Biswanath Nayak

Others

3  

Biswanath Nayak

Others

ଅତିଥି

ଅତିଥି

11 mins
372



ସୁଷମା ଆଈଙ୍କ ଗୋଡ଼ ଆଜି ତଳେ ଲାଗୁନି। ସକାଳୁ ଉଠି ଗାଧୁଆ ପାଧୁଆ ସାରି ମନେ ମନେ ସ୍ଵାମୀଙ୍କ ଉପରେ ବିରକ୍ତ ହେଲେ। ଭାବିଲେ , କିଭଳି ଲୋକ କେଜାଣି ! ସବୁଦିନେ ଯାହା ଆଜି ବି ସେଇଆ। ଏତେଦିନ ପରେ ପିଲାଟା ଆଜି ଘରକୁ ଆସୁଛି।ଟିକେ ବି ଚିନ୍ତା ନାହିଁ। ଆଠଦିନ ହେଲା କହିଲିଣି,ପଡୋଶୀ ରାଜୁ ବାବୁଙ୍କ ନାତି ଯେମିତିକା କଣ୍ଢେଇଟିଏ ଧରି ଖେଳୁଛି ବଜାରକୁ ଯାଇ ନାତି ପାଇଁ ସେମିତିକି କଥାକୁହା କଣ୍ଢେଇଟିଏ ଆଣ। ପିଲାଟା ତା' ସାଥୀରେ ଖେଳିବ। ହେଲେ ଏଘରେ ମୋ କଥା ବା ଶୁଣୁଛି କିଏ? ସବୁଦିନ ପରି ଆଜି ବି  ସେହି ଦିନ ଦି' ପହରେ ଶେଯ ଛାଡ଼ିବେ। ଏଭଳି ନିଦାବିଷ୍ଣୁଙ୍କୁ ନେଇ କିପରି ଯେ ସେ ଏହି ସଂସାର ଚଳାଉଛନ୍ତି ସେ କେବଳସେକଥା ଜାଣନ୍ତି। ଯୁବକ ଅବସ୍ଥାରେ ଯାହା ଥିଲେ ବୁଢ଼ାଟିଏ ହେଲେଣି ସେହି ଗୁଣ ଗଲାନି। ତାଙ୍କ ମର୍ଜି ଅନୁସାରେ ସବୁକାମ କରିବେ। କାହାରି କଥା ଶୁଣିବେନି। ସକାଳୁ ଦି' ଦି' ଥର ଡାକି ସାରିଲେଣି। କିଛି ପ୍ରଭାବ ନାହିଁ। ବାଧ୍ୟ ହୋଇ ପୁଣି ଶୋଇବା ଘରକୁ ଯାଇ ଡାକିଲେ , ହେଇଟି, ଶୁଣୁଛଟି ? ସାତଟା ବାଜିବ ପରା। ବାରିରୁ ନଡ଼ିଆ ପାରିବା ପାଇଁ ଦାସ ଘର ରାଜୁଆ ପରା ସକାଳୁ ଡାକି ଦେଇ ଗଲାଣି। ଚାଉଳ ପାଣିରେ ପଡ଼ିଛି। ନଡ଼ିଆ ଆସିଲେ ଚିତୋଉ ଆଣ ବଟାହେବ। ଶୁଭ ମୋର ଚିତୋଉ ପିଠାକୁ ଭାରି ଭଲପାଏ। ରାଜୁଆ ଥରେ ଯଦି ଗାଁ ଛକରେ ଯାଇ ତାସ ଖେଳିବାକୁ ବସିଗଲା ନା ତାହେଲେ ତ କଥା ସରିଲା।ଯେତେ ଡାକିଲେ ବି ସେ ଆଉ ତାସ ଖେଳ ପାଖରୁ ନ ଉଠେ। ସେଥିପାଇଁ ଦି'ଦିନ ଆଗରୁ କହୁଥିଲି ନଡ଼ିଆ ତୋଳା କାମଟା ସାରି ଦିଅ। ମୋ କଥା ଶୁଣିଲେ ସିନା ହେବ। ତା'ରି ଘରେ ଭଉଁରୀ ଜାଲ 

ଅଛି। ତା'କୁ କହିଥିଲି ବାରି ଗଡିଆରୁ ମହୁରାଳି ମାଛ ଦି'ଟା ଧରି ଦେବା ପାଇଁ। ସୋରିଷ ବେସର ଦେଇ ମହୁରାଳି ମାଛ ତରକାରି କଲେ ଶୁଭ ମୋର ଭାରି ଖୁସି ହୁଏ। ହେଲେ ଆମ

ଲୋକ ଶେଯ ଛାଡ଼ିଲେ ତ ? ସୁର ଅଜା ଅଳସ ଭାଙ୍ଗି ହାଇଟାଏ ମାରି ଶେଯରୁ ଉଠୁ ଉଠୁ ବିରକ୍ତିରେ କହିଲେ, ସକାଳୁ ସକାଳୁ କାହିଁକି ଟିକେ ଶୋଇଦେଉନ କହିଲ? ଆଜିଯାଏ ତୁମେ କହିଥିବା କୋଉ କାମଟା ନହୋଇ ବାକି ଅଛି ?ତୁମ କାମ ନ ସରିବା ଯାଏ ତୁମେ କଣ କାହାକୁ ବସେଇ ଉଠେଇ ଦେବ? ହଉ ! ଚା' ଟିକେ ଆଣ। ମୁଁ ଯାଇ ଦେଖେଁ ସେ ରାଜୁଆ ଗଲା କୁଆଡେ ? ଚା' କପ୍ ଟା ହାତରେ ଧରି ଦାଣ୍ଡ କବାଟ ଖୋଲିଲା ବେଳକୁ ଅଣ୍ଟା ଦଉଡ଼ି ଟା ହାତରେ ଧରି ରାଜୁଆ ଠିଆ ହୋଇଛି। କହିଲା, ଅଜା ! ଶୀଘ୍ର ଚାଲ। ତୁମର ନଡ଼ିଆ ତୋଳା କାମଟା ସାରିଦେଲେ ମୁଁ ହାଟକୁ ଯିବି ପରା। ଅବଶ୍ୟ ଯିବା ଆଗରୁ ତୁମ ପୋଖରୀରୁ ମାଛ ଦି'ଟା ଧରି ଦେଇ ଯିବି। ତା ନହେଲେ ଆଈମୋତେ ଆଉ ବାଟ ଚଲେଇ ଦେବେନି।  ରାଜୁଆର ପାଟି ଶୁଣି ଆଈ ବାହାରକୁ ଚାଲି ଆସିଲେ। କହିଲେ ଆରେ, କଥା କ'ଣ କି ରାଜୁ , ଶୁଭ ମୋର ଗାଁ ଛାଡିବା ଏଇଠିପାଞ୍ଚ ବର୍ଷ ହେଲାଣି। ସେବେଠାରୁ ମୋ ହାତରନ୍ଧା ମାଛ ତରକାରି ତା' ପାଟିରେ ବାଜିନି। ତା'କୁ କୋଉ ଜିନିଷ ସବୁ ଭଲ ଲାଗେ ସେକଥା ମୋ ଛଡ଼ା ଆଉ କିଏ ଜାଣେ।ମୋ ଧନଟା ପରା! ତୁ ଆଉ ଡେରି ନକରି ଜଲଦି ଜାଲ ଦି' ଖେଦା ପକେଇ ମାଛ ଦି'ଟା ମୋ ପାଖରେ ପହଞ୍ଚେଇଦେ।ତା'କୁ ତ ବାଛିବାକୁ ପୁଣି ସମୟ ଦରକାର। ଏକୁଟିଆ ଲୋକ , କେତେବେଳେ ଏତେ କାମ କରିବି କହିଲୁ? 

ରାଜୁଆ କହିଲା , ହଉ, ତମେ ଜମା ବ୍ୟସ୍ତ ହୁଅନି ମ ଆଈ। ମୁଁ ଏଇ ସାଙ୍ଗେ ସାଙ୍ଗେ ନଡ଼ିଆ ତୋଳା କାମଟା ସାରି ମାଛ ଆଣି ତମ ପାଖରେ ପହଞ୍ଚେଇ ଦେଉଛି। ଚାଲ ଅଜା! ନଡ଼ିଆ ତୋଳା

କାମଟା ଶୀଘ୍ର ସାରିଦେବା। ଅଣ୍ଟା ଦଉଡ଼ିଟା ହାତରେ ଧରି ରାଜୁଆ ନଡ଼ିଆ ଗଛ ପାଖକୁ ଚାଲିଲା। ତା ପଛେ ପଛେ ସୁର ଅଜା। ତାଙ୍କ ଯିବା ବାଟକୁ ଆଈ ଚାହିଁ ରହିଥିଲେ। ତାଙ୍କୁ ଲାଗୁଥିଲା ସତେ ଯେମିତି ଶୁଭ ପଛରୁ ଡାକୁଥିଲା, ରୁହ ବାପା ! ମୁଁ ତୁମ ସାଥିରେ ନଡ଼ିଆ ତୋଳିବାକୁ ଯିବି। ଯେତେବେଳେ ନଡ଼ିଆ ତୋଳା ହେବ ପୋଖରୀ ଘାଟ ଉପରେ ବସି ଶୁଭ ପାଣି ଭିତରେ ପଡୁଥିବା ନଡ଼ିଆ ସବୁ ଗଣିବ। ଯେଉଁଦିନ ନଡ଼ିଆ ତୋଳା ହେବ ସେଦିନ ନିଶ୍ଚୟ ଚିତୋଉ ପିଠା ହେବ। ସେ ବାହାରକୁ ଯିବା ଦିନଠାରୁ ଘରେ ଚିତୋଉ ପିଠା ହେବା ଏକରକମ ବନ୍ଦ କହିଲେ ଚଳେ। ଏତେଦିନ ପରେ ପିଲାଟା ଘରକୁ ଆସୁଛି। ଆଜି ଚିତୋଉ କରି ତା'କୁ ନିଜ ହାତରେ ଖୁଆଇବେ। ଆଜି ପୁଣି ସେ ଏକା ନୁହେଁ ଏ ଘରକୁ ଦୁଇ ଜଣ ନୂଆ ଅତିଥିଙ୍କୁ ସାଥିରେ ଆଣି ଆସୁଛି। ତାଙ୍କ ବୋହୂ ଆଉ ନାତି। ସେମାନେ ଆଜି ପ୍ରଥମ ଥର ପାଇଁ ଗାଁ କୁ ଆସୁଛନ୍ତି। ସେହି ବାହାଘର ବେଳେ ବାଙ୍ଗାଲୋରରେ ବୋହୂକୁ ଯାହା ଦେଖିଥିଲେ ସେତିକି।ଝିଅର ବାପା ସେଇଠି ଚାକିରୀ କରନ୍ତି। ଝିଅଟି ସେହି ଶୁଭ କମ୍ପାନୀ ରେ ଚାକିରୀ କରୁଥିଲା। ବାହାଘର ଠିକ୍ ହେଲା ପରେ ସମୟ କମ୍ ଥିବାରୁ ଝିଅର ବାପା ସରୋଜକାନ୍ତ ବାବୁ ସେହି ବାଙ୍ଗାଲୋର ସହରରେ ବାହାଘରର ସମସ୍ତ ଆୟୋଜନ କରିଥିଲେ। ଗାଁ ରୁ ବନ୍ଧୁ ବାନ୍ଧବ ଦଶ ଜଣଙ୍କୁ ନେଇ ଶୁଭର ବାପା ବାଙ୍ଗାଲୋର ଯାଇଥିଲେ। ସେତିକିବେଳେ ସେ ଯାହା ବୋହୂକୁ ଦେଖିଥିଲେ। ୟା ଭିତରେ ଚାରିବର୍ଷ ବିତିଗଲାଣି। ଦି' ଜଣଯାକ ଚାକିରୀଆ। ଚାହିଁଲେ ବି ଆସି ପାରୁ ନାହାନ୍ତି। ବାହାଘରର ଦୁଇ ବର୍ଷ ପରେ ନାତିଟିଏ ହୋଇଛି। ଶୁଭର ସବୁବେଳେ ଗୋଟିଏ ଜିଦ୍ ," ତୁମେ ଦୁଇଜଣ ଗାଁ ଛାଡି ବାଙ୍ଗାଲୋର ଆସ। ଗାଁ ରେ କିଏ ତୁମର ଭଲମନ୍ଦ ବୁଝିବ ? "ନାତି ଟୋକାଟାକୁ ଦେଖିବାକୁ ସବୁବେଳେ ଇଚ୍ଛା ହୁଏ। କିନ୍ତୁ ଏଠାରେ ଘରଦ୍ୱାର ଛାଡ଼ି ଯାଇ ହେଉଛି କେଉଁଠି ? କଣ କଟକ ନା ଭୂବନେଶ୍ଵର ହୋଇଛି ଯେ ସେହିଦିନ ଯାଇ ଫେରି ଆସିହେବ। ନିହାତି ଗୋଟିଏ ସପ୍ତାହ ଦରକାର।ଯାହାହେଉ ଏତେଦିନ ପରେ ବୋହୂ ସହିତ ନାତିଟା ଆସୁଛି। ଘରଟା

