ଗାନ୍ଧିବୁଢା
ଗାନ୍ଧିବୁଢା
ଘରକୁ ଆସି ମାଆଙ୍କୁ ଏବେ ଏବେ କାମରେ ସାହାଯ୍ୟ ସହଯୋଗ କରୁଥିବା ଫୁଲ ଅପା ଯେବେ ପୁପା ରୁମକୁ ସଫା କରିବାକୁ ପଶେ କାନ୍ଥ ପାଖେ ଅଟକି ଯାଏ. କାନ୍ଥରେ ପୁପାର ଜେଜେ ଓ ଜେଜେମାଙ୍କ ସହିତ ଆଉ ଯେଉଁ ବୁଢ଼ୀଙ୍କର ତୈଳଚିତ୍ର ଥିଲା ସେଇଟିକୁ ରଗଡି ରଗଡି ପୋଛେ ଓ କଣେଇ କଣେଇ ଚାଁହୁଥାଏ ଫଟୋଟିକୁ ତ ପୁପାକୁ ଭାରି ଅସହିଷ୍ଣୁ ଲାଗେ. କେତେ କଷ୍ଟରେ ଜେଜେ ଜେଜେମାଙ୍କ ଫଟୋ ପାଖରେ ତା ବୋଉର ଫଟୋ ସେ ଟାଙ୍ଗିଛି ଓ ପ୍ରତିଦିନ ଧୁପ ଦୀପ ଦେବା ସହ ଘଡିଏ ଚାଁହୁଛି ସେଇ ଫଟୋକୁ. ପ୍ରତି ପିଲାଙ୍କର ଜେଜେ ଜେଜେମା ଭାରି ପ୍ରିୟ କିନ୍ତୁ ପୁପାର ଜେଜେ ଜେଜେମାଆଙ୍କ ସହିତ ଏଇ ଫଟୋରେ ଥିବା ବୋଉ ବି ଭାରି ପ୍ରିୟ. ପୁପା ଜେଜେ ଜେଜେମା ପୁରୀରେ ପୈତୃକ ଘରେ ରହୁଥିଲା ବେଳେ ବାପା ଓ ମାମାଙ୍କ ପାଖେ ପିଲାଦିନ ପୁପାର କଟିଥିଲା ଭୁବନେଶ୍ୱରରେ ଏଇ ବୋଉ ପାଖରେ. ଜେଜେ ଜେଜେମାଙ୍କ ପାଖକୁ ପୁରୀ ଗଲେ ଜେଜେମା ତା ପାଇଁ ରଖିଥାନ୍ତି କେତେକଣ.ତା ଭିତରୁ ଗାନ୍ଧି, ଜବାହାର, ଶାସ୍ତ୍ରୀ, ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ମୁଣ୍ଡ ଥିବା ଟଙ୍କିକିଆ, ଦୁଇଟଙ୍କିଆ ଓ ପାଞ୍ଚଟଙ୍କିଆ ପଇସା ସବୁ ତାର ଭାରି ପ୍ରିୟ. ସେଗୁଡିକୁ ସାଇତି ରଖିଛି ପୁପା ଏଯାଏଁ ସରାଗାତରେ. ତା ବାପା ପଚାରିଲେ କହେ ଦିନେ ଟଙ୍କିକିଆ, ଦୁଇଟଙ୍କିଆ ଓ ପାଞ୍ଚଟଙ୍କିଆ ଉଠିଯାଇ ଅଚଳନ୍ତି ହେଇଯାଇପାରେ ଯେମିତି ତୁମ ବେଳେ ଚଳୁଥିବା ଚାରେଣୀ କି ଆଠେଣୀ ଯାହାର ମୂଲ୍ୟ ଯଥାକ୍ରମେ ପଚିଶ ପଇସା ଓ ପଚାଶ ପଇସା ଆଉ ଚଳୁନି ଆମେ ଦେଖିବା ପାଇଁ ଏବେ!ଜେଜେ ମଧ୍ୟ କୁହନ୍ତି ତାଙ୍କ ବେଳେ ଚଳୁଥିବା ଦୁଇ, ତିନି ଓ ପାଞ୍ଚ ପଇସି ମଧ୍ୟ ସେବେ ଆଉ ଚଳୁନଥିଲା ତୁମ ବେଳେ କିନ୍ତୁ ଗାନ୍ଧି, ଜବାହାର, ଶାସ୍ତ୍ରୀ ଇତ୍ୟାଡି ଯୁଗ ପରେ ଯୁଗ ଆସିଲେ ମଧ୍ୟ ଅମର ଅଜୟ ହୋଇ ରହିଥିବେ ନା ବାପା? ହଁ କାରଣ ସେମାନେ ଦେଶର ବରପୁତ୍ର. ତ ପୁପାର ବାପା ପୁଣି କହନ୍ତି ହଉ ହଉ ରଖେ ସେସବୁକୁ ସରାଗାତରେ ସଜାଡି ମୋ ନାତି ଦେଖିବ.
ମାମା ଓ ବାପା ନିଜ ନିଜ ବ୍ୟାଙ୍କ ଓ ଅଫିସ ଗଲା ପରେ ପୁପା ପିଲାଦିନୁ ରହୁଥିବା ଏଇ ବୋଉ ମଧ୍ୟ ଯେବେ ସଉଦା କରି ବଜାରରୁ ଫେରେ ସେହିଭଳି ମୁଣ୍ଡ ଥିବା ପଇସା ତାକୁ ଦିଏ ଓ କହେ ନେରେ ଧନ ସରାଗାତରେ ପକେଇ ଦେ କହି ଦେଇଥାଏ ପୁପାକୁ. ଖୁସି ହୋଇଯାଏ ପୁପା. ଜେଜେମା ପରି ବୋଉ ତାର ଭାରି ପ୍ରିୟ. ଖାଲି କଣ ଏତିକି! ପିଲାଦିନୁ କେତେ ଅଳି ଅର୍ଦ୍ଦଳି ସହି ତାକୁ ବଡ଼ କରିବାର ଭୂମିକା ନିଭାଉ ନିଭାଉ ନିଜ ଘର ଦ୍ୱାର ପିଲାପିଲି ଭୁଲିଛି ବୋଉ ପୁପାର. ଏକମାତ୍ର ଝିଅକୁ ବିବାହ ଦେବା ପରେ ସେ ରହିଯାଇଛି ଏଇଠି. ପୁପାକୁ ବୋଉ ର ଧନ ଡାକ ଭାରି ନିଆରା. ସରଗ ସୁଖ ଭରା. ଏମିତିକି ଜେଜେ ତାକୁ ଗାନ୍ଧିବୁଢା ଡାକିଲେ ସେ ଯେତିକି ଉଲ୍ଲସିତ ହୁଏ ତାଠୁ ବେଶୀ ହୁଏ ତା ବୋଉର ଧନ ଡାକରେ.
ପୁପା ଶୁଣିଛି ଯେ ଜେଜଙ୍କର କାଳେ ଏଇ ନାଆଁ ଦେବା ଗୋଟେ ପୁରୁଣା ଅଭ୍ୟାସ. ତା ବାପା କୁହନ୍ତି ସେମାନେ ସବୁ ଭାଇ ଭଉଣମାନେ ଜନ୍ମ ହେବା ପୂର୍ବରୁ ଜେଜେ କାଳେ ସରକାରୀ କ୍ଵାଟରର ଝରକାରେ ଲେଖି ରଖନ୍ତି ପୁଅ ହେଲେ କଣ ନାମ ଦିଆଯିବ ଆଉ ଝିଅ ହେଲେ କଣ ନାମ ରଖାଯିବ ଯେମିତି ବଡବାପାଙ୍କ ନାମ କାଳକିଙ୍କର ପରେ ପୁପା ବାପାଙ୍କ ନାମ ଶ୍ୟାମକିଙ୍କର ରଖିଥିଲେ ଜେଜେ ଓ ପିଇସୀ ଅପା ମାନଙ୍କ ନାମ ମଧ୍ୟ ଲେଖି ରଖୁଥିଲେ ଝରକା କବାଟରେ ଏଇଥି ପାଇଁ କି କାଗଜରେ ଲେଖିଲେ ସେ ନିଜେ କେବଳ ପଢି ମନେରଖିବେ କିନ୍ତୁ ଝରକା କବାଟରେ ଲେଖି ରଖିଲେ ସମସ୍ତେ ଦେଖିପାରିବେ.ଯେବେ ପୁପା ତା ପିଲାଦିନେ କବାଟ ଝରକା ଆଦିରେ ଏ, ବି, ସି ଲେଖେ ବାପା ମାମା ଉଭୟ ତାଗିଦ କଲାବେଳେ ଜେଜେ କୁହନ୍ତି ମୋ ଗୁଣ ରଖିଛି ମୋ ନାତି ଗାନ୍ଧବୁଢା. ପୁପା ଜାଣିଛି ତା ବଡବାପା ଝିଅ ଭଉଣୀ ଓ ତା ନିଜ ଡାକନାମ ଜେଜେ ହିଁ ରଖିଥିଲେ ଯଥାକ୍ରମେ ସିଦ୍ଧି ଓ ଗାନ୍ଧବୁଢା. ତେଣିକି ଅନ୍ୟ ଯିଏ ଯୋଉ ନାମରେ ଦାକନ୍ତୁ ଯେମିତି ବଡ଼ ପିଇସୀ ଡାକନ୍ତି ପୁପା.