Sambit Srikumar

Others

4.0  

Sambit Srikumar

Others

ଦାଦନ

ଦାଦନ

2 mins
503



ପ୍ରବାସରେ ସ୍ୱଭାଷୀଟିଏ ଦେଖିଲେ ମନରେ ଭରିଯାଏ ଅପାର ପୁଲକ ଦୁଇପଦ କଥାଭାଷା ହେବାର ମୋହରେ । ଏହି ମୋହ ଦୁନିଆରେ ସମସ୍ତ ଲୋକଙ୍କର ରହିଛି ଅଳ୍ପ ବହୁତ । ମୁଁ ବା ଏଥିରୁ ବାଦ୍ ପଡିଥାନ୍ତି କେମିତି? ମୁଁ ତ ଆଉ ବ୍ୟତିକ୍ରମଟିଏ ନୁହେଁ ନା?

ନାଗପୁର ରେଳ ଷ୍ଟେସନରେ ମୁଁ ଅପେକ୍ଷା କରିଥାଏ ହାଇଦ୍ରାବାଦ୍ ଫେରିବା ପାଇଁ । ତଥାକଥିତ ଦ୍ରୁତଗାମୀ ଟ୍ରେନଟା ଦୁଇ ଘଣ୍ଟା ବିଳମ୍ବରେ ଚାଲୁଥାଏ । ବଡ଼ ବିରକ୍ତିକର ବୋଧ ହେଉଥାଏ । ଅନତି ଦୂରରେ କେହି ଜଣେ ସ୍ୱଭାଷୀଙ୍କର ଦୂରଭାଷର କଥୋପକଥନ ମୋର କର୍ଣ୍ଣ ଗୋଚର ହେଲା ।

ଦ୍ରୁତପଦରେ ସେଠାକୁ ଯାଇ ସମସ୍ତ ଶିଷ୍ଟାଚାର ଭୁଲି ସେହି ବୟୋବୃଦ୍ଧ ଶ୍ରମଜୀବୀଙ୍କୁ ପଚାରି ଦେଲି, "ମଉସା! ଆପଣଙ୍କ ଘର କେଉଁଠି?"

ଅଚାନକ ଏପରି ମୋ ପ୍ରଶ୍ନବାଣରେ ଅପ୍ରସ୍ତୁତ ହୋଇ ବୃଦ୍ଧ ବ୍ୟକ୍ତି ଜଣକ କହି ପକେଇଲେ, "କେନ୍ଦ୍ରାପଡା" ।

: ଆମର ବି କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଜାଣିଛନ୍ତି ପଟ୍ଟାମୁଣ୍ଡାଇ?

: ହଁ, ଆମର ଘରଟା ମହାକାଳପଡ଼ା...

: ଆଚ୍ଛା ମଉସା, ଆପଣ କଣ କରନ୍ତି ଏଠି?

: ଦାଦନ ଖଟିବାକୁ ଆସିଛି... ଖଟୁଛି । ଆଉ କଣ କରିବି?

: ଆରେ ମଉସା, ଏମିତି କାହିଁକି କହୁଛନ୍ତି?

: ଆଉ କଣ କହିବି? ତମ ପରି ଧୋବ ଫରଫର ପାଠ ଶାଠ ପଢୁଆ ବଡ଼ ବାବୁମାନେ ତ ଆମକୁ ଦାଦନ ହିଁ କହନ୍ତି ନା! କଣ କିଛି ଭୁଲ କହିଲି କି?? ଯଦି କହିଥାଏ ତେବେ କ୍ଷମା କରି ଦେବ ବାବୁ!

ମୁଁ ତାଙ୍କ କଥା କିଛି ବି ବୁଝିପାରୁନଥିଲି । ହଁ, କେବେ କେବେ ଏ ଶବ୍ଦଟି ଶୁଣିଛି ଟି. ଭି. ଚ୍ୟାନେଲମାନଙ୍କରେ । ସେତେବେଳେ ଏତିକି ତ ଜାଣିଥିଲି ଯେ, ବାହାରକୁ କାମ ଧନ୍ଦା ଅନ୍ୱେଷଣରେ ଯାଇଥିବା ଶ୍ରମିକ ଶ୍ରେଣୀର ଲୋକମାନଙ୍କ ପାଇଁ ଏହି ଶବ୍ଦଟି ବ୍ୟବହାର ହେଉଛି । କିନ୍ତୁ ଏହି ଶବ୍ଦଟିର ପ୍ରକୃତ ଅର୍ଥ ବୁଝିବାକୁ କେବେ ବି ଚେଷ୍ଟା ମୁଁ କରିନାହିଁ ।

କିଛି ସମୟ ନୀରବ ରହିବା ପରେ ପଚାରିଲି, "ଘରେ ଆଉ କିଏ କିଏ ଅଛନ୍ତି ମଉସା?"

