STORYMIRROR

Biswanath Nayak

Others

4  

Biswanath Nayak

Others

ଟି - ସାର୍ଟ

ଟି - ସାର୍ଟ

10 mins
11


ଦୁଇ ତିନି ଦିନରେ ଥରେ ଘର ଭିତରେ ଥୁଆ ହୋଇଥିବା ଆଲଣାଟାକୁ ସଜାଡ଼ିବା ମୋ ପତ୍ନୀଙ୍କର ଗୋଟିଏ ନିୟମିତ ଅଭ୍ୟାସ ଥିଲା। ଆଲଣାଟା ସଜାଡ଼ିବା ଆଡ଼କୁ ମୋ ଧ୍ୟାନ ଯାଆନ୍ତା କି ନାହିଁ ସେ ତ ଏକ ଭିନ୍ନ କଥା ହେଲେ ଆଲଣାଟା ସଜାଡ଼ିବା ସହିତ ସେ ମୋ ଉପରେ ବିରକ୍ତି ପ୍ରକାଶ କରିବା ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବାରୁ ସେ ସମୟରେ ସେ ଆଡ଼କୁ ମୋ ଧ୍ୟାନ ନିଶ୍ଚିତ ଭାବରେ ଟାଣି ହୋଇ ଯାଉଥିଲା। ଅବଶ୍ୟ ତାଙ୍କର ବିରକ୍ତି ପ୍ରକାଶ କରିବାଟା ଯୁକ୍ତିଯୁକ୍ତ ଥିଲା କାରଣ ସେ ନିୟମିତ ଭାବରେ ଆଲଣାଟିକୁ ସଜାଡ଼ୁଥିଲେ କିନ୍ତୁ ତାଙ୍କର ବାରଣ ସତ୍ତ୍ୱେ ମୁଁ ନିୟମିତ ଭାବରେ ଆଲଣାରେ ମୋର ଲୁଗାପଟା ଗୁଡ଼ିକୁ ଶୃଙ୍ଖଳିତ ଭାବେ ନରଖି ଘରର ପରିଷ୍କାର ପରିଚ୍ଛନ୍ନତାର ବିରୁଦ୍ଧାଚରଣ କରୁଥିଲି। ଘରର ପରିଷ୍କାର ପରିଚ୍ଛନ୍ନତା ଦୃଷ୍ଟିରୁ ସେ ସିନା ନିୟମିତ ଭାବରେ ଆଲଣାଟିକୁ ସଜାଡ଼ୁଥିଲେ କିନ୍ତୁ ମୁଁ ଯେତେ ଚେଷ୍ଟା କଲେ ମଧ୍ୟ ନିଜର ସ୍ଵଭାବ ବଦଳାଇ ପାରୁ ନଥିଲି କି ମୋର ଲୁଗାପଟା ଆଲଣାରେ ଠିକ୍ ଭାବରେ ସଜାଡ଼ି ରଖୁ ନଥିଲି ଯେଉଁଥିପାଇଁ ମୁଁ ସମୟେ ସମୟେ ନିଜ ଉପରେ ମଧ୍ୟ ବିରକ୍ତ ହୋଇ ଯାଉଥିଲି। ଆଲଣାରେ ଆମ ଦୁଇ ଜଣଙ୍କର ଲୁଗାପଟା ରଖିବା ପାଇଁଁ ସ୍ଥାନ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ମୋର ସେହି ବଦଭ୍ୟାସ ପାଇଁଁ ଆଲଣାରେ ନିର୍ଦ୍ଧାରିତ ହୋଇଥିବା ସୀମାରେଖାର ସବୁବେଳେ ଉଲଂଘନ ହେଉଥିଲା ଯାହାକି ତାଙ୍କୁ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ କରୁଥିଲା। ଏଥିପାଇଁ ମୁଁ ତାଙ୍କୁ ଦୋଷ ଦେଇ ପାରୁ ନଥିଲି କାରଣ ଏ ସମସ୍ୟା ପାଇଁଁ ମୁଁ ହିଁ ସମ୍ପୂର୍ଣ୍ଣ ଭାବରେ ଦାୟୀ ଥିଲି। ଏବେ ଆମର ଏହି ସମସ୍ୟାକୁ ମୋର ଟି - ସାର୍ଟ ମାନଙ୍କର ଗହଳି ଦ୍ଵିଗୁଣିତ କରି ଦେଇଥିଲା। ଆଲଣାରେ ମୋର ଟି- ସାର୍ଟ ମାନଙ୍କର ସଂଖ୍ୟା ଆପେକ୍ଷିକ ଭାବେ ଅନ୍ୟ ବସ୍ତ୍ର ମାନଙ୍କ ତୁଳନାରେ ବଢ଼ିଥିବା ଫଳରେ ଅନେକ ସମୟରେ ଯେ କୋୖଣସି ବସ୍ତ୍ର ଖୋଜିଲା ବେଳକୁ ପ୍ରଥମେ ଟି- ସାର୍ଟଟିଏ ଆଖି ଆଗକୁ ଆସୁଥିଲା। ଆମ ଆଲଣାରେ ଟି- ସାର୍ଟ ମାନଙ୍କର ଏହି ଗହଳି ବଢ଼ିବାର ଗୋଟିଏ କାରଣ ହେଲା ଅବସର ଗ୍ରହଣ କଲାପରେ ମୁଁ ସାର୍ଟ ଅପେକ୍ଷା ବେଶୀ ଟି- ସାର୍ଟ ପିନ୍ଧିବାକୁ ପସନ୍ଦ କରୁଥିଲି। ଏହାର ଗୋଟିଏ ମୂଖ୍ୟ କାରଣ ଥିଲା ଟି- ସାର୍ଟକୁ ସବୁଦିନେ ସଫା କଲେ ମଧ୍ୟ ଏହାକୁ ଇସ୍ତ୍ରି ଦେବାକୁ ପଡ଼ୁ ନଥିଲା ଯେଉଁଥିପାଇଁ ମୁଁ ଅଧିକ ଟି- ସାର୍ଟ କିଣୁଥିଲି। ଆମ ଆଲଣାରେ ଏହାର ସଂଖ୍ୟା ବଢ଼ିବାର ଦ୍ଵିତୀୟ କାରଣ ହେଉଛି ଏହି ଟି- ସାର୍ଟ ଗୁଡ଼ିକ ସହଜରେ ଖରାପ ହୋଇ ଯାଉ ନଥିଲେ ଯେଉଁଥିପାଇଁ ପିନ୍ଧିବାକୁ ଉପଯୁକ୍ତ ଥିବା ପର୍ଯ୍ୟନ୍ତ ଟି- ସାର୍ଟ ଗୁଡ଼ିକୁ ମୁଁ ଆଲଣାରୁ ବାହାର କରି ଦେଇ ପାରୁ ନଥିଲି।

