STORYMIRROR

Bimala Sankar Dash

Children Stories Inspirational Children

4  

Bimala Sankar Dash

Children Stories Inspirational Children

ଗୋପନ ବ୍ଯଥା

ଗୋପନ ବ୍ଯଥା

3 mins
757


ବଡଘର ପୁଅ ବଣ୍ଟି , ଘରେ ଭାରୀ ଗେହ୍ଲା । ହାଇସ୍କୁଲରେ ପଢେ । ତା ବାବା ବୋଉ ତାକୁ କୌଣସି ଜିନିଷରେ ଅଭାବ ରଖି ନାହାନ୍ତି । ଘରେ ତା ପାଇଁ ଅନେକ ସ୍ବତନ୍ତ୍ର କୋଠରୀ । ତା'ର ପଢା ରୁମ୍ , ଶୋଇବା ରୁମ୍ , କମ୍ପ୍ଯୁଟର୍ ରୁମ୍ , କ୍ରାଫ୍ଟ୍ ରୁମ୍ ସବୁ ସ୍ବତନ୍ତ୍ର ଓ ସୁସଜ୍ଜିତ । ଶୀତତାପ ନିୟନ୍ତ୍ରିତ ଏଇ କୋଠରୀ ଗୁଡିକରେ ହିଁ କିଛି ମାସ ହେଲା ବଣ୍ଟିକୁ ସମୟ କାଟିବାକୁ ପଡୁଛି । ବସ୍ତି ପିଲାମାନଙ୍କ ଭଳି ପଡିଆରେ ମନଭରି କ୍ରିକେଟ୍ ଖେଳିବାର ସୁଯୋଗ ଟିକକ ତା'ର ନାହିଁ । ବସ୍ତିରେ ରହୁଥିବା ତା ପ୍ରିୟ ସାଙ୍ଗ ବାବୁଲା ସହ ଦୂରେଇ ରଖିବା ପାଇଁ , କରୋନା ସଂକ୍ରମଣର ଆଳ ଦେଖାଇ ବଣ୍ଟିକୁ ଘରୁ ବାହାରକୁ ଯିବାକୁ ବାବା ବୋଉଙ୍କ କଡା ତାଗିଦ୍ । ଏଥିପାଇଁ ସବୁ ସୁଖ ସୁବିଧାର ପ୍ରାଚୁର୍ଯ୍ଯ ଥାଇ ବି ବଣ୍ଟିର ମନ ସବୁବେଳେ ଦୁଃଖ । ବେଳେବେଳେ ବଣ୍ଟିର ମନେ ହୁଏ ସେ କ୍ଷୀର ସର ଲହୁଣୀଖିଆ ସୁନା ପଂଜୁରୀରେ ଆବଦ୍ଧ ପକ୍ଷୀଟିଏ । 


କେବେ କେବେ ସୁଯୋଗ ଉଣ୍ଡି ବଣ୍ଟି ପଞ୍ଜୁରୀରୁ ମୁକୁଳି ଉଡିଯାଏ ବସ୍ତି ଅଭିମୁଖେ । ପହଞ୍ଚିଯାଏ ତା' ପ୍ରିୟ ସାଙ୍ଗ ବାବୁଲା ପାଖରେ । ଘରୁ ଲୁଚାଇ ଆଣିଥିବା ଦାମିକିଆ ଚକଲେଟ୍ ଓ ବିସ୍କୁଟ୍ ବାବୁଲାକୁ ଖାଇବାକୁ ଦିଏ । ବାବୁଲା ସହ କିଛି ସମୟ ମନଭରି ଖେଳିବା ପରେ ଛପି ଛପି ଘରକୁ ଫେରିଆସେ । ଏମିତି ଥରେ ନୁହଁ ଅନେକଥର ବାପାବୋଉଙ୍କ ଦୃଷ୍ଟି ଅଗୋଚରରେ ସେ ବାବୁଲା ପାଖକୁ ଯାଏ । ମେଞ୍ଚାଏ ଆତ୍ମତୃପ୍ତି ଓ ଆନନ୍ଦ ସାଥୀରେ ନେଇ ଫେରିଆସେ । 


      ଏମିତି ଲୁଚିଛପି ବାବୁଲାଘରକୁ ଯାଉଥିବା ଖବର ବଣ୍ଟିର ବାବା ବୋଉ ଜାଣିଗଲେ କି କ'ଣ , ଦିନେ ବାବୁଲା ନେହୁରା ହୋଇ ବଣ୍ଟିକୁ କହିଲା- 

          ତମେ ବଡଘର ପିଲା । ଏଇ ମଳିମୁଣ୍ଡିଆ ବସ୍ତିକୁ ଆଉ ଜମା ଆସିବନି କି ମୋ ସହ ସାଙ୍ଗ ହେବନି । ଆମଘରକୁ ଆସିଲେ ତମ ବାବା ପୁଣିଥରେ ଏଇଠିକି ଆସି ଗାଳିଦେବେ । ମୋତେ ଗାଳିଦେଲେ କିଛି କଥା ନାହିଁ, ହସି ହସି ସେ ସବୁ ସହିଯିବି । ହେଲେ ଏଇ ବନ୍ଧୁତା ପାଇଁ ବାପା ମାଆ ଗାଳି ଶୁଣିବେ ଏ କଥା କଦାପି ସହି ପାରିବିନି । ଏଣିକି ଆଉ କେବେ ତୁ ଆମ ଘରକୁ ଆସିବୁନି କି ମୋ ସହ ସାଙ୍ଗ ହେବାକୁ ଚେଷ୍ଟା କରିବୁନି । 


