ଗୁପ୍ତଧନ
ଗୁପ୍ତଧନ
ନିସ୍ୱଃ ମଣି ଦାସ । ଦାରିଦ୍ର୍ୟରୁ ସହସା ଉତ୍ତୀର୍ଣ୍ଣ ହେବାର ହେତୁ, ତୁଳତୀ ଗ୍ରାମରେ ଯେଉଁ କେତୋଟି ଗୁଜବ ମୂଳକ ଉତ୍ତର ସୃଷ୍ଟି କରିଥାଏ ତନ୍ମଧ୍ୟରୁ ପୋତାଧନ ପ୍ରାପ୍ତି ହିଁ ଥିଲା ସର୍ବଗ୍ରହଣୀୟ ଉତ୍ତର ।କ୍ରମଶଃ ଏହି ଧାରଣା, ମତାନ୍ତର ମାନଙ୍କୁ ଅନାଲୋଚ୍ୟ କରିଥିଲା ।
ରାଜୁ ସେ ବେଳେ ସପ୍ତମ ଶ୍ରେଣୀର ଛାତ୍ର । ଉନବିଂଶ ଅଣାଅଶି ମସିହାର ଘଟଣା । ଶ୍ରେଣୀ ସାଥୀ ବିପିନି ଜଣେ ଗୁରୁଜନଙ୍କ ଉକ୍ତି ଉଦ୍ଧାର କରି କହିଲା, ମଣି ଦାସ ଉଆସ ଗଡିଆରୁ ଏକ ସ୍ୱର୍ଣ୍ଣ କୁମ୍ଭରେ ସଞ୍ଚିତ ଦୁର୍ମୁଲ୍ୟ ପଦାର୍ଥମାନ ହସ୍ତଗତ କରିଛନ୍ତି ଜଣେ ବଦାନ୍ୟ ଯକ୍ଷଙ୍କ ଠାରୁ କୌଣସି ଏକ ଅମାବାସ୍ୟା ରାତ୍ରୀରେ । ଯକ୍ଷଙ୍କୁ ଏକ କଳା କୁକୁଡା ବଦଳରେ କଳା ମାଗୁର ମାଛ ବଳୀ ଦେଇ ମଣି ଦାସ କୁକୁଡାର ପ୍ରତିଶୃତି ଅତୁଟ ରଖିଥିଲେ କିନ୍ତୁ ଅମୂଲ୍ୟ ଧନ ହସ୍ତାନ୍ତର ଅନ୍ତେ ପ୍ରତିଶୃତି ବିସ୍ମୃତ ହେଲେ ।ଏଥିପାଇଁ କାଳେ ତାଙ୍କ ସ୍ତ୍ରୀଙ୍କ ଦକ୍ଷିଣ ହସ୍ତର ମଣିବନ୍ଧ ଭାଙ୍ଗିଲା । ଆଉ କେତେକ କହୁଥିଲେ, ଶାକାହାରୀ ଯକ୍ଷ ମାଂସ ଦେଖି ଉତ୍ୟକ୍ତ ହେବା ସ୍ୱଭାବିକ୍ । ବିପିନି ସତର୍କବାଣୀ ଶୁଣାଇଲା ଯେ ଭବିଷ୍ୟତରେ ଘୋର ବିପଦ ମାଡି ଆସୁଛି, ଆଶୁ ଧନୀକ ମଣିଦାସଙ୍କ ପରିବାରକୁ ।
ପରଦିନ ସେମାନେ ଉଆସ ଗଡିଆ ସଂଲଗ୍ନ କୁସୁମ ଡିହରେ ପ୍ରାତଃକ୍ରୀୟା ସମାପନ କରି ଶୌଚ ହେବାକୁ ଗଲେ ଉଆସ ଗଡିଆକୁ, ସେ ସମୟର ଚଳନି ପ୍ରକାରେ । ହଟାତ୍ ଆଚମ୍ବିତ କରି ବହଳିଆ ଘାସ ପୂର୍ଣ୍ଣ ଏକ ପଥର କଡର ଖାଲକୁ ନିର୍ଦ୍ଦେଶକରି ବିପିନି କହିଲା, “ଦେଖ୍ ସେ ଖାଲଟା ଅବିକଳ କୁମ୍ଭାକୃତି ହୋଇ ନାହିଁକି?”
