ଜେଜେଙ୍କ ଚଷମା
ଜେଜେଙ୍କ ଚଷମା
ସକାଳୁ ନିଦ ଭାଙ୍ଗିଗଲେ ରମାନାଥ ବାବୁ ତରତର
ବିଛଣା ଛାଡ଼ି ପ୍ରାତଃ ଭ୍ରମଣରେ ଯାନ୍ତି। ଏଇଟା ତାଙ୍କର ବହୁ
ପୁରୁଣା ଅଭ୍ୟାସ। ସେ ଉଠି ଦେଖିଲେ ମେଘୁଆ ଆକାଶ
ସୂର୍ଯ୍ୟ ଉଇଁ ଆସୁଥିଲେ ମଧ୍ୟ ତାଙ୍କୁ ବେଶି ବେଶି ଅନ୍ଧାରୁଆ ଲାଗୁଥିଲା। ଅନୁମାନ କଲେ ସେ ଏବେ ତାଙ୍କର ବୟସ
ବାସ୍ତରୀ ଟପିଲାଣି। ଏ ବୟସରେ ଏ ତ ସ୍ଵାଭାବିକ। ଏମିତି ଦିଶିବ। ତା' ଛଡ଼ା ସେ ଚଷମା ଚାଳିଶ ବର୍ଷ ପାଖାପାଖି ହେବ
ବ୍ୟବହାର କରୁଛନ୍ତି।
ବିନା ଚଷମାରେ ଆଉ ଭଲ ଦିଶୁନି ରମାନାଥ ବାବୁଙ୍କୁ।
ସେ ପାଞ୍ଚବର୍ଷ ତଳେ ଚଷମା... ଡାକ୍ତରଙ୍କୁ ଦେଖା ନେଇ
ଥିଲେ,ସେଇଟା ବି ବଦଳ କରିବାର ଥିଲା। କିନ୍ତୁ କିଛି
ପ୍ରତିକୂଳ ପରିସ୍ଥିତିକୁ ଏଡି ନ ପାରି ବାଧ୍ୟରେ ସେ ସେଇ ଚଷମାଟି ହିଁ ବ୍ୟବହାର କରୁଥିଲେ।
ସେ ଦିନ ଟିକିଏ ଅସାବଧାନ ବଶତଃ ପିନ୍ଧୁ ପିନ୍ଧୁ ହାତରୁ ଖସି ପଡିଲା ତାଙ୍କର ଚଷମାଟି। ଟାଇଲ୍ ଚଟାଣ
ଉପରେ ପଡ଼ି ଭାଙ୍ଗି ଟିକ୍ ଟିକ୍ ହୋଇଗଲା। ନିଜର ଏ
ଅସାବଧାନତା ପାଇଁ ଦୁଃଖ କଲେ। ଯେତେ ସଜାଗ ଥିଲେ
ମଧ୍ୟ ଏ ବୟସରେ ଏମିତି ବେଳେ ବେଳେ ହେଉଛି।
ଚଷମାଟିଏ ତିଆରି ଆଣିବେ ବୋଲି ପୁଅକୁ କେଇ
ଥର କହିଲେଣି। ସେ ତାଙ୍କୁ ନେଇ ଯିବ ଡାକ୍ତରଙ୍କ ପାଖକୁ,
ନ ହେଲେ ଟଙ୍କା ଦେଲେ ସେ ଅଟୋରେ ଯାଇ ଆଣିବେ।
ପୁଅ ଶୁଣେ...ହଉ, ଦେଖିବା, କହି ରହିଯାଏ, ଭୁଲି ଯାଏ
ନା' ଭୁଲିବାର ବାହାନା କରେ। ମନରେ ପୁଅର କଥା ଭାବି ବସନ୍ତି ସେ। ସେ ଦିନ ପୁଣି ଏକପ୍ରକାର ଦାବୀ କଲା ପରି
କହିଲେ ବାପାର ଅଧିକାର ନେଇ। ଆରେ ମୋତେ ତିନି ହଜାର ଟଙ୍କା ଦେ, ତୁ ମୋତେ ନେଇ ଯାଇ ପାରିବୁନି କି
ମୋ ଚଷମା ମୁଁ ପାଇ ପାରିବି ନାହିଁ।
ପୁଅ କିଛି ଉତ୍ତର ଦେବା ଆଗରୁ ଦମ ଦମ ଚାଲି