   ଦିନକର ଘଟଣା। ମୁଁ ପ୍ରାତଃଭ୍ରମଣରୁ ଫେରି ବସିଥାଏ। ଆଲଣା ସଜାଡ଼ୁ ସଜାଡ଼ୁ ପତ୍ନୀ ତାଙ୍କର କୋୖଣସି ଆବଶ୍ୟକୀୟ ବସ୍ତ୍ର ଆଲଣାରେ ଖୋଜି ନ ପାଇବାରୁ ସାମାନ୍ୟ ବିରକ୍ତ ହୋଇ ମୋତେ କହିଲେ , ଆଚ୍ଛା ! ଆଲଣାରେ ନୂଆ ଟି- ସାର୍ଟ ଗୁଡ଼ିକୁ ରଖି ଏଠାରୁ ପୁରୁଣା ଟି- ସାର୍ଟ ଗୁଡ଼ିକୁ ବାହାର କରିଦେଲେ ହୁଅନ୍ତାନି ? ମୁଁ ଦେଖିଲି ସେ ଠିକ୍ କହୁଛନ୍ତି। ପୁରୁଣା ଟି- ସାର୍ଟ ଗୁଡ଼ିକୁ ଆଲଣାରୁ ବାହାର କରିଦେଲେ ଉପସ୍ଥିତ ସମସ୍ୟାଟା ଅନ୍ତତଃ କିଛି ପରିମାଣରେ ସମାଧାନ ହୋଇ ଯାଆନ୍ତା। ମୁଁ କହିଲି , ଠିକ୍ ଅଛି । ତୁମେ ଆଲଣାରୁ ପୁରୁଣା ଟି- ସାର୍ଟ ଗୁଡ଼ିକୁ ବାଛି ବାହାର କରିଦିଅ। ମୋ ମୁହଁରୁ ଏକଥା ଶୁଣି ସେ କିଛି ଟି- ସାର୍ଟ ଆଲଣାରୁ ବାହାର କରି ପାଖରେ ଥିବା ଏକ ଚେୟାର ଉପରେ ରଖିଦେଲେ ଓ ମୋତେ କହିଲେ , ମୁଁ କିଛି ଟି- ସାର୍ଟ ଆଲଣାରୁ ବାହାର କରି ଏଇଠି ରଖି ଦେଇଛି। ତୁମେ ଟିକେ ଦେଖିଦେବ। ମୋର ସେତେବେଳେ ଅନ୍ୟ କାମରେ ଟିକେ ବାହାରକୁ ଯିବାର ଥିଲା। ମୁଁ କହିଲି , ଠିକ୍ ଅଛି। ସେଗୁଡ଼ିକ ସେଇଠି ଥାଉ । ମୁଁ ପରେ କେତେବେଳେ ଦେଖିଦେବି। ସେଦିନ ଅନ୍ୟ କାମରେ ବ୍ୟସ୍ତ ରହି ମୁଁ ଆଉ ପତ୍ନୀ ବାହାର କରି ଦେଇଥିବା ଟି- ସାର୍ଟ ଗୁଡ଼ିକୁ ଦେଖି ପାରିଲି ନାହିଁ। ତା ପରଦିନ ମୁଁ ମୋର ପ୍ରାତଃ କାର୍ଯ୍ୟ ସାରି ସେହି ଟି- ସାର୍ଟ ଗୁଡ଼ିକୁ ଦେଖିଲି। ତା ଭିତରୁ ଗୋଟିଏ ଟି- ସାର୍ଟ ବାଛି ମୁଁ ପୁଣି ଯେତେବେଳେ ଆଲଣାରେ ରଖିବାକୁ ଉଦ୍ୟତ ହେଲି ଅନତି ଦୂରରେ ବସି ଏସବୁକୁ ଲକ୍ଷ୍ୟ କରୁଥିବା ମୋର ପତ୍ନୀ ମୋତେ କହିଲେ , କଣ ସେ ଟି- ସାର୍ଟଟିକୁ ପୁଣି ରଖିବ ନା କ'ଣ ? ମୁଁ କହିଲି , ହଁ। ମୋର ଏହି ଛୋଟିଆ ଉତ୍ତରଟି ବୋଧହୁଏ ତାଙ୍କୁ ସନ୍ତୁଷ୍ଟ କରି ପାରିଲା ନାହିଁ କାହିଁକି ନା ସେ ଯେଉଁସବୁ ଟି- ସାର୍ଟ ଗୁଡ଼ିକୁ ପୁରୁଣା ଓ ଅନାବଶ୍ୟକ ଭାବି ଆଲଣାରୁ କାଢ଼ି ଦେଇଥିଲେ ସେଗୁଡ଼ିକ ଭିତରୁ ମୁଁ ଗୋଟିଏ ଟି- ସାର୍ଟ ବାଛି ରଖିବା ପାଇଁଁ କାହିଁକି ଚାହୁଁଥିଲି ସେ ତାହା ବୁଝି ପାରୁ ନଥିଲେ। ତେଣୁ ସେ ପଚାରିଲେ , କାହିଁକି ? ମୁଁ ସେ କାହିଁକି ର ଉତ୍ତର ଦେବାକୁ ଗଲା ବେଳକୁ ମୋର ଗୋଟିଏ ଫୋନ କଲ୍ ଆସିଲା। ମୁଁ ମୋବାଇଲ ଫୋନରେ କଥା ହେଲି ଓ ପତ୍ନୀ ତାଙ୍କର ଘର କାମରେ ବ୍ୟସ୍ତ ରହିଲେ। ସେଦିନ ଏକ ପୁସ୍ତକ ଉନ୍ମୋଚନ ସଭାରେ ଯୋଗ ଦେବାକୁ ଭୁବନେଶ୍ଵର ଯିବା ପାଇଁ ମୁଁ ଯେଉଁ ଡ୍ରାଇଭରକୁ ଠିକ୍ କରିଥିଲି ସେ ମୋତେ ଫୋନ୍ କରିଥିଲା। ପୁସ୍ତକ ଉନ୍ମୋଚନ ସଭା ସନ୍ଧ୍ୟା ସାତଟାରେ ଆରମ୍ଭ ହେବାକୁ ଥାଏ। ରାତିରେ ମୋତେ ଗାଡ଼ି ଡ୍ରାଇଭିଙ୍ଗ କରିବାକୁ ଅସୁବିଧା ହେବ ବୋଲି ମୁଁ ସେ ଡ୍ରାଇଭରକୁ ସାଥିରେ ନେବାକୁ ଠିକ୍ କରିଥାଏ। କଥା ଅନୁସାରେ ସେ ଆସି ଛଅଟା ବେଳେ ମୋ ପାଖରେ ପହଞ୍ଚିବା କଥା। ସେ ଏବେ କାହିଁକି ଫୋନ୍ କରିଛି ଭାବି ତା ସହିତ କଥା ହେଲାବେଳକୁ ସେ କହିଲା ଯେ ତାର ରାତିରେ ଗୋଟିଏ ବାହାଘର କଲ୍ ଆସିଛି। ତେଣୁ ଭୁବନେଶ୍ୱରରୁ ଫେରି ତାକୁ ରାତି ସାଢ଼େ ଆଠଟା ସୁଦ୍ଧା କଟକରେ ପହଞ୍ଚିବାକୁ ହେବ। ମୁଁ ବଡ଼ ଅସୁବିଧାରେ ପଡ଼ିଗଲି। କାହିଁକି ନା କଟକରେ ସାଢ଼େ ଆଠଟାରେ ପହଞ୍ଚିବାକୁ ହେଲେ ମୋତେ ସଭା କାର୍ଯ୍ୟ ସାରି ଭୁବନେଶ୍ୱରରୁ ଆଠଟାରେ ବାହାରିବାକୁ ହେବ। ଆମ ଭାରତୀୟ ସାହିତ୍ୟ ସଭାର ବ୍ୟବସ୍ଥା ଯାହା ସଭା ସାତଟାରେ ଆରମ୍ଭ ହୋଇ କେବେ ଆଠଟାରେ ସରି ପାରିବ ନାହିଁ। ତାପରେ ସେଠାରେ ମୋର ଗୋଟିଏ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଥିବାରୁ ସଭା ସରିବା ଆଗରୁ ମୁଁ କେବେ ସଭାମଞ୍ଚ ଛାଡ଼ି ଆସି ପାରିବି ନାହିଁ। ତେଣୁ ତାକୁ ମୁଁ କହିଲି , ଆଚ୍ଛା ଠିକ୍ ଅଛି , ମୁଁ ଆଉ ଜଣେ ଡ୍ରାଇଭର ଠିକ୍ କରିବାକୁ ଚେଷ୍ଟା କରିବି। ଯଦି ନହେଲା ତାହେଲେ ତମେ ମୋ ସହିତ ଯିବ। ତାକୁ ଏହିକଥା କହି ଫୋନ୍ ରଖି ଭାବିଲି , ଠିକ୍ ଢ଼ିଙ୍କି ମୁଣ୍ଡରେ ଚାଉଳ ହେଲା ବେଳକୁ ଏହି ଡ୍ରାଇଭର ମୋତେ ଏମିତି କାହିଁକି ଅସୁବିଧାରେ ପକାଇଲା ଯେ ! ଏହି ଡ୍ରାଇଭର ଅସୁବିଧାରେ ପକାଇବା କଥାକୁ ନେଇ ମୋର ବନ୍ଧୁ ବିରଞ୍ଚିଙ୍କ କଥା ମନେ ପଡ଼ିଗଲା। ୨୦୨୩ ଡିସେମ୍ବର ମାସ ଦଶ ତାରିଖ ଦିନ ରେଭେନ୍ସା ମହାବିଦ୍ୟାଳୟରେ ୧୯୮୩ ମସିହାରେ ଅର୍ଥନୀତି ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିବା ଆମ ବନ୍ଧୁ ମାନଙ୍କର ବନ୍ଧୁମିଳନ ଭୁବନେଶ୍ୱରରେ ଅନୁଷ୍ଠିତ ହେବାର ଥାଏ। ବନ୍ଧୁ ମନୋରଞ୍ଜନ, ବନ୍ଧୁ ପ୍ରଭାକର , ବନ୍ଧୁ ରମେଶ ଓ ବନ୍ଧୁ ବିନୟଙ୍କ ସମେତ ଅନ୍ୟ ବନ୍ଧୁମାନେ ଏଥିପାଇଁ ଜୋରସୋରରେ ଲାଗି ପଡ଼ିଥାନ୍ତି। ମାସେ ପୂର୍ବରୁ ବନ୍ଧୁ ମନୋରଞ୍ଜନ ମୋତେ ବାରମ୍ୱାର କହିଥାନ୍ତି , ଭାଇ ! ଯେମିତି ହେଉ ଆମେ ଏହି ବନ୍ଧୁମିଳନ ଠିକ୍ ସମୟରେ ଆରମ୍ଭ କରିବା। ଦୀର୍ଘ ଚାଳିଶି ବର୍ଷର ବ୍ୟବଧାନ ପରେ ଆମର ଏହି ବନ୍ଧୁମିଳନ ଅନୁଷ୍ଠିତ ହେଉଥିବାରୁ ସବୁ ବନ୍ଧୁମାନଙ୍କ ମନରେ ଏଥିପାଇଁ ପ୍ରବଳ ଉତ୍କଣ୍ଠା ଥାଏ। ଚାରି ଦଶନ୍ଧିର ବ୍ୟବଧାନ କିଛି ଛୋଟିଆ କଥା ନୁହେଁ। ୟା ଭିତରେ ସମସ୍ତଙ୍କ ଚେହେରାରେ କେତେ ପରିବର୍ତ୍ତନ ହୋଇ ଯାଇଥିବ। ସମସ୍ତେ ଜୀବନର କେତେ ମୂଲ୍ୟବାନ ସ୍ମୃତି ଓ ଅନୁଭୂତି ସାଉଁଟି ସାରିଥିବେ। ତେଣୁ ଦୀର୍ଘ ଚାଳିଶି ବର୍ଷର ସ୍ମୃତି ଓ ଅନୁଭୂତିକୁ ନିଜ ନିଜ ଭିତରେ ବାଣ୍ଟିବା ପାଇଁ ବନ୍ଧୁମାନେ ଏହି ବନ୍ଧୁମିଳନକୁ ଅତ୍ୟନ୍ତ ଆଗ୍ରହର ସହିତ ଅପେକ୍ଷା କରିଥାନ୍ତି। ବନ୍ଧୁମିଳନର କିଛିଦିନ ପୂର୍ବରୁ ବନ୍ଧୁମିଳନକୁ ଭୁବନେଶ୍ବର ସାଥି ହୋଇ ଯିବାପାଇଁ ବନ୍ଧୁ ବିରଞ୍ଚିଙ୍କ ସହ ଯୋଗାଯୋଗ କଲି। ସେ କହିଲେ , ଦୁଇଜଣ ଯାକ ସାଥି ହୋଇ ବାଇକରେ ଚାଲିଯିବା। ମୁଁ କହିଲି , ସେକଥା ଠିକ୍ ଯେ ହେଲେ ଜଗତସିଂହପୁରରୁ ବନ୍ଧୁ ଅକ୍ଷୟ ଆସି ଆମ ସହିତ ଯିବେ। ତେଣୁ ଆମେ ତିନିଜଣ ତୁମ ଗାଡ଼ିରେ ଗଲେ ଭଲ ହେବ। ତୁମେ ସେଥିପାଇଁ ଜଣେ ଡ୍ରାଇଭରକୁ ଠିକ୍ କର। ସେ କହିଲେ , ହଉ ! ମୋର ଜଣେ ଚିହ୍ନା ଡ୍ରାଇଭରକୁ ମୁଁ କହିବି। ତା ପରଦିନ ସେ ମୋତେ ଫୋନ୍ କରି କହିଲେ , ଡ୍ରାଇଭର ଠିକ୍ ହୋଇଗଲା।