ବାସ୍ତବ ବୋଧ ହେଲା ।
ମଧ୍ୟାହ୍ନରେ ଏ ସମ୍ପର୍କରେ ଅନ୍ୟ ଦୁଇ ସାଙ୍ଗ ବାବୁଲା ଓ ସୁଭାଷଙ୍କ ସହ ଗୁପ୍ତ ବିଚାର ବିମର୍ଷ ହେଲା । ଯୋଗକୁ ସେଦିନ ଥିଲା ରବିବାର ଓ ପରଦିନ ଶିବରାତ୍ରୀ ଛୁଟି । ଜାଗରରେ ଯକ୍ଷ ପ୍ରସନ୍ନ ହେବା, ପ୍ରତ୍ୟୟ ହେଲା ସେମାନଙ୍କର । ଚତୁମୁର୍ତ୍ତି ଥିଲେ ଅତ୍ୟଧିକରୁ ଅଧିକ ସାହସୀ ।
ଉଆସ ଗଡିଆ ନାମ୍ନୀ ପୋଖରୀଟି ତୁଳତୀ ଗ୍ରାମର ପୂର୍ବକୁ ପ୍ରାୟ ଅର୍ଦ୍ଧ କିଲୋମିଟର ଦୂରରେ କୃଷିକ୍ଷେତ୍ର ମଝିରେ ରହିଛି କେଉଁ ଅବଦିମାନ କାଳରୁ । ସଂଲଗ୍ନ କୁସୁମ ଡିହଟି କେହି କହେ ଏକଦା ଥିଲା କୁସୁମାୟିତ ରାଜ ଉଦ୍ୟାନ ପୋଖରୀ ପାଖରେ ଥିଲା ରାଜ ନବର । ଅନ୍ୟ କେହି ମତ ଦିଅନ୍ତି, କୁସୁମ ନାମ୍ନୀ ରାଜକନ୍ୟାଙ୍କ ବିହାର କ୍ଷେତ୍ର ଥିଲା ସେହି ଉଦ୍ୟାନଟି । ଅଳ୍ପ ଅଳ୍ପ ଦୂରରେ ଆଉ ଦୁଇଟି ପୁଷ୍କରଣୀ, ଟୁମୁଣିଆ ଓ କାକୁଡି ଗଡିଆ ।
ଏସବୁ କିମ୍ବଦନ୍ତୀ ଗବେଷଣା ଯୋଗ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇ ପାରିନାହିଁ । ରାଜପ୍ରାସାଦତ ଦୂରର କଥା କୌଣସି ଭଗ୍ନ ଇମାରତର କିୟଦଂଶବି ଦୃଷ୍ଟିଗୋଚର ହୁଏନାହିଁ । ତାର୍କିକ ବ୍ୟାଖା କଲେ ଯୁକ୍ତିଯୁକ୍ତ ମନେହୁଏ କୌଣସି ଜଣେ ଉତ୍ତମ ଶାସକ ଚିର ମରୁଡି ପ୍ରପୀଡିତ ଏ ଇଲାକାରେ କେତେଗୁଡିଏ ପୁଷ୍କରଣୀ ଖୋଳି ନାଁ ଗୁଡାକ ଦେଇଛନ୍ତି । ତେବେ ଗ୍ରାମର ପ୍ରାକ୍ତନ ବୟସ୍କ କେତେଜଣ କୁହନ୍ତି, କୁସୁମ ନାମ୍ନୀ ଜଣେ ବିଧବାର ମାଲିକାନାରେ ଥିବା ଏହି ଡିହ ଏବଂ ପୋଖରୀ, ଉତ୍ତରାଧିକାରୀ ଅଭାବରୁ ସେମିତି ପଡିଆ ପଡିଛି । କୁସୁମର ବିକଟ ପ୍ରେତିନୀ ଭୟଙ୍କର ଥିଲା କେହି ଦୁଷ୍ଟବୁଦ୍ଧି ଏ ସମ୍ପତ୍ତି ଭୋଗ କରିବାକୁ କଦାଚିତ୍ ଚିନ୍ତା କରିନାହିଁ ।
କାକୁଡି ଗଡିଆ ଆଡିଟି ଗ୍ରାମର ଶ୍ମଶାନ । ଏଠାରେ ଜୁଇ ଜଳାର ଦୃଶ୍ୟକୁ ସଦା ସାକ୍ଷୀ ହୁଅନ୍ତି ସନ୍ନିକଟ କିଆବୁଦାର ଜଙ୍ଗଲ ଓ ବୃହତ ଉଈ ହୁଙ୍କା ମାନ । ପାଖରେ କେତେଗୁଡିଏ ବଟବୃକ୍ଷରେ ଶୁଭ୍ର କୁସୁମ ପ୍ରାୟ ସର୍ବଦା ବାସ କରନ୍ତି ବଗ ପକ୍ଷୀକୁଳ । ସେମାନଙ୍କୁ ଅଗୋଚର ଅଥବା ସେମାନେ ବେଫିକର ଏହି ଭୟଙ୍କର ମଶାଣୀ ଭୂଇଁପ୍ରତି । ଟୁମୁଣିଆ ଆଡିରେ ମୃତ ଶିଶୁଙ୍କୁ ପୋତାଯାଏ । ଅକାଳେ ଅଭିଆଡା ବା ଅଭିଆଡୀଟିଏ ମୃତ୍ୟୁ ବରଣ କଲେ ଉଆସ ଗଡିଆ ଆଡିରେ କବର ଦିଆଯାଏ । ଏ ପ୍ରଥା ବୋଧହୁଏ ଅନାଭୀପ୍ସିତ ମୃତ୍ୟୁ ପ୍ରାପ୍ତ ବ୍ୟକ୍ତିଙ୍କ ଅଶରୀରକୁ ସର୍ବାଧିକ ଦୂରରେ ବାନ୍ଧି ରଖିବାର ପରିକଳ୍ପନା ପ୍ରସୁତ । ଏଣୁ ଉଆସ ଗଡିଆ ଗ୍ରାମର ସବୁଠାରୁ ବିପଦ ଶଙ୍କୁଳ ସ୍ଥାନ ବୋଲି ସଚରାଚରେ ବିଶ୍ୱାସ କରାଯାଏ ।
