STORYMIRROR

Binaya Bhusan Panigrahi

Others Tragedy

5.0  

Binaya Bhusan Panigrahi

Others Tragedy

ଧର୍ମାନ୍ତର

ଧର୍ମାନ୍ତର

4 mins
646


ବସ୍ ରୁ ଓହ୍ଲେଇଲା ବେଳକୁ ମୁହଁ ଅନ୍ଧାର ହେଇ ସାରିଥିଲା। ଛକ ଠାରୁ ଗାଁ ପାଖାପାଖି ଚାରି ମାଇଲ ଦୂର। ଶିତ ଦିନ। ଗାଁ ଗାଉଁଲି କଥା। ନା ଷ୍ଟ୍ରିଟ ଲାଇଟ୍ ଅଛି ନା ଦୋକାନ ବଜାର ଅଛି ଯେ ଲୋକ ଯା'ଆସ ହେଉଥିବେ ବେଶି ରାତି ଯାକେ। ଗାଁ'ର କଚ୍ଚା ରାସ୍ତା ଅବଶ୍ୟ ପକ୍କା ହେଇ ଯାଇଛି ୟା ଭିତରେ କେବେ। ସେ ଯାହା ହେଉନା କାହିଁକି ପାଦ ଫୁର୍ତ୍ତି ନ କଲେ ପହଁଚିଲା ବେଳକୁ ହୁଏତ ସବୁ କାମ ସରି ଯାଇଥିବ। ଲୋକେ କ'ଣ କହିବେ !

ଏୟାର୍ ବ୍ୟାଗଟାକୁ କାନ୍ଧରେ ପକେଇ ଆଗକୁ ପାଦ ବଢେଇଲେ ବିକାଶ ବାବୁ। ଗାଁ'ରେ ପହଁଚିଲା ବେଳକୁ ସାଢେଆଠଟା ବାଜିଲାଣି। ଅନ୍ଧାର ଭିତରେ ଗାଁକୁ ଦେଖି ଥମକି ଠିଆ ହେଇଗଲେ ସେ। ଗୋଟେ ବୋଲି ଚାଳ ଛପର ଘର ଆଖିରେ ପଡୁନି ! ପ୍ରତି ଘରେ ବିଜୁଳି ଆଲୁଅ। ପୁରା ଗାଁ'ଟାର ବଦଳି ଯାଇଥିବା ଭୂଗୋଳ ସାମାନ୍ୟ ଦ୍ଵନ୍ଦରେ ପକେଇ ଦେଲା ବିକାଶ ବାବୁଙ୍କୁ। ପାଦ କିନ୍ତୁ କିଛି ମନେ ପକାଉ ଥିଲା। ଅଳ୍ପ ଟିକେ ଆଗକୁ ଯାଇ ବାମକୁ ମୋଡି କେଇପାଦ ଗଲାପରେ ଆପେ ଆପେ ଅଟକି ଗଲା।

ତାଙ୍କର ସେଇ ନୁଆଁଣିଆ ଚାଳ ଘରଟା ତ ଏଇଠି ଥିଲା ! ଘରଟା ବୟସାଧିକ୍ୟ ଯୋଗୁଁ ବୋଧହୁଏ ନଇଁ ଯାଈଛି ଆଉଟିକେ!! ତାଙ୍କର ଠିକ୍ ମନେଅଛି ପକ୍କା ତିରିଶି ବର୍ଷ ତଳେ ସେ ଶେଷଥର ପାଇଁ ଗାଁକୁ ଆସିଥିଲେ। ତା'ପର ଠାରୁ ଗାଁରୁ ଯେ କେବେ ଖବର ଯାଇନାହିଁ ତା ନୁହେଁ। ପ୍ରତିଥର ଖବର ପାଇବା ପରେ ସେ ବି ଆସିବାକୁ ବାହାରି ସାରି ଶେଷ ମୁହୂର୍ତ୍ତରେ କୌଣସି ନା କୌଣସି କାରଣରୁ ଅଟକି ଯାଇଛନ୍ତି। କେବେ ସତରେ ତ କେବେ ମିଛରେ,ସହରୀ ଜୀବନ ର ବ୍ୟସ୍ତତାକୁ ଦୋଷ ଦେଇ ନିଜ ପାଖରେ ନିଜେ ଦୋଷମୁକ୍ତ ହେବାକୁ ସାଧ୍ୟମତେ ଚେଷ୍ଟା କରି କରି ତିରିଶି ବର୍ଷ କାଟି ଦେଇଛନ୍ତି ଏମିତି କେମିତି ଗୋଟେ।

