ଇଚ୍ଛା
ଇଚ୍ଛା
ବହୁବର୍ଷ ପୂର୍ବେ ମଗଧ ନଗରୀର ପଶ୍ଚିମ ସୀମାନ୍ତକୁ ଲାଗି ସ୍ଵର୍ଣ୍ଣପ୍ରସ୍ଥ ନାମକ ଏକ କ୍ଷୁଦ୍ର କିନ୍ତୁ ବିତ୍ତଶାଳୀ, ବୈଭବଶାଳୀ, ସୁଦୃଢ,ସୁବଳ,ଅଜୟ ରାଜ୍ୟ ଥିଲା। ଉକ୍ତ ରାଜ୍ୟର ରାଜା ଥିଲେ ନରୋତ୍ତମ ଦେବ। ଏକ ପ୍ରଜାପ୍ରେମି, ନ୍ୟାୟବାନ ,ଦୟାଳୁ ରାଜା ଭାବେ ଇତିହାସ ପୃଷ୍ଟପଟ୍ଟରେ ତାଙ୍କ ନାମ ସ୍ୱର୍ଣ୍ଣକ୍ଷରରେ ଲିପିବଦ୍ଧ। ବହୁବର୍ଷର ତପସ୍ୟା ପରେ ତାଙ୍କୁ ବ୍ରହ୍ମାଙ୍କ ନିକଟରୁ ଦୁଇଟି ପୁତ୍ର ପ୍ରସାଦ ପ୍ରାପ୍ତ ହେଲା। ସୁକର୍ଣ୍ଣ,ବିକର୍ଣ୍ଣ। ଦୁଇ ରାଜକୁମାର ଓ ମହାରାଜା ମଧ୍ୟରେ ଅଶେଷ ସ୍ନେହ ଥିଲା।ଦୁଇ ଭ୍ରାତା ସତେ ଯେପରି ଦୁଇ ଅଙ୍ଗ ଏକ ଆତ୍ମା ଥିଲେ। ଭଲ ପାଇବାର ଏହି ଗାଥା ନଗରର ସାରା ପ୍ରସନ୍ନତାର କାରଣ ଥିଲା।
କିଛି ବର୍ଷ ପରେ ରାଜା ହଠାତ ନିଜ ଦୁଇ ପୁତ୍ରଙ୍କୁ ନିଜ ପାଖକୁ ଡାକି କହିଲେ ଯେ ସ୍ୱର୍ଣ୍ଣପ୍ରସ୍ଥ ରାଜସିଂହାସନକୁ ଏକ ସମର୍ଥ,ଶକ୍ତିଶାଳୀ,ବୁଦ୍ଧିମାନ ରାଜାର ଆବଶ୍ୟକତା ଅଛି। ତେଣୁ ତୁମେ ଦୁଇ ଭାଇ ଗୁରୁକୂଳ ଯାଇ ଶିକ୍ଷା ଲାଭ କର। ଗୁରୁକୂଳରୁ ଫେରିଲା ପରେ ଯିଏ ଅଧିକ ସମର୍ଥ ଓ ଯୋଗ୍ୟ ହୋଇଥିବ ତାକୁ ପରବର୍ତ୍ତୀ ରାଜା ଘୋଷଣା କରାଯିବ। ଏହିଠାରୁ ଆରମ୍ଭ ହେଲା ଦୁଇଭ୍ରାତାଙ୍କ ମନରେ ଇଚ୍ଛାର। ଇଚ୍ଛା ଶ୍ରେଷ୍ଟତ୍ଵର ,ଇଚ୍ଛା ସାମର୍ଥ୍ୟର ,ଇଚ୍ଛା ସିଂହାସନର। ଏହି ଚେଷ୍ଟାକୁ ପୂର୍ଣ୍ଣ କରିବା ପାଇଁ ଦୁଇ ଭାଇ ନିଜର ସମ୍ପୂର୍ଣ୍ଣ ଚେଷ୍ଟା ଲାଗାଇଲେ କିନ୍ତୁ ଭିନ୍ନ ଢଙ୍ଗରେ।ଦୁଇ ଭ୍ରାତା ସମସ୍ତ ଶାସ୍ତ୍ରଜ୍ଞାନ ,ଶାସ୍ତ୍ରଜ୍ଞାନ ,ରାଜନୀତି, ରାଜଶାଶନ ଆଦିରେ ନିପୁଣ ହୋଇଗଲେ। ରାଜକୁମାର ସୁକର୍ଣ୍ଣ ସୁସଂଗତ କୁ ସାଥିକରି ଧୈର୍ଯ୍ୟ, କ୍ଷମା, ନ୍ୟାୟକୁ ପାହାଚ କରି ସିଂହାସନ ଆଡକୁ ଅଗ୍ରସର ହେଲା ବେଳେ ବିକର୍ଣ୍ଣ କୁସଂଗତରେ ପଡି ଇର୍ଷା, ଦଣ୍ଡ, ଅହଂକାରକୁ ଅସ୍ତ୍ର ସଜାଇ ସାରିଥିଲେ। ଦୁହେଁ ଶିକ୍ଷା ସାରି ରାଜ୍ୟକୁ ଫେରିଲେ। ଦୁହିଁଙ୍କ ଶୋର୍ଯ୍ୟର ଗାଥା ନଗର ସାରା ପ୍ରସାରିତ ହେଉଥିଲା।କିନ୍ତୁ ଏବେ ବି ଦୁଇ ଭାଇଙ୍କ ମଧ୍ୟରେ ପ୍ରେମ ଠିକ ପିଲାବେଳ ପରି ଥିଲା।
