STORYMIRROR

Minakshi Samal

Others

3  

Minakshi Samal

Others

ଗଣପତି ବାବା ମୋରୟା

ଗଣପତି ବାବା ମୋରୟା

6 mins
66


ବଂଶୀ ମନ ଆଜି ଭାରି ଖୁସି । ନିଜର ଜିନିଷପତ୍ର ସଜାଡିବାରେ ଲାଗିପଡିଛି ମନ ଦେଇ । ଜିନିଷପତ୍ର କହିଲେ ନିଜର ନିତ୍ୟ ବ୍ୟବହାର୍ଯ୍ୟ ପୋଷାକ, ଚୁଡା କିଛି, ପୋଷେ ଚିନି, ମୁଢି ଡବାଏ ଓ ଚେପଟା ଗୋଟେ ଦୁଇଲିଟିରିଆ କୋକାକୋଲା ବୋତଲରେ ବାରି କୂଅ ପାଣି । ସବୁ ସଜାଡି ରଖିବା ପରେ ଦୌଡିଗଲା କାନ୍ଥ ଠଣାରେ ରଖିଥିବା ଗଣପତିଙ୍କ ମୂର୍ତ୍ତି ଆଣିବାକୁ । ଗୋଟା ଗୁଆରେ ବନା ହୋଇଥିବା ଗଣପତିଙ୍କ ମୂର୍ତ୍ତିଟିକୁ ସେ ସିଦ୍ଧିବିନାୟକ ମନ୍ଦିରରୁ ଆଣିଥିଲା କିଣିକି । ଦୁଇ ବର୍ଷ ଆଗରୁ ଗାଁର ଜଣେ ଠେକାଦାର ସାଙ୍ଗରେ ସେ ମୁମ୍ବାଇ ଚାଲିଆସିଥିଲା । ଘରେ ମାଆକୁ କହିଆସିଥିଲା ବ୍ୟସ୍ତ ନହେବା ପାଇଁ । ବାର ବର୍ଷର ପିଲାଟିକୁ ପ୍ରଥମ କରି ଗାଁ ବାହାରକୁ ପଠାଇଲା ବେଳେ ମାଆର ମନ ମାନୁନଥିଲେ ମଧ୍ୟ ନିରୁପାୟ ଥିଲା ମାଆ । ଲୁଚାଇ ଲୁଚାଇ ଲୁହ ପୋଛୁଥିଲା ସେ । 


