ଗୁରୁ ଶ୍ରେଷ୍ଠ
ଗୁରୁ ଶ୍ରେଷ୍ଠ
ଗୋଟେ ଘଟଣାରେ ହାରିଯାଇଥିଲେ ଜଙ୍ଗଲର ରାଜା ସିଂହ. ମନୋବଳ ଜୁଟାଇବାକୁ ଯାଇ ଉପାୟ ପାଉନଥିବା ବେଳେ ପହଞ୍ଚିଗଲା ଗୁଣ୍ଡୁଚିମୂଷା. ଗୁଣ୍ଡୁଚିମୂଷା ଅନୁନୟ ବିନୟ ହୋଇ କହିଲା ମଣିମା ଆମ ଶକ୍ତି ସାମର୍ଥ୍ୟ ପୁଣି ଫେରିଆସିବାକୁ କେବଳ ବିଦ୍ୟା ଆଧ୍ୟୟନ ଦରକାର. ଶକ୍ତି ସାମର୍ଥ୍ୟ ବଳ ସବୁକିଛି ଅଢେଇ ଦିନ ହେଲାବେଳେ ବିଦ୍ୟା ବୁଦ୍ଧି ମଣିଷକୁ ଯେମିତି ଉଚ୍ଚ ଆସନ ଦେଇଛି ଓ ମଣିଷ ସମାରେ କଥା ରହିଯାଇଛି ଯେ ରାଜା ସିନା ପୂଜା ପାଏ ନିଜ ରାଇଜରେ.. ଗୁଣୀ ଜନ ପୂଜା ପାଏ ଦେଶ ବିଦେଶରେ. ବିଦ୍ୟା ବୁଦ୍ଧି ବିକଶିତ ହୋଇ ଆମ ପଶୁ ପକ୍ଷୀ କୂଳକୁ ମଧ୍ୟ ସେମିତି ଉଚ୍ଚ ଆସନ ମିଳିପାରିବ ତା ଛଡା ସ୍କୁଲ ଖୋଲିବାକୁ ଅନୁମତି ଦେଇ ଆପଣଙ୍କ ଗୁଣ ଗରିମା ଜଙ୍ଗଲରୁ ଜଙ୍ଗଲକୁ ବ୍ୟାପୀ ଯାଇ ପାରିବ. ଲୋକେ ଆପଣଙ୍କ ଜୟ ଜୟକାର କରି ପୂଜା କରିବେ. ଆପଣ ନିଜେ ନିଜର ଛୋଟ ଛୋଟ ପରାଜୟ ଵା ହାରିଯିବା କଥା ମଧ୍ୟ ଭୁଲିଯିବେ.ମହାଭାଗ, ତେଣୁ ମୁଁ କଣ କହୁଥିଲି କି ଆମ ଜଙ୍ଗଲରେ ସ୍କୁଲଟିଏ ଖୋଲି ସମସ୍ତଙ୍କୁ ପାଠ ପଢେଇବା ସୁଯୋଗ ଦେବା. ରାଜି ହେଲେ ସିଂହ ରାଜା ଓ ଗୁଣ୍ଡୁଚି ମୂଷା କହିଲା ଏଥିପାଇଁ ମତେ ଖବରୀ ଚଢେଇର ସାହାଯ୍ୟ ସହଯୋଗ ନେବାକୁ ପଡିବ. ସେ ଉଡି ଉଡି ସମସ୍ତ ପଶୁ ପକ୍ଷୀଙ୍କ ପରିବାରକୁ ଜଣେଇ ଦେବ. ଆଉ ମୁଁ ନିଜେ କେତେକ ସହ ସାଥିଙ୍କୁ ନେଇ ଫଳମୂଳ ସଂଗ୍ରହ କରି ରଖିବୁ. ମଣିଷମାନେ ଯେମିତି ଶିଶୁମାନଙ୍କୁ ମଧ୍ୟାହ୍ନ ଭୋଜନରେ ଖାଦ୍ୟ ଦେଇ ଆକର୍ଷିତ କରୁଛନ୍ତି ଆମେ ସମସ୍ତେ ମିଳିମିଶି ଖାଦ୍ୟ ସଂଗ୍ରହ କରି ପଶୁ ପକ୍ଷୀମାନଙ୍କ ଶାବକ ଓ ଛୋଟ ଛୋଟ ପୁଅ ଝିଅଙ୍କୁ ଆକୃଷ୍ଠ କରି ସ୍କୁଲକୁ ଆଣିବା ପରେ ମୟୁର, ବାଘମାମୁଁ, ଓ ମୁଁ ନିଜେ ପାଠ ପଢ଼େଇବୁ. ଏଥିରେ ଆମକୁ କୁକୁଡ଼ା ଓ ଶୁଆ ସାହାଯ୍ୟ କରିବେ. ବିଲୁଆକୁ ମଧ୍ୟ ଅନେକ ଦାଇତ୍ୱ ଦିଆଯିବ. ଖବରୀ ଚଢେଇ ଉଡି ଉଡି ବାର୍ତ୍ତା ପ୍ରଚାର ପ୍ରସାର କଲା. ଶୁଆ ଶାରୀ ଓ ବିଲୁଆନନା ଏଥିରେ ଗୁଣ୍ଡୁଚିକୁ ସାହାଯ୍ୟ ସହଯୋଗ କଲେ. ପ୍ରଥମେ ଅଗ୍ରଗଣ୍ୟ ଦେବ ଗଣେଷଙ୍କୁ ପୂଜା କରାଗଲା. ସିଂହ ରାଜା ମୁଖ୍ୟ ପୁରୋଧା ଭାବରେ ଯଜ୍ଞର ଆରମ୍ଭ ଓ ଉଦଯାପନ କରି ଭୁଲିଯାଇଥିଲେ ଯେ ସେ ପରାସ୍ତ. ସେ ହାରିଯାଇଛନ୍ତି ସାମାନ୍ୟ ଏକ ଦର୍ପଣ କାଚ ନିକଟରେ. ଦର୍ପଣ କାଚ ଭିତରେ ନିଜର ପ୍ରତିଛବି ଦେଖି ଅନ୍ୟ ଏକ ସିଂହ ତା ଭିତରେ ଅଛି ବୋଲି ଭାବି କାମୁଡି କାମୁଡି ଅନ୍ୟ ସିଂହକୁ ଖଣ୍ଡିଆ କରିବା ଫଳରେ ନିଜେ କ୍ଷତାକ୍ତ ହୋଇ ପରାଜୟ ବରଣ କଲା ବେଳକୁ ଗୁଣ୍ଡୁଚି ମୂଷା ଉଚିତ ପଦକ୍ଷେପ ନେଇ ସ୍କୁଲ ଖୋଲି ସମସ୍ତଙ୍କ ଭିତରେ ବିଦ୍ୟା ଓ ବୁଦ୍ଧି ର ପ୍ରସାର ଓ ପ୍ରଚାର କରି ପାରିଛି. ତାଙ୍କ ମନୋବଳ ମଧ୍ୟ ସୁଦୃଢ ହୋଇଛି.କୁକୁଡ଼ା ଅଣ୍ଡା ଖାଇ, ହାତୀ, ବିଲୁଆ, ଶୁଆ ଇତ୍ୟାଦି ପଶୁ ପକ୍ଷୀ ମାନେ ସଂଗ୍ରହ କରିଥିବା ଖାଦ୍ୟ ଫଳ ସବୁର ପ୍ରଲୋଭନରେ ସ୍କୁଲ ଭଲ ଚାଲିଥିଲା ଗଣେଷ ପୂଜା ପରେ ପରେ. ମୟୁର ମଧ୍ୟ ନୃତ୍ୟ ଶିଖାଇ ଓ କୋଇଲି ଗୀତ ଶିଖାଇ ଆମୋଦ ପ୍ରମୋଦର ବ୍ୟବସ୍ଥା କରିଦେବା ଫଳରେ ସମସ୍ତେ ଶୁଆ ପରି ମିଠା କଥା କହି ପ୍ରତ୍ୟେକଙ୍କ ମନରେ ସାହାସ ଶକ୍ତି ଭରି ଦେଇଥିଲେ.
