Pratap Chandra Mishra

Others

3  

Pratap Chandra Mishra

Others

ଈର୍ଷା

ଈର୍ଷା

3 mins
220


ବହୁତ ଦିନ ତଳର ସ୍ମୃତି ମନେ ପକାଇ ନଳିନୀ ମାଉସୀ ଉଦାସୀନ ହୋଇ ପଡିଛନ୍ତି । ଦିନେ ସେ ସ୍ଵାମୀ ଛୁଆଙ୍କୁ ନେଇ କଲୋନୀରେ ବସବାସ କରୁଥିଲେ । ହସ ଖୁସି ଓ ସଂଘର୍ଷମୟ ଜୀବନ, ସ୍ଵାମୀଙ୍କ ଚାକିରି କାଳ ଭିତରେ ଅତିବାହିତ କରି ବର୍ତ୍ତମାନ ; ସ୍ଵାମୀଙ୍କ ଦେହାନ୍ତ ପରେ ନିଜ ସ୍ଵଗୃହରେ ବସବାସ କରନ୍ତି । କଲୋନୀର ସୁଖ ଓ ଦୁଃଖମୟ ଘଟଣା ଭାବି ସେ ଡ୍ରଇଂ ରୁମରେ ଆନମନା ହୋଇ ବସିଛନ୍ତି । କଲୋନୀ ଜୀବନ ଚଳଚଞ୍ଚଳ ଥିଲା । ରାତି ପାହିଗଲା ପରେ ସେ ପୁରା ବ୍ୟସ୍ତ ହୋଇଯାଊଥିଲେ, ସ୍ଵାମୀଙ୍କ ପାଇଁ ଟିଫିନ୍, ଛୁଆମାନେ ସ୍କୁଲ ଯିବା ପାଇଁ ସଜବାଜ ଓ ଖାଦ୍ୟର ବ୍ୟବସ୍ଥା ତା ପରେ ପରେ ମଧ୍ୟାହ୍ନ ଭୋଜନ, ପୁଣି ସାନ୍ଧ୍ୟ ଲଘୁଭୋଜନ, ରାତ୍ରୀ ପାଇଁ ଭୋଜନ ଇତ୍ୟାଦି । ଏ ସବୁ କାମ କରୁ କରୁ ଚବିଶି ଘଣ୍ଟା ସମୟ ବି ନିଅଣ୍ଟ ହୋଇଯାଏ । କିନ୍ତୁ ଆଜି ସ୍ୱଗୃହରେ ନା ସ୍ୱାମୀଙ୍କ ପାଇଁ ବ୍ୟସ୍ତ ହେବାର ଅଛି ନା ଛୁଆଙ୍କ ପାଇଁ । ସ୍ଵାମୀ ତ ଚାଲିଗଲେ ଏବଂ ସମୟ ଅନୁସାରେ ଛୁଆମାନେ ବି ନିଜ ଲକ୍ଷ୍ୟ ନେଇ ଚଳଚଞ୍ଚଳ । ତେବେ ସେ ଅତୀତ ଜୀବନ ଓ ବର୍ତ୍ତମାନ ଜୀବନ ଭିତରେ ବୟସର ସାୟାହ୍ନରେ ପୁରୁଣା ଘଟଣାକୁ ମନେ ମନେ ଭାବି ବସିଛନ୍ତି । 


ସେ କଲୋନୀରେ ଥିଲାବେଳେ ବାଡି ବଗିଚା ଓ ଗଛ ବୃକ୍ଷ ସଜାଡିବା, ତାଙ୍କର ସଉକ ଥିଲା । ବାଡିରେ ଥିବା ଜାଗାରେ ବିଭିନ୍ନ ଶାଗ, ଫୁଲ, ଲଗାନ୍ତି । କଲୋନୀ ଜାଗା ସବୁ 

ସମାନ । ପଡୋଶୀଙ୍କ କ୍ୱାର୍ଟର୍ସ ଆଉ ସେ ରହୁଥିବା ବସାର ବାଡି ଜାଗା କିଛି ଫରକ୍ ବୋଲି ଭାବନ୍ତି ନାହିଁ । ତେଣୁ ଯେଉଁଠି କିଛି ଉର୍ବର ସ୍ଥାନ ଦେଖନ୍ତି ସେ କିଛି ଚାରା ରୋପଣ 