ଶ୍ମଶାନତ୍ରୟୀଙ୍କୁ ନେଇ ଅନେକ ଭୌତିକ କାହାଣୀ ବର୍ଣ୍ଣନା କରାଯାଏ । ଲୋକେ କହନ୍ତି ଏକଦା ଘୋର ଜଳକଷ୍ଟ ପଡିଥାଏ ଆଦ୍ୟ କାର୍ତ୍ତିକରେ । ଲୋକେ ଉଠିଆ ବିଲକୁ ମରୁଡିରୁ ବଞ୍ଚାଇବା ପାଇଁ ପ୍ରାଣ ଢାଳି ଦେଇଥାନ୍ତି । ରାତି ଅଧରୁ ବିଲକୁ ପାଣି ମଡାନ୍ତି ବିଭିନ୍ନ ପୋଖରୀରୁ ଶେଣୀ ଲଗାଇ । ବିଛା କାଣ୍ଡି ଓ ଭଜୁ ମଳିକ ଏ ଦୁଇ ମଉସା ଯାଇଥିଲେ ପରସ୍ପର ଡକାଡକି ହୋଇ ନିଶାର୍ଦ୍ଧରେ ପାଣି ବାହିବାକୁ ଦିବସର ସୌରତାପକୁ ଏଡାଇବା ପାଇଁ । ଶୀତକୁ କିଏ ମାନୁଛି ସେ’ତ ଚାଷୀ । ରାତି ସରୁନି ଲାଗିଛି ଶେଣୀ-ବୋହୁଛି ପାଣି । ବିଛା ମଉସା ବଳୁଆ ଯୁବକ ଅଥଚ ଥକି ପଡୁଛନ୍ତି । ଭଜୁ ମୋଉସା ଦରବୁଢା ଦୁର୍ବଳ କିନ୍ତୁ ଥକୁ ନାହାନ୍ତି । ବିଛା ଭଜୁ ଆଡକୁ କଣେଇ ଚାହିଁଲେ ତାଙ୍କ ହୋସ ଉଡିଯିବା କଥା -ଆରେ ଏଇଟାତ ଭଜୁ ଭାଇ ନୁହେଁ ଭଲୁକ ସମ ଲୋମଶ ହାତ, ଚକ୍ଷୁରୁ ନିର୍ଗତ ହେଉଛି ଅଗ୍ନି, ଯେପରି ପ୍ରହଳିକା, ମଣିଷ ତାହେଲେ ଭୂତ ହାବୁଡରେ ପଡିଛି! ସେ କିନ୍ତୁ ଡରିଲେ ନାହିଁ ଜାଣିଥିଲେ ସାହସୀ ଲୋକକୁ ଭୂତ ଡରିବା ସର୍ବଜନବିଦିତ । କେତେ ପାଣି ମାଡିଲାଣି ଦେଖିଆସେ କହି ବିଛା ମାରିଲେ ଧାନ ବିଲେ ବିଲେ ଚମ୍ପଟ । ସିଧା ଜଗନ୍ନାଥ ବାଡି ମଠ । ଗ୍ରାମର ସର୍ବ ବୃହତ ପୁଷ୍କରଣୀ କସ୍ତୁରାର ଐଶାନ୍ୟ କୋଣରେ । ବାବାଜୀ ମହାପୁରୁ ଶୀତଳ ଜଳ ପିଆଇ ସାଷ୍ଟାମ କରାଇଲେ ଓ ସ୍ମରଣ କରାଇଦେଲେ, -ଭଜୁ ବର୍ଷେ ତଳେ ଭାଲୁ କାମୁଡାରେ ମୃତ । ମଉସାଙ୍କ ମୁଣ୍ଡ ଗୋଳମାଳ ହୋଇଗଲା ।
ତେବେ ବାଳକ ଚାରି ଥିଲେ ଭିନ୍ନ ପ୍ରକାରର । ନିର୍ଭୀକ । ବିନା ମନ୍ତ୍ରରେ ବିଷାକ୍ତ ସର୍ପକୁ ଆୟତ୍ତ କରନ୍ତି ସେମାନେ । ପ୍ରେତ ଗବେଷଣାରେ ବିନିଦ୍ର ରଜନୀ ବି କାଟିଛନ୍ତି ଅନେକ ଥର । ଏ ପ୍ରକାର କାର୍ଯ୍ୟପାଇଁ, ଯାତ୍ରା ଓ ପାର୍ବଣ ହୁଏ ଉପଯୁକ୍ତ ସମୟ ।
ଶିବରାତ୍ରୀ ୧୯୭୯ ।
ଚାରି ସାଙ୍ଗ ଘରୁ ବାହାରିଲେ ଜାଗର ଯାତ୍ରା ଦେଖିବା ପାଇଁ ଗ୍ରାମର ଉତ୍ତର ଦିଗନ୍ତରେ ଥିବା ଶିବାଳୟକୁ । ଆପାତତଃ ଘରେ ଜାଣିଲେ ସେଇଆ । ପ୍ରକୃତରେ କିନ୍ତୁ ଅନ୍ଧକାର ସହଯୋଗରେ ଆଗେଇ ଚାଲିଲେ ବିଜନ ପୂର୍ବ ଦିଗନ୍ତକୁ ଯେଉଁଠି ସେମାନେ ଆଗରୁ ସାଇତି ରଖିଥିଲେ କୋଦାଳ କୋଡି ଓ ମାଟିବୁହା ଝୁଡି । ଗାଆଁ ସାରା ଲୋକ ଜାଗର ଜାଳୁଛନ୍ତି । କେହି ଦେଖିବାର ଶଙ୍କାନାହିଁ । ଟିପା ବତୀ ଆଣିନାହାନ୍ତି କାଳେ ଆଲୋକ ସେମାନଙ୍କର ଅସ୍ଥାନେ ଉପସ୍ଥିତିକୁ ସୂଚାଇ ଦେବ ।