ଗୁରୁଦିବସ ଅଵ୍ୟବହିତ ପୂର୍ବରୁ ସିଂହରାଜା ସମସ୍ତ ପଶୁ ପକ୍ଷୀଙ୍କୁ ନେଇ ସଭାଟିଏ ବସେଇଲେ ଓ ଗୁରୁ ହିଁ ସମସ୍ତଙ୍କ ଜ୍ଞାନ ଚକ୍ଷୁ ଖୋଲି ଅନ୍ଧାରରୁ ଆଲୋକ ଆଡକୁ ନେଇଯାଇପାରେ ବୋଲି କହିଥିଲେ. ସମସ୍ତଙ୍କ ଭିତରେ କିଛି ନା କିଛି ଭଲଗୁଣ ରହିଛି. ତାହାର ବିକାଶ ପାଇଁ ଗୁରୁ ହିଁ ପ୍ରକୃତ ରାସ୍ତା ଦେଖାନ୍ତି. ଏଠାରେ ପ୍ରଥମେ ଗୁଣ୍ଡୁଚି ମୂଷାଙ୍କ କଥା ଉଠିଥିଲା. ସେ ହିଁ ବିପଦ ବେଳାର ବନ୍ଧୁ. ଆଜି ନୁଁହଁ ବରଂ ସତ୍ୟ ଯୁଗରୁ ସେ ବିଶ୍ୱାସ ଓ ଭାରସାରେ ମହନୀୟ. ପ୍ରଭୁ ରାମଚନ୍ଦ୍ର ସେତୁ ବନ୍ଧ ବାନ୍ଧିବା ବେଳୁ ସେ ତାଙ୍କର ଦିବ୍ୟଗୁଣର ପ୍ରକାଶ କରିଛନ୍ତି.କ୍ଷୁଦ୍ର ହେଲେ ମଧ୍ୟ ନିଜ ଦେହ ସମୁଦ୍ର ପାଣିରେ ବୁଡେଇ ତା ପରେ ବାଲିରେ ଗଡି ଦେଉଥିଲା ସେତୁବନ୍ଧ ଉପରେ ଦେହରୁ ବାଲି ଝାଡ଼ି. ଅଳ୍ପ ହେଲେ ମଧ୍ୟ ଗୋଟି ଗୋଟି ପଇସା ସଞ୍ଚିଲେ ଯେମିତି ଦିନେ ଧନୀ ହୋଇପାରିବା ସେମିତି ବିଶ୍ୱାସର ମହନୀୟତାରେ ଗୁଣ୍ଡୁଚି ମୂଷା କାମ ଦେଖି ପ୍ରଭୁ ରାମଚନ୍ଦ୍ର ନିଜ ହାତରେ ଆଉଁସି ଦେଇ ତିନିଗାର ରଖିଦେଇଛନ୍ତି ତା ପିଠିରେ. ପିଢ଼ି ପରେ ପିଢ଼ି ବିତିଗଲେ ମଧ୍ୟ ଆଜି ମୁଁ ପରାଜୟ ଗ୍ଲାନିରେ ଛଟପଟ ହୋଇଥିବା ବେଳେ ସେହି ଗୁଣ୍ଡୁଚି ପୁଣି ଆମ ସମସ୍ତଙ୍କ ମନରେ ବିଶ୍ୱାସ ଜଗେଇ ଆମ ଭିତରେ ବିଦ୍ୟା ଓ ବୁଦ୍ଧିର ବିକାଶ ପାଇଁ ଜଙ୍ଗଲ ମଧ୍ୟରେ ସ୍କୁଲ ଖୋଲିବା ଭଳି ଦୁଃଶାହସକୁ ପୁରଣ କରି ଆମକୁ ଜାଗ୍ରତ କରିଥିବା ପ୍ରଥମ ଗୁରୁ. ତେଣୁ ଗୁରୁଦିବସରେ ଗୁଣ୍ଡୁଚିମୂଷାଙ୍କୁ ଶ୍ରେଷ୍ଠ ଗୁରୁ ରୂପେ ସମ୍ମାନିତ କରିବାକୁ ମୋର ପ୍ରସ୍ତାବକୁ ଆପଣମାନେ କଣ କହିବେ କୁହନ୍ତୁ. ଏସବୁ ଶୁଣି ଜଙ୍ଗଲର ସମସ୍ତେ ପଶୁ ପକ୍ଷୀ ସମସ୍ୱରରେ କହୁଥିଲେ ଜୟ ଜଙ୍ଗଲ ରାଜା ସିଂହଙ୍କର ଜୟ. ପରାଜିତ ବଦଳରେ ନିଜ ହାରିବା ଭୁଲି ବିଜୟ ଗୌରବରେ ସିଂହ ଶତସିଂହର ବଳ ଫେରିପାଇଥିଲେ.
