Trupti Paikaray

Others

2.5  

Trupti Paikaray

Others

ଜଗନ୍ନାଥ ଅଙ୍କଲ

ଜଗନ୍ନାଥ ଅଙ୍କଲ

9 mins
7.9K


ଆଜି ପୂଜା ଜୀବନର ସବୁଠାରୁ ବଡ ପରୀକ୍ଷା, ସବୁଦିନ ପରି ସେ ଆଜି ବି ଅନେଇ ବସିଛି ସବୁ ଠିକ ହେବ, ଜଗନ୍ନାଥ ଅଙ୍କଲ ତାର ସବୁକିଛି ଠିକ କରିବେ I ସେ ହିଁ ତା ସାଙ୍ଗ, ସାଥି, ଭାଇ, ବନ୍ଧୁ ଆଉ କୁଟୁମ୍ବ I ସେପଟେ ବନ୍ଧୁବାନ୍ଧବ ଆଉ ପଡୋଶୀଙ୍କ ଟାହିଟାପରା ଯେ ବେଦୀରୁ ବର ଚାଲିଗଲା, ଏଇ ଝିଅକୁ ଆଉ କିଏ ବାହା ହେବ I ପୂଜାର ବୋଉ ମୁଣ୍ଡ ପିଟିପିଟି କାନ୍ଦୁଥାଏ, ବାପା ତାର ଚୁପଚାପ ହେଇ ବସିଥାନ୍ତି, ଏସବୁ କଣ ଯେ ହେଇଗଲା ସେ କିଛି ବୁଝିପାରୁନଥାନ୍ତି I ହେଲେ ପୂଜା ଜାଣିଥିଲା ତା ଜଗନ୍ନାଥ ଅଙ୍କଲ ସବୁ ସମାଧାନ କରିଦେବେ I ସେ କାହା କଥାକୁ ତିଳେ ମାତ୍ର ଖାତିର ନକରି ନିଜ ବାପାବୋଉଙ୍କୁ ବୁଝାଇଲା, "ତୁମେ ମାନେ ବିଲକୁଲ ବ୍ୟସ୍ତ ହୁଅନି, ସବୁକିଛି ଠିକ ହେଇଯିବ" I ଜଗନ୍ନାଥ ଅଙ୍କଲଙ୍କ ଉପରେ ପୂଜାର ଏହି ବିଶ୍ୱାସ ପିଲାଟି ଦିନରୁ I ଜଗନ୍ନାଥ ଫଟୋ ନିଜ ପାଖରେ ରଖିଥାଏ, ଯାହା ଖାଏ ଜଗନ୍ନାଥଙ୍କୁ ଖୁଆଏ ଆଉ ପାଖରେ ନେଇ ଶୁଆଇ ଦିଏ I ପୂଜାର ବୋଉ ସବୁବେଳେ ତାକୁ ବୁଝାଇ କୁହନ୍ତି "ମା' ଜୀବନରେ ଯେମିତି ପରିସ୍ଥିତି ଆସିଲେ ବି ସବୁବେଳେ ସେ କାଳିଆ ଠାକୁର ଉପରେ ଭରସା ରଖିଥିବୁ, ସେଇ ଜଗତର ନାଥ ଜଗନ୍ନାଥ ତୋର ସବୁ ଇଛା ପୂରଣ କରିବେ, ଆମେ ତତେ ଜନ୍ମ ଦେଇଚୁ ହେଲୁ ସେ ହିଁ ତୋର ସବୁକିଛି I ଜୀବନରେ ଯେତେ ଝଡଝଞ୍ଜା ଆସିଲେ ବି ତା ଉପରେ ଭରସା ରଖିବୁ, ଯାହା ତୋର ଦରକାର ତାକୁ ମାଗିବୁ, ସେ ତୋ ଇଛା ପୁରାଣ କରିବ, ହେଲେ କାହା ଆଗରେ ହାତ ପତେଇବୁନି" I ପୂଜା ପିଲାଟିଦିନରୁ ତା ବୋଉ କଥା ମାନିଆସିଛି ଆଉ ସେଇ ଜଗନ୍ନାଥଙ୍କୁ ତାର ନିଜର ବୋଲି ଭାବିନେଇଛି I ସେପଟେ ସାଙ୍ଗମାନେ ପୂଜାକୁ ଦେଖାକରିବାକୁ ଆସୁଥାନ୍ତି ଆଉ ଫୋନ କରି ବାହାଘର ଭାଙ୍ଗିବା ବିଷୟରେ ପଚାରୁଥାନ୍ତି I ହେଲେ ସୋମାର ଫୋନ ଆସିଲେ ପୂଜା କାଟିଦିଏ ଯଦିଓ ସେ ପୂଜାର ପିଲାଦିନର ସାଙ୍ଗ, କାରଣ ସୋମା ଫୋନ କଲେ ସେ ଖାଲି ନିଜ ବିଷୟରେ ଗପିଚାଲେ, କେତେ ବଡ ଜବ ଅଫର ପାଇଲା, କେତେ ଦରମା, କୁଆଡେ ବୁଲିଗଲା ଆଉ ତା ସ୍ୱାମୀ କୁଆଡେ ବିଦେଶ ଗଲେ, ସେ ଘର କିଣିଲା, ଗାଡି କିଣିଲା ଆଉ ତା ରବି ଅଙ୍କଲ ତାକୁ ଗୋଟେ ଗାଡି ଗିଫ୍ଟ କଲେ ଏମିତି ସବୁ ଗପିବା ପାଇଁ I ପୂଜା ସୋମାକୁ ବହୁତ ଭଲପାଇଲେ ବି ସୋମାକୁ ଲାଗେ ପୂଜା ତା ସହ ପ୍ରତିଦ୍ବନ୍ଦିତା କରୁଛି ସବୁଥିରେ I ହେଲେ ପୂଜା କେବେ ବି ସେମିତି ଭାବିନି, ବରଂ ସେ ସୋମାକୁ ଖୁସିରେ ଥିବାର ଦେଖିଲେ ବହୁତ ଖୁସି ହେଇଯାଏ, ତା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରେ I ସୋମା ଆଉ ପୂଜା ୨୫ ବର୍ଷ ହେଲା ସାଙ୍ଗ, ଏମିତିକି କଲେଜ ପଢିଲାବେଳେ ଦୁହେଁ ବି ହଷ୍ଟେଲରେ ଏକାଠି ରହୁଥିଲେ, ସୋମା ଭିତରେ ଭିତରେ କିନ୍ତୁ ପୂଜାକୁ ବହୁତ ଇର୍ଷା କରେ I ପୂଜା ମନରେ କିନ୍ତୁ କିଛି ନଥାଏ, ସେ ତା ନିଜ ଦୁନିଆରେ ବ୍ୟସ୍ତ I ବାପାବୋଉ କେତେ କଷ୍ଟରେ ତାକୁ ପାଠ ପଢ଼ାଉଛନ୍ତି, ତେଣୁ ସେ ଜଗନ୍ନାଥଙ୍କୁ ଡାକି ନିଜ କାମରେ ନିଜେ ଲାଗିଯାଏ I ଯେତେବେଳେ ସେ ଜନ୍ମ ହେଇଥିଲା ତା ବାପା ଅନେକ ଆଡେ ତା ଜାତକ ଦେଖେଇଥିଲେ, ସମସ୍ତେ କହିଲେ ଏହି ଝିଅ ଜାତକରେ ବହୁତ ଖରାପ ଅଛି, ଏମିତିକି ତା ଜୀବନ ବି ଚାଲିଯାଇ ପାରେ I ସେହିଦିନଠାରୁ ପୂଜାର ବୋଉ ପୂଜାକୁ ଜଗନ୍ନାଥଙ୍କୁ ଟେକିଦେଇ କହିଥିଲେ "ହେ ଜଗନ୍ନାଥ ତୁ ହିଁ ମୋ ଝିଅର ସାହାଭରସା" I ସେଥିପାଇଁ ପୂଜା ବି ଜଗନ୍ନାଥଙ୍କୁ ନିଜ ପ୍ରାଣଠାରୁ ଆହୁରି ଭଲପାଏ, ଜଗନ୍ନାଥଙ୍କ ସହ ନିଜର ସୁଖଦୁଃଖ ବାଣ୍ଟେ I କଲେଜ ପଢିଲାବେଳେ ସୋମା ଟିକେଟିକେ କଥାରେ କହେ "ମୋ ରବି ଅଙ୍କଲ ଫରେନରୁ ମୋ ପାଇଁ ବହୁତ ଜିନିଷ ଆଣିଛନ୍ତି, ତାର ଯାହାଟିକେ ଅସୁବିଧା ହେଲେ ସେ କହେ ମୋ ରବି ଅଙ୍କଲ ସବୁ ଠିକ କରିଦେବେ"I ତା ରବି ଅଙ୍କଲ ବହୁତ ପଇସାଵାଲା ଲୋକ, ପଇସା ବଳରେ ସେ ସବୁକିଛି ନିଜ ହାତମୁଠାରେ କରିପାରୁଥିଲେ, ତେଣୁ ସୋମାର କିଛି ଟିକେ ଅସୁବିଧା