ଏ ଜନ୍ମେ ନାହିଁ ଭେଟ ,,,,,,,,,,,,,,,,,,,,,,,,,,,,,,
ଏ ଜନ୍ମେ ନାହିଁ ଭେଟ ,,,,,,,,,,,,,,,,,,,,,,,,,,,,,,
4 mins
6
ମଙ୍ଗୁ ଘର ଛାଡ଼ି ଚାଲିଯିବ. ଆଉ କୋଉଠି ଭଡା ଘର ବୁଝି ଯାଉଛି ସେ. କହୁଥିଲା ମୁଁ ଆସିବି ମଝିରେ ମଝିରେ. ଦେଖିଯିବି ଆପଣ ଦୁହିଁଙ୍କୁ. ମୋର ତ ରୁମ ବେଶୀ ଦରକାର ଲାଗୁନି ବରଂ ଶାଢୀରେ ପ୍ରିଣ୍ଟ କରି ରଙ୍ଗ ଦେବା ପାଇଁ ବାରଣ୍ଡା ଦରକାର. ଆଉ ସେଇ ବାରଣ୍ଡା ଦେଇ ଘର,ବାହାର, ବନ୍ଧୁ ବାନ୍ଧବ, କୁଣିଆ ମଇତ୍ର ଯିବା ଆସିବା କରିବା ସ୍ୱାଭାବିକ ସତ ହେଲେ ଶାଢୀରେ ପଡୁଛି ଧୂଳି ଓ ଧୂଶ. ତା ଛଡା ରଙ୍ଗ ଆଙ୍କୁଥିବା ଶିଳ୍ପୀ ଭାଇ ଓ ରଙ୍ଗ ଦେଉଥିବା ଝିଅମାନଙ୍କୁ ଏ ଯିବା ଆସିବା ଗ୍ରହଣୀୟ ହେଉନି ବୋଲି ଘର ଛାଡ଼ୁଛି ନହେଲେ ମୁଁ ପୁଅ ପରି ଚଳୁଥିଲି. ଘରର ଜଣେ ସଦସ୍ୟ ପରି ମନେକରିବାକୁ ଆପଣ ଦୁହେଁ ମୋତେ ଖୁବ ସ୍ନେହ ଶ୍ରଦ୍ଧା ଦେଇଆସିଛନ୍ତି କହି ଘର ଛାଡ଼ିବା ବେଳେ ଘରର କର୍ତ୍ତୀ କାନ୍ଦିପକେଇ ଥିଲେ. ଏଇ ଛୋଟ ସହରରେ ଥିବା ସ୍କୁଲରୁ ଅବସର ନେଇ ଆସିବା ପରେ ସହକର୍ମୀମାନେ ତାଙ୍କ ଦୁଆରେ ଯିବା ଆସିବା କରୁଥିଲେ ମଧ୍ୟ ହୁଏନି କାହା ସହ ଭେଟ!ରାସ୍ତା ବଦଳିଲେ ବଦଳି ଯାଏ ଘାଟ ତ କୋଉଠି ଆଉ ହେଇପାରେ ଭେଟଘାଟ କିନ୍ତୁ ସେଦିନ ଅବସର ସମ୍ବର୍ଦ୍ଧନା ସଭାରେ କାନ୍ତି କହୁଥାନ୍ତି ଏଇ ସହରରେ ଭିର୍ନ୍ନ ଭିର୍ନ୍ନ ଗଳି କନ୍ଦିରେ ରହିଛେ ତ ନିଶ୍ଚୟ ହେବ ଭେଟ. କିନ୍ତୁ ହାଏ, କହିଥିବା ଓ ଭାବିଥିବା କଥା ସବୁ ବାସ୍ତବିକ କଥା ସହିତ କେଡେ ସମାନ୍ତର ହୋଇ ଗତି କରନ୍ତି ସତରେ!ଆଉ ଯଦି ଦେଖା ବି ହୋଇଯାଏ କାଳେ ଅକାଳେ ତ କେତେ କାମର ବାହାନାରେ ଅଲଗା ରାସ୍ତା ଦେଖିବାକୁ ହୁଏ ପରସ୍ପରକୁ ସତରେ ଭାବି କାନ୍ତିଙ୍କ ଆଖିରେ ଟୋପେ ଲୁହ ଚକ ଚକ କରୁଥିଲା, ଠିକ ସେଦିନମାନଙ୍କ ପରି.
ବାପାଙ୍କ ସରକାରୀ ଚାକିରୀରେ ପ୍ରତି ତିନିବର୍ଷକୁ ଥରେ ବଦଳି ନିଶ୍ଚିନ୍ତ. କ୍ଵାଟର ଛାଡ଼ି ବେଡିଙ୍ଗ ଓ ଜିନିଷ ପତ୍ର ପ୍ୟାକିଙ୍ଗ କଲାବେଳେ କି ଉତ୍ସାହ, ଆଗ୍ରହ ତଥା କି ଉଦ୍ଦୀପନା ସତରେ!ନୂଆ କ୍ଵାଟରର ଅବସ୍ଥିତି, ପଡୋଶୀ ତଥା କି କି ଗଛ ଥିବ କ୍ଵାଟରରେ ଓ କୋଉ କୋଉ ଗଛ ଉତ୍ତାରିବାକୁ ପଡିବ, ପଡୋଶୀ ଦମ୍ପତ୍ତି ଓ ତାଙ୍କ ପିଲାମାନେ କେମିତି ଥିବେ ଭାବି ପୁଣି କ୍ଵାଟରରୁ ସ୍କୁଲ କେତେ ଦୂର, କେମିତି ଯିବା ଆସିବା କରିବାକୁ ହେବ ଭାବିଲା ବେଳକୁ କଲୋନୀରେ ଚାଲିଥାଏ ସି ଅଫ ପର୍ବ. ଆଜି ଆଙ୍କ ଘରେ ତ କାଲି ତାଙ୍କ ଘରେ ଖିଆପିଆ ପୁଣି କେଵେ ଦେଖା ହେବା, କୋଉଠି ଇତ୍ୟାଦିର ହିସାବ ପତ୍ର ଭିତରେ କିଏ କଣ କେଵେ ଭାବିଥାଏ ଆଉ ଏ ଜନ୍ମେ ନାହିଁ ଭେଟ!
ମନେପଡ଼େ ନୂଆପଡାରୁ ଚିଲିକା ଦେଇ ଡଙ୍ଗାରେ ଆସିଵା ଦିନର ଦୃଶ୍ୟ. କାନ୍ତି ବାପାଙ୍କ କ୍ଵାଟର ଆଗରେ ପଡିରହୁଥିବା କୁକୁରଟିକୁ ବୋଉ ତାଙ୍କର ଖାଇବାକୁ ଦେଉ ଦେଉ ଛୁଆ ଦୁଇଟି ଜନ୍ମ କରି ମାଆ ହୋଇଗଲା କୁକୁରଟି.ଆଉ କାଳକ୍ରମେ ବଢୁଥିବା ତା ଛୁଆ ଦୁଇଟିଙ୍କୁ ସବୁ ତକ ଖାଦ୍ୟ ଖାଇବା ପାଇଁ ଛାଡ଼ିଦେଇ କୁଆଡେ ଉଭାନ ହୋଇଗଲା ମାଆ କୁକୁର. ଆଉ ଭେଟ ହେଲାନି ତା ସହ. ବାପା କହନ୍ତି ପିଲା କୁକୁରଙ୍କ ପାଇଁ ନିଜ ଖାଇବା ଛାଡ଼ି ଦେଇଥିବା ମାଆ କୁକୁର କୁଆଡୁ କିଛି ଖାଇବାକୁ ନପାଇ ମରିଯିବଣି ଏଭିତରେ ତ ବାପାଙ୍କ କଥା ଶୁଣି ବୋଉ କାନ୍ଦିପକାଏ. କୁକୁର ଛୁଆ ଦୁହିଁଙ୍କୁ ଖାଇବାକୁ ଦେଇ ଢେର ବେଳ ଯାଏଁ ଚୁ ଚୁ କହି ମାଆ କୁକୁରକୁ ଖୋଜିଲେ କି ଡାକିଲେ ବି ସେ ଆଉ ଆସୁନଥିଲା. ଭିଡ଼ ଭିତରେ ମରିହଜି ଯାଇଥିବ ବୋଲି ବାପା ସିନା ଏମିତି କହିଦିଅନ୍ତି ବୋଉ କିନ୍ତୁ କାନ୍ଦୁଥାଏ.