ତାଙ୍କର ପୂରି ଉଠିବ। ମାସେ ପୂର୍ବରୁ ସେ ସେମାନଙ୍କୁ ଛାଡିବେନି। ଦରକାର ହେଲେ ଶୁଭ ଆଗ ଚାଲିଯିବ। ବୋହୂ ଓ ନାତିକୁ ଶୁଭର ବାପା ନେଇ ପଛରେ ଛାଡିଦେଇ ଆସିବେ। 

ଏତିକି ବେଳେ ସୁର ଅଜା ଡାକିଲେ, କୁଆଡେ ଗଲ ଶୁଭବୋଉ!ଏଇ ନିଅ , ଚିତୋଉ ପିଠା ପାଇଁ ଅଧା ନଡ଼ିଆ ଆସିଗଲା। ରାଜୁଆ ପଛରେ ମହୁରାଳି ମାଛ ନେଇ ଆସୁଛି। ତମର ପରା କେଉଁଠି ଡେରି ହୋଇ ଯାଉଥିଲା। ସେତେବେଳୁ ସେଠାରେ ଛିଡ଼ା ହୋଇ କଣ ଭାବୁଛ? କିଛି ନାହିଁ। ନାତି ଟୋକା କଥାଟା ଟିକେ ମନେ ପଡି ଗଲାତ।  ସେହି କଥା ଭାବୁଥିଲି। 

ଆରେ ଏତେ ଭାବୁଛ କଣ? ସେ ପରା ଆଜି ଆସୁଛି। ମୁଁ ବି ଶୁଭକୁ ଫୋନରେ କହି ଦେଇଛି। ଅତି କମରେ ସେମାନେ ଏଥର ଏଠାରେ ମାସଟିଏ ରହିବେ। ଚକ ଗଡିଲେ ବାର ହାତ। 

ଏଥର ଗଲେ ପୁଣି ଯେ ସେମାନେ କେତେଦିନ ପରେ ଆସିବେ ସେ କଥା କିଏ କହିବ ? ତରତର ହୋଇ ଆଈ ରୋଷେଇ ଘରକୁ ଚାଲିଗଲେ। ଶୁଭ ପହଞ୍ଚିବା ପୂର୍ବରୁ ରୋଷେଇ କାମଟା ଯେମିତି ହେଲେ ସାରିବାକୁ ହେବ। ଶୁଭ ଟା ଭାରି ପେଟ କାବୁରା । ଟିକିଏ ବି ଭୋକ ସହି ପାରିବନି। ପହଞ୍ଚିବା ବେଳକୁ ଯଦି ରୋଷେଇ ସରି ନଥିବ ତାହେଲେ ତ କଥା ସରିଲା।ଛୋଟ ପିଲାଟିଏ ଭଳି କହିବ, 'ଦୁନିଆରେ କେହି ନ ଜାଣିଲେ ବି ତୁ ତ ଜାଣିଛୁ ବୋଉ ମୁଁ ମୋଟେ ଭୋକ ସହି ପାରେନାହିଁ। ଯାହା ରୋଷେଇ ସରିଛି ଦେ। ତୋ ହାତ ରୋଷେଇର ବାସ୍ନା ନାକରେ ବାଜିଲେ ନା କାହିଁକି କେଜାଣି ମୋ ଭୋକଟା ବେଶୀ ବଢିଯାଏ। 'ଏତିକି ବେଳେ ଘର ବାହାରେ ଯାଉଥିବା ଗାଡ଼ିର ଶବ୍ଦ ଶୁଣି ଆଈ ରୋଷେଇ ଘର ଛାଡି ବାହାରକୁ ଧାଇଁ ଆସୁଥିଲେ।  

ଅଜା କହିଲେ , ଆରେ ତମେ କୁଆଡେ ଯାଉଛ? ସେଇଟା ଶୁଭର ଗାଡ଼ି ନୁହେଁ। ପ୍ରଧାନ ଘର ଧରଣୀର ଗାଡ଼ି। ସେ ଅଫିସ ଯାଉଛି। ଶୁଭ କହିଛି ଭୁବନେଶ୍ୱର ରେ ପହଞ୍ଚିଲା ପରେ ସିଏ ଫୋନ୍ କରିବ। ସେଠି ପୁଣି ତା'ର ଅଫିସ କାମ ଅଛି। ସିଏ ଏଠି ଦିନ ଦି'ଟା ପୂର୍ବରୁ କୈାଣସି ମତେ ପହଞ୍ଚିପାରିବ ନାହିଁ। ତେଣୁ ତୁମେ ତରତର ନହୋଇ ଆରାମରେ ରୋଷେଇ କାମ ସାର।  

