ବିଶ୍ୱାସ
ବିଶ୍ୱାସ


"ତୁମେ କିଏ? ତୁମ ପଛେ ଏତେ ଉଜ୍ଜ୍ୱଳତା!"...
"ମୁଁ ତୁମର ପିତା, ସମସ୍ତଙ୍କର ପିତା, ଈଶ୍ୱର"...
"ତୁମେ ମୋ ପିତା! ଖୁବ ଆନନ୍ଦ ସହକାରେ ଛ' ବର୍ଷର ଛୋଟ ଅବୋଧ ପିତୃମାତୃହରା ବାଳିକା ମାରିଆ ଉଠି ଦୁଇହାତ ବଢ଼ାଇ ଆଲିଙ୍ଗନ କଲା । ଈଶ୍ୱର ମଧ୍ୟ ନିଜର ବିଶାଳ ବାହୁରେ ସସ୍ନେହେ ଏଇ ଛୋଟ ବାଳିକାଟିକୁ ଆବେଷ୍ଟ କରି କପାଳେ ଏକ ଚୁମ୍ବନ ଦେଲେ ତା' ପରେ କିଛି ସମୟ ନିଜ କୋଳରେ ଶୁଆଇ ମଥାରେ ସ୍ନେହବୋଳା ହାତ ବୁଲାଇଦେଲେ ।
ଏହିପରି କିଛି ସମୟ ବିତିଯିବା ପରେ ଈଶ୍ୱର କହିଲେ,"ଏଥର ମୋତେ ବିଦାୟ ଦିଅ"...
ନା' ନା' ଆଉ କିଛି ସମୟ...
"ନାଇଁ... ଆଜି ହେବନି ମୁଁ କଥା ଦେଉଛି ଠିକ ପହରଦିନ ରାତିରେ ଏହି ସମୟରେ ଆସିବି", ଈଶ୍ୱର ଏତକ କହି ମାରିଆ ଠାରୁ ବିଦାୟ ନେଲେ ।
×××××××××
ଧୀର, ଶାନ୍ତ, ଗମ୍ଭୀର ଓ ଗଭୀର ନୀଳାଭ ଜଳରାଶି, ଗଗନରେ ସୁନ୍ଦର ମନଲୋଭା ପବନ, ସ୍ୱଚ୍ଛ ପରିଷ୍କାର ଆକାଶ ।
ଉତ୍ତର ଅଣ୍ଟାଲାଣ୍ଟିକ ମହାସାଗର ମଧ୍ୟଭାଗରେ ମେକ୍ସିକୋରୁ ଫ୍ରାନ୍ସ ଅଭିମୁଖେ ଯାତ୍ରା କରୁଥାଏ ଏକ ଯାତ୍ରୀବାହୀ ଜାହାଜ 'ଲା ଫ୍ରାନସୁଆ'। ପାଖାପାଖି ଦେଢ଼ଶହ ଲୋକ ଯାତ୍ରା କରୁଥାନ୍ତି । ତନ୍ମଧ୍ୟରୁ କେହି ପର୍ଯ୍ୟଟକ ଥା'ନ୍ତି ତ କେହି ଥା'ନ୍ତି ପ୍ରବାସୀ, ସେଇ ଜାହାଜରେ ଯାତ୍ରା କରୁଥାନ୍ତି କିଛି ପାଦ୍ରୀ । ତା' ସହ ମେକ୍ସିକୋରେ ଏକ ଦୁର୍ଘଟଣାରେ ଉଭୟ ପିତାମାତାଙ୍କୁ ହରେଇଥିବା ଏହି ବାଳିକା ମାରିଆ ନିଜ ଦୂରସମ୍ପର୍କୀୟ ମଉସା ମାଉସୀ ଓ ତାଙ୍କ କୁନି ପୁଅ ଅର୍ଲଫ୍ରେଡ଼ ସହ ଯାତ୍ରା କରୁଥାଏ ।ଛୋଟ ହେଲେ ମଧ୍ୟ ବହୁତ ବୁଦ୍ଧିମତୀ ଓ ସହନଶୀଳା ମାରିଆ, କିନ୍ତୁ ତା'ର ବଡ ଦୁଃଖ ହେଲା ମଉସା ମାଉସୀଙ୍କ ବୈମାତୃକ ମନୋଭାବ । ତଥାପି ନୀରବରେ ସବୁକିଛି ସହି ଆପଣେଇବାକୁ ଚେଷ୍ଟା କରେ ।