ବୋହୂ ବାହାରି ଆସିଲା ରୋଷେଇ ଘରୁ...କହିଲା,
ଚଷମାଟା ତ ଥିଲା, ଛୁଆଁ ପରି କଚାଡି ଭାଙ୍ଗି ଦେଲ। ଏତେ
ବୟସରେ ବି ସେଇ ଅସାବଧାନତା। ଏବେ କ'ଣ ଆଉ
ଚଷମାର ଦରକାର ଯେ। ଘରେ ତ ବସିଛ...ଶୋଇଛ।
ଟିକେ ଚଲାବୁଲା କରୁଛ ଅଗଣାରେ। ପେପର୍ ଆଉ
ଆସିବନି। ଚଷମା ନେଇ କ'ଣ କରିବ। ତା' ଛଡା ଏବେ
ତିନି ଚାରି ହଜାର ଟଙ୍କା ନ ହେଲେ ଚଷମା ହେବନି।
ଘରର ପରିସ୍ଥିତି କ'ଣ ଜାଣିନ କି...ଆଉ ଚଷମା କଥା
ମୁହଁରେ ଧରିବନି....। ଚଷମା ଆସିବନି ଆଉ ତୁମ ପାଇଁ,
ମୋ ପୁଅର ପଢ଼ା ପାଇଁ ବହୁତ ଖର୍ଚ୍ଚ ହେଉଛି।
ଏମିତି ସିନେମା ବା ଯାତ୍ରାର ସଂଳାପ କହିଲା ପରି
ବୋହୂ ସବୁ କହିଗଲା। ଉତ୍ତର କିଛି ଦେବାକୁ ରମାକାନ୍ତ
ବାବୁଙ୍କ ପାଖରେ ସାହସ ନ ଥିଲା।
ପୁଅ ସବୁ ଶୁଣି ଚୁପ୍ ରହିଲା। ପାଖରେ ବସି ପଢ଼ୁଥିଲା
ନାତି। ସେ ବି ଚୁପ୍। ଏବେ ଏବେ ତାଙ୍କ ପାଇଁ ଏମିତି କିଛି କିଛି କଟକଣା ହେବାର ଲାଗିଛି। ଯେମିତି ବୁଲି ଯିବା,
ଚା' ପିଇବା, ପେପର୍ ପଢିବା, ସାଙ୍ଗ ମାନଙ୍କୁ ଡାକିବା, କା'
ସହିତ ଗପିବା, କ୍ଷୀର ପିଇ ଶୋଇବା... ଇତ୍ୟାଦି ଇତ୍ୟାଦି।
ରମାନାଥ ବାବୁଙ୍କ ଭାଗ୍ୟ ଖରାପ୍। କିନ୍ତୁ ସେ ଭାଗ୍ୟକୁ ବିଶ୍ୱାସ କରନ୍ତି ନାହିଁ। କୁହନ୍ତି ଏ ସବୁ ତ ଜୀବନର ପ୍ରକୃତି, ଗତାନୁଗତିକ ପ୍ରକିୟା...ହେଉଛି ହେବ କି ବା ରୋକିବ।
ଏ ତ ସମୟର ଖେଳ। କର୍ମ କରି ଚାଲିବା... ଦୁଃଖ ସୁଖ
ସହିବା ତ ଜୀବନ।
ତାଙ୍କର ସହଧର୍ମିଣୀ ମରିବାର ସାତ ବର୍ଷ ହେବ।
ବାର୍ଦ୍ଧକ୍ୟ ବୟସେ ବିଚ୍ଛେଦ ଦୁଃଖକୁ ସହି ନେଲେ ମଥାପାତି, ଦୁନିଆଁର ଏ ରୀତି। ଜୀବନ ଯା' ଖୋଜେ ସବୁ ମିଳେ ନାହିଁ। ସାଥୀହରା ହୋଇ ଏକା ଏକା ବଞ୍ଚିବାଟା ତାଙ୍କର ଦେହସୁଆ ଏବେ।ସେ ଭାରି ଦୃଢ଼ ମନା। ସବୁ ଚାପ ସହି ଯାଆନ୍ତି। ବ୍ୟତିବ୍ୟସ୍ତ ହୁଅନ୍ତି ନାହିଁ। ଜୀବନକୁ ସହଜ ସରଳ କରିବା ପାଇଁ ମନକୁ ମନ ବୁଝନ୍ତି। ଦୁନିଆଁର ଦସ୍ତୁର ବୁଝାନ୍ତି।