ବୋଉ କିନ୍ତୁ ଡାକୁଥାଏ ଜେଜେ ଦେଇଥିବା ସେଇ ନାମରେ ଗାନ୍ଧିବୁଢା ବୋଲି ସତ କିନ୍ତୁ ତା ପୂର୍ବରୁ ଧନ ଓ ପରେ ଧନ ଲାଗିଥାଏ.ଯେମିତିକି ଧନ ଗାନ୍ଧିବୁଢା ବା ଗାନ୍ଧିବୁଢାଧନ. ସେଇଥିପାଇଁ ତ କ୍ଲାସରେ ଆଡ଼ଜେକଟିଭ ବୁଝେଇଲା ବେଳେ ସାର ପୁପା ବୁଝିଯାଏ ଖୁବ ସୁନ୍ଦର ପ୍ରି ଓ ପୋଷ୍ଟ ମୋଡିଫାୟାର ଆଡ଼ଜେକଟିଭର. ସେତେବେଳେ ତାକୁ ଶୁଭୁଥାଏ ଧନ ଗାନ୍ଧିବୁଢା ବା ଗାନ୍ଧିବୁଢା ଧନ ବୋଲିର ପ୍ରତିଧ୍ୱନି ବୋଉର.
ଜେଜେ, ଜେଜେଙ୍କ ପଛେ ପଛେ ଜେଜେମା ଓ ଠିକ ସେ ଦୁହିଁଙ୍କ ଯିବା ପରେ ପରେ ବୋଉ ଚାଲିଗଲା ଅଗଷ୍ଟ ମାସର ପନ୍ଦର ତାରିଖ ଦିନ. ଶୁଦ୍ଧି କ୍ରିୟା କର୍ମ ବୋଉର ସବୁ ବାପା ଓ ମାମା କରାଇଥିଲେ ଭୁବନଶ୍ଵରରେ. ସେଇ କିଛି ଦିନ ପୁପା ବୋଉର ପୁରୁଣା ଲୁଗା ପଟାରେ ମୁଁହଁ ମାଡି ଶୋଇରହିଲା ଜେ ଶୋଇରହିଲା. ବାପା ଆଉ ତାଗିଦ କରୁନଥିଲେ ବୋଉର ମଇଳା ଅସନା ଲୁଗାପଟାରେ ଶୁଅନା ବୋଲି. ସତରେ ବୋଉର ଆଉ କିଏ ନିଜର ଏତେ ପୁପା ଛଡା!ଶୁଦ୍ଧି ଘରକୁ ଯେତେ ଖୋଜିଲେ ମଧ୍ୟ ତା ବିବାହିତ ଝିଅର ଠିକଣା ମିଳିନଥିଲା.କେହି ମିଳିନଥିଲେ ବୋଉର ନିଜ ଲୋକ ବରଂ ମମାଙ୍କ କଥାରେ ବୋଉର ବିରାଟ ତୈଳ ଚିତ୍ର କରି ସ୍ବର୍ଗବାସୀ ଜେଜେ, ଜେଜମାଆଙ୍କ ଫଟୋ ପାଖରେ ପୁପା ପଢ଼ାଘରେ ରଖିଥିଲେ ବୋଉର ଫଟୋ. ବୋଉର ଲୁଗାପଟା ଭିତରୁ ମୁଣ୍ଡ ଟେକି ଉଠିଥିଲା ପୁପା ଓ ସେହି ତିନିଗୋଟି ଫଟୋରେ ଫୁଲ ଧୂପ ଦୀପ ଦେବା ତାର ଯେମିତି ଏକଚାଟିଆ ଅଧିକାର ଥିଲା. ଏବେ ଫୁଲ ଅପା ବୋଉ ଫଟୋକୁ କଣେଇ କଣେଇ ଚାହିଁବାର କାରଣ ବାପା କହୁଥିଲେ ହୁଏତ ସେ ଭାବୁଥିବ ପୁପାର ଜେଜେ ଜେଜମାଙ୍କ ଫୋଟୋ ପାଖରେ ଏ ବୁଢ଼ୀ କିଏ!ମାମା ସ୍ୱାତୀ ମଧ୍ୟ ପୁପାକୁ କହୁଥିଲେ ଫୁଲ ଅପାକୁ କହିଦେବା ସିଏ ତୋ ବୋଉ ବୋଲି ଯେ ସେ ଆଉ କଣେଇ ଚାହିଁବନି ତୋ ବୋଉର ଫଟୋକୁ.ହଉ ବୋଲି କହିଲେ ମଧ୍ୟ ପୁପା କିନ୍ତୁ ଏଣିକି ତା ସରାଗାତ ଗଡ଼ରେଜରେ ରଖି ତା ରୁମ ଚାବି ଦେଇ କଲେଜ ଯାଉଥିଲା ଅଗଷ୍ଟ ପନ୍ଦର ପ୍ୟାରେଡ ପାଇଁ ଖୁବ ସକାଳୁ ସକାଳୁ,କାରଣ ବାପା ଓ ମାମା ସବୁ କହିସାରିବା ପରେ ଫୁଲ ଅପା ସେଇ ଫୋଟଟିକୁ ତଥାପି କଣେଇ କଣେଇ ଚାହୁଁଥିଲା ଓ କହୁଥିଲା କୁଆଡେ ତା ନିଜ ବୋଉଙ୍କ ପରି ଦେଖିବାକୁ ବୋଲି ସେ ବୁଲି ବୁଲି ଚାହିଁଦିଏ ଟିକେ ଏମିତି.
ସେଦିନ ରବିବାର ଥିଲା. ଫୁଲ ଏଣିକି ରହୁ ରହୁ ଘରର ଖୁବ ଅନ୍ତରଙ୍ଗ ସଦସ୍ୟ ଜଣେ ହୋଇ ଯାଇଥିଲା ତ ସ୍ୱାତୀ ପଚାରିଦେଇଥିଲେ ତୋର ଆଉ କିଏ କିଏ ଅଛନ୍ତି ଫୁଲ?ମୋର ଏ ଦୁନିଆରେ କେହି ନାଁହାଁନ୍ତି ମାଆ. ସ୍ୱାମୀ ଯିବା ପରେ ପରେ ମା'କୁ ବହୁତ ଖୋଜିଲି ହେଲେ ପାଇଲି ନାହିଁ. ଶୁଣିଥିଲି ସେ ଭୁବନେଶ୍ୱରେ କୋଉ ବାବୁ ଘରେ ରହି ସତେ ଯେମିତି ତା ନାତିକୁ ଫେରିପାଇ ବଞ୍ଚିଯାଇଛି. ମୋ ଏକମାତ୍ର ଧନକୁ ସିନା ମୁଁ ବଞ୍ଚେଇ ପାରିଲିନି କିନ୍ତୁ ମାଆ ଯୋଉଠି ଥାଉ ଭଲରେ ଥାଉ ଭାବିଥିଲି. ପୁଅ ମୋର ଚାଲିଯିବା ପରେ ପରେ ତା ବାପା ଅର୍ଥାତ ମୋ ସ୍ୱାମୀ ବି ଚାଲିଗଲେ. ମାଆର ଯେତେ ସନ୍ଧାନ ନେଲେ ମଧ୍ୟ ମାକୁ ପାଇଲି ନାହିଁ. କୌଣସି ଆଶା ଭରସା ନପାଇ କାମ ଖୋଜୁଥିବା ମହିଳା ଗୋଷ୍ଠିରେ ସଦସ୍ୟ ହେବା ପରେ ତୁମ ଘରେ କାମ ପାଇ ରହିଲି . ମୋ ପୁଅ ମଧ୍ୟ ଆପଣଙ୍କ ପୁଅ ବୟସର ହୁଅନ୍ତାଣି. ସେ ତାଙ୍କ ପଢ଼ା ଘରେ ରଖିଥିବା ତାଙ୍କ ଜେଜେ ଜେଜମାଙ୍କ ସହିତ ଅନ୍ୟ ଫୋଟୋଟିରେ ଥିବା ବୁଢ଼ୀ ଠିକ ମୋ ବୋଉ ଭଳି ଦେଖିବାକୁ ବୋଲି ମୁଁ ସେଇ ଫଟୋକୁ କଣେଇ କଣେଇ ଚାହିଁବା ସହ ଟିକେ ଧୂଳି ଝାଡ଼ି ସଫା କରିଦିଏ ହେଲେ ପୁଅ ବାବୁଙ୍କ ସନ୍ଦେହ ହେଲା ବୁଝିପାରି ଆଉ ସେଘରକୁ ଯାଉନି. ସେ ବୁଢ଼ୀ କିଏ ମାଆ?
