ଥାଆନ୍ତି ଯେ ତାଙ୍କର ସେସବୁ ଆଡ଼କୁ ଆଦୌ ଲକ୍ଷ୍ୟ ନଥାଏ। ନଦୀ କୂଳରେ ଅବସ୍ଥିତ ଥିବା ତାଙ୍କର ସେହି ଛୋଟିଆ ଗାଆଁଟିରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ରହୁଥିଲେ ମଧ୍ୟ ସେଠାରେ ସେମାନଙ୍କ ଭିତରେ ଯେ କିଭଳି ଭାଇଚାରା ରହିଛି ସେ ବିଷୟରେ ବର୍ଣ୍ଣନା କରି ସେ ଖୁବ୍ ଖୁସି ହେଉଥିଲେ । ଡଙ୍ଗାରେ ନଦୀ ପାରି ହୋଇ ତାଙ୍କ ଗାଆଁକୁ ଯିବାର ତାଙ୍କର ସୁନ୍ଦର ଅନୁଭୂତିକୁ ମୋ ଆଗରେ ହସି ହସି କହିଲା ବେଳେ ସେ ମୋତେ କହିଲେ , ବୁଝିଲ , ଖାଲି ଦୋଳ ମେଲଣ କାହିଁକି , ଗାଆଁର ଯେ କୋୖଣସି ପର୍ବପର୍ବାଣୀ ଓ ଯାନିଯାତ୍ରା ସମୟରେ ଗାଆଁକୁ ଯିଏ ପ୍ରଥମ ଥର ପାଇଁ ଆସିବ ସେ ଏହି ଭାଇଚାରାକୁ ଅନୁଭବ କରି ପାରିବ। ଆମ ଗାଆଁକୁ ଯିବାପାଇଁ ଛୋଟ ନଈଟିଏ ପାରି ହେବାକୁ ପଡ଼େ। ତୁମେ ଯଦି ବର୍ଷାଦିନେ ନଈରେ ପାଣି ଥିବା ସମୟରେ ଆସିଥାନ୍ତ ନା ଡଙ୍ଗାରେ ବସି ନଦୀ ପାରିହେବା ସମୟରେ ଆମ ଗାଆଁର ସବୁ ସମ୍ପ୍ରଦାୟର ଲୋକ ମାନଙ୍କ ଭିତରେ ଯେ କିଭଳି ଭାଇଚାରା ରହିଛି ସେଇଠି ସେକଥା ଖୁବ୍ ଭଲ ଭାବରେ ଅନୁଭବ କରି ପାରିଥାନ୍ତ ! କିନ୍ତୁ ଏବେ ତ ଫେୟାର ୱେଦର ରାସ୍ତା ହୋଇଥିବ। ତେଣୁ ଆମେ ଆଜି ଆଉ ଡଙ୍ଗାରେ ବସି ନଦୀ ପାରିହେବାର ସେହି ସୁନ୍ଦର ଅନୁଭୂତିକୁ ଅନୁଭବ କରି ପାରିବା ନାହିଁ। ମୁଁ ତାଙ୍କ ଗାଆଁକୁ ଆଗରୁ କେବେ ଯାଇ ନଥିଲେ ମଧ୍ୟ ତାଙ୍କ ଗାଆଁ ବିଷୟରେ ତାଙ୍କର ବର୍ଣ୍ଣନା ଶୈଳୀ ଏତେ ସୁନ୍ଦର ଓ ମନଛୁଆଁ ଥିଲା ଯେ ତାଙ୍କ କଥା ଶୁଣି ତାଙ୍କ ଗାଆଁର ଏକ ସୁନ୍ଦର ଛବି ମୋ କଳ୍ପନା ରାଜ୍ୟରେ ସ୍ଵତଃପ୍ରବୃତ୍ତ ଭାବେ ଆଙ୍କି ହୋଇ ଯାଇଥିଲା। ଆଜିକାଲି ଲୋକମାନେ ଗାଁ ମାଟି ଛାଡି ସହରାଭିମୁଖି ହେଉଥିଲା ବେଳେ ନିଜର ଗାଁ ମାଟିକୁ ଏତେ ଭଲ ପାଉଥିବା ବନ୍ଧୁ ଜଣଙ୍କୁ ପାଖରେ ପାଇ ମୋତେ ଖୁବ୍ ଖୁସି ଲାଗୁଥିଲା। ତାଙ୍କ ଠାରୁ କଥା ଶୁଣିବାରେ ମୁଁ ଏତେ ମଜ୍ଜି ଯାଇଥିଲି ଯେ ୟା ଭିତରେ ଯେ କେତେ ସମୟ ବିତି ଯାଇଥିଲା ସେଆଡକୁ ମୋର ଆଉ ଧ୍ୟାନ ନଥିଲା।ଏତିକି ବେଳେ ଟ୍ରେନର ଗତି ଧିମେଇଲା ଭଳି ଲାଗିଲା। ସେ କଥା ଗପିବା ବନ୍ଦ କରି ଟ୍ରେନର ଉପର ଥାକରୁ ତାଙ୍କ ଆଟାଚିଟିକୁ ପାଖକୁ ଆଣି ମୋତେ କହିଲେ , ଆମ ଷ୍ଟେସନ ଆସିଗଲା।ଏବେ ଓହ୍ଲେଇବା। ତାଙ୍କ କଥା ଶୁଣି ମୁଁ ମୋ ହାତ ପାଖରେ ଥିବା ଆଟାଚିଟାକୁ ଧରି ଟ୍ରେନରୁ ଲହ୍ଲେଇବା ପାଇଁ ପ୍ରସ୍ତୁତ ହୋଇଗଲି। ସେଇଟା ଗୋଟିଏ ଛୋଟ ଷ୍ଟେସନ ଥିବାରୁ ସେଠାରେ ଟ୍ରେନର ରହଣି ଅଳ୍ପ ସମୟ ପାଇଁ ଥିଲା। ଟ୍ରେନରେ ବେଶୀ ଭିଡ଼ ନଥିବାରୁ ଟ୍ରେନ ଅଟକିବା କ୍ଷଣି ଆମେ ଦୁଇ ବନ୍ଧୁ ଆରାମରେ ଟ୍ରେନରୁ ଓହ୍ଲେଇ ପଡ଼ିଲୁ। ସେଠାରୁ ତାଙ୍କ ଗାଆଁକୁ ଯିବା ପାଇଁ ଆମଙ୍କୁ ବସ୍ ଧରିବାର ଥାଏ। ସେହି ଷ୍ଟେସନ ଠାରୁ ଅଳ୍ପ ଦୂରରେ ବସ୍ ଷ୍ଟପ୍। ଚାଲି ଚାଲି ଯାଇହେବ। କିନ୍ତୁ ତାଙ୍କ ଗାଆଁକୁ ଯାଉଥିବା ବସ୍ ଆସିବାକୁ ଆଉ କୋଡ଼ିଏ ମିନିଟ୍ ବାକି ଥିବାରୁ ସେ ପର୍ଯ୍ୟନ୍ତ ବସ୍ ଷ୍ଟପରେ ଠିଆ ହୋଇ ରହିବା ଅପେକ୍ଷା ସେ ସମୟତକ ଆମେ ସେହି ଷ୍ଟେସନର ପ୍ଲାଟଫର୍ମରେ ଥିବା ଚେୟାର ଉପରେ ବସି କଟାଇ ଦେବାକୁ ସ୍ଥିର କଲୁ।

   ଆମେ ଦୁଇବନ୍ଧୁ ସେଠାରେ ବସି ଗପସପ କରିବା ଭିତରେ ବସ୍ ଆସିବା ସମୟ ହୋଇ ଯାଇଥିଲା। ଆମେ ଦୁଇଜଣ ଆଟାଚି ଧରି ବସଷ୍ଟପ୍ ଆଡ଼କୁ ଚାଲିଲୁ। ବସ୍ ଷ୍ଟପରେ ଆଉ କିଛି ଲୋକ ସେହି ବସରେ ଯିବା ପାଇଁ ଅପେକ୍ଷା କରିଥାନ୍ତି। ଦୁଇ ତିନି ମିନିଟ୍ ଅପେକ୍ଷା କରିବା ପରେ ବସ୍ ଆସି ପହଞ୍ଚିଗଲା। କିନ୍ତୁ ବସଟିରେ ଥିବା ଭିଡ଼ ଦେଖି ଆମେ କିପରି ବସ୍ ଭିତରକୁ ଉଠିବୁ ବୋଲି ଚିନ୍ତାରେ ପଡିଗଲୁ। ଯାହାହେଉ କଣ୍ଡକ୍ଟର ଗେଟ୍ ପାଖରେ ଭିଡ଼ କରିଥିବା ଲୋକମାନଙ୍କୁ ଶୃଙ୍ଖଳିତ କରି ଆମକୁ ବସ୍ ଭିତରକୁ ଚଢେଇଦେଲା। ଏକଘଣ୍ଟା ପରେ ବସଟି ତାଙ୍କ ଗାଁ ବସ୍ ଷ୍ଟପରେ ପହଞ୍ଚିଲା। ମୁଁ ଭିଡ଼ ଭିତରେ ତରତର ହୋଇ ବାହାରିବାକୁ ଚେଷ୍ଟା କଲା ବେଳକୁ ସେ ମୋତେ କହିଲେ , କିଛି ବ୍ୟସ୍ତ ହୁଅନି। ବସ୍ ଏହିଠାରେ ରହିବ। ତାପରେ ବସରୁ ଭିଡ଼ କମିବା ପରେ ଆମେ ଦୁଇ ବନ୍ଧୁ ବସରୁ ଓହ୍ଲାଇ ତାଙ୍କ ଘରକୁ ଚାଲିଲୁ। ନଦୀକୂଳରେ ଅବସ୍ଥିତ ଥିବା ତାଙ୍କର ସେହି ଗାଆଁଟିର ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରକୃତରେ ଅତି ମନୋରମ ଥିଲା। ଗାଆଁ ଦାଣ୍ଡ ଦେଇ ଗଲାବେଳେ ଗାଆଁର ଲୋକମାନଙ୍କ ସହିତ ସେ ମୋତେ ପରିଚିତ କରାଇ ଦେଉଥିଲେ। ସେ କିଛି ଦିନ ହେଲା ଗାଁକୁ ଆସି ନଥିବାରୁ ବାଟରେ ଅଟକି ଗାଁ ଲୋକମାନଙ୍କୁ ସେମାନଙ୍କର ଭଲମନ୍ଦ ପଚାରି ବୁଝୁଥିଲେ। ଗାଁ ଲୋକମାନେ ମଧ୍ୟ ହସହସ ମୁହଁରେ ମନଖୋଲି ତାଙ୍କ ସହିତ ବାର୍ତ୍ତାଳାପ କରୁଥିଲେ। କଲେଜରେ ତାଙ୍କ ସହିତ ଅଳ୍ପଦିନର ବନ୍ଧୁତା ଭିତରେ ସେ ଯେ ଜଣେ ମେଳାପୀ ଲୋକ ଏକଥା ମୁଁ ଜାଣିଥିଲି। କିନ୍ତୁ ସେଦିନ ତାଙ୍କ ଘରକୁ ଯିବା ସମୟରେ ତାଙ୍କ ଗାଁ ଦାଣ୍ଡରେ ଲୋକମାନଙ୍କର ତାଙ୍କ ସହିତ ମିଶିବା ଦେଖି ମୋର ତାଙ୍କ ବିଷୟରେ ହୋଇଥିବା ସେହି ଧାରଣା ଦୃଢ଼ୀଭୂତ ହୋଇ ଯାଇଥିଲା। ଏହିପରି ଗାଁ ଲୋକମାନଙ୍କ ସହିତ ହସଖୁସିରେ ଗପସପ କରୁକରୁ ଆମ୍ଭେ ଆସି ତାଙ୍କ ଘରେ ପହଞ୍ଚି ଯାଇଥିଲୁ। ପ୍ରଥମେ ମୋତେ ସେ ତାଙ୍କ ପରିବାରର ସଦସ୍ୟ ମାନଙ୍କ ସହିତ ପରିଚୟ କରେଇଦେଲେ। ମୁଁ ପ୍ରଥମ ଥର ପାଇଁ ସେମାନଙ୍କୁ ଭେଟୁଥିଲେ ମଧ୍ୟ ଟ୍ରେନରେ ଆସିଲା ବେଳେ ସେ ତାଙ୍କ ପରିବାରର ସମସ୍ତ ସଦସ୍ୟ ମାନଙ୍କ ବିଷୟରେ ମୋତେ ଯେଉଁ ବିସ୍ତୃତ ବିବରଣୀ ଦେଇଥିଲେ ସେଇଥିରୁ ସେମାନଙ୍କ ସହିତ ଆଗରୁ ଯେପରି ମୋର ଜଣାଶୁଣା ଅଛି ବୋଲି ମୋତେ ଲାଗୁଥାଏ। ତାଙ୍କ ପରିବାରର ସମସ୍ତେ ଖୁବ୍ କମ୍ ସମୟ ଭିତରେ ମୋ ସହିତ ମିଶି ଯାଇଥିଲେ। ତେଣୁ ଅଳ୍ପ ସମୟ ମଧ୍ୟରେ ମୁଁ ତାଙ୍କ ପରିବାରର ଜଣେ ସଦସ୍ୟ ହୋଇ ଯାଇଥିଲି। ମଧ୍ୟାହ୍ନ ଭୋଜନର ସମୟ ହୋଇ ଯାଇଥିବାରୁ ସମସ୍ତେ ମୋର ଖାଇବା ବ୍ୟବସ୍ଥା କରିବାକୁ ଖୁସିରେ ଲାଗି ପଡ଼ିଲେ। ବନ୍ଧୁ ମଧ୍ୟ ମୋ ନିକଟରେ ଖାଇବା ପାଇଁ ବସିଲେ। ଖାଇବା ମଝିରେ ଆଉ ମୋର କଣ ଦରକାର ବୋଲି ସେ ମୋତେ ବାରମ୍ବାର ପଚାରୁଥାନ୍ତି। ସେମାନଙ୍କର ଆତିଥେୟତା ଦେଖି ମୁଁ ଆନନ୍ଦରେ ଅଭିଭୂତ ହୋଇ ଯାଇଥାଏ। ଖାଇ ସାରିବା ପରେ ଘର ଦୁଆରକୁ ଲାଗିଥିବା ଗୋଟିଏ ଘରେ ସେ ମୋର ବିଶ୍ରାମ ନେବାର ବ୍ୟବସ୍ଥା କରିଦେଲେ। ସେହିଠାରେ ଶୋଇ ସେ ଘରର ଝରକା ପଟେ ବାହାରକୁ ଲକ୍ଷ୍ୟ କରୁ କରୁ ଝରକା ଦେଇ ବହୁଥିବା ସୁଲୁସୁଲିଆ ପବନରେ କେତେବେଳେ ଯେ ମୋ ଆଖିକୁ ନିଦ ଆସି ଯାଇଛି ସେକଥା ମୋତେ ଜଣାନାହିଁ। 

   ବନ୍ଧୁଙ୍କ ଡାକରେ ଯେତେବେଳେ ମୋ ନିଦ ଭାଙ୍ଗିଲା ସେତେବେଳକୁ ଛଅଟା ବାଜିଲାଣି। ସେ ମୋତେ କହିଲେ ଆସ !ଟିକେ ମେଲଣ ପଡ଼ିଆ ଆଡ଼ୁ ବୁଲି ଆସିବା। ତାପରେ ଦୁଇବନ୍ଧୁ ସାଥି ହୋଇ ମେଲଣ ପଡ଼ିଆ ଆଡ଼କୁ ବୁଲିବାକୁ ଗଲୁ। ଆଉ ଟିକେ ପରେ ମେଲଣ ହେବ। ଗାଁ ଶେଷ ମୁଣ୍ଡରେ ଥିବା ସେହି ମେଲଣ ପଡ଼ିଆଟି ପରିଷ୍କାର ପରିଚ୍ଛନ୍ନ ହେବା ସହିତ ସୁନ୍ଦର ଆଲୋକମାଳାରେ ସଜ୍ଜିତ ହୋଇଥାଏ। ସନ୍ଧ୍ୟା ପାଖେଇ ଆସୁଥାଏ। ପଡ଼ିଆ ଠାରୁ ଅନତି ଦୂରରେ ଥିବା ନଦୀଟିର ସାନ୍ଧ୍ୟ କାଳୀନ ଦୃଶ୍ୟ ଅତୀବ ମନୋରମ ଦେଖା ଯାଉଥାଏ। ନଦୀ ଆଡୁ ବହି ଆସୁଥିବା ସୁଲୁସୁଲିଆ ପବନ ଦେହ ଓ ମନକୁ ଏପରି ହାଲୁକା କରି ଦେଉଥାଏ ଯେ ସେ ସ୍ଥାନ ଛାଡି ଆସିବାକୁ ମୋଟେ ମନ ହେଉ ନଥାଏ। ସେଠାରେ ଥିବା ଗୋଟିଏ ପାନ ଦୋକାନ ଆଗରେ ପଡ଼ିଥିବା ବେଞ୍ଚଟି ଉପରେ ଦୁଇବନ୍ଧୁ ବସି ସେହି ମେଲଣ ପଡ଼ିଆର ଦୃଶ୍ୟକୁ ଉପଭୋଗ କରୁଥିଲୁ। ସନ୍ଧ୍ୟା ହେବା କ୍ଷଣି ଗୋଟିଏ ପରେ ଗୋଟିଏ ଦୋଳ ବିମାନ ମେଲଣପଡ଼ିଆକୁ ଆସିବାକୁ ଲାଗିଲେ। ପ୍ରତ୍ୟେକ ବିମାନରେ ଫୁଲହାରରେ ସୁସଜ୍ଜିତ ହୋଇଥିବା ରାଧାକୃଷ୍ଣଙ୍କର ମୂର୍ତ୍ତି ଶୋଭା ପାଉଥାଏ ଓ ବିମାନ ଭିତରେ ପେନ୍ଥା ପେନ୍ଥା ଆମ୍ବକଷି ଟଙ୍ଗା ହୋଇଥାଏ। ଖୋଳ କରତାଳ ଶବ୍ଦରେ ମେଲଣ ପଡ଼ିଆଟି ପ୍ରକମ୍ପିତ ହେବା ସହିତ ସେଠାରେ ଏକ ଭାବଭକ୍ତିର ପରିବେଶ ସୃଷ୍ଟି ହୋଇ ଯାଇଥାଏ। ପଡ଼ିଆରେ ଦୋଳବିମାନର ସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ଗାଁ ଲୋକମାନଙ୍କର ଗହଳି ମଧ୍ୟ ବଢ଼ିବାରେ ଲାଗିଥାଏ। ଆମେ ଦୁଇବନ୍ଧୁ ପଡ଼ିଆରେ ବୁଲି ପ୍ରତ୍ୟେକ ବିମାନର ଶୋଭାକୁ ଉପଭୋଗ କରୁଥାଉ। ସେଠାରେ ଉପସ୍ଥିତ ଥିବା ଗାଆଁର ଆବାଳ ବୃଦ୍ଧ ବନିତା ସମସ୍ତେ ଏକମନ ଓ ଏକପ୍ରାଣ ହୋଇ ହସଖୁସିରେ ଯେତେବେଳେ ସେହି ଦୋଳ ମେଲଣକୁ ଉପଭୋଗ କରୁଥିଲେ ସେତେବେଳେ ମୋର ବନ୍ଧୁ ମୋତେ ତାଙ୍କ ଗାଆଁର ଯେଉଁ ଭାଇଚାରା କଥା କହୁଥିଲେ ସେକଥାର ମହତ୍ଵକୁ ମୁଁ ମର୍ମେ ମର୍ମେ ଅନୁଭବ କରୁଥିଲି। ପ୍ରକୃତରେ ସେଦିନ ସନ୍ଧ୍ୟାରେ ନଈକୂଳିଆ ଧୀର ପବନର ଶୀତଳତା ଭିତରେ ରାଧାକୃଷ୍ଣଙ୍କ ବିମାନଗୁଡିକରେ ସୁଶୋଭିତ ସେହି ଦୋଳମେଲଣର ଦୃଶ୍ୟ ସବୁଦିନ ପାଇଁ ମୋ ମନ ଭିତରେ ଏକ ସୁନ୍ଦର ସ୍ମୃତି ହୋଇ ରହି ଯାଇଥିଲା। ସେହି କୋଳାହଳପୂର୍ଣ୍ଣ ଭାବଭକ୍ତିର ସୁନ୍ଦର ପରିବେଶ ମଧ୍ୟରେ ବୁଲୁବୁଲୁ କେତେବେଳେ ଯେ ଏତେ ସମୟ ବିତି ଯାଇଥିଲା ସେକଥା ଆମକୁ ଜଣା ପଡ଼ି ନଥିଲା। ଯେତେବେଳେ ମେଲଣ ସାରି ଦୋଳ ବିମାନ ସବୁ ଯିବା ପାଇଁ ସଜ ହେଲେ , ପୁଣି ଏକସଙ୍ଗରେ ଖୋଳ କରତାଳ ସବୁ ବାଜି ଉଠିଲା ଓ ଧୀରେ ଧୀରେ ବିମାନ ଗୁଡ଼ିକ ଗୋଟିଏ ପରେ ଗୋଟିଏ ଗାଁ ଦାଣ୍ଡ ଦେଇ ଫେରିବା ଆରମ୍ଭ କଲେ , ଲୋକମାନେ ବିମାନ ପଛେ ପଛେ ଘରକୁ ଫେରୁଥିଲେ ଓ ମେଲଣ ପଡ଼ିଆଟି ଆସ୍ତେ ଆସ୍ତେ ଶୂନ୍ୟତାରେ ଭରି ଆସୁଥିଲା। ଆମେ ଦୁଇବନ୍ଧୁ ମଧ୍ୟ ଘରକୁ ଫେରି ଆସିଲୁ।

    ସେତେବେଳକୁ ରାତି ନଅଟା ବାଜିଲାଣି। ଘରେ ପହଞ୍ଚିବା କ୍ଷଣି ବନ୍ଧୁ ଖୁବ୍ ବ୍ୟସ୍ତ ହୋଇ କହିଲେ , ଆରେ ତୁମକୁ ତ ଭୋକ ଲାଗିବଣି। ମେଲଣ ପଡ଼ିଆରେ ଏତେ ସମୟ ରହିବା ବୋଲି ଜାଣିଥିଲେ ଆମେ କିଛି ଜଳଖିଆ ଖାଇ ମେଲଣ ଦେଖି ଯାଇଥାନ୍ତେ। ଏହାକହି ସେ ଘର ଭିତରକୁ ଯାଇ ଦୋଳଭୋଗ ନେଇ ଆସିଲେ। ଦୁଇଜଣ ଯାକ ଭୋଗ ଖାଇ ସାରିବା ପରେ ଅନେକ ସମୟ ପର୍ଯ୍ୟନ୍ତ ତାଙ୍କ ଘରର ବାହାର ମେଲାରେ ବସି ଖୁସି ଗପ କଲୁ। ଏମିତି ସେଠାରେ ବସି ଗପ କରୁକରୁ ରାତି ସାଢ଼େ ଦଶଟା ବାଜି ସାରିଥିଲା।ବନ୍ଧୁ ମୋତେ ରାତ୍ରୀଭୋଜନ ପାଇଁ ଡାକିଲେ। କିନ୍ତୁ କିଛି ସମୟ ପୂର୍ବରୁ ମୁଁ ଦୋଳଭୋଗ ଖାଇ ଦେଇଥିବାରୁ ମୋତେ ଆଦୌ ଭୋକ ଲାଗୁ ନଥାଏ। ତେଣୁ ମୁଁ ଖାଇବା ପାଇଁ ମନାକଲି। ସେ କହିଲେ , ଆରେ ଅଳ୍ପ କିଛି ଖାଇନିଅ। ତା ନହେଲେ ରାତିରେ ଭୋକ ଲାଗିବ। କିନ୍ତୁ ସେ ମୋତେ ଯେତେ ବାଧ୍ୟ କଲେ ବି ସେତେବେଳେ ମୋର ଖାଇବାକୁ ଇଚ୍ଛା ନଥିବାରୁ ମୁଁ ଖାଇବା ପାଇଁ ମନା କରିଦେଲି। 

   ସେହି ବାହାର ମେଲାରେ ପଡ଼ିଥିବା ଖଟ ଉପରେ ମୋର ଶୋଇବା ବ୍ୟବସ୍ଥା ହୋଇଥାଏ। ବନ୍ଧୁ ମୋ ପାଖରେ ଗୋଟିଏ ପାଣିଢାଳରେ ଢାଳେ ପାଣି ଓ ଗ୍ଲାସଟିଏ ରଖିଦେଇ ମୋତେ ଶୁଭରାତ୍ରି ଜଣେଇ ଶୋଇବା ପାଇଁ ଚାଲିଗଲେ। ବାହାରକୁ ଖୋଲାଥିବା ଝରକା ଦେଇ ସୁନ୍ଦର ସୁଲୁସୁଲିଆ ପବନ ବହି ଆସୁଥାଏ । ସେହି ସୁଲୁସୁଲିଆ ଥଣ୍ଡା ପବନରେ ଧିରେ ଧିରେ ମୋ ଆଖି ମୁଦି ହୋଇ ଯାଇଥିଲା। 

   କିଛି ସମୟ ଶୋଇବା ପରେ ହଠାତ୍ ପେଟରେ ମୁଁ ଏକ ଯନ୍ତ୍ରଣା ଅନୁଭବ କଲି ଓ ମୋ ନିଦ ଭାଙ୍ଗିଗଲା। ଏ ଯନ୍ତ୍ରଣା ଅନ୍ୟ କିଛି ନଥିଲା ଏହା ଥିଲା ଭୋକର ଯନ୍ତ୍ରଣା। ରାତି ନଅଟାରେ ଖଇ , ଉଖୁଡା ଆଦି ଦୋଳଭୋଗ ଖାଇଥିବାରୁ ରାତି ସାଢ଼େ ଦଶଟାରେ ମୋତେ ଭୋକ ଲାଗୁ ନଥିଲା। ତେଣୁ ବନ୍ଧୁ ଯେତେବେଳେ ମୋତେ ରାତ୍ରି ଭୋଜନ କରିବା ପାଇଁ କହିଲେ ମୁଁ ମନା କରି ଦେଇଥିଲି। କିନ୍ତୁ ସେ ହାଲୁକା ଖାଦ୍ୟ ଯେ ଏତେ ଶୀଘ୍ର ହଜମ ହୋଇ ପେଟଟା ଖାଲି ହୋଇଯିବ ଓ ରାତି ଅଧରେ ପେଟର ଭୋକଟା ମୋ ଉପରେ ଏମିତି ଦାଉ ସାଧିବ ଏକଥା ସେତେବେଳେ ମୁଁ ମୋଟେ ଅନୁମାନ କରି ପାରି ନଥିଲି। ପାଖରେ ଥିବା ଟର୍ଚ୍ଚଟା ମାରି ଦେଖିଲି ଯେ ହାତଘଣ୍ଟାରେ ରାତି ବାରଟା ବାଜିଛି। ଶେଯରୁ ଉଠି ଲାଇଟ୍ ଲଗେଇଲି। ପାଖରେ ଥିବା ପାଣି ଢାଳରୁ ଗ୍ଲାସରେ ପାଣି ଅଜାଡ଼ି ପିଇଲି। ଭାବିଲି କିଛି ପାଣି ପିଇଦେଲେ ପେଟର ଭୋକଟା ଅନ୍ତତଃ ଟିକେ ଶାନ୍ତ ପଡିଯିବ। ତାପରେ ଲାଇଟ୍ ଲିଭେଇ ଶୋଇବାକୁ ଚେଷ୍ଟା କଲି। କିନ୍ତୁ ଆଖିକୁ ନିଦ ଆସିବ କଣ ବରଂ ବେଳକୁ ବେଳ ସେ ଭୋକର ଯନ୍ତ୍ରଣା ଆହୁରି ବଢ଼ିବାକୁ ଲାଗିଲା ଓ ମୋ ଆଖିରୁ ନିଦ କୁଆଡେ଼ ପୁରାପୁରି ହଜିଗଲା। ପୁଣି ଶେଯରୁ ଉଠି ବସିଲି ଓ ଢାଳରେ ଥିବା ବାକିତକ ପାଣିକୁ ଢାଳରେ ମୁହଁ ଲଗେଇ ଢକ ଢକ କରି ପିଇଦେଲି। କାଳେ ଏ ଭୋକରୁ କ୍ଷାନ୍ତି ମିଳିବ ଓ ଆଖିକୁ ନିଦ ଆସିଯିବ। ତାପରେ ପୁଣି ଶୋଇବା ପାଇଁ ଚେଷ୍ଟା କଲି। କିଛି ଲାଭ ହେଲା ନାହିଁ , ପେଟର ଭୋକ ମୋ ଉପରେ ଅଧିକରୁ ଅଧିକ ଦାଉ ସାଧିବାକୁ ଲାଗିଲା। ନିଜ ଘରେ ଯେ ଆଗରୁ ମୋତେ ଏମିତି ରାତି ଅଧରେ କେବେ ଭୋକ ଲାଗିନି ସେକଥା ନୁହେଁ। ଯଦି କୌଣସି ଦିନ ରାତିରେ ଠିକ୍ ଭାବରେ ଖାଇ ନଥିବା କାରଣରୁ ରାତି ଅଧରେ ମୋତେ ଏମିତି ଭୋକ ଲାଗେ ତାହେଲେ ମୁଁ ରାତିରେ ଉଠି ବିସ୍କୁଟ କି ଫଳ ଯାହାକିଛି ଘରେ ଥାଏ ଖାଇ ଦେଇଥାଏ ଯେଉଁଥିପାଇଁ ଭୋକର ଯନ୍ତ୍ରଣା କ'ଣ ତାହା ମୁଁ ଜାଣି ପାରି ନଥାଏ। କିନ୍ତୁ ଏଠିତ ପ୍ରଥମ ଥର ପାଇଁ ମୁଁ ଜଣେ ବନ୍ଧୁଙ୍କ ସହିତ ତାଙ୍କ ଘରକୁ ଆସିଛି। ଏଠି କ'ଣ କରିବି ? ନା ଏଠି ରାତି ଅଧରେ କାହାକୁ ଡାକି ପାରିବି ନା ମୋତେ କଣ ଖାଇବାକୁ ଦିଅ ବୋଲି କହି ପାରିବି। ତେଣୁ ରାତି ପାହିବା ପର୍ଯ୍ୟନ୍ତ ଅପେକ୍ଷା କରିବା ବ୍ୟତୀତ ମୋ ପାଖରେ ଅନ୍ୟ କିଛି ଉପାୟ ନଥିଲା। କିନ୍ତୁ ପେଟର ଭୋକ ସତେ ଯେମିତି ରାତି ପାହିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଆଦୌ ପ୍ରସ୍ତୁତ ନଥିଲା। ରାତିର ବୟସ ବଢ଼ିବା ସହିତ ସେହି ଭୋକର ଯନ୍ତ୍ରଣା ବଢ଼ି ଚାଲିଥିଲା। ମୁଁ ଖାଲି ଶେଯରେ ଶୋଉଥାଏ ଓ ପୁଣି ଉଠି ବସୁଥାଏ। ମୋତେ ଲାଗୁଥାଏ ସମୟଟା ଯେପରି ଖୁବ୍ ଧୀରେ ଧୀରେ ଗତି କରୁଛି। ପାଞ୍ଚ ମିନିଟ୍ ଗଲାବେଳକୁ ମୋତେ ଯେପରି ଗୋଟିଏ ଘଣ୍ଟା ଗଲା ଭଳି ଲାଗୁଥାଏ। ସେଦିନ ବନ୍ଧୁଙ୍କ ଘରେ ସମସ୍ତେ ଯେତେବେଳେ ନିଶ୍ଚିନ୍ତରେ ଶୋଇ ଯାଇଥିଲେ ମୁଁ ଯେ ଭୋକର କି ଯନ୍ତ୍ରଣା ଅନୁଭବ କରୁଥିଲି ସେକଥା କେବଳ ମୁଁ ହିଁ ଜାଣେ। ସେହି ଯନ୍ତ୍ରଣାକୁ କେବଳ ଅନୁଭବ କରିହୁଏ , କାହା ଆଗରେ କହି ହୁଏନାହିଁ କି କାଗଜ କଲମରେ ଲେଖି ହୁଏନାହିଁ। ଗୋଟିଏ ପଟେ ଭୋକର ଜ୍ଵାଳାରେ ନିଦ ତ ଆସୁ ନଥାଏ , ଅନ୍ୟପଟେ ସେହି ଭୋକର ଯନ୍ତ୍ରଣା ଯୋଗୁଁ ଦେହହାତ ଯେମିତି ଝିମଝିମ ହୋଇ ଯାଉଥାଏ ଓ ମୁଣ୍ଡ ବୁଲାଇ ଦେଉଥାଏ। ଆଗରୁ ଏଭଳି ଭୋକର ଯନ୍ତ୍ରଣା ମୋତେ କେବେ ସହିବାକୁ ହୋଇ ନଥିଲା। ତେଣୁ ମୋତେ ଭାରି କଷ୍ଟ ହେଉଥିଲା। କିନ୍ତୁ ଭୋକର ସେହି ଭୀଷଣ ଯନ୍ତ୍ରଣାରେ ଛଟପଟ ହେବା ବ୍ୟତୀତ ମୋ ପାଖରେ ଅନ୍ୟ କିଛି ଉପାୟ ନଥିଲା। ମୁଁ ଆଉ ଭୋକ ସହି ପାରୁ ନଥିଲି। ମନେମନେ ଭାବୁଥିଲି କୌଣସି କାରଣରୁ ବନ୍ଧୁ ଯଦି ଉଠି ବାହାରକୁ ଆସନ୍ତେ ତାହେଲେ ଲାଜ ନକରି ତାଙ୍କୁ ଏକଥା କହନ୍ତି। ସେ ନିଶ୍ଚିତ ଭାବରେ ମୋ ପାଇଁ କିଛି ଖାଇବା ବ୍ୟବସ୍ଥା କରନ୍ତେ। ତାହେଲେ ମୁଁ ଏ ଭୋକର ଦାଉରୁ ମୁକ୍ତି ପାଆନ୍ତି ଓ ମୋ ଆଖିକୁ ଅନ୍ତତଃ ଟିକେ ନିଦ ଆସି ଯାଆନ୍ତା। କିନ୍ତୁ ସେମିତି କିଛି ହେଲାନାହିଁ । ବନ୍ଧୁ ବାହାରକୁ ଆସିଲେନି କି ମୋତେ ତାଙ୍କୁ ଏହି ଅସୁବିଧା ଜଣେଇବାର ସୁଯୋଗ ବି ମିଳିଲାନି। ନୂଆ ଜାଗା ହେଲେ ବି ଅସୁବିଧାଟା ଅନ୍ୟ କୌଣସି ଶାରୀରିକ ଅସୁସ୍ଥତା ଜନିତ ହୋଇଥିଲେ ଯେତେ ରାତି ଯେଉଁ ପଛେ ମୁଁ ବାଧ୍ୟ ହୋଇ ତାଙ୍କୁ ଡାକିଥାନ୍ତି। କିନ୍ତୁ ଏଇ କାରଣ ପାଇଁ ଏତେ ରାତିରେ ଜଣେ ଭଦ୍ରଲୋକଙ୍କୁ ଡାକି ନିଦରୁ ଉଠେଇବା କେବେ ଭଦ୍ରାମିର ପରିଚାୟକ ନୁହେଁ। ଅବଶ୍ୟ ତାଙ୍କୁ ମୁଁ ଯେତିକି ଜାଣିଛି ସେ ଖୁବ୍ ଖୋଲା ମିଜାସର ଲୋକ। ତାଙ୍କୁ ଡାକିଲେ ସେ କିଛି ମନେ କରିବେ ନାହିଁ। କିନ୍ତୁ ଏହି କାରଣ ପାଇଁ ତାଙ୍କୁ ନିଦରୁ ଉଠେଇବାକୁ ମୋର ବିବେକ କାହିଁକି ସେଦିନ ମୋତେ ମୋଟେ ଅନୁମତି ଦେଉ ନଥିଲା। ଭୋକର ସେହି ଯନ୍ତ୍ରଣା ଭିତରେ ମୁଁ ଖାଲି ରାତି ପାହିବାକୁ ଅପେକ୍ଷା କରିଥିଲି। ପାଖରେ ଘଣ୍ଟା ଥିଲେବି ରାତି କେତେବେଳେ ପାହିବ ବୋଲି ବ୍ୟସ୍ତ ହୋଇ ମୁଁ ବାରମ୍ବାର ଶୋଇଥିବା ଘରର ଝରକା ଦେଇ ବାହାରକୁ ଚାହୁଁଥିଲି। କିନ୍ତୁ ସେଦିନ ସତେ ଯେମିତି ରାତିଟା ପାହିବାର ନାଁ ଧରୁ ନଥିଲା। ଭୋକରେ ଆଉଟୁପାଉଟୁ ହୋଇ ଖଟ ଉପରେ ଉଠ ପଡ ହେବା ଛଡ଼ା ମୋ ପାଖରେ ଅନ୍ୟ କିଛି ଉପାୟ ବି ନଥିଲା। ସେତେବେଳେ ଆଉ ଅନ୍ୟ କେଉଁଆଡ଼କୁ ମୋ ମନ ଯାଉ ନଥିଲା। ସବୁକିଛି ମୋତେ ବିଷ ପରି ଲାଗୁଥିଲା। ସେତେବେଳେ ମୋ ମନରେ ଯେଉଁ ଗୋଟିଏ ଚିନ୍ତା ରାଜତ୍ଵ କରୁଥିଲା ତାହା ହେଉଛି ରାତି କେତେବେଳେ ପାହିବ ଓ ବନ୍ଧୁଙ୍କ ସହିତ ମୋର ଦେଖା ହେବ। ମୁଁ ସିନା ରାତି ପାହିବା ପାଇଁ ତରତର ହେଉଥିଲି। କିନ୍ତୁ ରାତି ତ ପାହିବାକୁ ତରତର ହେଉ ନଥିଲା ନା। ସେ ତାର ଚିରାଚରିତ ଗତିରେ ସବୁଦିନ ପରି ଧିରେ ଧିରେ ଆଗକୁ ପାଦ ବଢ଼ାଉଥିଲା ଯଦିଓ ତାର ସେହି ଗତି ବେଳକୁ ବେଳ ମୋ ପାଇଁ ଅସହ୍ୟ ଓ ବିରକ୍ତିକର ହୋଇ ଉଠୁଥିଲା। ଏହିପରି ଭୋକ ଯନ୍ତ୍ରଣାରେ ଛଟପଟ ହୋଇ ଖଟଟା ଉପରେ ଉପରକୁ ଚାହିଁ ପଡ଼ି ରହିଥିବା ଭିତରେ ମୋର ପ୍ରତୀକ୍ଷାର ଅନ୍ତ ଘଟିଲା। ବାହାରେ ଚଢ଼େଇ ମାନଙ୍କର ବୋବେଇବା ଶବ୍ଦ ରାତି ପାହି ଆସିବାର ସୂଚନା ଦେଲା। ମୁଁ ଯେଉଁ ସମୟକୁ ଅପେକ୍ଷା କରିଥିଲି ସେହି ପ୍ରତୀକ୍ଷିତ ସମୟ ପାଖେଇ ଆସୁଥିବାରୁ ମୋ ମନରେ ଆଶାର ସଞ୍ଚାର ହେଲା। ପ୍ରକୃତ ସୁଖ ଆସିବା ଆଗରୁ ସୁଖ ପାଇବାର ଆଶାରୁ ମିଳୁଥିବା ଆନନ୍ଦ ପରି ରାତି ପାହିଲେ ଏ ଭୋକର ଦାଉରୁ ନିସ୍ତାର ପାଇବି ବୋଲି ଆଶା କରି ମୁଁ କିଛିକ୍ଷଣ ପାଇଁ ମୋ ପେଟର ଭୋକ ଯନ୍ତ୍ରଣାକୁ ଭୁଲି ମନେ ମନେ ଖୁସି ହୋଇ ଯାଇଥିଲି। 

  ଚଢ଼େଇ ମାନଙ୍କ କିଚିରିମିଚିରି ଶବ୍ଦ ଭିତରେ ଧିରେ ଧିରେ ରାତି ପାହିବାକୁ ଲାଗିଲା। ଚାରିଆଡ଼େ ଫର୍ଚା ଦେଖାଗଲା। ଦୁଆରେ ଥିବା ପାଇପ ପାଖକୁ ଯାଇ ମୁହଁ ଧୋଇଲି ଓ ପାଖରେ ଥିବା ବାଥରୁମରେ ସକାଳର ନିତ୍ୟକର୍ମ ସାରିଦେଲି। ଏତିକିବେଳେ ବନ୍ଧୁଙ୍କର ବଡ଼ବାପା ଦାଣ୍ଡ କବାଟ ଖୋଲି ବାହାରକୁ ଆସିଲେ। ତାଙ୍କୁ ପଚାରିଲି , ଆଜ୍ଞା ! ସାର୍ କଣ ଉଠିଲେଣି ? ସେ କହିଲେ , ନାଇଁ ମ ପୁଅ ! ସେ ଉଠିନି। କାହିଁକି ? ତୁମ୍ଭର କଣ କିଛି ଦରକାର ଥିଲା କି ? ମୁଁ ତାଙ୍କୁ ବା କଣ କହିବି ? ତାଙ୍କୁ କିପରି କହିବି ଯେ ଭୋକରେ ମୁଁ ରାତିସାରା ଶୋଇ ପାରି ନାହିଁ। ମୋର କିଛି ଖାଇବାକୁ ଦରକାର। କହିଲି , ନା ! ନା ! ମୁଁ ଏମିତି ପଚାରୁଥିଲି।' ହଉ ' କହି ସେ ପୁଣି ଘର ଭିତରକୁ ଚାଲିଗଲେ। ମୁଁ ଯାଇ ଖଟଟା ଉପରେ ପୁଣି ବସି ରହିଲି। ରାତି ପାହିଗଲା ସିନା , କିନ୍ତୁ ମୋର ଅବସ୍ଥା ଯାହା ସେଇଆ। ବନ୍ଧୁଙ୍କ ଘରର ଅନ୍ୟ ସଦସ୍ୟମାନେ ଉଠି ବାହାରକୁ ଆସୁଥିଲେ ମଧ୍ୟ ସେ ନ ଉଠିବା ପର୍ଯ୍ୟନ୍ତ ମୁଁ କାହାରିକୁ କିଛି କହି ପାରୁ ନଥିଲି। ରାତିରେ ସିନା ରାତି ପାହିବାକୁ ବ୍ୟସ୍ତ ହୋଇ ଅପେକ୍ଷା କରିଥିଲି। ଏବେ କିନ୍ତୁ ରାତି ପାହିଲା ପରେ ବନ୍ଧୁଙ୍କ ଉଠିବାକୁ ଅପେକ୍ଷା କରିବା ବ୍ୟତୀତ ମୋ ପାଖରେ ଅନ୍ୟ କିଛି ଉପାୟ ନଥିଲା। 

  ଏହି ସମୟରେ ଘର ଭିତରୁ ବନ୍ଧୁଙ୍କ ପାଟି ଶୁଭିଲା। ସେ ଉଠି ପ୍ରଥମେ ମୋ ପାଖକୁ ଆସିଲେ ଓ କହିଲେ , କାଲି ରାତିରେ ଶୋଇବାରେ କିଛି ଅସୁବିଧା ହୋଇନାହିଁ ତ ? ଭଲ ନିଦ ହେଲା ତ ? ମୁଁ ତାଙ୍କର ଏ ପ୍ରଶ୍ନର କି ଉତ୍ତର ଦେବି ଜାଣି ପାରୁ ନଥିଲି। ଯେଉଁ କଥାଟା କହିବି ବୋଲି ତାଙ୍କ ଉଠିବାକୁ ପ୍ରତୀକ୍ଷା କରି ମୁଁ ଏ ପର୍ଯ୍ୟନ୍ତ ବସି ରହିଥିଲି ତାଙ୍କୁ ସମ୍ମୁଖରେ ଦେଖିଲା ପରେ ସେ କଥାଟାକୁ କିପରି ଭାବେ ତାଙ୍କ ଆଗରେ ଉପସ୍ଥାପନ କରିବି କିଛି ଜାଣି ପାରୁ ନଥିଲି। ଭୋକ ଲାଗିବା କାରଣରୁ ମୋତେ ରାତିରେ ନିଦ ହୋଇନାହିଁ ବୋଲି ଯଦି ସିଧାସିଧା କଥାଟାକୁ କହିଦିଏ ତାହେଲେ ସେ ନିଶ୍ଚୟ ବିରକ୍ତ ହେବେ ଓ କହିବେ ," ଆରେ !