ତଥାପି କୋଉଠିନା କୋଉଠି ସିଂହ ରାଜା ଖୁସି ନଥିଲେ. ସେ ନିଜ ପରାଜୟରେ ବିଚଳିତ ଥିଲେ.ଦର୍ପଣ କାଚ ଭିତରେ ଆଉ ଏକ ସିଂହ ରହିଛି ଭାବି ଦର୍ପଣ କାଚ କାମୁଡି କାମୁଡି ନିଜ ପାଟି, ଜଭ ଓ ହନୁହାଡ଼ ଇତ୍ୟାଦିର କ୍ଷତ ସବୁକୁ ଭଲ କରିବା ପାଇଁ ହନୁ ବୈଦ୍ୟ ପାଖକୁ ଯାଉଥିଲା ବେଳେ ଗୁଣ୍ଡୁଚି ମୂଷା ଆସୁଥିବାର ଦେଖି ସମ୍ୟକ ଖୁସି ହେଲେ ମଧ୍ୟ ଗୁଣ୍ଡୁଚି ମୂଷା ଡରିଯାଇଥିଲା. କାରଣ ନିଜ ପାଖେ ନିଜେ ହାରିଯାଇ କ୍ଷତାକ୍ତ ହୋଇଥିବା ବଣର ସିଂହ ରାଜାଙ୍କୁ ବେଳ ଅବେଳରେ ବ୍ୟସ୍ତ କରିବା ଉଚିତ ନୁଁହଁ ବୋଲି ଭାବୁଥିଲା ଗୁଣ୍ଡୁଚି ମୂଷା. ସିଂହ ରାଜା କିନ୍ତୁ ଆଶ୍ଵସ୍ତ ହେଲେ ଯେ ଗୁଣ୍ଡୁଚିର ବିଶ୍ୱାସନୀୟତା ଯୋଗୁଁ ଆଜି ଜଙ୍ଗଲରେ ସ୍କୁଲଟିଏ ଖୋଲା ଯାଇପାରିଛି. ପୁଣି ମୟୁର,
କୋଇଲି, ବିଲୁଆ ଓ ନିଜେ ଗୁଣ୍ଡୁଚି ମୂଷା ସେଠାରେ ଶିକ୍ଷକତା କରୁଛନ୍ତି ଓ ନିଜ ଭିତରେ ବିଦ୍ୟା ବୁଦ୍ଧି ଅର୍ଜ୍ଜନ କରି ନିଜ ଭିତରେ ଜ୍ଞାନ ଓ ବୁଦ୍ଧିର ପରିପକ୍ଵତା ସହିତ ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ଚେଷ୍ଟା ଚରିତ ଜାରି ରଖି ଜୟ ସିଂହ ରାଜଙ୍କ ଜୟ ପ୍ରତିଧ୍ୱନି ଦେଇ ରାଜାଙ୍କ ମନରେ ବିଶ୍ୱାସ ଭରସା ବଢ଼େଇ ଚାଲିଥିବା ଆଦି ସବୁଥିପାଇଁ ଗୁଣ୍ଡୁଚିର ଶ୍ରେୟ ଦେଖି ତାକୁ ଗୁରୁଦିବସ ଦିନ ଶ୍ରେଷ୍ଠ ଗୁରୁ ରୂପେ ସମ୍ମାନିତ କରିବାକୁ ମଧ୍ୟ ନିଷ୍ପତି ହୋଇସାରିଛି ତଥାପି ଗୁଣ୍ଡୁଚିର ଏ ଅସମୟରେ ଆସିବାର କାରଣ କଣ ହୋଇପାରେ ଭାବୁଥିଲେ ସିଂହ ରାଜା. ପୁଣି ମନେପଡୁଥିଲା ସିଂହ ରାଜାଙ୍କର ଆଉ ଥରେ ଜଙ୍ଗଲ ଭିତରେ ଏମିତି ହାରିଯାଇ ଶିକାରୀର ଫାଶରେ ପଡିଯାଇଲେ ସିଂହ ରାଜା. ସେତେବେଳେ ମଧ୍ୟ ଏଇ ଗୁଣ୍ଡୁଚି ମୂଷା ପ୍ରଜାତିର ସବୁଠୁ କ୍ଷୁଦ୍ର ଜୀବ ମୂଷା ତାଙ୍କ ବନ୍ଧନ ଖୋଲି ତାଙ୍କୁ ମୁକ୍ତ କରିଥିଲା.