ମାଆ କୁକୁର ପରେ ପରେ ତା ଛୁଆରୁ ଗୋଟେ ମରିଗଲା ପରେ ପରେ ଯେ କି ଦୁଃଖ ସତରେ!ବାକିଥିବା କୁକୁରଟି ବୁଲାରୁ ପୋଷା ଟମି ହୋଇଗଲା. ଆଉ ଯେବେ ତିନିବର୍ଷ ପରେ ବାପାଙ୍କର ଓଡ଼ଙ୍ଗା ବଦଳି ହେଲା ତ ଆମେ ରଘୁନାଥ ମନ୍ଦିର ଓ ମନ୍ଦିର ଚୁଡାରେ ଲାଗିଥିବା ସୁନା କଳସ ଦେଖିବା କଳ୍ପନାରେ ବିଭୋର ଓ ମସଗୁଲ ଥିଲା ବେଳେ ପୋଷା କୁକୁର ଟମି ଜାଣିନଥିଲା ଯେ ଆଉ ଅଳ୍ପ ଦିନ ପରେ ତା ପାଖରୁ ଆମେ ବହୁଦୂର ଚାଲିଯିବୁ. ତାର ସମସ୍ତ ଦାଇତ୍ୱ ପଡିଶା ଘର ମାଉସୀ ମଉସାଙ୍କୁ ଦେଇ ବୋଉ ତାଙ୍କୁ କାନେ କାନେ କହିଆସିଥିଲା ଟମିର ଖାଇବା ପିଇବା ରହିବା ବୁଝିବାକୁ ହେଲେ ଆମେ ସମସ୍ତେ ଡ଼ଙ୍ଗାରେ ବସି ତଲେଇ ଟାଣିବା ପରେ ଦୁଇପଟେ ଦୁଇ ନାଉରିଆ କାତ ମାରିବା ଆରମ୍ଭ କଲାବେଳେ କୂଳରେ ସମସ୍ତେ ଠିଆ ହୋଇ ହାତ ହଲେଇ ବିଦାୟ ଦେଉଥିଲା ବେଳେ ଟମି ଚିଲିକା ପାଣିରେ ପଶି ଡ଼ଙ୍ଗା ଆଡକୁ ଆସୁଥିବା ଓ କୁଁ କୁଁ କାନ୍ଦୁଥିବା ତଥା ତାକୁ ସମ୍ଭାଳି ହେଉନଥିବା ଦୃଶ୍ୟ ହୃଦୟ ବିଦାରକ ଥିଲା ବେଳେ ଆଜି ମଙ୍ଗୁ ତା ଜିନିଷ ପତ୍ର ଟ୍ରକରେ ଲଦି ଘର ଛାଡ଼ିବା ପୂର୍ବରୁ କାନ୍ତି ଓ ତାଙ୍କ ସ୍ୱାମୀଙ୍କ ଗୋଡ଼ ତଳେ ମୁଣ୍ଡିଆ ମାରିଲା ବେଳେ ସେହି ପିଲାଦିନର ସେହି ଭାବ ଉଦ୍ରେକ ହୋଇ ହୃଦୟ ବିଦାରି ଦେଉଥିଲା କାହିଁକି କେଜାଣି!