××××××××
ସୁନ୍ଦର ଛଳଛଳ ଜଳରାଶିକୁ କାଟି ଗନ୍ତବ୍ୟ ଅଭିମୁଖେ ଯାତ୍ରା କରୁଥାଏ ଏଇ ଜାହାଜ । ସଭିଙ୍କ ମନରେ ଉଲ୍ଲାସ ଓ ଉତ୍ସାହର ମୂର୍ଚ୍ଛନା । ବେଳେବେଳେ ଭାସିଆସେ କିଛି ସୀତାରବାଦକଙ୍କ ଅତିସୁନ୍ଦର ସଂଯୋଜନା । କେତେବେଳେ ଶୁଣାଯାଏ ଏଇ ବୃହତ ଜାହାଜର ଗଁଗଁ ଶବ୍ଦ ।
ସଭିଙ୍କ ମନରେ ଥାଏ ଅପୂର୍ବ ଏକ ଆହ୍ଲାଦ. ସ୍ୱାଦିଷ୍ଟ ବ୍ୟଞ୍ଜନ ସାଙ୍ଗକୁ ମୃଦୁପାନୀୟ ତା' ସହ ସାନ୍ଧ୍ୟ ଆସରରେ ଦମ୍ପତି ମାନଙ୍କର ଛନ୍ଦାୟିତ ମଧୁର ନୃତ୍ୟ. ସର୍ବମୋଟ କହିବାକୁ ଗଲେ ମହାସାଗର ମଧ୍ୟରେ ଏକ ସୁନ୍ଦର ଜନବସତି ସ୍ଥାପନ ହୋଇଛି ଯେପରି. ସକାଳୁ ସକାଳୁ ପାଦ୍ରୀ ମାନଙ୍କ ପ୍ରାର୍ଥନା ଓ କିଛି ସମୟର ଧର୍ମଚର୍ଚ୍ଚା ମଧ୍ୟ ଏଥିରୁ ବାଦ ପଡୁନାହିଁ ।
ମାରିଆ ମଧ୍ୟ ତା'ର ସେଇ କୁନି କୁନି ହସ ଦ୍ୱାରା ସଭିଙ୍କୁ ଆପଣେଇନେଲାଣି, ହେଲେ ଭାଗ୍ୟର ବିଡମ୍ବନା ପରଲୋକ ଆପଣା ହୋଇ ସ୍ନେହ ଦେଉଥିବାବେଳେ ନିଜର ବୋଲି ଭାବି ଆଶ୍ରା ନେଇଥିବା ମଉସା ମାଉସୀ ଓ ଭାଇ ଅର୍ଲଫ୍ରେଡ଼ ଇର୍ଷାରେ ମୁହଁ ମୋଡ଼ୁଛନ୍ତି, କିନ୍ତୁ କିଂକର୍ତ୍ତବ୍ୟବିମୁଢ଼ ଭାବେ ମାରିଆକୁ ପାଳୁଛନ୍ତି, ଆଖି ଆଗରେ ମାରିଆର ପିତୃଦତ୍ତ ସମ୍ପତ୍ତି ହଡପ କରିବା ଉଦେଶ୍ୟରେ ।