ହେଲେ ସେ ସାଙ୍ଗେସାଙ୍ଗେ ଆସି ଠିଆ ହେଇଯାଉଥିଲେ I କଲେଜରେ ନାମ ଲେଖାବେଳେ ବି ଦୁଇଜଣଙ୍କ ମଝିରେ ଟିକେ ମତାନ୍ତର ହେଇଥିଲା ଛୋଟ କଥାକୁ ନେଇ I ସୋମା ଏତେ ଭଲ ଛାତ୍ରୀ ନଥିଲା, ପରୀକ୍ଷାରେ ମାତ୍ର ଅଳ୍ପ ନମ୍ବର ରଖି ପାସ କରିଥିଲା, ହେଲେ ପୂଜା ବହୁତ ଭଲ ନମ୍ବର ରଖିଥିଲା, ଆଡ଼ମିସନ ବେଳେ ସୋମାକୁ କଲେଜ ଆଉ ହଷ୍ଟେଲରେ ସିଟ ମିଳିଲା, ହେଲେ ପୂଜା ଆଡ଼ମିସନ ପାଇନଥିଲା I ସୋମା ଅତି ଖୁସିରେ ପୂଜାକୁ ନିଜ ଆଡ଼ମିସନ ଖବର ଜଣାଇବାକୁ ଆସିଲା, ହେଲେ ପୂଜା ପଚାରିଦେଲା "ସୋମା ତୋ ଠାରୁ ମୋର ଅଧିକ ନମ୍ବର ଥାଇ ମତେ କେମିତି ଆଡ଼ମିସନ ମିଳିଲାନି"? ବାସ ତାପରେ ସୋମା କହିଚାଲିଲା "ମୋ ରବି ଅଙ୍କଲ ମୋର ଆଡ଼ମିସନ କଲେ, ମୁଁ କିଛି ବି ଜାଣିନି କେମିତି କଣ ହେଲା"I ସେ ଯାହାହେଉ ପୂଜା ମନ ଭାରି ଦୁଃଖ I ସେ ସବୁକିଛି ଜଗନ୍ନାଥଙ୍କୁ ଜଣାଏ, ଏ ଭିତରେ ୧ ମାସ ବିତିଗଲାଣି, ହଟାତ ଦିନେ କଲେଜରୁ ଚିଠି ଆସିଲା ଆଡ଼ମିସନ ପାଇଁ ଦେଖାକରିବାକୁ I ପୂଜା କଲେଜ ଯାଇଥାଏ, ସେଠି ଜାଣିବାକୁ ପାଇଲା ଜଣେ କିଏ ଟ୍ରାନ୍ସ୍ଫର କରିନେଇ ଅନ୍ୟ କଲେଜକୁ ପଳେଇଗଲା ଆଉ ଗୋଟେ ସିଟ ଖାଲି ପଡିବାରୁ ପୂଜାକୁ ଆଡ଼ମିସନ ମିଳିଲା I ସେଦିନ ସୋମା ଯେତେବେଳେ କଲେଜରେ ପୂଜାକୁ ଦେଖିଲା ସେ ବିଶେଷ ଖୁସି ଜଣାପଡୁନଥିଲା ପୂଜାର ଆଡ଼ମିସନକୁ ନେଇ I ପୂଜା ମନରେ କିନ୍ତୁ କିଛି ନଥାଏ, ସେ ସୋମାକୁ ଦେଖି ଖୁସି ହେଇଗଲା ଆଉ ତାକୁ ଖାଇବାକୁ ଡାକିଲା, ହେଲେ ସୋମା ପଚାରିଲା "ପୂଜା ତୋର ଆଡ଼ମିସନ କେମିତି ହେଲା"? ପୂଜା ହସିହସି କହିଲା "ମୁଁ କିଛି ଜାଣିନି, ମୋ ଜଗନ୍ନାଥ ଅଙ୍କଲ ସବୁ କରିଛନ୍ତି" I ଜଗନ୍ନାଥ ଅଙ୍କଲ? ସୋମା ଆଶ୍ଚର୍ଯ୍ୟ ହେଇ ପଚାରିଲା, ଆଉ ପୂଜା ହସିହସି କହିଲା "ସେଇ କାଳିଆ, କଳାଠାକୁର ଜଗନ୍ନାଥ, ସେ ହିଁ ମୋର ସବୁ କିଛି, ତୋ ପରି ମୋର କେହି ରବି ଅଙ୍କଲ ନାହିଁ ରେ ସୋମା, ସେଇ କଳା ସାଆନ୍ତ ମୋ ସୁଖଦୁଃଖର ସାଥି I ପୂଜା ଜାଣିସାରିଥିଲା ଯେ ସବୁକିଛି ଲୀଳାମୟଙ୍କ ଲୀଳା I


ଆଜି ନୁହେଁ, କି କାଲି ନୁହେଁ, ପିଲାଟି ଦିନରୁ ତା ଜୀବନରେ ଅନେକ କିଛି ଏମିତି ଘଟିଛି ଯାହାକୁ ହୁଏତ କେହି ବିଶ୍ୱାସ କରିବେନି I ହେଲେ ପୂଜା ଜାଣିଛି ସେସବୁ ଜଗନ୍ନାଥଙ୍କ ଆଶୀର୍ବାଦ I ଜ୍ୟୋତିଷମାନଙ୍କ ବାଣୀ ସତହେଲାପରି ପୂଜାକୁ ଯେତେବେଳେ ମାତ୍ର ୧୦ ବର୍ଷ ଜଣ୍ଡିସ ରୋଗରେ ତାର ଆଉ ବଞ୍ଚିବା ଆଶା ନଥିଲା, ଡାକ୍ତର ମାନେ ଫେରେଇଦେଲେ, ପୁରା ଶେଷ ଅବସ୍ଥା ଯେମିତି I ଘରେ ଖାଇବାପିଇବା ନଥାଏ, ସେଦିନ ହଟାତ ପୂଜା ନାଁରେ ଗୋଟେ ଚିଠି ଆସିଲା, ଡାକଵାଲା ଆଣି ପୂଜା ବାପାଙ୍କୁ ଧରେଇଦେଲା, ସେ ନେଇ ପୂଜାକୁ ଦେଲେ, "ପୂଜା ଦେଖିଲୁ ତୋ ପାଖକୁ ଚିଠି ଆସିଛି"I ପୂଜା ଦେହରେ ବଳ ନଥାଏ, ତଥାପି ଚିଠି ଖୋଲି ପଢିଲା ସେଥିରେ ଲେଖାଥିଲା;