ଗୁଣ୍ଡୁଚି ମଧ୍ୟ ସେହିକଥା କହିବାକୁ ଆସିଥିଲା ଯେ ତା ଭଳି ସବୁ ପଶୁ, ପକ୍ଷୀ, ସରୀସୃପ, କୀଟପତଙ୍ଗଙ୍କ ଭିତରେ କିଛିନା କିଛି ଦକ୍ଷତା ରହିଛି. ସେମାନଙ୍କ ଗୁଣ ଚିହ୍ନି ଗୁଣିଆ ପରି ମଣିଷ ମୟୁରକୁ ଜାତୀୟ ପକ୍ଷୀର ମାନ୍ୟତା ଦେଇସାରିଥିବା ବେଳେ ବାଘକୁ ଜାତୀୟ ପଶୁର ମାନ୍ୟତା ଦେଇସାରିଛି. ବେଙ୍ଗ ଭଳି କ୍ଷୁଦ୍ର ପ୍ରାଣୀଟିଏ ମଧ୍ୟ ବର୍ଷାର ଆଗମନ ବାର୍ତ୍ତା କେଁ କଟର ଧ୍ୱନିରେ ଦେଇପାରୁଛି. କାଉ କା କା କରି ସକାଳୁ ନିଦ ଭାଙ୍ଗେ. ହାତୀ ପରି ଅନେକ ଜନ୍ତୁ ମଣିଷର ପୋଷା ମାନି କେତେ ଉପକାର କରନ୍ତି. କୁକୁର ପରି ବିଶ୍ୱସ୍ତ କେହି ନାହିଁ. ଠେକୁଆ ପରି କେହି ଡେଇଁ ପାରେ ନାହିଁ. ସିଂହ ରାଜା ଏଥର ଟିକେ ବିରକ୍ତି ପ୍ରକାଶ କଲେ କହିଲେ କଥାଟାକୁ ସିଧା ନକହି ଏତେ ବୁଲେଇ ବଙ୍କେଇ କହିବା ଦରକାର ନାହିଁ. ଡରି ଡରି ଗୁଣ୍ଡୁଚି କହୁଥିଲା ମୁଁ ଶ୍ରେଷ୍ଠ ଗୁରୁ ରୂପେ ସମ୍ମାନିତ ହେବାକୁ ଚାହେଁନା ହଜୁର. ବରଂ ଆମ ପ୍ରତିନିଧି ହିସାବରେ ଆପଣ ଏକମାତ୍ର ଯୋଗ୍ୟ ରାଜା ଯିଏ କି ଏହି ପଦବୀରେ ଭୂଷିତ ହେବା ଦରକାର. ନିଜେ ନିଜ ପାଖେ ହାରିଯାଇଥିବା ସିଂହ ରାଜଙ୍କ ମନ କଥା ଯେମିତି କହିଦେଇଥିଲା ଗୁଣ୍ଡୁଚି ମୂଷା. ସିଂହ ରାଜା ଗୁରୁଦିବସ ଦିନ ଶ୍ରେଷ୍ଠ ଗୁରୁ ରୂପେ ସମ୍ମାନିତ ହେଲା ବେଳେ ହାତୀ ଶଙ୍ଖ ଫୁଙ୍କୁଥିଲା, ତା ପିଠିରେ ବାଘ ଓ ବାଘ ପିଠିରେ ଛେଳି