ଯେତେ କହିଲେ ଆଈଙ୍କର ମନ ବୁଝୁ ନଥାଏ।ସବୁ କାମ  ଭିତରେ ବି ସେ ବାହାରକୁ କାନ ଡେରିଥାନ୍ତି।ମନଟା ଯାଇ ନାତି ପାଖରେ ଥାଏ। ଜନ୍ମ ହେଲା ପରଠାରୁ ସେ ଜମା ତା'କୁ

ଦେଖି ନାହାନ୍ତି।  ମୋବାଇଲ ଫୋନରେ ଶୁଭ ତା'ର ଯେଉଁ ଫଟୋ ପଠେଇଥିଲା ସେଇଥିରେ ସେ ତା'କୁ ଯାହା ଦେଖିଛନ୍ତି। ଦେଖିବାକୁ ଅବିକଳ ଶୁଭ ଭଳି ହୋଇଛି।ଠାକୁରେ ତା'କୁ 

କୋଟି ପରମାୟୁ ଦିଅନ୍ତୁ। ଘର ଛାତ ଉପରେ ଡାମରା କାଉଟା ବସି କା' କା' କରୁଛି। ନାତି ଟୋକା ଆସୁଛି ବୋଲି ଶୁଭ ଖବରଟା ଆଣି ଆସିଛି ବୋଧେ। ହାତ ପାଆନ୍ତାରେ ଥିବା ବାସି ରୁଟି ଖଣ୍ଡକ ରୋଷେଇଘର ଦୁଆର ମୁହଁରେ ରହି କାଉ ଆଡ଼କୁ ଫିଙ୍ଗି ଦେଲେ। ରୁଟି ଖଣ୍ଡକ ଥଣ୍ଟରେ ଧରି କା' କା' କରି କାଉଟା ଉଡିଗଲା।ଆଈ ତାଙ୍କ ରୋଷେଇ କାମରେ ପୁଣି ଲାଗି ପଡ଼ିଲେ।  

ଆଜି କ'ଣ ହୋଇଛି କେଜାଣି !ଦିନଟା ଜମା ସରୁନାହିଁ। ବଡ଼ ହେଲା ପରି ଲାଗୁଛି।କାନ୍ଥ ଘଣ୍ଟାକୁ ଚାହିଁଲେ।ମୋଟେବାରଟା ବାଜିଛି।ଆଉ ଘଣ୍ଟାଏ ଭିତରେ ରୋଷେଇ ସରିଯିବ। କାଇଁ ଏତେବେଳେ ଯାଏ ଶୁଭ ତ ଫୋନ କଲାନି।ତା' ବାପା କହୁଥିଲେ ଭୁବନେଶ୍ଵରରେ ପହଞ୍ଚିଲା ପରେ ସେ ଫୋନ୍ କରିବ ବୋଲି। ଆଉ କିଛି ଅସୁବିଧା ହେଲାକି ? ହେ ପ୍ରଭୁ! ଛୁଆ ମାନଙ୍କୁ ମୋର ଭଲରେ ଭଲରେ ଆଣି ଘରେ ପହଞ୍ଚେଇ ଦିଅ। ବଡ଼ ପାଟିରେ ଅଜାଙ୍କୁ ଡାକି କହିଲେ, ହେଇଟି ଶୁଣ। ତୁମେ ଶୁଭକୁ ଫୋନ କର। ସେମାନେ ଭୁବନେଶ୍ୱରରେ ପହଞ୍ଚିଲେଣି କି ନାହିଁ ଟିକେ ବୁଝ। ଅଜା ଟିକେ ବିରକ୍ତ ହୋଇ କହିଲେ, ତମର ଏଇ ଯେଉଁ ତରତରିଆ ଗୁଣ ମୋତେ ଯମା ଭଲ ଲାଗେନି। ଆରେ ଶୁଭ ଆମର କ'ଣ ଛୋଟ ପିଲା ହେଇଛି ? ଏତେ ବଡ଼

କମ୍ପାନୀରେ ଚାକିରୀ କରୁଛି। ତା'ର କ'ଣ ଦାୟିତ୍ଵ ନାହିଁ? ସେ ଠିକ୍ ସମୟରେ ଫୋନ୍ କରିବ।  ଫୋନ୍ ନକଲେ ନାହିଁ। ଏତେ ବିରକ୍ତ ହେଉଛ କାହିଁକି ? ସେ ଫୋନ୍ ମୋତେ ଟିକେ ଲଗେଇ ଆସେନି। ନହେଲେ ମୁଁ ତୁମକୁ ଏତେ ଖୁସାମଦ କରନ୍ତି କାହିଁକି ? ଏହି ସମୟରେ ଫୋନ୍ ବାଜିବା ଶବ୍ଦ ହେଲା। ଅଜା କହିଲେ, ହେଇ ଦେଖ, ମୁଁ କଣ କହୁଥିଲି। ଏଇଟା ନିଶ୍ଚୟ ଶୁଭର ଫୋନ

ହୋଇଥିବ। ହାଲୋ ! ଶୁଭ ! ହଁ ବାପା! ମୁଁ ଏବେ ଭୁବନେଶ୍ବରରେ ପହଞ୍ଚିଲି। ଘରେ ପହଞ୍ଚିବାକୁ ଡେରି ହେବ କାହିଁକି ନା ମୁଁ ଅଫିସ୍ କାମ ଶେଷ କରି ଯିବି। ଫୋନ ଟିକେ ବୋଉକୁ ଦିଅ।  

ହ୍ୟାଲୋ! ବୋଉ ! ବ୍ୟସ୍ତ ହେବୁନି। ମୁଁ ଶୀଘ୍ର ଯାଇ ପହଞ୍ଚୁଛି। ଫୋନଟା ଆଈଙ୍କ ହାତରୁ ନେଇ ଅଜା କହିଲେ, ଏବେ ମନ ବୁଝିଲାତ? ଯାଅ। ଶୀଘ୍ର ରୋଷେଇ ସାର। ରୋଷେଇ ବାସ କାମ ସାରିଦେଇ ଆଈ ଘର ସଜଡ଼ା କାମରେ ଲାଗିଗଲେ।ଶେଯ ବଦଳେଇ ନୂଆ ବେଡ୍ ସିଟ୍ ପାରିଲେ। ଯାହାହେଉ ଏତେଦିନ ପରେ ବୋହୂଟା ପ୍ରଥମଥର ପାଇଁ ଘରକୁ ଆସୁଛି। ଘର ଅପରିଷ୍କାର ଦେଖିଲେ କଣ ଭାବିବ ସିଏ ? ତା ସାଥିରେ ପୁଣି ନାତି ଟୋକା।  ଶେଯଟା ଭଲକରି ନ ସଜାଡିଲେ ସେ ଶୋଇବ କେଉଁଠି ? ତକିଆ ଦି'ଟା ରେ ନୂଆ ଖୋଳ ଭରୁ ଭରୁ ଆଈଙ୍କର ଶୁଭର ପିଲାବେଳେ କଥା ମନେ ପଡି ଯାଉଥିଲା। କେତେଥର ଏ ଶେଯକୁ ଓଦା ନ କରିଛି ସିଏ। ଆଜି ତା'ରି ପୁଅ ପୁଣି ସେଇ ଖଟରେ ଶୋଇବ।ମନେ ମନେ ହସୁଥିଲେ ଆଈ।ଫଟୋରେ ଦେଖିଥିବା ନାତିର ହସହସ ମୁହଁଟା ତାଙ୍କ ଆଖି ଆଗରେ ଭାସି ଉଠୁଥିଲା। ତା'ର ଶୁଭ ମନାସି ମନ ମଧ୍ୟରେ ଠାକୁରଙ୍କୁ ସେ କୋଟି ପ୍ରଣାମ ଜଣାଉଥିଲେ। ହଠାତ୍ ଅଜାଙ୍କ ଡାକରେ ଭାବନା ରାଜ୍ୟରୁ ଫେରି ଆସିଲେ ଆଈ।  ଆରେ ଶୁଭ ବୋଉ! କୁଆଡେ ଗଲକି ? ଆଠଦିନ ହେଲାଣି ପରା ଘର ସଜାଡୁଛ ତଥାପି ଏଯାଏ ତୁମର ସେ କାମ ସରିଲାନି ? ସକାଳୁ ତ ସେଇ ରୋଷେଇ ଘରେ ପଶିଛ ଯେ ପଶିଛ। ଏବେ ଟିକେ ବିଶ୍ରାମ ନିଅ। ନାତି ଟୋକା ଆସିଗଲେ ଆଉ କୁଆଡ଼କୁ ହଲି ପାରିବନି ଯେ।  

ଅଜାଙ୍କ କଥା ଗୁଡ଼ାକ ଆଈଙ୍କ କାନରେ ପଡ଼ିଲେ ବି ସେ ଆଡ଼କୁ କାନ ନଦେଇ ସେ ଘର ସଜଡ଼ା କାମରେ ଲାଗିଥିଲେ। ଯେତେ ଠିକ୍ କଲେବି କୋଉଠି ନା କୋଉଠି ଘରଟା ତାଙ୍କୁ ଅସଜଡା ଲାଗୁଥାଏ। ସବୁକାମ ଭିତରେ ବି ତାଙ୍କ ଆଖିଟା ସାମ୍ନାରେ ଝୁଲୁଥିବା କାନ୍ଥ ଘଣ୍ଟା ଉପରେ ବୁଲି ଆସୁଥିଲା। ଯେତେବେଳେ ତିନିଟା ବାଜିଲା ଆଈ ଅଜାଙ୍କୁ କହିଲେ, ଶୁଭକୁ ଟିକେ ଫୋନ୍ କରୁନ। ଖାଇବା ସମୟ ଗଡ଼ି ଯାଉଛି ।  ପିଲାମାନେ ଆସି ଆଉ କେତେବେଳେ ଖାଇବେ ଯେ ? ଅଜା ବାରମ୍ବାର ଚେଷ୍ଟା କଲେ ମଧ୍ୟ ଫୋନ୍ ଲାଗୁ ନଥାଏ। ଯେତେବେଳେ ଜରୁରୀ ଦରକାର ଥିବ ଠିକ୍ ସେତିକିବେଳେ ଏ ଫୋନ୍ ଲାଗିବନି। ବିରକ୍ତ ହୋଇ ଫୋନ୍ ରଖିଦେଇ ସୁର ଅଜା ବାରଣ୍ଡାରେ ପଡ଼ିଥିବା ଚେୟାର ଉପରେ ବସି ପଡିଲେ। ଆଈ ଖଟଟା ଉପରେ ବସି ପିଲାମାନଙ୍କ କଥା ଭାବୁ ଭାବୁ କେତେବେଳେ ଯେ ତାଙ୍କ ଆଖି ଲାଗି ଯାଇଥିଲା ସେ କଥା ସେ ଜାଣି ପାରି ନଥିଲେ।  

ହଠାତ୍ ଅଜାଙ୍କ ଡାକରେ ତାଙ୍କ ନିଦ ଭାଙ୍ଗିଗଲା। କାନ୍ଥ ଘଣ୍ଟାକୁ ଚାହିଁଲେ। ଚାରିଟା ବାଜିଲାଣି।  ବ୍ୟସ୍ତ ହୋଇପଡ଼ି ଭାବିଲେ ,ଆରେ ପିଲାମାନେ ଖାଇବେ କେତେବେଳେ ? ଆରେ ଶୁଭ ବୋଉ! କ'ଣ ଶୋଇ ପଡିଲା ନା କ'ଣ? ଶୀଘ୍ର ବାହାରକୁ ଆସ। ଶୁଭ ପରା ଆସିଲାଣି। ଘର ଭିତରୁ ବାହାରକୁ ଆସି ଦାଣ୍ଡରେ ଅଟକିଥିବା ଧଳା କାର୍ ନିକଟକୁ ଦୈାଡି ଆସିଲେ ଆଈ।

ଗାଡ଼ିର ଡୋର ଖୋଲି ଶୁଭକାନ୍ତ ବାହାରକୁ ଆସିଲେ। ବାପା ବୋଉଙ୍କ ପାଦ ଛୁଇଁ ଜୁହାର ହେଲେ। ବୁଢ଼ାଟିଏ ହେଇଥା। ପୁଅର ମୁଣ୍ଡ ଉପରେ ହାତ ରଖି ଆଶୀର୍ବାଦ ଦେଉ ଦେଉ କହିଲେ, ଟିକେ ଅପେକ୍ଷା କର ଶୁଭ! ମୁଁ ବନ୍ଦାଣ ଥାଳିଟା ସଜାଡ଼ି ଠାକୁରଙ୍କ ପାଖରେ ରଖିଛି।ଟିକେ ନେଇ ଆସେ। ତୋ ଆସିବା କଥା ଶୁଣି ମୁଁ ତରତରରେ ବାହାରକୁ ଚାଲି ଆସିଲି। ଯାହା ହେଲେବି ବୋହୂଟା ପ୍ରଥମ ଥର ପାଇଁ ଘରର ଏରୁଣ୍ଡି ଡେଇଁ ଭିତରକୁ ଯିବ ! ଅରୁଆ ଚାଉଳ ଦୂବ ଟିକେ ନ ପକେଇ ସେ ତା'କୁ ଘରକୁ ପାଛୋଟି ନେବି କେମିତି? ଏହା କହି ତରତର ହୋଇ ଘର ଭିତରକୁ ଚାଲିଗଲେ। ରୋଷେଇଘର ପାଖରେ ହେଲା ବେଳକୁ ଚିନ୍ତା କଲେ , 

ଶୁଭ ତ ଥଣ୍ଡା ତରକାରୀ ଖାଏ ନାହିଁ। ଏହା ଭାବି ମାଛ ତରକାରୀ ଟାକୁ ଗ୍ୟାସ ଚୂଲାରେ ବସେଇ ଦେଲେ।  ଗୋଡହାତ ଧୋଇ ଠାକୁରଙ୍କ ପାଖରୁ ବନ୍ଦାଣ ଥାଳିଟା ଆଣି ଦୀପଟା ଲଗେଇ ଦେଇ ଦାଣ୍ଡକୁ ଗାଡ଼ି ନିକଟକୁ ଗଲେ। ବନ୍ଦାଣ ଥାଳି ଟା ହାତରେ ଧରି ବୋହୂ ଓ ନାତିକୁ ଦେଖିବା ପାଇଁ ମୁଣ୍ଡ ନୁଆଇଁ ଗାଡ଼ି ଭିତରକୁ ଚାହିଁଲେ। କିନ୍ତୁ ଏ କଣ? ଗାଡ଼ି ଭିତରେ ଡ୍ରାଇଭର ଛଡା ଆଉ କେହି ଦେଖା ଯାଉ ନଥିଲେ ! ଆରେ ଶୁଭ ! ତୁ କ'ଣ ଏକା ଆସିଛୁ ? ମୋ ବୋହୂ ଓ ନାତି କୁଆଡେ଼ ଗଲେ? ଶୁଭକାନ୍ତ କିଛି କହିବା ଆଗରୁ ଆଈଙ୍କ ମନକୁ ପାପ ଛୁଉଁଥିଲା।  

କିଛି ଅଘଟଣ ଘଟିନି ତ ? ହେ ପ୍ରଭୁ ! ତୁମେ ହିଁ ଏକା ସାହା ଭରସା। ଆଈଙ୍କ କଥା ଶୁଣି ଅଜା ମଧ୍ୟ ଗାଡ଼ି ଭିତରକୁ ଲକ୍ଷ୍ୟକରି ଆଶ୍ଚର୍ଯ୍ୟ ହେଉଥିଲେ। ଉତ୍ତର ଅପେକ୍ଷାରେ ସେ ଶୁଭଙ୍କର