     ବନ୍ଧୁମିଳନର ପୂର୍ବ ଦିନ ରାତି କଥା। ବନ୍ଧୁ ବିରଞ୍ଚି ମୋତେ ଫୋନ୍ କରି କହିଲେ , କଣ କରିବା ! ସେ ଡ୍ରାଇଭର ଏବେ ମୋତେ ଫୋନ୍ କରି କହୁଛି ଯେ ତାର ଗୋଟିଏ ବାହାଘର କଲ୍ ଆସିଛି। ତେଣୁ ସେ ଆମକୁ ନେଇ ଭୁବନେଶ୍ଵର ଯିବ ଯେ ହେଲେ ସେଠାରୁ ଫେରି ଦୁଇଟାବେଳେ କଟକରୁ ବାହାଘର କାମରେ ଯିବ। ତେଣୁ ଆମେ କଣ ଦୁଇଟା ସୁଦ୍ଧା ଫେରି କଟକରେ ପହଞ୍ଚି ପାରିବା ? ମୁଁ କହିଲି , ଭାଇ ! କେବେହେଲେ ସମ୍ଭବ ନୁହେଁ। ଅନେକ ଦୂରଦୂରାନ୍ତରୁ ବନ୍ଧୁମାନେ ଆସୁଛନ୍ତି। ସମସ୍ତେ ଭୁବନେଶ୍ୱରରେ ପହଞ୍ଚିଲା ବେଳକୁ ସାଢ଼େ ଦଶଟା କି ଏଗାରଟା ହେବ। ତାପରେ ଦୀର୍ଘ ଚାଳିଶି ବର୍ଷର ବ୍ୟବଧାନ ପରେ ଆମେ ଆମର ବନ୍ଧୁମାନଙ୍କୁ ଭେଟିବାକୁ ଯାଉଛେ। ସମସ୍ତେ ସମସ୍ତଙ୍କ ସହିତ ସୁଖ ଦୁଃଖ ବାଣ୍ଟୁ ବାଣ୍ଟୁ ସମୟ ଯେ କେତେବେଳେ ଗଡ଼ିଯିବ ଜଣା ପଡ଼ିବ ନାହିଁ। ତେଣୁ ଖାଇବା ସାରି ଆମେ ଦୁଇଟା ବେଳେ କିପରି ଫେରି ପାରିବା ! ଏକଥା ଶୁଣି ବନ୍ଧୁ ମଧ୍ୟ ଟିକେ ଚିନ୍ତାରେ ପଡ଼ିଗଲେ। କହିଲେ , କଣ କରିବା ! ମୁଁ ଆଉ କେତେଜଣ ଡ୍ରାଇଭରଙ୍କୁ ଯୋଗାଯୋଗ କରି ସାରିଲେଣି ଯେ ହେଲେ କାଲି ଗୁଡ଼ାଏ ବାହାଘର ଥିବାରୁ କେହି ରାଜି ହେଉ ନାହାଁନ୍ତି। ଦେଖିବା , ଯଦି ଆଉ କିଛି ବିକଳ୍ପ ବ୍ୟବସ୍ଥା ନ ହୋଇ ପାରିବ ତାହେଲେ ଆମେ କାଲି ଦୁଇଟା ଭିତରେ ଫେରି ଆସିବା ପାଇଁ ଚେଷ୍ଟା କରିବା। ଅନନ୍ୟୋପାୟ ହୋଇ ମୁଁ ସିନା ତାଙ୍କ କଥାରେ ହଁ ଭରିଲି , କିନ୍ତୁ ଦୁଇଟା ପୂର୍ବରୁ ଫେରି ଆସିବା କଥାଟା ମୋଟେ ମୋ ମନକୁ ମୋଟେ ପାଉ ନଥାଏ। ଏହା ମୋତେ ଏକ ପ୍ରକାର ଅସମ୍ଭବ ଲାଗୁଥାଏ।