       ସେଦିନ ବଣ୍ଟି ମୁହଁ ଶୁଖାଇ ଘରକୁ ଫେରି ଆସି ଦେଖିଲା ବାବା ରକ୍ତ ଚାଉଳ ଚୋବାଇ ତା ଉଦ୍ଦେଶ୍ୟରେ କହୁଛନ୍ତି- ସେ ଲଫାଙ୍ଗା ଅସଭ୍ଯ ବସ୍ତି ଟୋକାସହ ଏତେ ମିଳାମିଶା କରିବା କଣ ଦରକାର । ଦେଖୁଛି ତୋର ଅନେକ ପ୍ଯାଣ୍ଟସାର୍ଟ ସେ ଟୋକାଟା ପିନ୍ଧିଛି । ଏପରିକି ତୋ ହାତଘଣ୍ଟା, ଖେଳନା, ପୁରୁଣା ମୋବାଇଲ୍ ସବୁ ତା'ରି ପାଖରେ । ସେ ଟୋକାଟା ପଛରେ ତୋର ଏ କି ମାୟା ! ଏତେ ବଡ ବଡ ଘର ପିଲା ତୋ ସାଙ୍ଗରେ ପଢୁଛନ୍ତି , ତଥାପି ସାଙ୍ଗ ହେବାକୁ କେହି ମିଳିଲେନି ଯେ ତୋତେ ଶେଷରେ ସେଇ ଅସଭ୍ଯ ବସ୍ତିର କଣା ଟୋକାଟା ମିଳିଲା । 


ବଣ୍ଟି କିଛି ସମୟ ନୀରବି ଯାଇ ଆସ୍ତେ ଗଳାରେ କହିଲା - ପିନ୍ଧିବାକୁ ତା' ପାଖରେ ଭଲ ପୋଷାକ ନ ଥିଲା, ସ୍କୁଲ୍ ଅନଲାଇନ୍ କ୍ଲାସ ପାଇଁ ତା ପାଖରେ ଆଣ୍ଡ୍ରୋଇଡ୍ ମୋବାଇଲ୍ ନ ଥିଲା । ମୋ ପାଖରେ ତ ଏସବୁ ଜିନିଷ ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ରହିଛି । କିଛି ତାକୁ ଦେଇ ଆସିଛି । ଆପଣତ କହୁଥିଲେ ସାମର୍ଥ୍ୟ ଅନୁସାରେ ଅନ୍ଯକୁ ସାହାଯ୍ୟ କରିବା ଉଚିତ୍ । ଏହାଛଡା ମୁଁ ବାବୁଲାର ଯେଉଁ କ୍ଷତି କରିଛି ତା'କୁ ଯେତେ ସାହାଯ୍ୟ କଲେ ବି ଖୁବ୍ କମ୍ । ମୋତେ ପଛକେ ଯାହା ଗାଳିଦେବେ ଦିଅନ୍ତୁ, କିନ୍ତୁ ସେଇ ନିରୀହ ପିଲାଟିକୁ କେବେ ବି କଣା କହିବେନି । ଯଦି ସେ କଣା ହୁଏ , ତା'ହେଲେ ମୁଁ ମଧ୍ୟ ଆଖି ଥାଉ ଥାଉ ଅନ୍ଧ । 

ବଣ୍ଟିର ଏପରି କଥା ଶୁଣି ବାବା ବୋଉ ହତବାକ୍ ହୋଇପଡୁ ଥାଆନ୍ତି । ବଣ୍ଟି ବାବା ବୋଉଙ୍କ ଶଙ୍କା ଦୂରକରିବା ପାଇଁ ଅନେକଦିନରୁ ତା ଛାତିତଳେ ଲୁଚାଇ ରଖିଥିବା ଗୋପନ ବ୍ଯଥା ବିଷୟରେ ଜଣାଇବାକୁ ବାଧ୍ୟ ହେଲା - କିଛି ବର୍ଷ ତଳେ ବାବୁଲା ଆମ ଘର ଦାଣ୍ଡରେ ଯାଉଥିବା ବେଳେ ହଠାତ୍ ତା' ଡାହାଣ ଆଖିରେ ଟେକାଟିଏ ଜୋର୍ ରେ ବାଜିଯିବାରୁ ସେ ଗୋଟିଏ ଆଖି ହରାଇ ବସିଲା । କେହି ଜାଣି ନ ପାରିଥିଲେ ବି ମୁଁ ଠିକ୍ ଜାଣିଛି ସେ ପଥରଟି ଉଦ୍ଦେଶ୍ଯହୀନ ଭାବେ ମୋ ହାତରୁ ହିଁ ଛୁଟିଥିଲା । ସେଦିନଠୁ ଏ ଘଟଣା ପାଇଁ ନିଜକୁ ଦୋଷୀ ଭାବି ଗୋପନ ବ୍ଯଥାରେ ଛଟପଟ ହେଉଛି । ତା' ସୁବିଧା ଅସୁବିଧାରେ ଟିକିଏ ସାହାଯ୍ୟ କରିଦେଲେ କି ତା' ଓଠରେ ଧାରେ ହସ ଦେଖିଦେଲେ ସେଇ ଗୋପନ ବ୍ଯଥାରୁ ଟିକିଏ ଶାନ୍ତି ମିଳି ପାରୁଛି ।  

     ବଣ୍ଟିର କଥା ସରିଲା ବେଳକୁ ତା ବାବା ବୋଉଙ୍କ କଠିନ ହୃଦୟଟି ବି କ୍ରମଶଃ ତରଳି ଯାଉଥାଏ । 



Rate this content
Log in