ମୁହଁକୁ ଚାହିଁ ରହିଥିଲେ।  

ଏସବୁ ଲକ୍ଷ୍ୟ କରି ଶୁଭଙ୍କର କହିଲେ, ତୁ ପ୍ରଭା ଆଉ ଆଶୁ କଥା ଭାବି ବ୍ୟସ୍ତ ହେଉଛୁ କି ବୋଉ ?ଆରେ କିଛି ଅସୁବିଧା ହୋଇନି ମ। ସେମାନେ ଭଲରେ ଅଛନ୍ତି। ତୁମେ ଘର ଭିତରକୁ ଚାଲ। ମୁଁ ସବୁ କହୁଛି। ଅଜା ଆଈ ଦୁହେଁ କିଛି ବୁଝି ପାରୁ ନଥାନ୍ତି। ବୋହୂ ଓ ନାତି ତ ଶୁଭ ସହ ଆସିବା କଥା। ସେମାନେ ଆସିଲେନି କାହିଁକି।  ଦୁଇ ଜଣଯାକ ଶୁଭ ପଛେ ପଛେ ଘର ଭିତରକୁ ଗଲେ।  ସେମାନଙ୍କ ମନକଥା ବୁଝିପାରି ଶୁଭକାନ୍ତ କହିଲେ , ଆରେ କେତେକ ଅସୁବିଧା ନେଇ ସେମାନେ ଗାଁ କୁ ଆସି ପାରିଲେ ନାହିଁ।  ତାହେଲେ ତୁ କ'ଣ ସେମାନଙ୍କୁ ବାଙ୍ଗାଲୋରରେ ଛାଡିଦେଇ ଆସିଛୁ ? ଛୋଟ ଛୁଆଟାକୁ ନେଇ ବୋହୁଟା ଏକୁଟିଆ ହଇରାଣ ହେବନି ତ? ଅଜା କହିଲେ।  ନା। ନା। ସେମାନେ ମୋ ସହିତ ଆସିଛନ୍ତି। ଭୂବନେଶ୍ଵରରେ ଅଛନ୍ତି।  ତୁ ସେମାନଙ୍କୁ ସାଙ୍ଗରେ ନଆଣି ସେଠାରେ କାହିଁକି ଛାଡ଼ିଆସିଛୁ ? ସେଠି ସେମାନେ ଅଛନ୍ତି କେଉଁଠି ? ଆଈ ପଚାରିଲେ। କମ୍ପାନୀ ତରଫରୁ ମୋତେ ସେଠି ମାଗଣାରେ ରହିବା ପାଇଁ ହୋଟେଲ୍ ମିଳିଛି ବୋଉ। ସେମାନେ ସେହିଠାରେ ଅଛନ୍ତି। ଶୁଭ ଯେ ସେମାନଙ୍କୁ ଘରକୁ ନଆଣି ହୋଟେଲରେ କାହିଁକି ରଖି ଆସିଛି ସେକଥା ଆଈ କିଛି ବୁଝି ପାରୁନଥିଲେ।ଆଗରୁ ସେ ତ ସେମାନଙ୍କୁ ସାଥିରେ ଆଣି ଘରକୁ ଆସିବ ବୋଲି ତା' ବାପାଙ୍କୁ ଫୋନରେ କହିଥିଲା। କଣ ପାଇଁ ସେ ଏମିତି କଲା ? ଆଈଙ୍କ ମନକଥା ବୁଝିପାରି ଶୁଭକାନ୍ତ କହିଲେ, ତୁ ତ ଜାଣିଛୁ ବୋଉ ! ଆମେ ଦୁଇଜଣ ଯାକ ପ୍ରାଇଭେଟ୍ କମ୍ପାନୀରେ ଚାକିରି କରୁଛୁ। ସକାଳେ ଗଲେ ଫେରୁ ଫେରୁ ରାତି। ପୁଅର ଦାୟିତ୍ଵ ଆମେ ବୁଝିବୁ କେତେବେଳେ? ସେଥିପାଇଁ ତୋ ନାତିର ସବୁ କାମ କରିବା ପାଇଁ ଜଣେ ଆୟାକୁ ରଖିଛୁ। ତା'ର ନାଁ ଆନି। ପୁଅର ସବୁ ଦାୟିତ୍ଵ ସେହି ଆନି ଉପରେ ନ୍ୟସ୍ତ।ପୁଅ କ'ଣ ଖାଏ କେତେବେଳେ ଶୁଏ ସେସବୁ କଥା ସେ ହିଁ ଜାଣେ ।ତା'ର ମା ସେସବୁ କିଛି ଜାଣେନା।ଆମେ କେହି ନ ରହିଲେ ମଧ୍ୟ ପୁଅ ତା ପାଖରେ ଆରାମରେ ରହିଯିବ। ତା ମା'କୁ ଛାଡ଼ି ଆଶୁ ରହି ଯାଇପାରେ କିନ୍ତୁ ଆନିକୁ ଛାଡ଼ି ସେ ମୂହୁର୍ତ୍ତଟିଏ ବି ରହି ପାରିବନି। ଭୂବନେଶ୍ଵରରେ ପହଞ୍ଚିବା ପରେ ଆନି ଯେତେବେଳେ ଜାଣିଲା ଆମଘର ମଫସଲ ଗାଆଁ ରେ ସେ ଏଠାକୁ ଆସିବା ପାଇଁ ମୋଟେ ରାଜି ହେଲାନାହିଁ। ସତକଥା ହେଲା ମୁଁ ତା'ର ଇଚ୍ଛା ବିରୁଦ୍ଧରେ ତା'କୁ ଆଣିବା ପାଇଁ ଚାହିଁଲି ନାହିଁ କାହିଁକି ନା ସେ ଯଦି ନାରାଜ ହୋଇ କାମ ଛାଡ଼ିଦେଲା ବାଙ୍ଗାଲୋର ଭଳି ସହରରେ ଆଉ ଜଣେ ଆୟା ମିଳିବା ଏତେ ସହଜ ନୁହେଁ ବୋଉ।ଆଉ ଯଦି ଜଣେ ଆୟା ନ ମିଳିଲା

ତାହେଲେ ବାଧ୍ୟ ହୋଇ ପ୍ରଭାକୁ ଚାକିରି ଛାଡ଼ିବାକୁ ହେବ। ତେଣୁ ତା ଇଚ୍ଛା ବିରୁଦ୍ଧରେ ଯାଇ ମୁଁ ଏତେବଡ଼ ରିସ୍କ ନେବାକୁ ଚାହିଁଲି ନାହିଁ ବୋଉ। ସେଥିପାଇଁ ସେମାନଙ୍କୁ ହୋଟେଲରେ ରଖି ଏକୁଟିଆ ଆସିବାକୁ ବାଧ୍ୟ ହେଲି। ଆରେ ସେ ଯଦି ନଆସିଲା ତୁ ମୋ ବୋହୂ ଓ ନାତିକୁ ସାଥିରେ ନେଇ ଆସିଲୁନି। ତୁମେ ଫେରିବା ପର୍ଯ୍ୟନ୍ତ ସେ ଆୟା ପଛେ ସେହି ହୋଟେଲରେ ରହିଥାନ୍ତା। ମୁଁ ମୋ ନାତିର ସବୁ କାମ କରିଥାନ୍ତି। ମୋ ନାତିର ଦାୟିତ୍ଵ ସେ କଣ ମୋ ଠାରୁ ବେଶୀ ନେଇପାରିବ। ତତେ ତ ପୁଣି ମୁଁ ଏକୁଟିଆ ବଢ଼େଇ ଥିଲି।  ଆଈ କହିଲେ। ଆନି ପ୍ରଥମ ଥର ପାଇଁ ମୋ ସହିତ ଭୂବନେଶ୍ଵର ଆସିଛି ବୋଉ। ତା' ଭଳି କୋଡ଼ିଏ ବାଇଶି ବର୍ଷର ୟଙ୍ଗ ଝିଅଟାକୁ ହୋଟେଲରେ ଛାଡି ଆସିବା କଣ ଠିକ୍ ହୋଇଥାନ୍ତା। ତାପରେ ଆମବେଳେ ସମୟ ଅଲଗା ଥିଲା । ଆମକୁ ଯାହା ଦେଲେ ଆମେ ଖାଉଥିଲୁ, ଯାହା ଦେଲେ ପିନ୍ଧୁଥିଲୁ। କିନ୍ତୁ  ଆଜିକାଲିକା ଯେଉଁ ପିଲା ତାଙ୍କର ଖାଇବା ପିଇବାରେ ଟିକିଏ ବ୍ୟତିକ୍ରମ ହେଲେ ସେମାନେ ଅସୁସ୍ଥ ହୋଇ ପଡିବେ।ଖାଲି ଡାକ୍ତରଙ୍କୁ ପଇସା ଗଣିବା ହିଁ ସାର ହେବ। ଅଜା କହିଲେ , ଆରେ ଶୁଭ ବୋଉ! କଣ ଶୁଭ ସହିତ ଏମିତି ଗପୁଥିବ ନା ତା' ଖାଇବା ଖବର ବୁଝିବ।ଦିନ ଆସି ଚାରିଟା