ଏଥର ଗାନ୍ଧିବୁଢାର ମାଆ ସ୍ୱାତୀ ସବୁକଥା କହିସାରି ସେ ତାଙ୍କ ପୁଅର ଅତି ସ୍ନେହର ତଥା ମମତାର ଡୋରିରେ ବନ୍ଧା ବୋଉ ବୋଲି କହିବା ପରେ ଫୁଲ ଖୁବ କାନ୍ଦିଥିଲା ଓ ତା ଅନୁମାନ ସତ୍ୟ ବୋଲି କହିଥିଲା.ବୋଉ ଆଉ ଏ ଦୁନିଆଁରେ ନାହିଁ ନଜାଣି ମୁଁ ଖାଲି ମୋ ବୋଉ ପରି ବୋଲି ଭାବୁଥିଲି କିନ୍ତୁ ସେ ହିଁ ମୋ ବୋଉ ମାଆ ବୋଲି କହି ଫୁଲ କାନ୍ଦି ଲୋଟୁଥିଲା ତ କହୁଥିଲା ମୋ ବୋଉର କିଛି ସନ୍ତକ ଥିଲେ ଦିଅ ମାଆ ମୁଁ ରଖିବି ତ ସ୍ୱାତୀ ଗୋଟେ ଚାଦର ଆଣି ଫୁଲକୁ ଦେଇଥିଲେ. ପୁଅ ବିରୋଧ କରିଥିଲା ଯେ ମୋ ବୋଉର ଚାଦର ମୁଁ ଦେବି ନାହିଁ. ଫୁଲ ଆଉ କିଛି କହିନଥିବା ବେଳେ ସେଦିନ ପୁଅ ଅଗଷ୍ଟ ପନ୍ଦର ପ୍ୟାରେଡ ଓ ପତାକା ଉତ୍ତୋଳନ ସହ ଗାନ୍ଧିଙ୍କ ତ୍ୟାଗ ଓ ବଳିଦାନ କଥା ଭାଷଣ ରଖି ଘରକୁ ଫେରି ଦେଖିଥିଲା ତା ବୁଢ଼ୀ ବୋଉର ଶ୍ରାଦ୍ଧ ପାଇଁ ଫୁଲ ଅପା ସବୁ ସଜାଡି ଚାଲିଛି ଓ ପିଣ୍ଡ ଦାନ କରୁଛି. କାହିଁକି କେଜାଣି ସେଦିନ ଗାନ୍ଧିବୁଢା ଖୁବ କାନ୍ଦିଥିଲା ଆଉ ତା ରୁମରେ ଫୁଲ ଅପାର ପ୍ରବେଶ ନିଷେଧ ନଥିଲା. ଜେଜେ, ଜେଜେମାଆ, ଓ ବୋଉର ଅସ୍ଥି ନେଇ ବଡ଼ବାପା, ବଡବୋଉ ବାପା, ମାମା, ସିଦ୍ଧଅପା ସହ ପୁଅ ପ୍ରୟାଗ ଗଲାବେଳେ ଫୁଲ ଅପାକୁ ଜୋର କରି ନେଇଯାଇଥିଲା ଓ କହୁଥିଲା ଥରେ ମତେ ମୋ ବୋଉ ପରି ଧନ ଗାନ୍ଧିବୁଢା ବା ଗାନ୍ଧିବୁଢା ଧନ ଡାକ ନା! ଫୁଲ ଦୁଇ ଆଖିରୁ ଝର ଝର ଶ୍ରାବଣ ବର୍ଷା ଆନମନା ହୋଇ ଝରି ପଡୁଥିଲା ବେଳେ ଗାନ୍ଧିବୁଢ଼ା ଚାଦରଟିକୁ ଆଣି ଫୁଲ ଅପା ବେକ ଚାରିପଟେ ଗୁଡେଇ ପକାଇଦେଇଥିଲା.
,,,,,,,,,