ମଙ୍ଗୁ ମନ ମଧ୍ୟ ଖୁବ ଦୁଃଖ ଥିଲା. କାହାଣର ଅବତାରଣା କରି ସେ କହୁଥିଲା ଗଳ୍ଟିଏ.ଜଣେ ପ୍ରତିଷ୍ଠିତ ଧନୀ ବ୍ଯକ୍ତି ଥିଲେ. ସେ ଦେଖୁଥିଲେ ଯେ ତାଙ୍କର ଖ୍ଯାତି, ଐଶ୍ବର୍ଯ୍ଯ ଏବଂ ସଫଳତା ସତ୍ତ୍ୱେ ତାଙ୍କୁ ସଦାବେଳେ ବିଭିନ୍ନ ଚିନ୍ତା ଘାରୁଥିଲା. ଏଥିରୁ ମୁକ୍ତି ପାଇବାର ବାଟ ସେ ପାଉ ନ ଥିଲେ.ଥରେ ସେ ପ୍ରାତଃ ଭ୍ରମଣରେ ବାହାରିଛନ୍ତି, ଦେଖିଲେ ଯେ ଜଣେ ସାଧାରଣ ଲୋକ ମନ ଖୁସିରେ ଗୀତ ଗାଇ ଗାଇ ଚାଲିଛି. ବିଦ୍ବାନ୍ ତାକୁ ଅଟକାଇ ପଚାରିଲେ, ତୁମେ ଜଣେ ଅତି ସାଧାରଣ ଦରିଦ୍ର ଲୋକ ଭଳି ଲାଗୁଛ. ହେଲେ, ତୁମେ କେମିତି ଏତେ ଖୁସିରେ ଅଛ ? ତୁମର କ'ଣ କିଛି ଦୁଶ୍ଚିନ୍ତା ନାହିଁ ଲୋକଟି କହିଲା- ଆଜ୍ଞା, ଦୁଇଟି କଥା ନେଇ ଆପଣ କେବେ ବି ଚିନ୍ତା କରିବେ ନାହିଁ. ସେ ଦୁଇଟି ହେଲା ଗତକାଲି ଏବଂ ଆସନ୍ତାକାଲି. ଗତକାଲି ଆପଣ ଯାହା କରିଦେଇଛନ୍ତି, ତାକୁ ଆପଣ କଦାଚିତ୍ ବଦଳାଇ ପାରିବେ ନାହିଁ.ନିଜେ ଭଗବାନ ମଧ୍ୟ ନୁହେଁ.ତେଣୁ ଗତକାଲି ଯାହା ଘଟିଗଲା, ତାକୁ ନେଇ ଚିନ୍ତା କରିବାରେ ଲାଭ ନାହିଁ.ସେମିତି ଅନ୍ୟଟି ହେଲା ଆସନ୍ତାକାଲି. ଆସନ୍ତାକାଲି ବିଷୟରେ ତ ସମସ୍ତେ ଅଜ୍ଞ.କେହି ଜଣେ ହେଲେ କହିପାରିବେ ନାହିଁ ଯେ ଆସନ୍ତାକାଲି କ'ଣ ଘଟିବ ? ତେଣୁ ସେ ବିଷୟରେ ବି ଚିନ୍ତା କରି ଲାଭ ନାହିଁ.ଆପଣ ବିଚାର କରନ୍ତୁ ଦେଖିବେ ଅଧିକାଂଶ ଦୁଃଖ ଓ ଚିନ୍ତାର କାରଣ ଏଇ ଦୁଇଟି.ଏହାକୁ ଛାଡିଦେଲେ ଆପଣଙ୍କ ଉପରୁ ଚିନ୍ତାର ବୋଝ ଅନେକ କମିଯିବ. ଏତେ ଦୁଃଖରେ ମଧ୍ୟ କାନ୍ତି ଓ ତାଙ୍କ ସ୍ୱାମୀ ହସିଥିଲେ ମଙ୍ଗୁ କଥା ଶୁଣି.