ମୁମ୍ବାଇର ମୀରା ରୋଡ ଅଞ୍ଚଳରେ ଥିବା ସମୁଦ୍ର କୂଳରେ ଅବସ୍ଥିତ କ୍ୟାଫେ ସିରିନ୍ । ସେଇଠି ଠେକାଦାର ଆଣି କାମରେ ଲଗାଇଦେଇଥିଲା ବଂଶୀକୁ । ଗାଁ ଗହଳିରୁ ଆସିଥିବା ମଫସଲି କିଶୋରଟି ମହାନଗରର ଚାକଚକ୍ୟ ଦେଖି ଆଚମ୍ବିତ ହୋଇଯାଇଥିଲା । କେତେ ବଡ ବଡ ବାବୁ ବାବୁଆଣୀ ବଡ ବଡ ଗାଡିରେ ଚଢି ଆସନ୍ତି । ସୁସଜ୍ଜିତ ଟେବୁଲରେ ବସି ଅର୍ଡର ଦିଅନ୍ତି । ସୁସ୍ୱାଦୁ ଖାଦ୍ୟ ଦ୍ରବ୍ୟ ଆଣି ପରଷି ଦିଅନ୍ତି କିଛି କିଛି ଯୁବକ ଯେଉଁମାନେ ବଂଶୀ ପରି ଆଉ କେତେଜଣଙ୍କ ଠାରୁ ଖୁବ ଭଲ ଦେଖାଯାଉଥିବା ଏକା ଭଳିଆ ପୋଷାକ ପିନ୍ଧିଥାନ୍ତି । ସେମାନଙ୍କର ଖାଦ୍ୟପରଷିବାର ଢଙ୍ଗକୁ ଖୁବ ନିରିଖେଇ ଦେଖେ ବଂଶୀ । ଭାରି ମଜା ଲାଗେ ତାକୁ । ବଡ ପ୍ଲେଟର ଦୁଇପଟେ କେମିତି ଚାମଚ, କଣ୍ଟା ଚାମଚ, ଚଉତା ହୋଇ ରହିଥିବା ସାଟିନ୍ ରୁମାଲ ସବୁ ରଖାଯାଏ, ବିନା ଶବ୍ଦରେ ଭିନ୍ନ ଭିନ୍ନ ବ୍ୟଞ୍ଜନ ସବୁକୁ ସମାନ ଭାବରେ ପରିବାରର ସଦସ୍ୟ ଅଥବା ବନ୍ଧୁବର୍ଗ ଭିତରେ ଚାମଚର ସହାୟତାରେ ବାଣ୍ଟି ଦିଅନ୍ତି ତା ଠାରୁ ବୟସରେ ବଡ ଥିବା ସମାନ ପୋଷାକପିନ୍ଧା ଯୁବକମାନେ । ଏସବୁକୁ ମନ ଦେଇ ଦୂରରୁ ଦେଖେ ବଂଶୀ । ଦୂରରୁ ହିଁ ଦେଖେ କାରଣ ପାଖକୁ ଆସି ଦେଖିବା ତା ପାଇଁ ମନା । ସତେ ଯେମିତି ଲକ୍ଷ୍ମଣରେଖାଟିଏ ଟଣା ହେଇଛି ତା ପାଇଁ । ସେପଟକୁ ଗଲେ ମାଲିକ ନିଜ ଟେବୁଲରୁ ଗାରେଡେଇକି ଦେଖି ଇସାରାରେ ପଛପଟେ ଯାଇ କାମ କରିବାକୁ କହନ୍ତି । ବଂଶୀର କାମ ହେଲା ରୋଷେଇ କରୁ ଥିବା ଖାନସମାମାନଙ୍କୁ ସାହାଯ୍ୟ କରିବା ଓ ପ୍ଲେଟ ମାଜିବା । 

ଏଇ ପ୍ଲେଟ ମାଜିବାର ପ୍ରଣାଳୀ ମଧ୍ୟ ଏଠାରେ ତାକୁ ବଡ ଅଜବ ଲାଗେ । ଗାଁରେ ତ ତା ମାଆ ପାଉଁଶ ମୁଠାଏ ସଢେଇରେ ରଖିଥାଏ । ଓଦା ନଡିଆ କତାକୁ ପାଉଁଶରେ ବୁଡେଇ କୁଅମୂଳେ ବାସନ ମାଜେ ମାଆ । ଏଠି ସବା ଆଗେ ପ୍ଲେଟକୁ ଖାଲି ପାଣିରେ ଧୋଇ ଗୋଟେ ବଡ କୁଣ୍ଡ ଭଳି ଦିଶୁଥିବା ଜାଗାରେ ରଖେ ସେ । ତା ପରେ ଗାଢା ସାବୁନପାଣିରେ ପ୍ଲାଷ୍ଟିକର ଗୋଛାଏ ଛନ୍ଦାଛନ୍ଦି ଜାଲଭଳି କିଛି ଗୋଟାଏ ଜିନିଷରେ ସେ ପ୍ଲେଟଗୁଡିକୁ ଧୋଇବାକୁ ବସିଯାଏ । ଦୁଇଥର ଭଲ ପାଣିରେ ଧୋଇ ପୋଛି ସଜେଇକି ଥାକରେ ରଖିବାକୁ ହୁଏ ତାକୁ । ଭାରି ସାବଧାନ ହୋଇ ଏ କାମ କରିବାକୁ ପଡେ । ସେଦିନ ତାରି ବୟସର ଚିଣ୍ଟୁ ହାତରୁ ବଡ ପ୍ଲେଟଟି ଖସିପଡି ଭାଙ୍ଗିଗଲା ବୋଲି ମାଲିକ ତା ଦରମାରୁ ଦୁଇଶହ ଟଙ୍କା କାଟିଦେଇଥିଲେ । ଖୁବ ନେହୁରା ହୋଇ କହିଥିଲା ଟଙ୍କା ନକାଟିବା ପାଇଁ କିନ୍ତୁ ମାଲିକ ତ ଶୁଣିବାର ଲୋକନୁହେଁ । ସେଦିନ ଚିଣ୍ଟୁ କାନ୍ଦି କାନ୍ଦି ତା ଆଖି ଫୁଲେଇ ଦେଇଥିଲା କାରଣ ଦୁଇଶ' ଟଙ୍କା କମ ହେଲେ ଘରେ ତା ଉପରେ ନିର୍ଭର କରୁଥିବା ଚାରୋଟି ପେଟଙ୍କ ଦାନାପାଣି ଚାରି ପାଞ୍ଚଦିନ ପାଇଁ ବନ୍ଦ ହୋଇଯିବ । ଏ ଦୃଶ୍ୟ ଦେଖି ବଂଶୀ ମନେ ମନେ ପଣ କରିଥିଲା ଯାହାବି ହେଉ ସେ ଯତ୍ନକରି ଓ ସାବଧାନ ହୋଇ ପ୍ଲେଟ ମାଜିବ ସେ । 