ଏବେ ମନେ ପଡିଗଲା ଗାଁରେ ସାଙ୍ଗସାଥୀଙ୍କ ମେଳରେ ଖେଳାବୁଲାରେ ସକାଳରୁ ସଂଜ ଭିତରେ ଦିନ ଗୁଡା କେମିତି ଚାହୁଁଚାହୁଁ ବିତିଯାନ୍ତି ! ଗାଁଆରେ ସାଙ୍ଗସାଥୀଙ୍କ ମେଳରେ ସେଇସମୟରେ ଦିନ ସବୁ କେତେ ଛୋଟଛୋଟ ଥିଲେ ସତରେ ! ଆଖି ଆଗରେ ଗଲା କାଲିର ଚିତ୍ରଟେ ଧଳାବଗ ଭଳି ଡେଣା ହଲେଇ ଉଡିଗଲା । ପାଣିରେ ପହଁରି କଇଁଫୁଲ ତୋଳିବା,ଗଛ ବାଗୁଡି ଖେଳ, ଗାଁ ମୁଣ୍ଡ ପଡିଆରେ କବାଡି ଖେଳ ଇତ୍ୟାଦି ଇତ୍ୟାଦି। ସାଙ୍ଗ ମାନଙ୍କର ଝାପ୍ସା ମୁହଁ ସବୁ ଧିରେ ଧିରେ ଆଖି ପାଖକୁ ଲାଗି ଆସି ସ୍ପଷ୍ଟ ହେଇ ଯାଉଥିଲେ।

ହଠାତ୍ ଗାଁଟା କାହିଁକି କେଜାଣି ଆଗପରି ଅଧିକରୁ ଅଧିକ ଆପଣା ଆପଣା ବାସିଲା।ଏଠିକା ଅନ୍ଧାରର ଗୋଟେ ଭିନ୍ନ ରଙ୍ଗ ଅଛି। ସହରରେ ଚାରିଆଡେ ଆଲୁଅ ଥାଇ ସୁଦ୍ଧା ନିଜ ଛାଇ ନିଜର ଲାଗେନା। ଗାଁ'ର ଅନ୍ଧାର ଭିତରେ କିନ୍ତୁ ଗଛବୃଚ୍ଛର ଛାଇ ସବୁ ନିଜ ଛାଇ ପରି ଲାଗନ୍ତି। ଗାଁରେ ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ଡାକୁଥିଲେ 'ବାଇଆ'। ମା ଛଡା ଆଉ କେହି ବାଇଆ ଡାକିଲେ ଚିଡି ଉଠନ୍ତି ବିକାଶ ବାବୁ। ଏବେ ଗାଁ ରେ ପହଁଚିବା ପରଠୁ କାହିଁକି ବିକାଶ ଶବ୍ଦଟା କେମିତି ଗୋଟେ ଆଉ କାହାର ନାଁଆ ପରି ଲାଗୁଛି। ମା ତା'ର ବାଇଆକୁ ଏତେ ବର୍ଷ ପରେ ଦେଖିଦେଲେ କେତେ ଖୁସି ନ ହେବ !