ଧ୍ୱାନ୍ତ ଶର୍ବରୀ, ଚନ୍ଦ୍ରମାର ଲେଶମାତ୍ର ଆଭାସ ନାହିଁ ତାରାପଥ କୁସୁମିତ ସହସ୍ର ନକ୍ଷତ୍ରର ପୁଷ୍ପ ସମ୍ଭାର ନେଇ । ମୁହଁକୁ ମୁହଁ ଦିଶୁନି । ଶେଷ ମାଘର ଶୀତ ପରିବେଶରୁ ଶବ୍ଦ ପୋଛି ନେଇଛି । ରୋମାଞ୍ଚକର ଅଭିଯାନ ଶରୀରକୁ ଉଷ୍ନ ରଖିଛି ଶୀତ ବାଧୁନି । କାକୁଡି ଗଡିଆ ସଂଲଗ୍ନ ମଶାଣି ଅତିକ୍ରମ କରି ଝଙ୍କାଳିଆ ବରଗଛ ତଳେ ପୁନଃ ଆଲୋଚନା କଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ବନ୍ଧେ । ଭୀମ କାଣ୍ଡ ନାମକ ପଥର ଉପରେ ବସି ରହି ରାଜୁ ଆଲୋଚନାର ନେତୃତ୍ୱ ନେଉଥାଏ । କିମ୍ବଦନ୍ତୀ କହେ ଏହା ଭୀମଙ୍କ ପଥର ଧନୁ ଏହା ଉପରେ ବସି ପଥିକ ଶ୍ରମ ଦୂର କରେ । ପରମ ବୈଷ୍ନବ ରାଧାରମଣଜୀ ଯେବେ ତୁଳତୀ ଗ୍ରାମକୁ ଆସିଥିଲେ ଏଠାରେ ଘଡିଏ ବସିଥିଲେ । ପ୍ରତିବର୍ଷ ତାଙ୍କ ଆଗମନି ସ୍ମୃତିରେ ଶ୍ରୀ ରବି ମହାନ୍ତିଙ୍କ ସହ କୀର୍ତ୍ତନିଆ ଦଳ ଏପର୍ଯ୍ୟନ୍ତ ଆସନ୍ତି । ଉଭୟ ଭୀମ ଓ ରାଧାରମଣ ଜୀଉଙ୍କୁ ପ୍ରଣାମ ଜଣାଇଲେ ଚାରିସାଙ୍ଗ ।
ପବନ ନିଶ୍ଚଳେ ନିଦ୍ରାଗତ ବଟବୃକ୍ଷ ମାନେ ବି ନୀରବ ଆଶ୍ରିତ ବଗ୍ରପକ୍ଷୀଏଁ ସୁପ୍ତ । ପୁଞ୍ଜା ପୁଞ୍ଜା ଖଦ୍ୟୋତକ ବୃକ୍ଷରାଜୀଙ୍କ ପଲ୍ଲବକୁ ଆଘ୍ରାଣ କରି ଚାଲିଛନ୍ତି । କେଉଁଠାରୁ ରାତ୍ରୀଚର ପେଚକଟି ତାହାର ଶୃତିକଟୁ (ପ୍ରଚଳିତ ଭାବଧାରା ହେତୁ) ସ୍ୱରଟି ରହି ରହି ନିକ୍ଷେପ କରୁଛି । ଚାରିବନ୍ଧୁଙ୍କୁ ପରିବେଶ ସମ୍ପୂର୍ଣ୍ଣ ଅନୁକୁଳ ମନେ ହେଲା ।
ଦୂରରେ ଜ୍ୱଳତ୍ମାନ ଦୁଇ ଆଞ୍ଜୁଳା ଇଶତ ନୀଳ ଆଲୋକ ଓ ପରେ ପରେ ଆଉ କେତେ ଆଞ୍ଜୁଳା ଦୃଷ୍ଟି ଆକର୍ଷଣ କଲା । ଏ ଆଲୋକ ସହ ପୂର୍ବ ପରିଚିତି ଅଛି ଅନେକ ଥର ଏହାର ପଶ୍ଚାତ୍ଧାବନ କରି ହତାଶ ହୋଇଛନ୍ତି ସେମାନେ ହୁକେ ହୋ ରଡିରେ । ବରଗଛ ଛାଡି ଆଗେଇଲେ କୁସୁମ ଡିହ ଉପରେ, କୁସୁମର ପ୍ରେତିନୀକୁ ସ୍ମରଣ କଲେ । ବିଶ୍ୱାସ ସେ ନିଶ୍ଚେ ସେମାନଙ୍କ ସାହସକୁ ସମ୍ମାନ ଦେବ । ଯକ୍ଷ ସମ୍ବନ୍ଧୀୟ ସବିଶେଷ ତଥ୍ୟ ତାହାକୁ ହିଁ ଜଣାଥିବ ।
ରାଜୁ ଓ ବିପିନି, ଅନ୍ୟ ଦୁଇ ସାଙ୍ଗଙ୍କୁ ବାଟ କଢାଇ ନେଲେ ପୂର୍ବ ବର୍ଣ୍ଣିତ ଅପହୃତ ଗୁପ୍ତଧନର ସ୍ୱାକ୍ଷର କୁମ୍ଭାକୃତି ଖାଲୁଆ ସ୍ଥାନକୁ ।
କ୍ରମଶଃ, ତମସା ସହ ଚକ୍ଷୁ ବନ୍ଧୁତା ସ୍ଥାପନ କଲା । ଦୃଷ୍ଟି ସ୍ପଷ୍ଟରୁ ସ୍ପଷ୍ଟତର ହେଲା । ବିଚିତ୍ର ବ୍ୟବସ୍ଥା ଏକ ହିଁ କଲ୍ୱଳ ମଧ୍ୟେ ନୀଳ କୁମୁଦୁନୀ ଓ ରକ୍ତବର୍ଣ୍ଣା ପୁଷ୍କର ସମୁହ ଦିଶୁଛନ୍ତି ଘନ କଳା କିନ୍ତୁ ବେଶ୍ ପୁଲକିତ । ଏ ସାହସୀକ ପଦକ୍ଷେପର ସାକ୍ଷୀ ହେବାକୁ ଯେପରି ପୂର୍ବରୁ ପ୍ରସ୍ତୁତ ଓ ପ୍ରତିଶ୍ରୁତ ।