ବର୍ଷକ ପରେ ଠେକାଦାର ସାଙ୍ଗରେ ଗାଁକୁ ଦଶଦିନ ପାଇଁ ଯାଇଥିଲା ବଂଶୀ ଯେତେବେଳେ ଖବର ପାଇଲା ମାଆଦେହ ତାର ଭାରି ଖରାପ । ମୁମ୍ବାଇରେ ଥିବା ସମୟରେ ଶୁଣିଥିଲା ଯେ ସିଦ୍ଧିବିନାୟକ ବହୁ ପ୍ରତ୍ୟକ୍ଷ ଠାକୁର । ଗୁହାରି ଶୁଣନ୍ତି ସେ । ସବୁ ମୁମ୍ବାଇବାସୀ ଗଣେଶ ପୂଜା ସମୟରେ ଘରେ ଘରେ ତାଙ୍କର ପ୍ରତିମା ଆଣି ପୂଜା କରିଥାନ୍ତି । ଭାରି ଜାକଜମକରେ ପାଳନ ହୁଏ ପୂଜା । ଦଶ ଦିନ ଧରି ମୁମ୍ବାଇବାସୀ ଗଣପତିଙ୍କ ପୂଜାର୍ଚ୍ଚନାରେ ମଜ୍ଜିଯାନ୍ତି । ସେ ଠିକାଦାରକୁ କହିକି ତା ସାଙ୍ଗରେ ସିଦ୍ଧିବିନାୟକଙ୍କ ଦର୍ଶନ କରି ସେଠାରୁ ମୂର୍ତ୍ତିଟିଏ କିଣିଥିଲା । ଛୋଟ ମୂର୍ତ୍ତିଟିକୁ ସେଇ ଦିନଠୁ ପ୍ରବଳ ଆସ୍ଥାର ସହିତ ପୂଜା କରି ଆସୁଥିଲା । 