    ତା ପରଦିନ ସକାଳ ନଅଟା ବେଳକୁ ବନ୍ଧୁ ଅକ୍ଷୟ କଟକରେ ପହଞ୍ଚି ମୋତେ ଫୋନ୍ କଲେ। ମୁଁ ବନ୍ଧୁ ବିରଞ୍ଚିଙ୍କୁ ସେକଥା ଫୋନ୍ କରି ଜଣାଇଲି ଓ ଲିଙ୍କ ରୋଡ଼ରୁ ଅକ୍ଷୟଙ୍କୁ ଆଣି ମୋତେ ବାଦାମବାଡ଼ିରୁ ନେବା ପାଇଁଁ କହିଲି। ଠିକ୍ ସମୟରେ ବନ୍ଧୁ ବିରଞ୍ଚି ବନ୍ଧୁ ଅକ୍ଷୟଙ୍କୁ ସାଥିରେ ଧରି ମୋ ପାଖରେ ପହଞ୍ଚିଲେ ଓ ଆମେ ତିନି ବନ୍ଧୁ ଭୁବନେଶ୍ଵର ଅଭିମୁଖେ ଯାତ୍ରା କଲୁ। ବନ୍ଧୁମିଳନକୁ କେଉଁ କେଉଁ ବନ୍ଧୁମାନେ ଆସିବେ , ଚାଳିଶି ବର୍ଷର ବ୍ୟବଧାନ ପରେ ସେମାନଙ୍କ ଚେହେରାରେ କିପରି ପରିବର୍ତ୍ତନ ହୋଇଥିବ , ମଝିରେ ମଝିରେ କେଉଁ କେଉଁ ବନ୍ଧୁମାନଙ୍କ ସହିତ କାହାର କେଉଁଠି ଭେଟ ହୋଇଥିଲା , ଏହିସବୁ ବିଷୟରେ ଆଲୋଚନା କରିବା ଭିତରେ ଆମେ ତିନିବନ୍ଧୁ ବନ୍ଧୁମିଳନ ପାଇଁ ନିର୍ଦ୍ଧାରିତ ହୋଇଥିବା ସ୍ଥାନରେ ପହଞ୍ଚି ଯାଇଥିଲୁ। ସେତେବେଳକୁ କିଛି ବନ୍ଧୁ ସେଠାରେ ପହଞ୍ଚି ସାରିଥିଲେ। ଅଳ୍ପ ସମୟ ଭିତରେ ଅନ୍ୟ ସବୁ ଭାଇ ଓ ଭଉଣୀମାନେ ଆସି ସେଠାରେ ପହଞ୍ଚିଗଲେ। ଦୀର୍ଘ ଚାଳିଶି ବର୍ଷର ବ୍ୟବଧାନ ପରେ ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବାର ଉତ୍କଣ୍ଠା ସମସ୍ତଙ୍କ ଚେହେରାରେ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ବନ୍ଧୁମିଳନ ଆରମ୍ଭ ହେଲା। ଅନେକ ଆନନ୍ଦ ଓ ଉତ୍ସାହର ସହିତ ବନ୍ଧୁମାନେ ସେମାନଙ୍କର ଚାଳିଶି ବର୍ଷର ସ୍ମୃତି ଓ ଅନୁଭୂତିକୁ ଅନ୍ୟ ବନ୍ଧୁମାନଙ୍କ ଆଗରେ ବଖାଣି ଚାଲିଲେ। ସମସ୍ତଙ୍କୁ ଦେଖିଲେ ଲାଗୁଥିଲା ସତେ ଯେମିତି ସମୟ ଚାଳିଶି ବର୍ଷ ତଳକୁ ଫେରି ଯାଇଛି ଓ ସମସ୍ତଙ୍କ ଭିତରେ ସେହି ଚାଳିଶି ବର୍ଷ ତଳର ଯୁବସୁଲଭ ଚପଳତା ଫେରି ଆସିଛି। ବନ୍ଧୁମାନେ ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ସମୟର ସ୍ମୃତି ସହିତ ବିଗତ ଚାଳିଶି ବର୍ଷର ସ୍ମୃତିକୁ ସାଉଁଟୁ ସାଉଁଟୁ ସମୟ ଯେ କେତେ ଶୀଘ୍ର ଗଡ଼ି ଯାଇଥିଲା ତାହା ଜାଣି ହେଉ ନଥିଲା। ୟା ଭିତରେ ଦିନ ଦୁଇଟା ବାଜି ଯାଇଥିଲା ଓ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଯେତେବେଳେ ଦୁଇଟା ବାଜିଲା ମୁଁ ବନ୍ଧୁ ବିରଞ୍ଚିଙ୍କୁ ଲକ୍ଷ୍ୟ କରୁଥାଏ। କାଲି ଡ୍ରାଇଭର କରିଥିବା ଚୁକ୍ତି ଅନୁସାରେ ଆମେ ଦୁଇଟା ବେଳ ସୁଦ୍ଧା କଟକ ଫେରି ଯିବା କଥା। କିନ୍ତୁ ବନ୍ଧୁ ବିରଞ୍ଚି କଟକ ଫେରିବା ପାଇଁ ମୋତେ କୋୖଣସି ସୂଚନା ଦେଉ ନଥାନ୍ତି । ଭାବିଲି ବୋଧହୁଏ ଡ୍ରାଇଭରଟି ଯେତେବେଳେ ତାଙ୍କୁ କଟକ ଫେରିବା କଥା ଫୋନରେ ସୂଚନା ଦେବ ସେ ସେତେବେଳେ ମୋତେ ସେକଥା କହିବେ। ଏହିଭଳି ଆଶା ଓ ଆଶଙ୍କା ଭିତରେ ମୁଁ ସେହି ସମୟକୁ ଅପେକ୍ଷା କରିଥାଏ। ୟା ଭିତରେ ମଧ୍ୟାହ୍ନ ଭୋଜନ ସରିଗଲା। ତାପରେ ବନ୍ଧୁମାନଙ୍କ ଭିତରେ ହାଉସି ଖେଳ ଆରମ୍ଭ ହେଲା। ସେତେବଳକୁ ଦିନ ତିନିଟା ବାଜି ଗଲାଣି। କିନ୍ତୁ ବନ୍ଧୁ ବିରଞ୍ଚି କଟକ ଫେରି ଯିବା ପାଇଁ କିଛି ସୂଚନା ଦେଉ ନଥାନ୍ତି। ସେ ସ୍ଵାଭାବିକ ଭାବରେ ସମସ୍ତଙ୍କ ସହିତ ମିଶି ହାଉସି ଖେଳୁଥାନ୍ତି। କାଲିଠାରୁ ମୋ ମନ ଭିତରେ ଡ୍ରାଇଭରକୁ ନେଇ ଯେଉଁ ବ୍ୟସ୍ତତା ଥିଲା ତାହା ସେତେବେଳକୁ ଦୂର ହୋଇ ଯାଇଥାଏ କାହିଁକି ନା ୟା ଭିତରେ ଚାରିଟା ବାଜି ଯାଇଥିଲା ଓ ବନ୍ଧୁମିଳନ ପରେ ବିଦାୟର ପର୍ବ ଆରମ୍ଭ ହୋଇ ଯାଇଥିଲା। ଭବିଷ୍ୟତରେ ପୁଣି ଏକାଠି ହେବାର ପ୍ରତିଶୃତି ଦେଇ ସମସ୍ତେ ସମସ୍ତଙ୍କ ଠାରୁ ବିଦାୟ ନେଲୁ। ଫେରିଲା ବେଳେ ବାଟରେ ମୁଁ ଡ୍ରାଇଭର ବିଷୟରେ ଯେତେବେଳେ ବନ୍ଧୁ ବିରଞ୍ଚିଙ୍କୁ ପଚାରିଲି , ସେ କହିଲେ , ଭାଇ ! ଇୟେ ସେଇ ଡ୍ରାଇଭର ନୁହେଁ। ସେ ଡ୍ରାଇଭରକୁ କ୍ୟାନସେଲ କରି ମୁଁ ଆଉଜଣେ ଡ୍ରାଇଭରକୁ ବି ଠିକ୍ କରିଥିଲି। କିନ୍ତୁ ଶେଷ ମୁହୂର୍ତ୍ତରେ ସେ ମଧ୍ୟ ମନାକଲା। ତାପରେ ୟାଙ୍କ ସହ ଯୋଗାଯୋଗ ହେଲା । ବନ୍ଧୁଙ୍କ ଠାରୁ ଏହିକଥା ଶୁଣି ମୁଁ ମନେମନେ ଭଗବାନଙ୍କୁ ଧନ୍ୟବାଦ ଦେଉଥିଲି। ମୁଁ ବନ୍ଧୁ ବିରଞ୍ଚିଙ୍କୁ କହିଲି , ଭାଇ ! ଯାହା ହେଲା ଭଲ ହେଲା କାହିଁକି ନା ଯଦି ସେ ପ୍ରଥମ ଡ୍ରାଇଭର ଆମକୁ ନେଇ ଭୁବନେଶ୍ଵର ଯାଇଥାନ୍ତା ତାହେଲେ ଆମ୍ଭେ ଆଜିର ବନ୍ଧୁମିଳନକୁ ପୂର୍ଣ୍ଣ ପ୍ରାଣରେ ଉପଭୋଗ କରି ପାରି ନଥାନ୍ତେ। ତେଣୁ ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ।