କରିଦିଅନ୍ତି । ଏ ମନୋବୃତ୍ତି ପାଖ ପଡୋଶୀଙ୍କୁ ବି ପ୍ରେରଣା ଯୋଗାଇଥିଲା । ନଳୀନି ମାଉସୀଙ୍କ ପଡୋଶୀ ରଞ୍ଜୁ ଦେବୀ ବେଶ ଉତ୍ସାହିତ ହୋଇ ସେ ଚାରା ଲଗାଇ ଖୁସୀ ଅନୁଭବ କରନ୍ତି । ଦୁଇ ପଡୋଶୀ ଏକ ମନ ହୋଇ ଗୋଟେ ପରି ବାର ଭଳି ଚଳିଥିଲେ । କାଳକ୍ରମେ ଏମିତି ହେଲା ରଞ୍ଜୁ ଦେବୀ ରୋପଣ କରିଥିବା କଦଳୀ ଚାରା ବଢ଼ି ଉଠିଲା । ସେ ଗଛରେ ଫଳ ବି ଫଳିଲା । କିନ୍ତୁ କଲୋନୀ ମାଲିକଙ୍କ ନିଷ୍ପତ୍ତି ପ୍ରକାରେ ପ୍ରତି କ୍ଵାଟରରେ ତାରବାଡ ଦିଆଯିବ । ପ୍ରତି କ୍ଵାର୍ଟର୍ସକୁ ସୁରକ୍ଷା ଦୃଷ୍ଟିରୁ ଏହାକୁ କଡ଼ାକଡ଼ି ପାଳନ କରାଯିବ । ଏବଂ ନିର୍ଦ୍ଧାରଣ ସମୟରେ ତାରବାଡ କାମ ସରିଲା । କିନ୍ତୁ ଘଟଣା ଏମିତି ହେଲା ରଞ୍ଜୁ ଦେବୀ ରୋପଣ କରିଥିବା କିଛି କଦଳୀ ଗଛ ଯାହା ଫଳ ଧାରଣ କରିଥିଲା, ସେଥିରୁ ଅଧିକାଂଶ ନଳିନୀ ମାଉସୀଙ୍କ କ୍ଵାର୍ଟର୍ସ ପଛରେ ତାର ବାଡ ଘେରରେ ରହିଗଲା । ରଞ୍ଜୁ ଦେବୀ ମନେ ମନେ ଈର୍ଷାଳୁ ହୋଇଯାଇଥିଲେ । ଆରେ ମୁଁ ପରିଶ୍ରମ କଲି । କିନ୍ତୁ ଫଳ ନେବ ପଡୋଶୀ । ତେଣୁ କଣ କଲେ ଉପଯୁକ୍ତ ହେବ ସେ ନେଇ ବହୁତ୍ ଚିନ୍ତା କଲେ । ପରିଶେଷରେ ସେ ନିଷ୍ପତ୍ତି ନେଲେ ଅଗ୍ନି ସଂଯୋଗ କରିବା ଉଚିତ୍ ହେବ । ଫଳ ଉପରେ ଅଧିକାର କରିବା ଉଚିତ୍ ହେବନାହିଁ । କାରଣ ଅଧିକାଂଶ ନଳିନୀ ଦେବୀଙ୍କ ଭିତରେ ରହିଯାଇଛି । ତେଣୁ ସେ ହିଁ ନିୟମ ପ୍ରକାରେ ସେ ଫଳିଥିବା ଫଳର ଅଧିକାରିଣୀ । ରଞ୍ଜ୍ଜୁ ଦେବୀ ଅଧିକାର ସାବ୍ୟସ୍ତ କରିବା ହାସ୍ୟାସ୍ପଦ ହେବ ଭାବି ଏଭଳି କୁଛିତ କାର୍ଯ୍ୟ କରିବାକୁ ଯୋଜନା କରିଲେ, ଦିନେ ଖରାବେଳରେ ନଳିନୀ ଦେବୀ ଜାଣିବାକୁ ପାଇଲେ ଘର ବାଡ଼ିରେ ନିଆଁ ଲାଗିଛି । ସେ କିଛି କିଛି ଆଭାସ ପାଇଥିଲେ ରଞ୍ଜ୍ଜୁ ଦେବୀ ଈର୍ଷାଳୁ ହେବାର କାରଣ । କିନ୍ତୁ ନଳିନୀ ମାଉସୀଙ୍କ ଉଦାର ମନ । ସେ ସ୍ଥିର କରିଥିଲେ କଦଳୀ ପାଚିଲା ପରେ ଯାହା ଆଦାୟ ହେବ ସବୁ ସାହି ପଡିଶା ବାଣ୍ଟି , ଏ ଖୁସିରେ ସମସ୍ତଙ୍କୁ ସାମିଲ କରିବେ । ହେଲେ ଅଚାନକ ନିଆଁ ! ସେ ଠିକ୍ ବୁଝିଗଲେ । ରଞ୍ଜ୍ଜୁ ଦେବୀଙ୍କ ମନର ନିଆଁ, ବାଡିରେ ବଢ଼ି ଉଠିଥିବା ନିରୀହ ଗଛ ଉପରେ ଲାଗିଛି । ସେ କିନ୍ତୁ ଚୁପ୍ ରହିବେ କିପରି? କିଛି ବିଚାର କରିବା ପୂର୍ବରୁ ସଙ୍ଗେ ସଙ୍ଗେ ବାଥ୍ ରୁମକୁ ଦୌଡିଲେ । ବଗିଚା ଚାରାରେ ପାଣି ଦେବାକୁ ଲମ୍ୱା ପାଇପ ଯୋଗାଡ଼ କରିଥିଲେ । ସେହି ପାଇପକୁ ନିଜ ହାତରେ ନେଇ ହୁତହୁତ୍ ହୋଇ ଜଳୁ ଥିବା ନିଆଁରେ ପକାଇ ଧରିଲେ । ନିଆଁ ଲାଗି ବ୍ୟାପିବା ଆଗରୁ ସେ ନିଆଁକୁ କୌଶଳ କ୍ରମେ ଆୟତ୍ତ କରି ନେଇଥିଲେ । ଏବଂ ବିରାଟ ଘଟଣାକୁ ରୋକିବା ସହ ନିରୀହ ଗଛ ଗୁଡ଼ାକୁ ବଞ୍ଚାଇ ପାରିଲେ । କଲୋନୀରେ ଏ ଘଟଣା ଚାରିଆଡ଼େ ଖେଳି ଗଲା । ରଞ୍ଜୁ ଦେବୀଙ୍କ ଅସଲ କପଟ କଲୋନୀ ବାସି ବୁଝି ଯାଇଥିଲେ । ନଳିନୀ ଦେବୀଙ୍କ ମହତ୍ କାମକୁ ସବୁ ଆଡେ ଭୂରି ଭୂରି ପ୍ରଶଂସା ମିଳୁ ଥିଲା । 