ରାଜ୍ୟର ଜଙ୍ଗଲ ଭିତରେ ଏହି ସମୟରେ ଏକ ଭୟଙ୍କର ରାକ୍ଷାସର ଅନୁପ୍ରବେଶ ହେଲା। ନାମ ତା ବୃତ୍ତାନ୍ତସୁର। ଆକାର ତାର ଶହେ ମଣିଷ ସମାନ ଥିଲା। ସେ ଅମର ଥିଲା। ସାରା ରାଜ୍ୟରେ ତା ଆତଙ୍କ ଖେଳିଯାଇଥିଲା।ତାକୁ ମାରିବାର ଗୋଟିଏ ଉପାୟ ଥିଲା ପୂର୍ଣ୍ଣମୀ ରାତିରେ ଯଦି କେହି ତା ନାଭିରେ ଛିଦ୍ର କରିଦେବ ତେବେ ହିଁ ସେ ମରିବ। ଯାହା ସମୂର୍ଣ୍ଣ ଅସମ୍ଭବ ଥିଲା କାରଣ ଉକ୍ତଦିନ ରାତିରେ ତା ବିଶାଳ ସେନା ତାକୁ ରକ୍ଷା କରୁଥିଲା।ରାଜା ନିଜ ଦୁଇ ପୁତ୍ରଙ୍କୁ ଡାକି ଉକ୍ତ ସମସ୍ୟାର ସମାଧାନ ପାଇଁ ଆଦେଶ ଦେଲେ।
ଏକ ନିର୍ଦ୍ଦିଷ୍ଟ ପୂର୍ଣ୍ଣମୀ ରାତିରେ ଦୁଇ ଭ୍ରାତା ରାକ୍ଷାସକୁ ବଧ କରିବା ପାଇଁ ଯାତ୍ରା ଆରମ୍ଭ କଲେ। ସୁକର୍ଣ୍ଣ ଶ୍ରବନାସ୍ତ୍ର ପ୍ରୟୋଗ କରି ଗୁମ୍ପାର ଦ୍ୱାରରେ ଏକ ଅଦୃଶ୍ୟ ଆବରଣ ଦ୍ୱାରା ଆବଦ୍ଧ କରିଦେଲେ ଯେ ବାହାରର କୌଣସି କୋଳାହଳ ଭିତରକୁ ପ୍ରବେଶ କରିପାରିଲା ନାହିଁ।ଦୁଇ ଭ୍ରାତା ଅଦ୍ଭୂତପୂର୍ବ ସାହସ ଓ ଶକ୍ତି ଦେଖେଇ ନିଜ ଇଚ୍ଛା ସାଧନ ନିମନ୍ତେ ପ୍ରାପ୍ତ ବିଦ୍ୟା ବଳରେ ସମ୍ପୂର୍ଣ୍ଣ ସେନାକୁ ଯମଲୋକ ପଠେଇଦେଲେ। ପରେ ସେମାନେ ଗୁମ୍ଫା ଭିତରକୁ ପ୍ରବେଶ କଲେ।
ଗୁମ୍ପା ଭିତରେ ଶୋଇଥାନ୍ତି ଦୁର୍ଦ୍ଧାନ୍ତ ବୃତ୍ତାନ୍ତସୁର ।ସୁକର୍ଣ୍ଣ ଏକ ଉପାୟ ଭାବିଲେ। ସେ କହିଲେ ବିକର୍ଣ୍ଣ ତୁମେ ତା ମୁହଁ ପାଖରେ ରହି ଅନୁଧ୍ୟାନ କରୁଥିବ, ମୁଁ ଗୁମ୍ପାର ଉପର ଭାଗରୁ ଝୁଲି ଝୁଲି ରାକ୍ଷସର ନାଭି ସିଧା ପହଞ୍ଚି ତାକୁ ଛିଦ୍ର କରିଦେବି ଓ ଦୁହେଁ ମିଶି ତାକୁ ମାରିଦେବା। ସୁକର୍ଣ୍ଣ ମନରେ ନିଜ ଭ୍ରାତା ପ୍ରତି ବିଶ୍ୱାସ ରଖି ଗୁମ୍ପାର ଉପରି ଭାଗକୁ ଚଢ଼ିଗଲେ। ବିକର୍ଣ୍ଣ ମନରେ ଅସୁମାରୀ ପ୍ରଶ୍ନ। ଯଦି ସୁକର୍ଣ୍ଣ ନାଭି ଛିଦ୍ର କରିଦିଏ ତେବେ ହୁଏତ ପରବର୍ତ୍ତୀ ରାଜା ସେ ହୋଇଯିବ। ତା ଇଚ୍ଛା କେବେ ବି ପୂରଣ ହୋଇପାରିବନି। ତେବେ ସେ କଣ କରିବା ଉଚିତ। ସୁକର୍ଣ୍ଣ ତା ଭାଈ ସେ ତାର ଅନିଷ୍ଟ କରି ପାରିବ କିପରି। କିନ୍ତୁ ନିଜ କୁସଂଗର ପ୍ରଭାବ ଓ ଇଚ୍ଛା ପୂର୍ତ୍ତିର ଆଶା ତାକୁ ଏକ ନିର୍ମମ ନିଷ୍ପତି ନେବା ପାଇଁ ବାଧ୍ୟ କଲା। ସେ ହଠାତ ରାକ୍ଷସର କାନକୁ ର୍କ ତିର ମାରିଦେଲା। ଯାହା ଫଳରେ ରାକ୍ଷସର ନିଦ ଭାଙ୍ଗିଗଲା।ସେ ସୁକର୍ଣ୍ଣକୁ ଗୁମ୍ପାରୁ ଝୁଲୁଥିବାର ଦେଖିପାରିଲା ଓ ତାକୁ ହାତରେ ନେଇ ସମ୍ପୂର୍ଣ୍ଣ ଗିଲିଦେଲା।ବିକର୍ଣ୍ଣ ନିଜ ଇଚ୍ଛା ପୂର୍ତ୍ତି ର ଆନନ୍ଦ କୁ ଉପଭୋଗ କରିବା ପୂର୍ବରୁ ରାକ୍ଷାସର ଆଖି ତା ଉପରେ ପଡିଗଲା ଓ ସେ ତାକୁ ମଧ୍ୟ ଗିଲିଦେଲା। ନିଜ ଇଚ୍ଛା ପୂର୍ତ୍ତି ଯଜ୍ଞରେ ଦୁହେଁ ଆହୁତି ହୋଇଗଲେ।
ଇଚ୍ଛା , ଆକାଂକ୍ଷା, ଆଶା , ଅପେକ୍ଷା ଏହି ଚାରୋଟି ମନୁଷ୍ୟ ଜୀବନକୁ ପରିଚାଳିତ କରନ୍ତି। ନା କ'ଣ ? ଯଦି କେହି ତୁମକୁ ପଚାରେ ତୁମେ କିଏ । ତେବେ ତୁମ ଉତ୍ତର କ'ଣ ହେବ । ଆମେ ଜାଣିପାରିବା ଯେ ଆମ ଇଚ୍ଛା ହିଁ ଆମ ଜୀବନର ବ୍ୟାଖ୍ୟା।କିଛି ମିଳିବାର ସଫଳତା ଓ କିଛି ନ ମିଳିବାର ବିଫଳତା ହିଁ ଆମ ପରିଚୟ। ଅଧିକାଂଶ ଲୋକ ଭିତରୁ ମରୁଥାନ୍ତି କିନ୍ତୁ ନିଜ ଇଚ୍ଛାକୁ ମାରିପାରନ୍ତି ନାହିଁ। ଇଚ୍ଛା ସମସ୍ତଂକୁ ନିଜ ପଛରେ ଦୌଡାଏ। ଯେପରି ମୃର୍ଗତୃଷ୍ଣା ମୃଗକୁ ଦୌଡାଏ।ପରନ୍ତୁ ଇଚ୍ଛାର ଗର୍ଭରେ ହିଁ ଜ୍ଞାନର ଭଣ୍ଡାର ନିହିତ। ଯେବେ ଇଚ୍ଛା ଅପୂର୍ଣ୍ଣ ରହେ ବା ଭାଙ୍ଗେ ସେବେଠୁ ମନୁଷ୍ୟ ଜୀବନରେ ଜ୍ଞାନର ପ୍ରବେଶ ହୁଏ। ଇଚ୍ଛା ଓ ମହାତକାଂକ୍ଷା ଦ୍ୱାରା କେତେ ହିତ ବି ହୋଇଛି ଓ କେତେ ରକ୍ତପାତ ବି ହୋଇଛି। ଛାଇର ଗର୍ଭରୁ ଆଲୋକର ସୃଷ୍ଟି ହେଲା ପରି ମନୁଷ୍ୟ ଜୀବନରେ ଇଚ୍ଛାର ସୃଷ୍ଟି।