ନାଁ, ଆଉ ଡେରି କରିବା ବିିିଲକୁୁୁଲ ଠିକ୍ ହେବନି। କବାଟ ପାଖକୁ ପାଦ ବଢେଇଲେ ବିକାଶ ବାବୁ।

××(4)××

କବାଟରେ କରାଘାତ କରିବାକୁ ଉଠିଥିବା ହାତ ଅଧାରେ ଅଟକି ଗଲା। ସେ'ତ କେବେବି ନିଜ ଘର କବାଟ ବାଡାନ୍ତି ନାହିଁ !

ଦୁଆର ପାଖରେ ପହଁଚିବା ମାତ୍ରେ ଦୁଆରଟା ମନଜାଣି ମନକୁ ମନ ମେଲିଯାଏ ଯେମିତି ! ଦୂଆର ମୁହଁରେ ମମତା ଭିଜା ମିଠାମିଠା ବାସ୍ନା ଖେଳିଯାଏ। ମା'କହେ, "ତୋ ଗଲା ବେଳଠୁଁ ଦୂଆର କୁ ଅନେଇ ବସିଛି ତୋ ଫେରିବା ବାଟକୁ। ..............."

ଆଜି କ'ଣ ମା ଜାଣି ପାରୁନି ତା ବାଇଆ କେତେବେଳୁ ଆସି ଦୂଆର ପାଖରେ ଠିଆ ହେଇଛି ବୋଲି !! ନାଁ; ଜାଣି ପାରୁନଥିବ କେମିତି। ଉଠି ଆସି ପାରୁ ନ ଥିବ। କେମିତି ଉଠିବ ଯେ !

ପନ୍ଦର ଦିନ ତଳେ ଖବର ଯାଇଥିଲା , "ବୁଢୀ କତରାଲଗା ହେଇ ପଡିଛି। ପାଟିକୁ ଦାନାପାଣି ନେବା ବନ୍ଦ କରି ଦେଲାଣି। ଲୋକବାକ ଚିହ୍ନି ପାରୁନି। ବିଳିବିଳେଇ ହେଇ ତୋତେ ଖୋଜୁଛି। ଲାଗୁଛି ତୋତେ ନ ଦେଖିବା ଯାକେ ବୁଢୀର ଜୀବ ଜିବନି।"

ଖବରଟା ଶୁଣିଦେବା ମାତ୍ରେ ମନ କହୁଥିଲା ମାଆ'ମାଆ ଡାକି ଧାଇଁ ଆସିବାକୁ ଗାଁ ମାଟିକୁ । ମା'କୁ ଛାତିରେ ଧରି ବହେ କାନ୍ଦି ,ତା ପା'ଧୂଳି କୁ ମୁଣ୍ଡରେ ମାରି ଧର୍ମ ବଦଳେଇ ଦେଇ ବିକାଶ ରୁ ପୁଣି ଥରେ ବାଇଆ ହେଇ ଯିବାକୁ। କିନ୍ତୁ ପାରି ନଥିଲେ।

ସୁଦୀର୍ଘ ତିରିଶି ବର୍ଷ ପରେ ସେଦିନ ପ୍ରଥମ ଥର ସେ ନିଜକୁ ଅତ୍ୟନ୍ତ ଦୁର୍ବଳ , ଅସହାୟ ଓ ଅଯୋଗ୍ୟ ମଣିଥିଲେ। ନିଜ ଭିତରେ ନିଜକୁ ବିଧର୍ମୀ ବିବେଚନା କରିଥିଲେ।

ବିକାଶ ବାବୁଙ୍କର ମନ ଭିତରଟା ହଠାତ୍ କେମିତି ଗୋଟେ ଅଜଣା ଭୟରେ ଜଡସଡ ହେଇଗଲା। ଏତେ ବର୍ଷ ବିଳମ୍ବ କରିପାରିଥିବା ବିକାଶ ବାବୁ ଆଜି ଆଉ ମୁହୂର୍ତ୍ତଟେ ଡେରି କରିବାକୁ ପ୍ରସ୍ତୁତ୍ ନ ଥିଲେ। ହଠାତ୍ ତାଙ୍କ ଭିତରେ ଲୁଚି ରହିଥିବା ବାଇଆ ସତେ ଯେପରି ବାୟା-ବ୍ୟାକୁଳ ହେଇ ଉଠିଲା ମା ,ମାଟି ଓ ମମତା ଦେହରେ ବୋଳି ମା'ର ପଣତ ତଳେ ଲୁଚି ଯିବାପାଇଁ।