ଝିଅରେ,

ମନ ଦୁଃଖ କରିବୁନି, ତୋ ଦେହ ଭଲନାହିଁ ଜାଣି ମନ ଦୁଃଖ ହେଉଛି, ହେଲେ ଦେଖିବୁ ତୁ ବହୁତ ଶୀଘ୍ର ଭଲ ହେଇଯିବୁ, ସବୁଦିନ ସନ୍ଧ୍ୟାରେ ସେଇ କାଳିଆ ଠାକୁର ପାଖରେ ନିଜ ହାତରେ ଦୀପଟିଏ ଜାଳିବୁ ଆଉ ମନଦେଇ ଡାକିବୁ, ମନେକରି ସବୁଦିନ ପୂଜା କରିବୁ, ଯେତେ ଯାହାହେଲେ ବି ତାକୁ ଭୁଲିବୁନି I ମନଦେଇ ପାଠ ପଢ଼ିବୁ, ମୁଁ ଶୀଘ୍ର ଆସିବି ତତେ ଦେଖାକରିବାକୁ I

ଇତି,

ତୋର ଜଗନ୍ନାଥ ଅଙ୍କଲ


ପୂଜା ଆଶ୍ଚର୍ଯ୍ୟ ହେଇଗଲା, ସେ ଭାବିଲା ତାର ଜଗନ୍ନାଥ ଅଙ୍କଲ ବୋଲି କେହି ନାହିଁ, ତେବେ ଆଉ କାହା ଚିଠି ଭୁଲରେ ପଳେଇ ଆସିଚି ବୋଧେ I ସେ ତାକୁ ସଜାଡି ରଖିଲା, ଡାକବାଲା ଆସିଲେ ଫେରେଇ ଦେବ I ହେଲେ ସେ ଚିଠିପଢି ତା ଆଖିରେ ଲୁହ ଆସିଗଲା, ସେପଟେ ଦେହକୁ କଷ୍ଟ ବି ହେଉଥାଏ I ସେ ଭାବିଲା ତା ଦେହ ବି ଭଲ ନାହିଁ, ତେଣୁ ସେ ବି ସଞ୍ଜରେ ଜଗନ୍ନାଥଙ୍କୁ ଦୀପ ଦେଇ ପୂଜା କରିବ ଆଉ ନିଜ ଦେହ ଭଲ କରିଦେବାକୁ ତାଙ୍କୁ କହିବ I ତାପରେ ସେମିତି କଷ୍ଟରେ ଉଠି ଠାକୁର ଘରେ ଯାଇ ସେ କାଳିଆ ଠାକୁର ପାଖରେ ଦୀପଟିଏ ଜାଳିଲା ଆଉ ପ୍ରାର୍ଥନା କଲା I ସେଦିନ ରାତିରେ ସେ ଶୋଇଥାଏ, ହଟାତ ସ୍ୱପ୍ନରେ ଦେଖିଲା କେହିଜଣେ ତାଙ୍କ ଘରକୁ ଆସି ନିଜକୁ ଜଗନ୍ନାଥ ଅଙ୍କଲ ବୋଲି ପରିଚୟ ଦେଲେ ଆଉ ପୂଜା କୁଆଡେ ଗଲା ବୋଲି ପଚାରିଲେ I ତେବେ ପୂଜା ଆସି ତାଙ୍କ ପାଦ ଛୁଇଁ ନମସ୍କାର କଲା ଆଉ ତାପରେ ସେ ପୂଜାକୁ କିଛି ତୁଳସୀ ଦେଲେ, ପୂଜା ସେ ତୁଳସୀ ଖାଇଲା I ପାହାନ୍ତା ପହର, ପୂଜା ନିଦ ଭାଙ୍ଗିଗଲା, ସେ ସାଙ୍ଗେସାଙ୍ଗେ ଉଠି ବସିପଡିଲା ଆଉ ତାପରେ ତା ଦେହ ଆଗ ଅପେକ୍ଷା ଟିକେ ଭଲ ଲାଗୁଥାଏ I ସେ ଭଲ ଭାବେ କଥା କହିପାରୁନଥିଲା ଆଉ ଚାଲିବାକୁ ବଳ ନଥିଲା I ହେଲେ ସେଦିନ ସକାଳେ ସେ ଭଲ ଭାବେ ଚାଲିଲା ଆଉ କଥା ବି ଠିକ କହିଲା I ତା ବାପାବୋଉ ଟିକେ ଖୁସିହେଲେ ଝିଅ ସ୍ୱାସ୍ଥ୍ୟରେ ଉନ୍ନତି ଦେଖି I ଏମିତି ୩ ଦିନ ବିତିଗଲା, ତାପରେ ପୂଜା ପୁରା ସୁସ୍ଥ,ପୁରା ଆଗପରି, ଯାହାକୁ ଡାକ୍ତରମାନେ ଆଶା ଛାଡ଼ିଦେଇଥିଲେ ଆଉ ଫେରେଇ ଦେଇଥିଲେ ସେଇ ପୂଜା ଆଜି ବେଶ ଭଲ ହେଇଆସୁଛି I ତେବେ ପୂଜା ମନରେ ସେଇ ଜଗନ୍ନାଥ ଅଙ୍କଲ କଥା ପଶିଛି, ସେ ଡାକବାଲାକୁ କହିଛି "ସେ ଚିଠି ଆଉ କାହାର, ଆମ ଘରକୁ ଚାଲିଆସିଛି" I ଡାକବାଲା ପୂଜାକୁ କହେ "ମା ତମ ଠିକଣାରେ ଆସିଛି ମାନେ ତମ ଚିଠି"I

ଏମିତି ମଝିରେ ମଝିରେ ପୂଜା ପାଖକୁ ଚିଠି ଆସେ, ଜଗନ୍ନାଥ ଅଙ୍କଲଙ୍କ ଚିଠି I ପୂଜା ଭାବିନେଲା ଯେ ଭୁଲରେ ଆଉ କାହା ଚିଠିସବୁ ତା ପାଖକୁ ଆସିଯାଉଛି, ହେଲେ ସେ ସବୁ ଚିଠି ସାଇତିକି ରଖିଥାଏ I ପୂଜା ଯେତେବେଳେ କିଛି ଦୁଃଖକଷ୍ଟରେ ଥାଏ ଏହି ଚିଠି, ଠିକ ସେଇ ସମୟରେ ଆସେ I ତେବେ ସେଦିନ ମେଡିକାଲ ଏଣ୍ଟ୍ରାନସରେ ପାସ କଲାପରେ ପୂଜାର ବାପା ପଇସା ଯୋଗାଡ଼ କରିପାରିଲେନି, ଆଡ଼ମିସନ ଆଉ ମାତ୍ର ୮ ଦିନ ଥାଏ, ପୂଜା କାନ୍ଦୁଥାଏ I ଯେତେ ମେଧାବୀ ହେଲେ କଣହେଲା, ପଇସା ଯୋଗାଡ଼ ହେଇନପାରିଲେ ସେ ଡାକ୍ତରୀ ପଢିବା ଅସମ୍ଭବ, ତା ସ୍ୱପ୍ନ ଅଧୂରା ରହିଯିବ I ଏମିତି ଭାବିଭାବି ଖରାବେଳଟାରେ ସେ ଟିକେ ଶୋଇପଡ଼ିଲା I ସେତିକିବେଳେ ଡାକଵାଲା ଆସି କବାଟ ବାଡେଇ ଚିଠି ଦେଇଗଲା, ଜଗନ୍ନାଥ ଅଙ୍କଲଙ୍କ ଚିଠି, ପୂଜାର ମନ ଭଲ ନଥାଏ, ତଥାପି ସେ ଖୋଲି ପଢିଲା, ସେଥିରେ ଲେଖାଥିଲା,