ଖନନ କାର୍ଯ୍ୟ ଆରମ୍ଭ ହେଲା ପୂର୍ବୋକ୍ତ ସ୍ଥାନରେ । ଚାରୋଟି କୃଷି ଯନ୍ତ୍ର ଏ ନବୀନ ଶ୍ରମିକ ମାନଙ୍କ ହସ୍ତରେ ମୁହୁର୍ମୁହୁ ସଂଘର୍ଷ ଜାରି ରଖିଲେ । ଅଦୃଶ୍ୟ ଦିଗ୍ବଳୟରେ ଏ ଧ୍ୱନି ପ୍ରତିଧ୍ୱନୀତ ହେଲେ ବି ମାହାଦେବ ମନ୍ଦିର ପାଖକୁ ଏହାର ଆଭାସ ନପହଞ୍ଚିବା ନିଶ୍ଚିତ ଥିଲା । ପ୍ରଖର ହେଲା ହସ୍ତ ଚାଳନା ବହୁ ଝୁଡି ମୃତ୍ତିକା ସ୍ଥାନାନ୍ତର ହେଲାପରେ ଯେଉଁ ଗର୍ତ୍ତ ସୃଷ୍ଟି ହେଲା ତନ୍ମଧ୍ୟରେ ସେମାନେ ହେଲେ ସମ୍ପୂର୍ଣ୍ଣ ଅଦୃଶ୍ୟ ।
ହଠାତ୍ କୋଦାଳ ଆଘାତ ଜନିତ ଶବ୍ଦରେ ବ୍ୟତିକ୍ରମ ଜଣାଗଲା, ଯେମିତି କୌଣସି କୋଠରୀର କାନ୍ଥ ଉପରେ ଆଘାତ ଦେଉଛନ୍ତି । ଉତ୍ସାହିତ ହେଲେ, ଶ୍ରମ ଯନ୍ତ୍ରଣାକୁ ଭୃକ୍ଷେପ ନକରି ଅଧିକ ବେଗରେ କାର୍ଯ୍ୟଟିକୁ ଆଗେଇ ନେଲେ ସେମାନେ । ପୁଣି ନୂତନ ଶବ୍ଦ । ଆହା! କୌଣସି ପଶୁ ଶାବକର ବିକଳ କ୍ରନ୍ଦନ । ସଯତ୍ନେ ଉଦ୍ଧାର କଲେ ଚାରୋଟି ଶୃଗାଳ ଶାବକ । ତାହେଲେ ଏକ ନିରୀହ ଜନ୍ତୁର ଘର ଉଜାଡି ଦେଲେ! ଶୃଗାଳ ମାତା ସମ୍ଭବତଃ ଖାଦ୍ୟ ଅନ୍ୱେଷଣରେ ଯାଇଛି ତା ସମାଜର ଅନ୍ୟ ବୟସ୍କ ସଭ୍ୟମାନଙ୍କ ସହ । ଫେରିଆସି ସେମାନେ କଣ ଦେଖିବେ ନଦେଖିବେ ସେ ଚିନ୍ତା ସେମାନଙ୍କୁ ସ୍ପର୍ଷ କରୁନଥିଲା । କିନ୍ତୁ ପରିସ୍ଥିତି ଯେପରି ସେମାନଙ୍କୁ କାର୍ଯ୍ୟ ବନ୍ଦ କାରିବାକୁ ନିର୍ଦ୍ଦେଶ ଦେଲା ।
ଯଦି ଶୃଗାଳ ପରିବର୍ତ୍ତେ ସର୍ପଗୃହରେ ପାଦ ଥୋଇଥାନ୍ତେ! ଏହା ବୀର ବାଳକର ଅଚିନ୍ତ୍ୟ । ସେ ସମୟର ପ୍ରତିଟି କ୍ଷଣ ମୂଲ୍ୟବାନ । ଯଥାସମ୍ଭବ, ମୃର୍ତ୍ତିକା ସ୍ୱସ୍ଥାନେ ପୁନଃସ୍ଥାପନା କରି ଚାରୋଟି ଅମୂଲ୍ୟ ସମ୍ପତ୍ତି ଝୁଡି ମଧ୍ୟରେ ଧରି ଉଆସ ଗଡିଆ ତ୍ୟାଗ କଲେ ରାଜୁ, ବିପିନି, ବାବୁଲା, ସୁଭାଷ ।
ରାଜୁର ବିଛା କାଣ୍ଡି ମଉସାଙ୍କ ପାଣିବୁହା ଉପାଖ୍ୟାନ ମନେପଡି ସନ୍ଦେହ ହେଲା ଅନ୍ୟମାନେ ତା’ର ପ୍ରକୃତ ସାଥୀ’ତ! ସେ ନିଜେ ରାଜୁ କି ନୁହେଁ । କଣେଇ ଚାହିଁ ଆଶ୍ୱସ୍ତ ହେଲା ହଁ ସମସ୍ତେ ତା’ର ଅନ୍ତରଙ୍ଗ ହସ୍ତପଦ ଧାରୀ ମନୁଷ୍ୟ ପୁତ୍ର ।
ଗ୍ରାମ ନିକଟତର ହେଉଥିଲା ପଶ୍ଚାତରୁ ଶୁଭୁଥିଲା ଶୃଗାଳ ମାନଙ୍କ କୋହଭରା ସକରୁଣ ହୁକେ ହୋ, ହୁକେ ହୁକେ ହୋ । ସଂଖ୍ୟାଧିକ ଅବ୍ୟକ୍ତ ନିବେଦନକୁ ଉପେକ୍ଷା କରି ଯେଉଁ ଶାବକ ମାନଙ୍କୁ ନେଇ ଆସିଲେ ସେମାନେ ହିଁ ହେଲେ ନୂତନ ସମସ୍ୟା ।
ଅଗତ୍ୟା ସାପୁଆ ସାହିର ଗଞ୍ଜେଇ ଭୀଡୁ ଶିକାରୀ ସିଂ କାକାଙ୍କୁ ରାତିରେ ନିଦରୁ ଉଠାଇ ହସ୍ତାନ୍ତର କଲେ ଏ ଭବ୍ୟ ଅତିଥି ମାନଙ୍କୁ । ପରେ ଶିକାରୀ କାକା ଶାବକ ଚାରିଙ୍କୁ ଦୂରାନ୍ତରେ ବିକ୍ରିକରି ଲବ୍ଧ ଅର୍ଥ ଆତ୍ମସାତ କରିଥିବା ହେତୁ ନୀରବ ରହିଲେ । ପିଲାଏ ନା ପାରିଲେ କହି ନା ପାରିଲେ ସହି । ଘଟଣାର ପରବର୍ତ୍ତୀ ଏକ ସପ୍ତାହ ଧରି ଶୃଗାଳ ମାତାର ଆକୁଳ କ୍ରନ୍ଦନ ସହ ଜନ୍ତୁ ସମାଜଟି ଯେଉଁ ଅଶ୍ରୁତପୂର୍ବ ଅଦ୍ଭୁତ ଧ୍ୱନି ଉତ୍ପର୍ଣ୍ଣ କଲେ ତା’ର କାରଣ, କିଏ କେତେ ପ୍ରକାର ବ୍ୟାଖ୍ୟା କଲେ ।