ବସି ତାଳି ମାରୁଥିଲା. କୁକୁର ସାଇକେଲ ଚଳେଇ ଟିନ ଟିନ କରୁଥିଲା ବେଳେ ହାତୀ ଦୋଳି ଖେଳି ଖେଳି ଶଙ୍ଖ ବଜେଇ ଶୁଣ୍ଢରେ କଳସ ଢାଳୁଥିଲା. ମହୁମାଛି, ଭଅଁର, ପ୍ରଜାପତି ମିଶି ଗୁଣୁ ଗୁଣୁ ଗୀତ ଗାଉଥିଲେ. ଭାଲୁ ପେକାଳୀ ବଜେଇ ନୃତ୍ୟ କଲା ବେଳେ କୋଇଲି ଓ ମୟୁର ଗୀତ ଗାଉଥିଲେ. ସମସ୍ତେ ମିଶି ସିଂହ ରାଜଙ୍କର ବନ୍ଦନା କରୁଥିଲେ.ପଶୁ, ସରୀସୃପ,ପକ୍ଷୀ, କୀଟପତଙ୍ଗ, ସାପ, ନେଉଳ ଠୁ ଆରମ୍ଭ କରି ମହାବଳ ଯାଏଁ ସମସ୍ତେ ଭେରୀ ତୁରୀ କାହାଳୀ ବଜେଇ ନୃତ୍ୟ କରୁଥିଲେ. ଗୁରୁବନ୍ଦନାର ଏ ଅପୂର୍ବ ଠାଣି ଭାରି ଜମାଣିଆ ଥିଲା ବେଳେ ମୁନାକୁ ନିଦରୁ ଉଠେଇ ମାଆ କହୁଥିଲେ ଆଜି ସର୍ବପଲ୍ଲୀ ରାଧକ୍ରିଷ୍ଣନଙ୍କ ଜନ୍ମଦିନ. ଯିଏ ତାଙ୍କ ଜନ୍ମଦିନକୁ ସମଗ୍ର ଗୁରୁ ଵା ଶିକ୍ଷକ ଶିକ୍ଷୟିତ୍ରଙ୍କୁ ଦାନ କରି ଯାଇଛନ୍ତି. ସେପ୍ଟେମ୍ବର ପାଞ୍ଚ ତାରିଖଟି ଗୁରୁଦିବସ ରୂପେ ପାଳନ କରାଯାଉଛି.ତୁ ଶୋଇଛୁ କଣ! ଉଠୁ ଉଠୁ ଚଞ୍ଚଳ. ମୁନା କହୁଥିଲା ହଁ ବୋଉ ମୋର ଆଜି ବକୃତା ଦେବା କଥା. ସେହି କଥା ଭାବି ବଢିଆ ସ୍ବପ୍ନଟେ ଦେଖିଲି. ସତରେ ବୋଉ ଦାନ ଠାରୁ ପୁଣ୍ୟ ଆଉ କିଛି ନାହିଁ. ମୋ ସ୍ୱପ୍ନରେ ଗୁଣ୍ଡୁଚି ମଧ୍ୟ ତା ମାନ ସମ୍ମାନକୁ ବଣର ରାଜା ସିଂଙ୍କୁ ଦାନ କରି ତାଙ୍କୁ ଖୁସି ଦେଇଥିଲା. ବୋଉ କହିଲେ ହଉ ତୁ ସ୍କୁଲରୁ ଫେରିଲେ ତୋ ସ୍ବପ୍ନ କଥା ମତେ ସବୁ ଗୋଟି ଗୋଟି କହିବୁ.