ଏହିପରି ଏକ ନିରବ ଅପରାହ୍ନରେ ଆଗକୁ ଆଗକୁ ଯାଉଥାଏ 'ଲା ଫ୍ରାନସୁଆ' ପାଖାପାଖି ଅର୍ଦ୍ଧେକ ପଥ ଅତିକ୍ରମ କରିସାରିଲେଣି, ଏବେ ଗଭୀର ସାଗରର ମଧ୍ୟ ଭାଗ. ସୁନ୍ଦର ଓ ମନୋରମ ଚତୁର୍ଦିଗ, ସୂର୍ଯ୍ୟଙ୍କର ସୁନେଲି କିରଣରେ ଚିକଚିକ କରୁଛି ଛଳଛଳ ଜଳ. ହଠାତ କୁଆଡୁ ଘୋଘୋ ଗର୍ଜନ କରି ମାଡି ଆସିଲା ଏକ ସାମୁଦ୍ରିକ ଝଡ଼, ଆକାଶ କଳା ମଚମଚ ବାଦଲରେ ଆଚ୍ଛାଦିତ ହୋଇଗଲା. ପବନର ବେଗ ତୀବ୍ରରୁ ତୀବ୍ରତର ହେବାକୁ ଲାଗିଲା ।
ସଭିଙ୍କ ମନରେ ଏକ ଭୟ ଖେଳିଗଲା, ଝଡ଼ଟି କମିବାର ନାଁ ନେଉନଥାଏ, ସମୟକୁ ସମୟ ଅଧିକ ଘନୀଭୂତ ହେବାକୁ ଲାଗୁଥାଏ. ଜାହାଜକୁ ସମ୍ଭାଳିବା ସମ୍ଭବପର ହେଉନଥାଏ, ଜାହାଜଟି ଧୀରେ ଧୀରେ ନିୟନ୍ତ୍ରଣରୁ ବାହାରକୁ ଚାଲି ଯାଉଥାଏ, ପବନରେ ଜାହାଜଟି ମଧ୍ୟ ଉତ୍ତାଳ ଜଳରାଶି ଯୋଗୁଁ ଦୋହଲିବାକୁ ଲାଗିଥାଏ ।
ଜାହାଜର ମୁଖ୍ୟ ପଦାଧିକାରୀ ଆଶା ହରେଇ ଦେଇଥା'ନ୍ତି, ଶେଷରେ ଘୋଷଣା ହୁଏ ବର୍ତ୍ତମାନ ଆଉ କିଛି କରିହେବନାହିଁ. ସମସ୍ତେ ମୃତ୍ୟୁକୁ ଅତି ନିକଟରୁ ଦେଖୁଥାନ୍ତି ଓ ଅନୁଭବ କରୁଥା'ନ୍ତି. ପ୍ରାୟ ପ୍ରତ୍ୟେକ ଯାତ୍ରୀ ନିଜ ଆତ୍ମୀୟସ୍ୱଜନଙ୍କ ପାଖେ ଛିଡା ହୋଇଥା'ନ୍ତି ।
ଏହା ସେମାନଙ୍କର ଶେଷଦେଖା ବୋଲି ସମସ୍ତେ ଧରି ନେଇଥା'ନ୍ତି, ପରଜନ୍ମରେ ବିଶ୍ୱାସ କରୁଥିବା କିଛିଜଣ ଆସନ୍ତା ଜନ୍ମରେ ଭେଟ ହେବାର ପ୍ରତିଶୃତି ଦେଇଥା'ନ୍ତି. ଏକ ବ୍ୟାକୁଳ ଭୟାବହ ପରିବେଶଟେ ଦୋଦୋଲ୍ୟମାନ ଜାହାଜଟିରେ ସୃଷ୍ଟି ହୋଇଥାଏ. ସମସ୍ତଙ୍କ ଆଖିରେ ଲୁହ ଓ ଆସନ୍ନମୃତ୍ୟୁର କୋହ. ସମସ୍ତେ ପ୍ରିୟ ପରିଜନ ତଥା ସମ୍ପର୍କୀୟଙ୍କୁ ଏଇ ଶେଷଥର ପାଇଁ ଆଲିଙ୍ଗନ କରିଦେଉଥା'ନ୍ତି. ସ୍ନେହ ପ୍ରେମ ଓ ପ୍ରୀତିର ଭାବଧାରାରେ ଆବେଷ୍ଟନପୂର୍ବକ କପାଳେ ଆଙ୍କିଦେଉଥା'ନ୍ତି ଶେଷ ଚୁମ୍ବନ. କିଏ ଜାଣିଥିଲା ମୃତ୍ୟୁ ଏପରି ଅଡକା ଅତିଥି ଭାବେ ଆସି ପହଞ୍ଚିବ ବୋଲି!