ଖଡିରତ୍ନ ପଣ୍ଡିତେ କହିଲେ, ଏହା ଗ୍ରାମ ପ୍ରତି ବିପଦ ସାଧାରଣ ଜନ କହିଲେ କୌଣସି ରାମ ଶିଆଳି କିସମର ଅଦେଖା ଜନ୍ତୁର ଆଗମନର ପ୍ରତିକ୍ରିୟା । ହିପି ବାଳିଆ ହେତୁବାଦୀ ଦୁହେଁ କହିଲେ ବୋଧହୁଏ ସେମାନେ କୌଣସି ବ୍ୟାଧିର ଶିକାର। ଗାଧୁଆ ତୁଠରେ ନାରୀ ମହଲ ଆଲୋଚନା କଲେ, ଏହା ଅଶରୀରି ମାନଙ୍କ ସମ୍ମିଳନୀ । ଇର୍ଷୁକ ମାନେ ମତାନ୍ତର କଲେ ଏହା ମଣିଦାସକୁ, ଯକ୍ଷରାଜର ସତର୍କ ଘଣ୍ଟି । ସେମାନଙ୍କ ମତକୁ ସମର୍ଥନ କଲା ଏକ ବୃଦ୍ଧ ପେଚକର ଧଡରା କୁହାଟ । ପେଚାଟି ଯେ ବୃଦ୍ଧ ଏ ମତ ଗ୍ରାମର ବୟୋଜ୍ୟେଷ୍ଠ ଶିକାରୀଙ୍କ ମତ ହୋଇଥିବାରୁ ହେତୁବାଦୀଏ ଯୁକ୍ତି କରି ନଥିଲେ । ତେବେ ଲମ୍ବୋଦର କଲେ, ଏ ସମସ୍ତ ସମ୍ଭାବନାର ଏକ ଚମତ୍କାର ଅନ୍ତ ଯେବେ ସେ ଘୋଷଣା କଲେ; ବୃହତ ପରିମାଣର ଗୁପ୍ତଧନ ଉଆସ ଗଡିଆରୁ କେହି ଭାଗ୍ୟବାନ ହସ୍ତାନ୍ତର କରିଛି । ପ୍ରମାଣ ବିଧ୍ୱସ୍ତ ମୃତ୍ତିକା ।
ପିଲାଏ ଦୌଡିଲେ କେବଳ ଚାରି ଜଣଙ୍କୁ ଛାଡି । ମୁରବିମାନେ ଅନୁସନ୍ଧାନ କଲେ, ମହାଜନ ସଭା ଡକାଇଲେ ପୂଜା କମିଟି ଦାବୀକଲେ ଉଆସ ଗଡିଆ ସେମାନଙ୍କ ଦାୟିତ୍ୱରେ ଦିଆଯାଉ । ଯୁବକ ସଂଘ ଆପତ୍ତି ଜଣାଇଲେ, ଜଗନ୍ନାଥବାଡିର ସନ୍ୟାସୀ ମହାରାଜ ଭୀଷ୍ମ ଦାସ ହିତୋପଦେଶ ଦେଲେ ଲୋଭ ପରମ ଶତ୍ରୁ । ଆଇନ ବାବଦରେ ଜ୍ଞାନ ଥିବା ସହରର ବଡ ଓକିଲଙ୍କ ସହକାରୀ ଆଇନ ଦିଗରେ ପରାମର୍ଶର୍ ଦେଲେ ଯେ ଏହା ପଞ୍ଚାୟତ ପୋଖରୀ ହୋଇଥିବାରୁ ଗାଁବାଲା ଖୋଳି ପାରିବେ । ମିସ୍ତ୍ରୀ ଏ ବିଶୁ ମହାରଣା ପ୍ରାୟ କଳନା ଏବଂ ଗଣନା କଲେ ଖନନର ବିସ୍ତୃତ ପ୍ରଣାଳୀ । ନିଷ୍ପତ୍ତି ହେଲା ପ୍ରାପ୍ତି ଅର୍ଥର ଅର୍ଦ୍ଧେକ ସମ୍ପୃକ୍ତ ବ୍ୟକ୍ତି ନେବେ ଓ ଅପର ଅର୍ଦ୍ଧେକ ନେବ ପୂଜା କମିଟି ।
ଯେଉଁମାନଙ୍କର ଲୋକ ଶକ୍ତି ନାହିଁ ଧିକ୍କାର କଲେ ଭାଗ୍ୟକୁ । ବିପୁଳ ଉତ୍ସାହ ସହକାରେ ପ୍ରାରମ୍ଭିକ ମନ୍ତ୍ରଧ୍ୱନି ମଧ୍ୟରେ ଗ୍ରାମର ଆବାଳ ବୃଦ୍ଧ ବନିତା କାର୍ଯ୍ୟରତ ହେଲେ ମିସ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ । ସମ୍ଭ୍ରାନ୍ତ ମୋହର ବଳୟିତ ସଙ୍କୁଚିତ ବ୍ୟକ୍ତି ସେ ବଳୟକୁ ଛିନ୍ନ କରି ବାହାରି ଆସିଲେ ହାତରେ କୋଡି କାଙ୍କ ଧରି ଶ୍ରମିକ ସାଜିଲେ । କିଏ କହିବ ମଣି ମାଣିକ୍ୟ ନବାହାରିବ ବୋଲି! ସତେ ଅବା ଆବିଷ୍କୃତ ହେବ ରାଜା ସୋଲେମାନଙ୍କ ହୀରାଖଣି ।
