ଚୋରଣୀ
ଚୋରଣୀ
ବସନ୍ତ ବାବୁ ଦୋ'ନାବୁଡିଆ।ଗୋଟେ ନାଆ ଭୁବନେଶ୍ବରରେ ତ
ଆଉଗୋଟେ ଗାଁ'ରେ।
ତଥାପି ଦି'ନାଆରେ ଗୋଡ ରଖି ଆଜିପର୍ଯ୍ୟନ୍ତ ଠିକ୍ ଠିକ୍ ଚଳେଇ ନେଇଛନ୍ତି ।ଗାଁ'ଘର କଥା ବୁଝିବାକୁ ସୁଲ ନାନୀ ଅଛି।ସାଇରେ ତାର ଘର।ବିଧବା ମାଇପିଟିଏ।ବୟସ ଲାଗପାଟ ଷାଠିଏ ।ଗେରସ୍ତ କେବେଠୁଁ ମଲାଣି ହିସାବ ନାହିଁ ।ବାଳବିଧବା ହେଇ ଆସିଥିଲା ଯେ ଆଉ ଫେରିନି।ଭାଇମାନେ ପଚାରନ୍ତି ନାହିଁ ।ସାଇରେ ଜଣେ ଦୟାଳୁ ଲୋକଙ୍କ ଚାଳିଆ ତଳେ ମୁଣ୍ଡ ଗୁଂଜିଚି।
ବସନ୍ତ ବାବୁଙ୍କ ଅନୁପସ୍ଥିତିରେ ଘରର ରକ୍ଷଣା ବେକ୍ଷଣ କାମ ସୁଲ ନାନୀ କରେ।ବାବୁ ଗାଁକୁ ଆସି ଯେତେଦିନ ରହନ୍ତି, ସୁଲ ନାନୀ ଘରର କାମଦାମ କରିଦିଏ।ଦୋକାନ ସଉଦାରୁ ଲୁଚେଇ ଚୋରେଇ କିଛି କିଛି ତା ଘରକୁ ନିଏ।ବସନ୍ତ ବାବୁ ଏସବୁ ଜାଣନ୍ତି, ତଥାପି କିଛି କହନ୍ତି ନାହିଁ ।ଅଭାବୀ ଗରିବ ନଥିଲାଘରର ମାଇପିଟିଏ ,ଆଗକୁ ପଛକୁ ପଚାରିବାକୁ କିଏ ତାର ଅଛି?ନେଲା ଯଦି ନେଲା।କଣ ବା ସରିଯାଉଚି?,ଏପରି ଭାବନ୍ତି ବସନ୍ତ ବାବୁ।ସୁଲ ନାନୀ ଭାବେ ଯେ ବସନ୍ତ ବାବୁ କିଛି ଟେର୍ ପାଇ ପାରୁନାହାନ୍ତି।ବସନ୍ତ ବାବୁ ମନେ ମନେ ହସନ୍ତି।ଧରାପକେଇ ତାର ଆତ୍ମସମ୍ମାନରେ କାହିଁକି ଆଞ୍ଚ ଆଣିବେ।
ଥରେ ବସନ୍ତ ବାବୁ ଭୁବନେଶ୍ବରରୁ ଆସି ପହଞ୍ଚିଲା ବେଳକୁ ଗାଁରେ ତୁମୁଳ କାଣ୍ଡ।ବସନ୍ତ ବାବୁଙ୍କ ଝିଆରୀ ସୁଲନାନୀର ଚୋରି ଲାଲ୍-ହାତରେ ଧରି ତାକୁ ଚୋରଣୀ ମୋରଣି କରି ବେଜିତ୍ କରୁଚି।ସୁଲ ନାନୀ ମଧ୍ୟ ଛାଡିବା ମହିଳା ନୁହେଁ ।ସେ ମଧ୍ୟ ତା ବିରୁଦ୍ଧରେ ବସନ୍ତ ବାବୁଙ୍କ ଆଗରେ ଫେରାଦି କଲା।
ସୁଲନାନୀ କାନ୍ଦିବୋବେଇ ଆଣ୍ଠିଏ -"ମତେ ଚୋରଣୀ କହିଲା।ମୋର ଇଜ୍ଜତ ସାଇଭାଇରେ ଗଲା।ମୁଁ ତମଘରେ ଦିନେ ଆଉ କାମ କରିବିନି ବାବୁ ।ତମେ ତମ ଘର ସମ୍ଭାଳ" ଇତ୍ୟାଦି କହି ସୁଲନାନୀ ବସନ୍ତ ବାବୁଙ୍କ ଘର ଛାଡିବାକୁ ବାହାରିଲା।
ବସନ୍ତ ବାବୁ କରନ୍ତି କଣ ?ସୁଲ ନାନୀ ସତରେ ଚାଲିଗଲେ ତାଙ୍କ ଗାଁରେ ଥିବା ନାଆଟି ସମ୍ଭାଳିବ କିଏ ?ପରସ୍ଥିତି ସମ୍ଭାଳିନେଇ ବସନ୍ତ ବାବୁ କହିଲେ "ନାନୀ,ତୁ ମୋ ଘରର ସଦସ୍ୟା ।ମୁଁ ତତେ ଦିନେହେଲେ କିଛି କହିଚି?କିଛି ଆରୋପ ତୋ ଉପରେ ଲଗେଇଚି?କାହା କଥାରେ ପଡି ତୁ ଏ ଘର ଛାଡିଦବୁ ?କେଉଁ ଅଭିମାନରେ?ମୋର ତୋ ଉପରେ ଅଖଣ୍ଡ ବିଶ୍ଵାସ ।ତୁ ଏମିତି ନିଷ୍ପତ୍ତି ନେଏନା।"
ସୁଲ ନାନୀର ମନ ଖୁସ୍।ବସନ୍ତ ବାବୁଙ୍କ ବିଶ୍ଵାସ ତାର ଇଜ୍ଜତ ବଢେଇଦେଲା। ଗାଁସାରା ବସନ୍ତ ବାବୁଙ୍କର ପ୍ରଶଂସା ଗାଇ ବୁଲିଲା ସୁଲ ନାନୀ।
ତାପରଠାରୁ ବସନ୍ତ ବାବୁଙ୍କ ଘରେ ଛୋଟ ମୋଟ ତେଲଲୁଣ ଚୋରି ଆଉ ହେଇନି।