    ଡ୍ରାଇଭର ସମସ୍ୟାକୁ ନେଇ ଏହିପରି ଏକ ଭାବନା ରାଜ୍ୟରେ ମୁଁ ହଜି ଯାଇଥିବା ସମୟରେ ପତ୍ନୀଙ୍କର ଡ଼ାକରେ ମୁଁ ମୋ ଭାବନା ରାଜ୍ୟରୁ ଫେରି ଆସିଲି। ସେ କହିଲେ, ଆରେ ! ସେତେବେଳୁ ଏଇଠି ବସି ତୁମେ କଣ ଭାବୁଛ ? ମୁଁ କହିଲି , ଶେଷ ମୁହୂର୍ତ୍ତରେ ସେ ଡ୍ରାଇଭରଟା ହଇରାଣ କଲା ତ ? ସେହିକଥା ବସି ଭାବୁଥିଲି। ପତ୍ନୀଙ୍କୁ ଏକଥା କହିଲାବେଳେ ସେ ଆଲଣାରୁ ବାହାର କରିଦେଇଥିବା ଟି - ସାର୍ଟ ମଧ୍ୟରୁ ମୁଁ ରଖିବା ପାଇଁଁ ବାଛିଥିବା ଟି- ସାର୍ଟଟିକୁ ମୁଁ ହାତରେ ଧରିଥାଏ। ସେ କହିଲେ ଏ ଟି- ସାର୍ଟଟି ତ ତୁମକୁ ବଡ଼ ହେଉଛି। ତେଣୁ ଏହାକୁ 44 cm ସାଇଜର ଦେଖି ମୁଁ ବାହାର କରି ଦେଇଥିଲି। ତୁମେ ପୁଣି ତାକୁ ରଖୁଛ କାହିଁକି ? ଯଦି ଏହି ଟି- ସାର୍ଟ ତୁମର ପସନ୍ଦ ତାହେଲେ ତୁମେ ତୁମ ସାଇଜର ଏହିଭଳି ଆଉ ଏକ ଟି- ସାର୍ଟ ମାର୍କେଟରୁ କିଣିଦେବ। ମୁଁ ତାଙ୍କୁ କହିଲି , ଦେଖ ! ଏ ଟି- ସାର୍ଟ ମାର୍କେଟରେ ମିଳିବ ନାହିଁ। ସେ ଟିକେ ହସି କହିଲେ , ଆମ କଟକ ମାର୍କେଟରେ କେଉଁ ଟି- ସାର୍ଟ ନମିଳିବ କହିଲ ! ମୁଁ କହିଲି , ଆରେ ! କଟକ ମାର୍କେଟରେ କଣ ପୃଥିବୀର କୋୖଣସି ମାର୍କେଟରେ ବି ଏ ଟି- ସାର୍ଟ ମିଳିବ ନାହିଁ। ସେ ମୋ ମୁହଁକୁ ଆଶ୍ଚର୍ଯ୍ୟର ସହିତ ଚାହିଁଲେ। ମୁଁ ତାଙ୍କ ସହିତ ମଜା କରୁଛି ଭାବି ସେ କହିଲେ , ଦେଖ ! ତୁମ ସହିତ ଥଟ୍ଟା ପରିହାସ କରିବାକୁ ମୋ ପାଖରେ ଆଦୋୖ ସମୟ ନାହିଁ। ଆଚ୍ଛା ତୁମେ ମୋତେ ଗୋଟେ କଥା କୁହ। ତୁମେ ତ ସବୁବେଳେ 42 cm ସାଇଜର ଟି- ସାର୍ଟ ପିନ୍ଧ। ତାହେଲେ ଏ 44 cm ସାଇଜର ଟି - ସାର୍ଟ କିଣିଥିଲ କାହିଁକି ? ମୁଁ ତାଙ୍କୁ କହିଲି , ମୁଁ ଏ ଟି-ସାର୍ଟ କିଣି ନାହିଁ। ଏହି ଟି- ସାର୍ଟଟି ମୋର ଜଣେ ବନ୍ଧୁ ମୋତେ ସ୍ନେହରେ ଉପହାର ଦେଇଥିଲେ। ତେଣୁ ଏହି ଟି- ସାର୍ଟଟି ମୋ ପାଇଁ ଏକ ସାଧାରଣ ଟି- ସାର୍ଟ ନୁହେଁ। ଏହା ମୋ ପାଇଁ ଅସାଧାରଣ। ବନ୍ଧୁ ସୁଦାମା ବନ୍ଧୁ ଶ୍ରୀକୃଷ୍ଣଙ୍କୁ ଭେଟି ଦେଇଥିବା ଖୁଦଭଜା ଶ୍ରୀକୃଷ୍ଣଙ୍କ ପାଇଁ ଯେପରି ସାଧାରଣ ଖୁଦଭଜା ନଥିଲା , ସେହି ଖୁଦଭଜା ସୁଦାମାଙ୍କ ସ୍ନେହରେ ଭିଜି ତାହା ଶ୍ରୀକୃଷ୍ଣଙ୍କ ପାଇଁ ଯେପରି ଅସାଧାରଣ ହୋଇ ଯାଇଥିଲା ଠିକ୍ ସେମିତି ଏହି ଟି - ସାର୍ଟ ମୋ ପାଇଁ ଏକ ସାଧାରଣ ଟି- ସାର୍ଟ ନୁହେଁ। ଏଥିରେ ମୋ ବନ୍ଧୁଙ୍କର ସ୍ନେହ ମିଶି ଏହା ମୋ ପାଇଁ ଅସାଧାରଣ ହୋଇ ଯାଇଛି। ସେଥିପାଇଁ ପୃଥିବୀର କୌଣସି ମାର୍କେଟରେ ଏ ଟି- ସାର୍ଟ ମିଳିବ ନାହିଁ କି ପୃଥିବୀର ସମସ୍ତ ସମ୍ପଦ ବି ଏ ଟି ସାର୍ଟର ମୂଲ୍ୟ ସହିତ ସମାନ ହେବନାହିଁ। ସେ କହିଲେ , ଆଚ୍ଛା ! ତୁମର ସେହି ପ୍ରିୟ ବନ୍ଧୁ କିଏ ? ମୁଁ କହିଲି , ସେ ମୋର ବନ୍ଧୁ ଅଜିତ୍। ଆମେ ଦୁଇବନ୍ଧୁ ରେଭେନ୍ସା ମହାବିଦ୍ୟାଳୟରେ ପଢୁଥିଲୁ। ସେ କହିଲେ , ସେ ତ ବହୁତ ଦିନ ତଳର କଥା। ଏବେ ତାଙ୍କ ସହିତ ତୁମର କେମିତି ଦେଖାହେଲା। ମୁଁ କହିଲି , ଗତ ଡ଼ିସେମ୍ବର ମାସ ୧୦ ତାରିଖରେ ଭୁବନେଶ୍ୱରରେ ଆମର ଯେଉଁ ବନ୍ଧୁମିଳନ ହୋଇଥିଲା ସେହି ବନ୍ଧୁମିଳନରେ ବନ୍ଧୁ ଅଜିତ୍ ଏହି ଟି- ସାର୍ଟଟି ମୋତେ ସ୍ନେହରେ ଉପହାର ଦେଇଥିଲେ। ଖାଲି ମୋତେ ନୁହେଁ ବନ୍ଧୁମିଳନରେ ଯୋଗ ଦେଇଥିବା ସବୁ ବନ୍ଧୁମାନଙ୍କୁ ସେ ଏହିପରି ଗୋଟିଏ ଗୋଟିଏ ଟି- ସାର୍ଟ ଉପହାର ଦେଇଥିଲେ। ତେଣୁ ବନ୍ଧୁ ଅଜିତଙ୍କ ସ୍ନେହରେ ଭିଜିଥିବା ଏହି ଟି- ସାର୍ଟକୁ ମୁଁ ମୋ ପାଖରୁ ଦୂରେଇ ଦେଇଥାନ୍ତି କେମିତି ? ସେଥିପାଇଁ ତୁମେ ଆଲଣାରୁ ବାହାର କରି ଦେଇଥିବା ଟି- ସାର୍ଟ ଭିତରୁ ମୁଁ ମୋ ବନ୍ଧୁଙ୍କର ସ୍ନେହର ଉପହାରଟିକୁ ବାଛି ରଖିବା ପାଇଁଁ ଯାଉଥିଲି। ପତ୍ନୀ ଦୁଃଖ ପ୍ରକାଶ କରି କହିଲେ , ଦେଖ ! ଏକଥା ଜାଣିଥିଲେ ମୁଁ କେବେ ଏ ଟି- ସାର୍ଟଟିକୁ ଆଲଣାରୁ ବାହାର କରି ନଥାନ୍ତି। ଏକଥା କହି ପତ୍ନୀ ରୋଷେଇ କରିବା ପାଇଁଁ ରୋଷେଇ ଘର ଭିତରକୁ ଚାଲି ଯାଉଥିଲେ। ମୁଁ ବନ୍ଧୁ ଅଜିତଙ୍କ ସ୍ନେହରେ ଭିଜିଥିବା ସେହି ଟି- ସାର୍ଟଟିକୁ ସଜାଡ଼ି ଆଲଣାରେ ରଖିବାକୁ ଯାଉଥିଲି ଯାହାକୁ କି ମୁଁ ସାଇତି ରଖିବା ପାଇଁଁ ଚାହୁଁଥିଲି , ହୁଏତ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ - - - - ।

                           


Rate this content
Log in