ତଥାପି ଆଜି ପୁଅ ବୋହୂର ରୋକ୍ ଠୋକ୍ କଥାରେ
ଗଛର ଦୁର୍ବଳ ଡ଼ାଳ ପରି ଭାଙ୍ଗି ପଡ଼ିଲେ। ମୁହଁଟା ମଳିନ
ପଡ଼ିଗଲା। କୋରଡ ଭିତରକୁ ପଶି ଯାଇଥିବା ଆଖି ଦୁଇଟିରୁ
ଲୁହ ଶୁଖି ଯାଇଥିଲେ ବି ଛଳ ଛଳ ହୋଇ ଉଠିଲା।
ଟିକିଏ ଦୂରରୁ ବୁବୁ ତାଙ୍କର ନାତି ଏ ସବୁ ଦୃଶ୍ୟ
ଚଳଚିତ୍ର ଦେଖିଲା ପରି ଦେଖୁଥାଏ। ଜେଜେ ପାଖରେ ଆସି ବସିଲା। ଚାହିଁଲା ତା' ଜେଜେଙ୍କୁ। ଜେଜେ ସତେ କି ଜଡ଼ ପାଲଟି ଯାଇଛି। ଜେଜେଙ୍କୁ ଏମିତି ହେବାର କେବେ ସେ ଦେଖିନି... ଏତେ ଭାଙ୍ଗି ପଡ଼ିବାର। ପିଲାଦିନରୁ ସେ ପ୍ଲସ୍ ଥ୍ରୀ ଯାଏଁ ପଢି ଆସୁଛି ଏଇ ଜେଜେଙ୍କର ପ୍ରେରଣାରେ। ବୁବୁ
ତା' ମାଆ ବାପାଙ୍କଠାରୁ ଜେଜେଙ୍କୁ ବେଶି ବୁଝେ। ମନର
କଥା କହେ। ବହୁତ ଭଲ କଥା ଶୁଣେ। ତାହାରି ଭିତରେ
ନିଜକୁ ଗଢ଼ିବାର ଆତ୍ମବଳ ପାଏ। ଜେଜେ ତାର ଅତି
ଅନ୍ତରଙ୍ଗ ପ୍ରିୟ ବନ୍ଧୁ। ଏ ସବୁ ଦେଖି ତାର ମନଟା ବିପ୍ଳବ
କରି ଉଠିଲା।
ହଠାତ୍ ସେ ତା' ବୋଉ ପାଖକୁ ଯାଇ କହିଲା,ଏ
ବୋଉ ଏବେ ତୁ ପାଞ୍ଚ ହଜାର ଟଙ୍କା ଦେ...।
ବୋଉ କହିଲା...ଟଙ୍କା ନାହିଁ। କ'ଣ କରିବୁ ଟଙ୍କା।
ବୁବୁ ଜୋରରେ କହିଲା ଦେବୁ କି ନାହିଁ,ଯଦି ଟଙ୍କା ନାହିଁ,
ବାପାଙ୍କର ଏ.ଟି.ଏମ୍. କାର୍ଡ ଦେ। ଆଜି ଏବେ ମୁଁ ଜେଜେଙ୍କୁ
ନେଇ ଡାକ୍ତର ଦେଖାଇବି। ଜେଜେଙ୍କ ଚଷମା ଆଣିବି।
ମନା କଲି ପରା। ତୁ ତୋର ପାଠ ପଢ଼। ସୁବିଧା ଦେଖି
ସେ କଥା ତୋ ବାପା ବୁଝିବେ।
ବାପା କ'ଣ ବୁଝିବେ। ମାସେ ହେଲାଣି ତାଙ୍କର ସୁବିଧା
ହେଉନି। ବିନା ଚଷମାରେ ଜେଜେ କି କଷ୍ଟ ପାଉଛନ୍ତି ତୁମେ
ଦେଖି ମଧ୍ୟ ବୁଝୁନ...ଏ କ'ଣ, ତାଙ୍କ ପ୍ରତି ଠିକ୍ କରୁଛ ?