କିନ୍ତୁ ଛୋଟ କୋମଳମତି ଶିଶୁ ମାରିଆ ଏହାକୁ ଗ୍ରହଣ କରିପାରୁନଥାଏ. କାରଣ ସ୍ୱୟଂ ଈଶ୍ୱର ତା'କୁ କଥା ଦେଇଛନ୍ତି ଆସିବେ ବୋଲି, ତେବେ କଣ ଈଶ୍ୱରଙ୍କ କଥା ମିଥ୍ୟା ହେଇପାରେ. ସେତ' ସକାଳୁ ସକାଳୁ ଧର୍ମଯାଚକ ପାଦ୍ରୀମାନଙ୍କ ଠୁଁ ଶୁଣିଛି ଈଶ୍ୱର ସତ୍ୟମୟ, ମିଥ୍ୟା ପ୍ରରୋଚନାରୁ ଉର୍ଦ୍ଧରେ. ତେବେ ଈଶ୍ୱର ତା'କୁ ଦେଇଥିବା ପ୍ରତିଶୃତିରୁ କିପରି ଓହରି ଯାଇପାରିବେ!ଏସବୁ ପ୍ରଶ୍ନ ତା'ର ସେଇ ଛୋଟ ମସ୍ତିସ୍କରେ ଆନ୍ଦୋଳିତ ହେଉଥାଏ. ଅପ୍ରତ୍ୟାଶିତ ଭୟାବହ ବିପଦରେ ଈଶ୍ୱର କଣ ସେମାନଙ୍କୁ ଏକା ଛାଡିଦେଲେ କି!
ବିଶାଳ ହଲର ଏକ କାନ୍ଥରେ ଟଙ୍ଗାଯାଇଥାଏ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏକ ତୈଳଚିତ୍ର. ଏ ତ ସେଇ ଈଶ୍ୱର ଯିଏ ମାରିଆର ସ୍ୱପ୍ନରେ ଆସି ସ୍ନେହ ଦେବା ସହ ତା'କୁ ପୁଣି ଆସିବାର କଥା ଦେଇଯାଇଛନ୍ତି. ଅବୋଧ ଶିଶୁ ମାରିଆ ଦୌଡ଼ିଗଲା ଚିତ୍ରଟି ପାଖକୁ ହାତ ଯୋଡି କହିଲା, " ତୁମେ ତ ଈଶ୍ୱର ମୋ ପରମପିତା, ତୁମେ କଣ ତୁମ ଏଇ ଛୋଟ ଝିଅକୁ ଠକି ଦେଇପାରି!, ଏହା ସମ୍ଭବ ନୁହେଁ, ତେଣୁ ସମସ୍ତେ ମୃତ୍ୟୁ ପାଇଁ ଭୟ କରନ୍ତୁ ନାହିଁ", ଏତକ କହି ମାରିଆ ରାତିରେ ଦେଖିଥିବା ସ୍ବପ୍ନର ବୃତ୍ତାନ୍ତ କହିଲା.
କିନ୍ତୁ ଛୋଟ ଶିଶୁର ବାଚାଳାମୀ ଭାବି ତା କଥାକୁ କେହି ଗ୍ରହଣ କରିବାକୁ ନାରାଜ, ଆସ୍ପୃହାର ସମସ୍ତ ଦୁଆରକୁ ରୁଦ୍ଧ କରିଦେଇ ଜଡ଼ତାର ବଶବର୍ତ୍ତୀ ପାଦ୍ରୀମାନେ କହିବାକୁ ଲାଗିଲେ, "ଏହା ତୁମର ପ୍ରହେଳିକା, ପ୍ରକୃତି ଯେତେବେଳେ ଯେପରି ରୂପ ନେବ ସେଇ ଅନୁଯାୟୀ ମଣିଷକୁ ଭୋଗିବାକୁ ପଡିବ".