ଝିଅ,

ମୁଁ ଜାଣିଛି ତୋ ମନ ଭଲ ନାହିଁ, ପାଠ ପଢିବାକୁ ଚାହିଁଲେ ବି ତୋ ବାପା ପଇସା ଯୋଗାଡ଼ କରିପାରୁନାହାନ୍ତି, ହେଲେ ଦେଖିବୁ ସବୁ ଠିକ ହେଇଯିବ I ସେଇ ଈଶ୍ୱର ସବୁ ସମାଧାନ କରିଦେବେ, ଦେଖିବୁ ଝିଅ ୨/୩ ଦିନ ଭିତରେ ତୋ ପଢା ପାଇଁ ପଇସା ଯୋଗାଡ଼ ହେଇଯିବ, ସେଇ ଜଗତର ନାଥ ଜଗନ୍ନାଥଙ୍କୁ ଟିକେ ତୁଳସୀ ଚଢେଇଦେବୁ ଆଉ ୩ଟା ରସଗୋଲା ଭୋଗ କରିଦେବୁ I ଏଥର ନିଶ୍ଚୟ ତତେ ଦେଖାକରିବାକୁ ଯିବି I

ଇତି,

ଜଗନ୍ନାଥ ଅଙ୍କଲ


ପୂଜା ପୁଣି ଚିନ୍ତିତ, କିଏ ଏହି ଜଗନ୍ନାଥ ଅଙ୍କଲ ଆଉ ସେ ବୋଧେ ଆଉ କାହାକୁ ଚିଠି ଲେଖୁଛନ୍ତି, ଆଉ ଭୁଲରେ ଆମ ଘରକୁ ଆସିଯାଉଛି I ଆଗପରି ପୂଜା ଚିଠିନେଇ ରଖିଦେଲା, ହେଲେ ତା ମନରେ ଚିଠିରେ ଲେଖାଥିବା କଥା ଖାଲି ପଶିଯାଉଥାଏ, ସେ ପରଦିନ ସକାଳେ ଜଗନ୍ନାଥଙ୍କ ଦେହରେ କିଛି ତୁଳସୀ ଚଢ଼େଇଲା ଆଉ ବାପାଙ୍କୁ କହି ବଜାରରୁ ରସଗୋଲା ଆଣିଥିଲା, ଭୋଗ ଲଗେଇଲା I ଆଖିରେ ଆଖିଏ ଲୁହ, ହେ ପ୍ରଭୁ ସବୁ ଠିକ କରିଦିଅ, ମୋ ଜୀବନରେ ତୁମ ବିନା ଆଉ କାହାକୁ କିଛି ମାଗିନି, ପୂଜା କାନ୍ଦୁଥାଏ I ସେପଟେ ସାଙ୍ଗମାନେ ଫୋନ କରୁଥାନ୍ତି ଆଡ଼ମିସନ କଥା ବୁଝିବାକୁ I ଠିକ ସେଦିନ ଗୋଟେ ନୂଆ ପ୍ରାଇଭେଟ ବ୍ୟାଙ୍କ ତରଫରୁ ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବାକୁ ତାଙ୍କ ଟିମ ଗାଁ'ସାରା ବୁଲି ଲୋକଙ୍କୁ ବୁଝାଉଥାନ୍ତି I ସେମାନେ ଅତି ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁବ କମ ବାର୍ଷିକ ସୁଧହାରରେ ୨୦ ଲକ୍ଷ ଯାଏ ଲୋନ ଦେବାକୁ ରାଜି, ହେଲେ ସେଥିପାଇଁ ସେମାନେ ପିଲାର ସବୁ ମାର୍କସିଟ, ସାର୍ଟିଫିକେଟ ଆଉ ଏଣ୍ଟ୍ରାନ୍ସ ନମ୍ବର ସବୁ ଟିକନିଖ କରି ଚେକ କରିବେ, କେବଳ ଗରିବ ଆଉ ମେଧାବୀ ପିଲାଙ୍କୁ ଏହି ସୁବିଧା ମିଳିବ I ତେବେ ପୂଜା