: ସମସ୍ତେ, ସ୍ତ୍ରୀ, ପିଲା, ନାତି ନାତୁଣୀ, ବୁଢୀ ମା' ଆଖିକୁ ଦିଶୁନି ତାର ଏବେ, ତା' ଛଡା ଦିଇଟା ଗାଈ ଆଉ କିଏ...

ମୁଁ ଆଉ କିଛି ତାଙ୍କୁ ପଚାରିବାକୁ ଚାହୁଁଥିଲି, ହେଲେ ସେହି ସୁଯୋଗ ମୋତେ ସେ ଦେଲେ ନାହିଁ । ଯେପରି ବିକ୍ଷୁବ୍ଧ ଆଗ୍ନେୟଗିରି ଉଦ୍ଗୀରଣ ହୋଇଛି ।

ସେ କହି ଚାଲିଲେ : "ତମର ଘରଦ୍ୱାର, ଜମିବାଡ଼ି, ଟଙ୍କା ପଇସା, ଗୋରୁଗାଈ, ଚାକର ବାକର, ହଳିଆ କୋଠିଆ ସବୁ ଥାଇ କି ବି ଦି ପଇସା ଅଧିକ ପାଇବା ଲୋଭରେ ବେକରେ ଟାଇ ବାନ୍ଧି ଏ ଉଦୁଉଦିଆ ଖରାବେଳଟାରେ କୋଟ୍ କାମିଜ୍ ପିନ୍ଧି ବାହାରେ ବୁଲୁଛ । ନିଜକୁ ବାବୁ ଭାୟା ବୋଲାଉଛ । ସମାଜର ବଡପଣ୍ଡା କୁହାଇ ହଉଛ । ଆମର ତ ଗାଁରେ ଘରଡିହଟି ଛଡ଼ା ଆଉ କିଛି ନାହିଁ । କରିବୁ କଣ? ମୂଲିଆ ଲୋକ, ମୂଲ ଲାଗିଲେ ବହୁପ୍ରାଣୀ କୁଟୁମ୍ବ ପୋଷିବୁ । ନହେଲେ ନିର୍ଜଳା ଏକାଦଶୀ ଉପବାସ! ଗାଁରେ ମୂଲ ଲାଗିଲେ ଠିକରେ ମଜୁରୀ ଦେବନି ତମେମାନେ । ଦି' ପଇସା ଅଧିକା ରୋଜଗାର କରିବା ଆଶାରେ କଣ ରାଇଜ ବାହାରକୁ ଗୋଡ଼ କାଢ଼ିଲୁ ଯେ, ତମେ, ତମ ସରକାର, ତମ ଅଫିସର ସମସ୍ତେ ଆମକୁ 'ଦାଦନ' ଆଖ୍ୟାରେ ଆଖ୍ୟାୟିତ କଲେ । ଆମେ କେମିତି ଚଳୁଛୁ ସେକଥା ତ କେହି କେବେ ପଚାରି ବୁଝିନି?"

ତମେ କୁହ ବାବୁ, "ଦି ପଇସା ଅଧିକା ପାଇଲେ ତମେ ନୂଆ କମ୍ପାନୀ ଜଏନ କରୁନ କି?" ତମେ ଯାହା ସବୁ ବାହାରେ ଆସି କଲେ କିଛି ନାହିଁ, ତମ ପାଇଁ ସଭିଏଁ ଗର୍ବିତ । ଆମ ରାଇଜର ଖବରକାଗଜରେ ତମ ଫଟୋ ବାହାରେ । ତମର ବେଠି ଖଟିବାକୁ ଲୋକ ମିଳୁ ନାହାନ୍ତି ତ ସେପାଇଁ ଆମକୁ ରୀତିମତ ନିନ୍ଦୁଛ ।"

ମୋର ଟ୍ରେନ୍ ପ୍ଲାଟଫର୍ମରେ ଲାଗି ସାରିଥାଏ । ସେ ସେମିତି କହି ଚାଲିଥାନ୍ତି । ମଥାପାତି ଯୋଡ଼ ହସ୍ତରେ ତାଙ୍କଠୁ ବିଦାୟ ନେଲି । ମୋର ଜ୍ଞାନ ଚକ୍ଷୁ ଉନ୍ମୀଳିତ ହୋଇ ସାରିଥାଏ ସେତେବେଳେକୁ । ମହାଶିକ୍ଷା ଲାଭ କରି ସାରିଥାଏ ଯାହାକି ମୋର କୌଣସି ଡିଗ୍ରୀ ବି ଶିଖାଇ ନଥିଲା ।



Rate this content
Log in