ଅନ୍ୟମାନେ କହିବାକୁ ଲାଗିଲେ,"ସବୁ ତ ଶେଷ ହେବାକୁ ଯାଉଛି, ଜାହାଜ ଦୋହଲିବାର ଗତି ବଢ଼ି ବଢ଼ି ଚାଲିଛି, ତଳ ମହଲାରେ ପାଣି ଭର୍ତ୍ତି ହେବାକୁ ଲାଗିଲାଣି".
କିନ୍ତୁ ମାରିଆ ନିଜର ସ୍ଥିର ନିଶ୍ଚଳ ଆସ୍ପୃହା ଅଗ୍ନିକୁ ହୃଦୟରେ ଜଳେଇ ରଖିଛି, ସମସ୍ତଙ୍କ ଠାରୁ ନାସ୍ତି ବଚନ ମିଳିବା ପରେ ମଧ୍ୟ ତା'ର ବିଶ୍ୱାସ ଅନେକ. ହୁଏତ ଅସୁବିଧା ହେବ କିନ୍ତୁ ମୃତ୍ୟୁ ହେବନି, ତେଣୁ ସେ ପ୍ରଭୁ ଯୀଶୁଙ୍କର ଚିତ୍ର ଆଗରେ ଛିଡା ହୋଇ ନୀରବରେ ଆଖି ବନ୍ଦ କଲା ଓ ପ୍ରଭୁଙ୍କୁ ବିପଦରୁ ରକ୍ଷା ପାଇଁ ପ୍ରାର୍ଥନା କଲା.
" ହେ ପ୍ରଭୁ! ତୁମର ଇଚ୍ଛାହିଁ ପୂରଣ ହେଉ, ଯଦି ତୁମେ ବଚନରୁ ଓହରି ମୃତ୍ୟୁ ଦେବାକୁ ଚାହୁଁଚ, ତେବେ ତୁମ ଅମୃତ ସନ୍ତାନଭାବେ ତୁମରି ଦାନ ଭାବି ହସିହସି ଗ୍ରହଣ କରିବୁ, ହେଲେ ଜଗତରେ ତୁମର ହିଁ ଅପଯଶ ରହିଯିବ".. ଏହା ଥିଲା ମାରିଆର ପ୍ରାର୍ଥନା ।
ତୁଫାନ ତୀବ୍ରରୂପ ଧାରଣ କରିନେଇଥାଏ, ସମସ୍ତେ ଜୀବନ ବଞ୍ଚାଇବାର ତୁଚ୍ଛା ପ୍ରୟାସ କରି ଏପଟ ସେପଟ ଧାଉଁଥିବା ବେଳେ କେହି ଏପରି ବିଶ୍ୱାସ ପ୍ରକଟ କଲେ ନାହିଁ ।
କିଛି ସମୟପରେ ଦେଖାଗଲା ପବନର ବେଗ କମି କମି ଆସୁଛି, ଆକାଶରୁ ମେଘ ଅପସରି ଯାଉଛି, ଘନଘନ ବିଜୁଳି ଘଡଘଡି ଆଉ ନାହିଁ. ଅଶାନ୍ତ ସାଗର ପୁଣି ଶାନ୍ତ ସ୍ଥିର ହୋଇଯାଇଛି ।ନୂତନ ଆଶାର ସୂର୍ଯ୍ୟ କିରଣ ସ୍ୱଚ୍ଛ ନୀଳଆକାଶରୁ ପୁଣି ଛଳଛଳ ପାଣିରେ ଚିକଚିକ କରୁଛି ।
ତା' ସହ ତାଳ ଦେଇ କୁନି ମାରିଆର ବିଶ୍ୱାସ ଆଜି ବିରାଟ ସଙ୍କଟକୁ ମଧ୍ୟ ଚୁଟକୀରେ ଉଡାଇ ଦେବାରେ ସମ୍ଭବପର ହୋଇଛି ।