ସନ୍ନିକଟ ଗ୍ରାମ, ହଳଦୀ ଗଡିଆ, ସୁନ୍ଦରପୋଖରୀ, କୋରାଇ, ନିଗୋଧା, ବାଲିଆ, ସାଇଣ୍ଟୋ, ବୋଧିଆ, କୋଓଗାଆଁ, ପିମ୍ପଲ, ଖଇରା, ସହଗାଁ ଇତ୍ୟାଦିରୁ ଲୋକେ ଯେତିକି ଆଗ୍ରହ ଓ ଆବେଗ ନେଇ ଆସିଥିଲେ, ତତୋଧିକ ନିରାଶ କରି ଫେରାଇ ଦିଆଗଲା ସେମାନଙ୍କୁ । କ୍ଷୁବ୍ଧ ହୋଇ ସେମାନେ ଦୌଡିଲେ ନାନାଦି ସରକାରୀ କାର୍ଯ୍ୟାଳୟକୁ ଅଭିଯୋଗ ଧରି । ପ୍ରାରମ୍ଭିକ ପର୍ଯ୍ୟାୟରେ ଅନୁସନ୍ଧାନ ପାଇଁ ଆସୁଥିବା ତଳିଆ କର୍ମଚାରୀଙ୍କୁ ପୂଜାକମିଟି ହାତଗୁଞ୍ଜା ଦେଇ ସନ୍ତୁଷ୍ଟ କଲା । ସବୁ ପଡୋଶୀ ଗ୍ରାମରେ ଅସନ୍ତୋଷର ତୀବ୍ରତା ବଢିବାକୁ ଲାଗିଲା ।
ଚାରି ମିତ୍ର ଓ ଶିକାରୀ ସିଂ ଛଳନା ପୂର୍ବକ କାର୍ଯ୍ୟରତ ରହୁଥିଲେ । ଚୋର ମନ ସନ୍ଦେହୀ ।
ପରସ୍ତ ପରସ୍ତ ଖୋଳାହୋଇ ଉଆସ ଗଡିଆର ଆକାର ସ୍ଫିତ ହେଉଥାଏ । ମଟର ଲଗାଇ ପାଣି ଶୁଖାଗଲା । ଚାଷୀମାନେ, କାହିଁ କେତେକାଳର ପଙ୍କ ଜମିରେ ଲଗାଇବାର ପ୍ରତିଯୋଗିତା କଲେ ।
କେହି କହିଲା, କବର ଗୁଡାକ ତାଡ ହୋଇପାରେ ତାହା ରତ୍ନର ଅସଲ ଭଣ୍ଡାର । କାଳ ବିଳମ୍ବ ହେଲାନି ଦଳର ବଳ ଭୟ ପଳାୟନ କଲା । ପ୍ରାପ୍ତ ଅସ୍ଥିକଙ୍କାଳ ଭିନ୍ନ ଏକ ବୃହତ ଗର୍ତ୍ତ ଖନନ କରି ପୋତି ଦିଆଗଲା । ନିର୍ଝରିଣୀ ଅପାଙ୍କ କଙ୍କାଳ ଚିହ୍ନା ପଡିଲା ହଳେ ପାଉଜ ଓ ଏକ ହଳ ସୁନା ଚୁଡିରୁ । ଅସ୍ୱଭାବିକ ଭାବେ ମୃତ୍ୟୁପ୍ରାପ୍ତ ଅପାଙ୍କ ଏକଦା ଧନୀକ ପିତା ଚିନ୍ତାମଣି ବରାଳ, ଝିଅର ଏ ଗହଣା ଇଛାକୃତ ଭାବେ ଖୋଲି ନଥିଲେ । ଆଜି ସେ ଦରିଦ୍ର । କିନ୍ତୁ ସମ୍ମୁହର ସାମ୍ନାକରି ଖୋଳିବାକୁ ବିରୋଧ କଲେ ନାହିଁ । ଚାହିଁଲେନି ଦାବୀ କରିବାକୁ ତାଙ୍କର ନିଜସ୍ୱ ଧନକୁ । ଏ କବର ଖୋଳିବାରେ କଣ୍ଠଶିଳ୍ପୀ ପ୍ରିୟ ଭାଇ ବହୁତ ଯତ୍ନ କରିଥିଲେ ମଧ୍ୟ ସେ ବି ଅଧେ ନେବାକୁ ଦାବୀ କରି ନଥିଲେ ହୁଏତ ଶଙ୍କୋଚ ଲାଗିଲା ।
ଏ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପୁଳାଏ ଶୃଗାଳ ଗୃହ ଅବଶ୍ୟ ଭାଙ୍ଗିଥିବ କିନ୍ତୁ ଜନ୍ତୁ ମାନଙ୍କର ଦେଖା ନଥିଲା ସମ୍ଭବତଃ ସେ ସ୍ଥାନକୁ ସେମାନେ ସମୁହ ପରିତ୍ୟାଗ କରିଥିଲେ । ପୁଞ୍ଜାଏ ନାଗ ସାପ ଧରାହେଲେ ଶିକାରୀ କାକା ହସ୍ତରେ ।
କ୍ରମେ ଜନସାଧାରଣ ହେଲେ କ୍ଳାନ୍ତ । ପୁଷ୍କରଣୀ ଗଭୀର ହୋଇ ତହିଁରୁ ପାଣି ଝରୁଥିଲା । କାର୍ଯ୍ୟ କଷ୍ଟସାଧ୍ୟ ହୋଇ ପଡୁଥିଲା । କେହି କହିଲା ଯକ୍ଷ ଧନ ରତ୍ନ ନେଇ ଉଭାନ ହୋଇଯାଇଛି ।
ନିଜକୁ ହେତୁବାଦୀ ବୋଲାଉଥିବା ସେହି ଦୁଇଜଣ ଟାହୁଲେଇଲେ, କ’ଣ ହେଲା, ଅଙ୍ଗୁର୍ ଖଟା ଲାଗିଲା କି?