ତୁମେ ମୋତେ ରାତିରେ ଡାକିଲ ନାହିଁ କାହିଁକି ? ତୁମେ କଣ ଭାବିଲ ରାତିରେ ଡ଼ାକିଲେ ମୋ ନିଦ ଭାଙ୍ଗିଯିବ ଓ ମୁଁ ମନେମନେ ବିରକ୍ତ ହେବି ?" ତାପରେ ଏକଥାଟା ତ ତାଙ୍କ ସ୍ତରରେ ସୀମିତ ହୋଇ ରହିବ ନାହିଁ। କାରଣ ମୁଁ ତାଙ୍କୁ ଯେତିକି ଜାଣିଛି ସେ ଯେଉଁପରି ଖୋଲାଲୋକ ସେ ଏଉଠୁ ବଡ଼ ପାଟି କରି ଭାଉଜଙ୍କୁ ଡାକି କହିବେ , ଆରେ ! କଣ ଟିକେ ଖାଇବାକୁ ଆଣିଲ। ସାରଙ୍କୁ ଭୋକ ଲାଗିଲାଣି। ତେଣୁ ଏକଥା ତାଙ୍କ ପରିବାରର ଅନ୍ୟମାନେ ବି ଜାଣିଯିବେ। ଭାବିବେ ଏ ପର୍ଯ୍ୟନ୍ତ ଆମଘରର ବାସିକାମ ସରିନି। କଣ ଏତେ ସକାଳୁ ସକାଳୁ ୟାଙ୍କୁ ଭୋକ ଲାଗିଲାଣି। ତେଣୁ ମୁଁ କଣ କରିବି ସ୍ଥିର କରି ନପାରି ଯାହା କହିବା କଥା ତାହା ଆଉ କହି ପାରିଲି ନାହିଁ। ବରଂ ଲୋକଲଜ୍ଜା ଭୟରେ ହରବର ହୋଇ ନିଜର ଅନିଚ୍ଛା ସତ୍ତ୍ବେ ଛୋଟିଆ 'ହଁ' ଟିଏ ମାରିଦେଲି। ମୋର ଏହି ଛୋଟିଆ 'ହଁ' ଟା ମୋର କାଲିରାତିର ସେହି ଅସୁବିଧାକୁ ବନ୍ଧୁଙ୍କ ଆଗରେ ପ୍ରକାଶ କରିବାର ସମସ୍ତ ରାସ୍ତାକୁ ବନ୍ଦ କରି ଦେଇଥିଲା ଓ ପ୍ରମାଣ କରି ଦେଇଥିଲା ଯେ ମୁଁ କାଲି ରାତିରେ ସୁନିଦ୍ରା ଯାଇଥିଲି। ସେ କହିଲେ , ଶୁଣ ! ସକାଳୁ ସକାଳୁ ନଈକୂଳିଆ ଖୋଲା ପବନରେ ବୁଲି ଆସିଲେ ମନଟା ଭାରି ଫୁର୍ତ୍ତି ଲାଗିବ। ଚାଲ ! ନଈକୂଳ ଆଡ଼ୁ ଘେରାଏ ବୁଲି ଆସିବା। ସିଆଡେ ସକାଳର ନିତ୍ୟକର୍ମଟା ବି ସାରିଦେବା। ବୁଝିଲ ! ମୁଁ ଗାଆଁକୁ ଯେତେବେଳେ ଆସେ ସକାଳୁ ଉଠି ନଈକୂଳ ଆଡ଼େ ଘେରାଏ ବୁଲି ନ ଆସିଲେ ମୋତେ ଯମା ଭଲ ଲାଗେନାହିଁ। ଆମେ ସେପଟୁ ବୁଲି ଆସିଲା ବେଳକୁ ତୁମ ଭାଉଜ ଏପଟେ ସକାଳ ଜଳଖିଆ ତିଆରି କରି ସାରିଥିବେ। ଜଳଖିଆ ଖାଇସାରି ଆମେ ଗାଁ ଆଡ଼େ ଟିକେ ବୁଲିବାକୁ ଯିବା। କାଲି ଦୋଳ ମେଲଣ ନେଇ ସମସ୍ତେ ବ୍ୟସ୍ତ ଥିବାରୁ ଅନେକ ସାଙ୍ଗସାଥିଙ୍କ ସହ ମୋର କାଲି ଦେଖା ହୋଇ ପାରିନାହିଁ। ଆଛା ! କଣ ଜଳଖିଆ ଖାଇବ କହିଲ ? ମୁଁ ତୁମ ଭାଉଜଙ୍କୁ ସେକଥା କହି ଦେଇ ଯିବି। ତାଙ୍କ ମୁହଁରୁ ଜଳଖିଆ ଖାଇବା କଥା ଶୁଣି ମୋତେ ସତରେ ଯେମିତି କୋଟିନିଧି ପାଇଲା ପରି ଲାଗୁଥାଏ। ମୁଁ ଖାଲି ମନେମନେ ଭାବୁଥାଏ ସେ ନଈକୂଳ ଆଡ଼େ ବୁଲିବାକୁ ଯିବା କଥା ନକହି ଏବେ ଯଦି ଜଳଖିଆ ଖାଇବା କଥା କୁହନ୍ତେ ତାହେଲେ ମୋ ଭୋକର ଜ୍ଵାଳାଟା ଅନ୍ତତଃ ପ୍ରଶମିତ ହୋଇ ଯାଆନ୍ତା। କିନ୍ତୁ ସେମିତି ହେବାର କିଛି ସମ୍ଭାବନା ହିଁ ନଥିଲା। କାଳେ କିଏ କଣ ଭାବିବେ ବୋଲି ଚିନ୍ତା କରି ତାଙ୍କ ଆଗରେ ମୋ ଅସୁବିଧାଟା ପ୍ରକାଶ ନ କରିବାଟା ଏବଂ ରାତିରେ ସୁନିଦ୍ରା ହୋଇଥିଲା ବୋଲି ସ୍ଵୀକାର କରି ସୌଜନ୍ୟମୂଳକ 'ହଁ' ମାରି ଦେବାଟା ସେହି ସମ୍ଭାବନା ପଥରେ ପ୍ରତିବନ୍ଧକ ହୋଇ ସାରିଥିଲା। ସେ ପଚାରିଲେ , ଆରେ କଣ ଜଳଖିଆ ହେଲେ ତୁମ୍ଭଙ୍କୁ ଭଲ ଲାଗିବ କହିଲନି ଯେ ? ଯାହା ପେଟ ଭୋକରେ ଜଳୁଛି ତା ପାଇଁ ସେତେବେଳେ ଏ ପ୍ରଶ୍ନର କିଛି ଯଥାର୍ଥତା ନଥିଲା। ମୁଁ କହିଲି , ସେମିତି କିଛି ନାହିଁ ସାର୍। ଯାହାହେଲେ ବି ଚଳିବ। ସେ କହିଲେ , ହଉ ! ଠିକ୍ ଅଛି। ତାହେଲେ ଚାଲ ! ନଈକୂଳ ଆଡ଼େ ଯିବା। ସେତେବେଳେ ତାଙ୍କ ସହିତ ଯିବା ବ୍ୟତୀତ ମୋର ଆଉ ଅନ୍ୟ କିଛି ଚାରା ନଥିଲା। 

      ରାତିରେ ନିଦ ହୋଇ ନଥିବା କାରଣରୁ ଓ ଖାଲି ପେଟ ଯୋଗୁଁ ମୋତେ ଖୁବ୍ ହାଲିଆ ଲାଗୁଥାଏ। ଯିବାକୁ ଆଦୌ ମନ ଚାହୁଁ ନଥାଏ। କିନ୍ତୁ କଣ କରିବି। ଯିବାକୁ ତ ପଡ଼ିବ। ସେତେବେଳକୁ ମୁଁ ଖାଲି ଭାବୁଥାଏ ନଈକୂଳ ଆଡ଼େ ଯିବାଟା ଯଦି ଥୟ ତାହେଲେ ଯେତେ ଶୀଘ୍ର ସମ୍ଭବ ସେଆଡୁ ଯାଇ ବୁଲି ଆସିଲେ ସ୍ଵତପ୍ରବୃତ୍ତ ଭାବେ ବନ୍ଧୁ ମୋତେ ଜଳଖିଆ ଖାଇବାକୁ ଡ଼ାକିବେ ଓ ତାଙ୍କ ଆଗରେ ମୋତେ ଆଉ ଏକଥା ପ୍ରକାଶ କରିବାକୁ ପଡ଼ିବନି। ମୁଁ କହିଲି ହଉ ସାର୍। ଚାଲନ୍ତୁ ଏବେ ଯିବା। ତାପରେ ଭୋକର ଯନ୍ତ୍ରଣାକୁ ଚାପି ରଖି ତାଙ୍କ ସହିତ ନଈକୂଳକୁ ଚାଲିଲି। ମୋର ତ ଯିବାପାଇଁ କୌଣସି ଆଗ୍ରହ ନଥାଏ। ମୁଁ ଖାଲି ଚାହୁଁଥାଏ କେମିତି ଶୀଘ୍ର ଯାଇ ନଈକୂଳରୁ ଫେରି ଆସିବୁ। ମୁଁ ଯେତେ ତରତର ହୋଇ ପାଦ ପକାଇଲେ ମଧ୍ୟ ସେ ବହୁତ ପଛରେ ରହି ଯାଉଥାନ୍ତି। କାରଣ ମୁଁ ସିନା ଶୀଘ୍ର ଫେରି ଜଳଖିଆ ଖାଇବା ପାଇଁ ତରତର ହେଉଥିଲି। ତାଙ୍କର ତ ସେମିତି କିଛି ବାଧ୍ୟ ବାଧକତା ନଥିଲା ନା। ସେ ଗଲାବେଳେ ତାଙ୍କର ସ୍ଵାଭାବିକ ଢ଼ଙ୍ଗରେ ଗାଆଁ ଲୋକମାନଙ୍କ ସହିତ ମଧୁର ଆଳାପ କରିବା ସହ ସକାଳର ଗାଁ ପରିବେଶକୁ ଉପଭୋଗ କରି କରି ମୋ ପଛେ ପଛେ ଧିରେ ଧିରେ ଚାଲୁଥିଲେ। କିଛି ବାଟ ଆଗକୁ ଚାଲିଯିବା ପରେ ମୁଁ ବାଧ୍ୟ ହୋଇ ପୁଣି ତାଙ୍କ ପାଇଁ ଅପେକ୍ଷା କରୁଥିଲି। ସମୟେ ସମୟେ କାହା ସହିତ ଠିଆ ହୋଇ କଥା ହେଲାବେଳେ ସେ ମୋତେ ପଛରୁ ଡାକି କହୁଥିଲେ , ଆରେ ! ଆସ ଆସ। ୟାଙ୍କ ସହିତ ତୁମକୁ ପରିଚୟ କରାଇ ଦିଏଁ। ମୁଁ ବାଧ୍ୟ ହୋଇ ପୁଣି ପଛକୁ ଫେରୁଥିଲି। ସେ ତାଙ୍କ ଗାଆଁର ଜନୈକ ଭଦ୍ରବ୍ୟକ୍ତିଙ୍କ ସହ ମୋର ପରିଚୟ କରାଇ ଦେଇ କହୁଥିଲେ , ଇୟେ ମୋର ସ୍କୁଲ ବେଳର ସାଙ୍ଗ। ସେ ଭୁବନେଶ୍ଵରରେ ଚାକିରୀ କରନ୍ତି ଓ ସେଇଠି ରୁହନ୍ତି। ଦୋଳ ଛୁଟିରେ ଘରକୁ ଆସିଛନ୍ତି। ମୁଁ କୌଣସି କାମରେ ଭୁବନେଶ୍ବର ଗଲେ ତାଙ୍କ ଅଫିସ୍ ଆଡ଼େ ଯାଏ। ମୁଁ ସିନା ଏସବୁ ଶୁଣିବାର ଅଭିନୟ କରୁଥାଏ। କିନ୍ତୁ ସତକଥା ହେଲା ସେତେବେଳେ କୌଣସି କଥା ଶୁଣିବାକୁ ମୋର ଆଦୌ ଆଗ୍ରହ କି ଧୈର୍ଯ୍ୟ ନଥାଏ। ମୋର କେବଳ ଗୋଟିଏ ବିଷୟରେ ମୁଣ୍ଡ ଥାଏ। ସେଇଟା ହେଉଛି , କିପରି ନଈକୂଳରୁ ଫେରି ଆସି ଜଳଖିଆ ଖାଇବି। କିନ୍ତୁ ମୋର ଏ ବନ୍ଧୁ ଯେଉଁ ଗପୁଡ଼ା ଲୋକ ନଈକୂଳକୁ ଯାଇ ସେଠାରୁ ଫେରି ଆସିବାକୁ ଆମକୁ ଯେ କେତେ ସମୟ ଲାଗିବ ସେକଥା ଭାବିଲା ବେଳକୁ ମୋ ଖାଲିପେଟର ଯନ୍ତ୍ରଣାଟା ଆହୁରି ବଢ଼ି ଯାଉଥିଲା। ସେ ଯାହା ହେଉନା କାହିଁକି ମୁଁ ଯିବାକୁ ଯେତେ ତରତର ହେଲେ ବି ତାଙ୍କୁ ଛାଡ଼ି ଆଗକୁ ଯାଇ ପାରୁ ନଥିଲି। ଏହିପରି ଭାବରେ ଗାଁ ଦାଣ୍ଡରେ ସମୟ ଗଡ଼େଇ ଗଡ଼େଇ ପରିଶେଷରେ ଆମ୍ଭେ ଦୁଇବନ୍ଧୁ ଯାଇ ନଈକୂଳରେ ପହଞ୍ଚିଲୁ।ପ୍ରାତଃ ସମୟରେ ନଦୀକୂଳର ଦୃଶ୍ୟ ବାସ୍ତବରେ ଅତୀବ ମନୋରମ ଥିଲା। କିନ୍ତୁ ସେ ଅନୁପମ ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବା ପାଇଁ ମୋ ମନରେ ଟିକେ ହେଲେ ଆଗ୍ରହ ନଥିଲା କାରଣ ମୋ ମନଟା ମୋ ପେଟର ଭୋକ ପାଖରୁ ଅନ୍ୟ କେଉଁ ଆଡ଼କୁ ଯିବାକୁ ହିଁ ପ୍ରସ୍ତୁତ ନଥିଲା। ଏହି ସମୟରେ ସେ ମୋତେ କହିଲେ , ବୁଝିଲ ! ରାତିରେ ତୁମେ କାଲି ଯେଉଁ ଘରେ ଶୋଇଥିଲ ସେହି ଘରର ଝରକା ଖୋଲିଦେଲେ ଏହି ନଈକୂଳିଆ ଥଣ୍ଡା ପବନରେ ସେ ଘରେ କେତେବେଳେ ଯେ ଆଖିକୁ ନିଦ ଆସିଯାଏ ତାହା ଜଣା ପଡ଼େନାହିଁ। କାଲି ରାତିରେ ତୁମେ ଏକଥା ଅନୁଭବ କରିଥିବ ନିଶ୍ଚୟ। କିନ୍ତୁ ସେହି ନଈକୂଳିଆ ଥଣ୍ଡା ପବନ ସତ୍ତ୍ଵେ ମୋ ପେଟର ଭୋକ ଯୋଗୁଁ ମୋ ଆଖିକୁ ଯେ କାଲି ରାତିସାରା ନିଦ ଆସିନାହିଁ ସେକଥା ମୁଁ ତାଙ୍କୁ କହି ପାରୁ ନଥିଲି। କେବଳ ମୁହଁରେ କୃତ୍ରିମ ହସ ଫୁଟାଇ ମୁଁ ତାଙ୍କ କଥାକୁ ସମର୍ଥନ ଜଣାଇବାର ଅଭିନୟ କରୁଥିଲି। ସେ ମୋତେ କହିଲେ , ଆଚ୍ଛା ! ଆସୁନ ଏହିଠାରେ ସକାଳର ନିତ୍ୟକର୍ମଟା ସାରିଦେବା। ମୁଁ କହିଲି , ମୁଁ ସେସବୁ କାମ ସକାଳୁ ସାରି ଦେଇଛି। ସେ କହିଲେ , ଆଚ୍ଛା ! ତୁମ୍ଭେ ଏହି ନଦୀବନ୍ଧରେ ବସି ସକାଳର ଦୃଶ୍ୟକୁ ଉପଭୋଗ କରୁଥାଅ। ମୁଁ ମୋର ସକାଳର ନିତ୍ୟକର୍ମ ସାରି ଦେଇ ଆସୁଛି। ଏହା କହି ନଦୀପଠାର ଅନତିଦୂରକୁ ସେ ସକାଳର ନିତ୍ୟକର୍ମ ସାରିବା ପାଇଁ ଚାଲିଗଲେ। ମୁଁ ସେଠାରେ ସକାଳର ଦୃଶ୍ୟକୁ ଉପଭୋଗ କରିବି କଣ ବରଂ ଭୋକିଲା ପେଟରେ ସେହି ନଦୀବନ୍ଧ ଉପରେ ବସି ତାଙ୍କ ଫେରିବାକୁ ପ୍ରତୀକ୍ଷା କଲି। 

    ନଈକୂଳରୁ ଫେରିଲା ବେଳକୁ ମୁଁ ସିନା ତରତରରେ ପାଦ ପକାଉଥାଏ। କିନ୍ତୁ ସେ ତ ମୋ ପେଟର ଭୋକ କଥା ଜାଣି ନଥାନ୍ତି ନା। ତେଣୁ ନଈକୂଳକୁ ଗଲା ବେଳକୁ ସେ ଯେମିତି ଧିରେ ସୁସ୍ଥେ ଯାଉଥିଲେ ଫେରିବା ବେଳକୁ ସେ ମଧ୍ୟ ସେମିତି ଗାଁ ଲୋକଙ୍କ ସହିତ ଗପ କରି କରି ଧିରେ ସୁସ୍ଥେ ଫେରୁଥାନ୍ତି। ସେ ଯାହା ହେଉନା କାହିଁକି ତାଙ୍କ ଘରେ ଆମେ ଆସି ପହଞ୍ଚିଲା ବେଳକୁ ଦିନ ଆଠଟା ବାଜିଲାଣି। ଘର ଭିତରୁ ଚକୁଳି ପିଠାର ବାସ୍ନା ଭାସି ଆସୁଥାଏ। ସେହି ବାସ୍ନାରେ ମୋର ଭୋକର ଜ୍ଵାଳାଟା ଆହୁରି ବଢ଼ି ଯାଉଥିଲା। ବନ୍ଧୁ କହିଲେ , ବୁଝିଲ , ତୁମ ଭାଉଜ ବୋଧେ ଆମ ପାଇଁ ଚକୁଳି ପିଠା କରିଛନ୍ତି। ତାପରେ ସେହି ଦାଣ୍ଡଘର ଖଟ ଉପରେ ଆମେ ଦୁଇବନ୍ଧୁ ବସିଲୁ। ସେ ବଡ଼ ପାଟିରେ ଭାଉଜଙ୍କୁ ଡ଼ାକି କହିଲେ , ଆରେ ! ଆମ ପାଇଁ ଜଳଖିଆ ଖାଇବାକୁ ଆଣ। ଏହିକଥା ପଦକ ଶୁଣି ମୁଁ ଯେ ମନ ଭିତରେ କେତେ ଖୁସି ହୋଇ ଯାଇଥିଲି ସେକଥା ଭାଷାରେ ବର୍ଣ୍ଣନା କରିବା ମୋ ପକ୍ଷରେ ସମ୍ଭବ ନୁହେଁ।