ମୁଁ ଆଜି କିଛି ବୁଝିବିନି,ଟଙ୍କା ନେବି ମାନେ ନେବି...ଆପେ
ଦେବୁ...ନା... ମୁଁ ଗଡ଼ରେଜ୍ ଖୋଲି ଜବରଦସ୍ତ ନେବି।
ବୋଉ ପାଟି କରି ବାପାଙ୍କୁ କହିଲା... କୁଆଡେ ଗଲ,
ଦେଖୁନ ପୁଅ କେମିତି ଜିଦି କରୁଛି।
ବୁବୁ କହିଲା...ବାପା କ'ଣ କହିବେ ଯେ, ସେ ତ ଜେଜେଙ୍କ
ଏକମାତ୍ର ପୁଅ। ଏ ସବୁ କାହା ପାଇଁ ...? ଏ ଘର... କୋଠାବାଡ଼ି,ଏ ଧନ ସମ୍ପତ୍ତି କିଏ କରିଛି...? ବେସରକାରୀ ଚାକିରି କରି ମଧ୍ୟ ସବୁ ତ ଜେଜେ କରିଛନ୍ତି। ବାପାଙ୍କୁ ପାଠ
ପଢ଼ାଇ ସରକାରୀ ଚାକିରି କରାଇଛନ୍ତି। ତାଙ୍କର ପେନସନ
ନାହିଁ ବୋଲି....ତୁମେ ଏମିତି ଭାବରେ ତାଙ୍କୁ ତାଙ୍କର ହକ୍ ଅଧିକାରରୁ ବଞ୍ଚିତ କରିବ। ବୋଉ...ତୋର ଯଦି ଏମିତି
ଅବସ୍ଥା କାଲିକୁ ହୁଏ... ମୁଁ ସେମିତି କଲେ କ'ଣ ଠିକ୍ ହେବ,
ଥରେ ଭାବି ଦେଖ୍....।
ବୁବୁକୁ ବୋଉ କି ବାପା କିଛି କହି ପାରିଲେ ନାହିଁ। ତା'
ବାପା ଚାରି ହଜାର ଟଙ୍କା ଆଉ ବାଇକ୍ ଚାବି ବୁବୁର ହାତରେ
ଦେଇ କହିଲେ...ବୁବୁ ମୁଁ ଯା' ପାରିନି...ତୁ କର...ନେ ଏ
ଟଙ୍କା... ଜେଜେଙ୍କୁ ନେଇ ଯାଆ... ଡାକ୍ତର ଦେଖାଇ ତାଙ୍କର
ଚଷମା କିଣି ଆଣିବୁ...।
ବୋଉ ଏକ ଖୁଣ୍ଟ ପରି ଠିଆ ହୋଇ ସବୁ ଦେଖୁଥିଲା।
ବୁବୁ ବାଇକ୍ ରେ ତା' ଜେଜେଙ୍କୁ ବସାଇ କହିଲା...ଆମେ
ଜେଜେ ନାତି ହୋଟେଲ୍ ରୁ ଖାଇ ଫେରିବା। ଆସିଲା ବେଳେ
ନେଇ ଆସିବୁ " ଜେଜେଙ୍କ ଚଷମା "...।