ଗାଁ' କୁ ଯିବା ସମୟରେ ଗୋଟିଏ ଛୋଟ କପଡାରେ ଗୁଡେ଼ଇ ଗଣପତିଙ୍କୁ ବ୍ୟାଗ ଭିତରେ ରଖିଥିଲା । 

ଘରେ ପହଞ୍ଚିଲା ପରେ ସାନ ଭାଇ ଭଉଣୀ ଦୁଇଜଣ ଖୁସିରେ କୁଣ୍ଢେଇ ପକେଇଥିଲେ ତାକୁ । ମାଆ ଖଟରେ ଶୋଇ ରହିଥିଲା । ଦଉଡିଯାଇ ମାଆର ମଥା ସାଉଁଳେଇ ଦେଲା ବଂଶୀ । ବ୍ୟାଗ ଭିତରୁ ଗଣପତିଙ୍କୁ ବାହାର କରି ମାଆ ମୁଣ୍ଡରେ ଛୁଆଁଇ ଦେଲା ସେ । ପଡିଶାଘର ଖୁଡି ଆସି କହିଗଲେ ମାଆର କ'ଣ ଅସୁବିଧା ହୋଇଥିଲା । ଗାଁ' ବଇଦଙ୍କୁ ଦେଖା କରିବାକୁ ଦୌଡିଲା ବଂଶୀ । ଜୁହାର ହୋଇ ମାଆର ଅସୁବିଧା ବିଷୟରେ ବୁଝି ଔଷଧ ନେଇ ଫେରିଲା ସେ । ତା ବାପା ରୋଗରେ ଚାଲିଯିବା ପରେ ଗାଁ ଲୋକଙ୍କ ଘରେ ଛୋଟମୋଟ କାମକରି ମାଆ ତାଙ୍କ ତିନି ଭାଇଭଉଣୀଙ୍କ ମୁହଁରେ ଆଧାର ଦେଉଥିଲା । ବର୍ଷା ଲାଗିରହିଥିଲା । ବର୍ଷାପାଣିରେ ଓଦାହୋଇ ଏଘର ସେଘର କାମ କରି ମାଆ ଜ୍ୱରରେ ପଡିରହିଥିଲା କିଛିଦିନ ଧରି । ସାନଭାଇ ଓ ଭଉଣୀ ଏତେ ପାରିବାରନଥିଲେ । ପଡିଶାଘର ଖୁଡୀ ସବୁ କଥା ବୁଝିଦେଉଥିଲେ, ମାଆ ପାଇଁ ପଥି ରାନ୍ଧି ଦେଉଥିଲେ । ଦାଦା ଠିକାଦାରକୁ ଫୋ

ନ କରି ମାଆର ଦେହ କଥା ଜଣାଇଥିଲେ । ସେଇଥିପାଇଁ ସେ ମାଲିକ ଗୋଡତଳେ ପଡି ଛୁଟି ମାଗି ଠିକାଦାର ସାଙ୍ଗରେ ଆସିଥିଲା ଗାଁ କୁ । 

ମାଆକୁ ଉଠାଇ ଯତ୍ନରେ ସାଙ୍ଗରେ ଆଣିଥିବା ପାଉଁରୁଟିକୁ ଖୁଆଇ ଦେଲା । ବଇଦଙ୍କ ଠାରୁ ଆଣିଥିବା ଔଷଧ ପାନେ ଖୁଆଇ ପାଣି ପିଆଇ ଦେଲାବେଳେ ମାଆ ର ଆଖିକୋଣରେ ଚକଚକ୍ କରୁଥିବା ଲୁହବିନ୍ଦୁକୁ ଝରିବାକୁ ନଦେଇ ନିଜ ହାତରେ ପୋଛିଦେଲା ସେ । ମାଆ ମନର ଦୁଃଖକୁ ତଉଲି ପାରୁଥିଲା କିଶୋର ବଂଶୀ । ମାଆ ଆଶୀଷରେ ପୋତି ପକାଉଥିଲା ପୁଅକୁ । 

ମିଳିମିଶି ଭାଉଭଉଣୀ ବସିଗଲେ ଖାଇବାକୁ । ଆଣିଥିବା ପାଉଁରୁଟି ଓ ବୁନ୍ଦିଆ ଲଡ୍ଡୁକୁ ଏପର୍ଯ୍ୟନ୍ତ ଛୋଟ ଭାଇଭଉଣୀ ଦୁହେଁ ଛୁଇଁନଥିଲେ । ସନ୍ଧ୍ୟା ସରିକି ମାଆ ଶୋଇବା ଜାଗାରୁ ଉଠି ରୋଷେଇ କରିବାକୁ ଚୁଲି ଲଗାଉଥାଏ । ମାଆର ହାତଧରି ବାରଣ କରିବାରୁ ମାଆ କହିଲା....ମତେ ଟିକେ ଭଲ ଲାଗୁଛି ବାପ । ସକାଳୁ ଆସିଲୁଣି ଯେ ତତେ ମୁଠେ ଖାଇବାକୁ ଦେଇପାରିନି । ଗଣ୍ଡେ କ'ଣ ଫୁଟେଇ ଦିଏକି ମିଶିକି ସମସ୍ତେ ଖାଇବା । ବଂଶୀ ଚୁପକରି ଚାଲିଗଲା ତା'ର ଗଣପତିଙ୍କ ପାଖକୁ, କୃତଜ୍ଞତାରେ ମୁଣ୍ଡ ନୁଆଁଇ ପ୍ରଣାମ କଲା ଠାକୁରଙ୍କୁ । 

ଦେଖୁ ଦେଖୁ ଦଶଦିନ କଟିଗଲା କେମିତି ଜଣା ପଡିଲାନି । ଠିକାଦାର କହିଯାଇଥିଲା ସଜବାଜ ହୋଇ ରହିବାକୁ । କୋହରେ ମନ ଭରିଯାଉଥାଏ ହେଲେ ଲକ୍ଷ୍ୟଚ୍ୟୁତ ନହେବା ତାର କୋହଠାରୁ ବେଶୀ ଶକ୍ତିଶାଳୀ ହୋଇ କୋହକୁ କେଉଁ ଅତଳ ଗହ୍ୱରକୁ ଚାପିଦେଲା । ହସିହସି ସମସ୍ତଙ୍କୁ ବିଦାୟ ଜଣାଇ ଦ୍ୱିତୀୟ ଥର ପାଇଁ ବାହାରିଗଲା ନିଜ କର୍ମସ୍ଥଳକୁ । 

ଏ ଭିତରେ ବଂଶୀ ନିଜର କାର୍ଯ୍ୟ କୁଶଳତା ଓ କାର୍ଯ୍ୟଦକ୍ଷତା ଯୋଗୁଁ ମାଲିକଙ୍କ ଖୁବ ପ୍ରିୟପାତ୍ର ହୋଇପାରିଥିଲା । ତାର କାମ ଏଥର ବଦଳା ଯାଇଥିଲା । ଖାଦ୍ୟ ଦ୍ରବ୍ୟସବୁ ଗ୍ରାହକ ମାନଙ୍କ ଟେବୁଲରେ ପହଞ୍ଚାଇବାର ଦାୟିତ୍ୱ ଦେଇଥିଲେ ମାଲିକ । ଏଇ କାମଟି ଲାଭଜନକ । ଖାଇସାରିବା ପରେ ବିଲ ପଇସା ଦେଲାବେଳେ ବଡବଡିଆ ମାନେ ଭଲ ଟିପସ୍ ଦେଇ ଯାଉଥିଲେ । ସେଇ ଟଙ୍କାକୁ ଜମେଇ ରଖୁଥିଲା ସେ ନିଜର ଦାରିଦ୍ର୍ୟର ମୁକାବିଲା କରିବା ପାଇଁ । ରାତିରେ ଶୋଇବା ଆଗରୁ ଗଣପତିଙ୍କୁ ସମର୍ପଣ କରି ଟଙ୍କା ସବୁକୁ ଯତ୍ନରେ ସାଇତି ରଖୁଥିଲା । 