ତା ବାପାଙ୍କ ସହିତ ଯାଇ ସେମାନଙ୍କୁ ଦେଖାକଲା, ସେମାନେ ସବୁ ଡକୁମେଣ୍ଟ ମାଗିଲେ, ଟିକନିଖ ସବୁ ଦେଖିଲା ପରେ ଲୋନ ଦେବାକୁ ରାଜି ହେଇଗଲେ I ତାପରେ ପୂଜାର ଆଡ଼ମିସନ ହେଇଥିଲା, ସେଦିନ ପୂଜା ଅନୁଭବ କରିଥିଲା ଜଗନ୍ନାଥ ଅଙ୍କଲ କହିଥିବା କଥା ସବୁ ଠିକ, ପ୍ରଭୁ ଜଗନ୍ନାଥ ସବୁ ଠିକ କରିବେ I ଏସବୁ ଭିତରେ ପୂଜା ଡାକ୍ତରୀ ପଢା ସାରିଛି, ହେଲେ ଜଗନ୍ନାଥଙ୍କ ଉପରେ ତାର ଭକ୍ତି ସେମିତି ଅଛି, ପ୍ରାଣଦେଇ ସେ ଭଲପାଇଛି ସେ କାଳିଆ ଠାକୁରକୁ I ଆଜି ସେ ଏତେ ପାଠପଢି ବି ତା ବାହାଘର ଭାଙ୍ଗିଗଲା, ବେଦୀରୁ ବର ଉଠିଗଲା, ସେଥିରେ ପୁଣି ଲୋକଙ୍କ ଟାହିଟାପରା I ତଥାପି ସେ ଜଗନ୍ନାଥଙ୍କ ଉପରେ ଭରସା ରଖିଥାଏ I ପୁଣି ସୋମା ଫୋନ ଆସିଲା, ସେ ଟିକନିଖ କରି ସବୁ ବିଷୟରେ ପଚାରିଲା, ହେଲେ ପୂଜା ତାକୁ କହିଲା ସୋମା "ମୋ ଜଗନ୍ନାଥ ଅଙ୍କଲ ସବୁ ଠିକ କରିଦେବେ, ସେ ମୋ ପାଇଁ ଭଲ ବାହାଘର ଦେଖିଛନ୍ତି, ପିଲା ବହୁତ ପାଠ ପଢିଛି, ପୁଣି ବିଦେଶରୁ କାମକରି ଫେରିଛି", ଏମିତି କହି ସେ ଫୋନ ରଖିଦେଲା I ସବୁଦିନପରି ସେଦିନ ବି ପୂଜାର ବିଶ୍ୱାସ ଥିଲା ତା ଜଗନ୍ନାଥ ସବୁ ଠିକ କରିବେ I ତା ପରଦିନ ଗୋଟେ ଚିଠି ଆସି ପହଁଚିଲା, ଜଗନ୍ନାଥ ଅଙ୍କଲ ଦେଇଛନ୍ତି, ଲେଖାଥିଲା,


ଝିଅ,

ଜଗତର ନାଥ ଜଗନ୍ନାଥ କାହାର ଅମଙ୍ଗଳ କରନ୍ତିନି, କିଛି ଜିନିଷ ପଛରେ, ଘଟଣା ପଛରେ ତାଙ୍କର କିଛି ଆଶୀର୍ବାଦ ଥାଏ, ଆମର କିଛି ମଙ୍ଗଳ ଥାଏ, ତେବେ ଆଖି ଖୋଲିଲେ ସବୁ ଦେଖିପାରିବୁ ଆଉ ବୁଝିପାରିବୁ Iଦେଖିବୁ ତୋ ବାହାଘର ଭଲରେ ହେବ, ଜଗୁ ସହ ତୋ ବାହାଘର ଜଲଦି ହେଇଯିବ, ଜଗନ୍ନାଥ ଆମର ବହୁତ ଭଲ ପିଲାଟା, ଭଲ ପାଠ ପଢିଛି, ଚାକିରୀ କରିଛି, ତୋ ଜୀବନ ଖୁସିରେ ଭରିଯିବ ଲୋ ମା' I ହେଲେ ମୋ ଉପରେ ରାଗିବୁନି, ମୁଁ ତତେ ନିଶ୍ଚୟ ଦେଖା କରିବି I