ବାଜିଲାଣି।ଏତେ ଶ୍ରଦ୍ଧାରେ ରୋଷେଇ କରିଥିଲ। ଯାଅ ,ତା'କୁ ଖାଇବାକୁ ଦିଅ। ନାଇଁ ବାପା ! ମିଟିଂ ପରେ ମୁଁ ଖାଇବା କାମ ସାରି ଦେଇଛି। ଆମ କମ୍ପାନୀ ତରଫରୁ ଗୋଟିଏ ଫାଇଭ ଷ୍ଟାର ହୋଟେଲରେ ଖାଇବା ବ୍ୟବସ୍ଥା କରା ଯାଇଥିଲା। ହଉ ହେଲା। ବୋଉ ତୋର ଏତେ ଶ୍ରଦ୍ଧାରେ ତୋ ପାଇଁ ରୋଷେଇ କରିଛି।  ଟିକେ କଣ ଖାଇଦେ। ଅଜା କହିଲେ।  

ଶୁଭକାନ୍ତ କହିଲେ,ତୁ ହଇରାଣ ହୋଇ ଏସବୁ କାହିଁକି କରୁଥିଲୁ କହିଲୁ ବୋଉ? ଖାଇ ସାରିବା ପରେ ବର୍ତ୍ତମାନ ଯଦି ଟିକିଏ କ'ଣ ଖାଇଦେବି ଦେହ ନିଶ୍ଚିତ ଭାବରେ ଖରାପ ହେବ।ତୁ କ'ଣ ଭାବୁଚୁ , ମୁଁ ଆଉ ତୋର ସେହି ଛୋଟ ପୁଅ ଶୁଭ ହୋଇକରି ଅଛି ! ଯିଏ ସବୁବେଳେ ତୋତେ ଖାଇବାକୁ ମାଗୁଥିଲା। ମୁଁ ପରା ବଡ଼ ହୋଇଗଲିଣି । ଏତେ ବଡ଼ କମ୍ପାନୀର ଦାୟିତ୍ଵ ତୁଲାଉଛି। ଖାଇବାଟା କଣ ବଡ଼ କଥା। ତୁମ ମାନଙ୍କୁ ଦେଖିବା ପାଇଁ ଇଚ୍ଛା ହେଲା। ତେଣୁ ଟିକେ ଚାଲି ଆସିଲି।

ଆଈ କହିଲେ, ଠିକ୍ ଅଛି। ବର୍ତ୍ତମାନ ଅବେଳାରେ ନ ଖାଇଲେ ନାହିଁ। ତୁ ତ ଚିତୋଉ ପିଠାକୁ ଭଲ ପାଉ। ରାତିରେ ତୋ ପାଇଁ ଚିତୋଉ ବ୍ୟବସ୍ଥା କରିଛି। ଖୁବ୍ ଭଲ ଲାଗିବ ତୋତେ। ଡ୍ରାଇଭରକୁ କହ, ଗାଡିରୁ ତୋ ଜିନିଷ ପତ୍ର ନେଇ ଆସିବ। ରାତିରେ ମୁଁ ରହି ପାରିବିନି ବୋଉ। କାହିଁକି ? ଆଈ ପଚାରିଲେ।  

କଥା କଣକି, ପ୍ରଭାର ଭାଇ ଭୂବନେଶ୍ଵରରେ ଚାକିରି କରନ୍ତି। ବାହାଘର ପରଠାରୁ ପ୍ରଭା କେବେ ତାଙ୍କ ଘରକୁ ଆସିନି। ଆମେ ଭୂବନେଶ୍ଵର ଆସୁଥିବା ଜାଣି ସେମାନେ ଆଜି ରାତିରେ ଆମେ ପାଇଁ ଗୋଟିଏ ପାର୍ଟି ରଖିଛନ୍ତି। ରାତିରେ ସେଠାକୁ ନଗଲେ ସେମାନେ ମନ ଦୁଃଖ କରିବେ। ହଉ। ମୁଁ ଏବେ ଆସୁଛି। ପୁଣି କେବେ ଆସିଲେ ତୋ ହାତ ରନ୍ଧା ନିଶ୍ଚୟ ଖାଇବି। ବାଙ୍ଗାଲୋର ଫେରିବୁ କେବେ?ଅଜା ପଚାରୁଥିଲେ।  ଆସନ୍ତାକାଲି। ଏହା କହି ବାପା ବୋଉଙ୍କ ପାଦ ଧୂଳି ନେଇ ଶୁଭଙ୍କର ଗାଡ଼ି ପାଖକୁ ଚାଲି ଯାଉଥିଲେ। ବନ୍ଦାଣ ଥାଳିରେ ଲାଗିଥିବା ଦୀପଟା ଜଳି ଜଳି ଲିଭି ଆସୁଥିଲା। ରୋଷେଇ ଘରୁ ମାଛ ତରକାରି ପୋଡ଼ି ଯିବାର ଗନ୍ଧଟା ପବନରେ ଭାସି ଆସୁଥିଲା।  



Rate this content
Log in