ଆପେଆପେ ହାତ ବଢିଗଲା ଆଗକୁ। କବାଟ ଭିତରୁ ବନ୍ଦ ନଥିଲା, ଆଉଜା ହେଇଥିଲା । ତାଙ୍କର ମନେହେଲା ସମ୍ଭବତଃ ତା ବାଇଆ ଆସିବ ବୋଲି ମା ଆଜି କିଳିଣି ଲଗେଇ ନାହିଁ। ପାଦ ମନକୁ ମନ ଟାଣି ହେଇଗଲା ଘର ଭିତରକୁ।

ଘର ଭିତରେ ଦୁକଦୁକ୍ ହେଇ ଜଳୁଥିବା କିରୋସିନ୍ ଲ୍ୟାମ୍ପ କୁ ତେଜି ଦେବାକୁ ତର ନଥିଲା। ବିଛଣା ପାଖରେ ଆଣ୍ଠୁ ମାଡି ବସି ପଡିଲେ ବିକାଶ ବାବୁ। ମା'ର ପାଦ ଦି'ଟାକୁ ଛାତିରେ ଚାପିଧରି ଭୋ-ଭୋ କରି କାନ୍ଦି ଉଠିଲେ। ପାଗଳଙ୍କ ଭଳି କହି ଚାଲିଥିଲେ, " ମାଆ,ତୋ ବାଇଆ ତୋ ପାଖକୁ ଫେରି ଆସିଛି। ତୋତେ ଛାଡି କେବେ ଆଉ କୁଆଡେ ଯିବନି। ମୋ ଭୂଲ ଅକ୍ଷମଣୀୟ,ତଥାପି ତୁ କ୍ଷମା କରି ପାରିବୁ ମା। ଅଜାଣତରେ ମୁଁ ଧର୍ମ ବଦଳେଇ ଦେଇ ବାଇଆ ରୁ ବିକାଶ ହେଇଯାଇଥିଲି। ତୁ ଯେମିତି କହିବୁ ସେମିତି ପ୍ରାୟଶ୍ଚିତ କରିବି ହେଲେ ମୋ ଧର୍ମ ବଦଳେଇ ମୋତେ ପୁଣିଥରେ ବାଇଆ କରିଦେ ମା।........"

"ବାଇଆ"; ଥରଥର କଣ୍ଠରୁ ମମତାର ରୁଣୁଝୁଣୁ ଶବ୍ଦଟିଏ ଭାସିଆସି ବାଇଆର ସାରା ଦେହ ଛୁଇଁଦେଇଗଲା ଯେପରି। ବାଇଆ ମା ମୁହଁକୁ ଚାହିଦେବା ମାତ୍ରେ ଦେଖିିିଲା ମା'ର ଶୁଷ୍କ ଓଠକୁ ଓଦା କରୁଥିଲା ପରମ ତୃପ୍ତିର କ୍ଷୀଣ ହସ ଧାରେ।

========

ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ)

ହରସିଂହ ପୁର,ପୀରହାଟ ବଜାର

ଭଦ୍ରକ,ଓଡିଶା-756131

ମୋ:9937548431

9438670120

-------------------

ପ୍ଲଟ୍ ନଂ-342,ସେକ୍ଟର୍-5

ନିଳାଦ୍ରୀ ବିହାର୍,ଚନ୍ଦ୍ରଶେଖର୍ ପୁର

ଭୂବନେଶ୍ୱର-751021

ଓଡିଶା

==================


Rate this content
Log in