ଇତି,

ଜଗନ୍ନାଥ ଅଙ୍କଲ


ଆଜି ଚିଠିପଢି ପୂଜା ଆଖିରେ ଲୁହ ଆସିଗଲା, ସେ ଜଗନ୍ନାଥଙ୍କ ଫଟୋକୁ ଅନେଇ କାନ୍ଦୁଥାଏ I ନିଜ ଛାତିରେ ତାଙ୍କ ଫଟୋକୁ ଜାବୁଡି ଧରି କେତେକଣ କହିଚାଲିଥଏ I ଦୁଇଦିନ ପରେ କେହିଜଣେ ଆସି କହିଲା "ପୂଜାର ବାହାଘର ଭାଙ୍ଗିଗଲା ଭଲ ହେଲା, ସେ ପୁଅ ଚୋରା ଡ୍ରଗ୍ସ କାରବାରରେ ଲିପ୍ତଥିଲା ବୋଲି ଧରାପଡିଛି, ଆଉ ତା ଚାକିରୀ ବି ଚାଲିଯାଇଛି, ତା ନାଁରେ ପୁଣି ବହୁତ କେଶ" I ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ, ସମସ୍ତେ ଟିକେ ଆଶ୍ୱାସନା ପାଇଲେ I ଏମିତି ୩ ମାସ ବିତିଗଲା, ପୂଜା ଡାକ୍ତର ହେଇ ଗୋଟେ ବଡ ହସ୍ପିଟାଲ ଜଏନ କଲା, ସେପଟେ ସେଇ ହସ୍ପିଟାଲରେ ଆଉଜଣେ ଯୁବଡାକ୍ତର ଜଗନ୍ନାଥ କୁମାର ବି ନୂଆ ଜଏନ କରିଥାନ୍ତି I ୬ମାସର ବନ୍ଧୁତା ଧୀରେଧୀରେ ଭଲପାଇବାରେ ବଦଳିଲା, ପରସ୍ପର ପରସ୍ପରକୁ ବୁଝିବାକୁ ଲାଗିଲେ ଆଉ ଶେଷରେ ବିବାହ କରିବାର ନିଷ୍ପତିନେଲେ I ଜଗୁ ବିଷୟରେ ପୂଜା ତା ଘରେ କହିଲା, ସମସ୍ତେ ପ୍ରସ୍ତାବରେ ରାଜି, ଜଗୁ ଘରେ ବି ସମସ୍ତେ ଖୁସି ଏହି ପ୍ରସ୍ତାବରେ I ବହୁତ ଶୀଘ୍ର ପୂଜା ଆଉ ଜଗୁଙ୍କ ବାହାଘର ହେଇଗଲା I ପୂଜା ତା ବାପାଙ୍କୁ କହିଥିଲା, ଗଲାବେଳେ ମୋ ହାତରେ ମୋ ଜଗନ୍ନାଥଙ୍କୁ ଦେଇ ବିଦା କରିବ ବାପା, ତାଙ୍କ ବିନା ସବୁ ଅଧୂରା I ତାଙ୍କୁ ଛାଡିଲେ ମୁଁ ନିଶ୍ୱାସ ବି ନେଇପାରିବିନି, ତା ସାଥିରେ ଜଗନ୍ନାଥ ଅଙ୍କଲ ଦେଇଥିବା ସବୁ ଚିଠି ନେଇକି ଯିବି, ବଞ୍ଚିଥିବା ଯାଏ ସେସବୁ ସେମିତି ମୋ ପାଖରେ ଥିବ I ମୁଁ ଗଲାପରେ ଯଦି ଜଗନ୍ନାଥ ଅଙ୍କଲଙ୍କ ଚିଠି ଆସେ, ଦୟାକରି ମତେ ପଠେଇଦେବ ବାପା I ସେ ବିଦା ହେଲାବେଳେ ତା ବାପା ତା ହାତରେ ଗୋଟେ ଜଗନ୍ନାଥ ମୂର୍ତ୍ତି ଆଉ ତା ସହ ସବୁ ଚିଠି ଦେଇ ବିଦା କରିଥିଲେ I ସେଦିନ ପୂଜା ଭାବୁଥାଏ, ତା ଜଗନ୍ନାଥ ଅଙ୍କଲ ଦେଇଥିବା ଚିଠି ବିଷୟରେ, ଜଗନ୍ନାଥ ଅଙ୍କଲଙ୍କ ବିଷୟରେ ଆଉ ନିଜ ହାତଧରି ନେଉଥିବା ମନର ମଣିଷ ଜଗୁ ବିଷୟରେ I


Rate this content
Log in