କଲୋନୀ ବାସି କଥା ହେଉଥିଲେ ଈର୍ଷା ପରମ ଶତ୍ରୁ । ସେ ଯେତେ ବଡ଼ ଯୋଗୀ ମୁନି ଜ୍ଞାନୀ ହୁଅନ୍ତୁ, ଯଦି ହିତାହିତ ଜ୍ଞାନ ଭୁଲିଯାଏ ତେବେ ଅନର୍ଥ ହାତା ହାତି ଥୁଆ । ନଳିନୀ ଦେବୀ ଜଣେ ଆଦର୍ଶ ପରାୟଣ ମହିଳା । ଉଚ୍ଚ ଚିନ୍ତାଧାରାର ମଣିଷ । ତେଣୁ ଏଭଳି ଘଟଣାକୁ ମସ୍ତିଷ୍କ ବିଭ୍ରାଟ ନ କରି ପଡୋଶୀଙ୍କ ସହ ମନୋମାଳିନ୍ୟ ନକରି ପରିବେଶ ସଚେତନ ଉଦ୍ୟମ କରି ମହତ୍ କାର୍ଯ୍ୟ ତୁଲାଇ ଦେଲେ । 

ଡ୍ରଇଂ ରୁମର ଚିନ୍ତନ ଭିତରେ ହଜି ଯାଇ ଥିବା ନଳିନୀ ମାଉସୀ ଔଷଧ ଖାଇବା ସମୟ ହୋଇଥିବା କାନ୍ଥ ଘଣ୍ଟା ତାର ସୁମଧୁର ସୁର ଲହରୀରେ ସଚେତନ କରାଇ ଦେଇଥିଲା । ଅନ୍ୟମନସ୍କ ଭାଙ୍ଗି ସେ ଔଷଧ ବାକ୍ସ ପାଖକୁ ଯିବାକୁ ଉଦ୍ୟମ ହେଉଥିଲେ । 



Rate this content
Log in