କାରଣ ମୁଁ ଯେଉଁ ସମୟକୁ ଚାହିଁ ବସିଥିଲି ସେ ସମୟ ଆସି ପହଞ୍ଚି ଯାଇଥିଲା। ତାପରେ ମୋର ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଭାଉଜ ଗୋଟିଏ ଥାଳିରେ ମୋ ପାଇଁ ଚକୁଳି ପିଠା ଧରି ଆସିଲେ। ଥାଳିଟିକୁ ମୋ ଆଗରେ ରଖି ସେ ବନ୍ଧୁଙ୍କ ପାଇଁ ପିଠା ଆଣିବାକୁ ଗଲେ। ବନ୍ଧୁଙ୍କ ପାଇଁ ପିଠା ଆସିବା ପର୍ଯ୍ୟନ୍ତ ମୋର ଆଉ ଅପେକ୍ଷା କରିବାକୁ ଧୈର୍ଯ୍ୟ ନଥାଏ। ମୋ ସମ୍ମୁଖରେ ଥୁଆ ହୋଇଥିବା ପିଠା ଥାଳିକୁ ଦେଖି ପିଠା ଖାଇବା ପାଇଁ ମୋ ମନ ଯେ କିଭଳି ବ୍ୟଗ୍ର ହୋଇ ଉଠୁଥାଏ ସେକଥା ଭାଷାରେ ପ୍ରକାଶ କରିବା ସମ୍ଭବ ନୁହେଁ। ସେତିକିବେଳେ ବନ୍ଧୁ ମୋତେ କହିଲେ , ଆରେ ! ତୁମେ ଆଉ ବସିଲ କାହିଁକି ? ଏବେ ଖାଇବା ଆରମ୍ଭ କର। ବନ୍ଧୁ ଏକଥା କହିଲେବି ବନ୍ଧୁଙ୍କ ପାଇଁ ଖାଇବା ନ ଆସିବା ଆଗରୁ ସୌଜନ୍ୟତା ଦୃଷ୍ଟିରୁ ମୁଁ ଖାଇବା ଆରମ୍ଭ କରି ପାରୁ ନଥିଲି। ତାପରେ ଭାଉଜ ବନ୍ଧୁଙ୍କ ପାଇଁ ପିଠା ଥାଳି ଆଣି ତାଙ୍କ ସମ୍ମୁଖରେ ରଖିଦେଲେ ଓ ଆମେ ଦୁଇବନ୍ଧୁ ଖାଇବା ଆରମ୍ଭ କଲୁ। ରାତିସାରା ଭୋକର ଜ୍ଵାଳା ପ୍ରଶମିତ କରିବାକୁ ଯେଉଁ ଖାଦ୍ୟ ପାଇଁ ମୁଁ ଏ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲି ସେହି ଖାଦ୍ୟ ଖାଇବା ବେଳେ ମୁଁ ଯେଉଁ ଆତ୍ମସନ୍ତୋଷ ଅନୁଭବ କରୁଥିଲି ସେକଥା ବର୍ଣ୍ଣନା କରିବା ଅସମ୍ଭବ। ପିଠାତକ ଖାଇସାରି ପାଣି ପିଇ ସାରିବା ପରେ ମୋ ଦେହରେ ଯେପରି ନୂତନ ଜୀବନ ସଞ୍ଚାର ହେଲା ପରି ଲାଗିଲା ଓ ବନ୍ଧୁଙ୍କ ଅଲକ୍ଷ୍ୟରେ ମୋ ଓଠରେ ଏକ ପରିତୃପ୍ତିର ହସ ଖେଳି ଯାଇଥିଲା। 

    ଆଜି ଏହି ଅନୁଭୂତି ଲେଖିଲା ବେଳକୁ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ବିତି ଗଲାଣି। ତଥାପି ସେଦିନ ରାତିର ସେହି ଭୋକର ଯନ୍ତଣାକୁ ମୁଁ ଆଜି ପର୍ଯ୍ୟନ୍ତ ଭୁଲି ପାରିନାହିଁ କି ଜୀବନର ଶେଷ ପର୍ଯ୍ୟନ୍ତ ବି ଭୁଲି ପାରିବି ନାହିଁ।  

    ତାପରେ ସମୟଚକ୍ରରେ ମୁଁ ଅନ୍ୟ ଏକ ମହାବିଦ୍ୟାଳୟକୁ ବଦଳି ହୋଇ ଚାଲି ଯାଇଥିଲି। କିନ୍ତୁ ସେହି ମହାବିଦ୍ୟାଳୟରେ ଥିବା ପର୍ଯ୍ୟନ୍ତ ସେ ବନ୍ଧୁଙ୍କ ଆଗରେ ମୁଁ କେବେବି ସେହି ରାତିର ଅନୁଭୂତିକୁ ପ୍ରକାଶ କରି ପାରି ନଥିଲି କାରଣ ଯେତେବେଳେ ବି ପ୍ରକାଶ କରିଥାନ୍ତି ସେହି ବନ୍ଧୁଙ୍କ ଠାରୁ ଅଯଥାରେ ଗୁଡ଼ିଏ ଅଭିମାନଭରା ଗାଳି ଖାଇଥାନ୍ତି। ଏହି ଘଟଣା ଘଟିବାର ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଏବେବି ସମୟେ ସମୟେ ମୁଁ ଭାବେ ଯେ ଯଦି ପରିସ୍ଥିତିରେ ପଡ଼ି ଗୋଟିଏ ରାତି ମୁଁ ପେଟର ଭୋକକୁ ସମ୍ଭାଳି ନପାରି ଏତେ କଷ୍ଟ ଅନୁଭବ କଲି ଦାରିଦ୍ର୍ୟତା କାରଣରୁ ଖାଦ୍ୟ ନପାଇ ଦିନ ଦିନ ଧରି ଭୋକରେ ରହୁଥିବା ମଣିଷକୁ କିପରି ଯନ୍ତ୍ରଣା ଭୋଗ କରିବାକୁ ହେଉଥିବ ! ସେଦିନ ରାତିର ଘଟଣା ପୂର୍ବରୁ ମୁଁ ଭୋକକୁ ଅଭିଧାନର ଏକ ଛୋଟିଆ ଶବ୍ଦ ଭାବରେ ଜାଣିଥିଲି। କିନ୍ତୁ ସେଦିନ ରାତିରେ ସେହି ଛୋଟିଆ ଶବ୍ଦଟିର ପ୍ରକୃତ ଅର୍ଥ ମୁଁ ଅନୁଭବ କଲି। ସେହିଦିନ ପରଠାରୁ ରେଳ ଷ୍ଟେସନରେ ହେଉ କି ବସ୍ ଷ୍ଟାଣ୍ଡରେ ହେଉ ଯଦି କୌଣସି ଭିକ୍ଷା ମାଗୁଥିବା ଲୋକ " ବାବୁ ମୁଁ ଦୁଇଦିନ ହେଲା କିଛି ଖାଇନାହିଁ" କହି ହାତ ପତାଏ ସେହି ରାତିର ଘଟଣା ମୋ ସ୍ମୃତି ପଟଳରେ ଭାସି ଆସି ମୋ ମନକୁ ଆନ୍ଦୋଳିତ କରେ ଓ ମୁଁ ତା ପାଖରୁ ମୁହଁ ଫେରେଇ ଚାଲି ଯାଇ ପାରେନାହିଁ। ସମାଜର ସମସ୍ତ ସଚେତନ ବ୍ୟକ୍ତି ଓ ଅନୁଷ୍ଠାନ ଯଦି ଏହି ଛୋଟିଆ ଶବ୍ଦ 'ଭୋକ ' ର ମାର୍ମିକ ଅର୍ଥକୁ ଅନୁଭବ କରନ୍ତେ ତାହେଲେ ବୋଧହୁଏ ଦାରିଦ୍ର୍ୟତା ହେତୁ ସମାଜରେ କାହାକୁ ଭୋକର ଜ୍ଵାଳା ସହ୍ୟ କରିବାକୁ ପଡନ୍ତା ନାହିଁ !

            


Rate this content
Log in