କୋରୋନା ବେମାରୀ କୋଉଠି ଥିଲା କେଜାଣି ତାର କାୟା ବିସ୍ତାର କଲା । ଗହଳିଚହଳିରେ ଭରୁଥିବା ତାଙ୍କର କ୍ୟାଫେଟରିଆ ଜନଶୂନ୍ୟ ହେବାକୁ ଲାଗିଲା । ଆଜି ନହେଲେ କାଲି ସବୁକିଛି ଠିକ ହୋଇଯିବ ଭାବି ମାଲିକ ଅପେକ୍ଷା କରି ରହିଲେ । ହେଲେ ଆଶା ତାଙ୍କର ଫଳବତୀ ହେଲାନାହିଁ । ରୋଗର କରାଳ ଛାୟା ସମ୍ପୂର୍ଣ୍ଣ ମୁମ୍ବାଇ ସହରକୁ ନିଜର ଅକ୍ତିଆରକୁ ନେଇଗଲା । ମାଲିକ ସମସ୍ତଙ୍କୁ ଡାକି ଶୁଣେଇଦେଲେ....ତମମାନଙ୍କୁ ଚଳେଇବା ମୋ ପକ୍ଷରେ ସମ୍ଭବ ନୁହଁ । ଏଥର ଯିଏ ଯାହାର କଥା ବୁଝ । 

ଚଡକ ପଡିଲା ସମସ୍ତଙ୍କ ମୁଣ୍ଡରେ । କିନ୍ତୁ କରିବେ କ'ଣ । ନିଜ ଘରକୁ ଫେରିବେ କେମିତି ଓ ଯଦି ଫେରିବେ ସେଠି କରିବେ କ'ଣ ଏଇସବୁ ଚିନ୍ତାରେ ଘାରିହେଲେ ସମସ୍ତେ । ଗଣପତିଙ୍କୁ ଆକୁଳ ଭାବରେ ପ୍ରାର୍ଥନା କରୁଥାଏ ବଂଶୀ । ଓଡିଆ ଶ୍ରମିକ ମାନେ ଶେଷରେ ନିଜ ଭିଟାମାଟିକୁ ଫେରିଯିବା ପାଇଁ ମନସ୍ଥ କଲେ । ଓଡିଶା ସରକାରଙ୍କ ତରଫରୁ ଆଶ୍ୱାସନା ପାଇ ଟ୍ରେନ ଚଳାଚଳ ଆରମ୍ଭ ହେବାକ୍ଷଣି ସମସ୍ତେ ପ୍ରସ୍ତୁତ ହେଲେ ଗାଁ' ଅଭିମୁଖେ । 

ପୂର୍ବ ଥର ପରି ଏଥର ବଂଶୀ ମନରେ ସରସତା ନଥାଏ । ଅନିଶ୍ଚିତ ଭବିଷ୍ୟତର ଭୟ ତା ମନରେ କୁଣ୍ଡଳୀ ମାଡି ବସିଥାଏ । ମୁହଁରେ କିନ୍ତୁ ସେସବୁର ଲେଶମାତ୍ର ଛାପ ପକାଉ ନଥାଏ ସେ । ପରିଶ୍ରମର ଜମାପୁଞ୍ଜି ଧୀରେ ଧୀରେ ଶେଷ ହେବାକୁ ବସିଥାଏ । ତିନି ମାସ ପୁରିବାକୁ ବସିଲାଣି । ଗାଁରେ ଅବା କାମ କିଏ ଦବ । କାମ କରିବାକୁ ରାଜି ସେ କିନ୍ତୁ କାମ ମିଳିଲେ ତ । ପୁଣିଥରେ ଯେ ମୁମ୍ବାଇରେ ଛାଡି ଆସିଥିବା କାମ ସେ ଫେରି ପାଇବ ଏନେଇ ସଂଶୟ ଭିତରେ ଥିଲାସେ । 