ଅବଶ୍ୟ ପୋଖରୀର ଏ ନବ କଳେବର ଉଆସ ଗଡିଆ ନାମକୁ ସାର୍ଥକ କଲା ।
କ୍ରମେ ନିରୁତ୍ସାହିତ ଲୋକେ, ନିଜ ନିଜର ବ୍ୟକ୍ତିଗତ କାମଧନ୍ଦାକୁ ଲେଉଟିବାକୁ ଆରମ୍ଭ କଲେ । ଯାହା ବି କାର୍ଯ୍ୟ ଚାଲିଥାନ୍ତା ମଣିଦାସଙ୍କ ପୁଅ ଭରତ ଏକ ବଡ ଚୋରି କେଶରେ ଗିରଫ ହେଲା ଓ ସେମାନଙ୍କର ଆର୍ଥିକ ସ୍ୱଛଳତାର ରହସ୍ୟ ଉନ୍ମୋଚିତ ହେଲା ।
ସମାନ ସମୟରେ ସମ୍ବାଦପତ୍ର ମାନଙ୍କର ପୃଷ୍ଠା ମଣ୍ଡନ କଲା ଗ୍ରାମ ପ୍ରତି ଅନେକ ଅଭିଯୋଗ । “ତୁଳତୀ ଗ୍ରାମରେ ରତ୍ନ ଆବଷ୍କୃତ, ଚୋରା ବେପାରୀ ସକ୍ରିୟ ଓ ବିଭାଗୀୟ କର୍ତ୍ତୃପକ୍ଷ ନୀରବ ଦ୍ରଷ୍ଟା” ।
ବିଧାନ ସଭାରେ ପ୍ରଶ୍ନ ବି ହେଲା । କୌଣସି ନିରୁଦିଷ୍ଟ ବାଳକକୁ ଖନନ ସ୍ଥାନରେ ବଳି ଦିଆ ଯାଇଥିବାର କପୋଳକଳ୍ପିତ ପ୍ରଚାର ଘଟଣାଟିକୁ ଅଧିକ ଜଟିଳ କଲା ।
ଅନୁସନ୍ଧାନକାରୀ ସଦଳେ ଆସିଲେ । କେଜାଣି କେଉଁଠୁ କି ପ୍ରମାଣ ପାଇଲେ ଆଠ ଜଣଙ୍କୁ ଗିରଫ କରି ଚାଲାଣ କରିଦେଲେ । ଅବଶ୍ୟ ଗ୍ରାମବାସୀ ଚାନ୍ଦା ଭେଦା କରି କେଶ ଲଢିଲେ । ସୁବିଚାରରେ ଜାମିନି ମିଳିଗଲା ସହଳ ।
ପରେ ଗ୍ରାମର ମୂଖ୍ୟବ୍ୟକ୍ତି ଶ୍ରୀ ବୈଷ୍ଣବ ଚରଣ ସାହୁ କର୍ତ୍ତୃପକ୍ଷଙ୍କୁ ଜଳସେଚନ ଉପଯୋଗୀ ମଟର ବସାଇବା ପାଇଁ ଅନୁରୋଧ କରି ସଫଳ ହେଲେ । ମରୁଡିର ସ୍ଥାୟୀ ପ୍ରତିକାର ହେଲା ।
ପୋଖରୀଟିରେ ଗ୍ରାମ କମିଟି ମତ୍ସ୍ୟ ଚାଷ କରି ପ୍ରଚୁର ଲାଭବାନ ହେଲେ । ମନ୍ଦିର ମାଳିନୀ ଗ୍ରାମଟିର ବିଭିନ୍ନ ଅନୁଷ୍ଠାନ ମାନଙ୍କର ପୁନଃ ନିର୍ମାଣ କରାଗଲା । ଫସଲ ପରେ ଫସଲ ହେଲା । ଗାଁ ଲୋକେ ବର୍ଷସାରା କାମ ପାଇଲେ ।
“ ଏହି ତ ଗୁପ୍ତଧନ ” ନାମକ କ୍ଷୂଦ୍ର କାବ୍ୟଟିଏ, ଅବସରପ୍ରାପ୍ତ ସ୍ୱନାମଧନ୍ୟ ଶିକ୍ଷକ, କବି ଶ୍ରୀ ବିନୋଦ ବିହାରୀ ମହାନ୍ତି ପ୍ରକାଶ କଲେ ।
ପରିଶେଷରେ ଅନୁଶୋଚନାରେ କାଳ କାଟୁଥିବା ସାହସୀ ବାଳକ ଚାରି ସତ୍ୟପ୍ରକାଶ କରି ସାବାସୀ ପାଇଲେ । ଶିକାରୀ ସିଂ ମଧ୍ୟ ଖୁସି ମନରେ ପିଲା ମାନଙ୍କୁ ଏକ ଭୋଜି ଦେବ କହିବାରୁ କିଛି ଉଦ୍ୟମୀ ଯୁବକ ସାରା ଗାଆଁ ପାଇଁ ଭୋଜିର ଆୟୋଜନ କଲେ ।
ସେଦିନ ଥିଲା ଅଗିରା ପୂର୍ଣ୍ଣିମା୧୯୮୦ ।
ଚନ୍ଦ୍ରଚକିତ ଜୋସ୍ନାଲୋକର ଆକାଶ ତଳେ ଅଗିରା ଜ୍ୱଳନରେ ଉଦ୍ଭାସିତ ପୃଥିବୀ ଓ ଗ୍ରାମବାସୀଙ୍କର ଆନନ୍ଦ ମନର ସମାହାର ସେଦିନର ସେ ଉତ୍ସବକୁ କରିଥିଲା ଅଭୂତପୂର୍ବ ଓ ବୋଧହୁଏ ଏହା ଅପୁନରାବୃତ୍ତି ସମ୍ଭବ!