ଖୁଡିଙ୍କ ଘରେ ସବୁ ବର୍ଷ ଗଣେଶପୂଜା ହୁଏ । ଖୁଡି ଠାକୁରଙ୍କୁ ଚୁଡାଘଷା, ସେଉ ବୁନ୍ଦି ଦାନା, ବିଭିନ୍ନ ଫଳ ଓ ରାଶିଲଡୁ ଆଦି ଭୋଗ ଲଗାନ୍ତି । ପୂଜା ପରେ ସମସ୍ତଙ୍କୁ ପ୍ରସାଦ ବାଣ୍ଟି ଦିଅନ୍ତି । ଗତ ବର୍ଷ ଗଣେଶ ଚତୁର୍ଥୀ ବଂଶୀ ମୁମ୍ବାଇରେ କାଟିଥିଲା । ଦଶଦିନ ଧରି ଲୋକମାନଙ୍କର ଗଣପତି ଆରାଧନା ଦେଖି ବିଭୋର ହୋଇଥିଲା ସେ । ଅଗଣିତ ଭକ୍ତ ଗଣପତିଙ୍କ ମୃଣ୍ମୟ ପ୍ରତିମାକୁ ସମୁଦ୍ରରେ ବିସର୍ଜନ କରିବାର ଦୃଶ୍ୟ ଦେଖି ସେ ନିଜକୁ ରୋକି ନପାରି ଗୋଟିଏ ମୂର୍ତ୍ତିପାଖକୁ ଯାଇ ତାଙ୍କ ସାମନାରେ ସାଷ୍ଟାଙ୍ଗ ପ୍ରଣିପାତ କରି ଫେରି ଆସିଥିଲା ନିଜ କ୍ୟାଫେଟରିଆକୁ । ନିଜର ଗଣପତିଙ୍କ ମୂର୍ତ୍ତି ପାଖରେ ପଚାଶ ଟଙ୍କିଆ ନୋଟଟିଏ ତିନି ଚଉତା କରି ରଖିଦେଇଥିଲା । ପରେ ସେଇ ଟଙ୍କାକୁ ମାଲିକଙ୍କ ହାତରେ ଠାକୁରଙ୍କ ଦାନପେଟୀରେ ପକାଇବା ପାଇଁ ପଠାଇ ଦେଇଥିଲା । ଏଥର ତା ପାଖରେ ପଚାଶ ଟଙ୍କା ଦେବାର କ୍ଷମତା ନଥିଲା । ନିଜର ଖର୍ଚ୍ଚକାଟ କରିବାର ନିଷ୍ପତ୍ତି ନେଇ ଦଶଟଙ୍କିଆ ନୋଟଟିଏ ନେଇ ସଙ୍କୁଚିତ ହୋଇ ଖୁଡିଙ୍କୁ ଦେଲା ଗଣପତିଙ୍କୁ ସମର୍ପଣ କରିବା ପାଇଁ । ଖୁଡି ତା'ହାତକୁ ବଢେଇ ଦେଲେ ରାଶି ଲଡୁ ସହିତ କିଛି ଚୁଡାଘଷା । ମୁଣ୍ଡରେ ହାତ ଲଗାଇ ପ୍ରସାଦ ଖାଇବା ସମୟରେ ସାନ ଭାଇ ଡାକ ପକାଇଲା......ଭାଇ ଶୀଘ୍ର ଆ । ତତେ କିଏ ଫୋନ କରିଛନ୍ତି । ଘର ସାମନାରେ ଦେଖିଲା ଗାଁର ଠିକାଦାର ଠିଆ ହୋଇଥିବାର ଦେଖିଲା ସେ । ବଂଶୀ ହାତକୁ ନିଜର ଫୋନ ବଢାଇଦେଲା ଠିକାଦାର । ଅପରପାର୍ଶ୍ୱରୁ ମିଳିଥିବା ଖବର ଶୁଣି ଆନନ୍ଦାଶ୍ରୁ ବହିଯାଉଥିଲା ବଂଶୀର ଆଖିରୁ । ମୁହଁରୁ ତାର ସ୍ୱତଃସ୍ଫୁର୍ତ୍ତ ଭାବରେ ବାହାରି ଆସିଲା....ଗଣପତି ବାବା ମୋରୟା । 



Rate this content
Log in